ନାରୀ ସମାଜ ପ୍ରତି ଗାନ୍ଧିଜୀ

 

 

 

 

 

 

 

 

 

ନାରୀ ସମାଜ ପ୍ରତି ଗାନ୍ଧିଜୀ

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

ମୁକ୍ତ ଭାରତର

ଜନନୀ, ଭଗିନୀ ଓ ଧାତ୍ରୀ ରୂପିଣୀ

ନାରୀସମାଜ

ହାତରେ–

 

 

 

 

 

ମହାତ୍ମା ଗାନ୍ଧିଙ୍କୁ ଶତାବ୍ଦୀର ଖାଣ୍ଟି ମଣିଷ ଭାବରେ ସମଗ୍ର ବିଶ୍ୱ ଗ୍ରହଣ କଲେଣି । ଗାନ୍ଧିଜୀଙ୍କ ନାରୀସମାଜ ସଂପର୍କିତ ବିଭିନ୍ନ ଲେଖାଗୁଡ଼ିକୁ ଏକତ୍ର କରି ଶ୍ରୀ ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ) ନାରୀସମାଜ ପ୍ରତି–ଗାନ୍ଧିଜୀ ପୁସ୍ତକଟିକୁ ୧୯୪୬ ମସିହାରେ ଓଡ଼ିଆରେ ଅନୁବାଦ କରିଥିଲେ ଏବଂ ଏହାକୁ କଟକ ବୁକ୍ ଏମ୍ପୋରିୟମ୍ ପ୍ରକାଶିତ କରିଥିଲେ । ଦୀର୍ଘ ବର୍ଷ ଧରି ଉକ୍ତ ପୁସ୍ତକଟି ମିଳୁ ନଥିଲା । ବର୍ତ୍ତମାନ ମଧ୍ୟ ଏହି ପୁସ୍ତକଟିର ବହୁଳ ଆବଶ୍ୟକତା ଅନୁଭୂତ ମନେ କରାଯାଉଛି । ଏହି ଆବଶ୍ୟକତାକୁ ଉପଲବ୍ଧି କରି, ଅନୁବାଦକଙ୍କ ଅନୁମତିକ୍ରମେ ପଥିକ ପ୍ରକାଶନୀ ଉକ୍ତ ପୁସ୍ତକଟିକୁ ନୂତନ ପ୍ରକାଶନ କରିଛନ୍ତି ଏବଂ ପୁସ୍ତକଟିକୁ ସମସ୍ତ ଓଡ଼ିଆ ପାଠକପାଠିକାମାନଙ୍କ ନିକଟରେ ପହଞ୍ଚାଇବାର ଉଦ୍ୟମ କରିଛନ୍ତି । ମୁଦ୍ରଣ ଜନିତ ତ୍ରୁଟି ମାର୍ଜନା କରିବା ହେବେ ।

 

–ପ୍ରକାଶକ

Image

 

ବିଷୟ କ୍ରମଣିକା

 

୧.

କୌମୁଦୀର ତ୍ୟାଗ

୨.

କୌମୁଦୀ କେତେବଡ଼ ଆଦର୍ଶ ଦେଖାଇଲା

୩.

ଆଉ ଗୋଟିଏ ମହାନ୍ ତ୍ୟାଗ

୪.

ଜଣେ ଆଦର୍ଶ ସେବିକା ଜୀବନ ଦେଲା

୫.

ହୀରାନୀଳା ଓ ନାରୀସମାଜ

୬.

ଅଳଙ୍କାର ଓ ନାରୀସମାଜ

୭.

କେବଳ ନିଜର ସମ୍ପତ୍ତି ଉତ୍ସର୍ଗ କର

୮.

ନାରୀର ପ୍ରକୃତ ଭୂଷଣ କଣ ?

୯.

ନାରୀର ନବଜାଗରଣ

୧୦.

ନାରୀର କର୍ମକ୍ଷେତ୍ର

୧୧.

ନାରୀ ଓ ଯୁଦ୍ଧୋତ୍ସୁକତା

୧୨.

ନାରୀ ଓ ତା’ର କର୍ତ୍ତବ୍ୟ

୧୩.

ନାରୀର ବିଶେଷ କର୍ମଭାର

୧୪.

ଜଣେ ବନ୍ଧୁଙ୍କର ପ୍ରଶ୍ନ

୧୫.

ହିନ୍ଦୁଘରର ସ୍ତ୍ରୀ

୧୬.

ସ୍ମୃତିରେ ନାରୀ

୧୭.

ନାରୀସମାଜ ଓ ବର୍ଣ୍ଣ ବ୍ୟବସ୍ଥା

୧୮.

ନାରୀର ସ୍ଥାନ

୧୯.

ନାରୀପ୍ରତି ବ୍ୟବହାର

୨୦.

ଭାରତର ନାରୀସମାଜ ପ୍ରତି

୨୧.

ମଦ୍ୟପାନର ଅଭିଶାପ

୨୨.

ଯେଉଁମାନେ ନୂଆ ବାହା ହୋଇଚନ୍ତି

୨୩.

ଆତ୍ମସଂଯମ ବିଷୟରେ ଆହୁରି ପଦେ

୨୪.

ବିବାହିତ ଜୀବନରେ ବ୍ରହ୍ମଚର୍ଯ୍ୟ

୨୫.

ଏକ ନୀତିଗତ ଦ୍ୱନ୍ଦ୍ୱ

୨୬.

ବିବାହର ଆଦର୍ଶ

୨୭.

ଅଶ୍ଳୀଳ ବିଜ୍ଞାପନ

୨୮.

ଭ୍ରାନ୍ତ ନାରୀପୂଜା

୨୯.

ଆଧୁନିକ ଯୁଗର ବାଳିକା

୩୦.

ଜଣେ ଭଉଣୀର ପ୍ରଶ୍ନ ପୁଟୁଳୀ

୩୧.

ସେ ଅଭ୍ୟାସଟି ଛାଡ଼ିବାକୁ ପଡ଼ିଲା

୩୨.

କରୁଣାର ପ୍ରତିମୂର୍ତ୍ତି ହୁଅ

୩୩.

ବାଲ୍ୟବିବାହର କଳଙ୍କ

୩୪.

ବାଲ୍ୟବିବାହର ଶୋଚନୀୟ ପରିଣାମ

୩୫.

ବିଧବାର ଭରସା କାହିଁ ?

୩୬.

ବାଧ୍ୟ କରି ବିଧବା କରାଯାଉଛି

୩୭.

ଆଦର୍ଶ ସତୀ

୩୮.

ଆଦର୍ଶର ଅପବ୍ୟବହାର

୩୯.

ବିଧବା ବିବାହ

୪୦.

ରୁଦ୍ଧ ମନୁଷ୍ୟତ୍ୱ

୪୧.

ପିଲାକନ୍ୟା ଓ ବାଳୁତ ବିଧବା

୪୨.

ବାହାଘର ଉଠିଯାଉ !

୪୩.

ଖିଆଲୀ ଭାବନା

୪୪.

ଜଣେ ବାଳବିଧବାର କାହାଣୀ

୪୫.

ନାରୀକୁ ମୁକ୍ତି ଦିଅ

୪୬.

ସମାଜର ପତିତା ଭଗିନୀମାନେ

୪୭.

ଅଭାଗିନୀ ନାରୀ

୪୮.

ଭାରତର ନାରୀସମାଜ ପ୍ରତି

୪୯.

ନାରୀ କଣ କରିପାରିବ ?

୫୦.

ନାରୀହିଁ ସ୍ୱରାଜ୍ୟ ଆଣିବ

୫୧.

ନାରୀ ଓ ଚରଖା

୫୨.

ପଚସ୍ତରୀ ବର୍ଷର ଯୁବତୀ

୫୩.

ଜଣେ ଭଉଣୀର ଅସୁବିଧା

୫୪.

ନାରୀଜାତି ଓ ଅସ୍ପୃଶ୍ୟତା

୫୫.

ଘରକଣରୁ ବାହାରି ଆସ

୫୬.

ପର୍ଦ୍ଦାପ୍ରଥାର ଅଭିଶାପ

୫୭.

ବିହାରରେ ପର୍ଦ୍ଦାପ୍ରଥା

୫୮.

ତାମିଲ ଭଉଣୀମାନଙ୍କୁ ପଦେ

୫୯.

ଆଉରି ପଦେ

୬୦.

ସିଂହଳର ନାରୀ ସଭାରେ

୬୧.

ନାରୀର ସମ୍ମାନ

୬୨.

ବର୍ମାଦେଶର ନାରୀମାନଙ୍କୁ

୬୩.

ନାରୀମାନଙ୍କୁ ପଦେ ସହଜ କଥା

୬୪.

ପ୍ରଶ୍ନପେଡ଼ୀ

Image

 

କୌମୁଦୀର ତ୍ୟାଗ

 

ମୋର କର୍ମମୟ ଜୀବନ ଭିତରେ ଏପରି ଅନେକ ଘଟଣା ଘଟିଚି, ଯେଉଁଥିରୁ କି ମୁଁ ଅମୂଲ୍ୟ ଅଭିଜ୍ଞତାମାନ ଲାଭକରି ପାରିଚି । ଅନେକ ମର୍ମସ୍ପର୍ଶୀ ଦୃଶ୍ୟ ମୋର ମନକୁ ଅନେକବାର ବିଚଳିତ କରିଦେଇଚି, କିନ୍ତୁ ହରିଜନ କାର୍ଯ୍ୟପାଇଁ ଗସ୍ତ କରୁଥିବା ସମୟର ଗୋଟିଏ ଘଟଣାରେ ମୁଁ ବିଶେଷ ମୁଗ୍ଧ ହୋଇଯାଇଚି । ଥରେ ବଡ଼ଗଡ଼ାର ଗୋଟିଏ ସଭାରେ ମୁଁ ଭାଷଣ ଦେଉଥିଲି । ନିଜ ନିଜର ଗହଣା ହରିଜନ କାମକୁ ଦାନ କରିଦେବା ପାଇଁ ସ୍ତ୍ରୀଲୋକମାନଙ୍କୁ ମୁଁ ସେ ବକ୍ତୃତା ଦ୍ୱାରା ନିବେଦନ କରିଥିଲି । ଅନେକ ଗହଣା ଆସି ଜମା ହେଲା । ବକ୍ତବ୍ୟ ଶେଷ କରି ଗହଣାମାନ ସେଇଠି ବିକିବାକୁ ଯାଉଚି, ଏଇ ସମୟରେ କୌମୁଦୀ ବୋଲି ଗୋଟିଏ ଷୋଳବର୍ଷର ବାଳିକା ସଭାମଣ୍ଡପ ଉପରକୁ ଉଠି ଆସିଲା । ନିଜ ହାତରୁ ଖଡ଼ୁଟିଏ କାଢ଼ି ମୋର ଦସ୍ତଖତ୍‌ ମାଗିଲା । ମୁଁ ଦସ୍ତଖତ୍‌ ଦେବାକୁ ଯାଉଚି, ୟା’ରି ଭିତରେ ସେ ଆର ଖଡ଼ୁଟି କାଢ଼ି ମୋ ଆଗରେ ରଖିଦେଲା । ତା’ ହାତରେ ମୋଟେ ପଟେ ଲେଖାଏଁ ଖଡ଼ୁ ଥିଲା; ମୁଁ କହିଲି–‘‘ଦୁଇଟିଯାକ ଖଡ଼ୁ ଦେବାର ଦରକାର ନାହିଁ । ଆଚ୍ଛା, ଗୋଟିଏ ଖଡ଼ୁ ନେଇ ମୁଁ ଦସ୍ତଖତ୍‌ ଦେଉଚି ।’’

 

ମୋ କଥା ଶୁଣି ସେ ପୁଣି ବେକରୁ ସୁନାହାରଟି ବାହାର କରି ରଖିଦେଲା । ବେକରୁ ହାର ଓହ୍ଲାଇବା ବଡ଼ କଷ୍ଟକର ବ୍ୟାପାର–ତା’ ମୁଣ୍ଡର ଖୋସା ଡିଆଇଁ ହାରଟି ବାହାର କରିବାକୁ ନିଶ୍ଚୟ ପରିଶ୍ରମ ଲାଗନ୍ତା । କିନ୍ତୁ ଏତେ ବଡ଼ ସଭାଟା ଭିତରେ ହାରଟି ଓହ୍ଲାଇ ଦେବାପାଇଁ ସେଇ ମାଲାବାରୀ ବାଳିକା ଟିକିଏ ହେଲେ ଲାଜ କଲା ନାହିଁ । ତା’ ଭିତରେ କୌଣସି ପ୍ରକାର ବାହାରି ଭଦ୍ରତା ନ ଥିଲା । ସଭା ଗୋଟାକର ହଜାର ହଜାର ଲୋକେ ବିସ୍ମିତ ହୋଇ ଚାହିଁଥାନ୍ତି । ମୁଁ ପଚାରିଲି–‘‘ବାପା ବୋଉଙ୍କର ଅନୁମତି ନେଇଚ ତ ?’’ ସେ କିଛି ଜବାବ ଦେଲା ନାହିଁ । ତା’ର ଦାନ ସେତେବେଳେ ଯାଏ ସରି ନ ଥାଏ । କୌମୁଦୀ ଧୀରେ ଧୀରେ କାନରୁ କାନବଳାଟି କାଢ଼ି ମୋ ଆଗରେ ଥୋଇଦେଲା, ସଭାତମାମ ଆନନ୍ଦଧ୍ୱନିରେ କମ୍ପି ଯାଉଥାଏ । ମୁଁ ପୁଣି ପଚାରିଲି–‘‘ତୁମର ଏ ଦାନରେ ବାପା ବୋଉଙ୍କର ମତ ଅଛି ଟି ?’’ ବାଳିକାଟି ଲାଜରେ କୌଣସି ଉତ୍ତର ଦେଉ ନ ଥାଏ । ତା’ର ବାପା ମଧ୍ୟ ସଭାସ୍ଥଳରେ ଉପସ୍ଥିତ ଅଛନ୍ତି, ସଭାରେ ଥିବା ଜଣେ ଲୋକଠାରୁ ମୁଁ ଏଇକଥା ଜାଣି ପାରିଲି । ମୋର ଅଜ୍ଞାତରେ ତା’ର ବାପା ଗହଣା ନିଲାମ ଡାକିବାରେ ମୋତେ ସାହାଯ୍ୟ କରୁଥିଲେ । କୌଣସି ମହତ୍‌ କାର୍ଯ୍ୟ ସାଧନପାଇଁ ଝିଅ ଯେ ନିଜର ଗହଣା ଦେଇଦେବାକୁ ଯାଉଚି, ଏଥିରେ ସେ ପୂରାପୂରି ସମ୍ମତି ଦେଇଥିଲେ । କୌମୁଦୀକୁ ମୁଁ ପୁଣି ସତର୍କ କରାଇଦେଲି–‘‘ଦେଖ, ଗହଣାତକ ଦେଇଦେଲେ କିନ୍ତୁ ଆଉ ଗହଣା ପିନ୍ଧିବାକୁ ମିଳିବ ନାହିଁ-।’’ ସେ ସେକଥା ଶୁଣି ମଧ୍ୟ ଟିକିଏ ବିଚଳିତ ହେଲା ନାହିଁ । ଦସ୍ତଖତ୍‌ ଦେବା ସଙ୍ଗେ ସଙ୍ଗେ ସେଇଠି ତା’ ପାଇଁ ପଦେ ନ ଲେଖି ରହି ପାରିଲି ନାହିଁ–‘‘ମୋତେ ଦେଇଥିବା ତୋର ସବୁ ଅଳଙ୍କାରଠାରୁ ତୋର ତ୍ୟାଗର ମୂଲ୍ୟ ଯଥେଷ୍ଟ ବେଶୀ ।’’ କୌମୁଦୀ ଯେ ଜଣେ ସଚ୍ଚୋଟ ହରିଜନ ସେବିକାର ଆଦର୍ଶ ଦେଖାଇଲା, ତା’ର ତ୍ୟାଗ ପୃଥିବୀକୁ ସେଇ କଥା ଦେଖାଇ ଦେଉ ।

ହରିଜନ, ତା ୧୯.୧.୩୪

Image

 

କୌମୁଦୀ କେତେବଡ଼ ଆଦର୍ଶ ଦେଖାଇଲା

 

କୌମୁଦୀ ବୋଲି ଗୋଟିଏ ଷୋଳ ବରଷର ମାଲାବାରୀ ବାଳିକାର ତ୍ୟାଗ ବିଷୟରେ ଗାନ୍ଧିଜୀ ଲେଖିଚନ୍ତି । ଗାନ୍ଧିଜୀ ସେତେବେଳକୁ କାଲିକଟ୍‌ରେ ଥାନ୍ତି । ଠିକ୍‌ ଶେଷଦିନ କୌମୁଦୀ ତା’ର ପିତାଙ୍କ ସହିତ ଗାନ୍ଧିଜୀଙ୍କୁ ଦେଖିବାକୁ ଆସିଥିଲା । ଗାନ୍ଧିଜୀଙ୍କ ସଙ୍ଗରେ ମୁଁ ବଡ଼ଗଡ଼ା ଯାଇ ପାରି ନ ଥିଲି, ତେଣୁ ଏଇଠି କୌମୁଦୀ ସହିତ ମୋର ପ୍ରଥମେ ଦେଖା ହେଲା । ତା’ର କୌଣସି ରକମର ବଡ଼ପଣିଆ ବା ଗର୍ବ ପ୍ରକାଶ ପାଉ ନ ଥିଲା । କେବଳ ସେ ଚୁପ୍‌କରି ଠିଆ ହୋଇଥାଏ ଓ ଦରକାର ପଡ଼ିଲେ ଥିରି ଥିରି କରି କଥା କହୁଥାଏ । ସେ ଆଇ.ଏ. ପର୍ଯ୍ୟନ୍ତ ପଢ଼ିଥିଲା । ତେଣୁ ଗାନ୍ଧିଜୀଙ୍କ ସହିତ କଥାବାର୍ତ୍ତା କରିବାରେ ତା’ର କୌଣସି ଅସୁବିଧା ହେଲା ନାହିଁ । ତା’ର ତ୍ୟାଗ ବିଷୟରେ ଗାନ୍ଧିଜୀ ଆହୁରି ବେଶୀ ଶୁଣିବାକୁ ଚାହିଁଥିଲେ । ହରିଜନ କାମ ଉଦ୍ଦେଶ୍ୟରେ ନିଜର ଅଳଙ୍କାର ସବୁ ଉତ୍ସର୍ଗ କରିଦେବାକୁ ସେ ଆଗରୁ ଠିକ୍‌ କରିଥିଲା ନା ସଭାରେ ହଠାତ୍‌ ଏପରି ଗୋଟାଏ କଠିନ ନିଷ୍ପତ୍ତି କରି ପକାଇଲା–ଗାନ୍ଧିଜୀ ଏଇକଥା ପଚାରିଲେ ।

 

ତା’ର ବାପା ଉତ୍ତର ଦେଲେ–‘‘ଘରୁ ସେ ସବୁକଥା ଠିକ୍‌ କରି ଆସିଥିଲା । ଆମର ଏଥିରେ ପୂରାପୂରି ସମ୍ମତି ଅଛି ।’’

 

‘‘କିନ୍ତୁ ବୋଉ ଯେତେବେଳେ ଦେଖିବ ଯେ ତୋ ଦେହରେ ଗହଣାଗାଣ୍ଠି କିଛି ନାହିଁ, ତା’ର ମନରେ କ’ଣ କଷ୍ଟ ହେବ ନାହିଁ ?’’

 

କୌମୁଦୀ କହିଲା–‘‘ଅବଶ୍ୟ ତା’ ମନରେ କଷ୍ଟ ହେବ । କିନ୍ତୁ ମୁଁ ନିଶ୍ଚୟ କରି ଜାଣେ, ସେ ମତେ ଗହଣା ପିନ୍ଧିବାକୁ ଆଉ ବାଧ୍ୟ କରିବ ନାହିଁ ।’’

 

‘‘କିନ୍ତୁ ଦିନେ ତୁମର ବିବାହ ତ ହେବ; ତୁମ ଦେହରେ କୌଣସି ସୁନା ରୂପା ଅଳଙ୍କାର ନ ଦେଖିଲେ ସ୍ୱାମୀଙ୍କୁ କଣ ଭଲ ଲାଗିବ ? ସେତେବେଳେ ବେଳେ ତୁମେ କଣ କରିବ ? ମୋ’ ଆଗରେ ଏକ ନୀତିଗତ ବାଧା ଉପସ୍ଥିତ ହୋଇଚି । ତୁମର ଅଭୁତ ତ୍ୟାଗର ପ୍ରଶଂସା କରି ମୁଁ ହରିଜନରେ ଲେଖାଟିଏ ଲେଖିଚି । ତୁମେ ଯେ ଆଉ କେବେ ଗହଣା ଗାଣ୍ଠି ପିନ୍ଧିବ ନାହିଁ, ଏକଥା ମଧ୍ୟ ମୁଁ ଜଣାଇ ଦେଇଚି । କିନ୍ତୁ ତୁମେ ଯଦି ପ୍ରକୃତରେ ସେପରି ତ୍ୟାଗଲାଗି ପ୍ରସ୍ତୁତ ନ ହୋଇଥାଅ, ତେବେ ମୋତେ ପୁଣି ଲେଖାଟିର ସେ ଅଂଶଟିକୁ ବଦଳାଇ ଲେଖିବାକୁ ପଡ଼ିବ । ତା’ ନ ହେଲେ ତୁମର ଭାବୀ ସ୍ୱାମୀଙ୍କ ବିରୁଦ୍ଧରେ ମଧ୍ୟ ତୁମକୁ ନିଜର ଶପଥପ୍ରତି ଅଟଳ ରହିବାକୁ ପଡ଼ିବ । ତୁମେ ଜଣେ ମାଲାବାରୀ ବାଳିକା, ତୁମେ ପ୍ରତିଜ୍ଞା ରକ୍ଷା କରି ପାରିବ ବୋଲି ଅବଶ୍ୟ ମୁଁ ଆଶା କରୁଚି ବା ତୁମକୁ ଏପରି ଜଣେ ସ୍ୱାମୀ ବାଛିନେବାକୁ ପଡ଼ିବ, ତୁମେ ଅଳଙ୍କାର ନ ପିନ୍ଧିଲେ ମଧ୍ୟ ଯାହାଙ୍କର ମନରେ କଷ୍ଟ ହେବ ନାହିଁ । ତୁମ ମନରେ ଆସୁଚି, ମୋତେ ପରିଷ୍କାର କରି କହ-।’’

 

ଗାନ୍ଧିଜୀ କହିଯାଉଥାନ୍ତି, କୌମୁଦୀ ଧୀରଭାବରେ ସବୁ ଶୁଣାଯାଉଥାଏ । ତା’ ଆଗରେ ଗୋଟିଏ ବୃହତ୍‌ ମୀମାଂସାର ବେଳ ପହଞ୍ଚିଥିଲା । ତା’ର ନିଷ୍ପତ୍ତିର ଯଥେଷ୍ଟ ମହତ୍ତ୍ୱ ଥିଲା । ମନେ ମନେ ସେ କେତେବେଳେ ଯାଏ ଭାବୁଥାଏ । ଶେଷକୁ ଗୋଟିଏ ବାକ୍ୟରେ ଉତ୍ତର ଦେଲା–‘‘ମୁଁ ଏପରି ଜଣେ ସ୍ୱାମୀ ବାଛିବି, ଯେ କି ମୋତେ ଗହଣା ଲଗାଇବାକୁ ବାଧ୍ୟ କରିବେ ନାହିଁ ।’’

 

ଗାନ୍ଧିଜୀଙ୍କ ଆଖି ଆନନ୍ଦରେ ଢଳ ଢଳ ହୋଇଗଲା । ସେ କହିବାକୁ ଲାଗିଲେ–‘‘ମୁଁ ଅନ୍ନପୂର୍ଣ୍ଣାଙ୍କୁ ଜାଣିଥିଲି, ଯେ କି ବିବାହ ପରେ ମଧ୍ୟ କେବେ ହେଲେ ଅଳଙ୍କାର ପିନ୍ଧି ନ ଥିଲା । ମୃତ୍ୟୁ ପର୍ଯ୍ୟନ୍ତ ତା’ର ପ୍ରତିଜ୍ଞାରେ ସେ ଅବିଚଳିତ ରହିଥିଲା । ଆଜି ତୁମେ ମଧ୍ୟ ତା’ରି ତ୍ୟାଗର ପରିଚୟ ଦେଇଚ ।’’ ସେହି ଦିନଠାରୁ ଗାନ୍ଧିଜୀ ପ୍ରତ୍ୟେକ ନାରୀସଭାରେ କୌମୁଦୀର ମହାନ୍‌ ତ୍ୟାଗର ପ୍ରଶଂସା କରି ଆସିଚନ୍ତି ।

ହରିଜନ, ତା ୨୬.୧.୩୪

Image

 

ଆଉ ଗୋଟିଏ ମହାନ୍‌ ତ୍ୟାଗ

 

ତ୍ରିବିନ୍ଦ୍ରମରେ ଥିଲାବେଳେ ଅନେକ ଲୋକ ଗାନ୍ଧିଜୀଙ୍କର ଦର୍ଶନ ପାଇଁ ଆସୁଥିଲେ । ଥରେ ସତର ବର୍ଷର ବାଳିକାଟିଏ ଗାନ୍ଧିଜୀଙ୍କ ଆଗରେ ଆସି ଠିଆ ହେଲା । ତାକୁ ଦେଖି ଗାନ୍ଧିଜୀ ପଚାରିଲେ–‘‘ତୁମେ କିଏ ?’’

 

ସେ ଉତ୍ତର ଦେଲା–‘‘ମୁଁ ଗୋଟିଏ ଅଳ୍ପବୟସ୍କା ବାଳିକା ।’’

 

ବାଳିକାଟିର ଦେହରେ ଥିବା ସୁନାରୂପାର ଅଳଙ୍କାରକୁ ଲକ୍ଷ୍ୟକରି ଗାନ୍ଧିଜୀ ପଚାରିଲେ–‘‘ଛୋଟ ବାଳିକାର ଗହଣା ପିନ୍ଧି କି ଲାଭ ?’’

 

ମୀନାକ୍ଷୀ କହିଲା–‘‘ନ ହେଲେ ମୁଁ ବାଳିକାଟିଏ ହୋଇ ରହିବି କିପରି ?’’

 

‘‘ତେବେ ତୁମର ଆଦୌ ଅଳଙ୍କାର ଲଗାଇବା ଉଚିତ ନୁହେଁ ।’’ ତା’ପରେ କୌମୁଦୀର ଉଦାହରଣ ଦେଇ ଗାନ୍ଧିଜୀ କହିଲେ–‘‘କୌମୁଦୀକୁ ଷୋଳ ବରଷ, ତୁମେ ତା’ଠାରୁ ବରଷେ ବଡ଼ । ଦେଖ, ପିଲାଟିଏ ହୋଇ ମଧ୍ୟ ସେ କିପରି ତା’ର ସମସ୍ତ ଗହଣାଗଣ୍ଠି ଉତ୍ସର୍ଗ କରିଦେଲା ।’’

 

ମୀନାକ୍ଷୀର ଆଖି ଆଲୁଅରେ ପୂରି ଉଠିଲା ପରି ମନେ ହେଲା । ସେ କହିଲା, ‘‘ମୁଁ ବି ମୋର ସବୁ ଗହଣାଗଣ୍ଠି ଆପଣଙ୍କୁ ଦେଇଦେବି ।’’

 

‘‘ବାପା ବୋଉଙ୍କର ଅନୁମତି ନେଇଚ ?’’

‘‘ସେମାନଙ୍କର ସମ୍ମତି ନିଶ୍ଚୟ ମିଳିବ ।’’

 

‘‘ମୁଁ ଜାଣେ, ମାଲାବାରୀ ବାଳିକାମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତା ଅଛି ।’’

 

‘‘ଏ ଗହଣା ସବୁ କଣ ଆପଣଙ୍କୁ ଦେବାକୁ ପଡ଼ିବ ?’’

‘‘ହଁ, ହରିଜନମାନଙ୍କ ପାଇଁ ।’’

‘‘ମୋର ଇଚ୍ଛା ମଧ୍ୟ ସେଇଆ ।’’

 

‘‘ମୋତେ ଜଣେ ସଚ୍ଚା ହରିଜନ ବୋଲି ଭାବୁଥିଲେ ମୋ ହାତରେ ସବୁ ଗହଣାଗାଣ୍ଠି ଦେଇପାର । ମୁଁ ଗୋଟାଏ ଠକବୋଲି ଯଦି ତୁମର ସନ୍ଦେହ ହେଉଥାଏ, ତେବେ ମୋ ହାତରେ ନ ଦେବା ଭଲ ।’’ ସବୁଠାରେ ବାଳିକାମାନଙ୍କୁ ନିଜ ନିଜର ଅଳଙ୍କାର ନେବାକୁ ମୁଁ ନିବେଦନ କରି ଆସିଚି । ମୁଁ ଜାଣେ ନିଜର ଗହଣାଗାଣ୍ଠି ଦେବା କେଡ଼େ କଷ୍ଟ କଥା । ଆଜିକାଲିକା ସମାଜରେ କେତେ ରକମର ଫେସନ ଅଛି । କିନ୍ତୁ ମୋର ମତ–‘‘ଯେ କାମରେ ସୁନ୍ଦର, କେବଳ ସେଇ ଲୋକକୁ ସୁନ୍ଦର କୁହାଯାଇ ପାରିବ ।’’

 

‘‘ଯଦି ମୁଁ ନିଜକୁ ତୁମ ପାଖରେ ସମର୍ପି ଦିଏ ?’’

 

‘‘ବେଶ୍‌, ତୁମପରି ତୁମର କେତେ ଭଉଣୀ ଯେମିତି ଅଛନ୍ତି, ତୁମେ ମଧ୍ୟ ସେମିତି ରହିବ-।’’

 

‘‘ତାହାହେଲେ ସେହି କଥା ଠିକ୍‌ ହେଲା ।’’

‘‘ତଥାପି ମୁଁ ତୁମକୁ ରାତିଏ ସମୟ ଦେଉଚି, କାଲି ସକାଳେ ଭାବିକରି କହିବ ।’’

 

ତା’ ଆରଦିନ ମୀନାକ୍ଷୀ ଏକାବେଳେକେ ବଦଳି ଯାଇଥିଲା । ତାକୁ ଦେଖି ପ୍ରଥମେ ମୁଁ ଚିହ୍ନି ପାରିଲି ନାହିଁ । ସେ ନିଜ ଦେହରୁ ସବୁ ଅଳଙ୍କାରତକ ଓହ୍ଲାଇ ପକାଇଥିଲା । ପଚାରିଲି–

 

‘‘ତୁମର ଗହଣାସବୁ କଣ ହେଲା ?’’

‘‘ମୁଁ ସବୁ ଓହ୍ଲାଇ ପକାଇଲି ।’’

‘‘ଗାନ୍ଧିଜୀଙ୍କୁ ଦେଇଦେଲ ?’’

 

ସେ କହିଲା–‘‘ନା, ଗାନ୍ଧିଜୀଙ୍କୁ କିପରି ଦିଅନ୍ତି ? ବାପାଙ୍କର ଅନେକ କରଜ ଥିଲା, ତେଣୁ ମୁଁ ମୋର ଅଳଙ୍କାରତକ ଦାନକରି ପାରିଲି ନାହିଁ । କିନ୍ତୁ ସେ ସବୁ ଆଉ ପିନ୍ଧିବି ନାହିଁ ବୋଲି କାଲିଠାରୁ ଶପଥ କରିଚି ।’’

 

‘‘ବାପା ବୋଉ କଣ ତୁମର ଏଇ କଥାକୁ ପସନ୍ଦ କରୁଚନ୍ତି ?’’

‘‘ବାପା ରାଜି ହୋଇଚନ୍ତି; କିନ୍ତୁ ବୋଉ ସହଜରେ ଏ କଥା ବୁଝି ପାରୁ ନାହିଁ ।’’

 

କିଛିସମୟ ପରେ ବାପା ବୋଉଙ୍କୁ ସାଙ୍ଗରେ ନେଇ ମୀନାକ୍ଷୀ ଗାନ୍ଧିଜୀଙ୍କ ପାଖକୁ ଆସିଲା ଓ ହରିଜନ କାମପାଇଁ ସୁନାଚୁଡ଼ି ଓ ହାରଟିଏ ଦେଲା । ସେମାନଙ୍କର କରଜ ଥିବା କଥା ଗାନ୍ଧିଜୀ ଆଗରୁ ଜାଣିଥିଲେ । ସେ କହିଲେ–‘‘ତୁମର ଏସବୁ ଦେବା କିଛି ଦରକାର ନାହିଁ । ମୀନାକ୍ଷୀର ଗହଣା ଦ୍ୱାରା ଯେତେ ପାରୁଚ ଆଗ ନିଜର କରଜ ଶୁଝିଦିଅ । ସେ ତୁମକୁ ଆଉ କେବେହେଲେ ଗହଣାଲାଗି କହିବ ନାହିଁ ।’’

 

ମୀନାକ୍ଷୀର ଆଖିରୁ ଲୁହଧାର ବୋହିଯାଉଥାଏ । ତା’ର ଅନ୍ତରର ଭାବୋଚ୍ଛ୍ୱାସକୁ ସେ କଥାରେ ପ୍ରକାଶ କରିପାରୁ ନ ଥାଏ । ସାରା ଜୀବନ ପାଇଁ ସେ କେତେବଡ଼ ନିଷ୍ପତ୍ତିଟାଏ ନ କଲା-?

 

ତା’ପରେ ଗାନ୍ଧିଜୀ ମୀନାକ୍ଷୀର ବୋଉକୁ ପଚାରିଲେ–‘‘ତୁମର ଝିଅ ଏତେବଡ଼ ଗୌରବର କାମ କଲା, ତୁମେ ତାକୁ ଆଶୀର୍ବାଦ କରୁନାହଁ କାହିଁକି ?’’

 

ମୀନାକ୍ଷୀର ବୋଉ ଉତ୍ତର ଦେଲା–‘‘ଦିନେ ହେଲେ ତ ଝିଅଟିକୁ ବାହା ଦେବାକୁ ପଡ଼ିବ-? ଗହଣାଗାଣ୍ଠି ନ ନେଇ ମୀନାକ୍ଷୀକୁ ଗ୍ରହଣ କଲାଭଳି ପାତ୍ରଟିଏ କ’ଣ ସହଜରେ ମିଳିପାରିବ ?’’

 

ତାକୁ ବୋଧ ଦେଇ ଗାନ୍ଧିଜୀ କହିଲେ, ‘‘ସେଥିଲାଗି ତୁମେ କିଛି ଭାବନା କରନା । ଯେତେବେଳେ ମୀନାକ୍ଷୀର ବିବାହ ସମୟ ହୋଇଯିବ ସେତେବେଳେ ମୁଁ ଗୋଟିଏ କାହିଁକି, ପଚାଶ ଜଣ ପାତ୍ର ଠିକ୍‌ କରି ଦେବି । ତୁମର ମନୋମତ ପାତ୍ର ତୁମେ ବାଛିନେବ ।’’

 

ଏହାପରେ ମୀନାକ୍ଷୀ ବୋଉର ଆଶୀର୍ବାଦ ପାଇଲା । ସେ ଦିନର ସେ ଦୃଶ୍ୟଟି ସମସ୍ତଙ୍କର ମନକୁ ସ୍ପର୍ଶ କରିପାରିଥିଲା । ଜଗତର ବିଷମ ପରୀକ୍ଷା ଭିତରେ କେବଳ ଏଇପ୍ରକାର ମହାନ୍‌ ତ୍ୟାଗ ମଣିଷକୁ ବଞ୍ଚାଇ ରଖେ । କୌମୁଦୀ ଓ ମୀନାକ୍ଷୀର ଆଦର୍ଶ ସମସ୍ତଙ୍କୁ ବାଟ ଦେଖାଇ ନେଇଯାଉ । ଛୁଆଁ ଅଛୁଆଁ ପାପକୁ ଘୋଡ଼ାଇ ରଖିଥିବା ଅଜ୍ଞାନ ଅନ୍ଧାରକୁ ଦୂର କରି ଦେବାରେ ଏଇ ତ୍ୟାଗ ଲୋକମାନଙ୍କୁ ପ୍ରେରଣା ଦେଉଥାଉ ।

ହରିଜନ, ୨.୨.୩୪

Image

 

ଜଣେ ଆଦର୍ଶ ସେବିକା ଜୀବନ ଦେଲା

 

୧୯୨୧ ସାଲର କଥା । ବେଜଓ୍ୱାଡ଼ାରେ ଗୋଟିଏ ବିରାଟ ନାରୀସଭା ଡକାହୋଇଥାଏ । ମୁଁ ଦେଖୁଥାଏ ଗୋଟିଏ ବାଳିକା ସଭାର ଦାୟିତ୍ୱ ନେଇ ବିଧିମତ ଶୃଙ୍ଖଳା ରକ୍ଷା କରୁଥାଏ । ସେ ଚାଲିଗଲା ବେଳେ ଯେପରି ତା’ର ଅଦ୍ଭୁତ ଶକ୍ତି ଓ ଅଟଳ ବିଶ୍ୱାସର ପରିଚୟ ମିଳୁଥାଏ । ସଭାଭିତରେ ଏକା ସେଇ ଖଦଡ଼ ପିନ୍ଧିଥାଏ । ମୋର ଯେତେଦୂର ମନେପଡ଼ୁଛି, ବୋଧହୁଏ ସେଇ ବାଳିକାଟି ପହିଲେ ଚୂଡ଼ି ଓ ସୁନାହାର ଆଦି ନିଜର ମୂଲ୍ୟବାନ ଅଳଙ୍କାର ତକ ମୋ ହାତରେ ସମର୍ପି ଦେଇଥିଲା । ମୁଁ ପଚାରିଲି–‘‘ବାପାବୋଉଙ୍କର ମତ ନେଇଚ ତ ?’’ ସେ କହିଲା–‘‘ବାପାବୋଉ ମୋର କୌଣସି କଥାରେ ବାଧା ଦେବେ ନାହିଁ । ମୋର ଯାହା ଇଚ୍ଛା ତାହା କରିବାର ସ୍ୱାଧୀନତା ସେମାନେ ମୋତେ ଦେଇଛନ୍ତି ।’’ ଅନ୍ନପୂର୍ଣ୍ଣା ଦେବୀ ବେଶ୍‌ ଇଂରେଜୀ କହୁଥାନ୍ତି । ସେ କଲିକତାର ବେଥୁନ୍‌ କଲେଜରୁ ପାସ୍‌ କରିଥିଲେ । ସେ ସଭା ଭିତରକୁ ପଶିଯାଇ ସ୍ତ୍ରୀଲୋକମାନଙ୍କଠାରୁ ଗହଣା ଓ ଟଙ୍କା ସଂଗ୍ରହ କରି ଆଣି ଦେଇଥିଲେ । ସେହିଦିନଠାରୁ ସେ ସବୁବେଳେ ହରିଜନ ଆନ୍ଦୋଳନର ସମ୍ପର୍କରେ ରହି ଆସିଛନ୍ତି । ଏକ କଥାରେ କହିଲେ–ସେଥିଲାଗି ନିଜର ଜୀବନ ଉତ୍ସର୍ଗ କରିଦେଇଚନ୍ତି । କୋକୋନାଡ଼ାରେ ସେ ସ୍ୱୟଂ-ସେବିକାମାନଙ୍କର ପରିଚାଳନା କରିଥିଲେ । ସମସ୍ତେ ସେଠି ତାଙ୍କ କାମର ଭୁରି ଭୁରି ପ୍ରଶଂସା କରୁଥାନ୍ତି । କିନ୍ତୁ ଅତି ଦୁର୍ଭାଗ୍ୟର କଥା, ଆଜିଯାଏ ମଧ୍ୟ କେତେବେଳେ ହେଲେ ତାଙ୍କର ସ୍ୱାସ୍ଥ୍ୟ ଖୁବ୍‌ ଭଲ ରହୁନଥିଲା । ଶ୍ରୀଯୁକ୍ତ ମଗୁନ୍ତି ବାପି ନୀଡ଼ୁ, ବି.ଏସ୍‌.ସି.ଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ତାଙ୍କର ମୃତ୍ୟୁର କିଛିଦିନ ଉତ୍ତାରେ କୋୟମ୍ବାଟୋର୍‌ରେ ହଠାତ୍‌ ଗୋଟିଏ ତା’ର ଖବର ପାଇଲି ଯେ, ସେ ଆଉ ଏ ଇହଲୋକରେ ନାହାନ୍ତି । ଆଜି ଶ୍ରୀଯୁକ୍ତ ନୀଡ଼ୁଙ୍କ ଠାରୁ ଖଣ୍ଡିଏ ଚିଠି ପାଇଲି, ସେହି ଚିଠିର କେତେ ଅଂଶ ତଳେ ଦେଉଚି :–

 

‘‘ଶେଷରେ ସେଇ ଅନ୍ତିମ ଆଘାତ ଆସି ପହଞ୍ଚିଲା । ଆପଣଙ୍କର ଜଣେ ଆଦରର ସେବିକା ଓ ମୋର ପତ୍ନୀ ଅନ୍ନପୂର୍ଣ୍ଣାର ବିୟୋଗ ଖବର ଲେଖି ମୋତେ ଯେ ଆପଣଙ୍କ ପାଖକୁ ମୋର ପ୍ରଥମ ଚିଠି ଲେଖିବାକୁ ପଡ଼ିଲା, ଏହା ନିଶ୍ଚୟ ମୋର ଦୁର୍ଭାଗ୍ୟ । ଆପଣ ମାନ୍ଦ୍ରାଜରେ ଥିଲାବେଳେ ଆମେ ଶ୍ରୀଯୁକ୍ତ ଶ୍ରୀନିବାସ ଆୟଙ୍ଗର୍‌ଙ୍କ ଘରେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଯାଇଥିଲୁଁ-। ତା’ର ସ୍ୱାସ୍ଥ୍ୟ ସମ୍ବନ୍ଧେ ଆପଣଙ୍କୁ ସବୁବେଳେ ସବୁ ଖବର ଜଣାଇବାକୁ ଓ ଅହମଦାବାଦ ପଠାଇ ତା’ର ଚିକିତ୍ସା କରାଇବାକୁ ଆପଣ ମୋତେ କହିଥିଲେ ବୋଲି ମୋର ସ୍ପଷ୍ଟ ମନେ ଅଛି । କିନ୍ତୁ ତା’ର ସ୍ୱାସ୍ଥ୍ୟ ନେଇ ଆପଣଙ୍କୁ ବିଚଳିତ କରିବା ମୁଁ ଉଚିତ ମନେ କରି ନ ଥିଲି । ମନ ଦେଇ ତା’ର ସେବା ଶୁଶ୍ରୁଷା କରିବାକୁ ଆପଣ ମୋତେ ଉପଦେଶ ଦେଇଥିଲେ; ମନରେ ଦମ୍ଭ ବାନ୍ଧି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବାକୁ ତାକୁ ମଧ୍ୟ କହିଥିଲେ–ଆମେ ଆପଣଙ୍କର ଉପଦେଶ ଅନୁସାରେ ଶେଷ ଯାଏ କାମ କରି ଆସିଥିଲୁଁ । ମଣିଷ ହିସାବରେ ମୋର ଯାହା ସାମର୍ଥ୍ୟ ଥିଲା, ମୁଁ କଲି, କିନ୍ତୁ ସବୁ ସିନା ବୃଥା ହୋଇଗଲା ।

 

‘‘ଆପଣଙ୍କର ଅସହଯୋଗ ଆନ୍ଦୋଳନ ଯଜ୍ଞରେ ଯଥାର୍ଥରେ ସେ ନିଜର ପ୍ରାଣବଳି ଦେଇଗଲା । ଦେଶପାଇଁ ସେ ସର୍ବସ୍ୱ ଉତ୍ସର୍ଗ କରିଦେଇଥିଲା । ତା’ର ସବୁ ଗହଣା, ଏପରି କି ମୁଁ ଉପହାର ଦେଇଥିବା ବାହାଘର ମୁଦିଟି, ବିବାହ ବେଳର ଯୌତୁକ, ଭଲ ଦାମିକା ପୋଷାକ, ସବୁ ଦେଶ ଲାଗି ସମର୍ପିତ ହୋଇଥିଲା । ଦେଶ ଲାଗି ସେ ସବୁପ୍ରକାର ବିଳାସ, ତା’ର ସାହିତ୍ୟଚର୍ଚ୍ଚା, ତା’ର ସ୍ୱାସ୍ଥ୍ୟ ଏବଂ ଶେଷରେ ଜୀବନ ମଧ୍ୟ ଆହୂତି କରିଦେଲା । ‘‘ଆପଣଙ୍କ ଉପରେ ତା’ର ଅତୁଟ ବିଶ୍ୱାସ ଥିଲା, ସେଥିଲାଗି ସେ ଆପଣଙ୍କର ‘ସ୍ୱାସ୍ଥ୍ୟବନ୍ଧୁ’ର ନିୟମଗୁଡ଼ିକ ଅନ୍ଧପରି ମାନି ଚଳୁଥିଲା । ଆପଣ ସୁପାରିଶ କରିଥିବା ଫଳାହାର କରି ଛଅ ମାସ କାଳ ନିଷ୍ଠାରେ ସେ କଟାଇଦେଲା । ଏଇ ହେତୁରୁ ତା’ର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଲା, ଆଉ ସେ ପୂର୍ବସ୍ୱାସ୍ଥ୍ୟ ଫେରିପାଇଲା ନାହିଁ ।

 

‘‘ମହାତ୍ମାଜୀ, ମୁଁ ଏଡ଼େ ଚଣ୍ଡାଳ ନୁହେଁ ଯେ ଆପଣଙ୍କୁ ତା’ର ମୃତ୍ୟୁପାଇଁ ଦୋଷୀ କରିବି, ମୁଁ କେବଳ ସତକଥାଗୁଡ଼ିକ କହିଯାଉଚି । ଅସହଯୋଗ ଆନ୍ଦୋଳନରେ ପ୍ରଚାର କାମ କରୁଥିବାବେଳେ ସେ ନିଜର ସ୍ୱାସ୍ଥ୍ୟ ପ୍ରତି ମୋଟେ ଯତ୍ନ ନେଲାନାହିଁ । ନିଜର ଦେହପ୍ରତି କରିଥିବା ଅନ୍ୟାୟ ହେଜ କଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା, ଏବଂ ଶେଷରେ ଜୀବନଟି ଦେବାକୁ ପଡ଼ିଲା । ଆପଣ ଗୋଟିଏ ଚିଠିରେ ତା ପାଖକୁ ଥରେ ଲେଖିଥିଲେ–‘ତୁମେ ଯେ ପ୍ରାଣମନ ଲଗାଇ ଖଦଡ଼ କାମ କରିବ, ଏ କଥା ମୁଁ ଜାଣିଥିଲି ।’ ମୁଁ ଆମେରିକାରୁ ଦେଶକୁ ସେତେବେଳେ ଫେରି ଆସିଲି, ସେତେବେଳେ ମୋର ଗୋଡ଼ତଳେ ପଡ଼ି ସେ ମୋତେ ଖଦଡ଼ ପିନ୍ଧିବାକୁ ମିନତି କଲା । ମୋତେ ସେହିଦିନଠାରୁ ବାଧ୍ୟ ହୋଇ ସୁଟ୍‌, କାମିଜ୍‌, ପ୍ୟାଣ୍ଟ ପ୍ରଭୃତି ସବୁ ବିଦେଶୀ ପୋଷାକ ବର୍ଜନ କରିବାକୁ ପଡ଼ିଲା । ଏଲୋରରେ ଥିବା ତାଙ୍କ ଘରେ ସେସବୁ ପୋଷାକ ସାଇତି ରଖିବାକୁ ମଧ୍ୟ ସେ ମୋତେ ମନା କଲା । ମୁଁ ଆମେରିକାରେ ଥିଲାବେଳେ ବିଦେଶୀ ଲୁଗା ବର୍ଜନ କରି ଜୀବନସାରା ଖଦଡ଼ ପିନ୍ଧିବାର ଶପଥ କରିଥିବା କଥା ସେ ମୋ’ପାଖକୁ ଲେଖିଥିଲା । ତା’ର ଶପଥରେ ସେ ଶେଷପର୍ଯ୍ୟନ୍ତ ଅଟଳ ରହିଲା । ଶପଥଟିର ଅନ୍ୟ ଅଂଶଟିର ରକ୍ଷା କରିବାର ଭାର ବର୍ତ୍ତମାନ ମୋ ଉପରେ । ସ୍ୱାସ୍ଥ୍ୟ ନଷ୍ଟ ହୋଇ ସେ କେବଳ ହାଡ଼ଚମସାର ହୋଇଗଲା । ମୋଟା ଖଦଡ଼ ଶାଢ଼ୀ ପିନ୍ଧି ଦେହସାରା ବଥ ବାହାରିଲା, ତଥାପି ସେ ଖଦଡ଼ ଛାଡ଼ିଲା ନାହିଁ । ତାର ସୌଭାଗ୍ୟବଳରୁ ଶେଷରେ ଖଦଡ଼ ଶାଢ଼ୀ ଥାଇ ତାର ଶବ-ଦାହ କରାଯାଇଥିଲା (ଆମ ଜାତିରେ ଶବଦାହ କରିବାର ପ୍ରଥା ରହିଚି) । ବୋଧହୁଏ ପର ଲୋକରେ ମଧ୍ୟ ଖଦଡ଼ ପ୍ରବର୍ତ୍ତନ କରିବା ତା’ର ଏକାନ୍ତ ଇଚ୍ଛା ଥିଲା ।

 

ମୁଁ ଆମେରିକା ଗଲାବେଳେ ସେ କହିଥିଲା–‘‘ମୋତେ ପଛକେ ଭୁଲିଯିବ, କିନ୍ତୁ ଜନ୍ମଭୂମିକୁ ଯେପରି ଭୁଲି ନ ଯାଅ ।’’ ଥରେ ସେ ମୋତେ କହିଥିଲା ଯେ ସ୍ୱାମୀର ସେବା ପାଇଁ ନୁହେଁ, କେବଳ ଦେଶର ସେବା କରିବାପାଇଁ ସେ ରୋଗମୁକ୍ତ ହେବାକୁ ଚାହୁଁଥିଲା । ଆମେ ସମସ୍ତେ ତା’ର ବଞ୍ଚିବାର ଆଶା ଛାଡ଼ି ଦେଇଥିଲୁ, କିନ୍ତୁ କେବଳ ଏଇ ବ୍ୟାକୁଳ ଅଭିଳାଷ ତାକୁ ମାସ ମାସ ବଞ୍ଚାଇ ରଖିଥିଲା । ଶେଷ ପର୍ଯ୍ୟନ୍ତ ତା’ମନରେ ଆଶା ପୂରି ରହିଥିଲା, ଇଞ୍ଜେକ୍ସନ୍‌ ନେଲାପରେ ଯେତେବେଳେ ତାର ଚେତା ଆସିଲା, ସେତେବେଳେ ମଧ୍ୟ ଡାକ୍ତରଙ୍କୁ କହିଲା ଯେ ସେ ନିଶ୍ଚୟ ଭଲ ହୋଇଯିବ, କେଭେଁ ମରିବ ନାହିଁ । କିନ୍ତୁ ଶେଷରେ ଦିନେ ମରିବାକୁ ସେ ଏତେ ଦିନ ବଞ୍ଚି ରହିଥିଲା ଓ ଦେଶପାଇଁ ଅମର ହୋଇ ରହିବାକୁ ମୃତ୍ୟୁ ବରଣ କଲା ।

 

‘ନାରୀଜାତି ବିଷୟରେ ଲେଖିଥିବା’ ତାର କେତେକ ଲେଖା ଓ ବଙ୍ଗଳାରୁ ଅନୁବାଦ କରିଥିବା ରାମକୃଷ୍ଣଙ୍କର ଉପଦେଶାବଳୀ ଓ ତାର ଚିଠିଗୁଡ଼ିକର ପାଣ୍ଡୁଲିପିକୁ ଆମେ ବହି ଆକାରରେ ବାହାର କରିବାର ଠିକ୍‌ କରିଚୁ ।

 

‘‘ଆମର ଏକମାତ୍ର କନ୍ୟାଟି ବର୍ତ୍ତମାନ ଆମର ସବୁ ସାନ୍ତ୍ୱନା ଓ ଆଶାର ଆଶ୍ରୟ ହୋଇଛି । ଝାନ୍‌ସୀର ଲକ୍ଷ୍ମୀବାଈଙ୍କର ନାମ ଅନୁସାରେ ତା’ର ନାଁ ‘ଝାନ୍‌ସୀ’ ରଖାଯାଇଚି । ସେ ଭାବିଥିଲା ଯେ ସେ ଆସି ପହଞ୍ଚିଲେ ତା’ର ବୋଉର ଦେହ ଭଲ ହୋଇଯିବ । କିନ୍ତୁ ଓଲଟି ସେଇଦିନଠାରୁ ଅନ୍ନପୂର୍ଣ୍ଣାର ସ୍ୱାସ୍ଥ୍ୟ ହଠାତ୍‌ ବେଶୀ ଖରାପ ହୋଇଗଲା ଓ ଶେଷରେ ତା’ର ମୃତ୍ୟୁ ହେଲା ।

 

‘‘ଆପଣଙ୍କର ଏଡ଼େ ବିଶ୍ୱାସୀ ଶିଷ୍ୟା ଆପଣଙ୍କୁ ଛାଡ଼ି ଚାଲିଗଲା । ମୁଁ ମଧ୍ୟ ମୋର ଆଦର୍ଶ ସହଧର୍ମିଣୀକୁ ହରାଇ ବସିଲି । ମୋର ଅର୍ଦ୍ଧାଙ୍ଗିନୀ ଆଜି ମୋତେ ହତାଶ, ବିକଳ, ନିସ୍ପୃହ କରିଦେଇ ଯାଇଚି । ସେ ଖାଲିକରି ଯାଇଥିବା ଜାଗା କେବେହେଲେ ପୂର୍ଣ୍ଣ ହୋଇପାରିବ ନାହିଁ ।’’

 

ଏକଥା ସତ ଯେ, ଅନ୍ନପୂର୍ଣ୍ଣାଙ୍କୁ ହରାଇ କେବଳ ଜଣେ ନିତ୍ୟବ୍ରତା ଶିଷ୍ୟାଠାରୁ ମୁଁ ଆହୁରି ଅନେକ କିଛି ହରାଇଚି । ସାରା ଭାରତବର୍ଷ ଭିତରୁ ଭାଗ୍ୟବଳରେ ମୁଁ ଯେତୋଟି ଝିଅ ପାଇଥିଲି, ତା’ରି ଭିତରୁ ଗୋଟିଏ ଝିଅ ମୋତେ ଛାଡ଼ି ଚାଲିଯାଇଛନ୍ତି ଏବଂ ସମସ୍ତଙ୍କ ଭିତରେ ସେ ସବୁଠାରୁ ବେଶୀ ଆଦରର ଝିଅ ଥିଲେ । ନିଜର ବିଶ୍ୱାସରେ ସେ କେବେହେଲେ ଏପାଖ ସେପାଖ ହୋଇନାହାନ୍ତି । କୌଣସି ପ୍ରଶଂସା ବା ପୁରସ୍କାରର ପ୍ରତ୍ୟାଶା ନ ରଖି ସେ କେବଳ କର୍ତ୍ତବ୍ୟ କରି ଯାଇଛନ୍ତି । ମୋର ଇଚ୍ଛା, ଆହୁରି ଅନେକ ପତ୍ନୀ ପବିତ୍ରତା ଓ ଐକାନ୍ତିକ ନିଷ୍ଠାବଳରେ ନିଜନିଜର ସ୍ୱାମୀ ଉପରେ ଅନ୍ନପୂର୍ଣ୍ଣାପରି ପ୍ରଭାବ ପକାଇବେ । ଦେଶ ସେବାରେ ରତ ରହି ଅନ୍ନପୂର୍ଣ୍ଣା ଦେବୀ ନିଜର ଶକ୍ତି ଓ ଶରୀର କ୍ଷୟ କରିଚନ୍ତି; ତାଙ୍କ ସ୍ୱାମୀଙ୍କର ମୋ ଉପରେ ଏଇ ମଧୁର ଦୋଷାରୋପ ମୋତେ ଖୁବ୍‌ ଭଲ ଲାଗିଲା । ଏଇ ସାଧ୍ୱୀଙ୍କ ପରି ଆହୁରି ଅନେକ ନାରୀ ଯେ ଭାରତବର୍ଷକୁ ପୁଣି ଥରେ ସେଇ ପୁରାଣଯୁଗପରି ଶୁଦ୍ଧ ଓ ସ୍ୱତନ୍ତ୍ର କରିବା କାର୍ଯ୍ୟରେ ନିଜର ଜୀବନ ବଳି ଦେବେ, ଏଥିରେ ମୋର ତିଳେ ହେଲେ ସନ୍ଦେହ ନାହିଁ ।

ୟଙ୍ଗ୍‌ ଇଣ୍ଡିଆ, ୨୭.୧୦.୨୭

Image

 

ହୀରାନୀଳା ଓ ନାରୀସମାଜ

 

ତାମିଲନାଡ଼ୁର ଜଣେ ମହିଳା ଡାକ୍ତର ନିଜର କେତେକ ଅଳଙ୍କାର ସଙ୍ଗରେ ଖଣ୍ଡିଏ ଚିଠି ପଠାଇଚନ୍ତି । ମୋ ମତରେ ଚିଠିଟି ଦ୍ୱାରା ତାଙ୍କର ଦାନର ମୂଲ୍ୟ ଯଥେଷ୍ଟ ବଢ଼ିଯାଇଚି ଏବଂ ତାହା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ହୋଇ ରହିବ । ସେଥିଲାଗି ରାଜା, ଦାତ୍ରୀ ଓ ସ୍ଥାନର ନାମ ଉଲ୍ଲେଖ ନ କରି ମୁଁ ଏଠି ସଂକ୍ଷେପରେ ଚିଠିର ବିଷୟବସ୍ତୁଟି ଲେଖିବାକୁ ଯାଉଚି ।

 

‘‘କାଲି ଆପଣଙ୍କ ପାଖକୁ ଗୋଟିଏ ହୀରାମୁଦି ଓ ହଳେ କାନବଳାର ପାର୍ସଲଟିଏ ପଠାଇଚି । ବାରବର୍ଷ ତଳେ ରାଜାଙ୍କର ପୁଅ ହେବା ବେଳେ, ମୋର ଏଠାକାର କାମର ସ୍ମାରକରୂପେ ମୋତେ ସେଇ ଜିନିଷତକ ପୁରସ୍କାର ମିଳିଥିଲା । ମୁଁ ତାପରେ ଶୁଣିଲି ଯେ, ଆପଣ ଏଇ ସହର ଦେଇ ଗଲାବେଳେ ରାଜା ସରକାରଙ୍କ ଭୟରେ ଆପଣଙ୍କୁ ସାହସ କରି ନିଜ ଘରକୁ ନିମନ୍ତ୍ରଣ କରି ଆଣିପାରିଲେ ନାହିଁ । ଏକଥା ଶୁଣି ମନରେ ବଡ଼ କଷ୍ଟ ହେଲା । ଆପଣ ଏଠାରୁ ଯିବାପରେ ଦେହର ଏଇ ଗହଣାଗୁଡ଼ିକୁ ଦେଖି ମୋର ମନ ଯେ କଣ ହୋଇଥିବ, ଆପଣ ନିଶ୍ଚୟ ଅନୁମାନ କରି ପାରୁଥିବେ । ସେ ଅଳଙ୍କାରଗୁଡ଼ିକ ଉପରେ ଆଖି ପଡ଼ିଲା ମାତ୍ରକେ ମୋର ଅନ୍ତର ଘୃଣାରେ ଜଳିଉଠିଲା । ତା’ପର ଦେଶର କୋଟିକୋଟି ଉପାସୀ ଭୋକୀଙ୍କ ପାଇଁ ହୃଦୟ ନଇଁପଡ଼ିଲା । ଆପଣ ଏଠିକା ସଭାରେ ସେଇମାନଙ୍କ ବିଷୟରେ ବକ୍ତୃତା ଦେଇଥିଲେ । ମନେ ମନେ ଭାବିଲି ‘‘ଲୋକଙ୍କ ଧନରେ କଣ ଏ ଅଳଙ୍କାର ଗଢ଼ା ହୋଇନାହିଁ ? ତେବେ ମୋର ଏସବୁ ନିଜର କରି ସାଇତି ରଖିବାର କି ଅଧିକାର ଅଛି ?’’ ତା’ପରେ ସବୁ ଗହଣା ଆପଣଙ୍କ ହାତରେ ସମର୍ପଣ କରିଦେବା ମନସ୍ଥ କଲି । ଆପଣ ତାକୁ ଖଦୀ କାମରେ ଲଗାଇ ଦେଶର କେତେଜଣ ଉପାସୀଙ୍କର ଅଭାବ ମେଣ୍ଟାଇପାରିବେ ବୋଲି ଆଶା କରୁଚି । ମୁଁ ଭାବୁଚି ପେଡ଼ିରେ ସାଇତା ହୋଇ ରହିବା ଅପେକ୍ଷା ଏହାଦ୍ୱାରା ତା’ର ବେଶୀ ସଦ୍‌ବ୍ୟବହାର ହୋଇପାରିବ । ସେତକ ଜିନିଷର ଦାମ୍‌ ଟ୫୦୦/ - ହେବ ବୋଲି ଜଣେ ବନ୍ଧୁ କହୁଥିଲେ । ଅବଶ୍ୟ ସେଇ ମୂଲ୍ୟରେ ଜିନିଷତକ ବୀମା ହୋଇଥିଲା । ମୁଁ ଖାଲି ଏତିକି ଆଶା କରୁଚି ଯେ କେହି ବଦାନ୍ୟ ବ୍ୟକ୍ତି ଏ ଜିନିଷତକର ଇତିହାସ ଜାଣିଲେ ହୁଏତ ଉଚିତ ଦାମଠାରୁ ବେଶୀ ମୂଲ୍ୟ ଦେଇ ସେତକ କିଣିବେ । ଏ ଚିଠିଟିକୁ ଆପଣ ଯେପରି ଇଚ୍ଛା ସେପରି କାମରେ ଲଗାଇପାରନ୍ତି ।’’

 

କୌଣସି କାରଣ ନଥାଇ ଆମେ କିପରି ଭୟର କଳ୍ପନା କରିବସୁ ଏଇଟି ହେଉଚି ଲକ୍ଷ୍ୟ କରିବାର ବିଷୟ । ଅନେକ ରାଜା ଖୋଲାଖୋଲି ସ୍ୱେଚ୍ଛାନୁସାରେ ଖଦୀର ପୃଷ୍ଠପୋଷକତା କରିଚନ୍ତି । ପତ୍ରପ୍ରେରିକାଙ୍କର ଭାଷାରେ ଯେଉଁମାନଙ୍କଠାରୁ ଧନ ଆଣି ସେମାନେ ନିଜର ଐଶ୍ୱର୍ଯ୍ୟ ବଢ଼ାଇଚନ୍ତି, ସେଇ ଦରିଦ୍ର ଜନସାଧାରଣଙ୍କର ସେବାରେ ସେମାନେ ସାହାଯ୍ୟ କରିଚନ୍ତି । ଅବଶ୍ୟ ରାଜନୈତିକ ଦୃଷ୍ଟିରୁ ଖଦୀର ଯଥେଷ୍ଟ ଗୁରୁତ୍ୱ ଅଛି । କିନ୍ତୁ ତା ବୋଲି ଖଦୀ କାମକୁ ଯେ ସରକାର ଦୋଷାବହ ବୋଲି ଘୋଷଣା କରିବେ, ଏପରି ଅବସ୍ଥାରେ ଆମେ ପହଞ୍ଚି ନାହୁଁ । ପ୍ରତ୍ୟେକ ପ୍ରକାରର ଦେଶହିତୈଷୀ କାର୍ଯ୍ୟକୁ ରାଜନୀତି କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ, କିନ୍ତୁ ସେଇ କାରଣରୁ ଆମେ ଯଦି ତା’ର ଦେଶକଲ୍ୟାଣ ଦିଗଟିକୁ ମଧ୍ୟ ବର୍ଜନ କରିଦେବା, ତେବେ ଆମେ ମସ୍ତ ଭୁଲ କରିବା । ଅବଶ୍ୟ ଏଠାରେ ଗୋଟିଏ କଥା କହିଦେବା ଭଲ ଯେ, ମହିଳାଡାକ୍ତର ଉଲ୍ଲେଖ କରିଥିବା ରାଜାଙ୍କ ପରି ଏ ଦେଶର ଆହୁରି କେତେ ରାଜା ଅଛନ୍ତି, ଯେଉଁମାନେ ବି ଖଦୀ କାର୍ଯ୍ୟକୁ ସମର୍ଥନ କରିବାକୁ ଓ ମୋ ପରି ଜଣେ ସାଧାରଣ ସେବକକୁ ମାମୁଲି ଭଦ୍ରତା ଦେଖାଇବାକୁ ମଧ୍ୟ ଭୟ କରନ୍ତି । ଭଲ ହୋଇଚି, ରାଜା ମୋତେ ବର୍ଜନ କରିଥିବା ଫଳରେ ମୁଁ ଏତକ ଦାନ ପାଇ ପାରିଚି । କିନ୍ତୁ ଯେଉଁ ଭଉଣୀମାନେ ଉକ୍ତ ଚିଠିଟି ପଢ଼ିବେ, ସେମାନଙ୍କର ଭଲକରି ବୁଝି ରଖିବା ଉଚିତ ଯେ, ଏହି ମହିଳା ଡାକ୍ତରଙ୍କର ଅନୁକରଣ କରି, କୋଟି କୋଟି ଉପାସୀ ଭୋକୀ ଲୋକଙ୍କ ପ୍ରତି ନିଜର ଗୁରୁକର୍ତ୍ତବ୍ୟ ବିଷୟରେ ଚେତାଇ ଦେବାକୁ ସେମାନେ ଅନୁକୂଳ ଘଟଣା ପାଇଁ ଅପେକ୍ଷା କରି ବସିବେ ନାହିଁ । କାମର ଅଭାବରୁ ଦେଶର କୋଟି କୋଟି ନରନାରୀ ଯେ ପର୍ଯ୍ୟନ୍ତ ଖାଇବାକୁ ନ ପାଇ ଖାଲି ପେଟରେ ରହିବାକୁ ବାଧ୍ୟ ହେଉଛନ୍ତି, ସେ ପର୍ଯ୍ୟନ୍ତ ଦେଶର ଭଉଣୀମାନଙ୍କର ମୂଲ୍ୟବାନ ଅଳଙ୍କାରମାନ ଅଙ୍ଗଭୂଷଣ କରି ପିନ୍ଧିବାର ବା ସେସବୁ ମନର ସନ୍ତୋଷପାଇଁ ପେଡ଼ିରେ ସାଇତି ରଖିଥିବାର କୌଣସି ଅଧିକାର ନାହିଁ, ଏକଥା ସମସ୍ତେ ସହଜରେ ବୁଝିପାରିବେ । ଭାରତବର୍ଷର ଧନୀଘରର ସ୍ତ୍ରୀମାନେ ସବୁପ୍ରକାର ଅଯଥା ଆଭରଣ ଛାଡ଼ିଦେଇ କେବଳ ଯଦି ଖଦୀ ଆଭରଣ ଦ୍ୱାରା ନିଜର ଶରୀର ମଣ୍ଡନ କରନ୍ତି, ତେବେ ଖଦୀ ଆନ୍ଦୋଳନ ଲାଗି ଆବଶ୍ୟକ ପଡ଼ୁଥିବା ସବୁ ଟଙ୍କା ଯେ ଆମକୁ ମିଳିଯିବ, ଏକଥା ମୁଁ ଆଗରୁ କହିଚି । ଭାରତର ଧନୀଘରର ସ୍ତ୍ରୀମାନଙ୍କର ଏଇ ଆଦର୍ଶ କାର୍ଯ୍ୟଦ୍ୱାରା ଦେଶ ଉପରେ ବିଶେଷକରି ଦେଶର ଭୋକୀ ଦୁଃଖୀ ଜନସାଧାରଣଙ୍କ ଉପରେ ମଧ୍ୟ ଅଭୁତ ନୈତିକ ପ୍ରଭାବ ପଡ଼ିବ ।

ୟଙ୍ଗ୍‌ ଇଣ୍ଡିଆ, ୦୫.୦୪.୨୮

Image

 

ଅଳଙ୍କାର ଓ ନାରୀସମାଜ

 

ନିଜନିଜର ଗହଣାଗୁଡ଼ିକ ଦାନ କରିବାକୁ ମୁଁ ନାରୀସମାଜକୁ ଯେଉଁ ନିବେଦନ କରିଥିଲି, ଖବରକାଗଜରେ ସେଥିରେ ଏକ କଟୁ ସମାଲୋଚନା ବାହାରିଚି । ଦାନ ସୂତ୍ରରେ ମିଳୁଥିବା ଜିନିଷଗୁଡ଼ିକ ନିଲାମ କରିବା ବିରୁଦ୍ଧରେ ମଧ୍ୟ ଏଥିରେ ଖୁବ୍‌ ପ୍ରତିବାଦ କରାଯାଇଚି । ମୋର ଇଚ୍ଛା, ସଭାକୁ ଆସୁଥିବା ପ୍ରତ୍ୟେକ ନାରୀର ସବୁ ନ ହେଉ ପଛକେ, ଯେତେ ଦେଇ ହେବ, ସେତେ ବେଶୀ ଅଳଙ୍କାର ଦେହରୁ ଓହ୍ଲାଇ ମୋତେ ଦେଇ ଦେବା ଉଚିତ । ଏ ଦେଶରେ କୋଟି କୋଟି ଲୋକ ଦରଖିଆ ବୁଲୁଚନ୍ତି, ଶତକରା ଅଶୀଜଣ ଲୋକ ପୁଷ୍ଟିକର ଖାଦ୍ୟ ପାଉ ନାହାନ୍ତି–ଏ ଦେଶରେ ସୁନାରୂପାର ଅଳଙ୍କାର ପିନ୍ଧିକରି ବସିବା ଆଖିକୁ ଏକ ଅପରାଧ ବୋଲି ଦିଶୁଚି । ଭାରତବର୍ଷରେ ନିଜର ବୋଲି କହିବା ଭଳି କୌଣସି ନାରୀପାଖରେ ପ୍ରାୟ ନଗଦ ଟଙ୍କା ମୋଟେ ନ ଥାଏ । କିନ୍ତୁ ପିନ୍ଧିଥିବା ଗହଣାତକ ନିଶ୍ଚୟ ତା’ର ସମ୍ପତ୍ତି, ଅବଶ୍ୟ ନିଜର ସ୍ୱାମୀଙ୍କର ମତ ନ ନେଇ ସେ ସେସବୁ ଜିନିଷ ଦାନ କରିବାକୁ ସାହସ କରିପାରେ ନାହିଁ । ତା’ର ନିଜର ବୋଲି ଯେଉଁ ଜିନିଷତକ ତା’ ପାଖରେ ଅଛି, ତାକୁ ସତ୍‌ ଅର୍ଥରେ ଦାନ କରିବା ନାରୀପକ୍ଷରେ ଏକ ଗୌରବର କଥା । ଆଉ ମଧ୍ୟ ଅଧିକାଂଶ ଅଳଙ୍କାରରେ କୌଣସି ସୌନ୍ଦର୍ଯ୍ୟ ନ ଥାଏ, ଅନେକ ସମୟରେ ଗହଣା ଉପରେ ମଇଳା ବୋଳ ବସି ଯାଇଥାଏ । ତେଣୁ ହାତଗୋଡ଼କୁ ସୁନ୍ଦର ଦେଖାଯିବାକୁ କେହି ଚୂଡ଼ି ବା ବଳାପାହୁଡ଼ ପିନ୍ଧେ ନାହିଁ–ମାତ୍ର ନିଜର ଅଯତ୍ନ, ନୁଖୁରା ଗନ୍ଧିଆ ଦେହ ମଣ୍ଡାଇବାକୁ ସମସ୍ତେ ହାର ଓ କହୁଣୀଯାଏ ସାରିଏ ଲେଖାଏଁ ଖଡ଼ୁ ପିନ୍ଧିଥାନ୍ତି । ମୋ ମତରେ ଏଇ ଦାମିକା ଗହଣାମାନ ପିନ୍ଧିବା ଦ୍ୱାରା ଦେଶର ବହୁତ କ୍ଷତି ହେଉଚି । ଏହାଦ୍ୱାରା ଦେଶର ଏତେ ଧନ କୌଣସି କାମରେ ଲାଗିପାରୁ ନାହିଁ । ଓଲଟି କାଳକ୍ରମେ ଘଷରା ହୋଇ କ୍ଷୟ ହୋଇ ଯାଉଚି । ଆତ୍ମ–ଶୁଦ୍ଧିପାଇଁ ହେଉଥିବା ହରିଜନ ଆନ୍ଦୋଳନରେ ଦେଶର ନାରୀମାନେ ନିଜ ନିଜର ଗହଣାପତ୍ର ଦାନକରି ଦେଲେ ଦେଶର ଅଶେଷ ଉପକାର ହେବ ବୋଲି ମୋର ବିଶ୍ୱାସ । ଅନେକ ମଧ୍ୟ ଆନନ୍ଦରେ ନିଜର ଅଳଙ୍କାର ଦାନ କରିଚନ୍ତି । ମୁଁ କିନ୍ତୁ ଗୋଟିଏ ସର୍ତ୍ତ ଧରିଛି ଯେ, ଯେ ଥରେ ଦାନ କରିବ, ଆଉ ଗହଣାଗାଣ୍ଠି ନ ପିନ୍ଧିବାର ଶପଥ ତାକୁ ଗ୍ରହଣ କରିବାକୁ ହେବ । ନାରୀମାନଙ୍କୁ ବେଡ଼ୀ ପକାଇ ରଖିଥିବା ଅଳଙ୍କାର ସବୁ ଦାନ କରିବାକୁ ମୁଁ ସେମାନଙ୍କୁ ପ୍ରବର୍ତ୍ତେଇ ପାରିଚି, ଏଇ କାର୍ଯ୍ୟରେ ସେମାନଙ୍କର ଆଶୀର୍ବାଦ ମଧ୍ୟ ପାଇଚି । ଏହାଦ୍ୱାରା ସେମାନଙ୍କୁ ସରଳଭାବରେ ଜୀବନ ଯାପନ କରିବାର ଶିକ୍ଷା ହେଉଥିବାରୁ ଅନେକ ସ୍ଥଳରେ ସ୍ୱାମୀମାନଙ୍କଠାରୁ ମୁଁ ଧନ୍ୟବାଦ ମଧ୍ୟ ପାଇଚି ।

ହରିଜନ, ୨୨.୧୨.୩୩

Image

 

କେବଳ ନିଜର ସମ୍ପତ୍ତି ଉତ୍ସର୍ଗ କର

 

ଗାନ୍ଧିଜୀଙ୍କର ହରିଜନ ଗସ୍ତ ସମୟରେ ମାନ୍ଦ୍ରାଜରେ ଗୋଟିଏ ବାଳିକା ପାଞ୍ଚ ଟଙ୍କିଆ ନୋଟ୍‌ଟିଏ ଦେଇ ତାଙ୍କର ଦସ୍ତଖତ୍‌ ମାଗିଲା ।

 

ଗାନ୍ଧିଜୀ କହିଲେ–‘‘ନାଁ, ମୋର ଚୂଡ଼ିଟିଏ ଦରକାର ।’’ ବାଳିକାଟି ଦୁଇପଟ ଚୂଡ଼ି ବାହାର କରି ନୋଟ୍‌ ସଙ୍ଗରେ ଦେଲା ।

 

‘‘ଏସବୁ ଗହଣା ମୋତେ ଦାନ କରିବା ପାଇଁ ବାପା ବୋଉଙ୍କର ସମ୍ମତି ପାଇଚ ? ନ ହେଲେ, ଇଚ୍ଛା ହେଉଚି ତ, ତୁମର ଚୁଡ଼ି ଦିଓଟି ଫେରାଇ ନେଇପାର ।’’

 

ଗୋଟିଏ ଚୁଡ଼ି ଫେରାଇ ନେଇ ବାଳିକାଟି କହିଲା ଯେ ସେ ସେଇଟି ରଖିବ ।

‘‘ନୂଆଚୂଡ଼ିଟିଏ ଦେବାପାଇଁ ବାପାବୋଉଙ୍କର ମତ ନେବ ନାହିଁ ?’’

‘‘ନାଁ’’–ବାଳିକାଟି ସଙ୍ଗେ ସଙ୍ଗେ ଜବାବ ଦେଲା ।

‘‘ତେବେ ମୁଁ ଏଇଟି ଗ୍ରହଣ କରୁଚି ।’’ ହସ ହସ ମୁହଁରେ ବାଳିକାଟି ଚାଲିଗଲା ।

 

ଆଉଗୋଟିଏ ବାଳିକା ପଚାରିଲା–‘‘ବାପା ବୋଉଙ୍କୁ ନ ପଚାରି ମୁଁ କିପରି ଜିନିଷ ଦେବି-?’’ ଗାନ୍ଧିଜୀ କହିଲେ–‘‘ନାଁ, ତୁମେ ଦେଇ ନ ପାର । କିନ୍ତୁ ବାପା ବୋଉ କଣ ତୁମର ପ୍ରତ୍ୟେକ କଥାରେ ହସ୍ତକ୍ଷେପ କରନ୍ତି ? ବିବେକ ଅନୁସାରେ କାର୍ଯ୍ୟ କରିବା ପାଇଁ ତୁମର କଣ କୌଣସି ସ୍ୱାଧୀନତା ନାହିଁ ?’’

 

ନୂଆ କରି ବାହା ହୋଇଥିବା ଆଉ ଗୋଟିଏ ଝିଅ କହିଲା–‘‘ମୁଁ ଆପଣଙ୍କୁ ଟଙ୍କା ଦେବି ପଛକେ, କିନ୍ତୁ ଗହଣାତକ ଦେଇ ପାରିବି ନାହିଁ । କାରଣ ଏତକ ଦେଇଦେଲେ ମୋତେ ପୁଣି ନୂଆ ସାରେ ପିନ୍ଧିବାକୁ ପଡ଼ିବ । ଆପଣ କ’ଣ ଏ କଥାଟିକୁ ପସନ୍ଦ କରନ୍ତି ? ଯେତେବେଳେ ଏକାବେଳେକେ ଗହଣା ପିନ୍ଧା ଛାଡ଼ିଦେଇ ପାରିବି, ସେତିକିବେଳେ ଆପଣଙ୍କୁ ମୋର ସମସ୍ତ ଅଳଙ୍କାର ଦେଇଦେବି ।’’

 

ଗାନ୍ଧିଜୀ କହିଲେ–‘‘ଠିକ୍‌ କଥା । ମୋର ଟଙ୍କା ଦରକାର ନାହିଁ । ତୁମ ବାପାଙ୍କୁ ମାଗିଲେ ମଧ୍ୟ ମୋତେ ଟଙ୍କା ମିଳିବ । ମୁଁ ତୁମଠାରୁ କେବଳ ଅଳଙ୍କାର ତକ ନେବାକୁ ଚାହେଁ । ଦାନର ଗୋଟିଏ ସର୍ତ୍ତ ହେଉଚି, ଥରେ ଦେଇଦେଲେ ଆଉ ତୁମେ ଗହଣା ପିନ୍ଧିବ ନାହିଁ । ତୁମେ ଯେଉଁ ଦିନ ନିଜ ଇଚ୍ଛାରେ ଆସି ମୋତେ ତୁମର ଗହଣାତକ ଦେଇଯିବ, ସେଇଦିନ ଯାଏ ମୁଁ ଅପେକ୍ଷା କରି ରହିଲି ।’’

 

ଭାଇଜାଗ୍ ପଟମ୍‌ଠାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ତ୍ୟାଗ କରିବା ପାଇଁ ଭାଷଣ ଦେଇ ଗାନ୍ଧିଜୀ ସମସ୍ତଙ୍କୁ ଅନୁପ୍ରେରିତ କରି ଦେଇଥିଲେ । ସେ କହିଲେ–

 

ହରିଜନ ଆନ୍ଦୋଳନ ହେଉଚି ନିଆଁପରି । ନିଆଁରେ ଯେତେ ଘିଅ ଢଳା ହେବ, ସେତେ ବେଶୀ ଦରକାର ହେବ । ଠିକ୍‌ ସେମିତି ହରିଜନମାନଙ୍କ ସେବାପାଇଁ ଆପଣମାନେ ଯେତେ ବେଶୀ ଦାନ କରନ୍ତୁ ନା କାହିଁକି, ତାହା କେବେ ହେଲେ ଯଥେଷ୍ଟ ହୋଇ ପାରିବ ନାହିଁ । ଯେଉଁମାନେ ଏଥିପାଇଁ ଦାନ କରୁଚନ୍ତି, ସେମାନେ କିଛି ହରାଉ ନାହାନ୍ତି; ବରଂ ପାଉଚନ୍ତି । ଯେଉଁମାନେ କିଛି ଦେଉ ନାହାନ୍ତି, ସେଇମାନେହିଁ ପ୍ରକୃତରେ ହରାଉଚନ୍ତି । ଦାନ କଲେ ଦାନଜନିତ ପ୍ରଶଂସା ଆପଣମାନଙ୍କୁ ନିଶ୍ଚୟ ମିଳିବ । କିନ୍ତୁ ଦାନ ନ କଲେ ଆପଣମାନେ ନିଜ ଆତ୍ମାକୁ ହରାଇ ବସିବେ । କାରଣ ଯୁଗ ଯୁଗ ଧରି ସବର୍ଣ୍ଣ ହିନ୍ଦୁ ନରନାରୀମାନେ ହରିଜନମାନଙ୍କ ଉପରେ ଅତ୍ୟାଚାର କରିଆସୁଚନ୍ତି । ମୋର ପୂରା ବିଶ୍ୱାସ ହରିଜନମାନଙ୍କ ପ୍ରତି ଘୃଣାର ସହିତ ବ୍ୟବହାର କରୁଥିବାରୁ ଆମ ଉପରେ ବର୍ତ୍ତମାନ ଘୋର ଦୁର୍ଗତି ପଡ଼ିଚି । ସେଇଥିଲାଗି ଅସ୍ପୃଶ୍ୟତାର ଭୂତକୁ ହୃଦୟ ଭିତରୁ ଦୂର କରିଦେବାକୁ ମୁଁ ଭାରତର ନାରୀସମାଜକୁ କହିଆସିଚି । କେତେଗୁଡ଼ିଏ ମଣିଷକୁ ନିଜଠାରୁ ଛୋଟ ମନେ କରିବା ନିହାତି ଭୁଲ, ଏହା ଗୋଟାଏ ପାପ । ପରମପିତାଙ୍କର ପୃଥିବୀରେ କେହି ବଡ଼ ନୁହନ୍ତି ବା କେହି ସାନ ନୁହନ୍ତି । ଆମେ ସମସ୍ତେ ତାଙ୍କରି ସନ୍ତାନ । ବାପ ଆଖିରେ ଯେମିତି ସବୁ ପୁଅ ସମାନ, ଭଗବାନଙ୍କର ଆଖିରେ ସେଇପରି ସୃଷ୍ଟିଯାକ ସମସ୍ତେ ସମାନ । ତେଣୁ ମୋତେ ବିଶ୍ୱାସ କର, ଧର୍ମ କେବେହେଲେ ଏଇ ଛୁଆଁ ଅଛୁଆଁ ଭେଦକୁ ସମର୍ଥନ କରିପାରିବ ନାହିଁ । ତେଣୁ ନିଜର ପଡ଼ିଶା ହରିଜନମାନଙ୍କୁ ଆପଣା ହୃଦୟରେ ସ୍ଥାନ ଦେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଚି । ହରିଜନ ପିଲାମାନଙ୍କୁ ନିଜ ଘରକୁ ଡାକ, ହରିଜନ ସାହୀକୁ ଯାଇ ସେମାନଙ୍କର ପିଲାପିଲି ଓ ରହିବା ସ୍ଥାନର ଯତ୍ନ ନିଅ, ହରିଜନ ସ୍ତ୍ରୀମାନଙ୍କୁ ନିଜର ଭଉଣୀ ପରି ଦେଖି ଶିଖ ।

 

ଏଇ ହରିଜନ ଆନ୍ଦୋଳନର ବେଶୀ ଭାର ଦେଶର ନାରୀସମାଜକୁ ନେବାକୁ ହେବ । ମୁଁ ଖୁବ୍‌ ଆଶା କରୁଚି ଯେ ଏଠି ଉପସ୍ଥିତ ଥିବା ପ୍ରତ୍ୟେକ ହିନ୍ଦୁନାରୀ ଏଥିପାଇଁ ନିଜନିଜର କର୍ତ୍ତବ୍ୟ କରିବାକୁ ଶପଥ କରିଯିବ । ମୋର ଆଶା ନିଜର ସମସ୍ତ ଗହଣା, ପୂର୍ଣ୍ଣ ବା ଆଶିଂକ ଭାବରେ ଦାନ କରି ପାରିବାର ଇଚ୍ଛା ଓ କ୍ଷମତା ଯେଉଁମାନଙ୍କର ଅଛି, ସେମାନେ ଅକୁଣ୍ଠିତ ଭାବରେ ମୋତେ ସବୁ ଦେଇଦେବେ । ଏଇ ଦାନ ପଛରେ କୌଣସି ସର୍ତ୍ତ ନାହିଁ । କୌଣସି ଜିନିଷ ଯଦି ତୁମେ ପ୍ରକୃତରେ ବର୍ଜନ କରୁଥାଅ, ତେବେ କେବେହେଲେ ପୁଣି ସେଇ ଜିନିଷ ଗ୍ରହଣ କରିବ ନାହିଁ । ତୁମେ ଏଇ ଆନ୍ଦୋଳନ ପାଇଁ ନିଜେ କିଛି ଦେଉଚ, ଏଇ ଅନୁଭୂତି ତୁମମାନଙ୍କର ହେଉ ବୋଲି ଇଚ୍ଛା । ଟଙ୍କା ପଇସା ବା କାଗଜ ନୋଟ୍‌ ଦେଲେ ଏ ଅନୁଭବ ହୋଇ ପାରିବ ନାହିଁ । କାରଣ ସେ ସବୁ ଜିନିଷ ତୁମର ସ୍ୱାମୀଙ୍କର ବା ବାପାଙ୍କର ସମ୍ପତ୍ତି । କିନ୍ତୁ ନିଜ ନିଜର ଗହଣାଗଣ୍ଠି ଉପରେ ତୁମର ପୂର୍ଣ୍ଣ ଅଧିକାର ଅଛି । ଭବିଷ୍ୟତରେ ନୂଆକରି ପିନ୍ଧିବାର କୌଣସି ଇଚ୍ଛା ନ ରଖି ତୁମେମାନେ ଯଦି ନିଜ ନିଜର ଅଳଙ୍କାରତକ ଦାନ କରିଦିଅ, ତେବେ ଏହାଦ୍ୱାରା ତୁମେ ନିଶ୍ଚୟ ତ୍ୟାଗର ଉଦାହରଣ ଦେଖାଇ ପାରିବ । ମୋ କଥାର ସାରକଥା ବୁଝିପାରିଥିବା ପ୍ରତ୍ୟେକ ସ୍ତ୍ରୀଲୋକକୁ ମୁଁ ନିଜର ଅଳଙ୍କାରତକ ସମର୍ପଣ କରିଦେବାକୁ ଅନୁରୋଧ କରୁଚି ।’’

ହରିଜନ, ୦୫.୦୧.୩୪

Image

 

ନାରୀର ପ୍ରକୃତ ଭୂଷଣ କଣ ?

 

ହରିଜନ ଗସ୍ତ ସମୟରେ ମହୀଶୂରର ଏକ ନାରୀସଭାରେ ଗାନ୍ଧିଜୀ କହିଥିଲେ–

 

‘‘ଚରିତ୍ର ଓ ଚିତ୍ତ ପବିତ୍ରତା ହେଉଚି ନାରୀର ପ୍ରକୃତ ଭୂଷଣ । ଧାତୁ ବା ପଥରର ଗହଣାକୁ କେବେହେଲେ ଅଳଙ୍କାର ବୋଲି କୁହାଯାଇ ପାରିବ ନାହିଁ । ସୀତା ଓ ଦମୟନ୍ତୀ ପ୍ରଭୃତି ସତୀମାନଙ୍କର ନାମ କେବଳ ସେମାନଙ୍କର କଳଙ୍କହୀନ ଚରିତ୍ର ସକାଶେ ଆଜି ଯାଏ ପବିତ୍ର ହୋଇ ରହିଚି । ସେମାନେ ପିନ୍ଧୁଥିବା ଗହଣା ଦ୍ୱାରା ସେମାନେ ବଡ଼ ହୋଇ ନାହାନ୍ତି । ମୁଁ ଯେ ତୁମପାଖରୁ ଗହଣା ସବୁ ମାଗିନେଉଚି, ତାହାର ମଧ୍ୟ ଯଥେଷ୍ଟ ମହତ୍ତ୍ୱ ଅଛି । ନିଜର ଅଙ୍ଗପ୍ରତ୍ୟଙ୍ଗରୁ ସମସ୍ତ ଅଳଙ୍କାର ଓହ୍ଲାଇ ଦେବାଦ୍ୱାରା ଉସ୍ୱାସିଆ ଲାଗୁଚି ବୋଲି ଅନେକ ଭଉଣୀ ମୋତେ କହିଛନ୍ତି ।’’ ଆଉ ଗୋଟିଏ ସଭାରେ ସେ କହିଥିଲେ–‘‘ଅନେକ ଦୃଷ୍ଟିରୁ ମୁଁ ଏହାକୁ ଗୋଟିଏ ସମ୍ମାନୋଚିତ କାର୍ଯ୍ୟ ବୋଲି କହିବି । ଦରିଦ୍ର ଓ ଅସହାୟ ଲୋକସାଧାରଣଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଂଶ ନ ଦେଇଥିବା ପର୍ଯ୍ୟନ୍ତ କୌଣସି ପୁରୁଷ ବା ସ୍ତ୍ରୀର ସମ୍ପତ୍ତି ସଞ୍ଚୟ କରିବାର କୌଣସି ଅଧିକାର ନାହିଁ । ସମାଜ ଓ ଧର୍ମ ଦୃଷ୍ଟିରୁ ଏହା ସମସ୍ତଙ୍କର କର୍ତ୍ତବ୍ୟ । ଭଗବତ୍‌ଗୀତାରେ ଏହାକୁ ‘ଯଜ୍ଞ’ ବୋଲି କୁହାଯାଇଛି । ଯେ ଏଇ ‘ଯଜ୍ଞ’ ନ କରିବ, ଗୀତାମତରେ ସେ ଏକ ଚୋର ଗୀତାରେ ଅନେକ ପ୍ରକାର ଯଜ୍ଞର ବର୍ଣ୍ଣନ ଅଛି, କିନ୍ତୁ ଦରିଦ୍ର ଓ ଅଭାବଗ୍ରସ୍ତ ଲୋକମାନଙ୍କର ସେବାଠାରୁ ବଳି ଆଉ ବଡ଼ ଯଜ୍ଞ କଣ ହୋଇପାରେ ? ଆମକୁ ସବୁ ରକମର ଉଚ୍ଚନୀଚଭାବ ଭୁଲିଯିବାକୁ ହେବ, ସବୁ ମଣିଷକୁ ସମାନ ଜ୍ଞାନ କରିବାକୁ ହେବ, ଏଇ ହେଉଚି ଏ ଯୁଗର ଶ୍ରେଷ୍ଠ ଯଜ୍ଞ । ଭାରତର ନାରୀଜାତିକୁ ମୁଁ ଏଇ କଥା କହିରଖିବାକୁ ଚାହେଁ ଯେ, ସୁନାରୂପା ବା ପଥରର ବୋଝ ଦେହ ଉପରେ ଲଦିବସିଲେ ଶରୀର ମଣ୍ଡନ ହୁଏ ନାହିଁ; ହୃଦୟକୁ ପବିତ୍ର କରି ଆତ୍ମାର ସୌନ୍ଦର୍ଯ୍ୟ ବୃଦ୍ଧିରେ କେବଳ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ ।’’

 

ଆଉ ଗୋଟିଏ ସଭାରେ ସେ ସ୍ୱର୍ଗୀୟା ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କର ତ୍ୟାଗର ଉଦାହରଣ ଦେଇଥିଲେ । ତ୍ୟାଗ ଓ ସେବାଧର୍ମର ଆଦର୍ଶ ଦେଖାଇବାରେ ଆନ୍ଧ୍ରଦେଶର ନାରୀମାନଙ୍କ ଭିତରେ ସେ ସର୍ବ ପ୍ରଥମା ଥିଲେ । ଗାନ୍ଧିଜୀ କହିଲେ–‘‘ଯେଉଁଦିନ ସେ ମୋ ସାଙ୍ଗରେ ପ୍ରଥମେ ଦେଖା କଲେ ସେଇଦିନ ଦେହରୁ ସବୁ ଗହଣା ଓହ୍ଲାଇ ପକାଇଥିଲେ । ସେଠି ଯେତେ ସ୍ତ୍ରୀ ଲୋକ ସଭାରେ ଥିଲେ, ସମସ୍ତେ କାବା ହୋଇ ଚାହିଁଥାନ୍ତି । ତା’ପରେ ପଛକୁ ପଛ ଗହଣା ଜମା ହୋଇ ପଡ଼ିଲା । ତୁମେମାନେ କ’ଣ ଭାବୁଚ, ନିଜର ସୁନାରୂପା ଅଳଙ୍କାରମାନ କାଢ଼ିପକାଇ ତାର ସୌନ୍ଦର୍ଯ୍ୟ କମିଗଲା ? ବରଂ ମୋତେ ଜଣାଗଲା ଯେପରି ତା’ର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି । ଇଂରେଜୀରେ ଗୋଟିଏ ପ୍ରବଚନ ଅଛି–‘ଯିଏ କାମରେ ସୁନ୍ଦର ସିଏ ପ୍ରକୃତରେ ସୁନ୍ଦର’ ।’’

ହରିଜନ, ୧୨.୦୧.୩୪

Image

 

ନାରୀର ନବଜାଗରଣ

 

ବମ୍ବେ ଭଗିନୀ ସମାଜର ବାର୍ଷିକ ଉତ୍ସବ ଉପଲକ୍ଷରେ ମୋରାର୍ଜୀ ଗୋକୁଳଦାସ ହଲ୍‌ରେ ହୋଇଥିବା ସଭାରେ ଗାନ୍ଧିଜୀ ନିମ୍ନୋକ୍ତ ଭାଷଣ ଦେଇଥିଲେ–

 

‘‘ନାରୀର ପୁନର୍ଜାଗରଣ କହିଲେ ଆମେ ପ୍ରକୃତରେ କଣ ବୁଝୁ, ପ୍ରଥମରେ ସେଇକଥାଟି ଜାଣିବା ଦରକାର । ‘ପୁନର୍ଜାଗରଣ’ ଶବ୍ଦଟିରୁ ସ୍ପଷ୍ଟ ଜଣାଯାଉଛି ଯେ, ନାରୀ ସମାଜର ଅଧଃପତନ ହୋଇଚି । ଏହି ଅଧଃପତନର କାରଣ ମଧ୍ୟ ଆମକୁ ଖୋଜି ବାହାର କରିବାକୁ ହେବ-। ଏଇ ସବୁ ବିଷୟରେ ଗଭୀରଭାବରେ ଚିନ୍ତା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଭାରତବର୍ଷର ସବୁଆଡ଼େ ବୁଲି ମୋର ଏଇ ଧାରଣା ହୋଇଚି, ବର୍ତ୍ତମାନ ଚାଲିଥିବା ସମସ୍ତ ଆନ୍ଦୋଳନ କେବଳ ଖୁବ୍‌ କମ୍‌ସଂଖ୍ୟକ ଲୋକଙ୍କ ଭିତରେ ସୀମାବଦ୍ଧ ହୋଇ ରହିଚି । ସେମାନଙ୍କର ସଂଖ୍ୟା ଶୂନ୍ୟ ଭିତରେ ବିନ୍ଦୁଟିଏ ପରି । ଆମ ଦେଶର କୋଟି କୋଟି ନରନାରୀ ଏ ଆନ୍ଦୋଳନ ବିଷୟରେ କିଛି ଜାଣନ୍ତି ନାହିଁ । ଗାଁ’ ବାହାରେ ଦୁନିଆରେ କଣ ସବୁ ଘଟିଯାଉଚି, ସେ ବିଷୟରେ ଆମ ଦେଶର ଶତକଡ଼ା ୮୫ ଜଣ ଲୋକ କିଛି ଖବର ରଖନ୍ତି ନାହିଁ ଏବଂ ନିର୍ଲିପ୍ତ ଓ ନିରୀହଭାବରେ ନିଜ ଜୀବନ କଟାଇ ଦିଅନ୍ତି । ଏଇ ମୂର୍ଖ ନରନାରୀମାନେ ନିଜ ଜୀବନର ଧରାବନ୍ଧା କାମତକ ଠିକ୍‌ ଭାବରେ କରିବାରେ କେବେହେଲେ ହେଳା କରନ୍ତି ନାହିଁ । ସେମାନଙ୍କର ଶିକ୍ଷା ଦୀକ୍ଷା କିଛି ନ ଥାଏ । ସେମାନେ ଦୈନନ୍ଦିନ ଜୀବନରେ ପରସ୍ପରକୁ ସାହାଯ୍ୟ କରନ୍ତି । ସେମାନଙ୍କର ଜୀବନରେ ଯଦି କିଛି ଅପୂର୍ଣ୍ଣ ରହିଯାଉଥାଏ, ତେବେ ଅବଶିଷ୍ଟ ଶତକଡ଼ା ୧୫ ଜଣ ଲୋକଙ୍କର ଅପୂର୍ଣ୍ଣ ଜୀବନରେ ତା’ର କାରଣ ଅନୁସନ୍ଧାନ କରିବାକୁ ହେବ । ‘ଭଗିନୀ ସମାଜ’ର ଭଉଣୀମାନେ ଯଦି ଏଇ ଶତକଡ଼ା ୮୫ ଲୋକଙ୍କର ଜୀବନତଥ୍ୟ ସଂଗ୍ରହ କରନ୍ତି, ତେବେ ତାହାଦ୍ୱାରା ‘ସମାଜର’ କାର୍ଯ୍ୟପାଇଁ ସେମାନେ ଗୋଟିଏ ଚମତ୍କାର କାର୍ଯ୍ୟସୂଚୀ ତିଆରି କରିବା ଦିଗରେ ସେଥିରୁ ଅନେକ ସାହାଯ୍ୟ ପାଇପାରିବେ ।

 

ଉପରେ ଯେଉଁ ୧୫% ଲୋକଙ୍କ କଥା କହିଲି, ସେଇମାନଙ୍କ ବିଷୟରେ ମୁଁ ମୋର ମତସବୁ ଦେଉଛି । ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଯେଉଁ ଅସୁବିଧା ସବୁ ରହିଛି ସେସବୁ ଏଠାରେ ବର୍ଣ୍ଣନା କରିବା ଠିକ୍‌ ହେବ ନାହିଁ । ପୁରୁଷମାନଙ୍କର ତୁଳନାରେ ନାରୀଜାତିର ପୁନର୍ଜାଗରଣ ବିଷୟରେ ଆଲୋଚନା କରିବା ହେଉଛି, ଏଠାକାର ବିଚାର୍ଯ୍ୟ ବିଷୟ । ଦେଶର ଆଇନ ତିଆରି କରିବା ଭାର ମୁଖ୍ୟତଃ ପୁରୁଷର କାମ ହୋଇ ରହି ଆସିଛି, ସେ ମଧ୍ୟ ଅନେକ ସମୟରେ ଉଦାର ଓ ନିରପେକ୍ଷ ରହି ତାର ନିଜେ ମୁଣ୍ଡାଇଥିବା ଦାୟିତ୍ୱଟି ତୁଲାଇ ପାରିନାହିଁ । ଅନେକ ଖରାପ କଥାକୁ ଆମର ଶାସ୍ତ୍ରରେ ନାରୀଜାତିର ଆବଶ୍ୟକ ଓ ଜନ୍ମଗତ ଲକ୍ଷଣ ବୋଲି କୁହା ଯାଇଛି । ତେଣୁ ସ୍ତ୍ରୀଜାତିର ପୁନର୍ଜାଗରଣ ଆଣିବାକୁ ହେଲେ ପ୍ରଥମେ ଆମକୁ ସେସବୁ ଶାସ୍ତ୍ରୀୟ କଳଙ୍କକୁ ଦୂର କରିବାକୁ ହେବ । ଏଇ କଥାଟି କିଏ କିପରି କରିବ, ମୁଁ ଭାବୁଚି । ଏହି ଉଦ୍ୟମ କରିବାକୁ ଗଲେ ଆମକୁ ସୀତା, ଦମୟନ୍ତୀ ଓ ଦ୍ରୌପଦୀଙ୍କ ଭଳି ପବିତ୍ରତା, ସତୀତ୍ୱ ଓ ସଂଯମର ଆଦର୍ଶ ନାରୀ ସମାଜରୁ ବାହାର କରିବାକୁ ପଡ଼ିବ । ସେଇମାନଙ୍କ ପରି କେତେଜଣ ସାଧ୍ୱୀ ରମଣୀ ଦେଶରେ ବାହାରି ପାରିଲେ, ପୂରାକାଳର ସୀତା ଓ ଦ୍ରୌପଦୀଙ୍କ ପରି ସେମାନେ ମଧ୍ୟ ସମାଜଠାରୁ ସମାନ ସମ୍ମାନ ପାଇବେ । ସେମାନେ ଯାହା କହିବେ, ଲୋକମାନେ ତାକୁ ଶାସ୍ତ୍ରବଚନ ପରି ମାନି ଚଳିବେ-। ସ୍ମୃତିରେ ସେମାନଙ୍କ ସମ୍ବନ୍ଧରେ ଯେଉଁ ଦାୟିତ୍ୱହୀନ କଥାମାନ କୁହାଯାଇଛି, ସେ ସବୁଥିରେ ଆମେ ଆପଣାକୁ ଲଜ୍ଜିତ ମନେକରିବା ଓ କ୍ରମେ କ୍ରମେ ସେଗୁଡ଼ାକ ପାଶୋରି ପକାଇବା । ଏଇପରି ଅନେକ ବିପ୍ଳବ ଆଗକାଳରେ ହୋଇଛି । ପୁଣି ଭବିଷ୍ୟତରେ ମଧ୍ୟ ହେବ ଓ ଆମର ବିଶ୍ୱାସକୁ ଦୃଢ଼ କରାଇଦେବ । ଏଇ ସମାଜ ସୀତା ଦ୍ରୌପଦୀଙ୍କ ପରି ଆଦର୍ଶ ନାରୀ ସୃଷ୍ଟିକରୁ, ବିଭୁପାଦରେ ଏହାହିଁ ମୋର ପ୍ରାର୍ଥନା ।

 

ଆମ ଦେଶର ନାରୀଜାତିର କାହିଁକି ଅଧଃପତନ ହୋଇଛି, ତାର ମୂଳକାରଣ ଆମେ ଦେଖିଲୁ । କିପରି ଆଦର୍ଶରେ ଚାଲିଲେ ବର୍ତ୍ତମାନର ଅବନତ ଅବସ୍ଥାର ପରିବର୍ତ୍ତନ ହେବ, ସେସବୁ ମଧ୍ୟ ଆମେ ବିଚାର କରି ସାରିଛୁ । ଖୁବ୍‌ କମସଂଖ୍ୟକ ସ୍ତ୍ରୀ ଲୋକ ଏଇ ଆଦର୍ଶ ଅନୁସାରେ ନିଜ ଜୀବନ ଗଢ଼ିପାରିବେ । ବର୍ତ୍ତମାନ ଦେଖାଯାଉ ଯେ ସାଧାରଣ ସ୍ତ୍ରୀଲୋକମାନେ ଯତ୍ନ କଲେ କଣ କରିପାରିବେ । ବର୍ତ୍ତମାନ ଅବସ୍ଥାକୁ କିପରି ପ୍ରତ୍ୟେକ ସ୍ତ୍ରୀଲୋକ ଭଲକରି ଜାଣିବେ ଓ ବୁଝିବେ । ସେଥିଲାଗି ପ୍ରଥମେ ଚେଷ୍ଟା କରାଯିବା ଦରକାର । ଖାଲି ଯେ ଅକ୍ଷରଶିକ୍ଷାଦ୍ୱାରା ଆମର ଏ ଉଦ୍ୟମ ସଫଳ ହୋଇଯିବ, ସେଥିରେ ମୁଁ ମୋଟେ ବିଶ୍ୱାସ କରୁନାହିଁ । ସେ ବାଟ ଅନୁସରଣ କଲେ ଆମର ଲକ୍ଷ୍ୟ ଚିରଦିନ ସୁଦୂରପରାହତ ହୋଇ ରହିଥିବ । ଏତେ ଦୀର୍ଘକାଳ ଅପେକ୍ଷା କରି ବସିବାରେ ଯେ କିଛି ଫଳ ମିଳିବ ନାହିଁ, ନିଜର ଅଭିଜ୍ଞତାରୁ ମୁଁ ଏକଥା ବୁଝିପାରିଚି । ହଠାତ୍‌ କୌଣସି ପ୍ରକାରର ଅକ୍ଷର ପରିଚୟ ନ କରି ମଧ୍ୟ ଆମେ ଆମର ନାରୀଜାତିର ତା’ର ବର୍ତ୍ତମାନର ଅବସ୍ଥା ବିଷୟରେ ସଚେତ କରିଦେଇପାରିବା । ସ୍ତ୍ରୀ ହେଉଚି ପୁରୁଷର ଜୀବନସାଥୀ, ପୁରୁଷପରି ତାର ମଧ୍ୟ ବିବେଚନାଶକ୍ତି ଅଛି । ମଣିଷର ଯାବତୀୟ କାର୍ଯ୍ୟକଳାପରେ ଭାଗନେବାପାଇଁ ତାର ନ୍ୟାଯ୍ୟ ଅଧିକାର ରହିଚି । ତାର ମଧ୍ୟ ପୁରୁଷପରି ସ୍ୱାଧୀନତା ଅଛି । ପୁରୁଷ ଯେମିତି ତା’ର କର୍ମକ୍ଷେତ୍ରର ନିୟନ୍ତ୍ରଣ କରୁଛି, ନାରୀର ମଧ୍ୟ ସେଇପରି ତା’ର କର୍ମକ୍ଷେତ୍ରର ଅଧିକାରିଣୀ ହେବାର ଅଧିକାର ଅଛି । ଖାଲି ଲେଖାପଢ଼ା ଶିଖେଇ ନୁହେଁ, ଅତି ସ୍ୱାଭାବିକ ଭାବରେ ନାରୀକୁ ତା’ର ଏଇସବୁ ଅଧିକାର ଦେବାକୁ ହେବ । କେବଳ ଗୋଟାଏ ଅନ୍ୟାୟମୂଳକ କୁପ୍ରଥା ବଳରେ ପୁରୁଷ ଯେଡ଼େ ମୂର୍ଖ ଓ ଅଯୋଗ୍ୟ ହେଲେ ମଧ୍ୟ ନାରୀଉପରେ ତା’ର ପ୍ରାଧାନ୍ୟ ବଜାୟ ରଖି ପାରିବ । ଏହା ସର୍ବଦା ଅସୁନ୍ଦର ଓ ଅସମୀଚୀନ । ନାରୀମାନଙ୍କର ଶୋଚନୀୟ ଅବସ୍ଥା ଯୋଗୁଁ ଆମ ଦେଶର ଅନେକ ଆନ୍ଦୋଳନ ଅଧାରୁ ବନ୍ଦ ହୋଇଯାଏ । ଅନେକ କାମରେ ଆମେ ଉପଯୁକ୍ତ ବଳ ପାଇପାରୁ ନାହିଁ, ଶେଷରେ ଆମକୁ ଅଳ୍ପପୁଞ୍ଜିବାଲା, ହାତୀକୁ ବାଟ ଛାଡ଼ିଦେଇ ପିମ୍ପୁଡ଼ିକୁ ଉଗାଳି ରଖିବା ବଣିକର ଦୁର୍ଦ୍ଦଶା ଭୋଗିବାକୁ ପଡ଼େ ।

 

ଅବଶ୍ୟ ଲେଖାପଢ଼ା ଶିକ୍ଷା ଦିଆ ନ ଯାଇ ମଧ୍ୟ ସ୍ତ୍ରୀମାନେ ଅନେକ ଭଲ ଭଲ କାମ କରିପାରିବେ । ମାତ୍ର ଏହାର ଅର୍ଥ ନୁହେଁ ଯେ ସ୍ତ୍ରୀମାନଙ୍କୁ ପାଠ ପଢ଼ାଇବାରେ ମୁଁ ବିଶ୍ୱାସ କରେ ନାହିଁ । ପାଠ ପଢ଼ିଲେ ନିଶ୍ଚୟ ମଣିଷର ବୁଦ୍ଧି ବଢ଼େ, ଭଲ କାମ କରିବାକୁ ଆମକୁ ଅଧିକ ଶକ୍ତି ଓ ପ୍ରେରଣା ମିଳେ । କିନ୍ତୁ ଲେଖାପଢ଼ାରେ ଅଯଥା ଅତିଶୟ ଗୁରୁତ୍ୱ ଦେବାକୁ ମୁଁ ପସନ୍ଦ କରେ ନାହିଁ । ମୋର ଇଚ୍ଛା, କେବଳ ଯେତିକି ଦରକାର ସେତିକି ଲେଖାପଢ଼ା ଶିକ୍ଷା ଦିଆଯାଉ । ମୁଁ ଅନେକ ବାର ଏକଥା କହି ଆସିଚି ଯେ, ଅଶିକ୍ଷାର କାରଣ ଦେଖାଇ ସ୍ତ୍ରୀଜାତିକୁ ତା’ର ଉଚିତ ଅଧିକାରରୁ ବଂଚିତ କରିବା ପୁରୁଷ ପକ୍ଷରେ ଖୁବ୍‌ ଅନ୍ୟାୟର କଥା । କିନ୍ତୁ ନିଜର ଜନ୍ମଗତ ଅଧିକାର ହାସଲ କରିବା, ସେସବୁର ଉନ୍ନତି ଓ ପ୍ରସାର କରିବାପାଇଁ ନାରୀଜାତିକୁ ଶିକ୍ଷା ଦେବା ଏକାନ୍ତ ଆବଶ୍ୟକ-। ଅଧିକନ୍ତୁ ଶିକ୍ଷା ନ ପାଇଲେ ଦେଶର କୋଟି କୋଟି ମଣିଷ ନିଜ ବିଷୟରେ ଯଥାର୍ଥ ଜ୍ଞାନ ଲାଭ କରି ପାରିବେ ନାହିଁ । ଅନେକ ବହିରେ ନିର୍ମଳ ଭାବରେ ଉପଭୋଗ କଲାଭଳି ଅନେକ ବସ୍ତୁ ରହିଛି, କିନ୍ତୁ ଶିକ୍ଷା ନ ପାଇବା ଯାଏ ମଣିଷ ସେ ଉପଭୋଗରୁ ବଂଚିତ ହୋଇ ରହିଥିବ । ଶିକ୍ଷା ନଥିବା ଲୋକ ପଶୁସଙ୍ଗେ ସମାନ, ଏକଥା କହିଲେ କିଛି ବାହୁଲ୍ୟ ହେବ ନାହିଁ । ତେଣୁ ପୁରୁଷମାନଙ୍କ ପରି ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ଶିକ୍ଷା ଏକାନ୍ତ ଆବଶ୍ୟକ । ଅବଶ୍ୟ ଏହାର ଅର୍ଥ ନୁହେଁ ଯେ, ଗୋଟିଏ ପ୍ରଣାଳୀରେ ଉଭୟକୁ ଶିକ୍ଷା ଦିଆଯିବ । ଆମଦେଶରେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଅନେକ ଦୋଷ ରହିଛି ଏବଂ ଅନେକ ସ୍ଥଳରେ ଏହାଦ୍ୱାରା ଦେଶର ଘୋର ଅନିଷ୍ଟ ହେଉଛି । ଦେଶର ସମସ୍ତ ସ୍ତ୍ରୀ ପୁରୁଷ ଏଇ ଶିକ୍ଷାକୁ ବର୍ଜ୍ଜନ କରିବା ଉଚିତ । ଆଧୁନିକ ଶିକ୍ଷାରୁ ସବୁ ପ୍ରକାର ଦୋଷ ଦୂର ହୋଇଗଲେ ମଧ୍ୟ, ତଥାପି ମୁଁ ନାରୀମାନଙ୍କ ପାଇଁ ତାକୁ ସର୍ବତୋଭାବେ ଉପଯୋଗୀ ବୋଲି କହିପାରିବି ନାହିଁ । ସ୍ତ୍ରୀ ଓ ପୁରୁଷ ଦୁହେଁ ମଣିଷ ହେଲେ ମଧ୍ୟ ଦୁହିଙ୍କ ଭିତରେ ଅନେକ ଅସାମଞ୍ଜସ୍ୟ ରହିଛି । ସେ ଦୁହେଁ ପରସ୍ପର କରିବେ, ତେଣୁ ଗୋଟିଏ ପକ୍ଷର ସାହାଯ୍ୟ ବିନା ଅପର ପକ୍ଷର ଉନ୍ନତି ଅସମ୍ଭବ । ଉପର୍ଯ୍ୟୁକ୍ତ କଥାରୁ ପରିଷ୍କାର ବୁଝାଯାଉଚି ଯେ, କୌଣସି ବିଷୟ ଦ୍ୱାରା ଯଦି ସ୍ତ୍ରୀ ବା ପୁରୁଷ କାହାର ଜଣକର ଅନିଷ୍ଟ ହେବ, ତେବେ ତାହାଦ୍ୱାରା ଉଭୟଙ୍କର ଅନିଷ୍ଟ ହେବ । ତେଣୁ ସ୍ତ୍ରୀମାନଙ୍କପାଇଁ କୌଣସି ଶିକ୍ଷାକ୍ରମ ତିଆରି କରିବା ଆଗରୁ ଏହି ମୂଳ କଥାଟିକୁ ମନେ ରଖିବାକୁ ପଡ଼ିବ । ସ୍ତ୍ରୀ ଓ ସ୍ୱାମୀ ଦୁହିଙ୍କ ଭିତରୁ ପୁରୁଷକୁ ଦାଣ୍ଡକାମରେ ସାଧାରଣତଃ ବେଶି ଭାଗ ନେବାକୁ ପଡ଼େ, ତେଣୁ ଦାଣ୍ଡ ହାଲଚାଲ ସମ୍ବନ୍ଧରେ ତା’ର ଅଧିକ ଜ୍ଞାନ ରହିବା ଉଚିତ । କିନ୍ତୁ ପରିବାର ହେଉଚି ନାରୀର କର୍ମକ୍ଷେତ୍ର, ତେଣୁ ଘର ଚଳାଇବା, ପିଲାମାନଙ୍କୁ ବଢ଼ାଇବା ଓ ଶିକ୍ଷାଦେବା ବିଷୟରେ ତା’ର ଅଧିକ ଜ୍ଞାନ ହାସଲ କରିବା ଆବଶ୍ୟକ । ଅବଶ୍ୟ ଜ୍ଞାନକୁ ଏକାବେଳେକେ ଦୁଇଟା ଅସଲଂଗ୍ନ ଭାବରେ ବିଭକ୍ତି କରିଦେବା ଏହାର ଅର୍ଥ ନୁହେ ବା ନାରୀ ବା ପୁରୁଷକୁ କୌଣସି ନିର୍ଦ୍ଦିଷ୍ଟ ଜ୍ଞାନମାର୍ଗରୁ ବଞ୍ଚିତ କରିବା ଉଚିତ ନୁହେଁ । କିନ୍ତୁ ସ୍ତ୍ରୀ ଓ ପୁରୁଷ ଜୀବନର ଏହି କେତୋଟି ମୌଳିକ ପ୍ରଭେଦ ଉପରେ ଭିତ୍ତିକରି ଶିକ୍ଷା ବ୍ୟବସ୍ଥାର ପ୍ରଣୟନ ନ ହେଲେ, ସେମାନଙ୍କର ଜୀବନର ବିକାଶ କେବେ ହେଲେ ପରିପୂର୍ଣ୍ଣ ହୋଇ ପାରିବ ନାହିଁ ।

 

ଆମ ଦେଶର ନାରୀମାନଙ୍କ ପାଇଁ ଇଂରେଜୀ ଶିକ୍ଷା କେତେଦୂର ଦରକାର, ସେ ସମ୍ବନ୍ଧରେ ପଦେ କହି ରଖିବା ଉଚିତ ମନେ କରୁଚି । ମୋର ତ ଏହି ଧାରଣା ହୋଇଯାଇଚି ଯେ ପୁରୁଷ ହେଉ ବା ସ୍ତ୍ରୀ ହେଉ, ଆମ ଦେଶର କୌଣସି ଲୋକର ସାଧାରଣ ଜୀବନରେ ଇଂରାଜୀ ଶିକ୍ଷାର ମୋଟେ ଆବଶ୍ୟକତା ନାହିଁ । ଅବଶ୍ୟ ଜୀବିକା ଅର୍ଜନ କରିବା ପାଇଁ ଓ ଦେଶର ରାଜନୈତିକ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାଗ ନେବାପାଇଁ ଇଂରାଜୀ ଦରକାର ପଡ଼ିବ । କିନ୍ତୁ ସ୍ତ୍ରୀମାନେ ନିଜପାଇଁ ମୂଲ ଲାଗିବେ, ବେପାର ବ୍ୟବସାୟ କରିବେ, ଏ କଥାରେ ମୁଁ କେବେହେଲେ ଏକମତ ହୋଇ ପାରିବି ନାହିଁ । ଯେ କେତେକ ଅଳ୍ପସଂଖ୍ୟକ ସ୍ତ୍ରୀଲୋକଙ୍କର ଇଂରାଜୀ ପଢ଼ିବାକୁ ମନ ଥିବ, ସେମାନେ ଇଚ୍ଛା କଲେ ପୁରୁଷମାନଙ୍କପାଇଁ ବସିଥିବା ସ୍କୁଲରେ ପଢ଼ି ପାରନ୍ତି । କିନ୍ତୁ ସ୍ତ୍ରୀଲୋକମାନଙ୍କ ସ୍କୁଲରେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ କଲେ ଆମର ଉନ୍ନତି ହୋଇ ପାରିବ ନାହିଁ, ଆମେ ଯେଉଁ ତିମିରକୁ ସେହି ତିମିରରେ ପଡ଼ିଥିବା । ଅନେକେ କହନ୍ତି, ଇଂରାଜୀ ସାହିତ୍ୟର ଅମୂଲ୍ୟ ରତ୍ନଗୁଡ଼ିକ ପାଇବାରେ ପୁରୁଷମାନଙ୍କ ପରି ସ୍ତ୍ରୀମାନଙ୍କର ମଧ୍ୟ ସମାନ ଅଧିକାର ରହିବା ଉଚିତ । ମୋର ସନ୍ଦେହ ହେଉଚି, ଏପରି ମତଲବ ପଛରେ ଗୋଟାଏ ଭୁଲ ଧାରଣା ରହିଯାଇଚି । ନାରୀମାନଙ୍କୁ ଏହି ସାହିତ୍ୟରତ୍ନରୁ ବଞ୍ଚିତ କରାଯାଉ, ଏହା କାହାରି ଇଚ୍ଛା ନୁହେ । ଯଦି ପ୍ରକୃତରେ ସାହିତ୍ୟପ୍ରତି ତୁମର ଅନୁରାଗ ଥାଏ, ତେବେ ପୃଥିବୀରେ କାହାର ଏପରି ଶକ୍ତି ନାହିଁ, ଯେ କି ତୁମକୁ ସାହିତ୍ୟ ଅଧ୍ୟୟନରୁ ବଞ୍ଚିତ କରି ପାରିବ । କିନ୍ତୁ ଯେତେବେଳେ ଗୋଟାଏ ନିର୍ଦ୍ଦିଷ୍ଟ ସମାଜର କଲ୍ୟାଣ ପ୍ରତି ଦୃଷ୍ଟି ରଖି ଶିକ୍ଷାର ବ୍ୟବସ୍ଥା କରାହେବ, ସେତେବେଳେ ସାହିତ୍ୟପ୍ରତି ବିଶେଷ ଅନୁରାଗ ଥିବା ଅଳ୍ପସଂଖ୍ୟକ କେତେ ଜଣଙ୍କର ଆବଶ୍ୟକତାମାନ କେବେ ହେଲେ ପୂର୍ଣ୍ଣ କରାଯାଇ ପାରିବ ନାହିଁ । ଇଂରାଜୀ ପଢ଼ିବାର କଳ୍ପିତ ଆନନ୍ଦରୁ ଲୋକମାନଙ୍କୁ ବଞ୍ଚିତ କରିବାକୁ ଯେ ଇଂରାଜୀ ଶିକ୍ଷାରେ ଆଜିଠାରୁ କମ୍‌ ସମୟ ଦେବାପାଇଁ ମୁଁ କହୁଚି, ତା’ ନୁହେଁ । କିନ୍ତୁ ଆଉ ଗୋଟିଏ ସହଜ ଓ ସ୍ୱାଭାବିକ ଶିକ୍ଷାବ୍ୟବସ୍ଥା ପ୍ରଚଳନ କରି ପାରିଲେ ଅଳ୍ପ ଖର୍ଚ୍ଚ ଓ ଅଳ୍ପ ପରିଶ୍ରମରେ ଆମେ ସେହି ଆନନ୍ଦ ପାଇ ପାରିବୁଁ ବୋଲି ମୋର ବିଶ୍ୱାସ । ପୃଥିବୀରେ ଅନେକ ଅମୂଲ୍ୟ ରତ୍ନ ଯେ ଇଂରେଜମାନେ ବସେଇଛନ୍ତି ତା’ ନୁହେଁ । ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ବହୁମୂଲ୍ୟ ସାହିତ୍ୟ ରତ୍ନ ଅଛି, ଆମ ଦେଶର ଜନ ସାଧାରଣ ଏସବୁ ରତ୍ନ ସହିତ ପରିଚିତ ହେବା ଉଚିତ । ଆମ ଦେଶର ପ୍ରତିଭାସମ୍ପନ୍ନ ଲୋକମାନେ ଯଦି ଦେଶୀୟ ଭାଷାରେ ସେ ସବୁର ଅନୁବାଦ କରିପାରିବେ, ତେବେ ଯାଇଁ ସାଧାରଣ ଲୋକେ ତାକୁ ପଢ଼ି ପାରିବେ ।

 

ତା’ପରେ କେବଳ ଗୋଟିଏ ଶିକ୍ଷାବ୍ୟବସ୍ଥାର ଚିଠା କରିଦେଲେ ଯେ ସମାଜରୁ ବାଲ୍ୟବିବାହର କଳଙ୍କ ଦୂର ହୋଇଯିବ ବା ନାରୀ ସମାଜକୁ ସମାନ ଅଧିକାର ମିଳିବ, ଏକଥା ଭାବିବା ଭୁଲ । ବାହାଘର ହୋଇଗଲା ପରେ ଯେଉଁ ବାଳିକାମାନେ ଆଉ ପଦାକୁ ବାହାରନ୍ତି ନାହିଁ ସେହିମାନଙ୍କ କଥା ବିଚାର କରାଯାଉ । ସେମାନଙ୍କୁ ସ୍କୁଲକୁ ପଠାଇବାକୁ କେହି ସୁନ୍ଦର ମନେ କରନ୍ତି ନାହିଁ । ନିଜର ପିଲା ଝିଅକୁ ବାହା କରେଇ ଦେଇ ଯେଉଁ ବାପା ମାଆ ଅକଥନୀୟ ପାପ କରି ବସନ୍ତି, ତାଙ୍କ ମନରେ ଝିଅକୁ ପାଠ ପଢ଼ାଇ ତା’ର ମନରେ ଆନନ୍ଦ ସଞ୍ଚାର କରିବାର ଭାବନା ଆସିବ କୁଆଡ଼ୁ ? ପିଲା ଝିଅଟିର କୌଣସି ଉପକାର କରିବା ଉଦ୍ଦେଶ୍ୟରେ କେହି ବାଲ୍ୟବିବାହ କରେ ନା, ନିପଟ କାମପ୍ରବୃତ୍ତି କେବଳ ଏହି ବିବାହର ଉଦ୍ଦେଶ୍ୟ ଥାଏ । କିଏ ଏହି ବାଳିକାମାନଙ୍କୁ ଉଦ୍ଧାରର ବାଟ ଦେଖାଇବ ? ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ଉପରେ ନାରୀ ସମସ୍ୟାର ସମାଧାନ ନିର୍ଭର କରେ । ଏହି ପ୍ରଶ୍ନର କେବଳ ଗୋଟିଏ ଉତ୍ତର ଅଛି, ଅବଶ୍ୟ ସେ ଉତ୍ତରଟି ଖୋଜି ବାହାର କରିବା ସହଜ କଥା ନୁହେଁ । ପ୍ରକୃତରେ ଦେଖିବାକୁ ଗଲେ ସ୍ୱାମୀ ଛଡ଼ା ଆଉ କିଏ ସ୍ତ୍ରୀର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦେବ ? ବାଲ୍ୟବିବାହିତା ବାଳିକାର କି ଶକ୍ତି ଥିବ ଯେ ସେ ସ୍ୱାମୀକୁ ଏହି କଥା ଚେତେଇ ଦେଇ ପାରିବ ? ତେଣୁ ଅନ୍ତତଃ ବର୍ତ୍ତମାନ ପାଇଁ ପୁରୁଷ ଉପରେ ସବୁ ଦାୟିତ୍ୱ ଛାଡ଼ିଦେବା ଉଚିତ । ଆମ ଦେଶର ବାଳବିବାହିତା ସ୍ତ୍ରୀମାନଙ୍କର ସଂଖ୍ୟା ସଂଗ୍ରହ କରିବାକୁ ମୋର ଖୁବ୍‌ ଇଚ୍ଛା ଅଛି । ଯେଉଁମାନେ ପିଲାକନ୍ୟା ବିବାହ କରିଚନ୍ତି, ସେମାନେ ଯେ କେତେ ବଡ଼ ଦୋଷ କରୁଚନ୍ତି, ସେହି କଥା ନମ୍ରଭାବରେ ସେମାନଙ୍କର ହୃଦୟଙ୍ଗମ କରାଇବା ମୋର ଉଦ୍ଦେଶ୍ୟ । ସେ ପର୍ଯ୍ୟନ୍ତ ସେମାନେ ଆବଶ୍ୟକ ଶିକ୍ଷାଦ୍ୱାରା ନିଜ ନିଜର ସ୍ତ୍ରୀମାନଙ୍କୁ ଶିଶୁର ଜନ୍ମ ଓ ଲାଳନପାଳନ ବିଷୟରେ ଯଥେଷ୍ଟ ଜ୍ଞାନ ନ ଦେଇଚନ୍ତି ଓ ସ୍ତ୍ରୀ ସେ ଶିକ୍ଷାରେ ଅଭିଜ୍ଞ ହେଲା ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବାର ଶପଥ ନ ନେଇଚନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କର ପାପର ପ୍ରାୟଶ୍ଚିତ୍ତ ନାହିଁ ।

 

ତେଣୁ କାମ କରିବାପାଇଁ ଭଗିନୀସମାଜ ଆଗରେ ପ୍ରଶସ୍ତ କ୍ଷେତ୍ର ପଡ଼ିଚି । ଆମର ସେବାକ୍ଷେତ୍ରର ପରିସର ଏତେ ବଡ଼ ଯେ, ଯଦି ଆମେ ନିର୍ଦ୍ଦିଷ୍ଟ ସଂକଳ୍ପ ନେଇ କାମ ଆରମ୍ଭ କରି ପାରିବା, ତେବେ ଅନ୍ତତଃ ବର୍ତ୍ତମାନ ପାଇଁ ବଡ଼ ବଡ଼ ସମାଜସୁଧାର ଆନ୍ଦୋଳନପାଇଁ ଆମକୁ ଭାବିବାକୁ ପଡ଼ିବ ନାହିଁ । ‘ସ୍ୱରାଜ୍ୟ’ ନାଁ ନ ନେଇ ମଧ୍ୟ ଆମେ ସେବାଦ୍ୱାରା ସେହି ସ୍ୱରାଜ୍ୟ ଦିଗରେ ଅନେକ ଦୂର ଆଗେଇ ପାରିବା । ଯେତେବେଳେ ଛାପାକଳ ବାହାରି ନ ଥିଲା, ବକ୍ତୃତା ଦେବାର ଖୁବ୍‌ ବେଶୀ ସୁଯୋଗ ମିଳୁ ନ ଥିଲା, ହଜାର ହଜାର ମାଇଲ ତ ଦୂରର କଥା, ଯେତେବେଳେ ଦିନକରେ ଖୁବ୍‌ ବେଶି ଚବିଶ ମାଇଲ ବାଟରୁ ଅଧିକ ଯାଇ ହେଉ ନ ଥିଲା, ଆଦର୍ଶର ପ୍ରସାରପାଇଁ ସେତେବେଳେ କେବଳ ଗୋଟିଏ ଉପାୟ ଥିଲା, ସେଇଟି ହେଉଚି ଆମର ‘କାମ’ । ସେହି ‘କାମ’ ଦ୍ୱାରା ମଧ୍ୟ ଅନେକ ଉଦ୍ଦେଶ୍ୟ ସାଧିତ ହୋଇ ପାରୁଥିଲା । ଆଜି ପବନ ଗତିରେ ଆମେ ଏଠିକି ସେଠିକି ଖାଲି ଧାଁଧପଡ଼ କରୁଚୁ, ସଭାରେ ବକ୍ତୃତା ଝାଡ଼ୁଚୁ, ଖବର କାଗଜରେ ପ୍ରବନ୍ଧ ଲେଖୁଚୁ, ତେବେ ସୁଦ୍ଧା ଆମେ କାମରେ ବେଶି ଦୂର ଆଗେଇ ପାରୁନାହୁଁ ଓ ଚାରିଆଡ଼େ ଖାଲି ଚିରହତାଶର ଆର୍ତ୍ତନାଦ ଶୁଭୁଚି ।

 

ସେଇଥିପାଇଁ ମୋର ଦୃଢ଼ବିଶ୍ୱାସ ହୋଇଯାଇଚି ଯେ, ଶହଶହ ବକ୍ତୃତା ଓ ପ୍ରବନ୍ଧ ଲେଖା ଅପେକ୍ଷା କାମ ଭିତର ଦେଇ ଆମେ ଲୋକ ସାଧାରଣଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରିବା । ଆଜି ଏଇ ସମ୍ମେଳନର ସୁଯୋଗ ନେଇ ମୁଁ ଆପଣଙ୍କର ଅନୁଷ୍ଠାନ ଓ ତାର ସଭ୍ୟମାନଙ୍କ ପାଖରେ ପ୍ରାର୍ଥନା କରୁଚି ଯେ, ଆପଣମାନେ ସବୁବେଳେ ନୀରବ ଓ ଅବିଚଳିତ କାର୍ଯ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବେ ।’’

Speeches and writing of Mahatma Gandhi, ୪୨୩ ପୃଷ୍ଠା

Image

 

ନାରୀର କର୍ମକ୍ଷେତ୍ର

 

ଜଣେ ଶିକ୍ଷିତା ଭଉଣୀ ପାଖରୁ ମୁଁ ଖଣ୍ଡିଏ ଚିଠି ପାଇଚି । ସ୍ଥାନେ ସ୍ଥାନେ ବାଦ୍‌ ଦେଇ ଚିଠି ନିମ୍ନରେ ଉଦ୍ଧାର କରୁଚି :–

 

ଅହିଂସା ଓ ସତ୍ୟାଗ୍ରହ ଦ୍ୱାରା ଆପଣ ଆତ୍ମାର ମହିମା ଦୁନିଆକୁ ଦେଖାଇ ଦେଇଚନ୍ତି । କେବଳ ଏଇ ଦୁଇଟି ଶବ୍ଦର ପ୍ରୟୋଗଦ୍ୱାରା ମଣିଷର ଲଘୁପ୍ରବୃତ୍ତିକୁ ଲଙ୍ଘନ କରାଯାଇ ପାରିବ ।

 

କାରିଗରୀ ସାହାଯ୍ୟରେ ଶିକ୍ଷାଦାନ ପଛରେ ଏକ ମହତ୍‌ କଳ୍ପନା ନିହିତ ଅଛି, ଅଧିକନ୍ତୁ ଏହା ହେଉଚି ଏକମାତ୍ର ଶିକ୍ଷାପ୍ରଣାଳୀ, ଯାହାଦ୍ୱାରା କି ପିଲା ନିଜ ଗୋଡ଼ରେ ନିଜେ ଠିଆହୋଇ ଶିଖିବ । ଆପଣ ଏଇ ଗୋଟିଏ ବାକ୍ୟରେ ଶିକ୍ଷାସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରି ପାରିଛନ୍ତି । ପରିବେଷ୍ଟନୀ ଓ ଅଭିଜ୍ଞତା ଅନୁସାରେ ଏହାର ବିଭିନ୍ନ ଅଙ୍ଗକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ।

 

ଆମ ସ୍ତ୍ରୀ ଜାତିର ସମସ୍ୟାମାନଙ୍କର ସମାଧାନ କରିବାକୁ ମଧ୍ୟ ମୁଁ ଆପଣଙ୍କର କୃପା ଭିକ୍ଷା କରୁଚି । ରାଜାଜୀ ତ କହୁଚନ୍ତି ସ୍ତ୍ରୀଜାତିର କୌଣସି ସମସ୍ୟା ନାହିଁ । ବୋଧହୁଏ ରାଜନୀତି ଦୃଷ୍ଟିରୁ ଦେଖିଲେ ଏକଥା ସତ । ଖୁବ୍ ସମ୍ଭବ ସରକାରୀ ଆଇନଦ୍ୱାରା ସବୁପ୍ରକାର ଜୀବିକା ନିର୍ବାହ କରିବାପାଇଁ ସ୍ତ୍ରୀକୁ ପୁରୁଷପରି, ସମାନ ଅଧିକାର ମିଳିପାରିବ । କିନ୍ତୁ ଆମ ଜାତି ଯେ ସ୍ତ୍ରୀ ଜାତି, ଆମେ ଯେ ପୁରୁଷଠାରୁ ଏକ ଭିନ୍ନ ଉପାଦାନରେ ଗଢ଼ା, ଏକଥା ତ ଆଉ ଆଇନ କରି ବଦଳାଇ ହେବ ନାହିଁ । ନିଜ ନିଜର ପାଶବିକ ପ୍ରବୃତ୍ତିକୁ ଜୟ କରିବାପାଇଁ, ଅହିଂସା ଓ ସତ୍ୟାଗ୍ରହ ଛଡ଼ା ଆମକୁ ଆଉ କେତୋଟି ବନ୍ଧା ନିୟମାବଳୀ ଦିଅନ୍ତୁ । ଠିକ୍‌ ପୁରୁଷ ପରି ନାରୀର ମନ ଅଧିକରୁ ଅଧିକ ଭଲ ଜିନିଷ ପଛରେ ଧାଇଁଥାଏ । କିନ୍ତୁ କାମ ଲାଳସା ଓ ଅନ୍ୟକୁ ନିର୍ଯାତନା ଦେବାର ନିଷ୍ଠୁର ପ୍ରବୃତ୍ତି ଆଦି ଉଗ୍ର ସ୍ୱଭାବମାନ ଆୟତ୍ତରେ ରଖିବାକୁ ପୁରୁଷମାନଙ୍କର ଯେପରି ଅହିଂସା ଓ ବ୍ରହ୍ମଚର୍ଯ୍ୟ ଦରକାର, ଠିକ୍‌ ସେଇପରି ମନର ଦୁର୍ବଳ ପ୍ରବୃତ୍ତିକୁ ଜୟ କରିବାକୁ ହେଲେ ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ଏକ ବିଧାନବଳୀ ରହିବା ଉଚିତ । କାରଣ ସ୍ୱଭାବଗତ ଅନେକ ଦୁର୍ବଳତା ସ୍ତ୍ରୀ ଭିତରେ ରହିଚି ଓ ତାକୁ କେବେ ହେଲେ ପୁରୁଷର ଦୁର୍ବଳତା ସହିତ ସମାନ କରାଯାଇ ପାରିବ ନାହିଁ । ସ୍ତ୍ରୀର ପ୍ରକୃତିଦତ୍ତ ଯୌନଆଚରଣ, ଏବଂ ସେଇ କାରଣରୁ ତାକୁ ଯେପରି ଭାବରେ ବଢ଼ିବାର କ୍ଷେତ୍ର ମିଳେ ଓ ତା’ର ଚତୁର୍ଦ୍ଦିଗରେ ଯେପରି ଆବେଷ୍ଟନୀର ସୃଷ୍ଟି ହୋଇଯାଏ, ସବୁ ଯେପରି ତାର ବିକାଶ ପଥରେ ଗୋଟିଏ ଗୋଟିଏ ହିମାଳୟ ପରି ଠିଆହୋଇଚନ୍ତି । ତା’ର ପ୍ରକୃତି, ଜୀବନଯାପନ ଓ ପରିବେଷ୍ଟନୀ ତା’ର ପ୍ରତ୍ୟେକ କାର୍ଯ୍ୟରେ ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରେ । ସେଇଥିପାଇଁ ହୁଏତ ସମସ୍ତଙ୍କୁ ଏହା କହିବାକୁ ସୁବିଧା ମିଳେ । ‘‘ଯେତେହେଲେ ମାଇପି ଲୋକ ତ !’’ ଏଇଥିରୁ ମନେ ହୁଏ ଯୌନ ଯେପରି ଆମର ବେକଧରି ଲଟକିଚି ! ଏବଂ ମୁଁ ଭାବୁଚି ଯଦି ଆମକୁ ଉନ୍ନତି କରିବାର ପ୍ରକୃତ ରାସ୍ତା ଦେଖାଇ ଦିଆଯିବ, ତେବେ ସହାନୁଭୂତି ଓ କୋମଳ ହୃଦୟତା ଆଦି ଆମର ନାରୀସୁଲଭ ଗୁଣ ଗୁଡ଼ିକର ଯଥାର୍ଥ ବିକାଶ ହୋଇପାରିବ ଏବଂ କୌଣସି ପ୍ରତିବଂଧକ ହେବା ପରିବର୍ତ୍ତେ ଆମର ଜୀବନର ଅଗ୍ରଗତିରେ ସହାୟତା କରିବ । ଠିକ୍‌ ଆପଣ ପୁରୁଷ ଓ ପିଲାମାନଙ୍କ ପାଇଁ ଯେପରି ଉପାୟ ବତାଇ ଦେଇଚନ୍ତି, ସେଇପରି ଏଇ ଉନ୍ନତି କରିବାର ଉଦ୍ୟମ ପ୍ରଥମେ ଆମର ଅନ୍ତର ଭିତରୁ ଆରମ୍ଭ କରିବାକୁ ହେବ ।

 

‘‘ପ୍ରକୃତି, ଲାଳନପାଳନ ଓ ପରିବେଷ୍ଟନୀ ଏଇ ତିନୋଟି କଥା ମୁଁ କହିଚି । ଗୋଟିଏ ଉଦାହରଣ ଦେଇ ମୁଁ କଥାଗୁଡ଼ିକୁ ଅଧିକ ସହଜ କରିଦେବାକୁ ଚାହେଁ ।

 

‘‘ସ୍ୱଭାବସିଦ୍ଧ ଭାବରେ ନାରୀର ହୃଦୟ କୋମଳ ଓ ସହାନୁଭୂତି–ସମ୍ପନ୍ନ ହେବା ଉଚିତ । ନିଜର ସନ୍ତାନପ୍ରତି ତା’ର ବାତ୍ସଲ୍ୟଭାବ ରହିବା ଉଚିତ । ଠିକ୍‌ ଭାବରେ ଲକ୍ଷ୍ୟକରି ନ ହେଲେହେଁ, ଏଇସବୁ ଗୁଣର ପ୍ରଭାବ ସାଧାରଣତଃ ନାରୀ ଉପରେ ପଡ଼ିଥାଏ । ତେଣୁ କାର୍ଯ୍ୟକ୍ଷେତ୍ରରେ ନାରୀର ଅତ୍ୟଧିକ ଭାବପ୍ରବଣତା ଆସିବା ସ୍ୱାଭାବିକ । ପୁରୁଷର ସମ୍ପର୍କରେ ଆସିଲାବେଳେ ସେଥିଲାଗି ସେ ବେଳେ ବେଳେ ବଡ଼ ଭୁଲ କରି ପକାଏ । ଯେତେବେଳେ ହୃଦୟକୁ ଟାଣ କରିବା କଥା, ସେତିକିବେଳେ ସେ କଅଁଳ ହୋଇ ପଡ଼େ । ସେ ବଦ୍‌ରାଗ କରି ଶିଖେ, ଟିକିଏ ଟିକିଏ କଥାରେ ଗର୍ବ ଓ ଅଭିମାନ ଅନୁଭବ କରେ ଓ ଅନେକ ସମୟରେ ନିର୍ବୋଧଙ୍କ ପରି କାମ କରେ । ଆପଣଙ୍କୁ ଦର୍ଶନ କରିବାକୁ ମୋର ବଳବତୀ ଇଚ୍ଛା ଥିଲା, ତା’ ଆଗଦିନ ରାତିରେ ଖାଲି ଏଇକଥା ଭାବି ଭାବି ମୋର ନିଦ ହୋଇ ନ ଥିଲା । ଆପଣଙ୍କୁ ଦେଖା କରିବାକୁ ଯେତେବେଳେ ଯାଇ ପହଞ୍ଚିଲି, ଆପଣ ମୋତେ ବସିବାକୁ କହିଲେ । କିନ୍ତୁ ମୁଁ ଯାଇ ଶ୍ରୀଯୁକ୍ତ ଦେଶାଇଙ୍କର ଉଢ଼ୁଆଳରେ ବସିଲି । ସେଠୁଁ ଆପଣଙ୍କୁ ଭଲ କରି ଦେଖି ହେଉ ନ ଥାଏ କି ଆପଣଙ୍କର କଥା ଶୁଭୁ ନ ଥାଏ । କି ବୋକାମି ! ତା’ପରେ ସେ ଦିନ ମୋର ମନର ଭାବସବୁ ଆପଣଙ୍କ ପାଖରେ ଭଲ ଭାବରେ ପ୍ରକାଶ କରି ପାରିଲି ନାହିଁ । ଭାବପ୍ରବଣତା ହେଉଚି ଏଇ ଦୋଷର କାରଣ ଏବଂ ଏଇ ଦୁର୍ଗୁଣଟିକୁ ମୁଁ କେବେ ହେଲେ ଆୟତ୍ତରେ ରଖିପାରେ ନାହିଁ । ଅବଶ୍ୟ ଉଚିତ ଶିକ୍ଷା ମିଳିଥିଲେ ମୋର ସେ ଦୋଷଟିର ସଂଶୋଧନ ହୋଇ ପାରିଥାନ୍ତା । କିନ୍ତୁ କିଏ କହିବ, ତା ବଦଳରେ ହୁଏତ ମୁଁ ଆଉ ଗୋଟାଏ ପ୍ରକାର ନିର୍ବୋଧ କାମ କରି ପକାଇଥାନ୍ତି ।

 

ଜାତୀୟ ଯୋଜନା କମିଟି ସ୍ତ୍ରୀମାନଙ୍କର କାର୍ଯ୍ୟ ସମ୍ବନ୍ଧରେ ଯେଉଁ ପ୍ରଶ୍ନାବଳୀ ତିଆରି କରିଥିଲେ, ମୋର ଜଣେ ବନ୍ଧୁ ତା’ର ଉତ୍ତରସବୁ ଲେଖି ପଠାଇଛନ୍ତି । ମୁଁ ସେଥିରେ ଦେଖିଲି ଯେ, କେବଳ ଏକ ନିର୍ଦ୍ଦିଷ୍ଟସଂଖ୍ୟକ ପ୍ରଶ୍ନ ସେଥିରେ ପଚରା ଯାଇଚି । ଗୋଟାଏ ଉଦାହରଣ ଦେଉଚି–‘‘ସମ୍ପତ୍ତି ଭୋଗ କରିବା, ଉପାର୍ଜନ କରିବା, ଉତ୍ତରାଧିକାର ସୂତ୍ରରେ ସ୍ୱତ୍ୱ ପାଇବା, ବିକ୍ରି କରିବା ପ୍ରଭୃତିରେ ତୁମ ଅଞ୍ଚଳରେ ସ୍ତ୍ରୀମାନଙ୍କର କେତେଦୂର ଅଧିକାର ଅଛି ? ସ୍ତ୍ରୀମାନେ ନିଯୁକ୍ତ ହୋଇ ପାରିଲା ଭଳି ଚାକିରୀପାଇଁ ବା ଅନ୍ୟାନ୍ୟ କାର୍ଯ୍ୟପାଇଁ ତୁମ ଆଡ଼େ କେତେଦୂର ସ୍ତ୍ରୀଶିକ୍ଷାର ସୁବିଧା ଓ ବ୍ୟବସ୍ଥା କରାଯାଇଚି ?’’ ମୋର ବନ୍ଧୁ ଜଣକ ଏଇ ପ୍ରଶ୍ନର ଠିକ୍‌ ଉତ୍ତର ନ ଦେଇ ଲେଖି ଦେଇଛନ୍ତି, ‘‘ଅତୀତର ଗୌରବମୟ ସମୟରେ ସେ ସ୍ତ୍ରୀମାନେ ସବୁପ୍ରକାର ଶିକ୍ଷାରୁ ବଞ୍ଚିତ ଥିଲେ, ସେ କଥା ଆମେ କହିପାରିବା ନାହିଁ । ବୈଦିକ ଯୁଗରେ ବିବାହ ପରେ ପରିବାରରେ ନାରୀର ସ୍ଥାନ ଯଥେଷ୍ଟ ଉଚ୍ଚରେ ଥିଲା ଓ ସ୍ୱାମୀର ସଂସାର ନିର୍ବାହରେ ସେ ସବୁଠାରୁ ବେଶୀ କାମ କରୁଥିଲା ।’’ ତାପରେ ବନ୍ଧୁଟି ମନୁସଂହିତାରୁ କେତୋଟି ଶ୍ଳୋକ ଉଦ୍ଧାର କରିଛନ୍ତି । ତାଙ୍କୁ ମୁଁ ପଚାରିଲି, ‘‘କେବଳ ବର୍ତ୍ତମାନର ଶିକ୍ଷାବ୍ୟବସ୍ଥା ବିଷୟରେ ତ ପ୍ରଶ୍ନ ପଚରାଯାଇଚି, ପୂର୍ବକାଳର ଇତିହାସ ବର୍ଣ୍ଣନା କରିବାର କି ଆବଶ୍ୟକତା ଅଛି ?’’ ସେ ଗଣଗଣ କରି କଣ ଗୁଡ଼ାଏ କହିଲେ; ସେ ବୋଧହୁଏ ଭାବୁଥିଲେ ଯେ, ଗୋଟିଏ ପ୍ରବନ୍ଧ ଆକାରରେ ଉତ୍ତର ଦେଲେ ଉତ୍ତରଟି ଅଧିକ ଉପଭୋଗ୍ୟ ହୋଇପାରିବ । ତା’ପରେ ହଠାତ୍‌ କହିଉଠିଲେ ଯେ, ଅମୁକଙ୍କର ଉତ୍ତର ତାଙ୍କଠାରୁ ବେଶୀ ଖରାପ ହୋଇଛି । ମୁଁ ତ କହିବି ଠିକ୍‌ ଶିକ୍ଷା ମିଳୁନାହିଁ, ବୋଲି ସ୍ତ୍ରୀମାନେ ଏପରି ଭୁଲ କରୁଚନ୍ତି ଏବଂ ଯେତେଦୂର ସମ୍ଭବ ଖାଲି ସ୍ତ୍ରୀ ହୋଇ ଜନ୍ମ ପାଇଚନ୍ତି ବୋଲି ସେମାନଙ୍କୁ ଉକ୍ତ ଶିକ୍ଷାରୁ ବଞ୍ଚିତ କରି ରଖାଯାଇଚି । କୌଣସି ପ୍ରଶ୍ନଟିର ଉତ୍ତର ଦେବାକୁ ଯାଇ ଗୋଟାଏ ଦୋସରା ବିଷୟରେ ପ୍ରବନ୍ଧଟିଏ ଲେଖିବାର ଯେ ମୋଟେ ପ୍ରୟୋଜନ ନାହିଁ, ଏକଥା ସାଧାରଣ କିରାନିଟିଏ ମଧ୍ୟ ଜାଣିଚି ।

 

‘‘ଆଉ କୌଣସି ଉଦାହରଣ ଦେଇ ଆପଣଙ୍କୁ ବୁଝାଇବା ଉଚିତ ମନେ କହୁନାହିଁ । ଆପଣ କେତେ ରକମ ସ୍ତ୍ରୀମାନଙ୍କର ସମ୍ପର୍କରେ ଆସିଛନ୍ତି, ଆପଣଙ୍କର ନିଶ୍ଚୟ ସେ ବିଷୟରେ ଯଥେଷ୍ଟ ଅଭିଜ୍ଞତା ଥିବ । ସବୁ ଜିନିଷ ମାପିଚୁପି ଯଥାର୍ଥ ରାସ୍ତାରେ ଯିବାର ଶକ୍ତି ନାରୀର ନାହିଁ, ମୋର ଏଇ ଧାରଣାଟି କଣ ଠିକ୍‌ ନୁହେଁ ?

 

‘‘ହରିଜନ ପଢ଼ିବାକୁ ଆପଣ ମୋତେ ଉପଦେଶ ଦେଇଥିଲେ । ମୁଁ ଖୁବ୍‌ ଉତ୍ସାହର ସହିତ ହରିଜନ ପଢ଼ୁଚି । କିନ୍ତୁ ଅନ୍ତର୍ଭାବର ଉନ୍ମେଷ ପାଇଁ ଏପର୍ଯ୍ୟନ୍ତ କୌଣସି ଉପଦେଶ ସେଥିରୁ ପାଇପାରିଲି ନାହିଁ । ସୂତାକଟା, ଜାତିର ମୁକ୍ତି ସଂଗ୍ରାମରେ ଭାଗନେବା ଅବଶ୍ୟ ସେ ଶିକ୍ଷାର ଗୋଟିଏ ଗୋଟିଏ ଅଙ୍ଗ, କିନ୍ତୁ କେବଳ ସେଇଥିରେ ସବୁ ଅଡ଼ୁଆ ତୁଟି ପାରିବ ନାହିଁ । କାରଣ ମୁଁ ଏପରି ଅନେକ ସ୍ତ୍ରୀଲୋକଙ୍କୁ ଦେଖିଚି, ଯେଉଁମାନେ ସୂତା କାଟନ୍ତି, କଂଗ୍ରେସର ଆଦର୍ଶ ଅନୁସାରେ କାର୍ଯ୍ୟ କରନ୍ତି, ତଥାପି ଅନେକ ସମୟରେ ନାରୀର ସ୍ୱଭାବଗତ ଦୋଷସବୁ କରିବସନ୍ତି ।

 

‘‘ନାରୀ ଠିକ୍‌ ପୁରୁଷପରି ତିଆରି ହେଉ, ଏକଥା ମୁଁ କହୁନାହିଁ । କିନ୍ତୁ ପୁରୁଷମାନଙ୍କୁ ନୀଚପ୍ରବୃତ୍ତିର ଦମନପାଇଁ ଆପଣ ଯେପରି ଅହିଂସାର ଦୀକ୍ଷା ଦେଇଚନ୍ତି, ସେମିତି ଆମର ନିର୍ବୋଧ ଆଚରଣକୁ ଦୂର କରିବାପାଇଁ ଆମକୁ କିଛି ଦୀକ୍ଷା ଦିଅନ୍ତୁ । ଆମେ ଆମର ଅନ୍ତର୍ନିହିତ ଗୁଣକୁ କିପରି ପ୍ରକୃଷ୍ଟଭାବେ କାର୍ଯ୍ୟରେ ପ୍ରୟୋଗ କରିପାରିବୁଁ, ଯାବତୀୟ ପ୍ରତିକୂଳ ଅବସ୍ଥାରୁ ମଧ୍ୟ କିପରି ସାହାଯ୍ୟ ନେଇପାରିବୁଁ, ସେଇ କଥା ଆମକୁ ଶିଖାଇ ଦିଅନ୍ତୁ ।

 

ମୁଁ ସ୍ତ୍ରୀ ହୋଇ ଜନ୍ମ ହୋଇଚି, ଏଇ କଥାଟା ସବୁବେଳେ ଯେମିତି ମତେ ବୋଝପରି ଲାଗୁଚି । ଯେତେବେଳେ କେହି ଛିଗୁଲେଇ କରି କହେ, ‘ଯେତେହେଲେ ସେ ଜଣେ ମାଇପି ଲୋକ’ ସେତେବେଳେ ମୋର ବ୍ରହ୍ମ ଜଳିଉଠେ । ଜଣେ ପୁରୁଷବନ୍ଧୁଙ୍କ ସହିତ ମୁଁ ଏଇ ବିଷୟରେ କଥାବାର୍ତ୍ତା କରିବାରୁ ସେ ଉପହାସ କରି କହିଲେ,–‘‘ଆମ ବନ୍ଧୁଙ୍କ ଘରେ ସେ ପିଲାଟିକୁ ଦେଖିଚ ? ସେ ଏକ ଖେଳନା–ରେଳଗାଡ଼ି ନେଇ ଖେଳୁଥାଏ । ହଠାତ୍‌ ଏମିତି ଖେଳୁଖେଳୁ ଗାଡ଼ିଟି ଗୋଟିଏ ଖମ୍ବ ଦେହରେ ଆସି ହାବୁଡ଼ିଗଲା । ବାଟଭାଙ୍ଗି ନ ନେଇ ସେ କାନ୍ଧ ଲଗାଇ ଖମ୍ବଟିକୁ ଠେଲିବାକୁ ଆରମ୍ଭ କଲା । ପିଲାମୁଣ୍ଡ ତ, ବୋଧହୁଏ ସେ ଭାବୁଥିଲା ଖମ୍ବଟିକୁ ଠେଲି ଫୋପାଡ଼ି ଦେଇପାରିବ-। ତୁମ କଥା ଶୁଣି ତା’ରି କଥା ମନେ ପଡ଼ିଯାଉଚି, ଏସବୁ ମନୋବିଜ୍ଞାନର କଥା । ଏସବୁ କଥା ବୁଝି, ସେ ସବୁର ସମାଧାନ କରିବାକୁ ତୁମେ ମଥା ଖର୍ଚ୍ଚ କରୁଚ ଶୁଣି ମୁଁ ନ ହସି ରହିପାରୁନାହିଁ ।’’

 

ସତ୍ୟାଗ୍ରହର ପ୍ରୟୋଗ ଉପଲବ୍‌ଧି କରିବା ପରେ ମୁଁ ନାରୀସମାଜ ପାଇଁ ଯାହା କିଛି କରି ପାରିଚି । କିନ୍ତୁ ପତ୍ରପ୍ରେରିକା ଜିଦ୍‌ ଧରିଚନ୍ତି ଯେ ନାରୀମାନଙ୍କର ସୁଧାରବାଟ ପୁରୁଷମାନଙ୍କ ସହିତ ସମାନ ହୋଇପାରିବ ନାହିଁ । ଏପରି ହେଲେ କୌଣସି ପୁରୁଷ ଏ ସମସ୍ୟାର ସମାଧାନ କରିପାରିବ ନାହିଁ । ପୁରୁଷ ଯେତେ ଚେଷ୍ଟା କରୁନା କାହିଁକି, କେବେହେଲେ ନାରୀ ପାଇଁ ଯଥାର୍ଥ ମାର୍ଗ ଖୋଜି ବାହାର କରିପାରିବ ନାହିଁ, କାରଣ ସେ ନାରୀଠାରୁ ପୃଥକ୍‌ ଉପାଦାନରେ ଗଢ଼ାହୋଇଚି । ତଳିପାରେ କେଉଁଠି କଣ୍ଟା ପଶିଚି, ସେକଥା ଚାଲିଲା ଲୋକ କେବଳ ଅନୁଭବ କରିପାରିବ । ତେଣୁ ନାରୀଜାତିର କ’ଣ ଦରକାର, ସେ କଥା ନାରୀଜାତିହିଁ, ଠିକ୍‌ କରି କହିପାରିବ-। ମୌଳିକ ଦୃଷ୍ଟିରୁ ଦେଖିଲେ ପୁରୁଷ ଓ ସ୍ତ୍ରୀ ଭିତରେ କୌଣସି ପ୍ରଭେଦ ନାହିଁ, ଏହା ହେଉଚି ମୋର ମତ । ତେଣୁ ସେମାନଙ୍କର ମୂଳ ସମସ୍ୟା ମଧ୍ୟ ଏକ । ଦୁହିଙ୍କ ଭିତରେ ଏକ ଆତ୍ମା ରହିଚି, ଦୁହେଁ ସମାନ ଜୀବନ ଯାପନ କରନ୍ତି ଓ ଦୁହିଙ୍କର ସମାନ ଅନୁଭବଶକ୍ତି ରହିଚି । କେବଳ ଜଣେ ଆରଜଣକର ଅନୁପୂରକପରି । ଜଣକର ପ୍ରତ୍ୟକ୍ଷ ସାହାଯ୍ୟ ବ୍ୟତିରେକେ ଆରଜଣକର ଜୀବନ ପୂର୍ଣ୍ଣ ହୋଇପାରିବ ନାହିଁ । *

 

*

୧୯୩୭ ମସିହା ଫେବୃୟାରୀ ମାସରେ ସେବାଗ୍ରାମଠାରେ ସାକ୍ଷାତ କରିଥିବା ଆମେରିକା ଜଣେ ଭଦ୍ରମହିଳାଙ୍କର ପ୍ରଶ୍ନର ଉତ୍ତରରେ ଗାନ୍ଧିଜୀ କହିଥିଲେ–‘‘ସ୍ତ୍ରୀମାନଙ୍କୁ ପ୍ରକୃତ ଶିକ୍ଷା ମିଳିବା ଉଚିତ, ଏକଥା ମୁଁ ବୁଝିପାରୁଛି । କିନ୍ତୁ ପୁରୁଷର ସମାନ୍ତର ଭାବରେ ଗୋଟିଏ ଅଲଗା ଜାତି ହେବାର ନକଲ ଚେଷ୍ଟା କଲେ ସ୍ତ୍ରୀ ଜାତି ଯେ ପୃଥିବୀର କୌଣସି ଉପକାର କରିପାରିବ ନାହିଁ, ଏ କଥା ମୁଁ ଦୃଢ଼ଭାବରେ ବିଶ୍ୱାସ କରେ । ହୁଏ ତ ସ୍ତ୍ରୀମାନେ ଗୋଟାଏ ଅଲଗା ଜାତି ସୃଷ୍ଟି କରିପାରନ୍ତି, କିନ୍ତୁ ପୁରୁଷର ନକଲ କରି ସେମାନେ କେବେହେଲେ ପୁରୁଷର ସମକକ୍ଷ ହୋଇ ପାରିବେ ନାହିଁ । ପୁରୁଷକୁ ପୂର୍ଣ୍ଣ କରିବା ହେଉଚି ନାରୀର କର୍ତ୍ତବ୍ୟ ।’’

 

କିନ୍ତୁ ଯେ କୌଣସି କାରଣରୁ ହେଉ ନା କାହିଁକି, ଯୁଗଯୁଗ ଧରି ପୁରୁଷ ସ୍ତ୍ରୀକୁ ନିଜର ଅଧୀନରେ ରଖି ଆସିଚି, ଏବଂ ତା ଫଳରେ ସ୍ତ୍ରୀ ଜାତି ଭିତରେ ଏକ ଆତ୍ମଲଘିମା ରୋଗ (Inferiority Complex) ପଶିଯାଇଚି । ପୁରୁଷ ହେଉଚି ସ୍ତ୍ରୀଠାରୁ ବଡ଼, ପୁରୁଷର ଏଇ ତତ୍ତ୍ୱରେ ସେ ବିଶ୍ୱାସ କରିପକାଇଚି । କିନ୍ତୁ ମହାତ୍ମାମାନେ ସବୁବେଳେ ସ୍ତ୍ରୀକୁ ସମାଜରେ ସମାନ ସ୍ଥାନ ଦେଇ ଆସିଚନ୍ତି ।

 

ତଥାପି, ସ୍ତ୍ରୀ ଓ ପୁରୁଷ ଭିତରେ ଯେ ଏକ ପ୍ରଭେଦ ରହିଚି, ଏଥିରେ ସନ୍ଦେହ ନାହିଁ । ମୌଳିକ ଦୃଷ୍ଟିରୁ ଦୁହେଁ ଏକ ହେଲେହେଁ ଦୁହିଙ୍କର ଶରୀରଗଠନରେ ଯଥେଷ୍ଟ ପାର୍ଥକ୍ୟ ରହିଚି । ତେଣୁ ଦୁହିଙ୍କର ଜୀବନ–ବେଉସା ମଧ୍ୟ ପୃଥକ୍‌ ହେବା ଉଚିତ । ମା’ ହେବାପାଇଁ ସ୍ତ୍ରୀର ଯେଉଁସବୁ ଯୋଗ୍ୟତା ରହିବା ଉଚିତ, ପୁରୁଷର ସେସବୁ ଗୁଣ ଅର୍ଜ୍ଜନ କରିବାର କି ଆବଶ୍ୟକତା ଅଛି ? ପୁରୁଷର ଜୀବନ ବେଗମୟ, କିନ୍ତୁ ନାରୀର ଜୀବନ ସୁଶାନ୍ତ । ନାରୀ ହେଉଚି ଗୃହର ଲକ୍ଷ୍ମୀ । ପରିଶ୍ରମ କରି ଧନ ସମ୍ପାଦିବା ପୁରୁଷର କାମ, ସେଇ ଉପାର୍ଜନ ଦ୍ୱାରା ପରିବାରକୁ ସନ୍ତୁଷ୍ଟ କରିବା ହେଉଚି ସ୍ତ୍ରୀର କାର୍ଯ୍ୟ । ସବୁ ଆଡ଼ୁ ଦେଖିଲେ ଘରସଂସାର ରକ୍ଷଣାବେକ୍ଷଣର ଦାୟିତ୍ୱ ସ୍ତ୍ରୀର । ଜାତିର ଶିଶୁମାନଙ୍କର ଲାଳନପାଳନ ହେଉଚି କେବଳ ସ୍ତ୍ରୀର ବିଶେଷ କର୍ତ୍ତବ୍ୟ । ତାର ଯତ୍ନ ନ ପାଇଲେ କୌଣସି ଜାତି ବଞ୍ଚି ରହିପାରିବ ନାହିଁ ।

 

ଗୃହିଣୀ ହିସାବରେ ନିଜର ଦାୟିତ୍ୱସବୁ ଛାଡ଼ିଦେଇ ଦାଣ୍ଡକୁ ବାହାରିଲେ, ଦେଶ ପାଇଁ ବନ୍ଧୁକ କାନ୍ଧରେ ପକାଇ ଯୁଦ୍ଧ କ୍ଷେତ୍ରକୁ ଗଲେ, ସ୍ତ୍ରୀ ଓ ପୁରୁଷ ଉଭୟଙ୍କର କ୍ଷତି ହେବ ବୋଲି ମୋର ଆଶଙ୍କା । ଏପରି ହେଲେ ମଣିଷ ବର୍ବର ହୋଇଯିବ ଓ ତାର ଅଧୋପତନ ହେବ । ପୁରୁଷ ଘୋଡ଼ା ଚଢ଼ୁଚି ବୋଲି ସ୍ତ୍ରୀ ଯଦି ସେଇ ଘୋଡ଼ା ଚଢ଼ିବାକୁ ଯିବ, ତେବେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଅପମାନ ହେବ, ପ୍ରଲୋଭନ ଦେଖାଇ ବା ବାଧ୍ୟ କରି ସ୍ତ୍ରୀକୁ ତା’ର ସ୍ୱଭାବଗତ ଜୀବନଧର୍ମରୁ ଅବିଚ୍ଛିନ୍ନ କରିବା ଦୋଷରେ ପୁରୁଷ ଦୋଷୀ ହେବ । ନିଜର ଘରକୁ ଶତ୍ରୁର ଆକ୍ରମଣରୁ ରକ୍ଷା କରିବାରେ ଯେତିକି ଯୋଗ୍ୟତା ନିହତ ଅଛି, ଘରଟିକୁ ସୁସଜ୍ଜିତ ଓ ସୁବ୍ୟବସ୍ଥିତ ରଖିବାରେ ମଧ୍ୟ ସେତିକି ଯୋଗ୍ୟତା ଓ ବାହାଦୁରୀ ରହିଚି ।

 

ଲକ୍ଷ ଲକ୍ଷ କୃଷିଜୀବୀଙ୍କୁ ମୁଁ ସେମାନଙ୍କର ସାଧାରଣ ଜୀବନନିର୍ବାହ ଭିତର ଦେଇ ଦେଖିଚି । ସେବାଗ୍ରାମରେ ମଧ୍ୟ ସେମାନଙ୍କର ଜୀବନଯାପନ ପ୍ରତି ମୁଁ ଲକ୍ଷ୍ୟ କରିଚି । ନିଜର ମୌଳିକ ପ୍ରକୃତି ଅନୁସାରେ ସେମାନେ ପରସ୍ପର ଭିତରେ କାମ ସବୁ ବାଣ୍ଟି ନେଇଚନ୍ତି, ଏଇକଥା ଉପରେ ପ୍ରଥମେ ମୋର ଦୃଷ୍ଟି ପଡ଼ିଚି । କୌଣସି ସ୍ତ୍ରୀ ତାଙ୍କ ଭିତରେ କମାର ବା ବଢ଼େଇ କାମ କରନ୍ତି ନାହିଁ । କିନ୍ତୁ ଉଭୟେ ଜମିରେ କାମ କରନ୍ତି, ଅବଶ୍ୟ ପୁରୁଷ ସାଧାରଣତଃ ବେଶି ଭିଡ଼କାମ ତକ କରିଥାଏ । ସ୍ତ୍ରୀ ଘର ଖବର ସବୁ ବୁଝେ । ଅବଶ୍ୟ ସେ ପରିବାରର ଉପାର୍ଜନାରେ ଅଳ୍ପ ବହୁତ ସାହାଯ୍ୟ କରେ, କିନ୍ତୁ ପ୍ରଧାନତଃ ପୁରୁଷ ଉପରେ କମାଇବାର ଦାୟିତ୍ୱ ଥାଏ ।

 

କର୍ମକ୍ଷେତ୍ରରେ ଏଇ ବିଭାଗକୁ ମାନିନେବାକୁ ହେବ, କିନ୍ତୁ ପ୍ରତ୍ୟେକର ଯେଉଁସବୁ ଯୋଗ୍ୟତା ଓ ସଂସ୍କାର ଦରକାର, ସେସବୁ ପ୍ରାୟ ଉଭୟ କ୍ଷେତ୍ରରେ ମିଳିଯିବ ।

 

କୌଣସି ଜଣେ ଲୋକ ପାଇଁ ହେଉ ବା ସମଗ୍ର ଜାତି ପାଇଁ ହେଉ, ଜୀବନର ପ୍ରତ୍ୟେକ କାର୍ଯ୍ୟକଳାପରେ ମୁଁ ସତ୍ୟ ଓ ଅହିଂସାର ବାଣୀ ଗ୍ରହଣ କରିବାକୁ କହିଚି । ସବୁପ୍ରକାର ସମସ୍ୟାର ସମାଧାନ ପାଇଁ ସେଇ ହେଉଚି ମୋର ଏକମାତ୍ର ଦାନ । ନାରୀ ଜାତି ଯେ ଏ ବିଷୟରେ ନିଶ୍ଚୟ ନେତୃତ୍ୱ ନେବ, ଅବଶ୍ୟ ଏଇ ଆଶା ମୋର ଅଛି । ମୁଁ ବିଶ୍ୱାସ କରୁଚି ଯେ, ମଣିଷ ଜାତିର କ୍ରମସଙ୍ଗଠନ କାର୍ଯ୍ୟରେ ନିଜର ଦାୟିତ୍ୱ ମୁଣ୍ଡାଇ ପାରିଲେ, ସେ ଆଉ ନିଜକୁ ପୁରୁଷଠାରୁ ସବୁବେଳେ ନ୍ୟୂନ ମନେ କରିବ ନାହିଁ । ଏହି କାମଟି ତୁଲାଇପାରିଲେ, ସେ ଏଇ ଆଧୁନିକ ତତ୍ତ୍ୱକୁ କେବେହେଲେ ସ୍ୱୀକାର କରି ନେବ ନାହିଁ ଯେ, ଯୌନ-ଅଭିଳାଷ ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରିତ କରେ । ମୋର ଆଶଙ୍କା ହେଉଚି, ଖୁବ୍‌ ସମ୍ଭବ ମୋର କହିବା କଥାଟି ଟିକିଏ ଗୋଳମାଳିଆ ହୋଇଗଲା । କିନ୍ତୁ ତାର ଠିକ୍‌ ଅର୍ଥ ସମସ୍ତେ ବୁଝିପାରିବେ ବୋଲି ମୋର ଆଶା । ଯେଉଁ ଲକ୍ଷ ଲକ୍ଷ ପୁରୁଷ ଯୁଦ୍ଧ କ୍ଷେତ୍ରରେ ଲଢ଼ାଇ କରୁଚନ୍ତି, ସେମାନେ ଯୌନଭୂତର ତାଡ଼ନାରେ ଟାଣିହୋଇ ଯୁଦ୍ଧକୁ ଯାଇଚନ୍ତି କି ନାହିଁ, ସେ କଥା ମୁଁ କହିପାରିବି ନାହିଁ । ବିଲରେ ଚାଷ କରୁଥିବା ଚାଷୀମାନେ ମଧ୍ୟ କେବେହେଲେ ଏ ଭୂତର ବଶବର୍ତ୍ତୀ ହୋଇ ନଥାନ୍ତି । କିନ୍ତୁ ୟା ବୋଲି ପ୍ରତ୍ୟେକ ସ୍ତ୍ରୀ ପୁରୁଷ ଭିତରେ ବଦ୍ଧମୂଳ ହୋଇ ରହିଥିବା ପ୍ରବୃତ୍ତି ଯେ ସେମାନଙ୍କଠାରେ ନାହିଁ, ସେ କଥା କହି ହେବ ନାହିଁ । ଆଜିକାଲିକା ଯୁଗର ଯୌନ ସାହିତ୍ୟ ପଢ଼ିଥିବା ଓ ଜାଣିଥିବା ଲୋକପରି ସେମାନଙ୍କ ମୁଣ୍ଡକୁ ଯେ ଏଇ ଯୌନଅଭିଳାଷ ଆଚ୍ଛନ୍ନ କରି ରଖି ନାହିଁ, ଏ କଥା ଦୃଢ଼କରି କୁହାଯାଇ ପାରିବ । କଠିନ ବାସ୍ତବଜୀବନ ଭିତରେ ଦିନ କଟେଇଲାବେଳେ ଏ ସବୁ ବିଷୟ ଭାବିବାକୁ କୌଣସି ପୁରୁଷ ବା ସ୍ତ୍ରୀର ସମୟ ନଥାଏ ।

 

ମୁଁ ଅନେକ ଥର ଲେଖିଚି ଯେ ନାରୀ ହେଉଚି ଅହିଂସାର ମୂର୍ତ୍ତିମତୀ ଦେବୀ । ଅହିଂସାର ଆଉ ଗୋଟିଏ ଅର୍ଥ ହେଉଚି ଅଶେଷ ପ୍ରେମ–ଏବଂ ସବୁପ୍ରକାର ଯାତନା ସହ୍ୟ କରିନେବାର ଅବାରିତ ଶକ୍ତି ହେଉଚି ଏଇ ଅଶେଷ ପ୍ରେମର ଅର୍ଥ । ପୁରୁଷର ଜନ୍ମଦାତ୍ରୀ ଜନନୀ, ସେଇ ନାରୀ ଛଡ଼ା ଏଇ ଗୁଣ କାହାଠାରେ ଅଧିକ ପୂର୍ଣ୍ଣ ହୋଇ ରହିଚି ? ସେ ନଅମାସ କାଳ ଶିଶୁକୁ ଗର୍ଭରେ ଧରି ରଖେ, ତାକୁ ସାର ଦେଇ ବଢ଼ାଏ ଏବଂ ଏଇ କଷ୍ଟ ସହିବାରେ ସେ ଅପାର ଆନନ୍ଦ ପାଏ । ଗର୍ଭ ଯନ୍ତ୍ରଣାଠାରୁ ଆଉ ଦାରୁଣ ଯନ୍ତ୍ରଣା କଣ ଅଛି ? କିନ୍ତୁ ନୂତନ ଜନ୍ମର ଆନନ୍ଦ ଓ ଆଶାରେ ସେ ସବୁ କଷ୍ଟ ପାଶୋରି ପକାଏ । ପିଲାଟିକୁ ଚନ୍ଦ୍ରକଳା ପରି ବଢ଼ାଇ କିଏ ଜନନୀପରି ଦିନ ଦିନ ଯାବତ୍‌ କଷ୍ଟ ବରଣ କରେ ? ସେଇ ଅନନ୍ତ ପ୍ରେମର ଧାରାକୁ ଆଜି ସମସ୍ତ ମଣିଷ ସମାଜ ଆଡ଼କୁ ଉଦ୍ଦିଷ୍ଟ କରିବାକୁ ହେବ, ସେ ଯେ କେବଳ ପୁରୁଷର ନିକୃଷ୍ଟ ଲାଳସାର ପୁଞ୍ଜି, ଏ କଥା ତାକୁ ଭୁଲିଯିବାକୁ ହେବ । କେବଳ ଏହାରି ଦ୍ୱାରା ସେ ଜନନୀ, ଲାଳୟିତ୍ରୀ ଓ ଜୀବନର ନୀରବ ବିଧାୟିତ୍ରୀ ହିସାବରେ ତାର ଗୌରବମୟ ଆସନ ଲାଭ କରିପାରିବ । ଶାନ୍ତି ପାଇବାର ବ୍ୟଗ୍ରତାରେ ମଣିଷ ଆଜି ଯୁଦ୍ଧରେ ପାଗଳ ହୋଇଯାଇଚି, କେବଳ ନାରୀ ତାର କାନରେ ଶାନ୍ତିର ବାଣୀ ଶୁଣାଇପାରିବ । ‘ସତ୍ୟାଗ୍ରହ’ର ଯଜ୍ଞରେ ନାରୀ ନେତୃତ୍ୱ ଦେଇ ପାରିବ, କାରଣ ସେଥିପାଇଁ ପୋଥି ପାରାୟଣ ଦରକାର ନାହିଁ । ଯେ ଅଟଳ ସାହସର ସହିତ କଷ୍ଟ ସହିପାରିବ ଓ ବିଶ୍ୱାସ ରଖିପାରିବ, ସେଇ କେବଳ ସତ୍ୟାଗ୍ରହ ଯୁଦ୍ଧରେ ସମସ୍ତଙ୍କୁ ବାଟ ଦେଖାଇ ନେଇ ଯାଇ ପାରିବ ।

 

ଅନେକ ବର୍ଷ ଆଗେ ମୁଁ ପୁନାର ସାସୁନ ଡାକ୍ତରଖାନାରେ ପୀଡ଼ିତ ହୋଇ ପଡ଼ିଥିଲି, ମୋର ଚିକିତ୍ସା କରୁଥିବା ଧାତ୍ରୀ ମୋତେ ଜଣେ ସ୍ତ୍ରୀର ଗଳ୍ପ କହିଥିଲା, ଯେ କି ନିଜ ଗର୍ଭରେ ଥିବା ସନ୍ତାନଟିର ଜୀବନ ବିପନ୍ନ କରି ନିଜେ କ୍ଳୋରୋଫର୍ମ ନେବାକୁ ରାଜି ହୋଇ ନ ଥିଲା । ତେଣୁ ଅସ୍ତ୍ରୋପଚାର କରିବାରେ ତାକୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା । ତା’ପକ୍ଷରେ ସନ୍ତାନ ବାତ୍ସଲ୍ୟ କେବଳ ମୋହ କରିବାର ଏକମାତ୍ର ସାଧନ (Anaesthetic) ଥିଲା–ସନ୍ତାନଟିକୁ ବଞ୍ଚାଇବାକୁ ସେ ଯେ କୌଣସି କଷ୍ଟ ବରଣ କରିନେବାକୁ ତିଆର ଥିଲା । ଯେଉଁ ନାରୀଜାତି ଭିତରେ ଏପରି ଆଦର୍ଶ ଉଦାହରଣମାନ ରହିଚି, ସେଇ ନାରୀ ଜାତି ଯେପରି ନିଜର ନାରୀତ୍ୱକୁ ଘୃଣା କରି ନ ଶିଖେ, ବା ପୁରୁଷ ଜନ୍ମ ନ ପାଇଥିବାରୁ ନିଜର ଭାଗ୍ୟକୁ ନିନ୍ଦା ନ କରେ, ଉକ୍ତ ଆଦର୍ଶ ନାରୀ କଥା ମନେ ପଡ଼ିଲେ, ସ୍ତ୍ରୀ ଜାତିର ଅଭୁତ ଶକ୍ତି ପ୍ରତି ମୋର ଈର୍ଷା ଜାତ ହୁଏ । ମୁଁ ତ କହିବି, କାହିଁକି ନାରୀ ଜନ୍ମ ପାଇଲା ନାହିଁ ବୋଲି ପୁରୁଷର ବେଶି ଦୁଃଖ କରିବା କଥା । କିନ୍ତୁ ଏସବୁ ବ୍ୟର୍ଥ ଇଚ୍ଛାରେ କି ଲାଭ ? ଆମେ ଯିଏ ଯାହା ହୋଇ ଜନ୍ମ ପାଇଚ, ସେଇଥିରେ ଆମେ ସନ୍ତୁଷ୍ଟ ରହିବା ଓ ଆମ ଉପରେ ନିର୍ଦ୍ଦିଷ୍ଟ ଥିବା କର୍ତ୍ତବ୍ୟ କରିଯିବା ।

ହରିଜନ, ୨୪.୦୨.୦୪

Image

 

ନାରୀ ଓ ଯୁଦ୍ଧୋତ୍ସୁକତା

 

ଇଉରୋପର ଅନେକ ସଭାରେ, ସ୍ତ୍ରୀମାନେ ସମର–ଉତ୍ସୁକତା ବିରୁଦ୍ଧରେ କିପରି କାର୍ଯ୍ୟ କରିପାରିବେ, ଏ ବିଷୟରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଇତାଲୀର ଏକ ଘରୋଇ ଆଲୋଚନାରେ ଗାନ୍ଧିଜୀଙ୍କୁ ପ୍ରଶ୍ନ କରାଗଲା,–‘‘ଭାରତର ନାରୀସମାଜଠାରୁ ଇତାଲୀର ରମଣୀମାନଙ୍କର କଣ ଶିଖିବାର ଅଛି ?’’

 

ପାରିସ୍‌ରେ ଗାନ୍ଧିଜୀ କହିଥିଲେ–‘‘ନାରୀ ନ୍ୟୂନତର ଯୌନର ଅନ୍ତର୍ଗତ, ଏଇ ଭାବନାକୁ ମନରୁ ଦୂର କରିଦେଇ ପାରିଲେ ଯୁଦ୍ଧ ବନ୍ଦ କରିବା ଦିଗରେ ନାରୀମାନେ ଯେ ପୁରୁଷମାନଙ୍କଠାରୁ ଯଥେଷ୍ଟ ବେଶି କାମ କରିପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ । ଆପଣମାନେ ମନକୁ ମନ ପଚାରନ୍ତୁ, ଯଦି ଏ ଦେଶର ସୈନିକ ଓ ସେନାପତିମାନଙ୍କର ସ୍ତ୍ରୀ, କନ୍ୟା ଓ ମା’ମାନେ ଯୁଦ୍ଧକାର୍ଯ୍ୟରେ କୌଣସି ପ୍ରକାରର ଭାଗ ନେବାକୁ ଅସ୍ୱୀକାର କରିଦିଅନ୍ତି, ତେବେ ସେମାନେ କ’ଣ କରିବେ ?’’

 

ଲୁମେନ୍‌ରେ ସେ କହିଥିଲେ–‘‘ଇଉରୋପର ନାରୀସମାଜକୁ ମୋର ବାର୍ତ୍ତା ଦେଇ ଯିବାକୁ ଆପଣମାନେ ମୋତେ ଅନୁରୋଧ କରିଚନ୍ତି । ମୁଁ ଜାଣେ ନା, ସେ ସାହସ ମୋର ଅଛି କି ନାହିଁ । ସେମାନଙ୍କର ଭର୍ତ୍ସନାର ପାତ୍ର ନ ହୋଇ ମୋତେ ଯଦି କିଛି ବାଣୀ ଦେଇ ଯିବାକୁ ହୁଏ, ତେବେ ଗଲା ବର୍ଷ ଭାରତର ନାରୀମାନେ ଯେମିତି ଗୋଟାଏ ପ୍ରଳୟ ଢେଉ ପରି ମାତି ଉଠିଲେ, ମୁଁ ଆପଣମାନଙ୍କୁ ସେଇ ପଥ ଅନୁକରଣ କରିବାକୁ ପରାମର୍ଶ ଦେବି । ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ରହିଚି ଯେ କେବଳ ନାରୀମାନଙ୍କ ଦ୍ୱାରାହିଁ ୟୁରୋପ ଅହିଂସାର ସାର ମର୍ମ ହୃଦୟଙ୍ଗମ କରିପାରିବ-। ମୋ ଦୃଷ୍ଟିରେ ନାରୀ ହେଉଚି ଆତ୍ମତ୍ୟାଗର ପ୍ରତିମୂର୍ତ୍ତି, କିନ୍ତୁ ବଡ଼ ଦୁଃଖର କଥା, ପୁରୁଷଠାରୁ ତା’ଭିତରେ ଯେଉଁ ଅଧିକ ଅଦ୍ଭୁତ ଗୁଣମାନ ନିହିତ ରହିଚି, ସେସବୁକୁ ଆଜି ଚିହ୍ନିପାରୁ ନାହିଁ । ଟଲଷ୍ଟୟଙ୍କ ଭାଷାରେ କହିବାକୁ ଗଲେ ସେମାନେ ପୁରୁଷର କୁହୁକ ଆବେଶ ଭିତରେ ପଡ଼ି ଯାଇଚନ୍ତି । ସେମାନେ ଯଦି ଅହିଂସା ଭିତରେ ଥିବା ଶକ୍ତିର ପରିଚୟ ପାଇପାରିବେ, ତେବେ ନିଜକୁ ପୁରୁଷମାନଙ୍କଠାରୁ କେବେହେଲେ ଊଣା ବୋଲି ମନେ କରିବେ ନାହିଁ ।

 

ଇଟାଲୀର ଗୋଟିଏ ନାରୀସଭାରେ ଗାନ୍ଧିଜୀ କହିଥିଲେ–‘‘ଅହିଂସା ସଂଗ୍ରାମରେ ଗୋଟିଏ ଚମତ୍କାର କଥା ହେଉଚି ଯେ, ନାରୀମାନେ ଏଥିରେ ସମାନ ଭାବରେ ଭାଗ ନେଇ ପାରିବେ । କିନ୍ତୁ ହିଂସାଯୁଦ୍ଧରେ ସ୍ତ୍ରୀମାନେ ଏ ସୁବିଧା ପାଇପାରନ୍ତି ନାହିଁ । ଆମ ଦେଶର ଗତ ଅହିଂସା ଯୁଦ୍ଧରେ ନାରୀମାନଙ୍କର କାମ ପୁରୁଷମାନଙ୍କଠାରୁ ବଳିଗଲା । ଏହାର କାରଣ ଆପଣମାନେ ସହଜରେ ଅନୁମାନ କରି ପାରୁଥିବେ । ଅହିଂସାତ୍ମକ ଯୁଦ୍ଧରେ କଷ୍ଟ ସହିଷ୍ଣୁତା ସବୁଠାରୁ ବେଶୀ ଦରକାର ଏବଂ ନାରୀଠାରୁ କାହାର ବେଶୀ କଷ୍ଟ ସହ୍ୟ କରିବାର ଶକ୍ତି ଅଛି ? ଭାରତର ନାରୀମାନେ ଆଜି ଜାତିର କାର୍ଯ୍ୟସାଧନ ପାଇଁ ପର୍ଦ୍ଦାର ଅନ୍ତରାଳରୁ ପଦାକୁ ବାହାରି ଆସିଚନ୍ତି; ପରିବାର ଚଳାଇବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ଦେଶର ଆହ୍ୱାନ ଆସିଚି ବୋଲି ସେମାନେ ବୁଝି ପାରିଚନ୍ତି । ସେମାନେ ଲୁଣ, ମାରିଚନ୍ତି, ବିଦେଶୀ ଲୁଗା ଗୋଦାମ ଓ ଗଞ୍ଜେଇ ଅଫିମ ଦୋକାନରେ ପିକେଟିଂ କରିଚନ୍ତି ଏବଂ କ୍ରେତା ବିକ୍ରେତା ଉଭୟଙ୍କର ମନକୁ ପରିବର୍ତ୍ତିତ କରିବା ପାଇଁ ଚେଷ୍ଟା କରିଚନ୍ତି । ଘୋର ଗଭୀର ରାତିରେ ଉଦାର ସାହାସର ସହିତ ମଦୁଆମାନଙ୍କ ପଛେ ପଛେ ମଦଖଟିକୁ ଯାଇଚନ୍ତି । ସେମାନେ ଜେଲ ଯାଇଚନ୍ତି, ଲାଠି ମାଡ଼ ଖାଇଚନ୍ତି, ଯାହାକି ଖୁବ୍ କମ୍ ପୁରୁଷ କରି ପାରିଚନ୍ତି । ଇଉରୋପର ରମଣୀମାନେ ଯଦି ସେମାନଙ୍କର ପୁରୁଷମାନଙ୍କର ନିଷ୍ଠୁରତାରେ ତାଳ ମିଶାଇବାକୁ ଚାହୁଁ ଥାଆନ୍ତି, ତେବେ ଭାରତର ସ୍ତ୍ରୀ ଜାତିଠାରୁ ସେମାନଙ୍କର କିଛି ଶିଖିବାର ନାହିଁ । ନିଜର ପତି ପୁତ୍ରଙ୍କ ମଣିଷ ମାରିବାକୁ ପଠାଇବାରେ ଆନନ୍ଦ ଅନୁଭବ କରିବା ଓ ସେମାନଙ୍କର ସାହସ ପାଇଁ ଧନ୍ୟବାଦ ଦେବା-ଏସବୁ ମନୋଭାବ ଆଜି ଇଉରୋପର ନାରୀମାନଙ୍କୁ ପରିତ୍ୟାଗ କରିବାକୁ ପଡ଼ିବ ।

ମହାଦେବ ଦେଶାଇ

India’s case for Swaraj

Image

 

ନାରୀ ଓ ତା’ର କର୍ତ୍ତବ୍ୟ

 

ପ୍ରଶ୍ନ–ଆପଣ କହିଚନ୍ତି, ‘‘ଗୃହିଣୀ ହିସାବରେ ନିଜର ଦାୟିତ୍ୱସବୁ ଛାଡ଼ିଦେଇ ଦାଣ୍ଡକୁ ବାହାରିଲେ, ଦେଶ ରକ୍ଷାପାଇଁ ବନ୍ଧୁକ କାନ୍ଧରେ ପକାଇ ଯୁଦ୍ଧକ୍ଷେତ୍ରକୁ ଗଲେ, ସ୍ତ୍ରୀ ଓ ପୁରୁଷ ଉଭୟଙ୍କର କ୍ଷତି ହେବବୋଲି ମୋର ଆଶଙ୍କା । ଏପରି ହେଲେ ମଣିଷ ବର୍ବର ହୋଇଯିବ ଓ ତା’ର ଅଧୋଗତି ଆରମ୍ଭ ହେବ ।’’ କିନ୍ତୁ ବିଲବାଡ଼ି ଓ କାରଖାନାରେ ଯେଉଁ ଲକ୍ଷ ଲକ୍ଷ ସ୍ତ୍ରୀ ଲୋକ କାମ ଖଟୁଚନ୍ତି, ସେମାନଙ୍କ ବିଷୟରେ ଆପଣ କଣ କହୁଚନ୍ତି ? ଗୃହସଂସାର ଛାଡ଼ି ରୋଜିନା ଉପାର୍ଜନ କରିବାପାଇଁ ସେମାନଙ୍କୁ ପରିସ୍ଥିତି ବାଧ୍ୟ କରୁଚି । ଏଇ ଯନ୍ତ୍ରବ୍ୟବସ୍ଥା ଉଠାଇ ଦେଇ ଆପଣ କଣ ପ୍ରସ୍ତର ଯୁଗକୁ ଲେଉଟି ଯିବାକୁ କହିବେ ? ତା’ ଦ୍ୱାରା କଣ ମଣିଷ ବର୍ବର ହୋଇଯିବ ନାହିଁ କି ? ତା’ର ଅଧୋଗତି ହେବ ନାହିଁ କି ? ଯେଉଁ ବ୍ୟବସ୍ଥାରେ ବି ସ୍ତ୍ରୀମାନଙ୍କୁ କାରଖାନାରେ ଖଟାଇବା ପାପର ସ୍ଥାନ ନ ଥିବ, ଆପଣ ଏପରି କିଛି ନୂଆ ସମାଜର କଳ୍ପନା କରୁଚନ୍ତି କି ?

 

ଉତ୍ତର–ଯଦି ଲକ୍ଷ ଲକ୍ଷ ସ୍ତ୍ରୀଲୋକ ଘରସଂସାର ଛାଡ଼ି ଜୀବିକା ନିର୍ବାହପାଇଁ କାମ କରିବାକୁ ବାଧ୍ୟ ହେଉଚନ୍ତି, ତେବେ ତାହା ସମାଜର ଏକ ମସ୍ତବଡ଼ ଭୁଲ । କିନ୍ତୁ ଏ ଭୁଲ, ବନ୍ଧୁକ ଧରି ଯୁଦ୍ଧ କରିବାକୁ ଯିବାଠାରୁ ବେଶି ଗୁରୁତର ନୁହେ । କୌଣସି ପରିଶ୍ରମରେ ବର୍ବରତାର ମଞ୍ଜି ପୋତାହୋଇ ନାହିଁ । ଘର ଖବର ତୁଲାଇବା ସଙ୍ଗେ ସଙ୍ଗେ ସ୍ତ୍ରୀମାନେ ଯଦି ସ୍ୱେଚ୍ଛାରେ କିଛି ବିଲ କାମ କରନ୍ତି, ତେବେ ତା’ ଦ୍ୱାରା ମଣିଷ ବର୍ବର ହୋଇଯିବାର କୌଣସି କାରଣ ମୁଁ ଦେଖିପାରୁ ନାହିଁ । ମୁଁ ମନେ ମନେ ଯେଉଁ ନୂଆ ସମାଜ ବ୍ୟବସ୍ଥାର ଚିତ୍ର କରୁଚି, ସେଥିରେ ସମସ୍ତେ ନିଜର ଶକ୍ତି ଅନୁସାରେ ପରିଶ୍ରମ କରିବେ ଓ ପ୍ରତ୍ୟେକକୁ ତା’ର ପରିଶ୍ରମ ଅନୁଯାୟୀ ଉଚିତ ମଜୁରି ମିଳିବ-। ସେହି ନୂତନ ସମାଜ–ଯୋଜନାର ସ୍ତ୍ରୀମାନେ କେବଳ ସାମୟିକ ପରିଶ୍ରମ କରିବେ, ଗୃହସଂସାର ତୁଲେଇବା ସେମାନଙ୍କର ପ୍ରଧାନ କାର୍ଯ୍ୟ ହୋଇ ରହିବ । ମୁଁ ଯେଉଁ ନୂଆଯୁଗର ସ୍ୱପ୍ନ ଦେଖୁଚି, ସେଥିରେ ବନ୍ଧୁକର କୌଣସି ସ୍ଥାୟୀ ସ୍ଥାନ ନାହିଁ, କେବଳ ପୁରୁଷମାନେହିଁ ତାକୁ ବ୍ୟବହାର କରି ପାରିବେ । ସମାଜରେ ବନ୍ଧୁକ ବ୍ୟବହୃତ ହେଉଥିଲା ପର୍ଯ୍ୟନ୍ତ ତାକୁ ଗୋଟିଏ ଆବଶ୍ୟକ ଅମଙ୍ଗଳ ବୋଲି ମାନି ନେବାକୁ ପଡ଼ିବ । କିନ୍ତୁ ମୁଁ କେବେ ହେଲେ ସେ ଅମଙ୍ଗଳକୁ ସ୍ତ୍ରୀମାନଙ୍କ ପାଖକୁ ସଂକ୍ରାମିତ ହେବାକୁ ଦେବି ନାହିଁ ।

ହରିଜନ, ୧୬.୦୩.୪୦

Image

 

ନାରୀର ବିଶେଷ କର୍ମଭାର

 

‘‘ଇଉରୋପର ଉପସ୍ଥିତ ସଂକଟ ସମ୍ବନ୍ଧରେ ଆପଣଙ୍କର ଲେଖାଗୁଡ଼ିକ ମୁଁ ଖୁବ୍ ଉତ୍ସାହରେ ପଢ଼ିଚି । ପ୍ରକୃତରେ ବର୍ତ୍ତମାନ ଅବସ୍ଥାରେ ଇଉରୋପ ଆପଣଙ୍କର ବାଣୀ ଦରକାର କରୁଚି । ଯେତେବେଳେ ସମଗ୍ର ମାନବ-ସମାଜ ଧ୍ୱଂସର ଅତଡ଼ା ଉପରେ ଆସି ପହଞ୍ଚିଲାଣି, ସେତେବେଳେ ଆପଣ ନୀରବ ରହି ପାରିଥାନ୍ତେ କିପରି ?’’

‘‘ପୃଥିବୀ କଣ ଆପଣଙ୍କ କଥାକୁ ଧ୍ୟାନ ଦେବ ? ସେହି ହେଉଚି ବର୍ତ୍ତମାନର ପ୍ରଶ୍ନ ।’’

‘‘ଇଂଲଣ୍ଡର ବନ୍ଧୁମାନେ ଯେଉଁସବୁ ଚିଠି ଲେଖୁଚନ୍ତି, ସେଇଥିରୁ ବିଶ୍ୱାସ କରାଯାଉଚି ଯେ ଉକ୍ତ ଭୀଷଣ ସପ୍ତାହଟିରେ ଇଂଲଣ୍ଡର ଅଧିବାସୀମାନେ ନାନା ନିର୍ଯ୍ୟାତନା ଭୋଗ କରିଥିଲେ । ଠିକ୍ ଏଇକଥା ସାରା ଦୁନିଆପାଇଁ ମଧ୍ୟ ଖାପ୍ ଖାଇଯାଉଚି । ବର୍ତ୍ତମାନ ଯୁଗର ଯୁଦ୍ଧ, ତା’ର ନିଷ୍ଠୁର ପଶୁକୌଶଳ ଓ ତା’ର ପରିଣାମରେ ଘଟୁଥିବା ନିର୍ମମ ହତ୍ୟା ଓ ଅମାନୁଷିକତା-ଏଇସବୁ ଭାବନା ପ୍ରତ୍ୟେକ ଲୋକର ମନକୁ ଦୋହଲାଇ ଦେଇଚି । ‘ଯୁଦ୍ଧ ବନ୍ଦ ହୋଇଯାଇଚି ଶୁଣି ଦେଶସାରା ସମସ୍ତେ ଯେଉଁ ଆଶ୍ୱସ୍ତିର ନିଃଶ୍ୱାସ ପକାଇଥିଲେ, ସମସ୍ତେ ଯେପରି ଅନ୍ତରତମ ପ୍ରଦେଶରୁ ଭଗବାନଙ୍କୁ ନିଜ ନିଜର କୃତଜ୍ଞତା ଜଣାଇଥିଲେ, ମଲା ପର୍ଯ୍ୟନ୍ତ ସେଇକଥା ମୁଁ ଭୁଲି ପାରିବି ନାହିଁ-।’ ଜଣେ ଇଂରେଜ ବନ୍ଧୁ ଏଇ କଥା ଲେଖିଚନ୍ତି । ଲୋକମାନେ ଯୁଦ୍ଧକୁ ଘୃଣା କରନ୍ତି କାହିଁକି-? ଯୁଦ୍ଧରେ ଅକଥନୀୟ କଷ୍ଟ ଓ ଅସୁବିଧା ଭୋଗିବାକୁ ପଡ଼େ, ନିଜର ପ୍ରିୟ ସ୍ୱଜନମାନଙ୍କୁ ଚିରଦିନପାଇଁ ହରାଇ ବସିବାର ଭୟ ଥାଏ, ଶତ୍ରୁ ହାତରେ ଦେଶର ସମ୍ମାନ ହାନି ହୁଏ–ଏଇସବୁ କାରଣରୁ କ’ଣ ଲୋକେ ଯୁଦ୍ଧର ନାଁ ଶୁଣିଲେ ଘୃଣାରେ ପୂରି ଉଠନ୍ତି-? ଗୋଟାଏ ଜାତିର ଅସମ୍ମାନ କରାହୋଇ ଯୁଦ୍ଧକୁ ଏଡ଼ାଇ ଦିଆଯାଇ ପାରିଚି, ଏଥିଲାଗି କଣ ଆମେ ଆନନ୍ଦ ଅନୁଭବ କରିବା ? ଯଦି ଆମ ଜାତିକୁ ସେଇ ଆତ୍ମ ସମ୍ମାନ ଟିକକ ବଳିଦେବାକୁ ପଡ଼ିଥାନ୍ତା, ତେବେ ଆମେ କଣ ଏଇପରି ଆନନ୍ଦିତ ହୋଇଥାନ୍ତୁ ? ଯୁଦ୍ଧ ଦ୍ୱାରା ଦେଶ ଭିତରେ କଳି ମୀମାଂସା ହୋଇ ପାରିବ ନାହିଁ, ଏଇଥିପାଇଁ କଣ ଆମେ ଯୁଦ୍ଧକୁ ଘୃଣା କରୁ ? ଆମେ ଯେ ସମସ୍ତେ ଯୁଦ୍ଧର ନାଁ ଶୁଣି ଆତଙ୍କିତ ହୋଇପଡ଼ୁ, ଏଇ ଆତଙ୍କରୁ ଆଉ କଣ ଘୃଣାଭାବ ଜାତ ହୁଏ କି ? ପୃଥିବୀକୁ ଯୁଦ୍ଧକୁ ସମୂଳେ ଲୋପ କରିବାକୁ ହେଲେ ଏଇସବୁ ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଜାଣି ରଖିବା ଅତ୍ୟନ୍ତ ଆବଶ୍ୟକ ।

ଯୁଦ୍ଧସଙ୍କଟ ଦୂର ହୋଇଗଲା ପରେ ଆମେ ବର୍ତ୍ତମାନ କଣ ସବୁ ଦେଖିବାକୁ ପାଉଛୁ ? ଆଗ ଅପେକ୍ଷା ଆହୁରି ଜୋରରେ ସମସ୍ତେ ଅସ୍ତ୍ରଶସ୍ତ୍ର ଜମା କରିବାରେ ଲାଗିପଡ଼ିଲେଣି, ଦେଶରେ ଯାହା ଯେତେ ମିଳୁଚି, ସବୁ ଆଣି ସୁସଜ୍ଜିତ ଓ ସୁଚିନ୍ତିତ ଭାବରେ ଠୁଳକରି ରଖାଯାଉଚି; କାଳେ ପୁଣି ଯୁଦ୍ଧ ଲାଗିଯିବ, ସେଥିପାଇଁ ସମସ୍ତେ ପୁରୁଷ, ସ୍ତ୍ରୀ ଅର୍ଥ କୌଶଳ ଓ ମଥା ସବୁ ସଜବାଜ କରି ରଖିଲେଣି । ‘ଯୁଦ୍ଧ ବନ୍ଦ କରିବାକୁ ହେବ’, ଏଇ ପଦକ ଆଜି କେହି ଜୋର ଦେଇ କହିପାରୁ ନାହିଁ । ଏଇଥିରୁ କଣ ବୁଝା ଯାଉନାହିଁ କି ଯେତେ ଅସ୍ଥାୟୀ ପାଚେରୀ ବସାଇଲେ ମଧ୍ୟ ଯମଛଞ୍ଚାଣ ପରି ଯୁଦ୍ଧ ଆମ ମୁଣ୍ଡଉପରେ ବୁଲୁଚି । ଜଣେ ନାରୀ ହିସାବରେ ମୋତେ କହିବାକୁ ଲାଜ ମାଡ଼ୁଚି ଯେ, ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନାରୀର ଯେତିକି ଦାୟିତ୍ୱ ରହିଚି, ସେ ସେତକ ଆଜିପର୍ଯ୍ୟନ୍ତ ତୁଲାଇ ପାରିନାହିଁ । ସ୍ତ୍ରୀମାନଙ୍କୁ ନେଇ ସହାୟକାରୀ ସେନାବାହିନୀ ଗଢ଼ାଯାଉଚି, ସ୍ତ୍ରୀମାନେ ସ୍ୱେଚ୍ଛାରେ ରଣକ୍ଷେତ୍ରକୁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ଯୁଦ୍ଧ କରିବାକୁ ଯାଉଚନ୍ତି, ଏକଥା ପଢ଼ି ଓ ଶୁଣି ମୋ ମନରେ ବଡ଼ ଦୁଃଖ ହେଉଚି । ତଥାପି ଯୁଦ୍ଧସମୟରେ ଯେ ପ୍ରତ୍ୟେକ ନାରୀର ହୃଦୟ ମନୋବ୍ୟଥାରେ ଆର୍ତ୍ତନାଦ କରିଉଠେ, ସେମାନଙ୍କର ଅନ୍ତରାତ୍ମାରେ ଦାରୁଣ ଆଘାତ ଲାଗେ, ଏକଥା ସହଜରେ ସମସ୍ତେ ବୁଝିପାରିବେ । କିନ୍ତୁ ଆମେ ଯେ ବର୍ଷ ବର୍ଷ ଧରି ଆମପାଇଁ ନିର୍ଦ୍ଦିଷ୍ଟ ହୋଇ ରହିଥିବା ବାଟରେ ଯାଇ ପାରିନାହୁଁ, ତା’ର କାରଣ କଣ ? ଘୃଣ୍ୟ ନିର୍ମମ ପଶୁବଳ ପାଖରେ ବିନାଆପତ୍ତିରେ ଆମେ କିପରି ମସ୍ତକ ନତ କରିପାରିଚୁ ? ଆମର ଆଧ୍ୟାତ୍ମିକ ବିକାଶଦୃଷ୍ଟିରୁ ଏହା ଅତି ପରିତାପର ବିଷୟ । ଆମ ପାଇଁ ଯେଉଁ ମହାକ୍ଷେତ୍ରରୁ ଡାକରା ଆସୁଚି, ସେ ଡାକରା ଆମେ ବୁଝିପାରୁନାହୁଁ । ମୋର ଦୃଢ଼ ବିଶ୍ୱାସ ହେଉଚି ଯେ, ନାରୀମାନେ ଯଦି ଅହିଂସାର ଶକ୍ତି ଓ ମହିମାକୁ ଅନ୍ତରର ସହିତ ବୁଝିପାରିବେ, ତେବେ ପୃଥିବୀରେ ଚିରଶାନ୍ତିର ପ୍ରତିଷ୍ଠା ହୋଇପାରିବ ।

‘‘ଆପଣ କାହିଁକି ଆମକୁ–ଭାରତର ନାରୀସମାଜକୁ–ସଙ୍ଗଠିତ କରୁନାହାନ୍ତି ? ଆମକୁ ଆପଣଙ୍କର ତରବାରୀ ହିସାବରେ ଆପଣ କାହିଁକି ବ୍ୟବହାର କରୁନାହାନ୍ତି ? ଏଇ ଉଦ୍ଦେଶ୍ୟରେ ଆପଣ ଥରେ ସମସ୍ତ ଦେଶ ବୁଲିଆସନ୍ତୁ; ମୁଁ ଏକଥା ଅନେକଥର ଆଶାକରିଚି । ମୋର ବିଶ୍ୱାସ ଆପଣ ସମସ୍ତଙ୍କଠାରୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ପାଇବେ; କାରଣ ଭାରତୀୟ ନାରୀ ସବୁକଥା ଠିକ୍ ଭାବରେ ବିଚାର କରି ଜାଣେ ଏବଂ ବୋଧହୁଏ ଆମ ଦେଶର ସ୍ତ୍ରୀମାନଙ୍କ ପରି ପୃଥିବୀର ଅନ୍ୟ କୌଣସି ଦେଶର ନାରୀମାନେ ଏତେ ତ୍ୟାଗ ଓ ଆତ୍ମୋତ୍ସର୍ଗର ଉଦାହରଣ ଦେଖାଇ ପାରିନାହାନ୍ତି । ଆପଣ ଆମକୁ ଠିକ୍‍ଭାବରେ ଗଢ଼ିପାରିଲେ ଆମେ ବୋଧହୁଏ ଆମର ପୂର୍ଣ୍ଣ ସାମର୍ଥ୍ୟ ଦେଇ ନିର୍ଯାତିତ ଜଗତକୁ ଶାନ୍ତିର ମାର୍ଗ ଦେଖାଇପାରିବୁଁ । ଏକଥା ଦିନେ ସମ୍ଭବ ନ ହେବ ବୋଲି କିଏ କହିପାରିବ ?’’ –ଜଣେ ନାରୀ ।

ମନରେ ଟିକିଏ ଦ୍ୱିଧା ରଖି ମୁଁ ଚିଠିଟିକୁ ଛାପିବାକୁ ଦେଇଚି । ନାରୀଜାତିକୁ ମୁଁ ଅନୁପ୍ରେରିତ କରିପାରିବି ବୋଲି ପତ୍ରପ୍ରେରିକାଙ୍କର ଯେଉଁ ବିଶ୍ୱାସ ରହିଚି, ସେଇଟା ମୋତେ ଖୋସାମଦ ପରିଲାଗୁଚି । କିନ୍ତୁ ମୁଁ ନମ୍ର ଭାବରେ ମୋର ଶକ୍ତି କଳିନେଇ ପାରିବି । ଦେଶ ଗସ୍ତକରି ବୁଲିବାର ଦିନ ମୋର ଚାଲି ଗଲାଣି ବୋଲି ମୋର ମନେ ହେଉଚି । କେବଳ ଲେଖା ଲେଖି କରି ମୁଁ ଦେଶପାଇଁ ଯାହା କିଛି କରି ପାରିବି । କିନ୍ତୁ ନୀରବ ପ୍ରାର୍ଥନାର ସଫଳତା ଉପରେ ମୋର ବିଶ୍ୱାସ ଦିନକୁ ଦିନ ଅଧିକରୁ ଅଧିକତର ହେଉଚି । ଏହା ହେଉଚି ଏକ ଉଚ୍ଚତର କୋଟିର କଳା–ଏଥିପାଇଁ ଅତି ନିର୍ମଳ କାର୍ଯ୍ୟନିଷ୍ଠା ଦରକାର । ମୁଁ ବିଶ୍ୱାସ କରେ ଯେ ଶ୍ରେଷ୍ଠ ଅହିଂସାର ଆଦର୍ଶ ଦେଖାଇବାର ଦାୟିତ୍ୱ ନାରୀଜାତି ଉପରେ ନିହିତ ରହିଚି । କିନ୍ତୁ ଜଣେ ପୁରୁଷ କାହିଁକି ନାରୀମାନଙ୍କର ହୃଦୟରେ ପ୍ରେରଣା ସୃଷ୍ଟି କରିବାକୁ ଯିବ ? ପୁରୁଷ ହିସାବରେ ନୁହେଁ, ମାତ୍ର ଅହିଂସାକୁ ସମୂହ ପ୍ରୟୋଗ ପାଇଁ ସର୍ବଶ୍ରେଷ୍ଠ ଜ୍ଞାନ ଅର୍ଜନ କରିଥିବା (ମୁଁ ଭାବୁଚି) ଜଣେ ଲୋକ ହିସାବରେ ଯଦି ମୋତେ ଉକ୍ତ ନିବେଦନ କରାଯାଇଥାଏ, ତେବେ ମୁଁ କହିବି ଯେ, ଭାରତର ନାରୀମାନଙ୍କୁ ଅହିଂସାର ନୀତି ପ୍ରଚାର କରି ବୁଲିବାକୁ ମୁଁ ଭିତରୁ କୌଣସି ଆହ୍ୱାନ ପାଉନାହିଁ । ମୋ ଭିତରେ ସେ କାମ କରିବାକୁ ପ୍ରବୃତ୍ତିର ଅଭାବ ଅଛି ବୋଲି ଯେ ମୁଁ ତାଙ୍କର ନିବେଦନ ରକ୍ଷା କରିପାରୁ ନାହିଁ, ଏକଥା ଯେପରି ପତ୍ରପ୍ରେରିକା ନ ବୁଝନ୍ତି । ମୁଁ ଭାବୁଚି ଯେ କଂଗ୍ରେସବାଲାମାନେ ଯଦି ଅହିଂସା ଉପରେ ଅବିଚଳିତ ଆସ୍ଥା ରଖିଥାନ୍ତି ଏବଂ ପୂର୍ଣ୍ଣ ବିଶ୍ୱାସରେ କାର୍ଯ୍ୟକ୍ଷେତ୍ରରେ ସେଇ ଅହିଂସାର ପ୍ରୟୋଗ କରନ୍ତି, ତେବେ ନାରୀମାନେ ନିଶ୍ଚୟ ସେଇ ଅହିଂସା ଧର୍ମରେ ଦୀକ୍ଷିତ ହୋଇ ପଡ଼ିବେ । ଏପରି ହୁଏତ ଦିନ ଆସିପାରେ ଯେ, ତାଙ୍କରି ଭିତରୁ କେହି ଅହିଂସାର ମାର୍ଗରେ ମୋତେ ଟପିଯାଇପାରେ । କାରଣ ଅହିଂସାର ଗୂଢ଼ତତ୍ତ୍ୱ ଅନୁସନ୍ଧାନ କରି ଦମ୍ଭର ସହିତ ତାକୁ କାର୍ଯ୍ୟରେ ପ୍ରୟୋଗ କରିବାର ଶକ୍ତି ନାରୀଠାରେ ଅଧିକ ପରିମାଣରେ ରହିଚି । ତ୍ୟାଗର ସାହସ ଦେଖାଇବାରେ ପୁରୁଷ କେବେହେଲେ ନାରୀକୁ ବଳି ଯାଇ ପାରିବ ନାହିଁ ଏବଂ ନାରୀ କେବେହେଲେ ପୁରୁଷର ପାଶବିକ ଦାମ୍ଭିକତା ଦେଖାଇ ପାରିବ ନାହିଁ ।

ହରିଜନ, ୦୫.୧୧.୩୮

Image

 

ଜଣେ ବନ୍ଧୁଙ୍କର ପ୍ରଶ୍ନ

 

ଜଣେ ବନ୍ଧୁ କେତେଗୁଡ଼ିଏ ଜଟିଳ ପ୍ରଶ୍ନ ଲେଖି ମୋ ପାଖକୁ ପଠାଇ ଦେଇଛନ୍ତି । ଅବଶ୍ୟ ତାଙ୍କର ବିଶ୍ୱାସ ଅଛି ଯେ, ମୁଁ ଠିକ୍‌ ଭାବରେ ଚିନ୍ତା ଓ ବିବେଚନା କରି ଏଗୁଡ଼ିକର ଉତ୍ତର ଦେଇପାରିବି । କିନ୍ତୁ ହୁଏତ ନିଜର ଅଧିକାରସବୁକୁ ଆଣ୍ଟକରି ମାଡ଼ି ବସିଥିବା ଅନେକ ସ୍ୱାମୀ ଏସବୁଥିରେ ଏକମତ ହେବେ ନାହିଁ ଓ ଦୃଢ଼ ପ୍ରତିବାଦ କରିବେ । ସେଥିପାଇଁ ମୁଁ ଭାବୁଚି ଏସବୁର ଉତ୍ତର ଦେବାକୁ ନ ପଡ଼ିଥିଲେ ମୁଁ ଖୁସି ହୋଇଥାନ୍ତି । କିନ୍ତୁ ଆପଣା ଅଧିକାରମାନ ଯାବୁଡ଼ି କରି ଧରିଥିବା ସ୍ୱାମୀମାନେ ହୁଏତ ମୋତେ ମାଫ କରି ପାରନ୍ତି, କାରଣ ମୁଁ ମଧ୍ୟ ତାଙ୍କରି ପରି ଜଣେ ଏବଂ ସାମୟିକ କେତୋଟି କଳିକଜିଆ ବାଦ ଦେଲେ ଗଲା ଚାଳିଶବର୍ଷ ହେଲା ଆମେ ସ୍ୱାମୀ ସ୍ତ୍ରୀ ଖୁବ୍‌ ସୁଖ ଶାନ୍ତିରେ ଜୀବନ କଟାଇ ଆସିଚୁ ।

 

ପ୍ରଥମ ପ୍ରଶ୍ନଟି କାଳପାତ୍ର ସହିତ ଠିକ୍‌ ଖାପ ଖାଉଚି । (ମୂଳଚିଠିଟି ମରାଠୀ ଭାଷାରେ ଲେଖା ହୋଇଥିଲା, ମୁଁ ତା’ର ଇଂରେଜୀ ଅନୁବାଦ କରିଦେଇଚି ।)

 

‘‘କେବଳ ରାମନାମ ଉଚ୍ଚାରଣ କରି ଓ ଜାତିର କୌଣସି ସେବା ନ କରି ଜଣେ ପୁରୁଷ ବା ସ୍ତ୍ରୀ ଆତ୍ମଜ୍ଞାନ ଲାଭ କରି ପାରିବ କି ? ମୋର ଅନେକ ଭଉଣୀ କହୁଚନ୍ତି ଯେ ପରିବାର ଚଳାଇବା ଓ ସମୟ ସମୟରେ ଦରିଦ୍ରମାନଙ୍କୁ ଦୟା କରିବା ବ୍ୟତୀତ ଆଉ କିଛି କରିବାର ପ୍ରୟୋଜନ ନାହିଁ । ଏହି ସନ୍ଦେହରେ ପଡ଼ି ମୁଁ ପ୍ରଶ୍ନଟି ପଚାରିଚି ।

 

ଏହି ପ୍ରଶ୍ନଟି ସ୍ତ୍ରୀ ପୁରୁଷ ଉଭୟଙ୍କୁ ବଡ଼ ଗୋଳମାଳରେ ପକାଇ ଦେଇଚି ଏବଂ ଏହାର ଉତ୍ତର ଦେଇ ଦେଇ ମୁଁ ବିରକ୍ତ ହୋଇଗଲିଣି । ସଂସାର କର୍ମର ବ୍ୟର୍ଥତା ପ୍ରମାଣ କରି କର୍ମଶୂନ୍ୟ ହୋଇ ବସିବାକୁ ଅନେକ ଦାର୍ଶନିକ ଶିକ୍ଷା ଦିଅନ୍ତି, ଏ କଥା ମୁଁ ଜାଣେ । ସେ ଦର୍ଶନକୁ ମୋର ମତାନୁସାରେ ବ୍ୟାଖ୍ୟା କରିବାର ସୁବିଧା ନ ପାଇଲେ ମୁଁ ସେପରି ଶିକ୍ଷାରେ ଏକମତ ହୋଇପାରେ ନାହିଁ । ମୋର ଧାରଣା ଜୀବନର ବିକାଶ ପାଇଁ କର୍ମ ଏକାନ୍ତ ପ୍ରୟୋଜନ । ଏହି କର୍ମରେ ଫଳର କୌଣସି ପ୍ରତ୍ୟାଶା ରଖିବା ଅନୁଚିତ । ମାଳା ଗଡ଼େଇ ଦୋହରେଇବାକୁ ନୁହେ, କିନ୍ତୁ ନିଜର ଚିତ୍ତଶୁଦ୍ଧି ପାଇଁ, ନିଜର କର୍ମରେ ଉତ୍ସାହ ଓ ଭଗବାନଙ୍କର ନିର୍ଦ୍ଦେଶ ପାଇବାପାଇଁ ରାମନାମ ବା ସେହିପରି ଗୋଟାଏ କିଛି ମନ୍ତ୍ରର ଆବଶ୍ୟକତା ରହିଚି । କିନ୍ତୁ ତା’ର ଅର୍ଥ ନୁହେ ଯେ, ଆମେ କୌଣସି କର୍ମ ନ କରି କେବଳ ରାମନାମ ଜପ କରୁଥିବା । ଆମକୁ ଠିକ୍‌ ରାସ୍ତାରେ ବାଟ ଦେଖାଇ ନେଇଯିବାଲାଗି ଓ ଅଟଳ ରହିବା ଲାଗି ରାମନାମ ମନ୍ତ୍ର ବହୁତ ସାହାଯ୍ୟ କରିବ । ଯଦି ପ୍ରତ୍ୟେକ କର୍ମକୁ ବ୍ୟର୍ଥ ବୋଲି ଧରି ନିଆଯିବ, ତେବେ ଘରସଂସାର ଚଳାଇବା ଓ ଗରିବପ୍ରତି ସାମୟିକ ଦୟା ଦେଖାଇବାର ପ୍ରଶ୍ନ କୁଆଡ଼ୁ ଉଠୁଚି ? ଏଇ ଦୁଇଟି କାର୍ଯ୍ୟ ଭିତରେ ମଧ୍ୟ ଜାତୀୟ ସେବାର ଭାବ ପ୍ରଚ୍ଛନ୍ନ ରହିଚି । ଜାତିର ସେବା କରିବା ଅର୍ଥ ମଣିଷ ଜାତିର ସେବା କରିବା–ଏହା ମୋର ଧାରଣା । ଏପରି କି ନିର୍ଲିପ୍ତ ରହି ନିଜର ପରିବାର ସେବା କରିବା ମଧ୍ୟ ଜାତି ସେବାର ଗୋଟିଏ ବାଟ । ରାମନାମ ଜପ କଲେ ସବୁପ୍ରକାର ମୋହ ଦୂର ହୋଇ ଚିତ୍ତଶକ୍ତିର ତରାକୁ ସମାନ ହୋଇ ରହେ ଏବଂ ବିପତ୍ତିବେଳେ କେବେ ହେଲେ ଚିତ୍ତସ୍ଖଳନ ଘଟେ ନାହିଁ । ଯେ ପର୍ଯ୍ୟନ୍ତ ଦରିଦ୍ରମାନଙ୍କ ସେବା କରି ଆମେ ସେମାନଙ୍କର ସହିତ ଏକ ହୋଇ ନ ପାରିଚୁ, ସେ ପର୍ଯ୍ୟନ୍ତ ଆତ୍ମୋପଲବ୍‌ଧି ଅସମ୍ଭବ ବୋଲି ମୋର ବିଶ୍ୱାସ ।

 

ଦ୍ୱିତୀୟ ପ୍ରଶ୍ନଟି ହେଉଚି–‘‘ସ୍ୱାମୀ ଶତ୍ରୁପରି ଆଚରଣ କରୁ ବା ସ୍ତ୍ରୀ ପ୍ରତି ପ୍ରେମ ଓ ଶ୍ରଦ୍ଧା ରଖୁ, ଅଚଳା ଭକ୍ତି ସହକାରେ ପତିର ସେବାରେ ନିଜକୁ ଲୀନ କରିଦେବା ହେଉଚି ହିନ୍ଦୁନାରୀର ପରମ ଧର୍ମ । ଏଇ କଥାଟିକୁ ଯଦି ଠିକ୍‍ବୋଲି ମାନି ନିଆଯାଏ, ତେବେ ସ୍ୱାମୀର ଇଚ୍ଛା ବିରୁଦ୍ଧରେ କଣ ସ୍ତ୍ରୀ ଜାତି ସେବାକାର୍ଯ୍ୟ କରି ପାରିବ କି ? ତା ସ୍ୱାମୀର ଯେତିକି ଦୂର ଯାଏ ଆପତ୍ତି ନ ଥିବ, ସେତିକି ଦୂର ସେ ଜାତୀୟ କାର୍ଯ୍ୟରେ ଭାଗ ନେବ ?

ମୁଁ ସୀତାଙ୍କୁ ଆଦର୍ଶ ସହଧର୍ମିଣୀ ଓ ରାମଚନ୍ଦ୍ରଙ୍କୁ ଆଦର୍ଶ ସ୍ୱାମୀ ବୋଲି ଜ୍ଞାନ କରେ । କିନ୍ତୁ ସୀତା ତ ରାମଚନ୍ଦ୍ରଙ୍କର ଚାକରାଣୀ ନ ଥିଲେ ବା ଆଉ ଗୋଟିଏ ଅର୍ଥରେ ନେଲେ ଦୁହେଁ ଦୁହିଙ୍କର ସେବାରେ ବନ୍ଧା ଥିଲେ । ରାମ ସବୁବେଳେ ସୀତାଙ୍କୁ ସୁବିଚାର ଚକ୍ଷୁରେ ଦେଖି ଆସିଚନ୍ତି-। ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏହିପରି ପବିତ୍ର ପ୍ରେମ ଅଛି, ସେଠି ଉପର ଲିଖିତ ପ୍ରଶ୍ନ ଆଦୌ ଉଠିବ ନାହିଁ । ଯେଉଁଠି ପ୍ରକୃତ ପ୍ରେମ ନାହିଁ, ସେଠି ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କୁ ଏକତ୍ର ମିଳାଇ ରଖିଲା ଭଳି କୌଣସି ବନ୍ଧନ ଡୋର ନାହିଁ । କିନ୍ତୁ ଆଜିକାଲିକା ଯୁଗର ହିନ୍ଦୁ ପରିବାରକୁ ଗୋଟିଏ ଗୋଳମାଳିଆ ଗୋଲକଧନ୍ଦା କହିଲେ ଭୁଲ ହେବ ନାହିଁ । ବାହାଘରବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି ଜଣାଶୁଣା ବା ପରିଚୟ ନ ଥାଏ । ଧର୍ମର ଅନୁମୋଦନ, ସାମାଜିକ ପ୍ରଥା ପରମ୍ପରା ଏବଂ ଦାମ୍ପତ୍ୟ ଜୀବନର ସହଜ ଗତି, ଏଇସବୁ କେବଳ ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାରର ସୁଖ ଶାନ୍ତିକୁ ବଞ୍ଚାଇ ରଖିଥାଏ । କିନ୍ତୁ ଯେଉଁଠି ସ୍ତ୍ରୀ ବା ପୁରୁଷ ସାଧାରଣ ଗତାନୁଗତିକତାରୁ ବାହାର ହୋଇଯାନ୍ତି, ସେଇଠି ମତାନ୍ତରର ଆଶଙ୍କା ଥାଏ । ସ୍ୱାମୀର ଅବଶ୍ୟ କିଛି ଚିନ୍ତା ନ ଥାଏ, କାରଣ ସେ ନିଜକୁ ନିଜ ସ୍ତ୍ରୀ ପରାମର୍ଶ ନେବାକୁ ବାଧ୍ୟ ବୋଲି ମନେକରେ ନାହିଁ । ସ୍ତ୍ରୀ ତ ତା’ର ସମ୍ପତ୍ତି । କିନ୍ତୁ ପୁରୁଷର ଏଇ ଅଧିକାର ଉପରେ ବିଚାରୀ ସ୍ତ୍ରୀର ବିଶ୍ୱାସ ଥାଏ, ତେଣୁ ନିଜର ମନୋଭାବକୁ ଲୁଚାଇ ଚାପି ରଖିବା ଛଡ଼ା ତା’ର ଗତ୍ୟନ୍ତର ନ ଥାଏ । ମୋତେ କେବଳ ଗୋଟିଏ ବାଟ ଦେଖାଯାଉଚି । ମୀରାବାଈ ସେ ବାଟ ଦେଖାଇ ଦେଇ ଯାଇଚନ୍ତି । ନିଜର ବିବେଚନା ଅନୁସାରେ ଜୀବନର ରାସ୍ତା ବାଛିନେବାକୁ ସ୍ତ୍ରୀର ପୂର୍ଣ୍ଣ ଅଧିକାର ଅଛି । ସେ ଠିକ୍ ମାର୍ଗରେ ଯାଉଚି ଏବଂ ଏକ ମହାନ୍‌ ଲକ୍ଷ୍ୟ ସାଧନର ଦୃଷ୍ଟିରେ ସେ ପ୍ରତିରୋଧ କରୁଚି । ଏଇ କଥାରେ ସ୍ତ୍ରୀ ଯଦି ବିଶ୍ୱାସ କରୁଥାଏ, ତେବେ ସ୍ୱାମୀର ଇଚ୍ଛା ବିରୁଦ୍ଧରେ ଯାଇ ନମ୍ରଭାବରେ ସମସ୍ତ ପରିଣାମ ଭୋଗ କରିବାକୁ ତା’ର ନିଶ୍ଚୟ ଅଧିକାର ରହିଚି ।

ତୃତୀୟ ପ୍ରଶ୍ନଟି ହେଉଚି–‘‘ଧରନ୍ତୁ ସ୍ୱାମୀ ମାଂସ ଖାଆନ୍ତି ଏବଂ ସ୍ତ୍ରୀ ମାଂସ ଖାଇବା ପାପ ବୋଲି ମନେ କରେ । ଏପରି ଅବସ୍ଥାରେ ସ୍ତ୍ରୀ ନିଜର ମତ ଅନୁସାରେ କାମ କରି ପାରିବ କି ? ବୁଝାଇ ସୁଝାଇ, ମନ ବଦଳାଇ ସ୍ୱାମୀକୁ ମାଂସ ଛଡ଼ାଇ ପାରିବାର ଅଧିକାର ତା’ର ଅଛି କି ? ବା ସ୍ୱାମୀକୁ ମାଂସ ରାନ୍ଧିଦେବା ତାର ଉଚିତ କି ? ଏପରି କି ସ୍ୱାମୀ ଇଚ୍ଛାକଲେ ମାଂସ ଖାଇବାକୁ ମଧ୍ୟ ତାକୁ କଣ ବାଧ୍ୟ କରାଯାଇ ପାରିବ କି ? ଆପଣ କହି ପାରନ୍ତି, ସ୍ତ୍ରୀର ଯାହା ଖାଇବାକୁ ରୁଚି ହେବ, ସେ ତା’ ଖାଇବ । କିନ୍ତୁ ଜଣେ ଜବରଦସ୍ତି କରିବ, ଆଉ ଜଣେ ମାନୁ ନ ଥିବ, ଏପରି ଟଣାଟଣିରେ ଘର ଚଳିବ କିପରି ?’’

ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ଏଇ ପ୍ରଶ୍ନଟିର ଆଂଶିକ ଉତ୍ତର ମିଳି ପାରିବ । ସ୍ୱାମୀ କୌଣସି ପ୍ରକାରେ ସ୍ତ୍ରୀକୁ ନିଜ ପାପରେ ଭାଗୀ କରିପାରିବ ନାହିଁ । ସ୍ତ୍ରୀ ଯଦି ଗୋଟାଏ କଥାକୁ ଭୁଲ ବୋଲି ଭାବୁଚି, ତେବେ ତା’ର ଠିକ୍‌ ବାଟରେ ଯିବାର ପୂର୍ଣ୍ଣ ଅଧିକାର ଅଛି । ଅର୍ଥ ଉପାର୍ଜନ କରିବା ଯେମିତି ସ୍ୱାମୀର କାର୍ଯ୍ୟ, ସେମିତି ଘରସଂସାର ଚଳେଇବା ଓ ରାନ୍ଧିକରି ଦେବା ମଧ୍ୟ ସ୍ତ୍ରୀର କର୍ତ୍ତବ୍ୟ । ମନେକର ସ୍ୱାମୀ ଓ ସ୍ତ୍ରୀ ଉଭୟେ ଆଗରୁ ମାଂସ ଖାଉଥିଲେ, ବର୍ତ୍ତମାନ ସ୍ତ୍ରୀ ସେଥିରେ ଅରୁଚି ବୋଧ କରୁଚି । କିନ୍ତୁ କର୍ତ୍ତବ୍ୟ ଦୃଷ୍ଟିରୁ ତା’ର ସ୍ୱାମୀକୁ ମାଂସ ରାନ୍ଧିଦେବା ଉଚିତ । କିନ୍ତୁ ଯଦି ଗୋଟିଏ ପରିବାରରେ ସମସ୍ତେ ନିରାମିଷ ଖାଆନ୍ତି ଏବଂ ସ୍ୱାମୀ ମାଂସ ଖାଇବାକୁ ଇଚ୍ଛା ପ୍ରକାଶ କରୁଚନ୍ତି ଏବଂ ସ୍ତ୍ରୀକୁ ରାନ୍ଧିଦେବାକୁ ବାଧ୍ୟ କରୁଚନ୍ତି, ତେବେ ଏପରି ସ୍ଥଳରେ ସ୍ତ୍ରୀ ଯେଉଁ କଥାଟା ଠିକ୍ ମନେ ନ କରୁଚି, ତା’ ଦ୍ୱାରା କେହି ସେଇ କଥାଟା ଜୋରକରି କରାଇ ପାରିବ ନାହିଁ । ପରିବାରରେ ସୁଖଶାନ୍ତି ରହୁ, ଏ କଥା ସମସ୍ତେ ଚାହାନ୍ତି, କିନ୍ତୁ କେବଳ ଏଇ ପାରିବାରିକ ସୁଖଶାନ୍ତି କେବେ ହେଲେ ମଣିଷର ଶେଷ ଲକ୍ଷ୍ୟ ହୋଇ ପାରିବ ନାହିଁ । ମୋ ମତରେ ଦାମ୍ପତ୍ୟ ଜୀବନରେ ଶୃଙ୍ଖଳାର ଯଥେଷ୍ଟ ସ୍ଥାନ ରହିଚି । ଜୀବନ ଯାପନ ହେଉଚି ଏକ କର୍ତ୍ତବ୍ୟ, ଏକ ଧର୍ମ । ଇହଲୋକ ଓ ପରଲୋକରେ ଦମ୍ପତିର କଲ୍ୟାଣ ସାଧନ କରିବା ହେଉଚି ବିବାହିତ ଜୀବନର ଉଦ୍ଦେଶ୍ୟ । ସମାଜର ସେବା ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କର ଆଉ ଗୋଟିଏ କର୍ତ୍ତବ୍ୟ । ଯେତେବେଳେ ଜଣେ ଦାମ୍ପତ୍ୟଜୀବନର ଶୃଙ୍ଖଳା ଭାଙ୍ଗୁଚି, ସେତେବେଳେ ଆଉ ଜଣକର ସମସ୍ତ ବନ୍ଧନ ଡୋର ଛିଣ୍ଡାଇ ଦେବାର ଅଧିକାର ଅଛି । ସାଂସାରିକ ଭାବରେ ସ୍ୱାମୀ ସ୍ତ୍ରୀଠାରୁ ଅଲଗା ହୋଇଯିବା, ଏ ବନ୍ଧନ ଛିଣ୍ଡାଇବାର ଅର୍ଥ ନୁହେ–ଏହା କେବଳ ଏକ ନୀତିଗତ ବିଚ୍ଛେଦ । ଏଠି ଛାଡ଼ପତ୍ର ଦେଇଯିବାର କଥା ଆଦୌ ଉଠୁ ନାହିଁ । ଯେଉଁ ଲକ୍ଷ୍ୟ ସାଧନପାଇଁ ସ୍ୱାମୀ ସ୍ତ୍ରୀଙ୍କର ଜୀବନ ଏକସୂତ୍ରରେ ବନ୍ଧା ହୋଇଥିଲା, କେବଳ ସେଇ ଲକ୍ଷ୍ୟପାଇଁ ଜଣେ ଆଉ ଜଣଙ୍କଠାରୁ ଅଲଗା ହୋଇଯିବ । ସ୍ୱାମୀ ଓ ସ୍ତ୍ରୀ ପ୍ରତ୍ୟେକର ସମାନ ସ୍ୱାଧୀନତା ରହିଚି, ହିନ୍ଦୁଧର୍ମ ଏ କଥା ସ୍ୱୀକାର କରେ । କିନ୍ତୁ ଅବଶ୍ୟ ବାସ୍ତବ କ୍ଷେତ୍ରରେ ଏକ ଅଲଗା ନିୟମ ଚଳି ଆସୁଚି; କେବେଠାରୁ ଏକଥା ହେଲାଣି କେହି କହି ପାରିବ ନାହିଁ । ଏହାରି ପରି କେତେ କେତେ ଦୋଷ ମଧ୍ୟ ଏହା ଭିତରେ ପଶିଯାଇଚି । ଆତ୍ମ ଉପଲବ୍‌ଧି କରିବାକୁ ସମସ୍ତେ ପୃଥିବୀକୁ ଆସିଚନ୍ତି, କିନ୍ତୁ ସେଇ ଉଦ୍ଦେଶ୍ୟ ସାଧନପାଇଁ ନିଜ ନିଜର ପସନ୍ଦ ଅନୁସାରେ ସମସ୍ତଙ୍କର ଅବାଧ ସ୍ୱାଧୀନତା ଅଛି କି ନାହିଁ, ସେ କଥା ମୁଁ କହିପାରିବି ନାହିଁ ।

ୟଙ୍ଗ୍‌ ଇଣ୍ଡିଆ, ୨୧.୧୦.୨୬

Image

 

ନାରୀ ସମାଜ ପ୍ରତି ଗାନ୍ଧିଜୀ

ହିନ୍ଦୁଘରର ସ୍ତ୍ରୀ

 

ଜଣେ ଭାଇଠାରୁ ମୁଁ ଲମ୍ବା ଚିଠିଟିଏ ପାଇଚି । ସେଥିରେ ସେ ନିଜର ବିବାହିତା ଭଉଣୀଙ୍କର ଦୁର୍ଦ୍ଦଶା ବର୍ଣ୍ଣନା କରିଚନ୍ତି–

 

‘‘କିଛିଦିନ ତଳେ ମୋର ଭଉଣୀର ବାହାଘର ହେଲା । ତା’ର ସ୍ୱାମୀର ଚରିତ୍ର ସମ୍ବନ୍ଧରେ ଆମେ କିଛି ଜାଣି ନ ଥିଲୁ । କିନ୍ତୁ ବର୍ତ୍ତମାନ ସତକଥା ଧରା ପଡ଼ିଯାଇଚି । ସେ ଲୋକଟିର ଚରିତ୍ର ଏକାବେଳେକେ ନଷ୍ଟ ହୋଇଯାଇଚି ଏବଂ ଏତେ ଶକ୍ତିକ୍ଷୟ କରି କରି ମଧ୍ୟ ଏ ପର୍ଯ୍ୟନ୍ତ ତା’ର ମନ ବୋଧ ହୋଇ ନାହିଁ । ତା’ର ସବୁ ପ୍ରକାରର ସମ୍ମାନଜ୍ଞାନ ନଷ୍ଟ ହୋଇଗଲାଣି-। ବାହାଘର ପରେ ମୋର ଭଉଣୀ ଲକ୍ଷ୍ୟକରି ପାରିଲା ଯେ, ତା’ର ‘ପ୍ରଭୁ’ଙ୍କର ଶରୀର ଦିନକୁ ଦିନ ଦୁର୍ବଳ ହୋଇଯାଉଚି । ସେ ସ୍ୱାମୀକୁ ଯାଇ ଏହିକଥା କହିଲା । ସ୍ୱାମୀ ତା’ର ଏସବୁ କଥା ସହି ପାରିଲା ନାହିଁ ଓ ତାକୁ ଉଚିତ ଶିକ୍ଷାଦେବାକୁ ତା’ ଆଗରେ ନାନାପ୍ରକାର ବଦ୍‌ ବ୍ୟବହାର କରିବାକୁ ଲାଗିଲା । ଏପରି କି ଦିନେ ଦିନେ ବେତରେ ବାଡ଼େଇବ, ଠିଆ କରେଇ ରଖିବ, ଖାଇବାକୁ ମଧ୍ୟ ଦେବ ନାହିଁ । ନିଜର କୋପନ ପ୍ରବୃତ୍ତିର ଚରିତାର୍ଥ କଲାବେଳେ ସେ ସ୍ତ୍ରୀକୁ ପାଖରେ ଥିବା ଗୋଟିଏ ଖୁମ୍ବରେ ବାନ୍ଧିଦିଏ । ଏସବୁ ସହି ସହି ମୋର ଭଉଣୀ ଦରମରା ହୋଇଗଲାଣି । ତା’ର ଦୁଃଖ ଦେଖି ଆମକୁ ବିକଳ ଲାଗୁଚି । କିନ୍ତୁ ଉପାୟ କଣ ? ଭଉଣୀପାଇଁ ଓ ଆମପାଇଁ ଆପଣ କି ଉପଦେଶ ଦେବେ ? ସ୍ତ୍ରୀ ପୁରୁଷର ଶିକାର ହୋଇ ରହିଥିବ, ତା’ର ନିଜର କୌଣସି ସ୍ୱାଧୀନତା ନ ଥିବ, ହିନ୍ଦୁଧର୍ମ ପକ୍ଷରେ ଏହା ଅତି ଲଜ୍ଜାର କଥା । ଦୁର୍ଭାଗ୍ୟବଶତଃ ସ୍ୱାମୀ ଯଦି ନିଷ୍ଠୁର ନିର୍ମମ ବ୍ୟବହାର କରିବ, ତେବେ ଅଭାଗିନୀ ନାରୀ ଆଉ କାହା ଉପରେ ଭରସା ରଖି ପାରିବ ? ସ୍ୱାମୀ ମନଇଚ୍ଛା ଗୋଟାକୁ ଗୋଟା ଗୋପନପ୍ରଣୟ କରି ଯାଉଥିବ, ଅଥଚ ତା ବିରୁଦ୍ଧରେ ଆଙ୍ଗୁଠିଟିଏ ମଧ୍ୟ ଉଠାଇବାକୁ କାହାର ସାଧ୍ୟ ନ ଥିବ; କିନ୍ତୁ ବିଚାରୀ ସ୍ତ୍ରୀ ଥରେ ବାହାହୋଇ ପଡ଼ିଲେ ତାକୁ ‘ପ୍ରଭୁର’ ମର୍ଜି ଅନୁସାରେ ବାଧ୍ୟ ରହିବାକୁ ପଡ଼ିବ । ଆଜି ସମାଜରେ ଏଇପରି ହଜାର ହଜାର ନାରୀ ଘୋର ନିର୍ଯାତନାରେ ଚିତ୍କାର କରୁଚନ୍ତି । ଏଇସବୁ ପାପ ହିନ୍ଦୁଧର୍ମରୁ ଦୂରକରି ଦିଆ ନ ଗଲେ, ଆମର ଆଉ ଆଗକୁ ଯିବାର ଆଶା ଅଛି କି ?

 

ପତ୍ରପ୍ରେରକ ଜଣେ ପଢ଼ିଲା ଶୁଣିଲା ଲୋକ । ଉପରେ ଦିଆଯାଇଥିବା ସାରାଂଶରୁ ତାଙ୍କର ଚିଠିରେ ଭଉଣୀଟିର ଦହଗଞ୍ଜ ଜୀବନ ବିଷୟରେ ଅନେକ ବେଶୀ ବର୍ଣ୍ଣନା କରାଯାଇଚି । ଚିଠି ତଳେ ପତ୍ର ପ୍ରେରକଙ୍କର ନାମ ଓ ଠିକଣା ରହିଚି । ସେ ହିନ୍ଦୁଧର୍ମର ଖୁବ୍‌ ନିନ୍ଦା କରୁଚନ୍ତି । ଭଉଣୀର ଦୁର୍ଦ୍ଦଶା ତାଙ୍କ ମର୍ମକୁ ବଡ଼ ବାଧିଚି, ଏଇ ଦୃଷ୍ଟିରୁ ହୁଏ ତ ତାଙ୍କର ଦୋଷ କ୍ଷମା କରାଯାଇପାରେ । କିନ୍ତୁ ଗୋଟିଏ ବିଚ୍ଛିନ୍ନ ଘଟଣାରୁ ଏତେ ଚଞ୍ଚଳ ସାଧାରଣ ସିଦ୍ଧାନ୍ତଟିଏ କରି ପକାଇବା ଆଦୌ ଉଚିତ ନୁହେ । କାରଣ ନିଜର ପରିବାରରେ ରାଣୀପରି ସୁଖଶାନ୍ତିରେ ଜୀବନ କଟାଉଛନ୍ତି, ସମାଜରେ ଏପରି ହଜାର ହଜାର ହିନ୍ଦୁପତ୍ନୀ ଅଛନ୍ତି । ସ୍ୱାମୀ ଉପରେ ସେମାନଙ୍କର ଯେଉଁ ପ୍ରଭାବ ଅଛି, ତାହା ଯେ କୌଣସି ନାରୀର ଅଭିଳଷିତ ହୋଇ ରହିଥିବ । କେବଳ ପ୍ରେମଦ୍ୱାରା ଏଇ ପ୍ରଭାବ ସମ୍ଭବ ହୋଇପାରେ । ଉପସ୍ଥିତ ଘଟଣାଟିରେ ପତ୍ରପ୍ରେରକ ଯେଉଁ ନିର୍ମମ ବ୍ୟବହାରରେ ବର୍ଣ୍ଣନା କରିଚନ୍ତି, ତାକୁ ହିନ୍ଦୁଧର୍ମର ଦୋଷବୋଲି କହି ହେବ ନାହିଁ । ସେଇଟା ହେଉଚି ମଣିଷ ସ୍ୱଭାବର ଦୋଷ । ପୃଥିବୀର ପ୍ରତ୍ୟେକ ଧର୍ମର ଲୋକମାନଙ୍କର ଜୀବନ ଭିତର ଦେଇ ସବୁ ଦେଶରେ ଏଇ ସ୍ୱଭାବ ଆତ୍ମପ୍ରକାଶ କରିଚି । ଅନେକ ଦେଶରେ ଛାଡ଼ପତ୍ର ଦେବାର ଆଇନ କରାଯାଇଚି, ତଥାପି ଯେତେବେଳେ ଅବଳା ସ୍ତ୍ରୀ ନିଜର ବିବେକୋଚିତ ମତ ଠିକ୍‌ କରିପାରି ନାହିଁ ବା ନିଜ ମତାନୁସାରେ କାର୍ଯ୍ୟ କରିବାକୁ ରାଜି ହୋଇନାହିଁ, ସେତେବେଳେ ଉକ୍ତ ଆଇନ ଦ୍ୱାରା ତା’ର କୌଣସି ଉପକାର ହୋଇ ନାହିଁ । ତେଣୁ ମୋର କହିବା କଥା, ଯେଉଁମାନେ ସମାଜକୁ ସୁଧାରିବାକୁ ଚାହାନ୍ତି, ସେମାନେ ଯେପରି କୌଣସି ତରତରିଆ ତଥ୍ୟ କରିବା ଏବଂ ପ୍ରକୃତ କଥାକୁ ବଢ଼ାଇ କରି ଲେଖିବାରୁ ସବୁବେଳେ ଦୂରେଇ ରହନ୍ତି ।

 

ତଥାପି ଏ କଥା ମାନିବାକୁ ହେବ ଯେ, ଉଲ୍ଲିଖିତ ଘଟଣା ପରି ଅନେକ ଘଟଣା ହିନ୍ଦୁ ସମାଜରେ ଘଟିଥାଏ । ସ୍ତ୍ରୀକୁ ସ୍ୱାମୀର ଅଧୀନ ରଖି ସ୍ୱାମୀଠାରେ ନିଜକୁ ପୂର୍ଣ୍ଣଭାବରେ ଲୀନ କରିଦେବାର ନିୟମ ରଖି ହିନ୍ଦୁ ସଂସ୍କାର ମସ୍ତ ଭୁଲ କରିଚି । ଫଳରେ ନିଜର କର୍ତ୍ତୃତ୍ୱ ଜାରି କରିବାକୁ ଯାଇ ସ୍ୱାମୀ ବେଳେ ବେଳେ ପଶୁପରି ଆଚରଣ କରି ପକାଉଚି । ତେଣୁ ଖାଲି ଆଇନ କରିଦେଲେ ଏହାର କୌଣସି ପ୍ରତିକାର ହୋଇ ପାରିବ ନାହିଁ । ବାଳିକାମାନଙ୍କ ଛଡ଼ା ବିବାହିତା ସ୍ତ୍ରୀମାନଙ୍କ ପାଇଁ ଯଥାର୍ଥ ଶିକ୍ଷାର ବ୍ୟବସ୍ଥା କରି ପାରିଲେ ଓ ସ୍ୱାମୀର ଏପରି ଅମାନୁଷିକ ଆଚରଣ ବିରୁଦ୍ଧରେ ଲୋକଙ୍କର ହୃଦ୍‌ବୋଧ କରାଇ ପାରିଲେ, ଏହାର ସ୍ଥାୟୀ ପ୍ରତିବିଧାନ ସମ୍ଭବ ହୋଇ ପାରିବ । ପତ୍ରପ୍ରେରକ ଲେଖିଥିବା ବିଷୟଟିର ପ୍ରତିକାର ସହଜରେ କରାଯାଇ ପାରିବ । ନିଜର ଭଉଣୀ ସ୍ୱାମୀର ଦହଗଞ୍ଜରେ ଦହି ହେଉଚି ବୋଲି ଖାଲି ହତାଶରେ ଲୁହ ଗଡ଼ାଇଲେ କିଛି ଲାଭ ହେବ ନାହିଁ । ସେମାନେ ଭଉଣୀଟିକୁ ଆଶ୍ରୟ ଦିଅନ୍ତୁ, ପାପାସକ୍ତ ସ୍ୱାମୀର ବୋଲ ମାନି ତା’ ପାଖରେ ରହିବା ଯେ ତା’ର କର୍ତ୍ତବ୍ୟ ନୁହେ, ସେମାନେ ତାକୁ ଏଇ ଶିକ୍ଷା ଦିଅନ୍ତୁ । ଘଟଣାଟିରୁ ପରିଷ୍କାର ଜଣାପଡ଼ୁଚି ଯେ, ସ୍ୱାମୀ ତା’ର ସ୍ତ୍ରୀ ପାଇଁ ଆଦୌ କିଛି ଭାବୁ ନାହିଁ । ସାମାଜିକ ବିବାହ-ବନ୍ଧନ ନ ଛିଣ୍ଡାଇ କେବଳ ସେ ସ୍ୱାମୀର ଘର ଛାଡ଼ି ଅନ୍ୟତ୍ର ଚାଲିଯାଉ ଏବଂ ନିଜେ ଯେପରି କେବେ ବିବାହ କରି ନାହିଁ, ଏହିକଥା ଭାବିବାକୁ ଚେଷ୍ଟା କରୁ ।

 

ହିନ୍ଦୁ ସମାଜରେ ଛାଡ଼ପତ୍ରର ସୁବିଧା ନାହିଁ, କିନ୍ତୁ ହିନ୍ଦୁନାରୀ ପାଇଁ ପ୍ରତିକାରର ଦୁଇଟି ଆଇନଗତ ଉପାୟ ରହିଚି । ତାହା ହେଉଚି, ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କଲେ ସେ ବିଚାରରେ ଦଣ୍ଡନୀୟ ହୋଇ ପାରିବ ଏବଂ ଆଇନତଃ ସ୍ତ୍ରୀର ଭରଣପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ହେବ । କିନ୍ତୁ ଅନେକ ଘଟଣାର ଅଭିଜ୍ଞତାରୁ ମୋର ବିଶ୍ୱାସ ହୋଇଚି ଯେ, ଏସବୁ ପ୍ରତିକାରରେ କୌଣସି ଫଳ ମିଳେ ନାହିଁ । ଏହାଦ୍ୱାରା ଧର୍ମପ୍ରାଣା ପତ୍ନୀର ଦୁଃଖ ଦୂର ହୁଏ ନାହିଁ । ଓଲଟି ସ୍ୱାମୀର ହୃଦୟ ପରିବର୍ତ୍ତନ କରିବାର ଆଶା ଅସମ୍ଭବ ନ ହେଲେ ମଧ୍ୟ, ଅଧିକ କଷ୍ଟକର ହୋଇ ପଡ଼େ । କିନ୍ତୁ ସ୍ୱାମୀକୁ ଭଲ ବାଟକୁ ଫେରାଇ ଆଣିବା ସମାଜର ତଥା ପ୍ରତ୍ୟେକ ନାରୀର ଲକ୍ଷ୍ୟ ହୋଇ ରହିବା ଉଚିତ । ଉପସ୍ଥିତ ଦୃଷ୍ଟାନ୍ତଟିରେ ଝିଅଟିକୁ ପୋଷିବା ପାଇଁ ବାପ ମା’ଙ୍କର ଯଥେଷ୍ଟ ଶକ୍ତି ଅଛି । କିନ୍ତୁ ଯେଉଁଠି ଏ ସାମର୍ଥ୍ୟ ନାହିଁ, ସେହିପରି ଅରକ୍ଷିତା ନାରୀମାନଙ୍କୁ ଆଶ୍ରୟ ଦେବାପାଇଁ ଦେଶରେ ଦିନକୁ ଦିନ ବେଶି ଅନୁଷ୍ଠାନମାନ ଖୋଲା ଯାଉଚି ।

 

ଯେଉଁ ସ୍ଥଳରେ ସ୍ତ୍ରୀ ଅତ୍ୟାଚାରୀ ସ୍ୱାମୀଠାରୁ ଅଲଗା ହୋଇ ରହୁଚି ବା ଛାଡ଼ପତ୍ର ଦେବାର ସୁବିଧା ନ ପାଇ ଯେଉଁଠି ସ୍ୱାମୀ ସ୍ତ୍ରୀକି ଛାଡ଼ି ଚାଲିଯାଉଚି, ସେପରି କ୍ଷେତ୍ରରେ ସ୍ତ୍ରୀ କିପରି ତା’ର ଯୌନପିପାସା ମେଣ୍ଟାଇପାରିବ ? କିନ୍ତୁ ସଂଖ୍ୟା ଦୃଷ୍ଟିରୁ ଏହା ଗୋଟାଏ ବଡ଼ ସମସ୍ୟା ନୁହେଁ-। କାରଣ ବହୁଦିନରୁ ଆମ ସମାଜରୁ ଛାଡ଼ପତ୍ର ଦେବାର ପ୍ରଥା ଉଠିଯାଇଚି । ତେଣୁ ଦାମ୍ପତ୍ୟଜୀବନ ସୁଖମୟ ନ ହେଲେହେଁ ହିନ୍ଦୁ ସ୍ତ୍ରୀ ସାଧାରଣତଃ ଆଉ ଥରେ ବିବାହ କରିବାକୁ ପସନ୍ଦ କରେ ନାହିଁ । ସମାଜରେ ସମସ୍ତେ ଯେତେବେଳେ ପୁନର୍ବିବାହ ପକ୍ଷରେ ମତ ଦେବେ, ସେତେବେଳେ ନିଶ୍ଚୟ ଏହି ସୁବିଧା ସମସ୍ତଙ୍କୁ ମିଳିପାରିବ । ପତ୍ରପ୍ରେରକଙ୍କର ଚିଠିରୁ ମୁଁ ଯାହା ଅର୍ଥ କରୁଚି, ସ୍ତ୍ରୀ’ ତାର ଯୌନପିପାସା ଶାନ୍ତ କରି ପାରୁନାହିଁ । ଖୁବ୍ ସମ୍ଭବ ସେ ଏ ଅଭିଯୋଗ କରୁନାହାନ୍ତି । ସ୍ୱାମୀର ଅନୈତିକତା ଓ ଦାୟିତ୍ୱହୀନତା ବିରୁଦ୍ଧରେ ସେ କେବଳ ଆପତ୍ତି କରିଚନ୍ତି । ଆମର ମନୋଭାବ ବଦଳିଲେ ଯେ କେବଳ ଏହାର ପ୍ରତିକାର ହୋଇପାରିବ, ଏକଥା ମୁଁ କହିସାରିଚି । ନିଜକୁ ହତାଶ ମନେ କରିବା କେବଳ ଏକ କାଳ୍ପନିକ କଥା; ଆମର ଅନେକ ଦୁଃଖ ମଧ୍ୟ ସେଇପରି କଳ୍ପନାପ୍ରସୂତ-। ଠିକ୍ ଭାବରେ ବିଚାର କରି ନ ପାରି ଆମକୁ ଅନେକ ଦୁଃଖ ଭୋଗିବାକୁ ପଡ଼େ । ସେ ସବୁରୁ ରକ୍ଷା ପାଇବାକୁ ହେଲେ ଏକ ନୂତନ ମନୋଦୃଷ୍ଟି ଓ ମୌଳିକ ଚିନ୍ତାଶକ୍ତି ଦରକାର । ଏଇପରି ଘଟଣାମାନଙ୍କରେ କଷ୍ଟ ପାଉଥିବା ସ୍ତ୍ରୀକୁ ତା’ର ଆତ୍ମୀୟ ସ୍ୱଜନମାନେ ଉତ୍ପୀଡ଼କ ପାଖରୁ କେବଳ ଅଲଗା କରି ରଖି ଦେଇ ସନ୍ତୁଷ୍ଟ ହୋଇଗଲେ ଚଳିବ ନାହିଁ । ଅଧିକନ୍ତୁ ତାକୁ ସମାଜର ସେବାପାଇଁ ପ୍ରସ୍ତୁତ କରିବାକୁ ହେବ ପୁନର୍ବିବାହ ଦ୍ୱାରା ସ୍ତ୍ରୀକୁ ଶାନ୍ତି ମିଳିବ କି ନାହିଁ, ସେଥିରେ ସର୍ବଦା ସନ୍ଦେହ ରହିଚି । କିନ୍ତୁ ସମାଜର ସେବାପାଇଁ ଶିକ୍ଷା ପାଇବାରେ ଯେ ପୁନର୍ବିବାହଠାରୁ ଅଧିକ ସୁଖଶାନ୍ତି ରହିଚି, ଏଥିରେ ତିଳେହେଲେ ସନ୍ଦେହ ନାହିଁ ।

ୟଙ୍ଗ୍ ଇଣ୍ଡିଆ, ୦୩.୧୦.୨୯

Image

 

ସ୍ମୃତିରେ ନାରୀ

 

ବେଜଓ୍ୱାଡ଼ାରୁ ବାହାରୁଥିବା ଖଣ୍ଡେ ‘ଇଣ୍ଡିଆନ୍ ସ୍ୱରାଜ୍ୟ’ କାଗଜ ଜଣେ ପତ୍ରପ୍ରେରକ ମୋ ପାଖକୁ ପଠାଇଚନ୍ତି । ‘ସ୍ମୃତି’ରେ ନାରୀର ସ୍ଥାନ କେଉଁଠି ଥିଲା, ସେ ବିଷୟରେ ଏଥିରେ ଗୋଟିଏ ପ୍ରବନ୍ଧ ବାହାରିଚି । କୌଣସି ଅଦଳବଦଳ ନକରି ମୁଁ ଏଇଠି ସେ ପ୍ରବନ୍ଧଟିର କେତେକ ଅଂଶ ଦେଉଚି :–

ସ୍ୱାମୀ ପଛକେ ଚରିତ୍ରହୀନ, କାମାତୁର ଓ ଦୁର୍ଗୁଣପୂର୍ଣ୍ଣ ହୋଇଥାଉ ସ୍ତ୍ରୀ ସ୍ୱାମୀକୁ ସର୍ବଦା ଈଶ୍ୱରଙ୍କ ପରି ଜ୍ଞାନ କରିବ (ମନୁ ୫-୧୫୪) । ସ୍ତ୍ରୀ ସବୁବେଳେ ସ୍ୱାମୀର ଆଦେଶ ପାଳନ କରିବାକୁ ବାଧ୍ୟ । ଏହା ହେଉଚି ତାର ପରମ କର୍ତ୍ତବ୍ୟ (ଯାଜ୍ଞବଲ୍କ୍ୟ ୧-୧୮) । ସ୍ତ୍ରୀର କୌଣସି ସ୍ୱତନ୍ତ୍ର ତ୍ୟାଗ, ବ୍ରତ ବା ଉପବାସ ନାହିଁ । ସ୍ୱାମୀର ସେବା କଲେ ସେ ବୈକୁଣ୍ଠକୁ ଯାଏ (ମନୁ ୫-୧୪୫)-

‘‘ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ବ୍ରତ ଉପବାସ କରେ, ତେବେ ସ୍ୱାମୀର ଆୟୁଷ କ୍ଷୟ ହୁଏ; ସେ ସ୍ତ୍ରୀ ନରକକୁ ଯାଏ । ଯେଉଁ ସ୍ତ୍ରୀ ତୀର୍ଥଜଳ ପାଇବାକୁ ଇଚ୍ଛା କରେ, ସେ ଯଦି ସ୍ୱାମୀର ପାଦ ଓ ସମସ୍ତ ଶରୀର ଧୋଇ ସେଇ ପାଣି ପିଏ, ତେବେ ସେ ସ୍ୱର୍ଗରେ ଉଚ୍ଚତମ ସ୍ଥାନ ପାଇବ (ଅତ୍ରି ୧୩-୩୭) ।

‘‘ସ୍ୱାମୀର ସଂସାରକୁ ବଳି ସ୍ତ୍ରୀ’ର ଆଉ ବଡ଼ ସଂସାର ନାହିଁ । ସ୍ୱାମୀକୁ ଅସନ୍ତୁଷ୍ଟ କରି କୌଣସି ସ୍ତ୍ରୀ ମୁକ୍ତି ପାଇପାରିବ ନାହିଁ । ଏଣୁ ସ୍ୱାମୀର ସନ୍ତୋଷ ବିଧାନ କରିବା ସର୍ବଥା ସ୍ତ୍ରୀର କର୍ତ୍ତବ୍ୟ (ବଶିଷ୍ଠ ୨୧-୧୪) ।

 

‘‘ପିତୃକୁଳର ଅଭିମାନ ଦେଖାଇ ଯେଉଁ ନାରୀ ପତିର ଆଜ୍ଞା ଅବଜ୍ଞା କରେ, ରାଜାଙ୍କର ତାକୁ ସମସ୍ତଙ୍କ ଆଗରେ କୁକୁର ମୁଖରେ ଦେଇଦେବା ଉଚିତ (ମନୁ ୮-୩୭୧) ।

 

‘‘ଯେଉଁ ପତ୍ନୀ ପତିର ଆଦେଶ ଅମାନ୍ୟ କରେ, ତା’ ହାତରୁ ଅନ୍ନ ସ୍ପର୍ଶ କରିବା ଅନୁଚିତ-। ଏଇ ସ୍ତ୍ରୀ କୁଳଟା ସଙ୍ଗେ ସମାନ (ଅଙ୍ଗିରା–୬୯) ।

 

‘‘ସ୍ୱାମୀ ଖରାପ ଆଚରଣ କରୁଚି, ମଦ ପିଉଚି ବା ଶାରୀରିକ ପୀଡ଼ା ଭୋଗ କରୁଚି ବୋଲି ତା’ର କଥା ପାଳନ ନ କଲେ, ତିନିମାସ ପର୍ଯ୍ୟନ୍ତ ତା’ଠାରୁ ସମସ୍ତ ଦାମୀ ପୋଷାକ ଓ ଅଳଙ୍କାର ନେଇ ଯାଇ ତାକୁ ଅଲଗା କରି ରଖିବାକୁ ହେବ (ମନୁ–୧୦-୮) ।

 

ଯେଉଁ ପୁରୁଷମାନେ ସ୍ତ୍ରୀ ସ୍ୱାଧୀନତାକୁ ନିଜ ସ୍ୱାଧୀନତା ତୁଲ୍ୟ ଭକ୍ତି କରନ୍ତି ଓ ସ୍ତ୍ରୀ ଜାତିକୁ ମା’ ବୋଲି ଜ୍ଞାନ କରନ୍ତି, ସେମାନଙ୍କର ହୃଦୟଗ୍ରାହ୍ୟ ନ ହେଲା ଭଳି ଅନେକ ଉକ୍ତି ସ୍ମୃତିରେ ରହିଚି । ପ୍ରକୃତରେ ଏହା ବଡ଼ ଦୁଃଖର କଥା, ନୈଷ୍ଠିକ ଧର୍ମ ପ୍ରଚାର କରିବାକୁ ଯାଇ ଗୋଟିଏ ଖବର କାଗଜ ଯେ ଏସବୁ ଛାପିଚି, ଏହା ମୋତେ ଆହୁରି ବେଶୀ ଦୁଃଖ ଦେଉଚି । କାରଣ ଏସବୁ ଧର୍ମର ଅନ୍ତର୍ଗତ ହୋଇ ନ ପାରେ । ଅବଶ୍ୟ ସ୍ମୃତିରେ ମଧ୍ୟ ଅନେକ ଉକ୍ତି ଅଛି, ଯେଉଁଥିରେ କି, ସ୍ତ୍ରୀର ସମାନ ସ୍ଥାନ ସ୍ୱୀକାର କରାଯାଇଚି ଓ ନାରୀଜାତିକୁ ଯଥେଷ୍ଟ ସମ୍ମାନ ଦିଆଯାଇଚି । ସ୍ମୃତିର ଉକ୍ତିମାନଙ୍କ ଭିତରେ ଯେ ପରସ୍ପର ବିରୋଧ ରହିଚି, ଏଥିପାଇଁ ଏବେ କିଏ କଣ କରିବ ? ମୁଁ ଆଗରୁ ଅନେକ ଥର କହିଚି ଯେ, ଧର୍ମଶାସ୍ତ୍ରରେ ଲେଖା ହୋଇଚି ବୋଲି ସବୁ କଥାକୁ ଭଗବାନଙ୍କର ଆଦେଶ ବୋଲି ମାନିନେଇ ହେବ ନାହିଁ । କିନ୍ତୁ କିଏ ଭଲ ଓ ନିର୍ଭୁଲ ଏବଂ କିଏ ମନ୍ଦ ଓ ପ୍ରମାଦପୂର୍ଣ୍ଣ, ଏ କଥା ଠିକ୍ କରିବାର ଶକ୍ତି ସମସ୍ତଙ୍କର ନାହିଁ । ତେଣୁ କେତେ ପଣ୍ଡିତଙ୍କୁ ନେଇ ଗୋଟିଏ ବିଚାରସଭା ରହିବା ଉଚିତ, ଯେଉଁମାନେ ଧର୍ମଶାସ୍ତ୍ରକୁ ଆଉ ଥରେ ପଢ଼ି ଆବଶ୍ୟକ ସଂଶୋଧନ କରିପାରିବେ ଏବଂ ନୈତିକ ମହତ୍ତ୍ୱ ନ ଥିବା ଓ ଧର୍ମନୀତିର ମୌଳିକ ବିରୋଧ କରୁଥିବା ବିଷୟଗୁଡ଼ିକୁ ବାଦ ଦେଇଦେବେ । ଏଇ ସଂଶୋଧିତ ସଂସ୍କରଣକୁ ହିନ୍ଦୁମାନେ ମାନିକରି ଚଳିବେ । ଏହା ନିଶ୍ଚିତ ଭାବେ ଜଣାପଡ଼ୁଚି ଯେ, ହିନ୍ଦୁଧର୍ମାବଲମ୍ବୀ ସମସ୍ତ ଜନସଂଖ୍ୟା ଓ ଧର୍ମଗୁରୁ ବୋଲାଉଥିବା ଲୋକମାନେ ହୁଏତ ଏଇ ସଂଶୋଧିତ ଧର୍ମଶାସ୍ତ୍ରକୁ ସ୍ୱୀକାର କରିବେ ନାହିଁ-। କିନ୍ତୁ ତା’ ବୋଲି ସେମାନଙ୍କର ଏପରି ଗୋଟିଏ ପବିତ୍ର ଉଦ୍ୟମରେ ବାଧା ଦେବା ଆଦୌ ଉଚିତ ନୁହେଁ । ସେବାପରାୟଣ ମନୋଭାବ ରଖି ନିଷ୍ଠାର ସହିତ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ଫଳ ଶେଷରେ ଫଳିବହିଁ ଫଳିବ ଏବଂ ଯେଉଁମାନେ ଏହାର ସାହାଯ୍ୟ ଚାହୁଁଥିବେ, ସେମାନଙ୍କୁ ତାହା ଯଥେଷ୍ଟ ସାହାଯ୍ୟ କରିବ ।

ହରିଜନ, ୨୮.୧୧.୩୬

Image

 

ନାରୀସମାଜ ଓ ବର୍ଣ୍ଣ ବ୍ୟବସ୍ଥା

 

ଜଣେ ଶ୍ରଦ୍ଧାସ୍ପଦ ବନ୍ଧୁ ଲେଖିଛନ୍ତି–‘‘ବର୍ଣ୍ଣ ବିଷୟରେ ଆପଣ ଏବେ ଯେଉଁସବୁ ଲେଖା ଲେଖିଚନ୍ତି, ସେଥିରୁ ଜଣାଯାଉଚି, ଯେପରି ସେସବୁ କେବଳ ପୁରୁଷମାନଙ୍କ ଉପରେ ଲାଗୁ ହୋଇପାରିବ; କିନ୍ତୁ ସ୍ତ୍ରୀମାନଙ୍କ କଥା ? ନାରୀର ବର୍ଣ୍ଣ ଜାଣିବାର ଉପାୟ କଣ ? ଖୁବ୍ ସମ୍ଭବ ଆପଣ କହିବେ ଯେ, ବିବାହ ପୂର୍ବରୁ ବାପର ବର୍ଣ୍ଣ ଅନୁସାରେ ଓ ବିବାହ ପରେ ସ୍ୱାମୀର ବର୍ଣ୍ଣ ଅନୁସାରେ ତାର ବର୍ଣ୍ଣ ନିର୍ଣ୍ଣୟ କରାଯିବ । ମନୁଙ୍କର ଖଳନୀତି ଅନୁସାରେ ନାରୀର କେତେବେଳେ ହେଲେ କୌଣସି ସ୍ୱାଧୀନତା ନାହିଁ, ବିବାହ ହେବା ପୂର୍ବରୁ ସେ ପିତାଙ୍କର ନଜରରେ ରହିବ, ବାହା ହେବା ପରେ ସ୍ୱାମୀର ଅଧୀନରେ ରହିବ ଏବଂ ବିଧବା ହେଲେ ନିଜର ସନ୍ତାନସନ୍ତତିଙ୍କର ହିପାଜତରେ ରହିବ । ଆପଣ କଣ ଏଇ ନୀତିର ସମର୍ଥନ କରୁଚନ୍ତି ?’’

 

‘‘ସେ ଯାହା ହେଉ ପଛକେ, ଏ ଯୁଗ ହେଉଚି ନାରୀସ୍ୱତନ୍ତ୍ରତାର ଯୁଗ ଏବଂ ନିଜର ସ୍ୱାଧୀନଜୀବନ ଯାପନ କରିବାପାଇଁ ନାରୀ ଆଜି ପୁରୁଷ ସହିତ ଏକ ପାହାଚରେ ଠିଆ ହେଲାଣି । ସ୍ତ୍ରୀ କୌଣସି ସ୍କୁଲରେ ଶିକ୍ଷୟିତ୍ରୀର କାମ କରୁଚି ଏବଂ ତା’ର ସ୍ୱାମୀ ମହାଜନୀ କାରବାର କରୁଚି, ଏପରି ଦୃଷ୍ଟାନ୍ତ ବର୍ତ୍ତମାନ ସମାଜରେ ବହୁସଂଖ୍ୟାରେ ମିଳିବ । ଏପରି ସ୍ଥଳେ ସ୍ତ୍ରୀର ବର୍ଣ୍ଣ ଠିକ୍ କରାଯିବ କିପରି ? ବର୍ଣ୍ଣାଶ୍ରମଧର୍ମ ପ୍ରଚଳନ ସମୟରେ ପୁରୁଷ ସାଧାରଣତଃ ବାପର ବେଉସା କରୁଥିଲା, ତେଣୁ ବାପର ବର୍ଣ୍ଣ ମଧ୍ୟ ଗ୍ରହଣ କରୁଥିଲା । ସ୍ତ୍ରୀ ପାଇଁ ପିତୃକୁଳର ବର୍ଣ୍ଣ ଗ୍ରହଣ କରିବାର ବ୍ୟବସ୍ଥା ଥିଲା ଏବଂ ବିବାହପରେ ସ୍ୱାମୀ ସ୍ତ୍ରୀମାନେ ନିଜନିଜର ବର୍ଣ୍ଣକୁ ନିଷ୍ଠାର ସହିତ ଅବଲମ୍ବନ କରି ରହୁଥିଲେ । କିନ୍ତୁ ଏମାନଙ୍କର ସନ୍ତାନ ମାନଙ୍କର କି ବର୍ଣ୍ଣ ହେବ ? ପୁତ୍ର କନ୍ୟାମାନେ ସେମାନଙ୍କର ଇଚ୍ଛାନୁସାରେ ନିଜନିଜର ବର୍ଣ୍ଣ ବାଛିନେବେ, ଏହା କଣ ଆପଣଙ୍କର ମତ ? କିନ୍ତୁ ଏହାଦ୍ୱାରା ବର୍ଣ୍ଣାଶ୍ରମଧର୍ମରେ ଯେଉଁ ବଂଶାନୁକ୍ରମିକ ବର୍ଣ୍ଣ ବ୍ୟବସ୍ଥା ଅଛି ବୋଲି ଆପଣ କହିଚନ୍ତି, ତାକୁ କିପରି ରକ୍ଷା କରାଯାଇ ପାରିବ ?’’

 

ମୋ ମତରେ ବର୍ତ୍ତମାନ ସାମାଜିକ ପରିସ୍ଥିତି ଦୃଷ୍ଟିରୁ ବିଚାର କଲେ ଏ ପ୍ରଶ୍ନଟି ଅପ୍ରାସଙ୍ଗିକ ବୋଲି ମନେ ହେବ । ସମାଜର ବର୍ଣ୍ଣବ୍ୟବସ୍ଥାରେ ଏପରି ଘଣ୍ଟାଚକଟା ହୋଇସାରିଲାଣି ଯେ, ବର୍ଣ୍ଣ ବୋଲି ବତ୍ତର୍ମାନ ପ୍ରକୃତରେ କୌଣସି ଜିନିଷ ନାହିଁ । ଏକଥା ମୁଁ ଆର ଲେଖାଟିରେ ଲେଖିଚି । ବର୍ଣ୍ଣଧର୍ମର ସମସ୍ତ ନୀତିନିୟମ ମରି ଉଡ଼ି ଗଲାଣି । ବର୍ତ୍ତମାନ ହିନ୍ଦୁସମାଜରେ ଅରାଜକତା ପଶି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବକାଳର ଚାରୋଟି ବର୍ଣ୍ଣ କେବଳ ନାଁକୁ ମାତ୍ର ବଞ୍ଚି ରହିଚି । ବର୍ଣ୍ଣ ହିସାବରେ ବିଚାର କରି ଦେଖିଲେ ବର୍ତ୍ତମାନ ସମାଜରେ କେବଳ ଗୋଟିଏ ବର୍ଣ୍ଣର ଲୋକ ଅଛନ୍ତି । ପୁରୁଷ ହେଉ ବା ସ୍ତ୍ରୀ ହେଉ, ଆମେ ସମସ୍ତେ ଏକ ଶୂଦ୍ରଶ୍ରେଣୀର ଅନ୍ତର୍ଗତ ।

 

ମୁଁ ଯେଉଁ ନୂତନ ବର୍ଣ୍ଣଧର୍ମର କଳ୍ପନା କରୁଚି, ସେଥିରେ ବିବାହପୂର୍ବରୁ ପ୍ରତ୍ୟେକ ବାଳିକା ତା’ର ଭାଇପରି ବାପର ବର୍ଣ୍ଣର ଅନ୍ତର୍ଗତ ହୋଇ ରହିବ । ବିଭିନ୍ନ ବର୍ଣ୍ଣ ଭିତରେ କ୍ୱଚିତ୍ ବିବାହ ହେବ, ତେଣୁ ବିବାହ ପରେ ମଧ୍ୟ ସ୍ତ୍ରୀର ବର୍ଣ୍ଣରେ କୌଣସି ଅଦଳବଦଳ ହେବ ନାହିଁ । କିନ୍ତୁ ସ୍ୱାମୀ ଅନ୍ୟ ବର୍ଣ୍ଣର ଲୋକ ହୋଇଥିଲେ, ସ୍ତ୍ରୀକୁ ନିୟମତଃ ପିତୃକୁଳର ବର୍ଣ୍ଣ ପରିତ୍ୟାଗ କରି ସ୍ୱାମୀର ବର୍ଣ୍ଣ ଗ୍ରହଣ କରିବାକୁ ହେବ । ଏଇ ବର୍ଣ୍ଣ ବଦଳିଗଲେ ଯେ କାହା ଦେହରେ କଳଙ୍କ ଲାଗିଯିବ ବା କାହାର ଅପମାନ ହୋଇଯିବ, ଏକଥା ଯେପରି କେହି ନ ଭାବନ୍ତି । କାରଣ ନୂତନ ବର୍ଣ୍ଣ ବ୍ୟବସ୍ଥା ଅନୁସାରେ ଚାରୋଟି ଯାକ ବର୍ଣ୍ଣର ସମାଜରେ ସମାନ ଅଧିକାର ରହିବ । ସ୍ୱାମୀଠାରୁ ଏକାବେଳେକେ ବିଚ୍ଛିନ୍ନ ଭାବରେ ରହି ସ୍ତ୍ରୀ ଯେ କିପରି ଜୀବନ ନିର୍ବାହ କରିପାରିବ, ଯେ କଥା ମୁଁ କଳ୍ପନା କରିପାରୁନାହିଁ । ସନ୍ତାନ-ସନ୍ତତିଙ୍କର ଲାଳନପାଳନ କରିବା ଓ ଘର ସଂସାର ଚଳାଇବାରେ ସ୍ତ୍ରୀର ସମସ୍ତ ଶକ୍ତି ଖର୍ଚ୍ଚ ହୋଇଯିବ । ଯେ କୌଣସି ସୁସଂଗଠିତ ସମାଜରେ ସ୍ତ୍ରୀଉପରେ ପରିବାର ପୋଷିବାର ଭାର ଲଦିଦେବା ଉଚିତ ନୁହେଁ । ପୁରୁଷ ପରିବାର ପାଇଁ ଉପାର୍ଜନ କରିବ, ସ୍ତ୍ରୀ ଘର ଚଳାଇବ, ଏଇପରି ଭାବରେ ଦୁହେଁ ଦୁହିଁଙ୍କ କାର୍ଯ୍ୟକୁ ସାହାଯ୍ୟ କରିପାରିବେ ।

 

ଏହାଦ୍ୱାରା ନାରୀର ସ୍ୱାଧୀନତାରେ ହସ୍ତକ୍ଷେପ ହେବାର ବା ତାକୁ ଦଳି ଦିଆଯିବାର ମୁଁ କୌଣସି କାରଣ ଦେଖିପାରୁ ନାହିଁ । ମନୁ ଯେ କହିଚନ୍ତି ନାରୀକୁ କୌଣସି ସ୍ୱାଧୀନତା ଦିଆଯିବ ନାହିଁ, ଏ ଭକ୍ତିକୁ ମୁଁ ପବିତ୍ର ବୋଲି ମାନି ପାରୁନାହିଁ । ବୋଧହୁଏ ମନୁଙ୍କ ଯୁଗରେ ନାରୀମାନଙ୍କୁ ପୁରୁଷର ଅଧୀନ କରି ରଖାଯାଇଥିଲା । ପତ୍ନୀର ଅର୍ଥ ବୁଝାଇବା ପାଇଁ ଆମର ଶାସ୍ତ୍ରମାନଙ୍କରେ ଅର୍ଦ୍ଧାଙ୍ଗନା, ସହଧର୍ମିଣୀ ପ୍ରଭୃତି ଶବ୍ଦ ବ୍ୟବହୃତ ହୋଇଚି । ସ୍ୱାମୀ ସ୍ତ୍ରୀକୁ ‘ଦେବୀ’ ବୋଲି ସମ୍ବୋଧନ କରିବାର ଅନେକ ପ୍ରମାଣ ମିଳେ । ଏଥିରୁ ଜଣାଯାଉଚି, ପୁରାତନ ଯୁଗରେ ନାରୀକୁ ତାର ଉଚିତ ସମ୍ମାନ ଦିଆ ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି ଗୋଟିଏ ଯୁଗ ଆସିଲା, ଯେତେବେଳେ କି ସ୍ତ୍ରୀକୁ ଅନେକ ସୁଖ ସୁବିଧା ଓ ଅଧିକାରରୁ ବଂଚିତ କରାଗଲା ଓ ନାରୀକୁ ନ୍ୟୂନ ସ୍ତରକୁ ଖସାଇ ଦିଆଗଲା । କିନ୍ତୁ ନାରୀର ବର୍ଣ୍ଣରେ କୌଣସି ଅଧୋପତନ ହୋଇନାହିଁ । କାରଣ ବର୍ଣ୍ଣ କହିଲେ କେତେଗୁଡ଼ିଏ ଅଧିକାର ବା ସୁଖ ସୁବିଧାକୁ ତ ବୁଝାଏ ନାହିଁ, କେବଳ କର୍ତ୍ତବ୍ୟ ଓ ବାଧ୍ୟତା ସହିତ ଏହାର ସମ୍ବନ୍ଧ ରହିଚି । ଆଉ ଆମେ ଯେ ପର୍ଯ୍ୟନ୍ତ ଆମ କର୍ତ୍ତବ୍ୟରେ ଅବହେଳା ନ କରିଚୁ, ଯେ ପର୍ଯ୍ୟନ୍ତ ଆମକୁ କର୍ତ୍ତବ୍ୟସାଧନରୁ କିଏ ବଞ୍ଚିତ କରିପାରିବ ? ଯେଉଁ ନାରୀ ନିଜର କର୍ତ୍ତବ୍ୟକୁ ଜାଣିଚି ଓ ପାଳନ କରୁଚି, ସେ ନିଶ୍ଚୟ ନିଜର ସମ୍ମାନ ଉପଲବ୍ଧି କରିପାରିବ । ନିଜର ଘରେ ନାରୀ ହେଉଚି ରାଣୀ, ପ୍ରଧାନ କର୍ତ୍ତ୍ରୀ । ତାକୁ କେବେହେଲେ ଚାକରାଣୀର ସମାନ କରି ହେବନାହିଁ ।

 

ସ୍ତ୍ରୀମାନଙ୍କର ସ୍ଥାନ ଓ କର୍ତ୍ତବ୍ୟ ବିଷୟରେ ମୁଁ ଯାହାସବୁ କହିଲି, ସେ ସବୁ ଯଦି ସମାଜରେ ସ୍ୱୀକୃତ ହୁଏ, ତେବେ ସନ୍ତାନସନ୍ତତିଙ୍କ ବର୍ଣ୍ଣ ନିର୍ଣ୍ଣୟ କରିବାରେ ଆଉ ମୁଣ୍ଡ ଘୂରେଇବାକୁ ପଡ଼ିବନାହିଁ; କାରଣ ସେତେବେଳେ ଆଉ ସ୍ୱାମୀ ଓ ସ୍ତ୍ରୀ ଭିତରେ ବର୍ଣ୍ଣର ପାର୍ଥକ୍ୟ ରହିବ ନାହିଁ ।

ୟଙ୍ଗ୍ ଇଣ୍ଡିଆ, ୧୨.୧୦.୩୪

Image

 

ନାରୀର ସ୍ଥାନ

 

ଜଣେ ବନ୍ଧୁ, ଯେ କି ଏପର୍ଯ୍ୟନ୍ତ ବିବାହର ପ୍ରଲୋଭନ ଏଡ଼ିଦେଇ ଆସିଚନ୍ତି, ମୋ ପାଖକୁ ଖଣ୍ଡେ ଚିଠିରେ ଲେଖିଚନ୍ତି :–

 

‘‘କାଲି ମାଲବାରୀ ହଲ୍‍ରେ (ବମ୍ବେ) ନାରୀମାନଙ୍କର ଏକ ସମ୍ମେଳନୀ ବସିଥିଲା । ସେଥିରେ ଅନେକ ଲୋକ ଭାବଗର୍ଭ ବକ୍ତୃତାମାନ ଦେଲେ, ଅନେକ ପ୍ରସ୍ତାବ ମଧ୍ୟ ଗୃହୀତ ହେଲା । ସଭାଟିରେ ‘ସାରଦାବିଲ୍’ର ଆଲୋଚନା ହେଉଥିଲା । ଆପଣ ଯେ ବାଳିକାମାନଙ୍କର ବିବାହ ବୟସକୁ ଅଠର ଧରିଛନ୍ତି, ସେଥିଲାଗି ଆମେମାନେ ଅତି ଖୁସି । ସ୍ୱତ୍ୱାଧିକାର ଆଇନ ବିଷୟରେ ଆଉ ଗୋଟିଏ ପ୍ରସ୍ତାବ ମଧ୍ୟ କାଲି ଗୃହୀତ ହୋଇଚି । ଆପଣ ‘ନବଜୀବନ’ ବା ‘ୟଙ୍ଗ୍ ଇଣ୍ଡିଆ’ରେ ଏଇ ବିଷୟରେ ଗୋଟିଏ ଟାଣୁଆ ଲେଖା ଲେଖନ୍ତେ କି, ଖୁବ୍ ଭଲ ହୁଅନ୍ତା । ଯେଉଁଥିରେ ନାରୀମାନଙ୍କର ଜନ୍ମଗତ ଦାବୀ ରହିଚି, ସେଥିଲାଗି ସେମାନେ ଭିକ ମାଗି ବା ଲଢ଼େଇ କରି ଯିବେ କାହିଁକି ? ପୁରୁଷ ଏଇ ନାରୀଠୁଁ ଜନ୍ମ ହୋଇଚି । ସେଇ ପୁରୁଷ ଆଜି ନାରୀକୁ ନ୍ୟୂନ ଜନ (Weaker sex) ବୋଲି କହୁଚି ଏବଂ ଆମକୁ ଆମର ନ୍ୟାଯ୍ୟ ଅଧିକାରସବୁ ଦେବାର ଦୟା ଦେଖାଉଚି । ଏହାଠାରୁ ବଳି ଅଦ୍ଭୁତ ଓ ହାସ୍ୟକର କଥା କଣ ହୋଇପାରେ ? ଏଇ ‘ଅଧିକାର ଦେବା’ଟା କି ନିର୍ବୋଧତା ? ପଶୁବଳରେ ଜୋର ଦେଖାଇ ସେମାନେ ଦିନେ ଜବରଦସ୍ତି ଯାବତ ଅନ୍ୟାୟ କରି ଆମଠାରୁ ଯାହା ଛଡ଼ାଇ ନେଇଥିଲେ, ସେ ସବୁ ଆମକୁ ପୁଣି ଫେରାଇ ଦେବାରେ କି ଉଦାରତା ବା ଦୟାର୍ଦ୍ରତା ରହିଚି ? କେଉଁ ହିସାବରେ ନାରୀ ପୁରୁଷଠାରୁ ଊଣା ? ତେବେ ସେମାନେ କାହିଁକି ପୁରୁଷଙ୍କ ପରି ସମ୍ପତ୍ତିରୁ ସମାନ ଭାଗ ପାଇବେ ନାହିଁ । ଏଇ ବିଷୟ ନେଇ ଦୁଇ ଦିନ ତଳେ କେତେକ ଲୋକଙ୍କ ସହିତ ଆମର ଖୁବ୍ କଡ଼ା ଆଲୋଚନା ହୋଇଥିଲା । ଜଣେ ଭଦ୍ରମହିଳା କହିଲେ ଆଇନରେ ଯାହା ଅଛି ଥାଉ, ଆମେ ସେସବୁ ବଦଳାଇବାକୁ ଚାହୁଁନା । ଆମେ ଏଇ ଆଇନରେ ସନ୍ତୁଷ୍ଟ ରହିବୁଁ । ସାଧାରଣତଃ ପୁଅ ବଂଶର କୁଳରକ୍ଷକ, ତେଣୁ ନ୍ୟାୟତଃ ସମ୍ପତ୍ତିରେ ତା’ର ବେଶୀ କିସ୍‍ମତ୍ ରହିବା ଉଚିତ ।’’ ଆମେ କହିଲୁ–‘କିନ୍ତୁ ଝିଅଟିର କଥା କିଏ ବୁଝିବ ? ସେଇଠି ଉପସ୍ଥିତ ଥିବା ଜଣେ ସୁଦେହ ଯୁବକ ହଠାତ୍ କହିଉଠିଲେ–କାହିଁକି, ଅନ୍ୟ ଜଣକ ନିଶ୍ଚୟ ତାର ତତ୍ତ୍ୱ ନେବ । ବାଃ ବାଃ ଅନ୍ୟଜଣକ । ସବୁବେଳେ ସେଇ ଅନ୍ୟଜଣକ ! ଏଇ ‘ଅନ୍ୟଜଣକ’ ଶବ୍ଦଟି ଯେତେ ଦ୍ୱନ୍ଦ୍ୱର ମୂଳ । ‘ଅନ୍ୟଜଣେ’ କାହିଁକି ବାଳିକାଟିର ତତ୍ତ୍ୱ ନେବ ? ସବୁବେଳେ ଯେ ଏମିତି କେହି ‘ଅନ୍ୟଜଣେ’ ରହିଥିବ, ଏକଥା ଆଦ୍ୟରୁ ଧରି ନିଆଯାଉଚି କାହିଁକି-? ତାଙ୍କ କଥାରୁ ମନେ ହେଉଚି, ଯେମିତି ବାଳିକା କେବଳ ଗୋଟାଏ ମାଲବସ୍ତା ! ‘ଅନ୍ୟଜଣଙ୍କ’ ହାତରେ ସମର୍ପଣ କରି ସମସ୍ତେ ନିଶ୍ଚିନ୍ତ ହେବେ ! ସତ କଥା, ଆପଣ ଯଦି ବାଳିକା ହୋଇଥାନ୍ତେ, ତେବେ ଆପଣଙ୍କୁ ଏସବୁ କ’ଣ ଅସହ୍ୟବୋଧ ହେଉ ନଥାନ୍ତା ?’’

 

ପୁରୁଷ ସ୍ତ୍ରୀ ଉପରେ ଯେଉଁ ଅତ୍ୟାଚାର କରୁଛି, ତାକୁ ଅସହ୍ୟ ବୋଧ କରିବା ପାଇଁ ମୋର ବାଳିକା ହେବା ଦରକାର ନାହିଁ । ଏହି ସ୍ୱତ୍ୱାଧିକାର ଆଇନକୁ ମୁଁ ସବୁଠାରୁ ଛୋଟ କଥା ବୋଲି ମନେ କରୁଛି । ସାରଦାବିଲ୍‍ରେ ଏହାଠାରୁ ଯଥେଷ୍ଟ ବଡ଼ ବଡ଼ ଦୋଷର ଅପନୋଦନ ପାଇଁ ପ୍ରଯତ୍ନ କରାଯାଇଛି । କିନ୍ତୁ ସ୍ତ୍ରୀମାନଙ୍କୁ ସେମାନଙ୍କର ଅଧିକାର ଫେରାଇ ଦେବା ବିଷୟରେ ମୁଁ କାହା ପାଖରେ ମୁଣ୍ଡ ନୁଆଇଁପାରିବି ନାହିଁ । ଯେଉଁ ଆଇନ୍‍ର ସୁବିଧା ପୁରୁଷକୁ ଦିଆଯାଇଛି, ସେଥିରୁ ନାରୀକୁ ବଞ୍ଚିତ କରି ରଖିବା ଅନୁଚିତ । ପୁତ୍ର ଓ କନ୍ୟା ଉଭୟଙ୍କୁ ସମାନ ଚକ୍ଷୁରେ ଓଜନ କରିବା ଉଚିତ ବୋଲି ମୁଁ ଭାବୁଚି । ଶିକ୍ଷାର ଉନ୍ନତି ସଙ୍ଗେ ସଙ୍ଗେ ନାରୀମାନେ ଯେତେବେଳେ ସେମାନଙ୍କର ବଳ କଳିପାରିବେ, ସେତେବେଳେ ସେମାନେ ସେମାନଙ୍କୁ ଅଧୀନକରି ରଖିଥିବା ବୈଷମ୍ୟର ନିଶ୍ଚୟ ପ୍ରତିବାଦ କରିବେ ।

 

କିନ୍ତୁ ଖାଲି ଆଇନ୍‍ଗତ ବାଧା ଉଠାଇ ଦେଇ ସନ୍ତୁଷ୍ଟ ହୋଇଗଲେ, ରୋଗକୁ ମୂଳରୁ ନ ମାରି ଦବେଇ ରଖିଲାପରି ହେବ । ଏଇ ପାପର ବୀଜ କେଉଁଠି ରହିଚି, ହୁଏତ ଅନେକ ଲୋକ ସେକଥା ଜାଣିନାହାନ୍ତି । ଖ୍ୟାତି ଓ କ୍ଷମତା ପାଇଁ ମଣିଷର ଯେଉଁ ଲୋଭ ରହିଚି, ନିଜର କାମ ଲାଳସା ତୃପ୍ତ କରିବାର ଯେଉଁ ଆକାଙ୍‌କ୍ଷା ରହିଚି, ସେଇ ହେଉଚି ଏ ସବୁର ମୂଳମଞ୍ଜି । ଚିରଦିନ ମଣିଷ କ୍ଷମତାର ଲୋଭ ଦେଖାଇ ଆସିଛି । ଯାହାର ଅନେକ ସମ୍ପତ୍ତି ଅଛି, ସେ ନିଜକୁ କ୍ଷମତାଶାଳୀ ମନେ କରୁଛି । ମଲାପରେ କ୍ଷମତାଶାଳୀ ଲୋକକୁ ଯେଉଁ ଯଶଖ୍ୟାତି ମିଳେ, ସେଇ ଯଶଖ୍ୟାତି କମାଇବା ପାଇଁ ମଧ୍ୟ ମଣିଷ ସବୁବେଳେ ଧାଇଁଛି । ଭବିଷ୍ୟତରେ ସମ୍ପତ୍ତିରେ ସମସ୍ତଙ୍କୁ ସମାନ ଅଧିକାର ଦେଇଦିଆଗଲେ, ସମ୍ପତ୍ତି ନିଶ୍ଚୟ ଭାଗ ଭାଗ ହୋଇଯିବ, ତେଣୁ ୟାଦ୍ୱାରା ଖ୍ୟାତିଲୋଭୀ ମଣିଷର ମନର ଲୋଭ ମେଣ୍ଟିପାରିବ ନାହିଁ । ସେଇଥିପାଇଁ ଜ୍ୟେଷ୍ଠପୁତ୍ର ସମ୍ପତ୍ତିର ମାଲିକ ହେବ ବୋଲି ସମାଜରେ ବ୍ୟବସ୍ଥା ରଖାଯାଇଚି । ପ୍ରାୟ ପ୍ରତ୍ୟେକ ନାରୀ ବିବାହ କରନ୍ତି । ତେଣୁ ଆଇନ ଅନୁସାରେ ସମ୍ପତ୍ତି ଉପରେ ସେମାନଙ୍କର କୌଣସି ଦାବୀ ନ ଥିଲେହେଁ ବିବାହ ପରେ ସେମାନେ ମଧ୍ୟ ସ୍ୱାମୀ ସହିତ ସ୍ୱାମୀର କ୍ଷମତା ଭୋଗ କରନ୍ତି । କୌଣସି ନିର୍ଦ୍ଦିଷ୍ଟ ଜମିଦାର ବା ସାମନ୍ତଙ୍କୁ ନିଜର ସ୍ୱାମୀ କରି ପାଇଲେ, ସେମାନେ ନିଜର ନାରୀ ଜନ୍ମକୁ ଭାଗ୍ୟ ବୋଲି ମନେ କରନ୍ତି । ତେଣୁ ଆଜି ହୁଏତ ସଭାସମିତିରେ ସେମାନେ ସମାଜ-ସଂସ୍କାର ପାଇଁ ବା ସମାନ ଅଧିକାର ପାଇଁ ଭୋଟ ଦେଇପାରନ୍ତି; କିନ୍ତୁ ଯେତେବେଳେ ନିଜର ଭୋଟ୍ ଅନୁସାରେ କାମ କରିବାର ବେଳ ଆସିବ, ସେତେବେଳେ ଦେଖାଯିବ ଯେ ଅନେକ ହୁଏତ ସ୍ତ୍ରୀ ହିସାବରେ ନିଜେ ଉପଭୋଗ କରୁଥିବା ସୁବିଧା ଛାଡ଼ିବାକୁ ରାଜି ନୁହନ୍ତି ।

 

ତେଣୁ ସମସ୍ତ ପ୍ରକାର ଆଇନଗତ ବାଧା ଉଠିଯାଉ ବୋଲି କହିବା ସଙ୍ଗେ ସଙ୍ଗେ ଏଇ ସମସ୍ୟାର ମୂଳ କାରଣ ଖୋଜି ବାହାର କରିବାକୁ ମୁଁ ଭାରତର ପ୍ରଗତିକାମୀ ନାରୀସମାଜକୁ ଅନୁରୋଧ କରୁଛି । ସ୍ତ୍ରୀ ହେଉଚି ତ୍ୟାଗ ଓ ସହିଷ୍ଣୁତାର ପ୍ରତିମୂର୍ତ୍ତି । ସେ ସମାଜକ୍ଷେତ୍ରକୁ ଆସିଲେ ସମାଜ ପବିତ୍ର ହୋଇଯିବ, ଲୋଭର ଆକାଙ୍‌କ୍ଷା କରିବା ଓ ବ୍ୟକ୍ତିଗତ ସମ୍ପତ୍ତି ଜମାଇ ରଖିବା ମଧ୍ୟ ଅନେକ ପରିମାଣରେ କମିଯିବ । ସେମାନେ ଜାଣିବା ଉଚିତ ଯେ ଏ ଦେଶରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନଙ୍କର କି ପୁଅନାତିଙ୍କ ପାଇଁ ରଖିଯିବାକୁ ନିଜର କୌଣସି ସମ୍ପତ୍ତି ନାହିଁ । ଏହା ଅପେକ୍ଷା ବରଂ ଆମ କେତେଜଣଙ୍କର ପୈତୃକ ସମ୍ପତ୍ତି ନ ରହିବା ଉଚିତ । ବାପ ମା ନିଜର ସନ୍ତାନସନ୍ତତିମାନଙ୍କ ପାଇଁ ଯେଉଁ ଶ୍ରେଷ୍ଠ ସମ୍ପତ୍ତି ରଖିଯାଇ ପାରିବେ, ତାହା ହେଉଛି ସେମାନଙ୍କର ଚରିତ୍ର ଏବଂ ଶିକ୍ଷାର ଅନୁକୂଳ କ୍ଷେତ୍ର (Facilities) । ପୁଅଝିଅମାନେ କିପରି ଆତ୍ମବିଶ୍ୱାସୀ ହେବେ, ସାଧୁ ପରିଶ୍ରମ କରି କିପରି ନିଜନିଜର ଜୀବିକା ଅର୍ଜନ କରିପାରିବେ, ଏଥିପ୍ରତି ବାପ ମା’ଙ୍କର ବେଶୀ ଦୃଷ୍ଟି ରହିବା ଉଚିତ । ନାବାଳକ ସନ୍ତାନମାନଙ୍କର ଲାଳନପାଳନର ଭାର ବସ୍ତୁତଃ ସାବାଳକମାନଙ୍କ ଉପରେ ରହିବ । ଆଜିକାଲି ଧନୀଘରର ପିଲାମାନେ କୌଣସି କାମର ଯୋଗ୍ୟ ହୋଇପାରୁ ନାହାନ୍ତି । କିନ୍ତୁ ବାପ ମା’ମାନେ ଯଦି ସେମାନଙ୍କୁ ଏପରି ଶିକ୍ଷା ଦିଅନ୍ତି, ଯେପରିକି ସମ୍ପତ୍ତିର ଦାସ ହୋଇ ରହିବା ଅପେକ୍ଷା ସ୍ୱାଧୀନଭାବରେ ଜୀବନ ଯାପନ କରିବାକୁ ସେମାନେ ବେଶୀ ବଡ଼ ବୋଲି ମନେ କରିବେ ତେବେ ପିଲାଙ୍କର ଅଯୋଗ୍ୟତା ରୋଗ ଦୂର ହୋଇଯିବ । ପୈତୃକ ସମ୍ପତ୍ତି ଆମକୁ କୋଢ଼ି କରି ପକାଏ ଏବଂ ଇନ୍ଦ୍ରିୟସେବା କରିବାର ପ୍ରଶ୍ରୟ ଦିଏ-ଏହାଦ୍ୱାରା ମଣିଷ ଅଳସୁଆ ହୋଇ ପଡ଼େ ଏବଂ ଆରାମ ଅଏସରେ ରହିବାକୁ ଭଲପାଏ । ଯୁଗ ଯୁଗ ଧରି ରହିଥିବା ଏଇସବୁ କଳଙ୍କ ସମାଜରୁ ଦୂର କରିଦେବା ହେଉଚି ଶିକ୍ଷିତା ନାରୀର କର୍ତ୍ତବ୍ୟ ।

 

ଆମ ଭିତରେ କାମାତୁରତାର ପ୍ରବୃତ୍ତି ବଢ଼ିଯାଇଥିବା ଦ୍ୱାରା ଯେ ନାରୀଜାତିକୁ କ୍ରମେ କ୍ରମେ ଅଯୋଗ୍ୟ ବୋଲି ଜ୍ଞାନ କରାଯାଉଛି, ଏକଥା ସମସ୍ତେ ବୁଝି ପାରୁଥିବେ । ପୁରୁଷ ଯେମିତି ନାରୀକୁ ଆଗକୁ ଯିବାକୁ ନ ଦେବାର ବୃଥା ଚେଷ୍ଟା କରିଛି, ନାରୀ ମଧ୍ୟ ସେଇପରି ନାନା ଉପାୟରେ ନିଜର କୌଶଳ-କୁହୁକ ବ୍ୟବହାର ଦେଖାଇ ପୁରୁଷକୁ ଟପି ଚାଲିଯାଇଛି । ତାଦ୍ୱାରା ସମାଜରେ ଏକ ଅଚଳ ଅବସ୍ଥା ଆସି ପହଞ୍ଚିଛି । ଏଇ ଦୃଷ୍ଟିରୁ ବିଚାର କଲେ ଭାରତମାତାର ଶିକ୍ଷିତା କନ୍ୟାମାନଙ୍କ ଆଗରେ ଏକ ଗୁରୁତର ସମସ୍ୟା ଉପସ୍ଥିତ ହୋଇଛି । ପାଶ୍ଚାତ୍ୟ ଜଗତର ରୀତିନୀତି ହୁଏତ ପାଶ୍ଚାତ୍ୟ ଜଗତ ପାଇଁ ଭଲ ହୋଇପାରେ; କିନ୍ତୁ ସେସବୁ ନକଲ କଲେ ଆମର ଭଲ ହେବ ନାହିଁ । ଭାରତୀୟ ମସ୍ତିଷ୍କ ଓ ଭାରତୀୟ ପରିସ୍ଥିତିକୁ ଚାହିଁ ଆମକୁ ବାଟ ଠିକ୍ କରିବାକୁ ହେବ । ସେମାନେ ଶକ୍ତିଶାଳୀ, ସଂଯତ, ପବିତ୍ର ଓ ଅଟଳ ନିଷ୍ଠା ସହକାରେ ଆମ ସଂସ୍କୃତିରେ ଯାହା ଭଲ ସେସବୁ ଗ୍ରହଣ କରିବେ ଏବଂ ଯାହା ଖରାପ ଓ ଅକଲ୍ୟାଣକର ତାକୁ ଅକୁଣ୍ଠିତ ଭାବରେ ପରିତ୍ୟାଗ କରିବେ । ତେଣୁ ଖାଲି ପୁରୁଷପରି ଜୋରଦାର୍ ହେଲେ ବା କାମପ୍ରବଣ ହେଲେ ଚଳିବ ନାହିଁ । ଏ ଦାୟିତ୍ୱ ମୁଣ୍ଡାଇବା ପାଇଁ ସୀତା, ସାବିତ୍ରୀ ଓ ଦମୟନ୍ତୀଙ୍କ ପରି ନାରୀ ଜନ୍ମହେବା ଦରକାର ।

ୟଙ୍ଗ୍ ଇଣ୍ଡିଆ, ୧୭.୧୦.୨୯

Image

 

ନାରୀପ୍ରତି ବ୍ୟବହାର

 

କଟକରୁ ଶ୍ରୀମତୀ ସରଳା ଦେବୀ ଲେଖିଛନ୍ତି : –

 

ଅସ୍ପୃଶ୍ୟତା ପରି ନାରୀମାନଙ୍କ ପ୍ରତି କୁବ୍ୟବହାର କରିବା ମଧ୍ୟ ଯେ ଗୋଟାଏ ରୋଗ, ଏକଥା କଣ ଆପଣ ସ୍ୱୀକାର କରିବେ ନାହିଁ ? ମୁଁ ଅନେକ ଯୁବକଙ୍କର ପରିଚୟରେ ଆସିଛି, ଯେଉଁମାନେ ନିଜକୁ ‘ଜାତୀୟବାଦୀ’ ବୋଲି କହନ୍ତି । ସେମାନଙ୍କ ଭିତରୁ ଶହେରେ ନବେ ଜଣଙ୍କର ନାରୀପ୍ରତି ପାଶବିକ ମନୋଭାବ ରହିଚି । ଭାରତର ଅସହଯୋଗ ଆନ୍ଦୋଳନରେ ଯେଉଁ ଯୁବକମାନେ ଯୋଗ ଦେଇଛନ୍ତି, ସେମାନଙ୍କ ଭିତରୁ କେତେଜଣ ନାରୀକୁ ସମ୍ଭୋଗର ସାମଗ୍ରୀ ବୋଲି ମନେ ନ କରନ୍ତି ? ଚିତ୍ତ ଶୁଦ୍ଧ କରିବା ସଫଳତାର ପ୍ରଥମ ସର୍ତ୍ତ । କିନ୍ତୁ ନାରୀମାନଙ୍କ ପ୍ରତି ରହିଥିବା ଏଇ ମନୋଭାବର ପରିବର୍ତ୍ତନ ନ ହେଲେ କେବେହେଲେ ଚିତ୍ତଶୁଦ୍ଧି ସମ୍ଭବ ହୋଇପାରିବ କି ?’’

 

‘ନାରୀପ୍ରତି କରାଯାଉଥିବା ବ୍ୟବହାର ଯେ ଅସ୍ପୃଶ୍ୟତା ପରି ଗୋଟାଏ ରୋଗ’, ଏଥିରେ ମୁଁ ଏକମତ ହୋଇପାରୁନାହିଁ । ଶ୍ରୀମତୀ ସରଳା ଦେବୀ ପ୍ରକୃତ କଥାଟିକୁ ଅତି ବଢ଼ାଇଦେଇ ଲେଖିଛନ୍ତି । ଆଉ ମଧ୍ୟ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଯୁବକମାନଙ୍କୁ କାମାତୁରତାର ଦୋଷରେ ଦୋଷୀ କରିହେବ ନାହିଁ । ଅଯଥା ବଢ଼ାଇଦେଲେ କଥାର ମୂଲ୍ୟ କମିଯାଏ । ଏହା ସଙ୍ଗେ ସଙ୍ଗେ ମଧ୍ୟ ମୁଁ ଏଠାରେ କହିରଖୁଛି ଯେ ପ୍ରକୃତ ସ୍ୱରାଜଲାଗି ଉପଯୁକ୍ତ ହେବାକୁ ହେଲେ ପ୍ରତ୍ୟେକ ପୁରୁଷକୁ ନାରୀ ଓ ତାର ପବିତ୍ରତାକୁ ଭକ୍ତି କରି ଶିଖିବାକୁ ହେବ । ଶ୍ରୀଯୁକ୍ତ ଆଣ୍ଡୃଜ ଥରେ ଅଗ୍ନିମୟୀ ଭାଷାରେ କହିଥିଲେ, ‘‘ପତିତା ଭଉଣୀମାନଙ୍କର ଅପମାନରେ ଆମେ କେବେହେଲେ ଆନନ୍ଦ ଅନୁଭବ କରିପାରିବା ନାହିଁ । ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିବା କୌଣସି ଯୁବକ ଯଦି କହିବ ଯେ, ସେମାନଙ୍କର କାମ-ପରିତୃପ୍ତି ଲାଗି କେତେକ ପତିତା ଭଉଣୀ ଆପଣାକୁ ସମର୍ପି ଦେଇଥିଲେ, ତେବେ ଏହାଠାରୁ ବଳି ମନ୍ଦଭାବନା ଆଉ କଣ ହୋଇପାରେ ? ଆମର ନୈତିକ ଜୀବନଧର୍ମରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏଇ ବିଷୟରେ ଅସହଯୋଗକାରୀ ଓ ସହଯୋଗକାରୀଙ୍କ ଭିତରେ କୌଣସି ବିଚାରବିଭେଦ ରହିବା ଉଚିତ ନୁହେଁ-। ଏଇ କଥାରେ ପ୍ରତ୍ୟେକ ପୁରୁଷର ମସ୍ତକ ନିଶ୍ଚୟ ଲାଜରେ ନଇଁପଡ଼ିବ, ଯେ ପର୍ଯ୍ୟନ୍ତ କି ଆମେ ଗୋଟିଏ ନାରୀକୁ ମଧ୍ୟ ଆମ ଇନ୍ଦ୍ରିୟଭୋଗର ସାମଗ୍ରୀ କରି ରଖିଚୁ । ଈଶ୍ୱରଙ୍କ ସଂସାରର ସବୁଠାରୁ ପବିତ୍ର ସୃଷ୍ଟିକୁ କାମସମ୍ଭୋଗର ସାମଗ୍ରୀ କରି ପଶୁଠାରୁ ବଳିପଡ଼ିବା ଅପେକ୍ଷା ପୁରୁଷଜାତି ବରଂ ଦୁନିଆରୁ ଲୁପ୍ତ ହୋଇଯିବା ଉଚିତ । କିନ୍ତୁ ଏହା କେବଳ ଭାରତର ସମସ୍ୟା ନୁହେଁ–ଏହା ସାରା ପୃଥିବୀର ସମସ୍ୟା । ଇନ୍ଦ୍ରିୟ ଉପଭୋଗର କୃତ୍ରିମ ଜୀବନଯାପନ ପରିତ୍ୟାଗ କରି ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କୁ ମୁଁ କହୁଚି ଯେ ସେମାନେ ସରଳ ଜୀବନ କଟାଇ ଶିଖନ୍ତୁ । ଚରଖା ହେଉଚି ଏଇ ସରଳଜୀବନର କ୍ଷୁଦ୍ର ପ୍ରତିମୂର୍ତ୍ତି । ମୋର ବିଶ୍ୱାସ ହୋଇଯାଇଚି ଯେ, ଏଇପରି ଏକ ସରଳ ଜୀବନକୁ ଫେରି ନଗଲେ ଆଉ ରକ୍ଷା ନାହିଁ, ମଣିଷ ନିଶ୍ଚୟ ପଶୁଠାରୁ ଆହୁରି ତଳକୁ ଖସି ଖସି ଯାଉଥିବ । ସ୍ତ୍ରୀକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ମିଳୁ, ମୁଁ ଏଥିଲାଗି ବ୍ୟାକୁଳ । ବାଲ୍ୟବିବାହକୁ ମୁଁ ଘୃଣାକରେ । ବାଳୁତ ବିଧବାଟିଏ ଦେଖିଲେ ମୋର ପ୍ରାଣ କମ୍ପିଉଠେ । ଆଉ ପୁରୁଷ ଯେତେବେଳେ ଗୋଟିଏ ସ୍ତ୍ରୀ ମରିଗଲେ ପଶୁପରି ପଥର ହୋଇ ଆଉ ଗୋଟିଏ ବାହା ହୋଇପଡ଼େ, ସେତେବେଳେ ତାକୁ ଦେଖି ମୋର ଅନ୍ତର ଜଳିଉଠେ । ଯେଉଁ ବାପ, ମା ନିର୍ବୋଧ ପଥର ହୋଇ ନିଜର ଝିଅମାନଙ୍କୁ ପାଠ ପଢ଼ିବାର ଓ ଶିକ୍ଷିତା ହେବାର ସୁବିଧା ଦିଅନ୍ତି ନାହିଁ ଏବଂ ଧନୀଘରର ପାତ୍ରଟିଏ ଦେଖି ତାକୁ ବାହା କରେଇ ଦେଇ କାମ ଶେଷ କରନ୍ତି, ସେମାନଙ୍କୁ ମୁଁ ପ୍ରକୃତ ବାପ, ମା ବୋଲି କେବେହେଲେ କହିପାରିବି ନାହିଁ । ଅନ୍ତର ଭିତରେ ଏ ଦହନଜ୍ୱାଳା ଅନୁଭବ କରୁଥିଲେ ମଧ୍ୟ ମୁଁ ସମସ୍ୟାଟି ସମାଧାନ କରିବାର ଅସୁବିଧା ସବୁ ଦେଖିପାରୁଚି । ସ୍ତ୍ରୀମାନଙ୍କ ଭୋଟ ଅଧିକାର ମିଳିବା ଉଚିତ, ଆଇନତଃ ସେମାନଙ୍କୁ ସମାନ ଅଧିକାର ଦିଆଯିବା ଉଚିତ । କିନ୍ତୁ ଏତିକିରେ କଣ ସମସ୍ୟାର ସମାଧାନ ହୋଇଯିବ ? ଜାତିର ରାଜନୈତିକ ପ୍ରବାହଧାରାରେ ସ୍ତ୍ରୀମାନେ ଯେଉଁଦିନ ଭାଗନେବେ, ସେହିଦିନ ସେମାନଙ୍କର ଦାୟିତ୍ୱ କେବଳ ଆରମ୍ଭ ହେଲା ବୋଲି ବୁଝିବାକୁ ହେବ ।

 

ଗୋଟିଏ ଉଦାହରଣ ଦେଉଚି । ଲଣ୍ଡନର ଜଣେ ନାରୀପ୍ରଗତିବାଦୀଙ୍କ ସହିତ ଜଣେ ମୁସଲମାନ ବନ୍ଧୁଙ୍କର ଯେଉଁସବୁ କଥାବାର୍ତ୍ତା ହୋଇଥିଲା, ମୁଁ ସେଇକଥାଟି ଏଠି କହିବାକୁ ଯାଉଚି । ଥରେ ସେ ବନ୍ଧୁଟି ନାରୀପ୍ରଗତିବାଦୀଙ୍କର ଗୋଟିଏ ସଭାକୁ ଯାଇଥିଲେ । ଏପରି ଗୋଟିଏ ସଭାରେ ଜଣେ ମୁସଲମାନ ଦେଖି ଜଣେ ମହିଳାବନ୍ଧୁ ବିସ୍ମିତ ହୋଇଗଲେ । କାରଣ ପଚାରିବାରୁ ମୁସଲମାନ ବନ୍ଧୁ ଜଣକ କହିଲେ ଯେ, ସଭାକୁ ଆସିବାରେ ତାଙ୍କର ଦୁଇଟି ମୁଖ୍ୟ ଓ ଦୁଇଟି ଗୌଣ କାରଣ ଅଛି । ତାଙ୍କର ଅତି ଶିଶୁ ଅବସ୍ଥାରେ ବାପା ମରିଯାଇଥିଲେ । କେବଳ ମା’ଙ୍କର ଲାଳନପାଳନରେ ତାଙ୍କର ଜୀବନ ତିଆରି ହୋଇଚି । ସେ ଯେଉଁ ନାରୀଙ୍କୁ ବିବାହ କଲେ, ସେ ମଧ୍ୟ ତାଙ୍କ ଜୀବନର ଯଥାର୍ଥ ସାଥୀ ଥିଲେ । କେବଳ ଚାରୋଟି ଛୋଟ ଝିଅଙ୍କର ପିତା ହିସାବରେ ତାଙ୍କୁ ସେମାନଙ୍କର ଯତ୍ନ ନେବାକୁ ପଡ଼ିଚି । ତେଣୁ ସେ ଯେ ଜଣେ ନାରୀପ୍ରଗତୀବାଦୀ ହୋଇଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ସେ ପୁଣି କହିଲେ–ସମସ୍ତେ ମୁସଲମାନମାନଙ୍କୁ ଦୋଷଦିଅନ୍ତୁ ଯେ, ସେମାନେ ନାରୀକୁ ଆଗ୍ରହଚକ୍ଷୁରେ ଦେଖନ୍ତି ନାହିଁ । କିନ୍ତୁ ଏହାଠାରୁ ବଳି ନିପଟ ମିଥ୍ୟା କଣ ହୋଇପାରେ ? ଇସଲାମ୍ ଧର୍ମରେ ନାରୀକୁ ସମାନ ଅଧିକାର ଦେବାର ବ୍ୟବସ୍ଥା ରହିଚି । ତାଙ୍କ ମତରେ ମଣିଷ ତା’ର ଇନ୍ଦ୍ରିୟଭୋଗ ଲାଗି ସ୍ତ୍ରୀକୁ ଛୋଟ କରି ରଖିଚି । ସ୍ତ୍ରୀର ଅନ୍ତରକୁ ଭଲ ନପାଇ ସେ ତା’ର ଶରୀରକୁ ଭଲପାଇ ଶିଖିଚି । ଏମିତି କୌଶଳରେ ଏସବୁ ହୋଇଚି ଯେ, ସ୍ତ୍ରୀ ନିଜେ ଜାଣିପାରୁନାହିଁ, କିପରି କେବଳ ଶରୀରସଜ୍ଜାକୁ ବଡ଼ ମନେକରି ସେ ପୁରୁଷର ଚାକରାଣୀ ହୋଇ ରହିଚି ।’ ସେତେବେଳେ ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲାଣି, ତଥାପି ସେ କହିବାକୁ ଆରମ୍ଭ କଲେ–‘ଯଦି ଏପରି ନ ହୋଇଥାନ୍ତା, ତେବେ ସମାଜର ପତିତା, ଭଉଣୀମାନେ ଶରୀରମଣ୍ଡନ କରିବାରେ ଆନନ୍ଦ ପାଇପାରୁଥାଆନ୍ତେ କିପରି ? ପୁରୁଷ ଯଦି ସେମାନଙ୍କର ଅନ୍ତରାତ୍ମାକୁ ନାରଖାର କରିଦେଇ ନଥାନ୍ତା, ତେବେ ଏକଥା ସମ୍ଭବ ହୁଅନ୍ତା କି-?’ ନିଜକୁ ସଂଯତ କରି ସେ ପୁଣି କହିଲେ–‘ନା, ପୁରୁଷ ଯେ କେବଳ ନାରୀର କୃତ୍ରିମ ସ୍ୱାଧୀନତା ଚାହୁଁଥିଲା ତା’ ନୁହେଁ, ଅଧିକନ୍ତୁ ସେମାନଙ୍କର ସ୍ୱେଚ୍ଛାପ୍ରବୃତ୍ତିକୁ ଅଟକାଇ ରଖିବା, ସମସ୍ତ ବନ୍ଧନ ଛିଣ୍ଡାଇ ଦେବା ତା’ର ମତଲବ ଥିଲା ।’’

 

ଏଇଠି ସେ କଥାବାର୍ତ୍ତାଟି ବନ୍ଦ ଥାଉ । ମୁସଲମାନ ବନ୍ଧୁଟି ଯେ ସବୁ କଥା କହିଚନ୍ତି, ତାର ମୂଳ ସତ୍ୟ ବିଷୟରେ ଭଲକରି ଭାବି ସମସ୍ୟାଟିର ସମାଧାନ କରିବାକୁ ମୁଁ ପତ୍ର ପ୍ରେରକଙ୍କୁ ଅନୁରୋଧ କରୁଚି । ସ୍ତ୍ରୀ ଯେପରି କେତେବେଳେ ହେଲେ ନିଜକୁ ପୁରୁଷର ସମ୍ଭୋଗବସ୍ତୁ ବୋଲି ନ ଭାବେ । ପ୍ରତିକାରର ଦାୟିତ୍ୱ ପୁରୁଷଠାରୁ ବେଶୀ ସ୍ତ୍ରୀ ଉପରେ ରହିଚି । ପୁରୁଷ ପାଇଁ ଏପରି କି ନିଜର ସ୍ୱାମୀ ପାଇଁ ନିଜ ଅଙ୍ଗ ମଣ୍ଡନ କରିବାକୁ ସେ ଯେପରି କେବେହେଲେ ରାଜି ହୋଇ ନଥାଏ, ଏହିକଥା କରିପାରିଲେ କେବଳ ସେ ପୁରୁଷର ସମକକ୍ଷ ହୋଇପାରିବ । ସୀତା ଯେ କେବେ ନିଜର ଶାରୀରିକ ସୌନ୍ଦର୍ଯ୍ୟ ଦେଖାଇ ରାମଚନ୍ଦ୍ରଙ୍କ ମନୋରଞ୍ଜନ କରିବାରେ ମୁହୂର୍ତ୍ତେ ସୁଦ୍ଧା ସମୟ ନଷ୍ଟ କରିଥିବେ, ଏକଥା ମୁଁ କଳ୍ପନା କରି ପାରୁନାହିଁ ।

ୟଙ୍ଗ୍ ଇଣ୍ଡିଆ, ୨୧.୭.୨୧

Image

 

ଭାରତର ନାରୀସମାଜ ପ୍ରତି

 

ଇତିହାସ ପ୍ରସିଦ୍ଧ ଦାଣ୍ଡିଯାତ୍ରା ସମୟରେ ଗାନ୍ଧିଜୀ ଭାରତର ନାରୀମାନଙ୍କୁ ନିମ୍ନଲିଖିତ ନିବେଦନ କରିଥିଲେ : –

 

ଅତି ଆନନ୍ଦର କଥା ଯେ, ଅନେକ ଭଉଣୀ ଏଇ ଅଭିଯାନରେ ଯୋଗ ଦେବାକୁ ଉତ୍କଣ୍ଠିତ ହୋଇ ରହିଛନ୍ତି । ଏଥିରୁ ମୁଁ ଜାଣି ପାରିଚି ଯେ, ଲବଣ ଆଇନ-ବିରୋଧୀ ଆନ୍ଦୋଳନର ଯେତେ ଯାହା ଆକର୍ଷଣ ଥାଉ ନା କାହିଁକି, ସେମାନେ ଏଇ ଆନ୍ଦୋଳନରେ ଯୋଗ ଦେଲେ ଆଶାନୁରୂପ ସନ୍ତୋଷ ପାଇବେ ନାହିଁ । ଅସହଯୋଗୀମାନଙ୍କ ଭିତରେ ସେମାନେ କୁଆଡ଼େ ମିଶିଯିବେ ଏବଂ ସେମାନେ ଆକାଙ୍‌କ୍ଷିତ ହୋଇ ରହିଥିବାର କଷ୍ଟସହିଷ୍ଣୁତା ପାଇଁ ମଧ୍ୟ ଏଥିରେ ବେଶୀ ସୁଯୋଗ ମିଳିବ ନାହିଁ ।

 

ଏଇ ଅହିଂସା ସମରରେ ପୁରୁଷଠାରୁ ନାରୀର ଯଥେଷ୍ଟ ଅଧିକା କାମ କରିବାକୁ ଅଛି । ନାରୀକୁ ‘ନ୍ୟୂନଜନ’ ବୋଲି କହିବା ଏକ ଘୋର ଅପରାଧ, ଏପରି କହି ପୁରୁଷ ସ୍ତ୍ରୀ ପ୍ରତି ଅନ୍ୟାୟ କରୁଛି । ଯଦି ବଳ କହିଲେ କେବଳ ପଶୁ ବଳକୁ ବୁଝାଇବ, ତେବେ ଅବଶ୍ୟ ପୁରୁଷ ସ୍ତ୍ରୀଠାରୁ ପାଶବିକ ବଳରେ ବଢ଼ିଯିବ । କିନ୍ତୁ ବଳଦ୍ୱାରା ଯଦି ନୈତିକ ଶକ୍ତିକୁ ବୁଝାଏ, ତେବେ ସ୍ତ୍ରୀ ପୁରୁଷଠାରୁ ଯଥେଷ୍ଟ ବଳବତୀ ବୋଲି ସମସ୍ତେ ନିଶ୍ଚୟ ସ୍ୱୀକାର କରିବେ । ପ୍ରତ୍ୟେକ ବିଷୟ ବିବେଚନା କରିବା, କୌଣସି ମହତ୍ କାମରେ ନିଜକୁ ଜଳାଞ୍ଜଳି ଦେବା, ବିପଦ ଓ କଷ୍ଟ ସହିବା ଏବଂ ଅଧିକ ସାହସ ଦେଖାଇବା, ଏସବୁ ଶକ୍ତି ସ୍ତ୍ରୀଠାରେ ଅଧିକତର ଭାବେ ନାହିଁ କି ? ସ୍ତ୍ରୀ ନ ଥିଲେ ପୁରୁଷର ଜୀବନଯାତ୍ରା ଅସମ୍ଭବ ହୋଇପଡ଼ିଥାନ୍ତା । ଯଦି ଅହିଂସାକୁ ଆମେ ଜୀବନର ସାରସୂତ୍ର ବୋଲି ଗ୍ରହଣ କରିବା, ତେବେ ସ୍ତ୍ରୀମାନେହିଁ ଭବିଷ୍ୟତ ଗଢ଼ିବାରେ ବେଶୀ ଭାଗ ନେଇ ପାରିବେ ।

 

ଅନେକ ବର୍ଷ ଧରି ମୁଁ ଏଇକଥା ଭାବୁଚି । ଯେତେବେଳେ ଆଶ୍ରମର ମହିଳାମାନେ ପୁରୁଷମାନଙ୍କ ସହିତ ଆସିବାକୁ ଜିଦ୍‌କରି ବସିଲେ, ମୋ ଭିତରୁ ଯେମିତି ମୋ କାନରେ କିଏ ଜଣେ କହିଦେଇଗଲା ଯେ, କେବଳ ଲୁଣ ଆଇନ ଅମାନ୍ୟ କରିବା ଅପେକ୍ଷା ଏଇ ଆନ୍ଦୋଳନରେ ସେମାନଙ୍କର ଯଥେଷ୍ଟ ବଡ଼ ବଡ଼ କର୍ତ୍ତବ୍ୟମାନ ରହିଚି ।

 

ସେଇ କର୍ତ୍ତବ୍ୟ କଣ ଆଜି ମୁଁ ଠିକ୍ କରିପାରିଚି । ୧୯୨୧ରେ ପୁରୁଷମାନେ ମଦଖଟି ଓ ବିଦେଶୀ ଲୁଗା ଗୋଦାମ ଆଗରେ ପିକେଟିଂ କରିଥିଲେ । ଅବଶ୍ୟ ପ୍ରଥମେ ପ୍ରଥମେ ଏଥିରେ ଆଶାତୀତ ଭାବରେ ସଫଳତା ମିଳିଲା । କିନ୍ତୁ ଶେଷରେ ୟା ଭିତରେ ହିଂସା ପଶି ବ୍ୟର୍ଥ ହୋଇଗଲା । ଏଇ ଆନ୍ଦୋଳନର ପ୍ରଭାବ ପକାଇବାକୁ ହେଲେ ପୁଣି ପିକେଟିଂ ଆରମ୍ଭ କରିବାକୁ ହେବ । ଶେଷ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ରହି କାର୍ଯ୍ୟ ନିର୍ବାହ କରି ପାରିଲେ, ଏହାରିଦ୍ୱାରାହିଁ ଲୋକମାନଙ୍କ ଖୁବ୍ ଶୀଘ୍ର ଚେତନା କରାଯାଇ ପାରିବ । ଏଥିରେ ଜୋର ଜବରଦସ୍ତିର ସ୍ଥାନ ନାହିଁ, ହୃଦୟ ପରିବର୍ତ୍ତନ ଓ ନୈତିକତା ପ୍ରବର୍ତ୍ତନ ଏହାର ଏକମାତ୍ର ପନ୍ଥା । ନାରୀର ନିବେଦନ କେବଳ ଲୋକଙ୍କର ହୃଦୟକୁ ଶୀଘ୍ର ସ୍ପର୍ଶ କରି ପାରିବ ।

 

ମଦ ଓ ଅନ୍ୟାନ୍ୟ ନିଶା ନିବାରଣ, ବିଦେଶୀ ବସ୍ତ୍ର ବର୍ଜନ, ଏସବୁ ଆଇନଦ୍ୱାରା ଦେଶରେ ଜାରୀ ହେବା କଥା; କିନ୍ତୁ ସରକାର କେବେହେଲେ ଏ ଆଇନ କରିବେ ନାହିଁ । ଏଥିପାଇଁ ଲୋକମାନଙ୍କ ତରଫରୁ ରୀତିମତ ଚାପ ପଡ଼ିବା ଉଚିତ ।

 

ଜାତିର କଲ୍ୟାଣ ଦୃଷ୍ଟିରୁ ଏ ଦୁଇଟି ଆଇନ ଯେ ଜାରୀ ହେବା ଆବଶ୍ୟକ, ଏଥିରେ କାହାର ମତାନ୍ତର ନ ଥାଇପାରେ । ମଦ ଓ ଅନ୍ୟାନ୍ୟ ନିଶାପାନ କଲେ ମଣିଷର ନୈତିକ ଶକ୍ତି ଏକାବେଳେ ନଷ୍ଟ ହୋଇଯାଏ । ବିଦେଶୀ ଲୁଗା ଦେଶର ବଜାରକୁ ଆସିଲେ ଜାତିର ଅର୍ଥନୈତିକ ଭିତ୍ତି ଭୁଷୁଡ଼ି ପଡ଼େ ଏବଂ ଲକ୍ଷ ଲକ୍ଷ ଲୋକ ବେକାର ହୋଇ ବସନ୍ତି । ଏହା ଦ୍ୱାରା ପରିବାର ସବୁଠାରୁ ବେଶୀ ଆଘାତ ପାଏ, ତେଣୁ ବସ୍ତୁତଃ ନାରୀ ଉପରେ ଏହାର ବେଶୀ ଚାପ ପଡ଼େ । ଯାହାର ସ୍ୱାମୀ ମଦ ଖାଆନ୍ତି, କେବଳ ସେଇ ସ୍ତ୍ରୀ ବୁଝିଚି ନିଶା ଖାଇବାଦ୍ୱାରା କିପରି ପରିବାରର ଶାନ୍ତି ଓ ଶୃଙ୍ଖଳା ଉପରେ କଳାକନା ବୁଲିଯାଏ । ବେକାର ହୋଇ ବସି ରହିବାର ଦୁଃଖ କେବଳ ଗାଁ ଗହଳର ଲକ୍ଷ ଲକ୍ଷ ନାରୀ ବୁଝିପାରିବେ । ଆଜି ଚରଖାସଂଘର ଆନୁକୂଲ୍ୟରେ ଲକ୍ଷେଜଣ ସ୍ତ୍ରୀ ଲୋକ କାମ କରୁଚନ୍ତି; କିନ୍ତୁ ପୁରୁଷଙ୍କର ସଂଖ୍ୟା ଦଶହଜାରରୁ ମଧ୍ୟ କମ ହେବ ।

 

ଭାରତର ରମଣୀମାନେ ଏଇ ଦୁଇଟି ଦାୟିତ୍ୱ ନିଅନ୍ତୁ, ସେବିଷୟରେ ଯଥେଷ୍ଟ ଶିକ୍ଷା ଲାଭ କରନ୍ତୁ, ତାହାହେଲେ ପୁରୁଷମାନଙ୍କ ଅପେକ୍ଷା ସେମାନେ ଜାତିର ଅଧିକ ମଙ୍ଗଳ କରିପାରିବେ । ଆଜି ପର୍ଯ୍ୟନ୍ତ ସେମାନେ ନିଜ ଭିତରର ଯେଉଁ ଶକ୍ତିକୁ ଚିହ୍ନିପାରି ନାହାନ୍ତି, ଏଇ କାମଦ୍ୱାରା ସେମାନଙ୍କର ସେଇ ଶକ୍ତି ଓ ଆତ୍ମବିଶ୍ୱାସ ଫେରି ଆସିବ ।

 

ସେମାନଙ୍କର ହୃଦୟସ୍ପର୍ଶୀ ନିବେଦନ ନିଶ୍ଚୟ ମିଲ୍ ଲୁଗା ବେପାରୀ ଓ ଗରାଖ, ମଦ ଖଟିର ମାଲିକ ଓ ମଦ୍ୟପାନ କରୁଥିବା ଲୋକର ମର୍ମକୁ ସ୍ପର୍ଶ କରିପାରିବ ଓ ବିଗଳିତ କରିଦେଇ ପାରିବ । ଯାହାହେଉ ପଛକେ, ଏଇ ଚାରିଶ୍ରେଣୀ ପ୍ରତି ଯେ ନାରୀଜାତି କୌଣସି ହିଂସା କରିବାକୁ ଯାଉଚି, ଏ କଥା କେହି କେବେ ସନ୍ଦେହ କରିବ ନାହିଁ ଏବଂ ଏପରି ଶାନ୍ତିପୂର୍ଣ୍ଣ ଓ ପ୍ରତିରୋଧଶୂନ୍ୟରୂପେ ଆନ୍ଦୋଳନଟି ଚାଲି ପାରିଲେ ସରକାର ମଧ୍ୟ ବେଶି ଦିନ ବଧିର ହୋଇ ବସିରହି ପାରିବ ନାହିଁ ।

 

କେବଳ ସ୍ତ୍ରୀମାନେ ଆନ୍ଦୋଳନଟି ଆରମ୍ଭ କରିବେ ଓ ପରିଚାଳନା କରିବେ, ଏହା ଏକ ଚମତ୍କାର ବିଷୟ ହେବ । ଅବଶ୍ୟ ପୁରୁଷମାନେ ସେମାନଙ୍କର କାର୍ଯ୍ୟରେ ସହାୟତା କରିବେ, କିନ୍ତୁ ସ୍ତ୍ରୀମାନଙ୍କୁ ପରିଚାଳନାର ସମସ୍ତ ଭାର ମୁଣ୍ଡାଇବାକୁ ହେବ ।

 

ଏଇ ସଂଗ୍ରାମରେ ପଢ଼ିଥିବା, ନ ପଢ଼ିଥିବା ହଜାର ହଜାର ସ୍ତ୍ରୀ ଭାଗ ନେଇ ପାରିବେ । ମୋର ଏଇ ନିବେଦନଟି କାର୍ଯ୍ୟକାରୀ କରାଯାଇ ପାରିଲେ ଉଚ୍ଚଶିକ୍ଷିତା ସ୍ତ୍ରୀମାନେ ଜନସାଧାରଣଙ୍କ ନୈତିକ ବଳ ବଢ଼ାଇ ଓ ସେମାନଙ୍କର ଦୈନନ୍ଦିନ ଅଭାବ ମୋଚନ କରି ସେମାନଙ୍କ ସହିତ ଏକ ହୋଇଯିବାର ସୁଯୋଗ ପାଇପାରିବେ ।

 

ବିଦେଶୀ ବସ୍ତ୍ର ବର୍ଜନ ବିଷୟରେ ଶିକ୍ଷାଲାଭ କଲେ ସେମାନେ ଜାଣି ପାରିବେ ଯେ, ଖଦୀର ପ୍ରସାର ବ୍ୟତୀତ ଏହା ମୋଟେ ସମ୍ଭବ ହୋଇ ପାରିବ ନାହିଁ । କେତେଦିନ ଗଲେ ଭାରତର ଲୁଗା କଳମାନଙ୍କରେ ଯେ ଦେଶର ଚାହିଦା ଅନୁସାରେ ଯଥେଷ୍ଟ ଲୁଗା ବୁଣାଯାଇ ପାରିବ ନାହିଁ, ଏକଥା କଳ ମାଲିକମାନେ ମଧ୍ୟ ସ୍ୱୀକାର କରିବେ । କିନ୍ତୁ ଅନୁକୂଳ ଅବସ୍ଥା ସୃଷ୍ଟି ହୋଇ ପାରିଲେ ଗାଁ ଗାଁରେ, ଘରେ ଘରେ ଖଦୀ ତିଆରି ହୋଇ ପାରିବ । ନିଜର ପ୍ରତ୍ୟେକ ଅବସର ମୁହୂର୍ତ୍ତରେ ସୂତା କାଟି ଭାରତର ନାରୀମାନେ ପ୍ରଥମେ ଦେଶରେ ଏଇ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରନ୍ତୁ । ଯଥେଷ୍ଟ ପରିମାଣରେ ସୂତା କାଟିବା ଉପରେ ଖଦଡ଼ ଲୁଗାବୁଣା ନିର୍ଭର କରୁଛି । ଗତ ମାର୍ଚ୍ଚମାସର ଶେଷ ଦଶଦିନ ଭିତରେ ଅବସ୍ଥାର ଚାପ ପଡ଼ି ମୁଁ ତାକୁଡ଼ୀର କାର୍ଯ୍ୟକାରିତା ଅନୁଭବ କରିପାରିଛି, ଆଗରୁ କେବେ ମୁଁ ଏକଥା ଜାଣିପାରି ନ ଥିଲି ।

 

ଏହାଦ୍ୱାରା କୁହୁକପରି ଫଳ ମିଳିବ । ଦୈନନ୍ଦିନ କାର୍ଯ୍ୟକ୍ରମରେ କୌଣସି ବାଧା ନ ଆଣି ହସି ଖେଳିଲାପରି ମୋର ସହକର୍ମୀମାନେ ଦିନକୁ ଚାରିବର୍ଗଗଜ ଲୁଗା ହେଲାଭଳି ବାର ନମ୍ବରର ସୂତା କାଟିପାରିଚନ୍ତି । ସମରକାଳୀନ ସାଧନ ହିସାବରେ ଖଦୀ ସବୁଠାରୁ ବେଶୀ କାମ ଦେବ । ଉପରେ କୁହାଯାଇଥିବା ସଂସ୍କାର ଦୁଇଟି ଦ୍ୱାରା ଦେଶର ନୈତିକ ବଳ ଯଥେଷ୍ଟ ବଢ଼ିଯିବ । ରାଜନୈତିକ ଶକ୍ତି ବଢ଼ାଇବାରେ ମଧ୍ୟ ଏହା କମ ସାହାଯ୍ୟ କରିବ ନାହିଁ । ନିଶାଦ୍ରବ୍ୟ ଓ ମଦରେ ଆମେ ପଚିଶ କୋଟି ଟଙ୍କା ଖଜଣା ଗଣୁଚୁ । ବିଦେଶୀ ଲୁଗା ବର୍ଜନ କଲେ ଆମେ ଦେଶର ଅନ୍ତତଃ ୬୦ କୋଟି ଟଙ୍କା ବଞ୍ଚାଇ ପାରିବୁଁ । ଅର୍ଥ ଦୃଷ୍ଟିରୁ ଦେଖିଲେ ଲୁଣ ଆଇନ ଭାଙ୍ଗିବାଠାରୁ ଏଥିରେ ଦେଶର ବେଶୀ ଲାଭ ହେବ । ଦୁଇଟିଯାକ ଭିତରୁ କିଏ କେତେ ନୈତିକ ବଳ ବଢ଼ାଇବ, ସେକଥା କେହି ନିର୍ଦ୍ଧାରଣ କରିପାରିବ ନାହିଁ ।

 

ଅନେକ ଭଉଣୀ କହିପାରନ୍ତି–‘‘ମଦ ଦୋକାନ ଓ ବିଦେଶୀଲୁଗା ବର୍ଜନରେ କୌଣସି ଉତ୍ତେଜନା ଓ ବାହାଦୂରୀ ଦେଖାଇବାର କ୍ଷେତ୍ର ମିଳିବ ନାହିଁ । କିନ୍ତୁ, ସେମାନେ ଯଦି ଏଇ କାମରେ ନିଜର ମନପ୍ରାଣ ଢାଳିଦିଅନ୍ତି, ତେବେ ସେମାନେ ଏହାରି ଭିତରୁ ଯଥେଷ୍ଟ ଉତ୍ତେଜନା ଓ ସାହସିକ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ । ହୁଏତ ଆନ୍ଦୋଳନ ଶେଷ ହେବା ପୂର୍ବରୁ ସେମାନଙ୍କୁ ଜେଲକୁ ଧରି ନିଆ ଯାଇ ପାରେ । ସେମାନଙ୍କୁ ଅପମାନିତ କରାଯିବାର ବା ଶାରୀରିକ ଆଘାତ କରିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଚି । ଏଇ ଅପମାନ ଓ ଆଘାତ ବରଣ କରିବା ସେମାନଙ୍କ ଜୀବନରେ ଗୌରବର ବିଷୟ ହୋଇ ରହିବ । ଏଇପରି କଷ୍ଟସହିବା ଦ୍ୱାରା, ଆମେ ଖୁବ୍ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇ ପାରିବା ।

 

ଭାରତର ନାରୀଜାତି ଯଦି ମୋର ନିବେଦନଟିକୁ ଶୁଣି ତା’ର ଯଥାର୍ଥ ଉତ୍ତର ଦିଏ, ତେବେ ସେମାନଙ୍କୁ ଶୀଘ୍ର ତତ୍ପର ହୋଇପଡ଼ିବାକୁ ହେବ । ହୁଏତ ସାରା ଭାରତରେ ହଠାତ୍ ଏ କଥାଟି ଆରମ୍ଭ କରାଯାଇ ନ ପାରେ, ତେଣୁ ଯେଉଁ ପ୍ରଦେଶରେ ସମ୍ଭବ ହେଉଚି, ସେଇଠି କାମ ଆରମ୍ଭ କରାଯାଉ । ସେଇମାନଙ୍କର ଆଦର୍ଶ ନିଶ୍ଚୟ ଅନ୍ୟ ପ୍ରଦେଶକୁ ଅନୁପ୍ରାଣିତ ଓ ଆକୃଷ୍ଟ କରିବ ।

ୟଙ୍ଗ୍ ଇଣ୍ଡିଆ, ୧୦.୦୪.୩୦

Image

 

ମଦ୍ୟପାନର ଅଭିଶାପ

 

ଜଣେ ଭଉଣୀ ଲେଖିଚି :–‘‘ଗାଁକୁ ଯାଇ ଯେତେବେଳେ ଶୁଣିଲି ମଦ ପିଇ ଗାଁ ଲୋକ ଏକାବେଳେକେ ଉଚ୍ଛନ୍ନ ହୋଇଯାଉଚନ୍ତି, ମନରେ ବଡ଼ କଷ୍ଟ ହେଲା । ଗାଁର ମାଇପିମାନେ ଛିଣ୍ଡା ଲୁଗା ପିନ୍ଧିଥାନ୍ତି । ସେମାନେ ଆଉ କଣ କରିବେ ? ମଦ ଖାଇବାର ବଦଭ୍ୟାସ କେମିତି ଶୀଘ୍ର ଦୂର ହୋଇଯାଉ, ଏକଥା ପ୍ରତ୍ୟେକ ସ୍ତ୍ରୀ ଇଚ୍ଛା କରେ । ଏହାରିଦ୍ୱାରାହିଁ ପରିବାରରେ ଯେତେସବୁ ଦୁର୍ଗତି ଆସି ପହଞ୍ଚେ । ଦୁଃଖ, ସ୍ୱାସ୍ଥ୍ୟଭଙ୍ଗ ସବୁ ମଦଖାଇବାର ଫଳ । ପୁରୁଷ ସିନା ନିଜର ଜୀବନକୁ ଅବହେଳା କରି ମଦ ଖାଉଚି, କିନ୍ତୁ ଯେତେ କଷଣ ବୋଝ ସବୁ ସ୍ତ୍ରୀକୁ ମୁଣ୍ଡାଇବାକୁ ପଡ଼ୁଚି । ସ୍ତ୍ରୀମାନଙ୍କୁ ମୁଁ କଣ କରିବାକୁ ପରାମର୍ଶ ଦେବି ? ପୁରୁଷର ରୋଷ ଓ ନୃଶଂସତାର ସମ୍ମୁଖୀନ ହେବା କି ବିପଜ୍ଜନକ ? ‘ସାମ୍ପ୍ରଦାୟିକ ବଣ୍ଟନ’ର ଅବିଚାରରେ ନିଜର ବଳ ଓ ମଥା ଖରଚ କରିବା ଅପେକ୍ଷା ଏଇ ପ୍ରଦେଶର ନେତାମାନେ ଯଦି ଏଇ କଳଙ୍କଟିକୁ ଦୂର କରିଦେବା ପ୍ରତି ଦୃଷ୍ଟି ଦିଅନ୍ତେ, ତେବେ ଦେଶର ଅଧିକ ହିତସାଧନ ହୁଅନ୍ତା ନାହିଁ କି ? ଯେଉଁ ସମସ୍ୟା ସବୁ ପ୍ରକୃତରେ ଗୁରୁତର, ତାକୁ ଆମେ ଅବହେଳା କରି ଆସୁଚୁ । କିନ୍ତୁ ଲୋକଙ୍କର ନୈତିକ ଦୃଷ୍ଟିର ପ୍ରସାର ହେବା ସଙ୍ଗେ ସଙ୍ଗେ ଯେଉଁସବୁ ସମସ୍ୟା ମନକୁ ମନ ମିଳେଇଯିବ, ସେଇ ଛୋଟ ଛୋଟ କଥାରେ ଆମେ ସମୟ ନଷ୍ଟ କରୁଚୁ । ମଦ ଖାଇବା ବିଷୟରେ ଆପଣ ଲୋକଙ୍କୁ ଏକ ନିବେଦନ କରିପାରିବେ କି-? ମଦଖାଇ ଯେ ଆମ ଲୋକେ ଗୋଟାଏ କରାଳ ଧ୍ୱଂସମୁଖକୁ ଚାଲିଯାଉଚନ୍ତି, ଦେଶ ପକ୍ଷରେ ଏହା ବଡ଼ ଦୁର୍ଭାଗ୍ୟର ବିଷୟ ।’’

 

ମଦୁଆମାନଙ୍କୁ ନିବେଦନ କରି କିଛି ଲାଭ ହେବ ନାହିଁ । ସେମାନେ ତ କେବେ ‘ହରିଜନ’ ପଢ଼ନ୍ତି ନାହିଁ । ଯେ କେତେଜଣ ପଢ଼ନ୍ତି, ସେମାନେ ତାକୁ ଥଟ୍ଟାରେ ଉଡ଼ାଇ ଦିଅନ୍ତି । ମଦ ଖାଇଲେ କି କି ଅନିଷ୍ଟ ହୁଏ, ଏ କଥା ଜାଣିଲେ ସେମାନଙ୍କର କୌଣସି କାମରେ ଲାଗିବ ନାହିଁ । କାରଣ ସେଇ ବଦଭ୍ୟାସଟିକୁ ସେମାନେ ଅତି ପ୍ରିୟ ବୋଲି ମନେ କରନ୍ତି । କିନ୍ତୁ ମୁଁ ଏଇଠି ଭଉଣୀଟିକୁ ତଥା ଭାରତର ନାରୀ ଜାତିକୁ ଚେତେଇ ଦେବାକୁ ଚାହେଁ ଯେ, ଦାଣ୍ଡି ଅଭିଯାନ ସମୟରେ ଭାରତର ସ୍ତ୍ରୀଜାତି ମୋର ନିବେଦନର ଯଥାର୍ଥ ଜବାବ ଦେଇଥିଲେ । ମଦ୍ୟପାନର ବିରୁଦ୍ଧରେ ଆନ୍ଦୋଳନ କରିବା ଓ ଚରଖା ଚଲାଇବାକୁ ସେମାନେ ନିଜର କର୍ତ୍ତବ୍ୟ ରୂପେ ବାଛିନେଇଥିଲେ । ହଜାର ହଜାର ସ୍ତ୍ରୀ ନିର୍ଭୀକଭାବରେ ମଦ ଦୋକାନ ସବୁ ଘେରି ରହୁଥିଲେ ଏବଂ ମଦୁଆମାନଙ୍କୁ ମଦଖିଆ ଛାଡ଼ି ଦେବାକୁ ନିବେଦନ କରୁଥିଲେ । ଏଇ କର୍ତ୍ତବ୍ୟ ସାଧନ କରିବାକୁ ଯାଇ ସେମାନଙ୍କୁ ମଦୁଆମାନଙ୍କଠାରୁ ଗାଳି ଓ ଏପରିକି ମାଡ଼ ଖାଇବାକୁ ପଡ଼ିଥିଲା । ମଦ ଖଟିରେ ପିକେଟିଂ କରିବା ଅପରାଧରେ ଶହ ଶହ ନାରୀଙ୍କୁ ଜେଲକୁ ଧରି ନିଆଯାଇଥିଲା । ଏଇ ଉତ୍ସାହପୂର୍ଣ୍ଣ କାର୍ଯ୍ୟଦ୍ୱାରା ଦେଶ ଉପରେ ଏକ ଅଦ୍ଭୁତ ପ୍ରଭାବ ପଡ଼ିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଅସହଯୋଗ ଆନ୍ଦୋଳନ ବନ୍ଦହେବା ସଙ୍ଗେ ସଙ୍ଗେ, ଏପରିକି ତା’ ପୂର୍ବରୁ ମଧ୍ୟ ସେ କାର୍ଯ୍ୟରେ ଖଇଚା ଦେଖାଗଲା । ଖଇଚା ହେବାର କାରଣମାନ ଏଠାରେ ବର୍ଣ୍ଣନା କରିବା ମୁଁ ଉଚିତ ମନେ କରୁନାହିଁ । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ କର୍ମୀମାନଙ୍କପାଇଁ ସେଇ କ୍ଷେତ୍ର ଉନ୍ମୁକ୍ତ ରହିଚି । ନାରୀଜାତି ମଧ୍ୟ ତା’ର ପ୍ରତିଜ୍ଞା ଅନୁସାରେ କାର୍ଯ୍ୟ କରିପାରି ନାହିଁ । ସାମୟିକ ଭାବରେ ତ ସେମାନେ ଏଇ କାମଟି ନିଜ ନିଜ ମୁଣ୍ଡକୁ ନେଇ ନ ଥିଲେ । ଭାରତର ଚାରିଆଡ଼େ ନିଶାନିବାରଣର ଆନ୍ଦୋଳନ ନ ହେଲେ ଆମର ଉଦ୍ଦେଶ୍ୟ ହାସଲ ହୋଇପାରିବ ନାହିଁ । ଏ ଦିଗରେ ନାରୀ ସବୁଠାରୁ ବେଶୀ କାମ କରିଥିଲା । ପୁରୁଷ ଭିତରର ପ୍ରକୃଷ୍ଟ ପ୍ରବୃତ୍ତିକୁ ସ୍ପର୍ଶ କରିଲାଭଳି ନିବେଦନ କରି ସେମାନେ କାହାକୁ ମଦଖଟିକୁ ଆସିବାକୁ ଦେଉ ନ ଥିଲେ । ସେମାନେ ଯଦି ନମ୍ର ଓ ନିଷ୍ଠାପର ରହି ଏଇପରି କାମ ସବୁଦିନ କରିଥାନ୍ତେ, ତେବେ ସବୁଲୋକ ନିଶ୍ଚୟ ମଦ ଛାଡ଼ି ଦେଇଥାନ୍ତେ ।

 

ଏ ପର୍ଯ୍ୟନ୍ତ ମଧ୍ୟ ସେଇ ସୁଯୋଗ ରହିଚି । ନାରୀମାନେ ଇଚ୍ଛାକଲେ ପୁଣି ଆନ୍ଦୋଳନଟି ଆରମ୍ଭ କରିପାରିବେ । ସେଇ ଗାଁଟିର ସ୍ତ୍ରୀଲୋକମାନେ ଯଦି ପ୍ରକୃତ ନିଷ୍ଠାରେ କାମ କରିବେ, ତେବେ ସେମାନଙ୍କର ସ୍ୱାମୀମାନେ ନିଶ୍ଚୟ ମଦ ଛାଡ଼ିଦେବେ । ସ୍ତ୍ରୀ ଇଚ୍ଛାକଲେ ସ୍ୱାମୀ ଉପରେ ଯେ କେତେ ବଡ଼ ସ୍ଥାୟୀ ପ୍ରଭାବ ପକାଇ ପାରିବ, ସେ କଥା ସେ ନିଜେ ଜାଣେ ନା । ସେଇ ଶକ୍ତିକୁ ଠିକ୍‌ ଭାବରେ ନ ଚିହ୍ନି ଅଧାପନ୍ତରିଆ ପ୍ରୟୋଗ କଲେ ଯଥେଷ୍ଟ ହେବ ନାହିଁ । ସେଇ ଶକ୍ତି ସହିତ ସୁପରିଚିତ ହୋଇ ପାରିଲେ ସେମାନଙ୍କୁ ଅଧିକ ବଳ ମିଳିବ ଏବଂ ସ୍ୱାମୀମାନଙ୍କର ମନ ପରିବର୍ତ୍ତନ କରାଇବାପାଇଁ ବାଟ ଦିଶିଯିବ । ସବୁଠାରୁ ଦୁଃଖର କଥା ଯେ, ସ୍ୱାମୀର କାର୍ଯ୍ୟ ଅକାର୍ଯ୍ୟ ନେଇ ମୁଣ୍ଡ ଘୂରାଇବାକୁ ଅନେକ ସ୍ଥଳରେ ସ୍ତ୍ରୀର ଆଗ୍ରହ ନ ଥାଏ । ସେମାନେ ଭାବନ୍ତି ସ୍ୱାମୀର କାର୍ଯ୍ୟ ଓ ଅକାର୍ଯ୍ୟ ଦେଖିବାର କୌଣସି ଅଧିକାର ସେମାନଙ୍କର ନାହିଁ । ସେମାନେ ବୁଝି ପାରନ୍ତି ନାହିଁ ଯେ, ସ୍ତ୍ରୀର ଚରିତ୍ର ପ୍ରତି ଦୃଷ୍ଟି ରଖିବା ଯେମିତି ସ୍ୱାମୀର କର୍ତ୍ତବ୍ୟ, ସ୍ୱାମୀର ଚରିତ୍ର ପ୍ରତି ଦୃଷ୍ଟି ରଖିବା ମଧ୍ୟ ସେମିତି ସ୍ତ୍ରୀର କାର୍ଯ୍ୟ । ଏ କଥା ମଧ୍ୟ ଅତି ସହଜରେ ସମସ୍ତେ ବୁଝି ପାରିବେ ଯେ, ସ୍ୱାମୀ ଓ ସ୍ତ୍ରୀ ପରସ୍ପରର ପାପ ପୁଣ୍ୟରେ ନିଶ୍ଚୟ ସମାନ ଭାବରେ ଭାଗୀ ହେବେ । ନାରୀ ଜାତିକୁ ତା’ର ଶକ୍ତି ଓ କର୍ତ୍ତବ୍ୟ ବିଷୟରେ ଚେତାଇ ଦେବାକୁ ହେବ; କିନ୍ତୁ ସେଇ ସ୍ତ୍ରୀମାନଙ୍କ ଛଡ଼ା ଏ କାମକୁ କିଏ କରି ପାରିବ ? ମଦ୍ୟପାନ ବନ୍ଦ କରିବା ପାଇଁ ନାରୀମାନେ ଯେଉଁ ଆନ୍ଦୋଳନ କରିବାକୁ ଯାଉଚନ୍ତି, ଏ କେବଳ ସେଇ ଆନ୍ଦୋଳନର ଗୋଟିଏ ଅଙ୍ଗ ।

 

ମଦ୍ୟପାନର ହିସାବ, ଏଇ ବଦଭ୍ୟାସର ମୂଳ କାରଣ ଏବଂ ପ୍ରତିକାର ସମ୍ବନ୍ଧରେ ଶିକ୍ଷା ପାଇବାକୁ ବହୁତ ସଂଖ୍ୟାରେ ନାରୀମାନେ ବାହାରି ପଡ଼ିବା ଉଚିତ ଓ ଆବଶ୍ୟକ ଉପକରଣମାନ ଯୋଗାଡ଼ କରିବା ଉଚିତ । ଆଗରୁ ଯାହା ହୋଇଯାଇଚି, ସେଥିରୁ ଆମର ଯଥେଷ୍ଟ ଶିଖିବାର ଅଛି-। ଏ କଥା ଜାଣି ରଖିବା ଉଚିତ ଯେ ଖାଲି ମଦୁଆମାନଙ୍କୁ ମଦ ଛାଡ଼ିବାକୁ ନିବେଦନ କରିଦେଲେ କାର୍ଯ୍ୟସାଧନ ହୋଇ ପାରିବ ନାହିଁ । ଏଇ ବଦଭ୍ୟାସଟିକୁ ଏକ ରୋଗ ବୋଲି ମନେକରି ତା’ର ପ୍ରତିବିଧାନ କରିବାକୁ ହେବ । ଅନେକ ନାରୀକର୍ମୀଙ୍କୁ ଏଇସବୁ ବିଷୟରେ ବିଶେଷ ଅନୁସନ୍ଧାନ କରି ନୂତନ ନୂତନ ତଥ୍ୟମାନ ବାହାର କରିବାକୁ ହେବ । ପ୍ରତ୍ୟେକ ପ୍ରକାରର ସଂସ୍କାର କାର୍ଯ୍ୟରେ ଗଭୀର ଜ୍ଞାନଲାଭ ଆବଶ୍ୟକ, ତଦ୍ଦ୍ୱାରା କାର୍ଯ୍ୟସାଧନର ଶକ୍ତି ଜନ୍ମେ । ଅଧା ହେଉ ବା ପୂରା ହେଉ, ଆମର ସଂସ୍କାର କାର୍ଯ୍ୟ ଯେ ସଫଳ ହୋଇପାରୁ ନାହିଁ, ଅଶିକ୍ଷା ହେଉଚି ତା’ର ମୂଳ କାରଣ ।

ହରିଜନ, ୨୪.୪.୩୭

Image

 

ଯେଉଁମାନେ ନୂଆ ବାହା ହୋଇଚନ୍ତି

 

ହୁଡ଼୍‍ଲିରେ ହୋଇଥିବା ଗାନ୍ଧି ସେବା ସଂଘର ବାର୍ଷିକ ଅଧିବେଶନବେଳେ ଗାନ୍ଧିଜୀଙ୍କର ପୌରୋହିତ୍ୟରେ ତାଙ୍କର ନାତୁଣୀ ଓ ଶ୍ରୀ ମହାଦେବ ଦେଶାଇଙ୍କର ଭଉଣୀଙ୍କର ଶୁଭବିବାହ ଅନୁଷ୍ଠିତ ହୋଇଥିଲା । ମଙ୍ଗଳକାର୍ଯ୍ୟ ସମାପ୍ତ ହେବା ପରେ ସେ ନବବିବାହିତ ବର ବଧୂଙ୍କୁ ଏଇପରି ଭାବରେ ଉଦ୍‌ବୋଧନ ଦେଇଥିଲେ :-

 

‘‘ଯେଉଁ ଉତ୍ସବ ଦ୍ୱାରା ଆମର ମନରେ କର୍ତ୍ତବ୍ୟଜ୍ଞାନର ଉଦ୍ରେକ ନ ହୁଏ, ମୁଁ ସେପରି ଉତ୍ସବକୁ ଭଲ ପାଏ ନାହିଁ; ତୁମମାନଙ୍କର ଏ କଥା ଜାଣି ରଖିବା ଉଚିତ । ଯେଉଁଦିନଠାରୁ ମୁଁ ନିଜ ମନକୁ ସବୁକଥା ଭାବି ଶିଖିଚି, ସେଇ ଦିନଠାରୁ ମୋର ଏଇ ବିଶ୍ୱାସ ହୋଇଯାଇଚି । ତୁମେମାନେ ଯେଉଁସବୁ ସଂସ୍କୃତି ମନ୍ତ୍ର ଉଚ୍ଚାରଣ କରିଚ ଓ ସଂସ୍କୃତ ଭାଷାରେ ଯେଉଁସବୁ ଶପଥ ଗ୍ରହଣ କରିଚ, ସେସବୁ ନିଜ ନିଜ ଭାଷାରେ ତୁମମାନଙ୍କୁ କହି ଦିଆଯାଇଚି । ଆମର ସବୁ ମନ୍ତ୍ର ସଂସ୍କୃତରେ ପଢ଼ା ଯାଇଚି, କାରଣ ମୁଁ ଜାଣେ ସଂସ୍କୃତ ଭାଷାର ଏପରି ଗୋଟାଏ ପ୍ରଭାବ ରହିଚି, ଯାହାଦ୍ୱାରା କି ମଣିଷ ମନ ଆପେ ଆପେ ତା’ ଆଡ଼କୁ ଟାଣି ହୋଇ ଆସିବ ।

 

ଏଇ ମନ୍ତ୍ର ଭିତରେ ଗୋଟାଏ ଯାଗାରେ ସ୍ୱାମୀ ଇଚ୍ଛା ପ୍ରକାଶ କରୁଚି ଯେ, ସ୍ତ୍ରୀ ଏକ ସୁଚରିତ୍ର ଓ ସୁସ୍ୱାସ୍ଥ୍ୟ ସନ୍ତାନ ପ୍ରସବ କରିବ । ସେ କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗି ନାହିଁ । ସନ୍ତାନ ପ୍ରସବ ଯେ ବାଧ୍ୟତାମୂଳକ, ଏ କଥା ତ ସେଥିରେ କୁହାଯାଉ ନାହିଁ । ଏହାର ଅର୍ଥ ହେଉଚି ଯେ କୁଳରକ୍ଷାପାଇଁ ପୁତ୍ର ଅତ୍ୟାବଶ୍ୟକ ଏବଂ ସେଥିପାଇଁ ସମାଜରେ ଏଇପରି ଧର୍ମାତ୍ମଭାବରେ ଅନୁଷ୍ଠିତ ହେଉଥିବା ବିବାହର ଏକାନ୍ତ ଆବଶ୍ୟକତା ରହିଚି । ଯାହାର ପୁତ୍ରଲାଭର ଆଶା ନାହିଁ, ସେ ମୋଟେ ବିବାହ କରିବାକୁ ଯିବ କାହିଁକି ? ଇନ୍ଦ୍ରିୟଲାଳସା ତୃପ୍ତ କରିବାକୁ କରାଯାଉଥିବା ବିବାହକୁ ବିବାହ କୁହାଯାଇ ପାରିବ ନାହିଁ । ଏହା ହେଉଚି ବ୍ୟଭିଚାର । ଆଜିକାର ଉତ୍ସବର ଅର୍ଥ ହେଉଚି ଯେ ଯେତେବେଳେ ଦୁଇଜଣଯାକ ପୁତ୍ରଲାଭର ଇଚ୍ଛା ପ୍ରକାଶ କରିବେ, ସେତିକିବେଳେ କେବଳ ଯୌନୋପଚାର କରିପାରିବେ । ଏହା ଅତି ପବିତ୍ର ମନୋଭାବ । ତେଣୁ ପ୍ରାର୍ଥନାମୟ ଜୀବନ ଦ୍ୱାରା କେବଳ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ । ନିକୃଷ୍ଟ ଭାବରେ ଇନ୍ଦ୍ରିୟବାସନା ଓ ସୁଖସମ୍ଭୋଗ ଇଚ୍ଛାରେ ଏହାର ଅପବ୍ୟବହାର କଲେ ଚଳିବ ନାହିଁ । କେବଳ ଗୋଟିଏ ସନ୍ତାନର ଇଚ୍ଛା ଯଦି ତୁମର ଥାଏ, ତେବେ କେବଳ ଥରେ ଯୌନସଙ୍ଗମ ବିଧେୟ । ଦୁର୍ବଳ ନୈତିକ ଚରିତ୍ର ଓ ଭଗ୍ନସ୍ୱାସ୍ଥ୍ୟ ଥିବା ପୁରୁଷ ଓ ସ୍ତ୍ରୀମାନଙ୍କର ଯୌନସଙ୍ଗମ କରିବା ଉଚିତ ନୁହେଁ । ସେପରି ମିଳନକୁ କେବଳ ବ୍ୟଭିଚାର କୁହାଯାଇ ପାରିବ । ପଶୁପ୍ରବୃତ୍ତିର ପରିତୃପ୍ତି କେବଳ ବିବାହର ଉଦ୍ଦେଶ୍ୟ ବୋଲି ତୁମମାନଙ୍କର ଯଦି ଧାରଣା ଥାଏ, ତେବେ ସେ ଭୁଲଧାରଣା ଶୀଘ୍ର ବାହାରକୁ ଫିଙ୍ଗିଦେବାକୁ ହେବ । ଏହା ଏକ ଅନ୍ଧବିଶ୍ୱାସ । ପବିତ୍ର ହୋମଶିଖାର ସମ୍ମୁଖରେ ସମସ୍ତ ଉତ୍ସବଟି ସମାହିତ ହୋଇଚି । ତୁମ ଭିତରେ ଯଦି କୌଣସି କାମଲାଳସା ଥାଏ, ତେବେ ଏଇ ହୋମଶିଖାର ଦହନ ଭିତରେ ସେ ପୋଡ଼ି ପାଉଁଶ ହୋଇଯାଉ ।

 

ଆଜିକାଲିକା ଯୁଗରେ ଆଉ ଗୋଟିଏ ଅନ୍ଧବିଶ୍ୱାସ ରହିଚି, ସେଇଟିକୁ ମଧ୍ୟ ମୁଁ ତୁମମାନଙ୍କୁ ଦୂର କରିଦେବାକୁ କହିବି । ଅନେକ କହନ୍ତି ଆତ୍ମସଂଯମ ଓ ତ୍ୟାଗ ହେଉଚି ବଡ଼ ଭୁଲ କଥା ଏବଂ ସ୍ୱାଧୀନଭାବରେ ଇନ୍ଦ୍ରିୟ-ଲାଳସାକୁ ପରିତୃପ୍ତ କରିବା ଓ ସ୍ୱାଧୀନଭାବରେ ପ୍ରେମ କରିବା ହେଉଚି, ମଣିଷ ପକ୍ଷରେ ସ୍ୱାଭାବିକ । ଏହାଠାରୁ ବଳି ମାରାତ୍ମକ ଅନ୍ଧବିଶ୍ୱାସ ଆଉ କଣ ହୋଇପାରେ ? ହୁଏ ତ ତୁମେମାନେ ଆଦର୍ଶ ଅନୁସାରେ କାର୍ଯ୍ୟ କରି ନ ପାର, ତୁମର ମନରେ ଦୁର୍ବଳତା ଥାଇପାରେ; କିନ୍ତୁ ତା ବୋଲି ଆଦର୍ଶକୁ କେତେବେଳେ ତଳକୁ ପକାଇ ଦିଅ ନାହିଁ, ଅଧର୍ମକୁ ଧର୍ମ ବୋଲି ଗ୍ରହଣ କରନାହିଁ । ଯେତେବେଳେ ଜୀବନରେ ଦୁର୍ବଳ ମୁହୂର୍ତ୍ତ ଆସିବ, ସେତିକିବେଳେ ମୋ’ରି କଥା ମନରେ ହେଜିବ । ଏଇ ଗମ୍ଭୀର ମୁହୂର୍ତ୍ତର ସ୍ମରଣ କଲେ ତୁମେ ନିଜକୁ ନିଶ୍ଚୟ ସଂଯତ ଓ ସୁକଠୋର କରି ରଖିପାରିବ । ଆତ୍ମସଂଯମ ଅବଲମ୍ବନ କରିବା ଓ ଇନ୍ଦ୍ରିୟାସକ୍ତିକୁ ଶାନ୍ତକରି ରଖିବା ହେଉଚି ବିବାହର ମୂଳ ଲକ୍ଷ୍ୟ । ଅନ୍ୟ କୌଣସି ଲକ୍ଷ୍ୟ ରଖି ଯଦି ବିବାହ ଅନୁଷ୍ଠିତ ହୁଏ, ତେବେ ତାକୁ ଏକ ପୁଣ୍ୟାନୁଷ୍ଠାନ କୁହାଯାଇ ପାରିବ ନାହିଁ- କେବଳ କୁଳରକ୍ଷା କରିବା ସେ ବିବାହର ଉଦ୍ଦେଶ୍ୟ ବୋଲି ଧରିନିଆ ଯାଇପାରିବ ନାହିଁ ।

 

ଏଇ ବିବାହ ତୁମମାନଙ୍କୁ ପରସ୍ପରର ବନ୍ଧୁ ଓ ସମକକ୍ଷ ଭାବରେ ମିଳିତ କରାଇଛି । ସ୍ୱାମୀକୁ ସ୍ୱାମୀ କୁହାଗଲେ, ସ୍ତ୍ରୀକୁ ମଧ୍ୟ ସ୍ୱାମିନୀ କୁହାଯିବ । ଜଣେ ଆର ଜଣକର ପରିଚାଳକ, ଜଣେ ଅପରର ସାଥୀ ହିସାବରେ ତାକୁ ସାହାଯ୍ୟ କରିବ, ଜୀବନର ଧର୍ମ ଓ କର୍ତ୍ତବ୍ୟପାଳନରେ ଜଣେ ଆଉଜଣଙ୍କ ସହିତ ସହଯୋଗ କରିବ । ହେ ବାବୁ, ତୁମ ଦୁଇଜଣକୁ ମୁଁ ଉପଦେଶ ଦେଉଚି, ଯଦି ଭଗବାନ ତୁମକୁ ଅଧିକ ବୁଦ୍ଧି ଓ ଶୁଦ୍ଧ ଭାବାବେଗ ଦେଇଥାନ୍ତି, ତେବେ ସେଇ ବୁଦ୍ଧି ଓ ଭାବାବେଗରେ ନିଜର ସ୍ତ୍ରୀମାନଙ୍କୁ ମଧ୍ୟ ଭାଗୀକର । ସେମାନଙ୍କର ଯଥାର୍ଥ ଶିକ୍ଷକ ଓ ପଥପ୍ରଦର୍ଶକ ହୋଇ ସେମାନଙ୍କୁ ସାହାଯ୍ୟ କର ଓ ବାଟ ଦେଖାଇ ନେଇଯାଅ; ମାତ୍ର କେବେହେଲେ ଭୁଲ ବାଟକୁ ନେଇ ସେମାନଙ୍କ ପଥରେ ବାଧା ଦିଅନାହିଁ । ତୁମମାନଙ୍କ ଭିତରେ ପରସ୍ପରର କାୟା, ମନ ଓ ବାକ୍ୟର ମଧୁର ମିଳନ ହେଉ । ଆପଣା ଆପଣାର କିଛି ଗୋପନ କଥା ନ ରଖି ଦୁହିଙ୍କର ଆତ୍ମା ଏକ ହୋଇଯାଉ ।

 

ଜୀବନପ୍ରତି ବିଶ୍ୱାସଘାତକତା କରିବ ନାହିଁ । ଯାହା ତୁମ ପକ୍ଷରେ ଅସମ୍ଭବ, ତାକୁ କରିବାର ବ୍ୟର୍ଥ ଚେଷ୍ଟାରେ ନିଜର ଶରୀର କ୍ଷୟ କରିବ ନାହିଁ । ଆତ୍ମସଂଯମ ଦ୍ୱାରା କେବେହେଲେ ସ୍ୱାସ୍ଥ୍ୟ ନଷ୍ଟ ହୁଏ ନାହିଁ । ଆତ୍ମସଂଯମ ନୁହେଁ–ଜବରଦସ୍ତି ନିଜର ପ୍ରବୃତ୍ତିକୁ ଦବାଇ ରଖିଲେ, କେବଳ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଯେଉଁ ଲୋକ ପ୍ରକୃତ ଆତ୍ମସଂଯମ ପାଳନ କରୁଚି, ସେ ଦିନକୁ ଦିନ ଅଧିକ ବଳବାନ ହୁଏ ଓ ଅଧିକ ଶାନ୍ତି ପାଏ । ଭାବ ସଂଯମ ହେଉଚି, ଆତ୍ମସଂଯମର ଆଦ୍ୟ ସୋପାନ । ନିଜର ସୀମାମାତ୍ରା ବୁଝି ଶକ୍ତି ଅନୁସାରେ କାମ କରିବା ଉଚିତ । ମୁଁ ତୁମ ପାଖରେ ଯେଉଁ ଆଦର୍ଶ ନେଇ ଥୋଇଚି, ତାକୁ ଏକ ସମକୋଣ ପରି ମନେକର । ସେଇ ସମକୋଣ ସମାନ ହେବାକୁ ଯଥାଶକ୍ତି ଚେଷ୍ଟାକର । କିନ୍ତୁ ବିଫଳ ହେଲେ କେବେହେଲେ ଦୁଃଖ ବା ଲଜ୍ଜା ବୋଧ କରନାହିଁ । ମୁଁ ତୁମକୁ ଏତିକିମାତ୍ର ବୁଝାଇ ଦେଉଚି ଯେ, ଉପନୟନ ପରି ବିବାହ ହେଉଛି, ତ୍ୟାଗର ଏକ ପୁଣ୍ୟାନୁଷ୍ଠାନ, ଏହା ଏକ ପୁନର୍ଜନ୍ମ । ମୋ କଥାରେ ଶଙ୍କିଯିବା ବା ଶକ୍ତି ହରାଇ ବସିବା ଉଚିତ ନୁହେଁ । କାୟମନୋବାକ୍ୟରେ ମଧୁମୟ ମିଳନ–ଏହା ତୁମମାନଙ୍କର ଆଦର୍ଶ ହୋଇ ରହୁ । ନିଜର ଭାବନାକୁ ପ୍ରଥମେ ଶୁଦ୍ଧ କର, ତା’ପରେ ସବୁ ସହଜ ହୋଇଯିବ । ନିଜର ଭାବନାଠାରୁ ବଳି ଶକ୍ତିଶାଳୀ ଜିନିଷ କିଛି ନାହିଁ । ଆମର ଭାବନା ସବୁ କଥାରେ ପ୍ରକାଶିତ ହୁଏ, କଥାସବୁ କାର୍ଯ୍ୟରେ ରୂପାନ୍ତରିତ ହୁଏ । ଶକ୍ତିଶାଳୀ ଭାବନାଦ୍ୱାରାହିଁ ଏଇ ବିଶାଳପୃଥିବୀ ତିଆରି ହୋଇଛି । ଭାବନାକୁ ଶକ୍ତିଶାଳୀ ଓ ଶୁଦ୍ଧ କରିପାରିଲେ ଜୀବନ ନିଶ୍ଚୟ ଶୁଦ୍ଧ ଓ ଶକ୍ତିଶାଳୀ ହୋଇପାରିବ । ତେଣୁ ମୋର ଅନୁରୋଧ, ତୁମେମାନେ ହୃଦୟ ଭିତରେ ଏକ ମହାନ୍ ଆଦର୍ଶର ବାଣୀ ନେଇଯାଅ ଏବଂ ଏହା ନିଶ୍ଚିତ କରି ଜାଣିରଖ ଯେ, କୌଣସି ପ୍ରଲୋଭନ ତୁମର ଅନିଷ୍ଟ କରିପାରିବ ନାହିଁ, କୌଣସି ଅପବିତ୍ରତା ତୁମକୁ ସ୍ପର୍ଶ କରିପାରିବ ନାହିଁ ।

 

ଯେଉଁ ଉତ୍ସବସବୁ ତୁମମାନଙ୍କୁ ବୁଝାଇଦିଆଗଲା, ସେସବୁ ଚିରଦିନ ମନେ ରଖିଥିବ । ଏଇ ‘ମଧୁପର୍କ’ ପରି ଏକ ମାମୁଲି ଉତ୍ସବଟି କଥା ବିଚାର କର । ସମସ୍ତ ପୃଥିବୀ ମଧୁରେ ଭରିରହିଛି, ସମସ୍ତ ପୃଥିବୀ ତା’ର ଭାଗ ନେଇସାରିବା ପରେ ତୁମେ ମଧ୍ୟ ସେଇ ମଧୁଗ୍ରହଣ କରିପାରିବ । ଏହାର ଅର୍ଥ ହେଉଚି କେବଳ ତ୍ୟାଗ ଦ୍ୱାରା ସମସ୍ତ ଜଗତ ଉପଭୋଗ କରାଯାଇ ପାରିବ ।’’

 

ବର ଦୁହିଙ୍କ ଭିତରୁ ପଚାରିଲା–‘‘କୁଳରକ୍ଷା କରିବାର କୌଣସି ଅଭିଳାଷ ନ ଥିଲେ କଣ ବିବାହ କରିବା ଅନୁଚିତ ?’’

 

‘‘ନା–ସେକଥା ମୁଁ କେବେ କହୁନାହିଁ । ସେପରି ବିବାହରେ ମୁଁ ବିଶ୍ୱାସ କରେ ନାହିଁ । ଅନେକ କ୍ଷେତ୍ରରେ କୌଣସି ସଙ୍ଗମଲିପ୍ସା ନ ରଖି କେବଳ ନାରୀକୁ ଆଶ୍ରୟ ଦେବାପାଇଁ ପୁରୁଷ ତାକୁ ବିବାହ କରେ । କିନ୍ତୁ ଏପରି ଉଦାହରଣ ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ । ବିଶୁଦ୍ଧ ଦାମ୍ପତ୍ୟ ଜୀବନ ବିଷୟରେ ମୁଁ ଯାହାସବୁ ଲେଖିଚି, ତୁମେମାନେ ତାକୁ ପଢ଼ିବ । ମହାଭାରତରେ ଯାହା ପଢ଼ିଥିଲି, ଦିନକୁ ଦିନ ସେଇ ବିଶ୍ୱାସ ମୋର ଦୃଢ଼ ହୋଇ ଯାଉଚି । ସେଥିରେ ବ୍ୟାସଦେବ ନିୟୋଗ କରିଥିବାର ବର୍ଣ୍ଣନା ଅଛି । ତାଙ୍କର ରୂପ ବଡ଼ କୁତ୍ସିତ, ଦେଖିବାକୁ ବଡ଼ ଭୟଙ୍କର ଥିଲା । ପ୍ରଣୟ କରିବାର କୌଣସି ଇଚ୍ଛା ତାଙ୍କର ନ ଥିଲା । କିନ୍ତୁ ସମସ୍ତ ଶରୀରରେ ଘିଅ ବୋଳିହୋଇ ସେ ସ୍ତ୍ରୀସଙ୍ଗମ କରିଥିଲେ । କୌଣସି ଇନ୍ଦ୍ରିୟ ତୃପ୍ତିର ଇଚ୍ଛାରେ ନୁହେଁ, ମାତ୍ର ବଂଶରକ୍ଷା କରିବାକୁ ତାଙ୍କୁ ଏହା କରିବାକୁ ପଡ଼ିଲା । ସନ୍ତାନ ଉତ୍ପାଦନର ଅଭିଳାଷ ରହିବା ସ୍ୱାଭାବିକ, ମାତ୍ର ସନ୍ତାନ ପ୍ରାପ୍ତି ପରେ ଆଉ ସ୍ତ୍ରୀସଙ୍ଗମ କରିବା ଉଚିତ ନୁହେଁ ।

 

ମନୁ ଜ୍ୟେଷ୍ଠ ସନ୍ତାନକୁ ‘ଧର୍ମଜ’ ବୋଲି କହିଚନ୍ତି ଏବଂ ତା’ପରେ ଯେତେ ସନ୍ତାନ ଜନ୍ମ ହେବେ, ସେମାନଙ୍କ ସେ ‘କାମଜ’ ନାମ ଦେଇଚନ୍ତି । ଯୌନ–ଉପଚାରର ବିଧି ଅବିଧି ବିଷୟରେ ଏଇଥିରୁ ସମସ୍ତଙ୍କ ସ୍ପଷ୍ଟ ଧାରଣା ହୋଇପାରିବ । ଏଇ ବିଧାନହିଁ ହେଉଚି ଭଗବାନ । ଭଗବାନଙ୍କୁ ମାନିବା ଅର୍ଥ ନିୟମ ପାଳନ କରିବା । ତୁମେ ତିନିବାର ଏଇ ମନ୍ତ୍ରଟି ଉଚ୍ଚାରଣ କରିଚ–‘‘ମୁଁ କୌଣସିମତେ ନିୟମ ଲଂଘନ କରିବି ନାହିଁ ।’’ ଏଇ କଥା ଯେପରି ସବୁଦିନକୁ ମନେ ରଖିଥିବ । ଯଦି ଅଳ୍ପ କେତେଜଣ ଲୋକ ମଧ୍ୟ ଏଇ ନିୟମ ପାଳନରେ ବ୍ରତୀ ହୋଇ ବାହାରି ପାରିବେ, ତେବେ ଆମ ଜାତି ନିଶ୍ଚୟ ସତ୍ୟପଥରେ ଅନେକ ଅଗ୍ରଗତି କରିପାରିବ ।

 

ବା’କୁ (କସ୍ତୁରିବାଈ) କାମ ଚକ୍ଷୁରେ ନ ଦେଖିବାକୁ ଯେଉଁଦିନଠାରୁ ମୁଁ ଶପଥ ନେଇଚି, ସେଇ ଦିନଠାରୁ ମୋର ଦାମ୍ପତ୍ୟ ଜୀବନ ପ୍ରକୃତରେ ଉପଭୋଗ୍ୟ ହୋଇପାରିଚି । ଠିକ୍ ପୂର୍ଣ୍ଣ ଯୌବନାବସ୍ଥାରେ ମୁଁ ଏଇ ଆତ୍ମସଂଯମର ପ୍ରତିଜ୍ଞା କରିଥିଲି, ହୁଏତ ଇଚ୍ଛା କରିଥିଲେ ମୁଁ ସାଧାରଣ ଦୃଷ୍ଟିରେ ମୋର ବିବାହିତ ଜୀବନର ସମ୍ଭୋଗ କରିପାରି ଥା’ନ୍ତି । ଆଖି ଆଗରେ ଯେମିତି ମୋତେ ଦେଖାଗଲା ଯେ, ଆମେସବୁ ଏକ ପବିତ୍ର ଉଦ୍ଦେଶ୍ୟ ନେଇ ସଂସାରକୁ ଆସିଚୁ । ବାହାଘର ବେଳେ ଏକଥା ମୁଁ ଜାଣି ନ ଥିଲି । କିନ୍ତୁ ଚେତା ପଶିଲା ପରେ ମୁଁ ଜାଣିଲି ଯେ, ଜୀବନର ଉଦ୍ଦେଶ୍ୟ ସାଧନରେ ବିବାହ ଏକ ସହାୟକ ଅଙ୍ଗ ସ୍ୱରୂପ । କେବଳ ସେତେବେଳେ ଯାଇ ମୁଁ ପ୍ରକୃତ ଧର୍ମ ପାଇଲି । ଏଇ ଶପଥ ନେଲାପରେ ଆମେ ପରମସୁଖରେ ଜୀବନ କଟାଇ ପାରିଲୁଁ । ଦେଖିବାକୁ ଦୁର୍ବଳ ମନେହେଲେ ମଧ୍ୟ ତା’ଙ୍କର ସ୍ୱାସ୍ଥ୍ୟ ଖୁବ୍ ଭଲ; ସେ ସକାଳୁ ରାତିଯାଏ କାମ କରିପାରନ୍ତି । ମୋର କାମପିତୁଳା ହୋଇ ରହିଥିଲେ ସେ ଏତେ କାମ କରିପାରୁଥା’ନ୍ତେ କି ?

 

ତଥାପି ମୋର ସଦ୍‍ଜ୍ଞାନ ହେବାକୁ ଅନେକ ଡେରି ହୋଇଗଲା । କାରଣ ସେତେବେଳକୁ ବାହା ହେବାର କେତେବର୍ଷ କଟିଯାଇଥିଲା । ତୁମର ସୌଭାଗ୍ୟ ଯେ, ଯଥାର୍ଥ ସମୟରେ ପ୍ରକୃତ ଜ୍ଞାନଚେତନା ଲାଭ କରିବାର ସୁଯୋଗ ପାଇଲ । ମୋର ବାହାଘର ବେଳେ ମଧ୍ୟ ମୋତେ ଅନୁକୂଳ ପରିବେଷ୍ଟନୀ ମିଳି ନ ଥିଲା କିନ୍ତୁ ତୁମପାଇଁ ଅନୁକୂଳ କ୍ଷେତ୍ର ପଡ଼ିଚି । ଅବଶ୍ୟ ମୋର ଗୋଟାଏ ଗୁଣ ଥିଲା, ଯାହାଦ୍ୱାରା କି ମୁଁ ଠିକ୍ ବାଟକୁ ଆସିପାରିଲି । ସେଇଟି ହେଉଚି ଯେ, ସତ୍ୟପ୍ରତି ମୋର ଖୁବ୍ ଶ୍ରଦ୍ଧା ଥିଲା । ସେଇ କେବଳ ମୋତେ ବଞ୍ଚାଇଲା । ସତ୍ୟରେହିଁ ମୋର ଜୀବନର ମୂଳଦୁଆ ପଡ଼ିଚି । ଏହି ସତ୍ୟରୁ ପରେ ବ୍ରହ୍ମଚର୍ଯ୍ୟ ଓ ଅହିଂସାର ଉଦ୍ରେକ ହୋଇଚି । ତେଣୁ ତୁମେମାନେ ଯାହା କର ପଛକେ, ନିଜ ପ୍ରତି ଓ ଜଗତ ପ୍ରତି ସତ୍ୟନିଷ୍ଠ ହୋଇ ରହ । ନିଜର ଭାବନାକୁ ମନଭିତରେ ଲୁଚାଇ ରଖନାହିଁ । ଯେଉଁ ଭାବନାକୁ ପ୍ରକାଶ କରିବାକୁ ଲାଜ ଲାଗୁଚି, ସେଇ ଭାବନା ଭାବିବାକୁ ତା’ଠାରୁ ଅଧିକ ଲାଜ ମାଡ଼ିବା ଉଚିତ ।

ହରିଜନ, ୨୪.୦୪.୩୭

Image

 

ଆତ୍ମସଂଯମ ବିଷୟରେ ଆହୁରି ପଦେ

 

‘‘ଆତ୍ମସଂଯମ ବିଷୟରେ ଆପଣ ଏବେ ଯେଉଁସବୁ ଲେଖା ଲେଖୁଚନ୍ତି ତାକୁ ପଢ଼ି ଚାରିଆଡ଼େ ରୀତିମତ ଚାଞ୍ଚଲ୍ୟ ଖେଳିଯାଉଚି । ଅନେକ ଲୋକ ଆପଣଙ୍କର ମତକୁ ଠିକ୍ ବୁଝୁଚନ୍ତି, କିନ୍ତୁ ବେଶୀ ଦିନ ଆତ୍ମସଂଯମ ପାଳନ କରି ପାରୁନାହାନ୍ତି । ସେମାନଙ୍କର ବଡ଼ ଆପତ୍ତି ଯେ, ଆପଣ ନିଜେ ଯାହା ଅଭ୍ୟାସ କରିପାରୁଚନ୍ତି, ତାକୁ ସାରା ଦୁନିଆକୁ କରିବାକୁ କହୁଚନ୍ତି । ଆପଣ ତ ନିଜେ ସ୍ୱୀକାର କରିଚନ୍ତି ଯେ ଆପଣ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣ ବ୍ରହ୍ମଚାରୀ ହୋଇପାରି ନାହାନ୍ତି । କାରଣ, ଆପଣ ମଧ୍ୟ ପଶୁପ୍ରବୃତ୍ତିରୁ ପୂରାପୂରି ନିଷ୍କୃତି ପାଇ ପାରିନାହାନ୍ତି । ଆପଣ କହୁଚନ୍ତି ଯେ, ସ୍ୱାମୀ ସ୍ତ୍ରୀ ନିଜର ସନ୍ତାନସଂଖ୍ୟା ନିର୍ଦ୍ଦିଷ୍ଟ କରିଦେବା ଉଚିତ । ସବୁ ମଣିଷଙ୍କୁ ଏଇପରି କରିବାକୁ ହେଲେ ‘ଗର୍ଭନିରୋଧ’ ବ୍ୟବହାର କରିବା ଛଡ଼ା ମୁଁ ଆଉ କିଛି ଉପାୟ ଦେଖିପାରୁ ନାହିଁ ।’’

ମୁଁ ମୋର ଶକ୍ତିସୀମା ମାନି ନେଇଚି । ଆତ୍ମସଂଯମ ଓ ‘ଗର୍ଭନିରୋଧ’ର ଦ୍ୱନ୍ଦ୍ୱ ଲାଗିଥିବାବେଳେ ଏଇ ସୀମା ମାନିନେବାଦ୍ୱାରା ମୋର ଯଥେଷ୍ଟ ଉପକାର ହୋଇଚି । ଏହାଦ୍ୱାରା ପ୍ରମାଣିତ ହୋଇଯାଉଚି ଯେ, ମୁଁ ମଧ୍ୟ ଏଇ ପୃଥିବୀଭିତରେ ଜଣେ । ମୋ ଭିତରେ କୌଣସି ଅସାଧାରଣ ଶକ୍ତି ଅଛି ବୋଲି ମୁଁ ଆଉ ଛଳନା କରିପାରିବି ନାହିଁ । ମୁଁ ଯେଉଁ ଆତ୍ମସଂଯମ କଥା କହିଥିଲି, ତାହା ଖୁବ୍ ସାଧାରଣ ଥିଲା । ଦେଶର ବା ମନୁଷ୍ୟସମାଜର ସେବା କରିବା ପାଇଁ କେବଳ ନିଜର ସନ୍ତାନସଂଖ୍ୟା ନିର୍ଦ୍ଦିଷ୍ଟ କରିଦେବାକୁ ମୁଁ କହିଥିଲି ୩୯ ବର୍ଷ କାଳ ଠିକ୍ ଭାବରେ ଆତ୍ମସଂଯମ (ଅବଶ୍ୟ ସାଧାରଣ ସ୍ତରର ଆତ୍ମସଂଯମ) ପାଳନକରି ଆସିଥିଲେ ହେଁ ଏବେ ମଧ୍ୟ ମୋର ପଶୁପ୍ରବୃତ୍ତିକୁ ସବୁବେଳେ ଜଗି ରଖିବାକୁ ହେଉଚି । ଏଇଥିରୁ ଜଣାପଡ଼ି ଯାଉଚି, ସଂସାରର ସାଧାରଣ ମଣିଷ ଭିତରେ ମୁଁ ମଧ୍ୟ ଜଣେ । ତେଣୁ ମୋ ପକ୍ଷରେ ଯାହା ସମ୍ଭବ ହୋଇପାରିଚି, ଚେଷ୍ଟାକଲେ ପ୍ରତ୍ୟେକ ମଣିଷ ମଧ୍ୟ ସେ କଥା କରିପାରିବ ।

ଯେଉଁମାନେ ଗର୍ଭନିରୋଧର ପକ୍ଷପାତୀ, ସେମାନେ ପହିଲୁ ଧରି ନେଉଛନ୍ତି ଯେ, ସାଧାରଣ ମନୁଷ୍ୟ ପକ୍ଷରେ ଆତ୍ମସଂଯମ ଅସମ୍ଭବ । ଏଇଠାରେ ସେମାନଙ୍କ ସହିତ ମୁଁ ଏକମତ ହୋଇପାରୁନାହିଁ । ଅନେକ ତ ପୁଣି କହୁଚନ୍ତି, କ୍ଷମତା ଥାଇ ସୁଦ୍ଧା ଆତ୍ମସଂଯମ ପାଳିବା ଅନୁଚିତ ! ସେମାନେ ସେମାନଙ୍କର ନିଜ ବିଦ୍ୟାରେ ଯେତେ ବଡ଼ ପଣ୍ଡିତ ହୋଇ ଥା’ନ୍ତୁ ପଛକେ ମୁଁ କେବଳ ଏତିକି କହୁଚି ଯେ, ଆତ୍ମସଂଯମ ଦ୍ୱାରା ଯାହା ଯାହା ସମ୍ଭବ ହୋଇପାରିବ, ସେସବୁ ବିଷୟରେ ସେମାନଙ୍କର ମୋଟେ ଜ୍ଞାନ ନାହିଁ । ଏ କଥା ମୁଁ ଦୃଢ଼ବିଶ୍ୱାସର ସହିତ କହୁଚି । ମନୁଷ୍ୟ ଆତ୍ମାର ସମ୍ଭାବନାକୁ ସୀମାବଦ୍ଧ କରି ଦେବାର କୌଣସି ଅଧିକାର ସେମାନଙ୍କର ନାହିଁ । ଏସବୁ କ୍ଷେତ୍ରରେ ମୁଁ ଜଣେ ଯଦି କେବଳ ବିଶ୍ୱାସଯୋଗ୍ୟ ମତ ଦିଏ, ତେବେ ମୋରି କଥାର ନିଶ୍ଚୟ ବେଶୀ ମୂଲ୍ୟ ରହିବ । ମୋତେ ମହାତ୍ମା ବୋଲି ଉପରକୁ ଉଠାଇ ଦେଇ ମୋ କଥା ସବୁକୁ ଅସମ୍ଭବ ବୋଲି ଉଡ଼ାଇଦେବା ନିହାତି ଅସୁନ୍ଦର କଥା ।

ଜଣେ ଭଉଣୀ ଆହୁରି ବେଶୀ ଆଣ୍ଟକରି ଲେଖିଛନ୍ତି–‘‘ଗର୍ଭନିରୋଧର ଆବିଷ୍କାର ଅଳ୍ପଦିନ ହେଲା ଆରମ୍ଭ ହୋଇଅଛି । କିନ୍ତୁ ‘ଆତ୍ମସଂଯମ’ ବାଦୀ ଆପଣମାନେ ପୁରୁଷ ପୁରୁଷ ଧରି ସମାଜରେ ପ୍ରଚାର କରି ଆସିଛନ୍ତି । ଆପଣ କେଉଁଠି କଣ କରିଛନ୍ତି କହିଲେ ? ପୃଥିବୀ କଣ ଆତ୍ମସଂଯମର ଶିକ୍ଷା ଗ୍ରହଣ କରିପାରିଛି କି ? ଛୁଆ ସାଲୁ ସାଲୁ ପରିବାରର ବୋଝ ଲାଘବ କରିବାପାଇଁ ଆପଣ କଣ କରିଛନ୍ତି କି ? ମାତୃତ୍ୱର ଯନ୍ତ୍ରଣାଜନିତ ଆର୍ତ୍ତନାଦ ଆପଣ କଣ ଶୁଣିପାରି ନାହାନ୍ତି ? ଆସନ୍ତୁ, ବର୍ତ୍ତମାନ ମଧ୍ୟ ବେଳ ଅଛି । ଆପଣ ଆତ୍ମସଂଯମର ପକ୍ଷପାତୀ ହୋଇ ପାରନ୍ତି, ସେଥିରେ ଆମର କିଛି ଆପତ୍ତି ନାହିଁ । ଯଦି ଆପଣ ଅନଭିଳଷିତ ସ୍ୱାମୀ ସଙ୍ଗମରୁ ସ୍ତ୍ରୀକୁ ବଞ୍ଚାଇ ପାରନ୍ତି, ତେବେ ଆମେ ଆପଣଙ୍କର ସଫଳତା କାମନା କରୁଛୁଁ । କିନ୍ତୁ ଆମ ପ୍ରଚାରରେ ଆପଣ କାହିଁକି ଓଲଟା କଥା କହି ବାଧା ଦେବେ । ସାଧାରଣ ମଣିଷର ଦୁର୍ବଳ ଅଭ୍ୟାସ ପ୍ରତି ନଜର ରଖି ଆମ ପନ୍ଥାର ଆବିଷ୍କାର ହୋଇଚି ଓ ଠିକ୍ ଭାବରେ ପ୍ରୟୋଗ କଲେ ସେଥିରେ ଲକ୍ଷ୍ୟ ସାଧନର ମଧ୍ୟ ଖୁବ୍ ସମ୍ଭାବନା ରହିଚି ।’’

ପଲ ପଲ ପିଲାଙ୍କ ବୋଝ ପଡ଼ୁଥିବା ହେତୁ ଯେଉଁ ପରିବାର ସବୁ ନାନା ଅଭାବରେ ପଡ଼ୁଚନ୍ତି, ସେଇମାନଙ୍କ ପ୍ରତି ଏଇ ଭଉଣୀଙ୍କର ଖୁବ୍ ସହାନୁଭୂତି ରହିଚି । ତାଙ୍କ ମନରେ ଏଥିଲାଗି ଖୁବ୍ ଦୁଃଖ ହେଉଚି ଏବଂ ତେଣୁ ସେ ମୋତେ ଚିଡ଼ାଇବାପରି ଅନେକ କଥା କହି ପକାଇଚନ୍ତି । ମଣିଷର ଦୁଃଖ ଯନ୍ତ୍ରଣାର ବର୍ଣ୍ଣନାରେ ସମସ୍ତଙ୍କର ହୃଦୟ ତରଳି ଯାଏ । ତେଣୁ ଉଦାର ହୃଦୟା ଭଉଣୀମାନଙ୍କର ହୃଦୟ ମଧ୍ୟ କିପରି ତରଳି ନ ଯିବ ? କିନ୍ତୁ ଏପରି ଭାବାବେଗୀ ବିବୃତି ପଢ଼ି ଲୋକେ ହୁଏତ ଠିକ୍ ଭାବରେ ବିଚାର କରି ନ ପାରନ୍ତି । ବୁଡ଼ିଗଲାବେଳେ ଭାସିଯାଉଥିବା କୁଟାଖିଅକୁ ଆଶ୍ରା କରି ଧରି ପକାଇଲା ପରି ଏଥିରେ ହୁଏତ କିଛି ଉପକାର ମିଳି ନ ପାରେ ।

ଆମର ବର୍ତ୍ତମାନ ଯୁଗରେ ପ୍ରତ୍ୟେକ କଥାର ମୂଲ୍ୟ ମୁହୂର୍ମୁହୂ ବଦଳି ଯାଉଚି । ତେଣୁ ଧୀର ପାଣିରେ ପଥର କାଟିବା ଆମକୁ ଆରେଇ ପାରୁ ନାହିଁ । ନିଜର ଜାତିଭାଇ, ଏପରିକି ଖାଲି ନିଜର ଦେଶର କଲ୍ୟାଣ ସାଧନ କରି ଆମର ମନ ବୋଧ ହେଉ ନାହିଁ; ତେଣୁ ସମସ୍ତ ମଣିଷ ସମାଜର ମଙ୍ଗଳ କଥା ମଧ୍ୟ ଆମେ ଭାବିବାକୁ ଆରମ୍ଭ କରିଚୁ । ମନୁଷ୍ୟର ଲକ୍ଷ୍ୟ ସାଧନ ଦିଗରେ ଏ ସବୁ ଗୋଟିଏ ଗୋଟିଏ ଶୁଭ ସୂଚନା ।

କିନ୍ତୁ ଖାଲି ଅଧୈର୍ଯ୍ୟ ହୋଇ ପଡ଼ିଲେ ତ ମଣିଷର ଦୁଃଖ ଚାଲିଯିବ ନାହିଁ, ମରହଟ୍ଟୀ କହି ସବୁ ପୁରୁଣା ଜିନିଷକୁ ଫିଙ୍ଗିଦେଲେ ମଧ୍ୟ କିଛି ଉପକାର ହେବ ନାହିଁ; ଆଜି ଯେଉଁସବୁ ସ୍ୱପ୍ନରେ ଆମର ଅନ୍ତର ଭିତରେ ଉତ୍ସାହର ବହ୍ନି ଜଳି ଉଠୁଚି, ଆମ ପୂର୍ବ ପୁରୁଷମାନେ ମଧ୍ୟ ଦିନେ ସେଇପରି ସ୍ୱପ୍ନ ସବୁ ଦେଖିଥିଲେ । ଅବଶ୍ୟ ସେ ସ୍ୱପ୍ନକୁ ସେମାନେ ସଫଳ କରିପାରି ନାହାନ୍ତି । ଆଜି ସମାଜର ପରିସର ଖୁବ୍ ବୃହତ୍ ହୋଇ ଯାଇଚି; ତଥାପି ଏ ସବୁର ପ୍ରତିକାର ପାଇଁ ସେମାନେ ଯାହା ଉପାୟ ବାହାର କରିଥିଲେ, ଆମେ ସେଇ ଉପାୟ ଗ୍ରହଣ କରିପାରିଲେ ହୁଏତ ଆମର ଉଦ୍ଦେଶ୍ୟ ମଧ୍ୟ ସିଦ୍ଧ ହୋଇପାରିବ ।

ଅଭିଜ୍ଞତାରୁ ମୁଁ କହି ପାରିବି ଯେ, ସତ୍ୟ ଓ ଅହିଂସା କେବଳ ଅଳ୍ପ କେତେଜଣ ବଛା ବଛା ଲୋକଙ୍କ ପାଇଁ ନୁହେଁ, ଏହା ସଂସାରର ପ୍ରତ୍ୟେକ ମନୁଷ୍ୟ ପାଇଁ । ନିଜର ଦୈନନ୍ଦିନ ଜୀବନରେ ଏହାର ଅଭ୍ୟାସ କରିବାକୁ ହେବ । ଠିକ୍ ସେମିତି କେବଳ କେତୋଟି ମହାତ୍ମା ଯେ ଆତ୍ମସଂଯମ ଅଭ୍ୟାସ କରିବେ ତା ନୁହେଁ, ସବୁ ମଣିଷ ମଧ୍ୟ ଏହାକୁ ଜୀବନରେ ପ୍ରୟୋଗ କରିବା ଉଚିତ ଏବଂ ଅନେକ ଲୋକ ଅସତ୍ୟ ଓ ହିଂସା ଆଚରଣ କରୁଚନ୍ତି ବୋଲି ମନୁଷ୍ୟ ସମାଜ କଣ ତାର ଆଦର୍ଶକୁ ତଳକୁ ଖସାଇ ଆଣୁଚି ? ସେମିତି ବହୁ ସଂଖ୍ୟକ ଲୋକ ଆତ୍ମସଂଯମ ଅବଲମ୍ବନ ନ କଲେ ସୁଦ୍ଧା ଆମେ କାହିଁକି ଆମ ଆଦର୍ଶକୁ ଲଘୁ କରିଦେବା ?

ଯିଏ ଠିକ୍ ବିଚାର କଲାବାଲା ହୋଇଥିବ, ସେ କେବେ ହେଲେ କୌଣସି କଠିନ ମକଦ୍ଦମାରେ ମିଛ ରାୟ ଦେବ ନାହିଁ । ସେ ନିଜର ହୃଦୟକୁ ପଥର ପରି କରିଦେବ; କାରଣ ସେ ଜାଣେ ଯେ ଅକଲ୍ୟାଣକର ଆଇନ ପ୍ରଣୟନ ଦ୍ୱାରା ଯଥାର୍ଥ ଦୟା ଦେଖାଇ ହେବ ନାହିଁ ।

ଏଇ ମର ଶରୀରର ଦୋଷ ଦୁର୍ବଳତାକୁ ଆମର ଆତ୍ମା ସହିତ ଯୋଡ଼ି ଦେଲେ ଚଳିବ ନାହିଁ । ଅନ୍ତରାତ୍ମାର ନିର୍ଦ୍ଦେଶ ପାଳିବାପାଇଁ ଏଇ ଶରୀରକୁ ଅନୁରୂପ କରି ଗଢ଼ିବାକୁ ହେବ । ଏଇ ସବୁ ନିୟମର ସଂଖ୍ୟା ଖୁବ୍ କମ୍ ଏବଂ ସେଗୁଡ଼ିକୁ କେବେ ବଦଳାଇ ହେବ ନାହିଁ–ତାକୁ ସବୁ ମଣିଷ ବୁଝି ପାରିବେ ଏବଂ ପାଳନ କରି ପାରିବେ । ହୁଏତ ନିୟମ ପାଳନ ଲୋକ–ବିଶେଷରେ କମ୍ ବେଶୀ ହୋଇପାରେ; କିନ୍ତୁ ଏ ନିୟମର ରୂପ କେବେ ହେଲେ ଅନ୍ୟଥା କରିହେବ ନାହିଁ । ନିଜର ଲକ୍ଷ୍ୟ ସାଧନର ନିକଟବର୍ତ୍ତୀ ହେବାପାଇଁ ହୁଏତ ମଣିଷକୁ ଯୁଗଯୁଗ ଲାଗିଯିବ, କିନ୍ତୁ ତା’ ବୋଲି ଆମେ ତ ବିଶ୍ୱାସ ହରାଇ ବସିବା ନାହିଁ । ଜବାହରଲାଲଙ୍କର ଭାଷାରେ, ପ୍ରତ୍ୟେକ ଲୋକ ତା’ର ପ୍ରକୃତ ଆଦର୍ଶ ଓ ନୀତି ସ୍ଥିର କରିନେବ ।

ଏଥର ଭଉଣୀଟିର ଅଭିଯୋଗର ଉତ୍ତର ଦିଏ । ‘ଆତ୍ମସଂଯମ’ ବାଦୀମାନେ କେବେ ହେଲେ ଅଳସୁଆ ହୋଇ ବସି ନାହାନ୍ତି । ତାଙ୍କର ପ୍ରଚାର ଠିକ୍ ଭାବରେ ଚାଲିଛି । ‘ଗର୍ଭନିରୋଧ’ର ପକ୍ଷପାତୀମାନଙ୍କଠାରୁ ସେମାନଙ୍କର ବାଟ ପୃଥକ, ତେଣୁ କାର୍ଯ୍ୟତଃ ପ୍ରଚାର ମଧ୍ୟ ପୃଥକ ହେବ । ଡାକ୍ତରଖାନା ଖୋଲି ଦେବା ତ ‘ଆତ୍ମସଂଯମ’ବାଦୀଙ୍କର କାମ ନୁହେଁ, ସେମାନେ ନିଜର ଆରୋଗ୍ୟ ବିଧାନର ବିଜ୍ଞାପନ କରିବେ କାହିଁକି ? ‘ଆତ୍ମସଂଯମ’କୁ କେବେ ହେଲେ ବିକ୍ରୀ ବା ଦାନ କରିହେବ ନାହିଁ । କିନ୍ତୁ ସେମାନେ ଗର୍ଭନିରୋଧ ବିରୁଦ୍ଧରେ ଲୋକଙ୍କୁ ବୁଝାଇବେ । ଏଥିରେ ନିହିତ ଥିବା ବିପଦ ପ୍ରତି ସମସ୍ତଙ୍କୁ ସତର୍କ କରିଦେବେ । ଏ’ ତ ସେମାନଙ୍କର ପ୍ରଚାରଭିତରର ଗୋଟିଏ ଗୋଟିଏ ଅଙ୍ଗ । ଏହାର ଗଠନମୂଳକ କାର୍ଯ୍ୟପନ୍ଥା ମଧ୍ୟ ରହିଚି । ଅବଶ୍ୟ ସେସବୁ କେବଳ ପ୍ରଚାର ଦ୍ୱାରା କରା ଯାଇପାରିବ ନାହିଁ । ‘ଆତ୍ମସଂଯମ’ ପ୍ରଚାର କେବେ ବନ୍ଦ ହୋଇନାହିଁ–କେବଳ ନିଜେ ଆଦର୍ଶ ଦେଖାଇ ଏହାର ଶ୍ରେଷ୍ଠ ପ୍ରଚାର କରାଯାଇପାରିବ । ଯେତେବେଳେ ଲୋକ ‘ଆତ୍ମସଂଯମ’ ପାଳନ କରିବାରେ ସଫଳ ହେବେ, ସେତେବେଳେ ଏଇ ପ୍ରଚାରର ବେଶୀ ପ୍ରଭାବ ପଡ଼ୁଥିବ ।

ହରିଜନ, ୩୦.୫.୩୬

Image

 

୨୪- ବିବାହିତ ଜୀବନରେ ବ୍ରହ୍ମଚର୍ଯ୍ୟ

 

ଜଣେ ବନ୍ଧୁ ଲେଖିଚନ୍ତି :–‘‘ରଜୋବନ୍ଧନ ଲାଗି ଯେ ଆତ୍ମସଂଯମ ଏକମାତ୍ର ଉପାୟ, ଏଥିରେ ମୁଁ ଆପଣଙ୍କ ସହିତ ଏକମତ । ଏକଥା ପ୍ରମାଣ କରିଦେବା ଦରକାର ନାହିଁ ଯେ, କେବଳ ସନ୍ତାନୋତ୍ପାଦନ ପାଇଁ ଯୌନସଙ୍ଗମ କରିବା ଉଚିତ ଏବଂ ଏଇ ଉଦ୍ଦେଶ୍ୟ ବ୍ୟତୀତ ଏହାକୁ କେବଳ ଅସ୍ୱାଭାବିକ ଇନ୍ଦ୍ରିୟତୁଷ୍ଟି ବୋଲି କୁହାଯିବ । କିନ୍ତୁ ଏଇ ବିଷୟରେ ବେଳେବେଳେ ବଡ଼ ଦ୍ୱିଧାରେ ପଡ଼ିବାକୁ ହୁଏ । ମନେ କରନ୍ତୁ ଥରେ ଦୁଇ ଥର ଯୌନସଙ୍ଗମ ପରେ ମଧ୍ୟ ଯଦି ଗର୍ଭସଞ୍ଚାର ନ ହୁଏ, ତେବେ କଣ କରାଯିବ ? ତାହାହେଲେ ସଙ୍ଗମର ସୀମା କିପରି ନିର୍ଣ୍ଣୟ କରାଯାଇ ପାରିବ ? ସନ୍ତାନ ଲାଭ କରିବାର ଆଶା କେବେହେଲେ ଛାଡ଼ି ଦେଇ ହୁଏ ନାହିଁ । ଏଣେ ଦେଖିଲେ, ବାରମ୍ବାର ଯୌନସଙ୍ଗମ ଦ୍ୱାରା ଶରୀରରୁ ଶକ୍ତି କ୍ଷୟ ହୋଇଯିବ । ଯଦି ଥରେ ଦୁଇଥର ସ୍ତ୍ରୀ ସଙ୍ଗମ ଦ୍ୱାରା ଗର୍ଭସଞ୍ଚାର ନ ହେଲା, ତେବେ ‘ଭାଗ୍ୟରେ ସନ୍ତାନ ନାହିଁ’ ବୋଲି ଧରିନେଇ ଅଧିକ ସଙ୍ଗମ ନକରିବାକୁ ଆପଣ ଉଚିତ ମନେ କରୁଚନ୍ତି କି ? କିନ୍ତୁ ସେପରି କରିବାକୁ ହେଲେ କଠୋର ଆତ୍ମସଂଯମ ଓ ଆଧ୍ୟାତ୍ମିକ ଶକ୍ତି ଆବଶ୍ୟକ । ଅନେକ ଲୋକଙ୍କର ଯୌବନାବସ୍ଥାରେ ସନ୍ତାନ ହୁଏ ନାହିଁ; ଅଥଚ ବୁଢ଼ା କାଳରେ ହୁଏ । ଏହାଦ୍ୱାରା ପୂର୍ଣ୍ଣ ଆତ୍ମସଂଯମ ଅବଲମ୍ୱନ କରିବା ଅଧିକ କଠିନ ହୋଇ ଯାଉଚି । ବିଶେଷ କରି ଯେଉଁଠି ସ୍ୱାମୀ ସ୍ତ୍ରୀ ସବଳ ଓ ରୋଗମୁକ୍ତ ହୋଇଥିବେ, ସେପରି ସ୍ଥଳରେ ଏଇ ଆତ୍ମସଂଯମ ବିଷୟ ନେଇ ସେମାନେ ବଡ଼ ଦ୍ୱିଧାରେ ପଡ଼ିଯିବେ ।’’

 

ମୁଁ ଅସୁବିଧାଟି ବୁଝିପାରୁଚି, କିନ୍ତୁ ସେଇ ସମସ୍ୟାଟିରେହିଁ ଅସୁବିଧାର ମୂଳମଞ୍ଜି ରହିଚି-। ଆଗକୁ ଯିବାକୁ ହେଲେ ନିଶ୍ଚୟ ଅନେକ ଅସୁବିଧା ଡେଇଁ ଯିବାକୁ ପଡ଼େ । ମଣିଷ ଯେତିକି ଯେତିକି ଏଇ ପ୍ରତିକୂଳ ଅବସ୍ଥାକୁ ଅତିକ୍ରମ କରିପାରିଚି ତା’ର ବିକାଶ ସେତିକି ସେତିକି ଅଗ୍ରଗତି କରିଚି । ଉଦାହରଣ ସ୍ୱରୂପ ହିମାଳୟ ପର୍ବତ ଉପରକୁ ମଣିଷ ଯେତେ ଯେତେ ଉଠି ଉଠି ଯାଇଚି, ଉପରକୁ ଉଠିବା ସେତିକି ଅଧିକ ଆୟାସସାଧ୍ୟ ହୋଇଚି; ଏପରିକି ମଣିଷ ଏପର୍ଯ୍ୟନ୍ତ ମଧ୍ୟ ତାର ଉଚ୍ଚତମ ଶୃଙ୍ଗ ଉପରକୁ ପହଞ୍ଚି ପାରିନାହିଁ । ଏଇ ଅଭିଯାନରେ ମଣିଷ ଅନେକ ତ୍ୟାଗ କରିଚି, ସବୁ ବର୍ଷ ନୂଆ ଚେଷ୍ଟା ହେଉଚି, ପ୍ରତ୍ୟେକ ଥର ମଣିଷ ବିଫଳ ହୋଇ ଫେରି ଆସୁଚି । କିନ୍ତୁ ତଥାପି ମଣିଷର ମନର ବଳ ଭାଙ୍ଗି ଯାଇନାହିଁ । ହିମାଳୟ ଉପରକୁ ଉଠିବାକୁ ତ ଏତେ ବିପଦ ପାର ହେବାକୁ ପଡ଼ୁଚି, ନିଜର ମନକୁ ଜୟ କରିବାପାଇଁ କେତେ ବାଧାବିଘ୍ନ ନ ଆସିବ ? ଯେଉଁ ଲୋକ ନିଜକୁ ଜୟ କରିପାରେ, ସେ ତା’ର ଯଥାର୍ଥ ପୁରସ୍କାର ପାଏ; କିନ୍ତୁ ସେଥିପାଇଁ ତାକୁ ସେଇପରି କଠିନ ପ୍ରତିବନ୍ଧକମାନ ଅତିକ୍ରମ କରିବାକୁ ପଡ଼େ । ହିମାଳୟ ଜୟ କଲେ ହୁଏତ ମଣିଷ ସାମୟିକ ବିଜୟ ଓ ଗୌରବ ଲାଭ କରିବ, କିନ୍ତୁ ନିଜକୁ ଜୟ କରିପାରିଲେ ମଣିଷ ଅଶେଷ ଓ ଉତ୍ତରୋତ୍ତର ଆନନ୍ଦର ଅଧିକାରୀ ହୋଇ ପାରିବ । ବ୍ରହ୍ମଚର୍ଯ୍ୟ-ବିଜ୍ଞାନର ନିୟମ ଅନୁସାରେ, ବ୍ରହ୍ମଚର୍ଯ୍ୟ ପାଳନ କରିଥିବା ପୁରୁଷର ଯୌନକ୍ରିୟାଦ୍ୱାରା ନିଶ୍ଚୟ ଗର୍ଭସଞ୍ଚାର ହେବ । ମଣିଷ ନିଜର ପଶୁପ୍ରବୃତ୍ତିକୁ ଆୟତ୍ତ କରି ପାରିଲେ ସେ କେବେ ଅନାୟତ୍ତ ଇନ୍ଦ୍ରିୟାସକ୍ତିର ଶିକାର ହୋଇପାରିବ ନାହିଁ ଏବଂ କେବଳ ଉପଭୋଗ ପାଇଁ ସେ କେବେ ହେଲେ ସ୍ତ୍ରୀ ସଙ୍ଗମ କରିବ ନାହିଁ । ତେଣୁ କେବଳ ସନ୍ତାନ ଲାଭ କରିବାର ଅଭିଳାଷ ରଖି ଯୌନକ୍ରିୟା କରାଯାଇ ପାରେ । ବିବାହିତ ଜୀବନର ବ୍ରହ୍ମଚର୍ଯ୍ୟ କହିଲେ କେବଳ ଏଇକଥା ବୁଝାଏ । ଏଇସବୁ ନିୟମ ମାନି ଚଳିଲେ ବିବାହପରେ ମଧ୍ୟ ଜଣେ ଲୋକ ପୂର୍ଣ୍ଣ ବ୍ରହ୍ମଚାରୀର ସମକକ୍ଷ ହୋଇପାରିବ । ଆତ୍ମ-ସ୍ଖଳନ ନୁହେଁ, କେବଳ ଜୀବସୃଷ୍ଟି ହେଉଚି ବ୍ରହ୍ମଚର୍ଯ୍ୟର ଉଦ୍ଦେଶ୍ୟ । ଅବଶ୍ୟ କାର୍ଯ୍ୟକ୍ଷେତ୍ରରେ ଖୁବ୍ କମ୍ ଲୋକ ଏ ଆଦର୍ଶ ଅନୁସାରେ ଜୀବନ ଯାପନ କରନ୍ତି । କିନ୍ତୁ ନିଜର ଆଦର୍ଶ ସ୍ଥିର କଲାବେଳେ, ଆମେ ଆମର ଦୋଷ ଦୁର୍ବଳତା ଓ ସ୍ଖଳନ ଦୃଷ୍ଟିରୁ ବିଚାର କରି ପାରିବା ନାହିଁ । ବର୍ତ୍ତମାନ ଅବଶ୍ୟ ଏଇ ନୀତିକୁ ଓଲଟେଇ ଦେବାକୁ ଅନେକ ବିଚାର କରୁଚନ୍ତି, ଏପରିକି ‘ଗର୍ଭନିରୋଧ’ର ପକ୍ଷପାତୀମାନେ ଇନ୍ଦ୍ରିୟ ସ୍ୱାଧୀନତାକୁ ଏକ ଆଦର୍ଶ ବୋଲି ଧରି ନେଇଚନ୍ତି । କିନ୍ତୁ ତାକୁ କେବେହେଲେ ଆଦର୍ଶ କୁହାଯାଇ ପାରିବ ନାହିଁ । ଆଦର୍ଶ ପାଳନର କୌଣସି ସୀମା ନ ରହିବା ଦରକାର । କିନ୍ତୁ ଆମେ ଯଦି ଇନ୍ଦ୍ରିୟକୁ ଅତ୍ୟଧିକ ପ୍ରଶୟ ଦେବା, ତେବେ ଶେଷରେ ଆମେ ନିଶ୍ଚୟ ନଷ୍ଟ ନାରଖାର ହୋଇଯିବା; ଏକଥା ସମସ୍ତେ ସ୍ୱୀକାର କରିବେ । ତେଣୁ କେବଳ ଆତ୍ମସଂଯମହିଁ ଆମ ଜୀବନର ଆଦର୍ଶ ହୋଇପାରିବ, ଆଦିକାଳରୁ ଏହାହିଁ ହୋଇ ଆସିଚି । ତେଣୁ ପୂର୍ଣ୍ଣ ଆତ୍ମସଂଯମ ଅଭ୍ୟାସ କରିବାର ବାଟ ଆମକୁ ବାହାର କରିବାକୁ ହେବ, ତାକୁ ଏଡ଼ିଦେଇ ଚାଲିଗଲେ ଚଳିବ ନାହିଁ ।

 

ମୋର ବିଶ୍ୱାସ ବ୍ରହ୍ମଚର୍ଯ୍ୟର ନିୟମଗୁଡ଼ିକ ଆମେ ଭଲକରି ଜାଣିନାହୁଁ ବୋଲି ଏହା ପାଳନ କରିବାରେ ଯେତେ ସବୁ ଅସୁବିଧା ଆସି ପହଞ୍ଚୁଚି । କିନ୍ତୁ ସେ ନିୟମମାନ ଭଲକରି ବୁଝି ପାରିଲେ ସବୁ ଅସୁବିଧା ଦୂର ହୋଇଯିବ । ଆଚ୍ଛା, ଉକ୍ତ ପତ୍ରଟିରେ ଯାହାସବୁ ଯୁକ୍ତି ଦିଆଯାଇଚି, ଆଦର୍ଶ ଦୃଷ୍ଟିରୁ ସେସବୁର ବିଚାର କରାଯାଉ । ଆମର କଳ୍ପିତ ଆଦର୍ଶ ସମାଜରେ ଉପର୍ଯ୍ୟୁକ୍ତ ଅସୁବିଧା ମୋଟେ ଆସିପାରିବ ନାହିଁ; କାରଣ ସ୍ୱାମୀ ସ୍ତ୍ରୀ ଯଦି ପିଲାଦିନରୁ ବ୍ରହ୍ମଚର୍ଯ୍ୟର ଅନୁଶାସନ ମାନି ଚଳିଥିବେ, ତେବେ ସେମାନଙ୍କର ଯୌନସଙ୍ଗମ କଦାପି ନିଷ୍ଫଳ ହୋଇଯିବ ନାହିଁ । ଅବଶ୍ୟ କାର୍ଯ୍ୟକ୍ଷେତ୍ରରେ କେତେକ ସ୍ଥାନରେ ବ୍ୟତିକ୍ରମ ଘଟିଥାଏ । ଏପରି ସ୍ଥଳରେ ଗର୍ଭସଂଚାର ହେବାପର୍ଯ୍ୟନ୍ତ କେବଳ ପ୍ରତ୍ୟେକ ମାସଶେଷରେ ଯୌନସଙ୍ଗମ କରାଯାଇ ପାରେ । ଗର୍ଭସଂଚାର ହୋଇଗଲେ ଆଉ ସଙ୍ଗମ କରିବା ଉଚିତ ନୁହେଁ; କାରଣ ଏଥିରେ ଇନ୍ଦ୍ରିୟ-ଉପଭୋଗର ସ୍ଥାନ ନାହିଁ-। ଅଭିଜ୍ଞତାରୁ ମୋର ବିଶ୍ୱାସ ହୋଇ ଯାଇଚି ଯେ, ଶାରୀରିକ ଓ ମାନସିକ ଶୁଦ୍ଧି ଉପରେ ଶରୀର ଓ ମନର ସ୍ୱାସ୍ଥ୍ୟ ନିର୍ଭର କରେ । ଯେପରି କେହି ଏ କଥାରେ ବିସ୍ମିତ ହୋଇ ନ ଯାନ୍ତି ! ଯେଉଁ ବ୍ରହ୍ମଚର୍ଯ୍ୟ ଦ୍ୱାରା ମଣିଷପରି ଏକ ଅଦ୍ଭୁତ ସୃଷ୍ଟି ସମ୍ଭବ ହୋଇ ପାରୁଚି, ତା’ର ସଂରକ୍ଷଣ କଲେ ନିଶ୍ଚୟ ଅପୂର୍ବ ଶକ୍ତି ଓ ଶାରୀରିକ ବଳ ସମ୍ଭବ ହୋଇପାରିବ । ନିଜ ଜୀବନରେ ବ୍ରହ୍ମଚର୍ଯ୍ୟ ପାଳନ କରି ସମସ୍ତେ ଏଇ ଶାସ୍ତ୍ରୋକ୍ତ ସତ୍ୟର ପରୀକ୍ଷା କରିପାରନ୍ତି । ପୁରୁଷ ପରି ସ୍ତ୍ରୀର ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଅଦ୍ଭୁତ ଶକ୍ତି-ଲାଭ ହୁଏ । ଅସଲ ଅସୁବିଧା ହେଉଚି ଯେ, ଆମର ମନ ଭିତରେ ଇନ୍ଦ୍ରିୟଲାଳସା ପୁରି ରହିଥାଏ । ଅଥଚ ବାହାରେ ଆମେ ଇନ୍ଦ୍ରିୟସଂଯମ ପାଳନ କରିବାର ବ୍ୟର୍ଥ ଚେଷ୍ଟା କରୁଥାଉଁ । ଫଳରେ ଆମର ଶରୀର, ମନ ନଷ୍ଟ ନାରଖାର ହୋଇଯାଏ । ଗୀତାର ଭାଷାରେ ଆମର ଜୀବନ କେବଳ ଜୀବନ୍ତ ମିଥ୍ୟା ଓ ମାୟାରେ ଆଚ୍ଛନ୍ନ ହୋଇ ରହେ ।

ହରିଜନ, ୨୦.୩.୩୭

Image

 

ଏକ ନୀତିଗତ ଦ୍ୱନ୍ଦ୍ୱ

 

ଜଣେ ବନ୍ଧୁ ଲେଖିଚନ୍ତି–‘‘ଅଢ଼େଇ ବର୍ଷ ତଳେ ଏ ସହରରେ ଏକ ଶୋଚନୀୟ ଘଟଣା ହୋଇ ଚାରିଆଡ଼େ ଚାଞ୍ଚଲ୍ୟ ପଡ଼ି ଯାଇଥିଲା । ଜଣେ ବୈଶ୍ୟ ଗୃହସ୍ଥଙ୍କର ଷୋଳବର୍ଷର ଝିଅଟିଏ ଥିଲା । ତାର ଜଣେ ମାମୁଁ ସେଇଠିକାର କଲେଜରେ ପଢ଼ୁଥାନ୍ତି, ବୟସ ୨୧ ବର୍ଷ । ଦୁହିଁଙ୍କ ଭିତରେ ଗୋପନ ପ୍ରଣୟ ହେବା ଫଳରେ ବାଳିକାର ଗର୍ଭସଞ୍ଚାର ହୋଇଗଲା । ଯେତେବେଳେ ସବୁକଥା ବାହାରକୁ ଜଣା ପଡ଼ିଲା, ସେ ଦୁହେଁଯାକ ବିଷ ଖାଇ ଆତ୍ମହତ୍ୟା କରିପକାଇଲେ । ବାଳିକାଟି ସଙ୍ଗେ ସଙ୍ଗେ ମରିଗଲା, ମାତ୍ର ବାଳକଟି ମଲା ପୂର୍ବରୁ ଦୁଇଦିନ ଡାକ୍ତରଖାନାରେ ପଡ଼ିଥିଲା । ଏହି ଘଟଣାରେ ଚାରିଆଡ଼େ ନାନା ତର୍କବିତର୍କ ଆରମ୍ଭ ହେଲା, ଶେଷରେ ଲୋକାପବାଦ ଏପରି ବଢ଼ିଗଲା ଯେ ବାଳିକାଟିର ବାପ ମା’ ଆଉ ସହର ଭିତରେ ରହିପାରିଲେ ନାହିଁ । ଅବଶ୍ୟ କିଛିଦିନ ପରେ ଲୋକେ ଚୁପ୍ ହୋଇଗଲେ, କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ସେକଥା କାହା ମନରୁ ଯାଇନାହିଁ । ସେଇପରି ଗୋଟାଏ କିଛି ଘଟଣା ଘଟିଲେ, ପୁଣି ପୂର୍ବ ଘଟଣାଟି ନେଇ ଆଲୋଚନା ଆରମ୍ଭ ହୋଇଯାଉଚି । ଯେତେବେଳେ ଘଟଣାଟି ଘଟିଥିଲା ଓ ବିଚରା ପ୍ରେମିକ ପ୍ରେମିକାଙ୍କ ପାଇଁ କାହା ଭିତରେ କଣାଏ ସୁଦ୍ଧା ଦୟା ଆସୁ ନ ଥିଲା, ମୁଁ କହିଲି ଯେ ଉପସ୍ଥିତ ପରିସ୍ଥିତିରେ ସେ ଦୁଇଜଣଙ୍କୁ ସ୍ୱାଧୀନଭାବରେ ବଞ୍ଚିବାର ସୁବିଧା ଦେବା ଉଚିତ ଥିଲା । ଏଥିରେ ସମସ୍ତେ ଚମକି ଉଠିଥିଲେ । କେହି ମୋ କଥା କାନ ଦେଲେ ନାହିଁ । ଏ ବିଷୟରେ ଆପଣଙ୍କର ମତ କଣ ?’’

 

ପତ୍ରଲେଖକଙ୍କର ଅନୁରୋଧରେ ମୁଁ ତାଙ୍କର ନାମ ଓ ଧାମ ଗୁପ୍ତ ରଖିଚି । କାରଣ ପୁଣି ପୁରୁଣା ଘା’କୁ କଣ୍ଟା ଦେଇ ଉଖାରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ତଥାପି ମୁଁ ଭାବୁଚି, ଏସବୁ ଗୁରୁତର ବିଷୟରେ ସାଧାରଣରେ ଅଧିକ ଚର୍ଚ୍ଚା ଓ ଆଲୋଚନା ହେବା ଉଚିତ । ମୋ’ମତରେ ଏପରି ବିବାହକୁ ଦଳେ ଲୋକ ଅନୁମୋଦନ କରୁଥିଲେହେଁ, ଏତେ ଶୀଘ୍ର ବା ଜଣକର ଇଚ୍ଛାରେ ସମାଜରେ ତା’ର ପ୍ରବେଶ କରାଇ ହେବନାହିଁ । କିନ୍ତୁ ସମାଜ ବା ପିତାମାତାଙ୍କର କୌଣସି ଅଧିକାର ନାହିଁ ଯେ, ଯଦି ଯୁବକ ଯୁବତୀ ଏପରି ବିବାହ କରିବାକୁ ରାଜି ହୁଅନ୍ତି, ତେବେ ସେମାନେ ଜବରଦସ୍ତି ସେମାନଙ୍କ ବାଟରେ କଣ୍ଟକ ହୋଇ ପାରିବେ । ପତ୍ରପ୍ରେରକ ଯେଉଁ ଯୁବକ ଯୁବତୀଙ୍କ କଥା ଉଲ୍ଲେଖ କରିଚନ୍ତି ସେମାନଙ୍କର ତ ବୁଝିବା ସୁଝିବା ଜ୍ଞାନ ହୋଇଥିଲା, ସେମାନେ ତ ନିଜ ବିଷୟ ଭଲକରି ଭାବି ପାରିଥାନ୍ତେ । ସେମାନେ ବିବାହ କରିବାକୁ ଠିକ୍ କରିଥିଲେ କେହି ତାଙ୍କୁ ଅଟକାଇ ପାରି ନ ଥାନ୍ତା । ସମାଜ ଖୁବ୍ ବେଶୀ ହେଲେ ସେ ବିବାହକୁ ସ୍ୱୀକାର କରି ନଥାନ୍ତା, କିନ୍ତୁ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟକରି ସମାଜ ନିଜର ଚରମ ନିଷ୍ଠୁରତା ଦେଖାଇଚି ।

 

ବିବାହର କୌଣସି ସାର୍ବଜନୀନ ନିୟମକାନୁନ ନାହିଁ, ସାମାଜିକ ପ୍ରଚଳନ ଉପରେ ଏହା ସାଧାରଣତଃ ନିର୍ଭର କରିଥାଏ । ଜାତି ଜାତି, ପ୍ରଦେଶ ଭିତରେ ପୃଥକ୍ ପୃଥକ୍ ବିବାହ ବିଧାନ ରହିଚି । ମାତ୍ର ଏହାର ଅର୍ଥନୁହେଁ ଯେ ଯୁବକ ଯୁବତୀ ବିଧିବଦ୍ଧ ସାମାଜିକ ପ୍ରଚଳନକୁ ମାଡ଼ି ଦଳି ଦେଇ ଚାଲିଯିବେ । ଏପରି କରିବା ଆଗରୁ ଲୋକମାନଙ୍କର ମନକୁ ସନ୍ତୁଷ୍ଟ କରିବାକୁ ପଡ଼ିବ । ସେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ହେବ ଏବଂ ସମାଜକୁ ସନ୍ତୁଷ୍ଟ କରି ନ ପାରିଲେ, ସାମାଜିକ ନିର୍ବାସନର ଯାବତୀୟ ପରିମାଣକୁ ଧୀରଭାବରେ ସହ୍ୟ କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଏଇଠି ଆଉ ଗୋଟିଏ କଥା ମଧ୍ୟ କହିରଖେ । ଯେଉଁମାନେ ହୁଏତ ସମାଜର ବିଧିବଦ୍ଧ ନୀତିପରମ୍ପରାକୁ ଲଙ୍ଘନ କରି ଯାଉଚନ୍ତି; ସେମାନଙ୍କୁ ଯେପରି ସମାଜ ନିର୍ଦ୍ଦୟ ଭାବରେ ସାବତମା’ ପରି ବ୍ୟବହାର ନ କରେ । ଉଲ୍ଲିଖିତ ଘଟଣାଟି ଯଦି ସତ ହୋଇଥାଏ, ତେବେ ମୁଁ ଆହୁରି ଥରେ କହୁଚି ଯେ, ଦୁଇଟି ଯୁବକ ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବାର ଅପରାଧ ସମାଜକୁ ଅବଶ୍ୟ ମୁଣ୍ଡାଇବାକୁ ପଡ଼ିବ ।

ହରିଜନ, ୨୯.୦୫.୩୭

Image

 

ବିବାହର ଆଦର୍ଶ

ଜଣେ ବନ୍ଧୁ ଲେଖିଚନ୍ତି :–‘ହରିଜନ ସେବକ’ କାଗଜରେ ଆପଣ ‘ନୀତିଗତ ଦ୍ୱନ୍ଦ୍ୱ’ ବୋଲି ଯେଉଁ ଲେଖାଟି ଲେଖିଚନ୍ତି, ସେଥିରେ ଗୋଟିଏ ଯାଗାରେ ଆପଣ ‘‘କହିଚନ୍ତି ସାମାଜିକ ରୀତିନୀତିରୁ ବିବାହ ବିଧାନ ତିଆରି ହୋଇଚି । ତା’ପଛରେ କୌଣସି ନୀତିଗତ, ମୌଳିକ ଓ ଧର୍ମମୂଳକ ନିୟମସୂତ୍ର ନାହିଁ ।’’ ମୁଁ ଭାବୁଚି ସନ୍ତାନ ଉତ୍ପାଦନ ପ୍ରତି ଦୃଷ୍ଟି ରଖି ଏଇସବୁ ବୈବାହିକ ନିୟମ ତିଆରି ହୋଇଚି । ସନ୍ତାନ ଉତ୍ପାଦନବିଜ୍ଞାନ ସ୍ୱୀକାର କରେ ଯେ ଅପରବଂଶ ବିବାହ କଲେ ସ୍ୱବଂଶ ବିବାହ ଅପେକ୍ଷା ଅଧିକ ବଳବାନ୍ ସନ୍ତାନ ଜାତ ହୁଏ । ସେଇଥିପାଇଁ ହିନ୍ଦୁଧର୍ମରେ ସଗୋତ୍ର ଓ ସପିଣ୍ଡ ବିବାହ ନିଷେଧ ରହିଚି । ଆଉ ମଧ୍ୟ, ସବୁ ଦୃଷ୍ଟିରୁ ପରୀକ୍ଷା କରି ଆମେ ଯଦି ସାମାଜିକ ପ୍ରଥାକୁ ବିବାହ ବିଧାନର ମୂଳ ବୋଲି ଧରିନେବା, ଦାଦିଝିଆରୀ, ଭାଇଭଉଣୀ ଭିତରେ କାହିଁକି ବିବାହକୁ ଏକାବେଳକେ ନିଷିଦ୍ଧ ରଖାଯାଇଚି, ତା’ର କୌଣସି କାରଣ ଠିକ୍ କରିପାରିବା ନାହିଁ-। ଆପଣ କହୁଚନ୍ତି ଯେ, କେବଳ ସନ୍ତାନ ଉତ୍ପାଦନର କ୍ଷମତା ପ୍ରତି ନଜର ରଖି ପାତ୍ରପାତ୍ରୀ ଠିକ୍ କରିବାକୁ ହେବ । କିନ୍ତୁ ଅନ୍ୟ ବିଷୟଗୁଡ଼ିକୁ କଣ ଆମେ ଉପେକ୍ଷା କରି ଦେବା ? ଉପେକ୍ଷା ନ କଲେ, ସେମାନଙ୍କର ଗୁରୁତ୍ୱକୁ କିପରି ଭାବରେ ବିଚାର କରାଯିବ ? ମୁଁ ନିମ୍ନଲିଖିତ ଭାବରେ ସେମାନଙ୍କର କ୍ରମ ଗୁରୁତ୍ୱ ଠିକ୍ କରିଚି :–

(୧)

ପାରସ୍ପରିକ ଆକର୍ଷଣ ବା ପ୍ରେମ

(୨)

ସନ୍ତାନ ଉତ୍ପାଦନର ଯୋଗ୍ୟତା

(୩)

ଦୁଇ ପରିବାରର ସମ୍ମତି, ସାମାଜିକ କଲ୍ୟାଣ

(୪)

ଆଧ୍ୟାତ୍ମିକ ବିକାଶ

 

ଏଥିରେ ଆପଣଙ୍କର ମତ କଣ ? ସନ୍ତାନୋତ୍ପାଦନ ବିବାହର ଏକମାତ୍ର ଉଦ୍ଦେଶ୍ୟ ବୋଲି ହିନ୍ଦୁଶାସ୍ତ୍ରରେ ଜୋର ଦିଆଯାଇଛି । ବୋହୂକୁ ଆଶୀର୍ବାଦ କଲାବେଳେ ଗୁରୁଜନମାନେ ସେଇ ପୁରାତନ ଉକ୍ତି ଉଚ୍ଚାରଣ କରିଥାନ୍ତି:- ‘‘ଭଗବାନ୍ ତୁମକୁ ଆଠଟି ସନ୍ତାନ ଦିଅନ୍ତୁ ।’’ ଏଇଥିରୁ ଜଣାପଡ଼ୁଚି, ଯେ ସନ୍ତାନୋତ୍ପାଦନକୁ ଯୌନସଂଗମର ଉଦ୍ଦେଶ୍ୟ ବୋଲି କହି ଆପଣ ଠିକ୍ କରିଛନ୍ତି-। କିନ୍ତୁ ଆପଣ କଣ ବିଶ୍ୱାସ କରୁଛନ୍ତି ଗୋଟିଏ ପୁଅ ବା ଝିଅ ହେବା ପରେ ବାପ ମା ସନ୍ତୁଷ୍ଟ ହୋଇଯିବେ ? ଆପଣ ଯଥାର୍ଥ କହିଛନ୍ତି ଯେ କୁଳରକ୍ଷା ପାଇଁ ସନ୍ତାନଟିଏ ପାଇବାକୁ ସମସ୍ତେ ଆଶା କରିଥାନ୍ତି, କିନ୍ତୁ କେବଳ ପୁତ୍ର ସନ୍ତାନଟିଏ ଲାଭକଲେ ଯାଇ ବାପମା’ଙ୍କର ମନ ସନ୍ତୁଷ୍ଟ ହୁଏ-। ସେଥିଲାଗି ଅନେକ କନ୍ୟା-ସନ୍ତାନ ଲାଭ କରି ମଧ୍ୟ ଖୁସି ହୋଇପାରନ୍ତି ନାହିଁ । ଏସବୁ ଦୃଷ୍ଟିରୁ ଆପଣ ଯେ କେବଳ ଗୋଟିଏ ସନ୍ତାନ ଉତ୍ପାଦନ କରିବା କଥା କହିଛନ୍ତି, ତାକୁ ଟିକିଏ ବଦଳାଇଦେଲେ ଭଲ ହେବ, ଯାହାଦ୍ୱାରା କି ଝିଅ ଯେତେ ହୁଅନ୍ତୁ ପଛକେ, ପୁଅଟିଏ ନ ହେବା ପର୍ଯ୍ୟନ୍ତ ପୁରୁଷ ସ୍ତ୍ରୀ ସଙ୍ଗମ କରି ପାରିବ ।

 

‘‘ସନ୍ତାନୋତ୍ପାଦନ କରିବାକୁ ଯେଉଁ ଯୁବକ ଯୌନସଙ୍ଗମର ଉଦ୍ଦେଶ୍ୟ ବୋଲି ଜ୍ଞାନ କରିବ, ସେ ପ୍ରକୃତ ବ୍ରହ୍ମଚାରୀ ସଙ୍ଗେ ସମାନ, ଏଥିରେ ମୁଁ ସମ୍ପୂର୍ଣ୍ଣ ଏକମତ । ଏକଥା ମଧ୍ୟ ସତ ଯେ, ଯେଉଁ ସ୍ୱାମୀ ସ୍ତ୍ରୀ ବିବାହ ପୂର୍ବରୁ ଓ ପରେ ଶୁଦ୍ଧ ଆତ୍ମସଂଯମ ପାଳନ କରି ଆସିଥିବେ, ସେମାନଙ୍କର ପ୍ରଥମ ଯୌନସଙ୍ଗମଦ୍ୱାରା ନିଶ୍ଚୟ ଗର୍ଭସଞ୍ଚାର ହେବ । ପ୍ରଥମ ଉକ୍ତିର ସପକ୍ଷରେ ଆମ ଶାସ୍ତ୍ର ଭିତରୁ ବିଶ୍ୱାମିତ୍ର ଓ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କର ଉଦାହରଣ ଦିଆଯାଇପାରେ । ଅରୁନ୍ଧତୀ ଶତପୁତ୍ର ପ୍ରସବ କରିଥିଲେ ମଧ୍ୟ ବିଶ୍ୱାମିତ୍ର ତାଙ୍କୁ ବ୍ରହ୍ମଚାରିଣୀ ବୋଲି ସମ୍ବୋଧନ କରିଥିଲେ । କାରଣ କେବଳ ଜନନୀ ହିସାବରେ ନିଜର କର୍ତ୍ତବ୍ୟ ସାଧନ କରିବାକୁ ସେ ସ୍ୱାମୀ ସହବାସ କରିଥିଲେ । କିନ୍ତୁ ମୋର ସନ୍ଦେହ ହେଉଚି, ଆପଣ ଯେ ପୁଅ ବା ଝିଅ, ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ରହିବା ଉପରେ ଜୋର ଦେଉଛନ୍ତି, ତାହାର ସମର୍ଥନ କଲାଭଳି ହିନ୍ଦୁ ଶାସ୍ତ୍ରରେ କିଛି ଅଛି କି ନାହିଁ ! ତେଣୁ ମୋର ଅନୁରୋଧ, ଆପଣ ତାକୁ ଟିକିଏ ବଦଳାଇ ଗୋଟିଏ ପୁତ୍ର ସନ୍ତାନ ବୋଲି କରି ଦିଅନ୍ତୁ; ତାହାଦ୍ୱାରା ଅନେକ ସ୍ୱାମୀ ସ୍ତ୍ରୀ ସନ୍ତୁଷ୍ଟ ହୋଇ ପାରିବେ । କିନ୍ତୁ ମୋର ଆଶଙ୍କା ହେଉଚି, ପୁଅ ବା ଝିଅ କେବଳ ଗୋଟିଏ ସନ୍ତାନ ଉତ୍ପାଦନ କରି ତା’ପରେ ଅବଶିଷ୍ଟ ଜୀବନ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବା, ମୋଟେ ବାହା ନ ହେବାଠାରୁ ଅଧିକ କଠିନ ଓ କଷ୍ଟସାଧ୍ୟ ହୋଇପଡ଼ିବ । ଯୌନବାସନା ହେଉଚି ମନୁଷ୍ୟର ଜନ୍ମଗତ ପ୍ରକୃତି; ମାତ୍ର ଆତ୍ମ ସଂଯମ କେବଳ ସାଧନାଦ୍ୱାରା ଆୟତ୍ତ କରିବାକୁ ହୁଏ । ଜୀବନବିକାଶର ସ୍ୱାଭାବିକ ନିୟମ ଧର୍ମ ଓ ଆଧ୍ୟାତ୍ମିକତା ଦିଗରେ ଅଗ୍ରଗତି କରିବାଲାଗି ଆତ୍ମସଂଯମ ଗୋଟିଏ ସିଡ଼ି ପରି । ସେଥିଲାଗି ଏହାକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଚି । ଯିଏ ସନ୍ତାନୋତ୍ପାନକୁ ଯୌନସଙ୍ଗମର ଉଦ୍ଦେଶ୍ୟ ବୋଲି ମାନେ, ତାକୁ ନିଶ୍ଚୟ ସମସ୍ତେ ଭକ୍ତି କରିବେ । ଅନ୍ୟ ଯେ କୌଣସି କାରଣରୁ ସହବାସ କରିବା ଯେ କେବଳ ଇନ୍ଦ୍ରିୟାସକ୍ତିର ପ୍ରଶ୍ରୟ ଦେବା, ମୁଁ ମଧ୍ୟ ଏ କଥା ସ୍ୱୀକାର କରୁଚି । କିନ୍ତୁ ଏହାକୁ ମୁଁ ଜଘନ୍ୟ ପାପ ବୋଲି ମନେ କରି ପାରୁ ନାହିଁ । ଯେଉଁ ସ୍ୱାମୀ ସ୍ତ୍ରୀ ଏଇ ନିୟମରେ ଚଳି ନ ପାରିବେ, ସେମାନଙ୍କୁ ପତିତ ଓ ଭ୍ରଷ୍ଟ ମନେ କରିବା, ଦୟା ବା ଅବଜ୍ଞା ଚକ୍ଷୁରେ ଦେଖିବା ଅନୁଚିତ ବୋଲି ମୁଁ ଭାବୁଚି ।’’

 

ପ୍ରକୃତ କେଉଁ କେଉଁ କାରଣରୁ ବିବାହପାଇଁ ବିଧି ବିଧାନ ଗଢ଼ା ହୋଇଚି, ସେ ବିଷୟରେ ମୁଁ ଏକାବେଳେକେ ଅଜ୍ଞ । କିନ୍ତୁ ମୁଁ ଭାବୁଚି ଜୀବନ ଧର୍ମ ଓ ଆତ୍ମସଂଯମ ପାଳନ କରିବାପାଇଁ ଆମକୁ ଯେଉଁସବୁ ସାମାଜିକ ପ୍ରଥା ପରମ୍ପରା ସାହାଯ୍ୟ କରି ପାରିଲା, ସେସବୁ ନୀତି ନିୟମର ଅନୁମୋଦନ ପାଇବା ଉଚିତ । ଯଦି କେବଳ ସନ୍ତାନୋତ୍ପାଦନର ବିଜ୍ଞାନ ଦୃଷ୍ଟିରୁ ଏକା ପେଟର ଭାଇ-ଭଉଣୀଙ୍କ ଭିତରେ ବିବାହ ସମ୍ପର୍କ ନିଷିଦ୍ଧ ରଖାଯାଇଛି, ତେବେ ଦୂର ସମ୍ପର୍କୀୟ ଭାଇଭଉଣୀଙ୍କ ପାଇଁ ଏ ନିୟମ ଲାଗୁ ନ ହେବ କାହିଁକି ? ତେଣୁ ଯେଉଁ ସମାଜରେ ଯେପରି ବିବାହବିଧାନ କରାଯାଇଚି, ସେ ସବୁକୁ ଆମର ସ୍ୱୀକାର କରିବା କର୍ତ୍ତବ୍ୟ । ଆଦର୍ଶ ବିବାହ ପାଇଁ ପତ୍ର ପ୍ରେରକ ଯେଉଁସବୁ ସର୍ତ୍ତ ଦେଇଛନ୍ତି, ମୁଁ ମଧ୍ୟ ସେଗୁଡ଼ିକୁ ଉଚିତ ସର୍ତ୍ତ ବୋଲି ମାନୁଚି । କିନ୍ତୁ ସେଥିରେ କ୍ରମ ବଦଳାଇ ମୁଁ ‘ପ୍ରେମ’କୁ ସବାଶେଷରେ ରଖିବାକୁ ଚାହେଁ । କାରଣ ‘ପ୍ରେମ’କୁ ପ୍ରଥମ ସ୍ଥାନ ଦେଲେ ଅନ୍ୟ ସର୍ତ୍ତଗୁଡ଼ିକର ଗୁରୁତ୍ୱ କମିଯିବାର ଆଶଙ୍କା ରହିଚି । ତେଣୁ ଆଧ୍ୟାତ୍ମିକ ବିକାଶକୁ ବିବାହର ପ୍ରଥମ ସୂତ୍ର କରି ରଖିବା ଉଚିତ । ତାପରେ ସେବା, ତା ପରେ ପାରିବାରିକ ପରିବେଷ୍ଟନୀ ଓ ସମାଜର କଲ୍ୟାଣ ପ୍ରତି ଦୃଷ୍ଟି; ଏବଂ ଶେଷରେ ‘ପାରସ୍ପରିକ ଆକର୍ଷଣ’ ବା ପ୍ରେମ-। ଏହାଦ୍ୱାରା ପ୍ରମାଣିତ ହେଉଚି ଯେ, ଅନ୍ୟସବୁ ସର୍ତ୍ତ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ କେବଳ ପ୍ରେମ ଜନ୍ମିଲେ ବିବାହ ସମ୍ପନ୍ନ ହୋଇଯିବା ଉଚିତ ନୁହେଁ । ସେଇପରି ଅନ୍ୟ ସର୍ତ୍ତଗୁଡ଼ିକ ପୂର୍ଣ୍ଣ ହୋଇଥିଲେ ମଧ୍ୟ ‘ପ୍ରେମ’ ନ ଥିଲେ କୌଣସିମତେ ବିବାହ ହୋଇପାରିବ ନାହିଁ । ସନ୍ତାନୋତ୍ପାଦନର ଯୋଗ୍ୟତାକୁ ମୁଁ କେବଳ ସର୍ତ୍ତ କରି ରଖିବାକୁ ଚାହେନା । କାରଣ ସନ୍ତାନ ଲାଭ ଯେତେବେଳେ ବିବାହର ମୂଳ ଉଦ୍ଦେଶ୍ୟ ହୋଇ ରହିଲା, ସେତେବେଳେ ଉକ୍ତ ଯୋଗ୍ୟତାକୁ କେବଳ ସର୍ତ୍ତ ବୋଲି କୁହାଯାଇ ପାରିବ ନାହିଁ, କାରଣ ବିବାହଲାଗି ତାହା ଏକାନ୍ତ ଅପରିହାର୍ଯ୍ୟ ।

 

ଅବଶ୍ୟ ପୁତ୍ରସନ୍ତାନ ସପକ୍ଷରେ ହିନ୍ଦୁ ଶାସ୍ତ୍ରରେ ବହୁତ କଥା ଅଛି । କିନ୍ତୁ ଏଇ ଶାସ୍ତ୍ର ରଚନା ସମୟରେ ସମାଜରେ କେବଳ ଯୁଦ୍ଧ ଚାଲିଥିଲା ଏବଂ ପୁରୁଷ ଦେହର ଶକ୍ତିକୁ ଜୀବନ ଧାରଣପାଇଁ ସମସ୍ତେ ଅତି ବଡ଼ ଆଖିରେ ଦେଖୁଥିଲେ । ତେଣୁ ଯାହାର ଯେତେ ପୁଅ ହେଉଥିଲା, ତାକୁ ସମସ୍ତେ ସେତେ ବେଶୀ ଶକ୍ତିଶାଳୀ ବୋଲି କହୁଥିଲେ । ଏପରିକି ବେଶୀ ପୁଅ ଜନ୍ମ କରିବାର ସୁବିଧାପାଇଁ ସମାଜରେ ବହୁ ବିବାହ ପ୍ରଥାର ମଧ୍ୟ ପ୍ରଚଳନ ଥିଲା । କିନ୍ତୁ କେବଳ ଗୋଟିଏ ସନ୍ତାନ ଉତ୍ପାଦନ କରିବା ହେଉଚି ପବିତ୍ର ବିବାହର କର୍ତ୍ତବ୍ୟ । ସେଥିଲାଗି ଆମ ଶାସ୍ତ୍ରମାନଙ୍କରେ ଜ୍ୟେଷ୍ଠ ସନ୍ତାନକୁ ‘ଧର୍ମଜ’ ଓ ପର ସନ୍ତାନମାନଙ୍କୁ ‘କର୍ମଜ’ ବୋଲି କୁହାଯାଇଚି । ପୁଅ ଝିଅ ଭିତରେ ମୁଁ କୌଣସି ବ୍ୟବଧାନ ରଖି ପାରୁନାହିଁ । ମୋ ମତରେ ଏପରି ଏକ ପାର୍ଥକ୍ୟ ରଖିବା ନିହାତି ଭୁଲ । ପୁଅ ବା ଝିଅ ଯାହାହେଉ ପଛକେ, ସ୍ୱାମୀ ସ୍ତ୍ରୀଙ୍କର ତାକୁ ପ୍ରସନ୍ନ ହୃଦୟରେ ଗ୍ରହଣ କରିବା ଉଚିତ ।

 

ସନ୍ତାନୋତ୍ପାଦନର ଅଭିଳାଷ ରଖି କରାଯାଉଥିବା ଯୌନସଙ୍ଗମ ଯେ ବ୍ରହ୍ମଚର୍ଯ୍ୟ ପରି ପବିତ୍ର, ବିଶ୍ୱାମିତ୍ର ଓ ବଶିଷ୍ଠଙ୍କର ଉପାଖ୍ୟାନରୁ ଏହାର ଯଥେଷ୍ଟ ପ୍ରମାଣ ମିଳୁଚି । କିନ୍ତୁ ସେ ଉପାଖ୍ୟାନଟିକୁ ଅକ୍ଷରେ ଅକ୍ଷରେ ମାନିନେବା ଅନୁଚିତ । ଇନ୍ଦ୍ରିୟ ସମ୍ଭୋଗର ଲିପ୍ସା ରଖି ଯୌନସଙ୍ଗମ କଲେ ମଣିଷ ପଶୁ ସମାନ ହୋଇଯାଏ, ତେଣୁ ମଣିଷ ହେବାକୁ ହେଲେ ଏହାକୁ ସର୍ବଥା ବର୍ଜନ କରିବାକୁ ହେବ । କିନ୍ତୁ ସ୍ୱାମୀ ସ୍ତ୍ରୀ ଏହାକୁ କଠୋରଭାବେ ପାଳନ କରି ନ ପାରିଲେ, ତାକୁ କଦାପି ପାପ ବା ଜଘନ୍ୟ ସ୍ୱଭାବ ବୋଲି କୁହାଯାଇ ପାରିବ ନାହିଁ । ଏ ସଂସାରରେ ଲକ୍ଷ ଲକ୍ଷ ଲୋକ ଜିଭକୁ ସୁଆଦ ଲାଗୁଚି ବୋଲି ଖାଉଚନ୍ତି, ସେଇପରି ଲକ୍ଷ ଲକ୍ଷ ସ୍ୱାମୀ ସ୍ତ୍ରୀ ଇନ୍ଦ୍ରିୟ ସମ୍ଭୋଗ ପାଇଁ ସହବାସ କରୁଚନ୍ତି ଓ କରୁଥିବେ ଏବଂ ଏଇ ବିଶୃଙ୍ଖଳାଜନିତ ସହସ୍ର ଯନ୍ତ୍ରଣା ଓ ନିର୍ଯ୍ୟାତନା ଭୋଗ କରୁଥିବେ । ଯେଉଁମାନେ ଜୀବନର ଉନ୍ନତ ଓ ଆଧ୍ୟାତ୍ମିକ ବିକାଶ ଚାହାନ୍ତି, ସେଇମାନେ କେବଳ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ଓ ବିବାହ ଜୀବନରେ ବ୍ରହ୍ମଚର୍ଯ୍ୟର ଆଦର୍ଶ ପାଳନ କରି ପାରିବେ । କାରଣ ବ୍ରହ୍ମଚର୍ଯ୍ୟ ଉନ୍ନତ ଜୀବନପାଇଁ ଏକାନ୍ତ ଆବଶ୍ୟକ ।

ହରିଜନ, ୦୫.୦୬.୩୭

Image

 

ଅଶ୍ଳୀଳ ବିଜ୍ଞାପନ

 

ଗୋଟାଏ ଆପତ୍ତିଜନକ ବହିର ବିଜ୍ଞାପନ ବିଷୟକ ପତ୍ରିକାର ଖଣ୍ଡେ କଟା କାଗଜ ପଠାଇ ଜଣେ ଭଉଣୀ ଲେଖିଚି: –

 

‘‘ପତ୍ରିକା ପଢ଼ୁପଢ଼ୁ ଏଇଟି ମୋ ଆଖିରେ ପଡ଼ିଗଲା । ଆପଣଙ୍କ ପାଖକୁ ଏ ପତ୍ରିକା ଯାଏ କି ନାହିଁ ମୁଁ ଜାଣେ ନା । ଯାଉଥିଲେ ମଧ୍ୟ ଏସବୁ ପତ୍ରିକା ଦେଖିବାକୁ ଆପଣଙ୍କର ଫୁର୍ସତ୍ ଥିବବୋଲି ମୁଁ ମନେକରୁ ନାହିଁ । ଆଗରୁ ଥରେ ମୁଁ ଏଇସବୁ ଅଶ୍ଳୀଳବିଜ୍ଞାପନ ବିଷୟରେ ଆପଣଙ୍କୁ କହିଥିଲି । ଆପଣ ସେଥିସମ୍ବନ୍ଧେ କିଛି ଲେଖନ୍ତୁ ବୋଲି ମୋର ଅନୁରୋଧ । ଅବଶ୍ୟ ଏପରି ବହିସବୁ ବଜାରରେ ଆଜିକାଲି ଭର୍ତ୍ତି ହୋଇଚି; କିନ୍ତୁ ତା’ବୋଲି ଏପରି ଏକ ଦାୟିତ୍ୱପୂର୍ଣ୍ଣ ପତ୍ରିକା ମଧ୍ୟ କଣ ତା’ର ବିଜ୍ଞାପନ ଛପାଇବ ? ଏ ସବୁଥିରେ ମୁଁ ଏତେଦୂର ଅପମାନ ବୋଧ କରିଚି ଯେ, ଆପଣଙ୍କ ଛଡ଼ା ଆଉ କାହାପାଖକୁ କିଛି ଲେଖିପାରୁନାହିଁ । ଭଗବାନ କୌଣସି ମହତ୍‌ ଉଦ୍ଦେଶ୍ୟରେ ସ୍ତ୍ରୀକୁ ଯାହା ଦେଇଛନ୍ତି, ତାକୁ ଏପରି ନିକୃଷ୍ଟ ବିଜ୍ଞାପନର ସାମଗ୍ରୀ କରିବାଠାରୁ ବଳି ଆଉ ଲଜ୍ଜାର କଥା କଣ ହୋଇପାରେ ? ମୁଁ ଆଶା କରୁଚି, ଭାରତର ପ୍ରଧାନ ପ୍ରଧାନ ପତ୍ରପତ୍ରିକାମାନଙ୍କର ଦାୟିତ୍ୱ ବିଷୟରେ ଆପଣ କିଛି ଲେଖିବେ । ଏଇଥର ଯେ ପ୍ରଥମ କରି ଏପରି ହେଲା ତା’ ନୁହେଁ, ଆଗରୁ ଅନେକ ଅସୁନ୍ଦର ବିଜ୍ଞାପନ ମଧ୍ୟ ମୁଁ ଦେଖିଚି ।’’

 

ବିଜ୍ଞାପନରେ ଯାହା ଅଛି, ସେସବୁ ମୁଁ ଏଠାରେ ଲେଖିବାକୁ ଚାହେଁନା । ପାଠକମାନେ କେବଳ ଏତିକି ଜାଣନ୍ତୁ ଯେ ବିହିଟିର ବିଷୟ ବସ୍ତୁ ବିଷୟରେ ପତ୍ରିକାଟିରେ ନାନା ଅଶ୍ଳୀଳ କଥା ଲେଖାଯାଇଚି । ବହିଟିର ନାଁ ହେଉଚି–‘Sexual beauty of the female form’ (ନାରୀର ଯୌନ ସୌନ୍ଦର୍ଯ୍ୟ) । ବିଜ୍ଞାପନରେ କୁହାଯାଇଚି ଯେ ଏଇ ବହିଟି କିଣିଲେ ଆଉ ଦୁଇଟିବହି, ‘New knowledge for the bride’ (ବଧୂର ଜ୍ଞାତବ୍ୟବିଷୟ) ଓ ‘The sexual embrace or how to please your partner’ (ପ୍ରଣୟ ଆଲିଙ୍ଗନ) ମାଗଣା ମିଳିବ ।

 

ମୋ ଦ୍ୱାରା ଯେ ଏପରି ବହିର ବିଜ୍ଞାପନ ବନ୍ଦ ହୋଇ ପାରିବ ବା ସମ୍ପାଦକ ଓ ମୁଦ୍ରାକରମାନେ ତାଙ୍କର ବ୍ୟବସାୟରୁ ଲାଭ ଉଠାଇବା ପ୍ରବୃତ୍ତି ଛାଡ଼ିଦେବେ, ଏକଥା ମୋତେ ସମ୍ଭବ ଲାଗୁନାହିଁ । ମୁଁ ବହିଛପାଳୀମାନଙ୍କୁ ଯେତେ ଆବେଦନ ନିବେଦନ କଲେ ମଧ୍ୟ କିଛି ଫଳ ହେବନାହିଁ । କିନ୍ତୁ ପତ୍ରପ୍ରେରିକା ଓ ଅନ୍ୟାନ୍ୟ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ସେମାନେ ବାହାରକୁ ଆସି ସେମାନଙ୍କର କର୍ତ୍ତବ୍ୟ କରନ୍ତୁ । ତିନି ତୁଣ୍ଡରେ ଛେଳି କୁକୁର ହୋଇଯାଏ । ନାରୀକୁ ‘ଦୁର୍ବଳ ଜନ’ ବୋଲି କହିବା ଘୋର ଅନ୍ୟାୟ । କେଉଁ ହିସାବରେ ଯେ ସେ ପୁରୁଷଠାରୁ ନୂନ୍ୟ, ମୁଁ–ଆଜିଯାଏ ଜାଣିପାରିନାହିଁ । ପୁରୁଷପରି ନାରୀଠାରେ ପଶୁପ୍ରବୃତ୍ତି ନାହିଁ, ଏହି ଯୁକ୍ତି ହୁଏତ ଉଠିପାରେ । କିନ୍ତୁ ମୁଁ କହିବି, ନାରୀର ସେ ହେଉଚି ଏକ ଗୁଣ ଓ ସେଇ ହିସାବରେ ସେ ପୁରୁଷଠାରୁ ଅଧିକ ମହତ୍‌ । ନାରୀ କାହାକୁ ଆଘାତ କରିପାରେ ନାହିଁ । କିନ୍ତୁ ପୁରୁଷଠାରୁ ବେଶୀ ସହ୍ୟ କରିପାରେ, ପ୍ରଥମଟି ତା’ର ଦୁର୍ବଳତା ହେଲେ ଦ୍ୱିତୀୟଟିକୁ ତା’ର ବଳ ବୋଲି ନିଶ୍ଚୟ କୁହାଯିବ । ମୁଁ ନାରୀକୁ ତ୍ୟାଗ ଓ ଅହିଂସାର ପ୍ରତୀକ ବୋଲି କହିଚି । ନିଜର ସତୀତ୍ୱ ଓ ସମ୍ମାନରକ୍ଷା ଲାଗି ପୁରୁଷ ଉପରେ ନିର୍ଭର କରି ଶିଖିବା ତା’ପକ୍ଷରେ ଅନ୍ୟାୟ । ମୁଁ କେବେହେଲେ ଏପରି ଗୋଟିଏ ଦୃଷ୍ଟାନ୍ତ ଜାଣିନାହିଁ ଯେଉଁଠି ପୁରୁଷ ନାରୀର ସତୀତ୍ୱ ରକ୍ଷା କରିଚି । ତାହା କେବେ ସମ୍ଭବ ହୋଇପାରିବ ନାହିଁ । ରାମ ପ୍ରକୃତରେ ଦେଖିବାକୁ ଗଲେ ସୀତାଙ୍କର ସତୀତ୍ୱ କେବେହେଲେ ରକ୍ଷା କରିନାହାନ୍ତି, ପଞ୍ଚପାଣ୍ଡବ ମଧ୍ୟ ଦ୍ରୌପଦୀଙ୍କର ସତୀତ୍ୱ କେବେ ରକ୍ଷାକରିନାହାନ୍ତି । ସେମାନେ କେବଳ ପବିତ୍ର ନାରୀତ୍ୱର ଶକ୍ତିବଳରେ ନିଜର ସତୀତ୍ୱ ରଖିପାରିଚନ୍ତି । ନିଜର ଇଚ୍ଛାବିରୁଦ୍ଧରେ କେବେ କାହାର ଆତ୍ମସମ୍ମାନ ଓ ମନୁଷ୍ୟତ୍ୱ ନଷ୍ଟ ହୋଇପାରିବ ନାହିଁ । ପାଶବିକ ପୁରୁଷ ଯେତେବେଳେ ସ୍ତ୍ରୀକୁ ଅଚେତା କରି ତାର ଉପରେ ବ୍ୟଭିଚାର କରେ, ସେତେବେଳେ କଦାପି ନାରୀର ସତୀତ୍ୱ ଓ ସମ୍ମାନ ନଷ୍ଟ ହୁଏନାହିଁ । ଠିକ୍‌ ସେଇପରି ସ୍ତ୍ରୀଯଦି ପୁରୁଷକୁ କୌଣସି ମାଦକଦ୍ରବ୍ୟ ଖୁଆଇ ତାକୁ ନିଜର ପୁତ୍ତଳି କରି ରଖେ, ତେବେ ତଦ୍ଦ୍ୱାରା ପୁରୁଷର କଦାପି ସମ୍ମାନହାନି ହୁଏ ନାହିଁ ।

 

ଏଇଠି ଲକ୍ଷ୍ୟ କରିବା ଯେ, ପୁରୁଷର ସୌନ୍ଦର୍ଯ୍ୟ ବିଷୟରେ କୌଣସି ବହି ଲେଖା ହୋଇନାହିଁ । କିନ୍ତୁ ପୁରୁଷ ଭିତରେ ପାଶବିକ ଆସକ୍ତିର ନିଆଁ ଜଳାଇ ଉଠାଇବାକୁ ବହିସବୁ ଲେଖାଯାଇଚି କାହିଁକି ? ପୁରୁଷ ଯେଉଁସବୁ ବିଶେଷଣ ନାରୀପାଇଁ ସୃଷ୍ଟି କରିଚି, ନାରୀ କଣ ସେଇସବୁ ବିଶେଷଣର ଯୋଗ୍ୟା ହେବାକୁ ଚେଷ୍ଟା କରୁଚି କି ? ପୁରୁଷ ତା’ର ଶାରୀରିକ ସୌନ୍ଦର୍ଯ୍ୟକୁ ନେଇ ପଶୁପରି ଖେଳୁଥାଉ, ନାରୀ କଣ ଏଇ କଥା ଇଚ୍ଛାକରେ ? ପୁରୁଷ ଆଗରେ ନିଜର ଶରୀରର ସୌନ୍ଦର୍ଯ୍ୟ ଦେଖାଇବାକୁ ତାକୁ କଣ ଭଲଲାଗେ ? କାହିଁକି ? ପ୍ରତ୍ୟେକ ଶିକ୍ଷିତା ଭଉଣୀ ନିଜ ମନକୁ ଏଇ ପ୍ରଶ୍ନ ପଚାରନ୍ତୁ । ଅଶ୍ଳୀଳ ବିଜ୍ଞାପନ ଓ ପୁସ୍ତକ ଦ୍ୱାରା ଯଦି ସେମାନଙ୍କର ଅପମାନ କରାଯାଉଚି, ତେବେ ସେମାନଙ୍କୁ ତା’ ବିରୁଦ୍ଧରେ ପ୍ରାଣ ଥିବା ପର୍ଯ୍ୟନ୍ତ ଲଢ଼ିବାକୁ ହେବ । କେବଳ ଏହାରି ଦ୍ୱାରା ସେସବୁ ବନ୍ଦ ହୋଇପାରିବ । ଖରାପ ହେଉ ବା ଭଲ ହେଉ, ନାରୀର ତାର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିନେବା ଉଚିତ । ଯେତେବେଳେ ସେ ଆଉ ନିଜକୁ ଅବଳା ବୋଲି ଭାବିବ ନାହିଁ ଏବଂ ପୁରୁଷର ଖେଳନା ହୋଇ ରହିବାକୁ ପସନ୍ଦ କରିପାରିବ ନାହିଁ, ସେତିକିବେଳେ କେବଳ ସେ ନିଜର ଓ ତା’ର ପିତା, ପତି ବା ପୁତ୍ରରୂପରେ ପୁରୁଷର ଜୀବନକୁ ଅଧିକ ମଧୁମୟ କରି ପାରିବ-। ଜାତି ଜାତି ଭିତରେ ଓ ମଣିଷର ନୈତିକ ଜୀବନରେ ଲାଗିରହିଥିବା ଉଦ୍‌ଭ୍ରାନ୍ତ ସମର ଶିଖାରୁ ସମାଜକୁ ବଞ୍ଚାଇବାକୁ ହେଲେ, ନାରୀକୁ ପୁରୁଷର ନକଲ କରି ନୁହେଁ, କେବଳ ନାରୀ ହିସାବରେ ନିଜର କର୍ତ୍ତବ୍ୟ ସାଧନ କରିବାକୁ ହେବ । ପୁରୁଷ ଯେଉଁ ନିରର୍ଥକ ହତ୍ୟାଲୀଳାରେ ମାତିଚି, ସେଇଥିରେ ତାଳ ମିଳାଇ ନାରୀ କେବେହେଲେ ସମାଜର ଉନ୍ନତି କରିପାରିବ ନାହିଁ । ଭ୍ରାନ୍ତ ପୁରୁଷକୁ ତାର ଧ୍ୱଂସଯାତ୍ରାରୁ ଫେରାଇ ଆଣିବା ହେଉଚି ନାରୀର ପ୍ରଧାନ କର୍ତ୍ତବ୍ୟ, କାରଣ ପୁରୁଷର ଧ୍ୱଂସ ସହିତ ନାରୀକୁ ମଧ୍ୟ କେହି ଧ୍ୱଂସମୁଖରୁ ଅଟକାଇ ପାରିବନାହିଁ । ଏ ବିଜ୍ଞାପନ ତ କେବଳ ମାତ୍ର କୁଟାଖିଏ ପରି, ପବନ କେଉଁଆଡ଼କୁ ବହୁଚି, ଏ କେବଳ ସେଇକଥା ଦେଖାଇ ଦେଉଚି । ଏହାଦ୍ୱାରା ନାରୀତ୍ୱ ନାମନେଇ ନିର୍ଲଜ୍ଜ ଭାବରେ ତାମସା କରାଯାଉଚି । ପୃଥିବୀର ଜଙ୍ଗଲୀ ଜାତିର ସ୍ତ୍ରୀମାନଙ୍କ ଶାରୀରିକ ସୌନ୍ଦର୍ଯ୍ୟକୁ ମଧ୍ୟ ଏହା ବାଦ୍‌ ଦେଇପାରିନାହିଁ ।

ହରିଜନ, ୧୪.୧୧.୩୬

Image

 

ଭ୍ରାନ୍ତ ନାରୀପୂଜା

 

ଅହମଦାବାଦରେ ଗୁଜରାଟୀ ସାହିତ୍ୟସଭା ହେଉଥାଏ । ସେଠାରେ ‘ଜ୍ୟୋତି ସଂଘ’ ନାମରେ ଗୋଟିଏ ନାରୀଅନୁଷ୍ଠାନ ତରଫରୁ ଗାନ୍ଧିଜୀଙ୍କୁ ଏକ ଅଭିନନ୍ଦନ ଦିଆଯାଇଥିଲା । ଆଜିକାଲି ସ୍ତ୍ରୀମାନଙ୍କର କଦର୍ଯ୍ୟ ରୂପାୟନ କରି ଯେଉଁସବୁ ସାହିତ୍ୟ ଲେଖାଯାଉଚି, ତାର ନିନ୍ଦାବାଦ କରି ତା’ସହିତ ଏକ ଚିଠି ମଧ୍ୟ ପଠାଯାଇଥିଲା । ଅଭିଯୋଗରେ ଗୁରୁତ୍ୱ ଠିକ୍‌ଭାବରେ ଉପଲବ୍ଧି କରି ଗାନ୍ଧିଜୀ କହିଲେ :–

 

ସେମାନଙ୍କର ଅଭିଯୋଗରେ ସାରାଂଶ ହେଉଚି ଯେ, ଆଜିକାଲି ଯୁଗର ଲେଖକମାନେ ନାରୀଚରିତ୍ରର ଭୁଲ୍‌ ଚିତ୍ରଣ କରୁଚନ୍ତି । ଯେପରି ନିକୃଷ୍ଟ ଭାବାତୁରତା ଦ୍ୱାରା ନାରୀର ବର୍ଣ୍ଣନା କରାଯାଉଚି, ସେମାନଙ୍କର ଶାରୀରିକ ଗଠନ ସମ୍ବନ୍ଧରେ ଯେଉଁସବୁ ଅସୁନ୍ଦର ଲେଖାମାନ ବାହାରୁଚି, ସେଇଥିରେ ସେମାନେ ଖୁବ୍‌ ଅଶୁଦ୍ଧ ହୋଇ ଉଠୁଚନ୍ତି । ନାରୀର ଅଙ୍ଗଗଠନ ଓ ପୁରୁଷର କାମାତୁର ଆଖିକୁ ଆନନ୍ଦ ଦେବାର କ୍ଷମତାରେ କଣ ସେମାନଙ୍କର ସମସ୍ତ ସୌନ୍ଦର୍ଯ୍ୟ ଓ ଶକ୍ତି ନିର୍ଭର କରୁଚି ? ଚିଠି ପଠାଇବାକୁ ଭଉଣୀମାନେ ଯଥାର୍ଥରେ ପଚାରିଚନ୍ତି–‘‘ସ୍ତ୍ରୀକୁ କାହିଁକି ସବୁବେଳେ ଅବଳା ଓ ପରାଧୀନ କରି ରଖାଯାଇଥିବ, ସେ କାହିଁକି ଘରର ସବୁ ଖଟଣୀ କରିବ, ସେ କାହିକିଁ ସ୍ୱାମୀକୁ ଦେବତାପରି ମାନି ଚଳୁଥିବ ? ନାରୀର ନିଜ ଗୁଣଦ୍ୱାରା ସେ କାହିଁକି ପରିଚିତ ନ ହେବ ? ଆମେ କେବେହେଲେ ସ୍ୱର୍ଗଲୋକର କନ୍ୟା ଖେଳକଣ୍ଢେଇ ବା କେତେକ ଭାବାତୁରତାର ବିଡ଼ାଟିଏ ହୋଇ ରହିପାରିବୁଁ ନାହିଁ, ପୁରୁଷଙ୍କ ପରି ଆମେ ମଧ୍ୟ ମଣିଷ ଜନ୍ମ ପାଇଚୁ, ଆମ ଭିତରେ ମଧ୍ୟ ମୁକ୍ତିର ପିପାସା ଜଳୁଚି ।’’ ମୁଁ ସେ ଭଉଣୀମାନଙ୍କୁ ଭଲକରି ଜାଣେ, ସେମାନଙ୍କର ମନକଥା ମଧ୍ୟ ମୁଁ ବୁଝିପାରିଚି । ଦିନ ଥିଲା, ଯେତେବେଳେ ଦକ୍ଷିଣଆଫ୍ରିକାରେ ବହୁସଂଖ୍ୟକ ସ୍ତ୍ରୀଲୋକଙ୍କ ସହିତ ମୁଁ ବାସକରିବାର ସୁଯୋଗ ପାଇଥିଲି । ସେମାନଙ୍କର ସ୍ୱାମୀମାନଙ୍କୁ ଜେଲକୁ ଧରି ନିଆ ହୋଇଥିଲା । ଆଶ୍ରମରେ ଷାଠିଏ ସରିକି ସ୍ତ୍ରୀଲୋକ ଥିଲେ ଏବଂ କିଏ ମୋତେ ଭାଇବୋଲି, କିଏ ବାପାବୋଲି ଡାକୁଥିଲେ । ମୋ ସାଙ୍ଗରେ ରହି ସେମାନଙ୍କର ଶକ୍ତି ଯଥେଷ୍ଟ ବଢ଼ିଥିଲା ଓ ଶେଷରେ ସେମାନେ ମଧ୍ୟ ନିଜ ଇଚ୍ଛାରେ ଜେଲ ବରଣ କରିଥିଲେ ।

 

ମୁଁ ଶୁଣିବାକୁ ପାଉଚି ଯେ, ଆମକୁ ସାହିତ୍ୟଭିତରେ ଗୋଟାଏ ପ୍ରକାରର ଭ୍ରାନ୍ତ ନାରୀପୂଜା ସ୍ଥାନ ପାଇଲାଣି । ଏହି ପୂଜା ଏକ ନିକୃଷ୍ଟ ପ୍ରକାରର ପୂଜା । ଗୋଟାଏ ଛୋଟକଥା କହି ରଖେ । ନାରୀସମ୍ବନ୍ଧରେ କିଛି ଲେଖିଲାବେଳେ ଆପଣମାନେ ସେମାନଙ୍କ ବିଷୟରେ କିପରି ଧାରଣା କରିଥାନ୍ତି ? ମୋର ଅନୁରୋଧ କଲମ କାଗଜ ଧରିବା ଆଗରୁ ନାରୀକୁ ନିଜର ମାଆ ବୋଲି ବିଚାର କରିବାକୁ ହେବ । ତାହାହେଲେ ମୁଁ ନିଶ୍ଚିତ କରି କହିପାରିବି ଯେ, ସ୍ୱର୍ଗର ବାରିଧାରା ପିପାସିତ ପୃଥିବୀକୁ ଶାନ୍ତ କଲାପରି ସେମାନଙ୍କର ଲେଖନୀରୁ ମଧ୍ୟ ବିଶୁଦ୍ଧ ସାହିତ୍ୟ ନିଃସୃତ ହୋଇପାରିବ । ମନେ ରଖନ୍ତୁ, ନାରୀକୁ ସ୍ତ୍ରୀଭାବେ ଚିହ୍ନିବା ଆଗରୁ ଜନନୀ ହିସାବରେ ସେ ଆପଣମାନଙ୍କୁ ବଢ଼ାଇ ଆସିଥିଲା । ନାରୀର ଅଧ୍ୟାତ୍ମିକ ପିପାସା ଶାନ୍ତ କରିବା ଦୂରେ ଥାଉ, ଆଧୁନିକ ସାହିତ୍ୟ କେବଳ ସେମାନଙ୍କର ଭାବାତୁରତାକୁ ଉତ୍ତ୍ୟକ୍ତ କରିପକାଉଚି, ଫଳରେ ଅନେକ ନାରୀ ନିର୍ବୋଧଭାବରେ ଉପନ୍ୟାସ-ବର୍ଣ୍ଣିତ ଯୋଗ୍ୟତାମାନ ହାସଲ କରିବାରେ ଜୀବନ ନଷ୍ଟ କରୁଚନ୍ତି । ମୋତେ ଆଶ୍ଚର୍ଯ୍ୟ ଲାଗୁଚି, ନାରୀର ଶରୀର ବର୍ଣ୍ଣନା ସାହିତ୍ୟର ମୁଖ୍ୟ ଉଦ୍ଦେଶ୍ୟ ହୋଇ ରହିବ କାହିଁକି ? ଉପନିଷଦ୍‌, କୋରାନ୍‌ ବା ବାଇବେଲରେ ଏପରି ବର୍ଣ୍ଣନା ଅଛି କି ? ଏବଂ ଆପଣମାନେ କଣ ଜାଣନ୍ତି ନାହିଁ ବାଇବେଲ ନ ଥିଲେ ଇଂରାଜୀ ଭାଷା କିପରି ଫମ୍ପା ହୋଇ ପଡ଼ିଥାନ୍ତା ? ଇଂରାଜୀ ଭାଷାରେ ତିନିଭାଗ ହେଉଚି ବାଇବେଲ୍‌ ଓ ଭାଗେ ହେଉଚି ସେକ୍ସପିଅର୍‌ଙ୍କର ସାହିତ୍ୟ । କୋରାନ୍‌ ନ ଥିଲେ ଆରବୀ ଭାଷାକୁ ସମସ୍ତେ ପାଶୋରି ସାରନ୍ତେଣି । ଆଉ ତୁଳସୀଦାସ ନ ଥିଲେ ହିନ୍ଦୀ ଭାଷାର ସ୍ଥାନ କେଉଁ ତଳେ ଥା’ନ୍ତା, ସେକଥା ଆପଣ ବିଚାର କରନ୍ତୁ । ଏସବୁ ସାହିତ୍ୟ ଗ୍ରନ୍ଥମାନଙ୍କରେ ନାରୀମାନଙ୍କ ବିଷୟରେ ଆଧୁନିକ ଯୁଗପରି କଦର୍ଯ୍ୟ ବର୍ଣ୍ଣନା ସବୁ ସ୍ଥାନ ପାଇପାରିଚି କି ?

ହରିଜନ, ୨୧.୧୧.୩୬

Image

 

ଆଧୁନିକ ଯୁଗର ବାଳିକା

 

ଏଗାର ଜଣ ବାଳିକାଙ୍କର ନାଁ ଓ ଠିକଣା ଥାଇ ଗୋଟିଏ ଚିଠି ମୋ’ ପାଖକୁ ଆସିଚି । ଅଧିକ ପଠନୀୟ କରିବାପାଇଁ ମୁଁ ମଝିରେ ମଝିରେ ଟିକିଏ ବଦଳାଇ ଦେଇ ନିମ୍ନରେ ଚିଠିଟି ଉଦ୍ଧାର କରୁଚି । ଅବଶ୍ୟ ଚିଠିର ଅର୍ଥ ଯାହା ଥିଲା, ଠିକ୍‌ ସେଇୟା ଅଛି ।

 

* ‘ଛାତ୍ରର ଲଜ୍ଜା’ ବୋଲି ୩୧.୧୨.୧୯୩୮ ରେ ହରିଜନରେ ବାହାରିଥିବା ଗୋଟିଏ ଲେଖା ଆପଣ ଲେଖିଛନ୍ତି । ଆଧୁନିକା ବାଳିକା ଉପରେ ଆପଣ ଏତେଦୂର ବିରକ୍ତି ହୋଇ ଯାଇଚନ୍ତି ଯେ, ତାକୁ ଅଧଡ଼ଜନ ଯୁବକଙ୍କର ଗୋପନ ପ୍ରଣୟିନୀ ବୋଲି କହିଚନ୍ତି । ଏପରି କହିବା ଦ୍ୱାରା ଆପଣଙ୍କ କଳ୍ପିତ ନାରୀ ଆଦର୍ଶର ଅପଚୟ ହେଉଚି ।

 

‘‘ଏ ଯୁଗରେ ସ୍ତ୍ରୀ ଘରକୋଣରୁ ପଦାକୁ ବାହାରି ମଣିଷର ସମକକ୍ଷ ହୋଇ ଜୀବନ ନିର୍ବାହର ଦାୟିତ୍ୱ ନେବାକୁ ଆରମ୍ଭ କଲାଣି, ତଥାପି ବଡ଼ ଆଶ୍ଚର୍ଯ୍ୟ କଥା, ଏ ପର୍ଯ୍ୟନ୍ତ ମଧ୍ୟ ପୁରୁଷ ତାକୁ ବେଜିତ୍ ଓ ଅନେକ ସମୟରେ ବ୍ୟଭିଚାର ମଧ୍ୟ କରୁଚି । ଅବଶ୍ୟ ଅନେକ ସ୍ଥାନରେ ନାରୀ ଓ ପୁରୁଷ ଉଭୟଙ୍କୁ ଏଥିପାଇଁ ଦାୟୀ କରାଯିବ । ଅଧଡ଼ଜନେ ପ୍ରେମିକ ଯୁବକଙ୍କର ଗୋପନ ପ୍ରଣୟିନୀ ସାଜୁଥିବା ବାଳିକା ହୁଏତ କେତେଜଣ ଥାଇପାରନ୍ତି । କିନ୍ତୁ ଏଥିରୁ କଣ ଧରିନେଇ ହେବ ନାହିଁ, ଗୋପନ ପ୍ରଣୟିନୀ ବାଳିକା ପରି ସମାଜରେ ନିଶ୍ଚୟ ଅଧଡ଼ଜନେ ଗୋପନପ୍ରଣୟୀ ଯୁବକ ମଧ୍ୟ ଅଛନ୍ତି, ଯେଉଁମାନେ କି ପ୍ରଣୟିନୀର ସନ୍ଧାନରେ ଗଳିକୁ ଗଳି ବୁଲୁଥାନ୍ତି ? ତଥାପି ସବୁ ଆଧୁନିକା ବାଳିକାଙ୍କୁ କେବେ ଗୋପନ ପ୍ରଣୟିନୀ ବା ସବୁ ଯୁବକଙ୍କୁ କଦାପି ଗୋପନପ୍ରଣୟୀ ବୋଲି କହି ହେବ ନାହିଁ । ଆପଣ ତ ଅନେକ ଆଧୁନିକା ବାଳିକାଙ୍କର ପରିଚୟରେ ଆସିଚନ୍ତି ଏବଂ ବୋଧହୁଏ ଅନେକଙ୍କର ସଂକଳ୍ପ, ତ୍ୟାଗ ଓ ଅନ୍ୟାନ୍ୟ ନାରୀସୁଲଭ ସଦ୍‍ଗୁଣ ଆପଣଙ୍କୁ ବିସ୍ମିତ କରିପାରିଚି ।

 

‘‘ସମସ୍ତ ପୃଥିବୀ ଆପଣଙ୍କୁ ଭକ୍ତି କରେ । ଆପଣ ଏପରି ଏକ ଅସୁନ୍ଦର ବିବୃତ୍ତି ଦେଇଦେବାଦ୍ୱାରା, ‘ନାରୀ ହେଉଚି ନରକର ଦୁଆର’ ଏଇ ଅଯଥା ଅପବାଦ ଦେବାପାଇଁ ସମସ୍ତଙ୍କୁ ଆହୁରି ସୁବିଧା ମିଳିଗଲା ।

 

‘‘ଏଇ ଅଭିଯୋଗରୁ ଯେପରି ଆପଣ କେବେ ହେଲେ ମନେ ନ କରନ୍ତି ଯେ, ଆଧୁନିକା ବାଳିକାମାନେ ଆପଣଙ୍କୁ ଭକ୍ତି କରନ୍ତି ନାହିଁ । ସବୁ ଯୁବକଙ୍କ ପରି ସେମାନଙ୍କର ମଧ୍ୟ ଆପଣଙ୍କ ପ୍ରତି ପ୍ରଗାଢ଼ ଭକ୍ତି ରହିଚି । କିନ୍ତୁ ସେମାନଙ୍କୁ କେହି ଘୃଣା କରୁ ବା ତାଚ୍ଛଲ୍ୟ କରି କହୁ, ଏକଥା ସେମାନେ ସହିପାରୁ ନାହାନ୍ତି । ତାଙ୍କର ଯାହା ଦୋଷ ଦୁର୍ବଳତା ଅଛି, ସେମାନେ ତାକୁ ଦୂର କରିଦେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏପରି ସାଧାରଣ ଭାବରେ ଅପବାଦଟୀକା ଳଗାଇଦେବା ପୂର୍ବରୁ ତା’ର ଉଚିତ ପ୍ରମାଣ ଦେବା ଉଚିତ । ଏସବୁ ଦୋଷପାଇଁ ‘ଦୁର୍ବଳ ନାରୀ’ ହିସାବରେ ସେମାନେ କାହାର କୃପାଭିକ୍ଷା କରୁନାହାନ୍ତି; ତା’ ସଙ୍ଗେ ସଙ୍ଗେ ସେମାନଙ୍କୁ ସମସ୍ତେ ଇଚ୍ଛାନୁରୂପ ଅପବାଦ ଦେଇ ଯାଉଥିବେ, ଏକଥା ମଧ୍ୟ ଚୁପ୍ କରି ସହିଯିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି । ଯେ କୌଣସି ଅବସ୍ଥା ପଡ଼ୁ ପଛକେ, ନିଶ୍ଚୟ ସତ୍ୟର ସମ୍ମୁଖୀନ ହେବାକୁ ପଡ଼ିବ । ଆପଣ ଯାହାକୁ ’ଗୋପନପ୍ରଣୟିନୀ’ କହିଚନ୍ତି, ସେଇ ଆଧୁନିକା ବାଳିକା ମଧ୍ୟ ସାହସର ସହିତ ସତ୍ୟର ସମ୍ମୁଖୀନ ହେବାକୁ ତିଆରି ଅଛି ।’’

 

ଚିଠିଟି ପଠାଇଥିବା ବାଳିକାମାନେ ବୋଧହୁଏ ଜାଣନ୍ତି ନାହିଁ ଯେ, ଚାଳିଶ ବର୍ଷ ତଳେ ଦକ୍ଷିଣ ଆଫ୍ରିକାରେ ମୁଁ ନାରୀମାନଙ୍କର ସେବା କରିବା ଆରମ୍ଭ କରିଥିଲି । ସେତେବେଳକୁ ବୋଧହୁଏ ଏମାନଙ୍କ ଭିତରୁ କେହି ଜନ୍ମ ହୋଇ ନ ଥିଲେ । ନାରୀଜାତିର ଅପମାନ କରି ମୁଁ କଦାପି କିଛି ଲେଖିପାରିବି ନାହିଁ । ନାରୀସମାଜ ପ୍ରତି ମୋର ପ୍ରଗାଢ଼ ଭକ୍ତି ରହିଚି । ସେ ହେଉଚି ପୁରୁଷର ‘ଶୁଭତର ଅଙ୍ଗ’ ଯାହାକୁ କି ଇଂରାଜୀରେ ‘Better Half’ ବୋଲି କୁହାଯାଇଚି । ବାଳିକାମାନଙ୍କ ଅପମାନ କରିବା ପାଇଁ ନୁହେଁ, ଛାତ୍ରମାନଙ୍କୁ ସେମାନଙ୍କର ଲଜ୍ଜା ଦେଖାଇ ଦେବାପାଇଁ ମୁଁ ଲେଖାଟି ଲେଖିଥିଲି । ରୋଗର ପୂର୍ଣ୍ଣ ଲକ୍ଷଣ ବର୍ଣ୍ଣନା କରିବା ମୋର କର୍ତ୍ତବ୍ୟ ଥିଲା, ରୋଗପାଇଁ ଠିକ୍ ଔଷଧ ବ୍ୟବସ୍ଥା କରିବା ଇଚ୍ଛାରେ ରୋଗର ସମସ୍ତ ଲକ୍ଷଣ ଓ ମୂଳବୀଜ ବର୍ଣ୍ଣନା କରିବାକୁ ମୁଁ ବାଧ୍ୟ ହୋଇଥିଲି ।

 

ଆଧୁନିକା ବାଳିକା କହିଲେ ଗୋଟାଏ ଅଲଗା ମାନେ ବୁଝାଏ । ତେଣୁ କେବଳ କେତେକ ବାଳିକାଙ୍କ ଭିତରେ ମୋର ମତାମତ ସୀମାବଦ୍ଧ କରି ରଖିଥିବାର ପ୍ରଶ୍ନ ଉଠୁଚି କେଉଁଠି-? କିନ୍ତୁ ଇଂରାଜୀ ଶିକ୍ଷା ପାଉଥିବା ସବୁ ବାଳିକାଙ୍କୁ ଆଧୁନିକା କୁହାଯାଇପାରିବ ନାହିଁ । ମୁଁ ଅନେକଙ୍କୁ ଜାଣେ, ଯେଉଁମାନଙ୍କୁ କି ଏ ‘ଆଧୁନିକା’ ରୋଗ ସ୍ପର୍ଶକରି ପାରିନାହିଁ । କିନ୍ତୁ ଆଧୁନିକା ବାଳିକା ଯେ ସମାଜରେ ଅଛନ୍ତି, ଏକଥା ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ । ଏଇ ‘ଆଧୁନିକା’ର ନକଲ ନ କରିବାକୁ ଓ ନାରୀର ମହତ୍ତ୍ୱ ନଷ୍ଟ କରୁଥିବା ସମସ୍ୟାଟିକୁ ଆହୁରି ଜଟିଳ କରି ନ ଦେବାପାଇଁ ମୁଁ ମୋର ଲେଖାଦ୍ୱାରା ଭାରତର ବାଳିକାମାନଙ୍କୁ ସତର୍କ କରି ଦେଇଥିଲି । କାରଣ ସେ ଚିଠିଟି ପାଇଲା ଦିନ ଜଣେ ଆନ୍ଧ୍ରବାଳିକାଠାରୁ ମଧ୍ୟ ଆଉ ଖଣ୍ଡିଏ ଚିଠି ପାଇଥିଲି । ସେଥିରେ ଆନ୍ଧ୍ର ଛାତ୍ରମାନଙ୍କର ଆଚରଣ ବର୍ଣ୍ଣନା କରାଯାଇଥିଲା । ଲାହୋର ଛାତ୍ରର ବର୍ଣ୍ଣନାଠାରୁ ତାହା ଆହୁରି ବେଶୀ ବୀଭତ୍ସ । ଆନ୍ଧ୍ରବାଳିକାଟି ଲେଖିଚି ଯେ, ସେଠାକାର ବାଳିକାମାନେ ଯେଉଁ ସାଧାରଣ ପୋଷାକ ପିନ୍ଧନ୍ତି, ସେଥିରେ ସେମାନଙ୍କର ଲାଜ ଲୁଚି ପାରେ ନାହିଁ । ଛାତ୍ରମାନେ ସ୍କୁଲରେ ସେମାନଙ୍କ ପ୍ରତି ଅତି ଖରାପ ଆଚରଣ କରୁଛନ୍ତି । କିନ୍ତୁ ସ୍କୁଲର କଳଙ୍କପରି ଏଇ ଛାତ୍ରଙ୍କର ବର୍ବରତାକୁ ପଦାରେ ପକାଇଦେବାକୁ ବାଳିକାମାନଙ୍କର ଯଥେଷ୍ଟ ସାହସ ନାହିଁ । ଏଇ ପ୍ରସଙ୍ଗରେ ମୁଁ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷମାନଙ୍କର ଦୃଷ୍ଟି ଏଥିପ୍ରତି ଆକର୍ଷଣ କରୁଚି ।

 

ଛାତ୍ରମାନଙ୍କର ବୀଭତ୍ସ ବ୍ୟବହାରର ଦୃଢ଼ ପ୍ରତିରୋଧ କରିବାପାଇଁ ମୁଁ ଏଇ ଏଗାରଜଣ ବାଳିକାଙ୍କୁ ଆହ୍ୱାନ କରୁଚି । ଯେଉଁମାନେ ପରସ୍ପରକୁ ସାହାଯ୍ୟ କରନ୍ତି, ଭଗବାନ ନିଶ୍ଚୟ ସେମାନଙ୍କର ମଙ୍ଗଳ କରିବେ । ବଦମାସ୍ ପୁରୁଷର ଗୁଣ୍ଡାମି ଆଗରେ ଆତ୍ମରକ୍ଷା କରି ଶିଖିବା ବାଳିକାମାନଙ୍କର ପ୍ରଧାନ ଲକ୍ଷ୍ୟ ହୋଇ ରହିବା ଉଚିତ ।

ହରିଜନ, ୪.୨.୩୯

Image

 

ଜଣେ ଭଉଣୀର ପ୍ରଶ୍ନ ପୁଟୁଳୀ

 

ପ୍ରଶ୍ନ–ନାରୀର ଇଜ୍ଜତ୍ କିପରି ରକ୍ଷାକରାଯାଇ ପାରିବ ?

 

ଉତ୍ତର–ଦୁଇଟି ଦିଗରୁ ପ୍ରଶ୍ନଟି ବିଚାର କରାଯାଇ ପାରେ । ୧- ନାରୀ ନିଜେ କିପରି ତାର ଇଜ୍ଜତ୍ ରକ୍ଷା କରି ପାରିବ ? ୨- ନାରୀର ପୁରୁଷ ଆତ୍ମୀୟଜନମାନେ ମଧ୍ୟ କିପରି ତା’ର ଇଜ୍ଜତ୍‌ ରକ୍ଷା କରି ପାରିବେ ।

 

ପ୍ରଥମେ ପ୍ରଥମ ପ୍ରଶ୍ନଟିର ବିଚାର କରାଯାଉ । ଅହିଂସାତ୍ମକ ସମାଜରେ, ଯେତେବେଳେ କି ଅହିଂସା ବିଷୟରେ ସମସ୍ତଙ୍କୁ ନିୟମିତ ଶିକ୍ଷା ଦିଆଯାଉଥିବ, ସେତେବେଳେ ନାରୀ କଦାପି ନିଜକୁ ପରାଶ୍ରୟା ଅବଳା ବା ଅସହାୟା ବୋଲି ମନେ କରି ପାରିବ ନାହିଁ । ତା’ର ଅନ୍ତର ପବିତ୍ର ଥିଲେ ସେ ନିଜର ଶକ୍ତିକୁ ଅବଶ୍ୟ ଚିହ୍ନିପାରିବ । ମୁଁ ଅନେକଥର କହିଆସିଚି ଯେ ନାରୀର ଇଚ୍ଛା ବିରୁଦ୍ଧରେ ତା’ଉପରେ କେହି ଅତ୍ୟାଚାର କରିପାରିବ ନାହିଁ । କେବଳ ଯେତିକିବେଳେ ତା’ମନରେ ଭୟ ପଶିବ ବା ସେ ନିଜର ନୈତିକଶକ୍ତିକୁ ଚିହ୍ନିପାରିବ ନାହିଁ ସେତିକିବେଳେ ସେ ଅତ୍ୟାଚାରର ଶିକାର ହୋଇଯିବ । ଅବଶ୍ୟ ଆକ୍ରମଣକାରୀ ପୁରୁଷକୁ ସେ ଶରୀର ବଳରେ ହଟାଇପାରିବ ନାହିଁ, କିନ୍ତୁ ତା’ର ପବିତ୍ରତା, ପୁରୁଷ କୌଣସି ପ୍ରକାରର ଅତ୍ୟାଚାର କଲା ପୂର୍ବରୁ ମରିବାପାଇଁ ତା’ର ଅନ୍ତରରେ ବଳ ଭରିଦେବ । ସୀତାଙ୍କ କଥା ବିଚାର କରାଯାଉ । ରାବଣ ଆଗରେ ତାଙ୍କର ବା କେତେ ଶାରୀରିକ ବଳ ଥିଲା ? କିନ୍ତୁ ତାଙ୍କର ପବିତ୍ର ସତୀତ୍ୱ ରାବଣର ଅସୁର ବଳକୁ ମଧ୍ୟ କାବୁ କରିଦେଇଥିଲା । ସୀତାଙ୍କୁ ରାଣୀକରି ରଖିବାପାଇଁ ରାବଣ କେତେ ପ୍ରଲୋଭନ ନ ଦେଖାଇଲା, କିନ୍ତୁ ସମ୍ମତି ନ ନେଇ ତାଙ୍କର ଅଙ୍ଗସ୍ପର୍ଶ କରିବାକୁ ମଧ୍ୟ ସାହସ କରିପାରିଲା ନାହିଁ । ମାତ୍ର ନାରୀ ଯଦି ଶରୀରବଳ ବା କୌଣସି ଅସ୍ତ୍ର ଉପରେ ନିର୍ଭର କରି ପଡ଼ି ରହିବ, ତେବେ ଦିନେ ନା ଦିନେ ଅଧିକ ଶାରୀରିକ ବଳ ସମ୍ମୁଖରେ ତାକୁ ନତ ହେବାକୁ ପଡ଼ିବ ।

 

ଦ୍ୱିତୀୟ ପ୍ରଶ୍ନଟିର ଉତ୍ତର ବଡ଼ ସହଜ । ନାରୀ ଉପରେ କେହି ଅତ୍ୟାଚାର କରିବାକୁ ଆସିଲେ ତା’ର ଭାଇ, ବାପ ବା ବଂଧୁ ମଝିରେ ଠିଆ ହୋଇ ତାକୁ ରକ୍ଷା କରିପାରିବେ । ତା’ପରେ ହୁଏତ ସେଇ ଦୁଷ୍ପ୍ରବୃତ୍ତି ତ୍ୟାଗ କରିବାପାଇଁ ଆକ୍ରମଣକାରୀର ମନପରିବର୍ତ୍ତନ କରିବାକୁ ହେବ । ନହେଲେ ତା’ର ପ୍ରତିରୋଧ କରି ପ୍ରାଣ ଦେବାକୁ ହେବ । ଏପରି ମରିବା ଦ୍ୱାରା ସେ ନିଜର କର୍ତ୍ତବ୍ୟ କରିଯିବା ସଙ୍ଗେ ସଙ୍ଗେ ଅସହାୟା ନାରୀର ହୃଦୟରେ ନୂତନ ଶକ୍ତି ସଞ୍ଚାର କରିଯିବ, ଯାହାଦ୍ୱାରା କି ଯେ ନିଜକୁ ରକ୍ଷା କରିପାରିବ ।

 

ପ୍ରଶ୍ନ–ପୁଣି ସେଇଠି ଟିକିଏ ଅଡ଼ୁଆ ରହିଯାଉଚି । ନାରୀ କିପରି ନିଜର ପ୍ରାଣବଳି ଦେଇ ପାରିବ ? ତାପକ୍ଷରେ ଜୀବନ ଦେବା ସମ୍ଭବ ହୋଇପାରେ କି ?

 

ଉତ୍ତର–ଆରେ, ପ୍ରାଣବଳି ଦେବାପାଇଁ ପୁରୁଷ ଅପେକ୍ଷା ନାରୀପାଇଁ ବେଶୀ କ୍ଷେତ୍ର ରହିଚି । ମୁଁ ଜାଣେ ଯେ ଛୋଟ ଛୋଟ କଥାରେ ମଧ୍ୟ ନାରୀମାନେ ଜୀବନ ବିସର୍ଜନ କରିପାରିବେ-। କେତେଦିନ ତଳେ ଗୋଟିଏ କୋଡ଼ିଏ ବର୍ଷର ବାଳିକା ସ୍କୁଲକୁ ପାଠ ପଢ଼ିଯିବାର ସୁବିଧା ପାଇଲା ନାହିଁ ବୋଲି ଦେହରେ ନିଆଁ ଲଗାଇ ପୋଡ଼ି ମରିଗଲା । କେତେ ଧୈର୍ଯ୍ୟ ଓ ସଂକଳ୍ପ ରଖି ସେ ମରି ନଥିବ ? ସାଧାରଣ ବତୀଟିଏ ନେଇ ନିଜ ଶାଢ଼ୀରେ ନିଆଁ ଲଗାଇଲା, କାଳେ ସବୁ ଶେଷ ହେବା ପୂର୍ବରୁ ପାଖଘରର ଲୋକେ ଜାଣିପାରିବେ, ସେଥିଲାଗି ପାଟିତୁଣ୍ଡ ମଧ୍ୟ କଲା ନାହିଁ । ମୁଁ ଅବଶ୍ୟ ଏ ଉଦାହରଣଟି ଦେଇ ବାଳିକାଟିର ପ୍ରଶଂସା କରୁନାହିଁ, ମୁଁ କେବଳ ଦେଖାଇଦେବାକୁ ଚାହେଁ, ସ୍ତ୍ରୀ କେତେ ସହଜରେ ନିଜର ପ୍ରାଣ ବିସର୍ଜନ କରିପାରେ । ମୁଁ ଯେ କେତେ ଏଇଭଳି କାମ କରିପାରିବି ମୋ ଭିତରେ ଏପରି ସାହସ ନାହିଁ । କିନ୍ତୁ ମୁଁ ଏ କଥାରେ ଏକମତ ଯେ ଏସବୁ କାମ କରିବାପାଇଁ ବାହାରର ନୁହେଁ, ଭିତରର ଆଲୋକ ଏକାନ୍ତ ଆବଶ୍ୟକ ।

 

ପ୍ରଶ୍ନ–ଅନେକ ମା’ ପିଲାଙ୍କ ଉପରେ ଖୁବ୍‌ ରାଗନ୍ତି ଓ ବେଳେବେଳେ ମାଡ଼ ଦିଅନ୍ତି, ସେସବୁ କିପରି ବନ୍ଦ ହୋଇପାରିବ ?

 

ଉତ୍ତର–‘‘ସଂସ୍କୃତରେ ଏକ ଶ୍ଳୋକ ଅଛି–ଲାଳୟେତ୍‌ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍‌, ପ୍ରାପ୍ତେତୁ ଷୋଡ଼ଶେ ବର୍ଷେ ପୁତ୍ରଂ ମିତ୍ରବଦାଚରେତ୍‌ ?’’ ଏଥିରେ ମୁଣ୍ଡ ଘୂରାଇବା ଦରକାର ନାହିଁ । ଅବଶ୍ୟ ସମୟ ସମୟରେ ପିଲାଙ୍କ ଉପରେ ରାଗିବାକୁ ପଡ଼େ, କିନ୍ତୁ ମୋ ମତରେ ସେ ହେଉଚି ଅହିଂସା ରାଗ । ମୁଁ କେବଳ ଶିକ୍ଷିତା ମା’ମାନଙ୍କ କଥା କହୁଚି । ଯେଉଁ ମା’ମାନଙ୍କର କୌଣସି ଶିକ୍ଷାଦୀକ୍ଷା ନଥାଏ, ସେମାନଙ୍କୁ ମୋଟେ ମା’ କହିବା ଉଚିତ ନୁହେଁ ।

ହରିଜନ, ୦୧.୦୯.୪୦

Image

 

ସେ ଅଭ୍ୟାସଟି ଛାଡ଼ିବାକୁ ପଡ଼ିଲା

 

୧୮୯୧ରେ ବିଲାତରୁ ଫେରି ମୁଁ ଆମ ଘରର ପିଲାମାନଙ୍କର ତତ୍ତ୍ୱାବଧାନ କରୁଥିଲି । ପୁଅ ଝିଅ ସମସ୍ତଙ୍କ କାନ୍ଧରେ ହାତ ପକାଇ ଅନେକ ସମୟରେ ସେମାନଙ୍କୁ ନେଇ ବୁଲି ବାହାରିପଡ଼ୁଥିଲି । ଏମାନେ ସମସ୍ତେ ଭାଇଙ୍କର ପୁଅଝିଅ । ସେମାନେ ବଡ଼ ହେବା ପର୍ଯ୍ୟନ୍ତ ମଧ୍ୟ ମୁଁ–ଏଇ ଅଭ୍ୟାସ ଛାଡ଼ିପାରି ନଥିଲି । ପରିବାର ବଢ଼ିବା ସଙ୍ଗେ ସଙ୍ଗେ ଏଇ ଆଚାର ମଧ୍ୟ ବଢ଼ିବାକୁ ଲାଗିଲା ଏବଂ ତା’ଉପରେ ସମସ୍ତଙ୍କର ଆଖି ପଡ଼ିଲା । ତାହାଦ୍ୱାରା ମୁଁ କିଛି ଭୁଲ୍‌ କରୁଚି ବୋଲି ସେତେବେଳେ ଜାଣି ପାରି ନଥିଲି । ଅଳ୍ପକେତେ ବର୍ଷ ତଳେ ସାବରମତୀ ଆଶ୍ରମରେ ଜଣେ ବନ୍ଧୁ ମୋତେ ଆସି କହିଲେ ଯେ, ବଡ଼ବଡ଼ ବାଳକ ବାଳିକାମାନଙ୍କ କାନ୍ଧରେ ହାତ କପାଇ ଯିବାଟା ସାଧାରଣ ଚକ୍ଷୁରେ ସୁନ୍ଦର ଦେଖାଯାଉ ନଥିଲା । କିନ୍ତୁ ଆଶ୍ରମବାସୀମାନଙ୍କୁ ସବୁକଥା ବୁଝାଇ ଦେବାପରେ ସେ ଅଭ୍ୟାସଟି ପୁଣି ପୂର୍ବପରି ଚାଲିଲା । ଅଳ୍ପଦିନ ତଳେ ଓ୍ୱାର୍ଦ୍ଧାକୁ ଆସିଥିବା ଦୁଇଜଣ ବନ୍ଧୁ ମୋତେ କହିଲେ ଯେ, ମୋର ଏପରି ଅଭ୍ୟାସ ଦ୍ୱାରା ଅନ୍ୟମାନଙ୍କୁ ଗୋଟାଏ ଖରାପ କଥା ଶିଖିବାର ପ୍ରଶ୍ରୟ ଦିଆଯାଉଚି ଏବଂ ସେଇ ଦୃଷ୍ଟିରୁ ମୋର ସେସବୁ ଛାଡ଼ିଦେବା ଉଚିତ । ମୁଁ ସେ ଯୁକ୍ତିରେ ସନ୍ତୁଷ୍ଟ ହୋଇପାରିଲି ନାହିଁ । ତଥାପି ବଂଧୁଙ୍କର ସତର୍କ ବାଣୀକୁ ଉପେକ୍ଷା କରିଦେବା ଉଚିତ ମନେ କଲିନାହିଁ । ତେଣୁ ଆଶ୍ରମର ପାଞ୍ଚଜଣ ସାଥୀଙ୍କ ଆଗରେ ଏଇକଥା କହିଲି ଓ ଏଇ କଥାକୁ ଭଲରୂପେ ବିଚାର କରି ପରାମର୍ଶ ଦେବାକୁ କହିଲି । ୟାରି ଭିତରେ ଏକ ଗୁରୁତର କଥା ଘଟିଗଲା । ସିଧା କଲେଜରୁ ଆସିଥିବା ଜଣେ ଛାତ୍ର ଗୋଟିଏ ବାଳିକାକୁ ଫୁସୁଲାଇ ଏକାନ୍ତରେ ତା’ସହିତ ନିଜର ଇଚ୍ଛାନୁରୂପ ବ୍ୟବହାର କରୁଥିଲା । ଏଇକଥା ପ୍ରତି ସମସ୍ତେ ମୋର ଦୃଷ୍ଟି ଆକର୍ଷଣ କଲେ । ବାଳକଟି ସେ ବାଳିକାଟିକୁ ନିଜ ଭଉଣୀ ପରି ଭଲପାଏ, ଏହି ବାହାନାରେ ସେ ଭଲପାଇବାର ନିଦର୍ଶନ ସ୍ୱରୂପ ଏସବୁ ଅସୁନ୍ଦର ଗେଲ କରୁଥିଲା-। କେହି ଏ ଗେଲକୁ ଖରାପ ବୋଲି କହିଲେ ସେ ସଙ୍ଗେ ସଙ୍ଗେ ଆପତ୍ତି କରି ଉଠୁଥିଲା-। ବାଳକଟି ଯାହା ଯାହା କରୁଥିଲା, ସେସବୁ ଯଦି ମୁଁ ଏଠି କହିବି, ତେବେ ପାଠକମାନେ ନିଶ୍ଚୟ କହିବେ ଯେ, ବାଳକଟିର କାର୍ଯ୍ୟପଛରେ ଗୋଟାଏ ଅଶ୍ଳୀଳ ପ୍ରବୃତ୍ତି ପ୍ରଚ୍ଛନ୍ନ ହୋଇରହିଥିଲା-। ଯାହାହେଉ, ଏଇ ଖବରପାଇ ଆମେ ଯେଉଁମାନେ ଆଗରୁ ତା’ର ବ୍ୟବହାର ଦେଖିଥିଲୁ, ସମସ୍ତେ ଭାବିଲୁ ଯେ ହୁଏତ ବାଳକଟିର ମନଭିତରେ ଏକ କପଟ ପ୍ରବୃତ୍ତି ରହିଚି ବା ସେ ନିର୍ବୋଧ ପରି ଗୋଟାଏ ମୋହରେ ପଡ଼ିଯାଇଚି ।

କିନ୍ତୁ ଏଇକଥା ଶୁଣିବାପରେ ମୁଁ ଅନେକ ଚିନ୍ତା କଲି । ସେଇ ଦୁଇ ବନ୍ଧୁଙ୍କର ସତର୍କବାଣୀ ମନେ ପଡ଼ିଗଲା । ମୁଁ ସମସ୍ତଙ୍କ କାନ୍ଧରେ ହାତପକାଉଚି ବୋଲି ସେ ମଧ୍ୟ ସେଇପରି କରୁଚି–ବାଳକଟି ଏଇ ଯୁକ୍ତି ଦେଖାଇଲେ ମୁଁ କଣ କରିବି ଏଇକଥା ଭାବିବାକୁ ଲାଗିଲି । ଏଇଠି କହିରଖିବା ଉଚିତ ଯେ, ଯେଉଁ ବାଳିକାଟିକୁ ସେ ଗେଲ କରୁଥିଲା, ସେ ଅବଶ୍ୟ ବାଳକଟିକୁ ନିଜର ଭାଇପରି ମନେ କରୁଥିଲା, କିନ୍ତୁ ସେ ଗେଲସବୁ ତାକୁ ଆଦୌ ଭଲ ଲାଗୁନଥିଲା । ଅନେକ ସମୟରେ ବାଳିକାଟି ସେଥିଲାଗି ଆପତ୍ତି କରିଚି, କିନ୍ତୁ ବାଳକଟିକୁ ନିବୃତ୍ତ କରାଇବାକୁ ତା’ଭିତରେ ଯଥେଷ୍ଟ ବଳ ନ ଥିଲା । ଏଇ ଘଟଣାଟି ସମ୍ବନ୍ଧରେ ମନକୁ ମନ ଅନେକ ଚିନ୍ତାକରି ଶେଷକୁ ମୋର ଅଭ୍ୟାସଟି ଛାଡ଼ିଦେବାକୁ ଠିକ୍‌ କଲି ଓ ବାରତାରିଖ ଦିନ ଓ୍ୱାର୍ଦ୍ଧା ଆଶ୍ରମର ସମସ୍ତଙ୍କ ଆଗରେ ସେକଥା ଘୋଷଣା କରିଦେଲି । ଅବଶ୍ୟ ଏପରି ଗୋଟାଏ ନିଷ୍ପତ୍ତି କରି ମୋର ତୀବ୍ର ମନୋବେଦନା ଜାତ ହୋଇଥିଲା, କାରଣ କାନ୍ଧରେ ହାତପକାଇ ଚାଲିବା ବେଳେ କେବେହେଲେ ମୋ ଭିତରେ କୌଣସି କୁତ୍ସିତଭାବନା ସ୍ଥାନ ପାଇନଥିଲା । ମନଭିତରେ ମଇଳା ରଖି ମୁଁ କିଛି କାମ କରୁ ନଥିଲି । ଆଶ୍ରମର ଝିଅମାନଙ୍କୁ ମୁଁ ବାପପରି ଦେଖୁଥିଲି ଏବଂ ସେମାନେ ମଧ୍ୟ ମୋର ତତ୍ତ୍ୱାବଧାନରେ ରହି ମୋତେ ବିଶ୍ୱାସ କରି ଶିଖିଥିଲେ । ଏତେଦୂର ବିଶ୍ୱାସ ବୋଧହୁଏ କେହିକେବେ ପାଇ ନଥିବ । ‘ଅପର ଜନ’କୁ ସ୍ପର୍ଶକଲେ ମନରେ ପାପ ଲାଗିଯିବ-ଏଥିପାଇଁ ସେଇ ପାପକୁ ପଥରବାଡ଼ ଦେଇ ବନ୍ଦ କରିବାକୁ ମୁଁ କେବେହେଲେ ବ୍ରହ୍ମଚର୍ଯ୍ୟ ଜୀବନର ଅନ୍ତର୍ଗତ ବୋଲି ବିଶ୍ୱାସ କରେନାହିଁ । ତଥାପି ମୁଁ ଏପରି ଗୋଟାଏ ସୁବିଧା ଉପଭୋଗ କରୁଥିବାରୁ ଯେଉଁ ଅପ୍ରୀତିର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିଚି, ସେ କଥା ମଧ୍ୟ ମୁଁ ଭୁଲିଯାଇନାହିଁ ।

ମୁଁ ଯେତେ ପବିତ୍ର ରହି ସେ କଥା କରୁଥାଏ ନା କାହିଁକି, ଏ କାରଣରୁ ମୋତେ ସେ ଅଭ୍ୟାସଟିକୁ ବନ୍ଦକରିବାକୁ ପଡ଼ିଚି । ମୋର ପ୍ରତ୍ୟେକ କାର୍ଯ୍ୟ ଉପରେ ହଜାର ହଜାର ନର ନାରୀଙ୍କର ଆଖି ପଡ଼ୁଚି ଓ ସେମାନେ ତାକୁ ତନଖି କରି ଦେଖୁଚନ୍ତି; ମୁଁ ଯେଉଁ ଲକ୍ଷ୍ୟପାଇଁ କାର୍ଯ୍ୟ କରୁଚି, ତା’ର ସାଧନପାଇଁ ମଧ୍ୟ ନିରତ ସତର୍କ ଓ ସାବଧାନ ହୋଇ ରହିବା ଆବଶ୍ୟକ । ଯେଉଁକଥା ପାଇଁ ମୋତେ ଏତେଜଣଙ୍କ ପାଖରେ ଯାଇ ମୋର ସତ୍‌ପ୍ରବୃତ୍ତିକୁ ବୁଝାଇବାକୁ ପଡ଼ୁଚି, ସେକଥା ଏକାବେଳେ ଛାଡ଼ିଦେବା ସବୁଠାରୁ ଭଲ । ମୁଁ ଯାହା କରୁଚି, ସମସ୍ତେ ଯେ ତାକୁ ନକଲ କରିବେ, ଏକଥା ତ ମୁଁ ଭାବି ନ ଥିଲି, ଉକ୍ତ ଯୁବକଙ୍କର ଆଚରଣ ମୋତେ ଯଥେଷ୍ଟ ଚେତେଇ ଦେଇଚି । ମୋଠାରୁ ନକଲ କରି ହେଉ ବା ଅନ୍ୟ କୌଣସି କାରଣରୁ ହେଉ, ଯେଉଁମାନେ ଏପରି ଭ୍ରାନ୍ତପଥରେ ଯାଉଥିବେ, ମୁଁ ଏଇ ଅଭ୍ୟାସଟି ଛାଡ଼ିଦେବାଦ୍ୱାରା ହୁଏତ ସେମାନେ ଠିକ୍‌ ରାସ୍ତାକୁ ଆସିପାରିବେ । ନିଷ୍କଳଙ୍କ ଯୌବନ ଏକ ଅମୂଲ୍ୟ ସମ୍ପଦପରି, କ୍ଷଣିକ ଉତ୍ତେଜନାକୁ ସୁଖ ବୋଲି ଭାବି ଏହାର ଅପଚୟ କରିବା ମହାପାପ । ବାଳିକାମାନେ ନିଜର ଦୁର୍ବଳ ହୃଦୟକୁଟାଣ କରନ୍ତୁ; ଯେତେ ଦୋଷଶୂନ୍ୟ ହେଲେ ମଧ୍ୟ ସେମାନେ ନିର୍ବୋଧ ଓ ଅଜ୍ଞ ଯୁବକମାନଙ୍କର ସଂସର୍ଗର ପ୍ରତିରୋଧ କରନ୍ତୁ ।

ହରିଜନ, ୨୧.୦୯.୩୫

Image

 

ନାରୀ ସମାଜ ପ୍ରତି ଗାନ୍ଧିଜୀ

କରୁଣାର ପ୍ରତିମୂର୍ତ୍ତି ହୁଅ

 

ଜାଫନାର ଉଦିଭିଲ୍‌ ବାଳିକା କଲେଜର ଭାଷଣରେ ଗାନ୍ଧିଜୀ କହିଲେ :–ଆଜି ତୁମମାନଙ୍କର ସାହଚର୍ଯ୍ୟ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ୍‌ ମନେ କରୁଚି । ପୂର୍ଣ୍ଣ ଆନ୍ତରିକତା ସହିତ ତୁମେମାନେ ଯାହା ଅଳ୍ପ ଅଳ୍ପ ଦାନ କରିଚ, ସେସବୁ ଦାନକୁ ସାଧାରଣ ପାଣ୍ଠିରେ ମିଶାଇ ଦିଆଯାଇଚି । ଅବଶ୍ୟ ଏକଥା ମୁଁ ପସନ୍ଦ କରିପାରୁ ନାହିଁ । ତାକୁ ଯେପରି ପ୍ରକୃଷ୍ଟ କାମରେ ଲଗାଯାଇ ପାରିବ, ସେଥିଲାଗି ମୁଁ ନିଶ୍ଚୟ ଚେଷ୍ଟା କରିବି । ବାଳିକାମାନଙ୍କର ମନ ବାଳକମାନଙ୍କର ହୃଦୟଠାରୁ ବେଶୀ ଉଦାର, ତେଣୁ ଏଦାନ ତୁମମାନଙ୍କ ପକ୍ଷରେ କିଛି ବଡ଼ ନୁହେଁ-। ଭାରତର ଚାରିଆଡ଼େ ବୁଲି ମୁଁ ହଜାର ହଜାର ଝିଅଙ୍କର ସମ୍ପର୍କରେ ଆସିଚି, ସେମାନଙ୍କ ପାଖରେ ଥିବା କୌଣସି ମୂଲ୍ୟବାନ୍‌ ଜିନିଷ ସେମାନେ କେବେ ମୋ ପାଖରୁ ଲୁଚାଇ ରଖିପାରିବେ ନାହିଁ । ଅନେକ ବାଳିକା ମଧ୍ୟ ନିଜର ଦୋଷ ଦୁର୍ବଳତାମାନ ମୋ ପାଖରୁ ଲୁଚାଇ ପାରିନାହାନ୍ତି । ମୁଁ ଆଶା କରୁଚି ଯେ, ଏଠି ଉପସ୍ଥିତ ଥିବା ସବୁ ଝିଅଙ୍କର ହୃଦୟ ପବିତ୍ର ଓ ପରିଷ୍କାର ହୋଇ ଯାଇଚି । ତୁମମାନଙ୍କର ମନ କଷିବାକୁ ଅବଶ୍ୟ ମୋର ବେଳ ନାହିଁ । ତେଣୁ ପ୍ରଶ୍ନ ପଚାରି ମୁଁ କାହାକୁ ବ୍ୟତିବ୍ୟସ୍ତ କରିବାକୁ ଯାଉନାହିଁ । ଯଦି ତୁମ ଭିତରେ କାହାର ଜଣକ ମନରେ ମଧ୍ୟ ଖରାପ କଥା ବଦ୍ଧବସି ରହିଚି, ତେବେ ମୋଠାରୁ ଜାଣିରଖ ତୁମର ସମସ୍ତ ଶିକ୍ଷା ବ୍ୟର୍ଥ ହୋଇଯାଇଚି ।

ଖାଲି ମାଟିକଣ୍ଢେଇ ହେବାକୁ କଣ ବାପ ମା ତୁମମାନଙ୍କୁ ପାଠ ପଢ଼ାଉଚନ୍ତି ? ତୁମେମାନେ କରୁଣାର ପ୍ରତିମୂର୍ତ୍ତିପରି ନିଜକୁ ତିଆରି କର, ଏହାହିଁ ସମସ୍ତଙ୍କର ଆଶା । କୌଣସି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିଲେ ଜଣେ କଦାପି କରୁଣାର ପ୍ରତିମୂର୍ତ୍ତି ହୋଇପାରିବ ନାହିଁ । ସବୁପ୍ରକାର ସ୍ୱାର୍ଥଭାବନା ଛାଡ଼ି ଦରିଦ୍ର ଓ ଦୁର୍ଭାଗାମାନଙ୍କର ହିତଚିନ୍ତା କରିପାରିଲେ କେବଳ ତୁମମାନଙ୍କୁ କରୁଣାର ପ୍ରତିମୂର୍ତ୍ତି କୁହାଯାଇପାରିବ । ମୋତେ ଦିଆହୋଇଥିବା ଥଳୀରେ ତୁମେମାନେ ନିଜର ଯଥାଶକ୍ତି ଦାନ କରିଚ ଏବଂ ତା’ରିଦ୍ୱାରାହିଁ କରୁଣାର ପ୍ରତିମୂର୍ତ୍ତି ହେବାର ପରିଚୟ ହେଇପାରିଚ । କାରଣ ଦେଶର ଦରିଦ୍ର ଓ ଦୁର୍ଭାଗାମାନଙ୍କର ସେବାପାଇଁ ସେଇ ଥଳୀ ଉତ୍ସର୍ଗ କରାଯାଇଚି ।

କିଛି ଟଙ୍କା ଚାନ୍ଦା ଦେଇଦେବା ତ ଖୁବ୍‌ ସହଜ, କିନ୍ତୁ ନିଜେ କୌଣସି କାମ କରିବା ସେତେ ସହଜ ନୁହେଁ । ଯେଉଁମାନଙ୍କ ସେବାଲାଗି ତୁମେମାନେ ଟଙ୍କା ଦେଇଚ, ସେମାନଙ୍କ ପାଇଁ ପ୍ରକୃତରେ କଣ ତୁମମାନଙ୍କର ପ୍ରାଣ କାନ୍ଦୁଚି ? ତେବେ ଏଇଠି ଶପଥକର, ସେମାନେ ତିଆରି କରୁଥିବା ଖଦଡ଼ ତୁମକୁ ପିନ୍ଧିବାକୁ ହେବ । କେହି ତୁମ ଘରକୁ ଖଦଡ଼ ବିକ୍ରିକରି ଆସିଲେ ଯଦି ତୁମେମାନେ କୁହ ‘‘ଏତେ ମୋଟା ଖଦଡ଼ କିଏ ପିନ୍ଧିବ ?’’ ତେବେ ଏଥିରୁ ମୁଁ ଜାଣିଚି ତୁମର ହୃଦୟ ଭିତରେ ଆଦୌ ଆତ୍ମତ୍ୟାଗ କରିବାର ଭାବ ନାହିଁ ।

ବଡ଼ ଖୁସି ଲାଗୁଚି ଯେ, ଏଠି ଉଚ୍ଚବର୍ଣ୍ଣ ଓ ନୀଚବର୍ଣ୍ଣ ସ୍ପୃଶ୍ୟ ଓ ଅସ୍ପୃଶ୍ୟ ଭିତରେ କିଛି ପ୍ରଭେଦ ନାହିଁ । ଯଦି ଅନ୍ତର ଭିତରେ ମଧ୍ୟ ତୁମର ଏଇ ମହତ୍‌ ଭାବ ଥାଏ ଏବଂ ଅନ୍ୟମାନଙ୍କଠାରୁ ଯଦି ନିଜକୁ ବଡ଼ ବୋଲି ଭାବୁ ନଥାଅ, ତେବେ ମୁଁ ଆହୁରି ଖୁସି ହେବି ।

ଭଗବାନ ତୁମମାନଙ୍କର ମଙ୍ଗଳ କରନ୍ତୁ ।

ସିଂହଳରେ ଗାନ୍ଧିଜୀ, ୧୪୫ ପୃଷ୍ଠା

Image

 

ବାଲ୍ୟବିବାହର କଳଙ୍କ

 

ଶ୍ରୀମତୀ ମାର୍ଗାରେଟ୍‌ କଜିନ୍‌ସ୍ ମାନ୍ଦ୍ରାଜରେ ଗୋଟିଏ ଅସାମାଜିକ ଘଟଣାପ୍ରତି ମୋର ଦୃଷ୍ଟି ଆକର୍ଷଣ କରିଚନ୍ତି । ୧୩ ବର୍ଷର ଗୋଟିଏ ଝିଅ ସହିତ ୨୬ ବର୍ଷର ଏକ ଯୁବକଙ୍କର ବିବାହର ଏଇ ଘଟଣା ଉପୁଜିଛି । ବାହାଘରର ୧୩ ଦିନ ପରେ କନ୍ୟାଟି ପୋଡ଼ି ମରିଯାଇଛି । ବିଚାରପତି ରାୟ ଦେଇଛନ୍ତି ଯେ, ସ୍ୱାମୀର ଅସହ୍ୟ ଓ ଅମାନୁଷିକ ପ୍ରଣୟାତୁରତା ସହି ନପାରି ଝିଅଟି ପ୍ରାଣ ହରାଇ ଦେଇଚି । କିନ୍ତୁ ଘଟଣା ସ୍ଥଳରୁ ନାନା ପ୍ରମାଣ ମିଳୁଚି ଯେ, ସ୍ୱାମୀଟି ନିଜେ ସ୍ତ୍ରୀର ଶାଢ଼ୀରେ ନିଆଁ ଲଗାଇ ଦେଇଚି । ଇନ୍ଦ୍ରିୟଲିପ୍ସା ଅନ୍ଧ କରିପକାଇଲେ ମଣିଷ ସବୁପ୍ରକାର ଦୟା ଦାକ୍ଷିଣ୍ୟ ଭୁଲିଯାଏ ।

 

ଝିଅଟି ଯେପରି ଉପାୟରେ ମରିଥାଉନା କାହିଁକି,ଏଇସବୁ କଥାଗୁଡ଼ିକ ଅବଶ୍ୟ ମାନିବାକୁ ପଡ଼ିବ–(୧) ମୋଟେ ୧୩ ବର୍ଷ ବୟସରେ ଝିଅଟିର ବିବାହ ଦିଆଯାଇଚି, (୨) ଝିଅଟିର କୌଣସି ସଙ୍ଗମଲିପ୍‍ସା ନ ଥିଲା, କାରଣ ସେ ସ୍ୱାମୀର ସଙ୍ଗମେଚ୍ଛାର ପ୍ରତିରୋଧ କରିଚି, (୩) ସ୍ତ୍ରୀର ଇଚ୍ଛାବିରୁଦ୍ଧରେ ନିଷ୍ଠୁର ସ୍ୱାମୀ ସଙ୍ଗମ କରିବାକୁ ଯାଇଚି, (୪) ବାଳିକାଟିର ପ୍ରାଣ ଚାଲି ଯାଇଚି ।

 

କୌଣସି ପାଶବିକ ପ୍ରଥାକୁ ଅନୁମୋଦନ କରିବାକୁ ଧର୍ମ କୁହାଯାଇ ପାରିବ ନାହିଁ, ଏହା ଧର୍ମଦ୍ରୋହ । ସ୍ମୃତିରେ ତ ଦୁଇ ରକମର କଥା ଲେଖା ହୋଇଚି । ସେ ସବୁ ପରସ୍ପର ବିରୋଧୀ । ଶାସ୍ତ୍ରବଚନରୁ ଏତିକିମାତ୍ର କେବଳ ଜଣାପଡ଼ୁଚି ଯେ, ଚଳିତ ନୀତିଶାସ୍ତ୍ର ଓ ସ୍ମୃତିବର୍ଣ୍ଣିତ ନୀତିବଚନର ବିରୁଦ୍ଧରେ ଯାଉଥିବା ସବୁ ରକମର ଶାସ୍ତ୍ର ନିୟମକୁ ଭ୍ରାନ୍ତ ବୋଲି ଧରିନେବାକୁ ହେବ । ଅନେକ ଯାଗାରେ ମଣିଷ ଭିତରେ ପଶୁପ୍ରବୃତିକୁ ଉତ୍ସାହ ଦେବାଭଳି କେତେକ ଉକ୍ତି ରହିଚି, ପୁଣି ସେଥିରେ ଆତ୍ମସଂଯମ ସମ୍ୱନ୍ଧରେ ମଧ୍ୟ ଚମତ୍କାର ଶ୍ଳୋକସବୁ ଲେଖା ଯାଇଚି କିପରି ? ଯେଉଁ ପାପାସକ୍ତ ବ୍ୟକ୍ତି ଆତ୍ମସଂଯମ ବିଷୟରେ କିଛି ଜାଣେ ନାହିଁ, କେବଳ ସେଇ ବୟଃପ୍ରାପ୍ତ ନ ହୋଇଥିବା ବାଳିକାମାନଙ୍କୁ ବିବାହ କରିବାକୁ ପୁଣ୍ୟ ବୋଲି କହିପାରିବ । ମାସିକ ୠତୁ ଆରମ୍ଭ ହେବାର କେତେମାସ ଗତ ନ ହେବା ପର୍ଯ୍ୟନ୍ତ କନ୍ୟାର ବିବାହ ଦେବା ପାପ ତେଣୁ ୠତୁ ଆରମ୍ଭ ନ ହୋଇଥିବା ବାଳିକାକୁ ବିବାହ କରିବାର ପ୍ରଶ୍ନ ଉଠୁଚି କୁଆଡ଼ୁ ? ନିଶ ଉଠୁ ଉଠୁ ଅଣ୍ଡିରିପୁଅର ବାପ ହୋଇ ବସିବା ଯେମିତି ଅସୁନ୍ଦର କଥା, ୠତୁ ଆରମ୍ଭ ହେଉ ବାଳିକାର ମା’ ହେବା ମଧ୍ୟ ସେମିତି ଅସୁନ୍ଦର କଥା ।

 

ବାଲ୍ୟବିବାହ ଦ୍ୱାରା ନୈତିକ ଓ ଶାରୀରିକ, ଉଭୟ ଦୃଷ୍ଟିରୁ ନାନା ଅନିଷ୍ଟ ଘଟେ । ଏହା ଆମକୁ ନୀତିଭ୍ରଷ୍ଟ କରିବା ସଙ୍ଗେ ସଙ୍ଗେ ଆମର ଶରୀରର ଶକ୍ତିକୁ ମଧ୍ୟ କ୍ଷୁଣ୍ଣ କରେ । ଏଇପରି ପଥଭ୍ରଷ୍ଟ ହେଲେ ଭଗବାନ ବା ସ୍ୱରାଜ୍ୟ ପ୍ରାପ୍ତି ଅସମ୍ଭବ । କମ ବୟସର ବାଳିକାଟିର କଥା ଯିଏ ଭାବିପାରିବ ନାହିଁ ସେ ଭଗବାନଙ୍କ କଥା କଣ ଭାବିବ ? ଆଉ ମଧ୍ୟ ଯେଉଁ ପୁରୁଷମାନଙ୍କର ଯଥାର୍ଥ ବିକାଶ ହୋଇନାହିଁ, ସେମାନେ କଦାପି ମୁକ୍ତିସମରର ସୈନିକ ହୋଇ ପାରିବେ ନାହିଁ ବା ସ୍ୱାଧୀନତା ପାଇଲେ ମଧ୍ୟ ତାକୁ ରକ୍ଷା କରି ପାରିବେ ନାହିଁ । ଖାଲି ଯେ ରାଜନୈତିକ ଚେତନା ଆସିଗଲେ ସମସ୍ତେ ସ୍ୱରାଜ୍ୟଯୁଦ୍ଧରେ ଭାଗ ନେଇ ପାରିବେ ତା ନୁହେଁ; ଅଧିକନ୍ତୁ ଏଥିଲାଗି ସାମାଜିକ, ଶିକ୍ଷାଗତ, ନୈତିକ, ଆର୍ଥିକ ଓ ରାଜନୈତିକ ସମସ୍ତ ପ୍ରକାର ଚେତନା ଏକାନ୍ତ ଆବଶ୍ୟକ ।

 

ବିବାହର ବୟସ ବଢ଼ାଇ ଦେବାପାଇଁ ଆଇନ ତିଆରି ହେଉଚି, ଅବଶ୍ୟ ଏହାଦ୍ୱାରା ଅଳ୍ପସଂଖ୍ୟକ କେତେଜଣଙ୍କର କଲ୍ୟାଣ ହୋଇପାରିବ । କିନ୍ତୁ ଆଇନ୍ କରି କେହି କେବେ ସମାଜରେ ବଦ୍ଧ ବସିଥିବା ପାପକୁ ଦୂରକରି ପାରିବ ନାହିଁ, କେବଳ ଲୋକମତ ସଜାଗ ରହିଲେ ଏକଥା ସମ୍ଭବ ହୋଇ ପାରିବ । ଆଇନ୍ ତିଆରି ହେଉ, ସେଥିରେ ମୋର ଆପତ୍ତି ନାହିଁ; କିନ୍ତୁ ଲୋକମତ ସୃଷ୍ଟିକରିବା ଉପରେ ମୁଁ ବେଶୀ ଜୋର ଦେଉଚି । ଯଦି ସାଧାରଣ ମତ ବାଲ୍ୟବିବାହର ବିରୁଦ୍ଧରେ ଥା’ନ୍ତା, ତେବେ ମାନ୍ଦ୍ରାଜର ଏଇ ଉଲ୍ଲିଖିତ ଘଟଣାଟି ଘଟିପାରି ନ ଥା’ନ୍ତା । କନ୍ୟାଟିର ସ୍ୱାମୀ ତ କିଛି ମୂର୍ଖ ବା ଅଜ୍ଞ ମୂଲିଆ ନୁହେଁ, ସେ ଜଣେ ଶିକ୍ଷିତ ଟାଇପ୍‍-କିରାନୀ । ପିଲାକନ୍ୟା ବିବାହ କରିବା ବିରୁଦ୍ଧରେ ଯଦି ପ୍ରବଳ ଜନମତ ଥା’ନ୍ତା, ତେବେ ସେଇ ସ୍ୱାମୀ କଦାପି ବାଳିକାଟିକୁ ବିବାହ କରିପାରି ନ ଥା’ନ୍ତା । ସାଧାରଣତଃ କହିବାକୁ ଗଲେ ଅଠର ବର୍ଷ ଆଗରୁ ଝିଅକୁ ବିବାହ ଦେବା ଆଦୌ ଉଚିତ ନୁହେଁ ।

ୟଙ୍ଗ୍ ଇଣ୍ଡିଆ, ୨୬.୮.୨୬

Image

 

ବାଲ୍ୟବିବାହର ଶୋଚନୀୟ ପରିଣାମ

 

ବାଲ୍ୟବିବାହ–ନିବାରଣ ସମିତି ବାଲ୍ୟବିବାହ ସମ୍ପର୍କରେ ଅନେକ ଦରକାରୀ ଓ ଜାଣିବା କଥା ପ୍ରକାଶ କରିଚନ୍ତି । ମୁଁ ସେଥିରୁ ଗୋଟିଏ ପାରା ନିମ୍ନରେ ଉଦ୍ଧାର କରୁଚି–

 

‘‘୧୯୩୧ ମସିହାରେ ଯେଉଁ ଜନଗଣନା ହୋଇଥିଲା, ତାର ରିପୋର୍ଟରେ ବୟସ ବିଭାଗ କରି ୧୫ ବର୍ଷରୁ କମ୍ ବିବାହିତା ବାଳିକାଙ୍କର ସଂଖ୍ୟା ନିମ୍ନପ୍ରକାରେ ଦିଆଯାଉଚି–

 

ବୟସ

ଶତକରା ବିବାହସଂଖ୍ୟା

୦ ରୁ ୧

.୮

୧ ରୁ ୨

୧.୨

୨ ରୁ ୩

୨.୦

୩ ରୁ ୪

୪.୨

୪ ରୁ ୫

୬.୬

୫ ରୁ ୧୦

୧୯.୩

୧୦ ରୁ ୧୫

୩୮.୧

 

ଏଥିରୁ ଜଣାପଡ଼ୁଚି ଶତକରା ଜଣେ ବର୍ଷକର ଆମ ଦେଶରେ ବିବାହ କରୁଚନ୍ତି । ତା’ ଉପରେ ବୟସରେ ପିଲାକନ୍ୟାମାନଙ୍କର ଅବସ୍ଥା ମଧ୍ୟ ସେମିତି ଶୋଚନୀୟ ।

 

‘‘ଫଳରେ ଆମ ଦେଶରେ ବାଳୁତବିଧବାଙ୍କର ସଂଖ୍ୟା କେମିତି ବଢ଼ି ଚାଲିଚି, ସେ କଥା ଦେଖାଯାଉ–

 

ବୟସ

ବିଧବାଙ୍କର ସଂଖ୍ୟା

୦-୧

୧,୫୧୫

୧-୨

୧,୭୮୫

୨-୩

୩,୪୮୫

୩-୪

୯,୦୭୬

୪-୫

୧୫,୦୧୯

୫-୧୦

୧,୦୫,୪୮୨

୧୦-୧୫

୧,୮୫,୩୩୯

 

‘‘ଅନେକ କହନ୍ତି ଯେ ବାଲ୍ୟବିବାହଦ୍ୱାରା ଦେଶର ବେଶୀ କିଛି କ୍ଷତି ହେଉନାହିଁ ଏବଂ ସବୁ ଯାଗାରେ ମଧ୍ୟ ଏହାର ପ୍ରଚଳନ ନାହିଁ । କିନ୍ତୁ ଉପରେ ଦିଆଯାଇଥିବା ସଂଖ୍ୟାର ଶହେଭାଗରୁ ଭାଗେ ମଧ୍ୟ ଯଦି ବିଧବା ହେଉଥାନ୍ତି, ତେବେ ଏ ଶୋଚନୀୟ ଅବସ୍ଥାର ପ୍ରତିବିଧାନ ନକରି କୌଣସି ଦାୟିତ୍ୱପୂର୍ଣ୍ଣ ଜାତି ବା ସରକାର ସ୍ଥିର ହୋଇ ରହି ପାରିବ କିପରି ? ସବୁଠାରୁ ଦୁଃଖର କଥା ହେଉଚି, ଏଇ ଅଭାଗିନୀ ବିଧବାମାନେ ଆଉ ଦ୍ୱିତୀୟଥର ପାଇଁ ବିବାହ କରିପାରିବେ ନାହିଁ ।

 

‘‘ବାଲ୍ୟବିବାହ ଫଳରେ କେତେ କେତେ ବିବାହିତ ବାଳିକା ପ୍ରସୂତି ଅବସ୍ଥାରେ ମରି ଯାଉଚନ୍ତି । ବର୍ଷକୁ ହାରାହାରି ୨୦୦,୦୦୦ ମା’ ଏ ଦେଶରେ ଅନ୍ତୁଡ଼ିଶାଳରେ ମରନ୍ତି । ତା’ର ଅର୍ଥ ଘଣ୍ଟାକୁ ୨୦ ଜଣ ମରୁଚନ୍ତି, ୟା ଭିତରେ ଅନେକ ମା’ଙ୍କର ବୟସ କୋଡ଼ିଏରୁ କମ୍ । ସାର୍ ଜନ୍ ମେଗା ହିସାବ ଦେଇଛନ୍ତି ଯେ, ଏ ଦେଶରେ ବାଲ୍ୟବିବାହିତାମାନଙ୍କ ଭିତରୁ ୧୦୦୦ ଜଣରେ ୧୦୦ ଜଣ ମରନ୍ତି । ଭାରତରେ ବାର୍ଷିକ ମା’ମୃତ୍ୟୁ ଠିକ୍ କେତେ, ତାହା ଜଣା ଯାଇନାହିଁ-। ବୋଧହୁଏ ଏହା ହଜାରକରେ ୨୪୫, ବିଲାତରେ ମା’ମୃତ୍ୟୁର ଅନୁପାତ ହଜାରକରେ ୪୫ ।

 

‘‘ବାଲ୍ୟବିବାହ ଦ୍ୱାରା କେବଳ ମା’ର ନୁହେଁ; ଶିଶୁର ତେଣୁ ଜାତିର ଗୁରୁତର କ୍ଷତି ହେଉଚି । ଭାରତରେ ଶିଶୁମୃତ୍ୟୁ ସଂଖ୍ୟା ହେଉଚି ହଜାରକରେ ୧୮୧ । ସାରା ଭାରତପାଇଁ ସିନା ଏଇ ସଂଖ୍ୟାକୁ ହାରାହାରି ଧରି ନିଆଯାଇଚି, କିନ୍ତୁ ଅନେକ ଜାଗାରେ ମଧ୍ୟ ହଜାରକରେ ୪୦୦ ଜଣ ପିଲା ମରନ୍ତି । ଇଂଲଣ୍ଡରେ ଓ ଜାପାନରେ ଶିଶୁମୃତ୍ୟୁ ସଂଖ୍ୟା ହେଉଚି ହଜାରକରେ ଯଥାକ୍ରମେ ୬୦ ଓ ୨୪। ଏଇଥିରୁ ଭାରତର ଶୋଚନୀୟ ଅବସ୍ଥା ବେଶ୍ ଜଣା ଯାଉଚି । ଚେଷ୍ଟା କଲେ ଏଇ ପାପକୁ ସମାଜରୁ ଦୂର କରାଯାଇ ପାରନ୍ତା, କିନ୍ତୁ କେବଳ ଶିକ୍ଷା ଓ ଶିକ୍ଷିତ ସାମାଜିକ ଦୃଷ୍ଟିର ଅଭାବରୁ ଏ ରୋଗ ଦିନକୁ ଦିନ ବଢ଼ି ବଢ଼ି ଯାଉଚି ।

 

‘‘ସବୁଠାରୁ ଦୁଃଖର କଥା ହେଉଚି ଯେ, ଏ ଦିଗରେ ଏପର୍ଯ୍ୟନ୍ତ ସନ୍ତୋଷଜନକ ଭାବରେ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ୧୯୨୧ରେ ବର୍ଷକରୁ କମ୍ ବୟସରେ ବିବାହ କରିଥିବା ୯୯୦୬ ଜଣ ସ୍ତ୍ରୀ ଥିଲେ । ୧୯୩୧ ରେ ସେମାନଙ୍କର ସଂଖ୍ୟା ପାଞ୍ଚଗୁଣ ବଢ଼ି ୪୪୦୮୨ ହୋଇଗଲା । କିନ୍ତୁ ଏଇ ସମୟ ଭିତରେ ଦେଶର ଲୋକସଂଖ୍ୟା ମୋଟେ ୧୦ ବଢ଼ିଥିଲା । ୧୯୨୧ରେ ୭୫୯ ଜଣ ଏକବର୍ଷରୁ କମ୍‍ବୟସର ବିଧବା ଥିଲେ, ୧୯୩୧ରେ ସେମାନଙ୍କର ସଂଖ୍ୟା ୧୫୧୫ ହୋଇଗଲା । ତା’ପରେ ଏହାର ସଂଖ୍ୟା ଆହୁରି ବେଗରେ ବଢ଼ି ବଢ଼ି ଚାଲିଚି । ଏସବୁ ସାମାଜିକ ପାପ ଦୂରକରିବାକୁ କୌଣସି ଚେଷ୍ଟା ନ ହେଉଥିଲେହେଁ ଦେଶର ଲୋକସଂଖ୍ୟା ରୀତିମତ ବଢ଼ି ଚାଲିଚି । ଏଇ ପାପର ପ୍ରତିବିଧାନ କରିବା ହେଉଚି ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା । ଏଇ ବିଷୟରେ ଜନସାଧାରଣ ତଥା ସରକାରକୁ ସଜାଗ କରିବା ହେଉଚି ଦେଶର ନାରୀସଂଗଠନର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ।’’

 

ଏଇ ସବୁ ହିସାବ ଦେଖିଲେ ସମସ୍ତଙ୍କର ମୁଣ୍ଡ ଲାଜରେ ତଳକୁ ହୋଇଯିବ । କିନ୍ତୁ ସେଥିରେ ତ କଳଙ୍କ ଦୂର ହେବ ନାହିଁ । ଏଇ ବାଲ୍ୟବିବାହ ସହର ଓ ମଫସଲ ସବୁ ଅଞ୍ଚଳକୁ ସମାନ ଭାବରେ ଗ୍ରାସକରି ପକାଇଚି । ଏହାର ସଂସ୍କାର କରିବା ହେଉଚି ପ୍ରଧାନତଃ ନାରୀର କାମ । ଅବଶ୍ୟ ପୁରୁଷକୁ ମଧ୍ୟ ତା’ର କର୍ତ୍ତବ୍ୟାଂଶ କରିବାକୁ ହେବ । କିନ୍ତୁ ପୁରୁଷ ପଶୁପରି ଆଚରଣ କଲେ ସେ ଆଉ ବିବେକର ନିର୍ଦ୍ଦେଶ ମାନି ଚଳିବ କିପରି ? ତେଣୁ ଦେଶର ମା’ମାନଙ୍କୁ ଶିକ୍ଷିତା କରାଇବାକୁ ହେବ, ସେମାନେ ଯେପରି ଏଇ ପାପକାର୍ଯ୍ୟରେ ସମ୍ମତି ଦେବାକୁ ମନା କରିଦିଅନ୍ତି । କିନ୍ତୁ ନାରୀଠାରୁ ଏ କାମ କିଏ ଅଧିକ ଭଲଭାବରେ ତୁଲାଇପାରିବ ? ତେଣୁ ମୋର ଇଚ୍ଛା, ନିଖିଳ–ଭାରତ ନାରୀ-ସଂଗଠନ ଯଦି ପ୍ରକୃତରେ ନିଜ ନାମର ମର୍ଯ୍ୟାଦା ରଖିବାକୁ ଚାହୁଁଥାଏ, ତେବେ ସେ ଗାଁ ଗହଳରେ କାମ ଆରମ୍ଭ କରିଦେଉ । ଉପରେ ଦିଆଯାଇଥିବା ହିସାବଗୁଡ଼ିକ ଅତି ଦରକାରୀ । କିନ୍ତୁ କେତେଜଣ ସହରବାସୀ ଏସବୁ ଜାଣିବାର ସୁଯୋଗ ପାଉଚନ୍ତି । ତେଣୁ ଗାଁଗହଳର ମାଇପିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବାକୁ ହେବ । ଏସବୁ କରିବା ପରେ ମଧ୍ୟ ଆହୁରି ଅନେକ ଅସୁବିଧା ରହିଯିବ । ତଥାପି କୌଣସି ଫଳ ପାଇଲା ପୂର୍ବରୁ ଦିନେ ନା ଦିନେ କାମଟି ଆରମ୍ଭ କରିବାକୁ ପଡ଼ିବ । ନି:ଭା: ମହିଳା ସଂଗଠନ ନି:ଭା: ଗ୍ରାମଦ୍ୟୋଗ ସଂଘ ସହିତ ମିଳି କାମ କରିପାରିବ କି ? ଜଣେ ଗାଁ କ୍ରମୀ ଯେଡ଼େ ଦକ୍ଷ ହୋଇଥାଉ ନା କାହିଁକି, କେବଳ ସମାଜସଂସ୍କାର କରିବାକୁ ଗାଁ ଲୋକମାନଙ୍କ ଭିତରେ ପଶି ପାରିବନାହିଁ । ଗ୍ରାମ୍ୟଜୀବନର ସବୁଆଡ଼କୁ ନିଶ୍ଚୟ ଦୃଷ୍ଟି ରଖିବାକୁ ପଡ଼ିବ । ଖାଲି ଯେ ଗାଁ ଲୋକଙ୍କୁ ଲେଖାପଢ଼ା ଓ ମାନସାଙ୍କ ଶିଖାଇଦେଲେ ସେମାନେ ପ୍ରକୃତ ଶିକ୍ଷା ପାଇପାରିବେ ତା’ ନୁହେଁ; ମାତ୍ର ମଣିଷପରି ବଞ୍ଚିରହି ଯଥାର୍ଥ ଜୀବନର ସକଳ ଆବଶ୍ୟକତା ହାସଲକରିବା ପାଇଁ ସେମାନଙ୍କର ମନକୁ ମୁକ୍ତ କରିଦେବା ଦ୍ୱାରାହିଁ ପ୍ରକୃତ ଶିକ୍ଷା ହୋଇପାରିବ ।

ହରିଜନ, ୧୬.୧୧.୩୫

Image

 

ବିଧବାର ଭରସା କାହିଁ ?

 

କ୍ୱେଟା ଭୂମିକମ୍ପର କବଳରେ ପଡ଼ି ଗୋଟିଏ ସତର ବର୍ଷ ବାଳିକାର ସ୍ୱାମୀ ପ୍ରାଣ ହରାଇଚି । ଏଇ ଘଟଣାଟିରେ ଅତି ବ୍ୟଥିତ ହୋଇ ଜଣେ ବନ୍ଧୁ ଖଣ୍ଡେ ଚିଠି ବଡ଼ କରୁଣ ଭାବରେ ଲେଖି ପଠାଇଚନ୍ତି । ସ୍ୱାମୀ ସଙ୍ଗେ ସଙ୍ଗେ ଦୁଇମାସର କୋଡ଼ପିଲା, ଶଶୁର, ଦିଅର ସମସ୍ତଙ୍କୁ ସେ ହରାଇ ବସିଚି । ଚିଠିରେ ଲେଖା ହୋଇଚି ଯେ, ଭୂମିକମ୍ପରେ ବାଳିକାର ଶରୀରରେ କୌଣସି ଆଘାତ ଲାଗିନାହିଁ, କେବଳ ପିନ୍ଧିବା ଲୁଗାଟି ସହିତ ସେ ପ୍ରାଣ ବଞ୍ଚାଇ ପଳାଇ ଆସିଚି । ବାଳିକାଟି ପତ୍ରପ୍ରେରକଙ୍କର ଦାଦିଝିଅ ଭଉଣୀ; ତାକୁ ଯେ କିପରି ସାନ୍ତ୍ୱନା ଦେବେ, କିପରି ଯେ ସେ ଜୀବନ କଟାଇବ, ଏକଥା ସେ ଭାବିପାରୁ ନାହାନ୍ତି । ବାଳିକାଟିର ଗୋଡ଼ରେ ମାଡ଼ ବସିଚି, ଭାଗ୍ୟବଶତଃ ହାଡ଼ ଭାଙ୍ଗିଯାଇନାହିଁ । ଚିଠି ଶେଷରେ ଲେଖାଯାଇଚି–‘‘ମୁଁ ତାକୁ ଲାହୋରରେ ତା’ର ବୋଉ ପାଖରେ ଛାଡ଼ିଦେଇ ଆସିଚି । ତାକୁ ଆଉ ଥରେ ବିବାହ ଦେଇଦେବା ପ୍ରସ୍ତାବ ମୁଁ ତା ଆଗରେ ଓ ଅନ୍ୟାନ୍ୟ ସମ୍ୱନ୍ଧୀମାନଙ୍କ ଆଗରେ କରିଥିଲି । ଅନେକ ମୋ ପ୍ରସ୍ତାବରେ ଆଗ୍ରହ ପ୍ରକାଶ କରିଚନ୍ତି; ଅନେକ ମଧ୍ୟ ଆପତ୍ତି କରିଚନ୍ତି । ମୋର ଏଇ ଭଉଣୀଟି ପରି କେତେ ବାଳିକାଙ୍କୁ ଏଇ ଦୁର୍ଗତି ଭୋଗିବାକୁ ପଡ଼ି ନଥିବ ? ଏଇ ଅଭାଗିନୀ ବିଧବାମାନଙ୍କୁ ସାନ୍ତ୍ୱନା ଦେବାକୁ ଆପଣ ପଦେ ଲେଖିପାରିବେ କି ?’’

ଯାହା ପଛରେ ଯୁଗଯୁଗର କୁସଂସ୍କାର ବଦ୍ଧ ହୋଇ ରହିଚି, ପଦେ ଲେଖି ବା କହି ତା’ର ମୁଁ କଣ କରିପାରିବି ? ସ୍ତ୍ରୀ ମରିଗଲେ ପୁରୁଷ ଯେପରି ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିପାରୁଚି, ପ୍ରତ୍ୟେକ ବିଧବାକୁ ସେଇପରି ଦ୍ୱିତୀୟବାର ବିବାହର ଅଧିକାର ଦିଆଯିବା ଉଚିତ । ସ୍ୱେଚ୍ଛାପ୍ରଣୋଦିତ ବୈଧବ୍ୟବ୍ରତ ହିନ୍ଦୁଧର୍ମରେ ଏକ ଗୌରବର ବିଷୟ, କିନ୍ତୁ ଜବରଦସ୍ତି ଜଣେ ନାରୀକୁ ଚିରବିଧବା କରି ରଖିବା ଅର୍ଥ ହିନ୍ଦୁଧର୍ମକୁ କଳଙ୍କିତ କରିବା । ଶାରୀରିକ ବଳାତ୍କାରରୁ ନୁହେଁ, ମାତ୍ର ନିର୍ଲ୍ଲଜ୍ଜ ହିନ୍ଦୁ ଲୋକାଚାରରୁ ଯେଉଁ ବିଧବାମାନେ ନିଜକୁ ମୁକ୍ତ ବୋଲି ଭାବୁଚନ୍ତି, ସେମାନେ ଅକୁଣ୍ଠିତ ମନରେ ଦ୍ୱିତୀୟ ସ୍ୱାମୀ ଗ୍ରହଣ କରନ୍ତୁ, ମୁଁ ଏଇଆ ଚାହେଁ । ଏଇ ଭଉଣୀଟି ପରି କ୍ୱେଟା ଭୂମିକମ୍ପ ଫଳରେ ଯେଉଁମାନଙ୍କର ସଂସାର ଉଜୁଡ଼ି ଯାଇଚି, ସେମାନଙ୍କୁ ଦ୍ୱିତୀୟ ବିବାହ କରିବାଲାଗି ସବୁପ୍ରକାର ସୁଯୋଗ ଦେବା ଉଚିତ । ସେମାନେ ଏକଥା ଜାଣିରଖନ୍ତୁ ଯେ, ଦ୍ୱିତୀୟବାର ବିବାହ କରିବାକୁ ଠିକ୍ କଲେ କେହି ସେମାନଙ୍କ ନାମରେ କଳଙ୍କ ଲଗାଇପାରିବ ନାହିଁ; ସେମାନଙ୍କ ପାଇଁ ଉପଯୁକ୍ତ ପାତ୍ର ଠିକ୍ କରିଦେବା ପାଇଁ ମଧ୍ୟ ସବୁପ୍ରକାର ଚେଷ୍ଟା କରାଯିବ-। ଏହା କୌଣସି ଅନୁଷ୍ଠାନର କାମ ନୁହେଁ । ଯେଉଁମାନଙ୍କର ସମ୍ପର୍କୀୟାମାନେ ସ୍ୱାମୀ ହରାଇଚନ୍ତି, ସେଇମାନେ କେବଳ ଏ ସଂସ୍କାରକୁ କାର୍ଯ୍ୟକାରୀ କରିପାରିବେ; ସେମାନଙ୍କୁ ଏଥିପାଇଁ ସମାଜ ଭିତରେ ରୀତିମତ ଶକ୍ତିଶାଳୀ ଅଥଚ ସୁସଂଯତ ପ୍ରଚାର ଚଳାଇବାକୁ ହେବ । ଯେଉଁଠି ବିଧବା-ବିବାହ ହୋଇଯାଉଚି, ତାକୁ ଖବରକାଗଜଦ୍ୱାରା ଚାରିଆଡ଼େ ପ୍ରଚାର କରିଦେବାକୁ ପଡ଼ିବ-। କେବଳ ଏହାରିଦ୍ୱାରାହିଁ ଭୂମିକମ୍ପରେ ଅନାଥିନୀ ହୋଇଥିବା ବିଧବାମାନଙ୍କ ପାଇଁ ଏକ ବଡ଼ କାମ କରାଯାଇ ପାରିବ । ସେଇ କରାଳ ଦୁର୍ଗତିର ସ୍ମୃତି ବର୍ତ୍ତମାନ ଲୋକଙ୍କର ମନରୁ ଲିଭିନାହିଁ, ତେଣୁ ବର୍ତ୍ତମାନ ପ୍ରଚାର ଚଳାଇଲେ ତାହା ନିଶ୍ଚୟ ସମସ୍ତଙ୍କର ସହାନୁଭୂତି ପାଇପାରିବ ଏବଂ ଏଇ ସଂସାରଟିକୁ ବଡ଼ ଆକାରରେ କାର୍ଯ୍ୟକାରୀ କରିପାରିଲେ, ଭବିଷ୍ୟତରେ ଯେଉଁ ବାଳିକାମାନେ ବିଧବା ହେବେ, ସେମାନେ ମଧ୍ୟ ଇଚ୍ଛାକଲେ ପୁନର୍ବାର ବିବାହ କରିବାର ସୁଯୋଗ ପାଇପାରିବେ ।

ହରିଜନ, ୨୨.୦୬.୩୫

Image

 

ବାଧ୍ୟ କରି ବିଧବା କରାଯାଉଚି

 

ଜୁଲିଅସ୍ ସିଜରଙ୍କର ରାଜତ୍ୱ ସମୟରେ ବାସ କରୁଥିବା ସିସିଲିର ଐତିହାସିକ ଡାୟୋଡ଼ରସ୍‍ଙ୍କର ‘ବିଶ୍ୱ ଇତିହାସ’ରୁ (Universal History) ସତୀ ଓ ବୈଧବ୍ୟ ବିଷୟରେ ନିମ୍ନ ଅଂଶଟି ପ୍ୟାରିଲାଲ ବାହାର କରିପାରିଚନ୍ତି ।

 

ଅନେକ ପୁରାକାଳରୁ ଭାରତୀୟ ସମାଜରେ ଏଇ ନିୟମ ଥିଲା ଯେ, ଯୁବକ ଯୁବତୀ ପରସ୍ପରର ସମ୍ମତି ନେଇ ବିବାହ କରିପାରିବେ, ସେଥିଲାଗି ପିତାମାତାଙ୍କର ସମ୍ମତି ଦରକାର ହେବ ନାହିଁ । କିନ୍ତୁ ଅଳ୍ପ ବୟସରେ ବିବାହ ହେବାକୁ ଇଚ୍ଛାକରି ଅନେକ ସମୟରେ ଅନେକ ଯୁବକ ଯୁବତୀ ଭୁଲ କରି ପକାଉଥିଲେ । ତେଣୁ ବିବାହ ପରେ ଦାମ୍ପତ୍ୟଜୀବନ ସୁଖମୟ ହୋଇ ପାରୁ ନ ଥିଲା, ଏବଂ ଅନେକ ବିବାହିତା ରମଣୀ ହତାଶ ହୋଇ ଅନ୍ୟ ପୁରୁଷର ପ୍ରଣୟଭିକ୍ଷା କରୁଥିଲେ । ସ୍ୱାମୀକୁ ଛାଡ଼ି ଅନ୍ୟ ବିବାହ କରିବାର ସୁଯୋଗ ସମାଜରେ ମିଳୁ ନ ଥିଲା; ତେଣୁ ପ୍ରଥମ ସ୍ୱାମୀଠାରୁ ନିସ୍ତାର ପାଇବାକୁ ସ୍ତ୍ରୀମାନେ ଖାଇବା ଥାଳୀରେ ବା ପାଣିରେ ବିଷଗୋଳି ସ୍ୱାମୀକୁ ଦେଇ ଦେଉଥିଲେ । ଏଇ ଜଘନ୍ୟ ଦୋଷ ଧୀରେ ଧୀରେ ବଢ଼ିବାକୁ ଲାଗିଲା, ଅନେକ ନିରୀହ ଯୁବକ ପ୍ରାଣ ହରାଇଲେ, ଯେତେ ରକମର ଶାସ୍ତିର ବିଧାନ କରାଯାଇ ମଧ୍ୟ କିଛି ଫଳ ହେଲା ନାହିଁ-। ତେଣୁ ସମାଜରେ ଆଉ ଗୋଟିଏ ନିୟମ କରି ଦିଆଗଲା ଯେ ସ୍ତ୍ରୀକୁ ମୃତସ୍ୱାମୀ ଚିତାଗ୍ନିରେ ପୋଡ଼ିଦିଆଯିବ, ଅବଶ୍ୟ ସ୍ତ୍ରୀ ଗର୍ଭବତୀ ହୋଇଥିଲେ ବା ତା’ର କୌଣସି ସନ୍ତାନସନ୍ତତି ନ ଥିଲେ ସେ ଏ ଶାସ୍ତିରୁ ରକ୍ଷାପାଇ ପାରିବ । ଯେଉଁ ସ୍ତ୍ରୀ ସ୍ୱାମୀ ଚିତାରେ ଆତ୍ମହତ୍ୟା ନ କରିବ, ତାକୁ ସାରାଜୀବନ ବୈଧବ୍ୟବ୍ରତ ପାଳନ କରିବାକୁ ହେବ ଏବଂ ଧର୍ମ ହରାଇଥିବା ଲୋକପରି ସେ ସମାଜର କୌଣସି ଯଜ୍ଞାଦି ଅନୁଷ୍ଠାନରେ ଭାଗ ନେଇପାରିବ ନାହିଁ ।

 

ଯଦି ପ୍ରକୃତରେ ସତୀଦାହ ଓ ବୈଧବ୍ୟ ମୂଳରେ ଏଇ ସବୁ କାରଣ ଥାଏ, ତେବେ ଆଜି ଆଇନଦ୍ୱାରା ଦେଶରୁ ଯେ ସତୀଦାହ ପ୍ରଥା ଲୁପ୍ତ କରି ଦିଆଯାଇଚି, ସେଥିପାଇଁ ଭଗବାନଙ୍କ ଧନ୍ୟବାଦ ଦେବାକୁ ହେବ । ଯେଉଁ ବାଳିକା ‘ବିବାହ କଣ’ ବୋଲି ମଧ୍ୟ ଜାଣିନାହିଁ, ସମାଜରେ ତାକୁ ଜବରଦସ୍ତି ବିଧବା କରି ରଖାଯାଉଚି, ଯେତେ ଆଇନକାନୁନ କଲେ ସୁଦ୍ଧା ସମାଜରେ ଏ କଳଙ୍କ ଲିଭିବ ନାହିଁ । ହିନ୍ଦୁ ସମାଜରେ ପ୍ରଥମେ ଏହା ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି କରିବାକୁ ହେବ, ବିଧବା ଝିଅକୁ ଦ୍ୱିତୀୟ ଥର ପାଇଁ ବିବାହ ଦେଇଦେବାକୁ ପିତାମାତା ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି ବୁଝିବେ, ୟାରିଦ୍ୱାରା କେବଳ ସେ ପାପ ଘୁଞ୍ଚିପାରିବ । ପୁନର୍ବିବାହ କରିବାରେ ଯେ କୌଣସି ଅଧର୍ମ ବା ଅନିୟମ ନାହିଁ, ସବୁ ପିତାମାତା ଝିଅକୁ ଏଇ ଶିକ୍ଷା ଦିଅନ୍ତୁ । କେବଳ ବାଳୁତ ବିଧବାମାନଙ୍କୁ ପୁନର୍ବିବାହର ସୁବିଧା ଦିଆଯିବ । କନ୍ୟା ଯଦି ବୟଃପ୍ରାପ୍ତା ହୋଇଯାଇଥାଏ ଓ ଆଉଥରେ ସ୍ୱାମୀଗ୍ରହଣ କରିବାକୁ ରାଜି ନ ଥାଏ, ତେବେ ତାକୁ କେବଳ ଏତିକି କହିଦିଆଯିବ ଯେ, ଇଚ୍ଛାକଲେ ସେ ମଧ୍ୟ ପୁନର୍ବିବାହ କରିପାରିବ । ଚଢ଼େଇକୁ ଯଦି ପିଞ୍ଜରା ଭିତରେ ବନ୍ଦୀ ହୋଇ ରହିବାକୁ ଭଲ ଲାଗୁଛି ଏବଂ ନାରୀ ନିଜର ସୁନା ରୂପା ଗହଣା ପରି ନିଜର ବନ୍ଧନ ଶିକୁଳୀକୁ ମଧ୍ୟ ଅଳଙ୍କାର ବୋଲି ମନେ କରୁଚି, ତେବେ ସେ ଶିକୁଳୀ ଆଉ କିଏ ଫିଟାଇପାରିବ ?

ହରିଜନ, ୨୦.୦୩.୩୭

Image

 

ଆଦର୍ଶ ସତୀ

 

ବମ୍ୱେର ଗୋଟିଏ ଖବରକାଗଜରେ ଜଣେ ସ୍ତ୍ରୀ ‘ସତୀ’ ହୋଇଥିବାର ଖବର ବାହାରିଥିଲା-। ଜଣେ ଭଦ୍ରମହିଳାଙ୍କର ଅନୁରୋଧରେ ଗାନ୍ଧିଜୀ ‘ନବଜୀବନ’ରେ ଏଇ ପ୍ରବନ୍ଧଟି ଲେଖିଥିଲେ :–

 

ମୋର ମନେ ହେଉଚି, ଖବର କାଗଜରେ ବାହାରିଥିବା ଘଟଣାଟି ସତ ନୁହେଁ । ଯେତେଦୂର ସମ୍ଭବ ସ୍ତ୍ରୀଟି କୌଣସି ରୋଗରେ ପଡ଼ି ବା ଆକସ୍ମିକ ଦୁର୍ଘଟଣା ହେତୁ ମରିଚି, ଆତ୍ମହତ୍ୟା କରି ନାହିଁ । ଆମର ପୂର୍ବପୁରୁଷମାନେ ‘ସତୀ’ର ନିର୍ଣ୍ଣୟ କରିଯାଇଚନ୍ତି ଏବଂ ଆଜିପର୍ଯ୍ୟନ୍ତ ମଧ୍ୟ ସେଇ ନିର୍ଣ୍ଣୟ ଅଭ୍ରାନ୍ତ ରହିଚି । ଯେଉଁ ପତିପ୍ରାଣା ସ୍ତ୍ରୀ ସ୍ୱାମୀର ଜୀବିତବସ୍ଥାରେ ଏବଂ ମୃତ୍ୟୁପରେ ସ୍ୱାମୀର ନିସ୍ୱାର୍ଥ ସେବା କରେ ଏବଂ ସର୍ବଦା କାୟମନୋବାକ୍ୟରେ ପବିତ୍ରତା ରଖିଥାଏ, ସେଇ ହେଉଚି ପ୍ରକୃତ ସତୀ । ସ୍ୱାମୀର ଚିତାରେ ଆତ୍ମବିସର୍ଜନ କରିବା ପଛରେ କୌଣସି ସଦ୍‌ଜ୍ଞାନର ପ୍ରମାଣ ନାହିଁ, ଏହା କେବଳ ଆତ୍ମାର ସ୍ୱରୂପ ବିଷୟରେ ଅଜ୍ଞତାର ପରିଚୟ ଦେଉଚି । ଆତ୍ମା ଅମର, ତାର ପରିବର୍ତ୍ତନ ନାହିଁ, ସେ ଭିତରର ଜିନିଷ । ଶରୀରର ମୃତ୍ୟୁ ହେଲେ ଆତ୍ମା କେବଳ ଏକ ପିଣ୍ଡରୁ ଅନ୍ୟ ପିଣ୍ଡକୁ ଚାଲିଯାଏ, ଏଇପରି ଭାବରେ ଶେଷରେ ଦିନେ ଇହବନ୍ଧନରୁ ମୁକ୍ତି ପାଏ । ଶତ ଶତ ମୁନିଋଷି ଏଇ କଥା ପ୍ରତ୍ୟକ୍ଷ କରିଯାଇଚନ୍ତି, ଆଜି ମଧ୍ୟ ଜଣେ ସେଇପରି ସାଧନା କରିପାରିଲେ ତାହା ଉପଲବ୍ଧି କରିପାରିବ । ଏଇସବୁ ସତ୍ୟଦୃଷ୍ଟିରୁ ଆତ୍ମହତ୍ୟାକୁ କିପରି ନ୍ୟାୟସଙ୍ଗତ ବୋଲି କୁହାଯାଇ ପାରିବ ?

 

ପ୍ରକୃତ ବିବାହ କହିଲେ କେବଳ ଶରୀରର ମିଳନ ବୁଝାଏ ନାହିଁ । ଏହା ଭିତରେ ଆତ୍ମାର ମିଳନ ମଧ୍ୟ ପ୍ରଚ୍ଛନ୍ନ ରହିଚି । ଯଦି ଶରୀର ସମ୍ବନ୍ଧକୁ ଛାଡ଼ିଦେଲେ ସ୍ତ୍ରୀର ସ୍ୱାମୀ ସହିତ କୌଣସି ସମ୍ବନ୍ଧ ନାହିଁ, ତେବେ ସ୍ୱାମୀର ଅନୁରୂପ ଗୋଟିଏ ଛବି ବା ମହମର ପିତୁଳା କରି ରଖିଦେଲେ ତ ସ୍ତ୍ରୀ ସନ୍ତୁଷ୍ଟ ହୋଇଯାଉଥାନ୍ତା । କିନ୍ତୁ ଆତ୍ମହତ୍ୟା କରିବାଦ୍ୱାରା ଏହାଠାରୁ ବେଶୀ ଭ୍ରାନ୍ତତାର ପରିଚୟ ମିଳେ । ଏହାଦ୍ୱାରା ମୃତ ସ୍ୱାମୀ ଫେରିଆସିପାରେ ନାହିଁ, ଓଲଟି ଆହୁରି ଗୋଟିଏ ଜୀବନ ବୃଥା ନଷ୍ଟ ହୁଏ ।

 

ଶରୀରର ତରଣୀ ଦେଇ ଆଧ୍ୟାତ୍ମିକ ମିଳନ ସାଧନ ହେଉଚି ବିବାହର ଆଦର୍ଶ । ଦାମ୍ପତ୍ୟପ୍ରେମ କେବଳ ଭଗବତ୍‌ପ୍ରେମ ବା ବିଶ୍ୱପ୍ରେମର ସୋପାନପରି । ମୀରାବାଈଙ୍କର ଅମର ଗୀତାରେ ଅଛି–

 

ଏଥିରୁ ବୁଝାଯାଉଚି, ବିବାହକୁ ଖାଲି ଇନ୍ଦ୍ରିୟପ୍ରବୃତ୍ତିର ପରିତୃପ୍ତି ସାଧନ ହିସାବରେ ମାନିବା ଉଚିତ ନୁହେଁ, ସ୍ୱାମୀର ପ୍ରାଣରେ ନିଜର ପ୍ରାଣ ବିଲୀନ କରି ନିସ୍ୱାର୍ଥ ସେବାର ଆଦର୍ଶ ଉପଲବ୍ଧି କରିବା ଉଚିତ । ମୃତ ସ୍ୱାମୀର ଚିତାଗ୍ନି ଭିତରେ ଶରୀର ଝାସଦେଲେ ସତୀତ୍ୱ-ରକ୍ଷା ହେବନାହିଁ; କିନ୍ତୁ ତ୍ୟାଗ, ସଂଯମ, ପତି, ପରିବାର ଓ ଦେଶ ପାଇଁ ଆତ୍ମୋତ୍ସର୍ଗ ଦ୍ୱାରା ସପ୍ତପଦୀ ଭୟଙ୍କର ଶପଥ ନେଇପାରିବା ପରେ ପ୍ରତ୍ୟେକ ମୁହୂର୍ତ୍ତରେ ତାକୁ ନିଜର ସତୀତ୍ୱର ପ୍ରମାଣ ଦେବାକୁ ହେବ । ତାକୁ ସମସ୍ତ ଭୋଗବିଳାସ ଓ ଇନ୍ଦ୍ରିୟ ତୃପ୍ତି ଛାଡ଼ିଦେବାକୁ ପଡ଼ିବ । ପରିବାରର ଛୋଟ ଛୋଟ ସ୍ୱାର୍ଥ ଓ ଉଦ୍‌ବିଗ୍ନତା ଭିତରେ ଆବଦ୍ଧ ନ ରହି ତାକୁ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିବାକୁ ହେବ, ତ୍ୟାଗ ଓ ଆତ୍ମଶୃଙ୍ଖଳାର ଅଭ୍ୟାସ କରି ନିଜର ସେବାନିପୁଣତା ବଢ଼ାଇବାକୁ ହେବ ଏବଂ ସ୍ୱାମୀର ଜୀବନ ସହିତ ନିଜକୁ ବିଜଡ଼ିତ କରି ସମସ୍ତ ସଂସାର ସଙ୍ଗେ ଏକ ସୂତ୍ରରେ ବାନ୍ଧିହୋଇ ଯିବାକୁ ପଡ଼ିବ ।

 

ସ୍ୱାମୀ ମରିଗଲେ ଏପରି ସତୀର ମନରେ କେବେହେଲେ ଦୁଃଖ ଓ ଅବସାଦ ଆସିବ ନାହିଁ, ବରଂ ନିଜର କାର୍ଯ୍ୟକଳାପ ମଧ୍ୟଦେଇ ସ୍ୱାମୀର ଆଦର୍ଶ ଓ ଧର୍ମକୁ ପୁଣିଥରେ ଜୀବନ୍ତ କରାଇ ଦେବାକୁ ସେ ତତ୍ପର ହୋଇପଡ଼ିବ । ଏଇ କାର୍ଯ୍ୟଦ୍ୱାରାହିଁ ସେ ପତିକୁ ଅମର କରିପାରିବ । ପତିର ଆତ୍ମା ମରିନାହିଁ, ଜୀବିତ ରହିଚି, ଏଇକଥା ଜାଣି, ପୁନର୍ବାର ବିବାହ କରିବା କଥା ସେ କେବେହେଲେ କଳ୍ପନା କରିବ ନାହିଁ ।

 

ପାଠକ ହୁଏତ ପଚାରିପାରନ୍ତି–‘‘ଆପଣ କହୁଚନ୍ତି ଯେ କୌଣସି ଇନ୍ଦ୍ରିୟାସକ୍ତି ସତୀର ମନକୁ ସ୍ପର୍ଶ କରିପାରିବ ନାହିଁ । ତେଣୁ ସନ୍ତାନ ଉତ୍ପାଦନ କରିବାର ସବୁ ଅଭିଳାଷ ତାକୁ ଦୂର କରିବାକୁ ହେବ । ତେବେ ସେ ଆଉ ବିବାହ କାହିଁକି କରିବ ?’’ ଉତ୍ତର ହେଉଚି- ଆମ ସମାଜରେ ଅନେକ ସ୍ଥଳରେ ପାତ୍ର ପାତ୍ରୀର ସମ୍ମତି ନେଇ ବିବାହ ହୁଏ ନାହିଁ । ଅନେକ ମଧ୍ୟ ବିଶ୍ୱାସ କରନ୍ତି ଯେ, ଏଇ ସ୍ଖଳନଯୁଗରେ ଧର୍ମ ଓ ଆତ୍ମ-ସଂଯମ ପାଳନପାଇଁ ବିବାହ ଢାଲପରି କାମ କରିବ । ମୁଁ ମଧ୍ୟ ଅନେକ କ୍ଷେତ୍ରରେ ଦେଖିଚି ଯେ, ଇନ୍ଦ୍ରିୟସମ୍ଭୋଗର ବାସନା ରଖି ବିବାହ କରୁଥିବା ଅନେକ ଯୁବକଯୁବତୀ ନିର୍ମଳ ଶୁଦ୍ଧ ଜୀବନର ମହତ୍ତ୍ୱ ବୁଝିପାରିଚନ୍ତି ଓ ଏଇ ଆଦର୍ଶର ସାଧନପାଇଁ ଦାମ୍ପତ୍ୟଜୀବନରୁ ଅନେକ ସାହାଯ୍ୟ ପାଇଚନ୍ତି । ମୁଁ ଯେଉଁ ସତୀର କଳ୍ପନା କରୁଚି, ସେ କେବଳ ସଂସାରଧର୍ମର ବାହାର ହୋଇପାରିବ ନାହିଁ, ବରଂ ଏଇ ସଂସାର ଭିତରେ ବାସ କରି ଦୈନନ୍ଦିନ ଜୀବନରେ ସେଇ ଆଦର୍ଶର ସାଧନା କରିବାକୁ ହେବ ।

 

ଜଣେ ସାଧାରଣ ସ୍ତ୍ରୀ ଆଦର୍ଶ ସତୀ ହେବାକୁ ଇଚ୍ଛା କରେ, ତେବେ ତାକୁ ଜନନୀ ହୋଇ ଶିଖିବାକୁ ହେବ । ତେଣୁ ଅନ୍ୟାନ୍ୟ ଗୁଣ ଅର୍ଜନ କରିବା ସଙ୍ଗେ ସଙ୍ଗେ ସନ୍ତାନର ଲାଳନପାଳନ ଶିକ୍ଷାକୁ ମଧ୍ୟ ସେ ସମାନଭାବରେ ଅଭ୍ୟାସ କରିବ । ତା’ରି ଚେଷ୍ଟାରେ କେବଳ ତାର ସନ୍ତାନମାନେ ଭବିଷ୍ୟତରେ ଦେଶର ସତ୍‌ସେବକ ହୋଇ ବାହାରିପାରିବେ ।

 

ସ୍ତ୍ରୀବିଷୟରେ ଯାହା କହିଲି ସ୍ୱାମୀପାଇଁ ମଧ୍ୟ ଠିକ୍‌ ସେଇକଥା କହୁଚି । ସ୍ତ୍ରୀର ଯେପରି ସ୍ୱାମୀପ୍ରତି ପରମଶକ୍ତି ରହିବା ଉଚିତ, ସ୍ୱାମୀର ମଧ୍ୟ ସେଇପରି ସ୍ତ୍ରୀପ୍ରତି ଏକପ୍ରାଣତା ଓ ଶ୍ରଦ୍ଧା ରହିବା ଉଚିତ । ସ୍ୱାମୀ ଓ ସ୍ତ୍ରୀ ଦୁହିଙ୍କ ପାଇଁ ଦୁଇଟି ପୃଥକ୍‌ ପରିମାପକ ରଖାଯାଇ ପାରିବ ନାହିଁ । କିନ୍ତୁ ସ୍ୱାମୀ କେବେ ସ୍ତ୍ରୀର ଚିତାରେ ଝାସ ଦେଇଚି; ଏପରି ଦୃଷ୍ଟାନ୍ତ କେବେ ଶୁଣାଯାଇଚି କି ? ତେଣୁ ଏଇଥିରୁ ଧରିନିଆଯାଇ ପାରେ ଯେ, କେବଳ ଅନ୍ଧବିଶ୍ୱାସ, ଅଶିକ୍ଷା ଓ ସ୍ୱାମୀର ଆତ୍ମାଭିମାନ ଫଳରେ ସତୀଦାହ ପ୍ରଥାର ପ୍ରଚଳନ ହୋଇଚି । କେତେବେଳେ ହୁଏତ ଏହାର କୌଣସି ମୂଲ୍ୟ ଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ ତା’ର ପୁନଃ ପ୍ରଚଳନ କରିବା କେବଳ ବର୍ବରତାର ପରିଚୟ ଦେବ-। ପତ୍ନୀ ପତିର ଦାସୀ ନୁହେଁ, ସେ ତା’ର ଅର୍ଦ୍ଧାଙ୍ଗିନୀ, ସହକର୍ମିଣୀ ଓ ଜୀବନସାଥୀ । ସ୍ୱାମୀ, ପରି ସ୍ତ୍ରୀର ମଧ୍ୟ ସମାନ ଅଧିକାର ଓ ସମାନ କର୍ତ୍ତବ୍ୟମାନ ରହିଚି । ତେଣୁ ପରସ୍ପର ପ୍ରତି ଓ ପୃଥିବୀ ପ୍ରତି ସେମାନଙ୍କର କର୍ତ୍ତବ୍ୟମାନ ମଧ୍ୟ ଏକ ହେବା ଉଚିତ ।

 

ତେଣୁ ପତ୍ରରେ ଉଲ୍ଲିଖିତ ଥିବା ସତୀଦାହକୁ ମୁଁ କେବଳ ପାପବୋଲି କହିବି । ଏହାକୁ କଦାପି ସମାଜର ଆଦର୍ଶ ବୋଲି କୁହାଯାଇ ପରିବ ନାହିଁ । ହୁଏତ ପ୍ରଶ୍ନ ଉଠିପାରେ–ତା’ର ସାହସକୁ କଣ ପ୍ରଶଂସା କରିବା ଉଚିତ ନୁହେଁ ? ମୁଁ ଉତ୍ତର ଦେବି–‘‘ନା । ପାପୀମାନେ କଣ ଏଇପରି ସାହସ ଦେଖାଇ ନ ଥାନ୍ତି ? କିନ୍ତୁ ତା’ବୋଲି କେହି ସେମାନଙ୍କୁ ପ୍ରଶଂସା କରେ କି ? ତେଣୁ ଅବିବେକୀ ପରି ଆତ୍ମହତ୍ୟାର ପ୍ରଶଂସା କରି, ମୁଁ କାହିଁକି ଦେଶର ଭଉଣୀମାନଙ୍କୁ ଭୁଲ ଆଦର୍ଶ ଦେଖାଇବାର ଅପରାଧ କରିବି ? ‘ସତୀତ୍ୱ’ ହେଉଚି ପବିତ୍ରତାର ପରାକାଷ୍ଠା । କେବଳ ପ୍ରାଣତ୍ୟାଗ କଲେ ଏଇ ପବିତ୍ରତା ହାସଲକରି ହେବନାହିଁ । ମାତ୍ର ପୁନଃପୁନଃ ସାଧନା କରି, ନିରତ ଆତ୍ମଦାନଦ୍ୱାରା ଏଇ ସତୀତ୍ୱ ଅର୍ଜନ କରାଯାଇ ପାରିବ ।

ୟଙ୍ଗ୍‌ ଇଣ୍ଡିଆ, ୨୧.୦୫.୩୧

Image

 

ଆଦର୍ଶ ଅପବ୍ୟବହାର

 

ବିଧବା ବିବାହ ସମ୍ପର୍କରେ ମୋ ପାଖକୁ ଖଣ୍ଡିଏ ଚିଠି ଆସିଚି । ସେଇ ଚିଠିର କେତେକ ଅଂଶ ମୁଁ ନିମ୍ନରେ ଦେଉଚି :–

 

ସେପ୍‌ଟେମ୍ବର ୨୩ ତାରିଖର ୟଙ୍ଗ୍‌ ଇଣ୍ଡିଆରେ ଆପଣ ବି.ଆଗ୍ରାଙ୍କୁ ଯେଉଁ ଜବାବ ଦେଇଚନ୍ତି, ସେଇଥିରେ ଆପଣ ଲେଖିଚନ୍ତି ଯେ ବାପ ମା’ମାନଙ୍କର ନିଜର ବାଳୁତ ବିଧବା କନ୍ୟାକୁ ଦ୍ୱିତୀୟବାର ବିବାହ ଦେଇଦେବା ଉଚିତ । କିନ୍ତୁ ଶାସ୍ତ୍ରୋକ୍ତ କନ୍ୟାଦାନ ବିଧି ପାଳନ କରୁଥିବା ପିତାମାତାମାନେ ଏକଥା କରିପାରିବେ କିପରି ? କନ୍ୟାର ବିବାହ ସମୟରେ ପବିତ୍ର ଧର୍ମବିଧି ଅନୁସାରେ ପିତା କନ୍ୟା ଉପରେ ତାର ସମସ୍ତ ଅଧିକାର ପରିତ୍ୟାଗ କରେ ଓ କାମାତା ହାତରେ କନ୍ୟାକୁ ସମର୍ପଣ କରିଦେଇଥାଏ । ତେବେ ପ୍ରଥମ ସ୍ୱାମୀ ମରିଗଲେ ସେଇ ପିତା କନ୍ୟାକୁ ଆଉ ଜଣକ ହାତରେ ସମର୍ପଣ କରିପାରିବ କିପରି ? ପୁନର୍ବିବାହ ପାଇଁ ଝିଅର ଯଦି ନିଜର ଇଚ୍ଛା ଥାଏ, ତେବେ ସେ ତ ଅଲଗା କଥା; କିନ୍ତୁ ଥରେ ‘କନ୍ୟାଦାନ’ ସମାପ୍ତ ହୋଇସାରିବା ପରେ ଦ୍ୱିତୀୟବାର ବିବାହ ଦେବାପାଇଁ କାହାର ଅଧିକାର ନାହିଁ । ସ୍ତ୍ରୀ ସ୍ୱାମୀର ମରିବାପୂର୍ବରୁ ପୁନର୍ବିବାହର ସମ୍ମତି ନ ନେଇ ଯଦି ଦ୍ୱିତୀୟ ସ୍ୱାମୀ ଗ୍ରହଣ କରେ, ତେବେ ତାକୁ ନିଶ୍ଚୟ ବିଶ୍ୱାସଘାତକତାର ପାତକ ଲାଗିବ । ଏଇସବୁ କାରଣରୁ ‘କନ୍ୟାଦାନ’ ବିଧିରେ ବିବାହ ହୋଇଥିବା ବାଳିକା–ସେ ପିଲା, ଯୁବତୀ ବା ବୃଦ୍ଧା ହେଉ ପଛକେ ଆଉ ଦ୍ୱିତୀୟ ବିବାହ କରିପାରିବ ନାହିଁ । ସନାତନୀ ମାନଙ୍କ ଭିତରେ ଏଇ ‘କନ୍ୟାଦାନ’ ପ୍ରଥାର ପ୍ରଚଳନ ଅଛି । ଜଣେ ସଚ୍ଚା ସନାତନୀ ପୁରୁଷ କେବେହେଲେ ପତ୍ନୀକୁ ପୁନର୍ବିବାହ ପାଇଁ ଅନୁମତି ଦେଇପାରିବ ନାହିଁ । ପତିନିଷ୍ଠା ରଖି ଓ ଭଗବାନଙ୍କୁ ଧ୍ୟାନକରି ସ୍ତ୍ରୀ ତା’ର ଅବଶିଷ୍ଟ ଜୀବନ କଟାଇ ଦେଉ ଅଥବା ‘ସତୀ’ ହୋଇ ପତିର ଚିତାରେ ଝାସଦେଉ, ‘ସନାତନୀ’ ସ୍ୱାମୀ କେବଳ ଏଇ ଦୁଇଟିର ଗୋଟାଏ କିଛି ପରାମର୍ଶ ଦେବ ।

 

ଏପରି ଯୁକ୍ତିଦ୍ୱାରା ଆଦର୍ଶର କେବଳ ଅପବ୍ୟବହାର କରାଯାଉଚି । ଅବଶ୍ୟ ପତ୍ରପ୍ରେରକ ସାଧୁ ଉଦ୍ଦେଶ୍ୟ ରଖି ଏପରି ଯୁକ୍ତି ଦେଖାଇଚନ୍ତି; କିନ୍ତୁ ନାରୀର ସତୀତ୍ୱ ନେଇ ସେ ଏଡ଼େ ଉଦ୍‌ବିଗ୍ନ ହୋଇପଡ଼ିଚନ୍ତି ଯେ, ସାଧାରଣ ବିଚାରଜ୍ଞାନ ମଧ୍ୟ ହରାଇ ବସିଚନ୍ତି । ଛୋଟ ଛୋଟ ପିଲାଙ୍କୁ ବାହା ଦେଲାବେଳେ କନ୍ୟାଦାନ ପ୍ରଶ୍ନ ଉଠୁଚି କେଉଁଠି ? ବାପର କି ଅଧିକାର ଅଛି ଯେ, ସେ ସନ୍ତାନକୁ ନିଜର ସମ୍ପତ୍ତି ପରି ବ୍ୟବହାର କରିବ ? ବାପ କେବଳ ପୁଅଝିଅଙ୍କର ଲାଳନପାଳନ କରିବ । ସନ୍ତାନର ସ୍ୱାଧୀନତାକୁ ବିକ୍ରୀକରି ନିଜ ଦାୟିତ୍ୱର ଅପବ୍ୟବହାର କଲେ ବାପର ସନ୍ତାନ ଉପରେ ଲାଳନପାଳନର ଅଧିକାର ମଧ୍ୟ ରହିବ ନାହିଁ । ତା’ପରେ ପିଲାବରକୁ କି ଦାନ ଦିଆଯାଇ ପାରିବ ? ଦାନ ଗ୍ରହଣ କରିବାର ଯୋଗ୍ୟତା ଯାହାର ହୋଇନାହିଁ, ତାକୁ କୌଣସି ଦାନ ଦିଆଯାଇପାରିବ ନାହିଁ । ଅବଶ୍ୟ କନ୍ୟାଦାନ ପ୍ରଥା ଆମ ଧର୍ମରେ ଚଳିଆସିଚି, ଏହାର ମଧ୍ୟ ଯଥେଷ୍ଟ ଆଧ୍ୟାତ୍ମିକ ମହତ୍ତ୍ୱ ଅଛି । ଏପରି ଶବ୍ଦଗୁଡ଼ିକୁ ଆକ୍ଷରିକ ଭାବରେ ପ୍ରୟୋଗ କରିବା ଅର୍ଥ ଭାଷା ଓ ଧର୍ମର ଅପବ୍ୟବହାର କରିବା । ପୁରାଣର ଉକ୍ତି ସବୁକୁ ଜଣେ ଆକ୍ଷରିକ ଭାବରେ ଗ୍ରହଣ କରି ପୃଥିବୀକୁ ଏକ ସମତଳ ପାତ୍ର ବୋଲି ମନେ କରିପାରେ । ବସୁଧାକୁ ଯେ ସହସ୍ରଫଣା ବାସୁକୀ ଟେକି ଧରିଚି ଓ ଭଗବାନ ଯେ କ୍ଷୀରସମୁଦ୍ରରେ ଅନନ୍ତଶୟନ କରିଚନ୍ତି, ଏସବୁ ବିଶ୍ୱାସକୁ ମଧ୍ୟ ସେ ନିଜ ମନରେ ସ୍ଥାନ ଦେଇପାରେ ।

 

ଯେଉଁ ବାପ ଅନ୍ୟାୟ ଭାବରେ ଜଣେ ବୁଢା ବା ଷୋଳସତର ବର୍ଷର ବାଳକସହିତ ନିଜ ଝିଅର ବିବାହ ଦେଇ ନିଜର ଦାୟିତ୍ୱର ଅପମାନ କରୁଚି, ନିଜର ବିଧବା କନ୍ୟାକୁ ପୁନର୍ବିବାହ ଦେଇ କେବଳ ସେ ତା’ରି ପାପର ପ୍ରାୟଶ୍ଚିତ୍ତ କରିପାରିବ । ଆଗରୁ ମଧ୍ୟ ମୁଁ କହିବି, ଏଇ ବାଲ୍ୟବିବାହକୁ ସବୁପ୍ରକାର ଅନୁମୋଦକ ବନ୍ଦ କରି ଦିଆଯାଉ ।

ୟଙ୍ଗ୍ ଇଣ୍ଡିଆ, ୧୧.୧୧.୨୬

Image

 

ବିଧବା ବିବାହ

 

ଜଣେ ବନ୍ଧୁ ଲେଖିଚନ୍ତି :–ଆମ ଦେଶର ଅଭାଗିନୀ ବିଧବାମାନଙ୍କ ବିଷୟରେ ଆପଣ ଟାଣୁଆ କରି କିଛି ଲେଖୁନାହାନ୍ତି କାହିଁକି ? ସେମାନଙ୍କ ବାପ ମା ବା ଅଭିଭାବକମାନେ କଦାପି କୌଣସି ଯୁକ୍ତିକୁ କାନ ଦେବେ ନାହିଁ । ବିଧବାମାନେ ନିଜେ ଏ ବିଷୟରେ ଆଗଭର ହୁଅନ୍ତୁ । ଏଥିପାଇଁ ଆପଣ ସେମାନଙ୍କୁ ଉତ୍ସାହିତ କରୁନାହାନ୍ତି କାହିଁକି ?

‘‘ତା’ ଛଡ଼ା ତ ଯୌତୁକ ପ୍ରଥା ଆଦି ସମାଜରେ ନାନାଦି କଦର୍ଯ୍ୟ ରୀତିରିଓ୍ୱାଜ ରହିଚି, ବାହାଘର ଓ ଶୁଦ୍ଧିଘର ଭୋଜୀଭାତ ମଧ୍ୟ ରହିଚି ।’’

ଅନେକ ଦୃଷ୍ଟିରୁ ବିଧବାବିବାହ ସମାଜର ଏକ ଆବଶ୍ୟକ ସଂସ୍କାର । ଆମ ଦେଶର ଯୁବକମାନେ ନିଜକୁ ଶୁଦ୍ଧପୁତ କରିପାରିଲେ କେବଳ ଏଇ ସଂସ୍କାରକୁ କାର୍ଯ୍ୟକାରୀ କରାଯାଇ ପାରିବ । ସେମାନେ କ’ଣ ନିଜ ମନରୁ ମଇଳାତକ ଧୋଇ ସାରିଲେଣି, ଯାହା ଶିକ୍ଷାପାଉଚନ୍ତି ତାକୁ ଜୀବନରେ ପ୍ରୟୋଗ କରି ଶିଖିଲେଣି ? ପିଲାଟି ଦିନରୁ ଆମର ରକ୍ତମାଂସ ଜଡ଼ାଇ ଗୋଟାଏ ଦାସତ୍ୱ ମନୋବୃତ୍ତି ଆମଭିତରେ ରହିଆସିଚି । ସ୍ୱାଧୀନଭାବରେ ଭାବି ନ ଶିଖିଲେ ଆମେ ସ୍ୱାଧୀନଭାବରେ କାମ କରିପାରିବା କିପରି ? ବିଦେଶୀ ଶିକ୍ଷାବ୍ୟବସ୍ଥା, ବିଦେଶୀ ସରକାର ସମସ୍ତେ ଆମର ହାତ ଗୋଡ଼ ବାନ୍ଧି ରଖିଚନ୍ତି । ସେଥିପାଇଁ ଯେତେ ଯାହା ସୁବିଧା ମିଳିଥାଉ ପଛକେ, ସେସବୁ କେବଳ ଆମର ବେଡ଼ୀକୁ ଆହୁରି ଶକ୍ତ କରିଦେଇଚି । ଆମ ଦେଶର ଏତେଗୁଡ଼ିଏ ଶିକ୍ଷିତ ଯୁବକ ଅଛନ୍ତି, ନିଜ ନିଜ ଘରେ ଅଭାଗିନୀ ହୋଇ ବଞ୍ଚିରହିଥିବା ବିଧବାମାନଙ୍କ କଥା କେତେ ଜଣ ଭାବୁଚନ୍ତି ? କେତେଜଣ ଲାଭ ଓ ସମ୍ପତ୍ତିର ଲାଳସାକୁ ଜୟକରି ପାରିଚନ୍ତି ? କେତେଜଣ ସେମାନଙ୍କୁ ନିଜର ମା’ଭଉଣୀପରି ମନେକରି ସେମାନଙ୍କର ସମ୍ମାନ ରଖିବାକୁ ଅଣ୍ଟାଭିଡ଼ି ବାହାରୁଚନ୍ତି ? ନିଜର ବିବେକ ଓ ବିଶ୍ୱାସରେ ଅବିଚଳିତ ରହି ଜାତି, ସମାଜ ତ୍ୟାଗ କରିବାକୁ କେତେଜଣଙ୍କର ସାହସ ଅଛି ? ତେବେ ଅଭାଗିନୀ ବିଧବାର ଆଉ ସାହସ ଭରସା କିଏ ଅଛି ? ମୁଁ ତାକୁ କିପରି ବୋଧ ଦେଇ ପାରିବି ? ସେମାନଙ୍କ ଭିତରୁ କେତେଜଣ ‘ନବଜୀବନ’ ପଢ଼ନ୍ତି ? ପଢ଼ିଲେ ମଧ୍ୟ କେତେଜଣଙ୍କର ବିଶ୍ୱାସ ଅନୁସାରେ କାର୍ଯ୍ୟ କରିବାର ସାମର୍ଥ୍ୟ ଅଛି ? ତଥାପି ମୁଁ ଏଇ ‘ନବଜୀବନ’ରେ ବିଧବାମାନଙ୍କ ଦୁଃଖପୂର୍ଣ୍ଣ ଜୀବନ ବିଷୟରେ ଅନେକ ଲେଖା ଲେଖିଚି ଏବଂ ଭବିଷ୍ୟତରେ ଆହୁରି ଲେଖିବି । ବର୍ତ୍ତମାନ ମୁଁ ସମସ୍ତଙ୍କୁ ଅନୁରୋଧ କରୁଚି, କାହାର ତତ୍ତ୍ୱାବଧାନରେ ଯଦି କେଉଁଠି ବିଧବା କନ୍ୟା ଥାଏ, ତେବେ ତାକୁ ବିବାହ ଦେଇ ସେ ତାର କର୍ତ୍ତବ୍ୟ ପାଳନ କରୁ ।

ଆମର ସାମାଜିକ ରୀତିନୀତି ବିଷୟରେ ଚିଠିରେ ଅନେକ କଥା ସ୍ପଷ୍ଟ ହୋଇଯାଇଚି । ଦେହଟା ସାରା ସଢ଼ିବାକୁ ବସିଲାଣି, ଏଠି ସେଠି ତାଳିପକାଇ ଆମେ ଚୁପ୍ ହୋଇ ବସିଯିବା କିପରି-? ଶୁଦ୍ଧିଘରରେ ଭୋଜୀ ଭାତ ଦେବା କେବଳ ବର୍ବରତାର ପରିଚୟ ଦିଏ । ବାହାଘର ଭୋଜୀ ମଧ୍ୟ ତା’ଠାରୁ କିଛି କମ୍ ନୁହେଁ । ଅବଶ୍ୟ ଦ୍ୱିତୀୟଟିକୁ କମ୍ ବର୍ବର ବୋଲି କୁହାଯାଇ ପାରେ । କାରଣ ପୃଥିବୀରେ ଚାରିଆଡ଼େ ସାଧାରଣତଃ ସମସ୍ତେ ବୈବାହିକ ଅନୁଷ୍ଠାନରେ ବହୁତ ଖରଚ କରନ୍ତି । କିନ୍ତୁ ଶୁଦ୍ଧିଘରରେ ଭୋଜୀଭାତ ଦେବାର ପ୍ରଥା କେବଳ ହିନ୍ଦୁଜାତିର ଅଛି । ଏଇସବୁ କୁପ୍ରଥା ପ୍ରତି ସମସ୍ତଙ୍କର ଦୃଷ୍ଟି ପଡ଼ିବା ଦରକାର ।

 

କିନ୍ତୁ କେବଳ ଲୋକଙ୍କର ନୈତିକ ଜାଗରଣ ଓ ସ୍ୱାଧୀନ ଚିନ୍ତାଶକ୍ତି ଆସିଲେ ପୂର୍ଣ୍ଣ ସଂସ୍କାର ସମ୍ଭବ ହୋଇ ପାରିବ । ଯେ ପର୍ଯ୍ୟନ୍ତ ଆମେ ସ୍ୱାଧୀନ ଭାବରେ ଭାବି ଓ କାମ କରି ନ ପାରିବା, ସେ ପର୍ଯ୍ୟନ୍ତ ଖାଲି ତାଳି ପକାଇଲେ ଆଉରି ବେଶୀ ଅପକାର ହେବ ସିନା, କିନ୍ତୁ ଲେଶମାତ୍ର ଉପକାର ହୋଇ ପାରିବ ନାହିଁ ।

ୟଙ୍ଗ୍ ଇଣ୍ଡିଆ, ୦୪.୦୨.୨୬

Image

 

ରୁଦ୍ଧ ମନୁଷ୍ୟତ୍ୱ

 

ଖାଲି ଯେ ଅସ୍ପୃଶ୍ୟମାନଙ୍କର ବିକାଶକୁ ଦବାଇ କରି ରଖାଯାଇଚି ତା’ନୁହେଁ, ହିନ୍ଦୁ ବିଧବାର ଜୀବନକୁ ମଧ୍ୟ ଚାରିଆଡ଼ୁ କିଳିଦିଆ ଯାଇଚି । ବଙ୍ଗଦେଶରୁ ଖଣ୍ଡେ ଚିଠି ଆସିଚି–

 

‘‘ମୁସଲମାନ ଜାତିରେ ବିଧବା ବିବାହ ପାଇଁ, କୌଣସି ବାଧା ନାହିଁ, କିନ୍ତୁ ଏଣେ ଚାରୋଟି ସ୍ତ୍ରୀ ବିବାହ କରିବାର ସ୍ୱାଧୀନତା ମଧ୍ୟ ପୁରୁଷକୁ ଦିଆଯାଇଚି । ଫଳରେ ଅନେକ ମୁସଲମାନଙ୍କର ଏକରୁ ଅଧିକ ସ୍ତ୍ରୀ ଅଛନ୍ତି । କୌଣସି ମୁସଲମାନ ଯୁବକ ପ୍ରାୟ ଅଭିଆଡ଼ା ହୋଇ ରହନ୍ତି ନାହିଁ । ତେଣୁ ଏକଥା କଣ ସତ ନୁହେଁ ଯେ, ଯେଉଁଠି ବିଧବାବିବାହ ଲାଗି କୌଣସି ପ୍ରତିବନ୍ଧକ ନାହିଁ, ସେ ସମାଜରେ ସ୍ତ୍ରୀ ସଂଖ୍ୟା ପୁରୁଷ ସଂଖ୍ୟାଠାରୁ ଅତ୍ୟଧିକ ବଳିପଡ଼ିବ ? ଅନ୍ୟକଥାରେ କହିବାକୁ ଗଲେ, ସମାଜରେ ବିଧବାବିବାହର ପ୍ରଚଳନ କଲେ ପୁରୁଷକୁ ବହୁପତ୍ନୀ ଗ୍ରହଣର ସୁବିଧା ଦେବାକୁ ପଡ଼ିବ ନାହିଁ କି ?

 

‘‘ହିନ୍ଦୁ ସମାଜରେ ବିଧବାବିବାହ ଚଳାଇଲେ ଯୁବତୀ ବିଧବାମାନେ ଯୁବକମାନଙ୍କୁ ବିବାହ କରିବାକୁ ପ୍ରବର୍ତ୍ତାଇବେ ନାହିଁ କି ? ଏପରି ହେଲେ ଅଭିଆଡ଼ୀ କନ୍ୟାମାନଙ୍କ ଲାଗି ବର ମିଳିବା କଷ୍ଟକର ହେବନାହିଁ କି ?

 

‘‘ବିବାହର ସୁବିଧା ନ ପାଇ ଏଇ ଅବିବାହିତା ଝିଅମାନେ ନାନାପ୍ରକାର ପାପାଚରଣ କରିବେ ନାହିଁକି ? ବିଧବାମାନଙ୍କୁ ଜବରଦସ୍ତି ବିଧବା ରଖା ଯାଉଥିବାରୁ ଯେଉଁସବୁ ପାପାଚରଣ ହେଉଚି ବୋଲି ଅନେକ କହୁଚନ୍ତି, ବିଧବାବିବାହ ପ୍ରଚଳନ କଲେ ଅବିବାହିତା ଝିଅମାନେ ସେଇସବୁ ପାପ କରିବାର ଆଶଙ୍କା ରହିଚି । ହିନ୍ଦୁପାଇଁ ବହୁପତ୍ନୀ ଗ୍ରହଣ ବ୍ୟବସ୍ଥା ନ କଲେ ସମାଜରେ ପୁଣି ସେଇ ପାପମାନ ପଶିଯିବ ନାହିଁ କି ?

 

‘‘ହିନ୍ଦୁସମାଜରେ ବିଧବାବିବାହର ପ୍ରବର୍ତ୍ତନ କରିବା ପୂର୍ବରୁ ଆପଣ ଯେ ପ୍ରେମ, ବିଶୁଦ୍ଧ ଗାର୍ହସ୍ଥ୍ୟ ଜୀବନ ଓ ପାତିବ୍ରତ୍ୟ ପ୍ରଭୃତିକୁ ଭୁଲିଯିବେ ନାହିଁ, ଏ କଥା ଆପଣମାନଙ୍କର ମନେ ପକାଇଦେବା ମୁଁ ଦରକାର ମନେ କରୁନାହିଁ ।’’

 

ବିଧବାବିବାହ ବନ୍ଦ କରିବା ପାଇଁ ଅତିଶୟ ବ୍ୟଗ୍ର ହୋଇପଡ଼ି ପତ୍ରପ୍ରେରକ ଅନେକ ବିଷୟ ଛାଡ଼ି ଯାଇଚନ୍ତି । ହଁ, ଏକାଧିକ ସ୍ତ୍ରୀ ଗ୍ରହଣ କରିବା ରୀତି ମୁସଲମାନ ସମାଜରେ ରହିଚି, କିନ୍ତୁ ପ୍ରାୟ ଅଧିକାଂଶ ମୁସଲମାନ କେବଳ ଗୋଟିଏ ସ୍ତ୍ରୀ ବିବାହ କରନ୍ତି । ପତ୍ରପ୍ରେରକ ବୋଧହୁଏ ଜାଣିନାହାନ୍ତି ଯେ, ଭାରତବର୍ଷରେ ବହୁପତ୍ନୀଗ୍ରହଣର ବ୍ୟବସ୍ଥା ରହିଚି । ଅନେକ ଉଚ୍ଚଶ୍ରେଣୀର ହିନ୍ଦୁମଧ୍ୟ ଏକାଧିକ ପତ୍ନୀଗ୍ରହଣ କରିଚନ୍ତି । ରାଜାମାନଙ୍କର ବିବାହରେ ତ କୌଣସି ବାଡ଼ବତା ନାହିଁ-। ପତ୍ରପ୍ରେରକ ମଧ୍ୟ ଏକଥା ଭୁଲିଯାଇଚନ୍ତି ଯେ କେବଳ ଏଇ ତଥାକଥିତ ଉଚ୍ଚଶ୍ରେଣୀ ମଧ୍ୟରେ ବିଧବା ବିବାହର ପ୍ରଚଳନ ନାହିଁ । ଶୂଦ୍ର ଜାତିରେ ବିଧବାମାନେ ଅବାଧରେ ବିବାହ କରିପାରନ୍ତି, କିନ୍ତୁ ତା’ଦ୍ୱାରା ତ କୌଣସି ଖରାପ ପରିଣାମ ହୋଇନାହିଁ । ବହୁପତ୍ନୀ ଗ୍ରହଣର ସ୍ୱାଧୀନତା ରହିଥିଲେହେଁ ସେମାନେ ଅନେକ ସ୍ଥଳରେ ଗୋଟିଏ ପତ୍ନୀ ଗ୍ରହଣ କରି ସନ୍ତୁଷ୍ଟ ରହିଚନ୍ତି ।

 

ପତ୍ରପ୍ରେରକ ପୁଣି ଲେଖିଚନ୍ତି ଯେ, ବିଧବାମାନେ ଯୁବକମାନଙ୍କୁ ବାହାହେଲେ ଅବିବାହିତା ଝିଅମାନଙ୍କ ପାଇଁ ଆଉ ପାତ୍ର ମିଳିବେ ନାହିଁ । ଏଥିରୁ ଜଣାଯାଉଚି ପତ୍ରପ୍ରେରକଙ୍କର ଆଦୌ ଅନୁପାତ ଜ୍ଞାନ ନାହିଁ । ଅବିବାହିତା ଝିଅମାନଙ୍କର ସତୀତ୍ୱ ରକ୍ଷାପାଇଁ ଅତ୍ୟଧିକ ମୁଣ୍ଡ ଘୁରାଇ ସେ କେବଳ ନିଜର ଅପରାଧୀ ମନର ପରିଚୟ ଦେଇଚନ୍ତି । କେତୋଟି ବିଧବା ବିବାହ କଲେ ଅବିବାହିତା କନ୍ୟାଙ୍କ ପାଇଁ କେବେହେଲେ ପାତ୍ର ନିଅଣ୍ଟ ପଡ଼ିବେ ନାହିଁ । ଏପରି ଏକ ଅଚଳ ଅବସ୍ଥା ଘଟିବ ବୋଲି ଧରି ନିଆଗଲେ ମଧ୍ୟ, ବାଲ୍ୟ ବିବାହକୁ ସେ ଅଚଳ ଅବସ୍ଥାର କାରଣ ବୋଲି ଧରିବାକୁ ହେବ । ତେଣୁ ବିଧବାବିବାହ ବନ୍ଦ କରିବା ଅପେକ୍ଷା ବାଲ୍ୟବିବାହ ବନ୍ଦକଲେ ଭବିଷ୍ୟତକୁ ଏପରି ବିପଦ ଆଉ ନ ଥିବ ।

 

ଯେଉଁଠି ବାଳୁତ ବିଧବାର ପ୍ରଶ୍ନ ଉଠୁଚି, ସେଠି ପ୍ରେମ, ପବିତ୍ର ଗୃହସ୍ଥାଶ୍ରମ ପ୍ରଭୃତି ବିଷୟରେ କିଛି କୁହା ନ ଯିବା ଭଲ ।

 

କିନ୍ତୁ ପତ୍ରପ୍ରେରକ ମୋ କଥାର ଅସଲ ମର୍ମ ମୋଟେ ବୁଝିପାରି ନାହାନ୍ତି । ସବୁ ବିଧବା ବିବାହ କରନ୍ତୁ–ମୁଁ କେବେ ଏ କଥା କହିନାହିଁ । ସାର ଗଙ୍ଗାରାମ ଯେଉଁ ହିସାବ ସଂଗ୍ରହ କରିଥିଲେ ଓ ଯାହା ବିଷୟରେ ମୁଁ ଆଲୋଚନା କରିଥିଲି, ସେଥିରେ କେବଳ ୧୫ ବର୍ଷରୁ କମ୍ ବୟସର ବିଧବାମନଙ୍କର କଥା କୁହାଯାଇଥିଲା । ଏଇ ନିରୀହ ଅସହାୟା ବାଳିକାମାନେ ପାତିବ୍ରତ୍ୟ ଧର୍ମ କହିଲେ କଣ ବୁଝିବେ ? ପ୍ରେମ କଣ ସେମାନେ ଜାଣନ୍ତି ନାହିଁ । ଏଇପରି ଛୋଟ ଛୋଟ ବାଳିକାମାନଙ୍କୁ ବିବାହ ଦେବା ଅନୁଚିତ, ଏକଥା କହିଥିଲେ ପତ୍ରପ୍ରେରକଙ୍କର ଯୁକ୍ତି ଅଧିକ ସୁନ୍ଦର ଓ ସଙ୍ଗତ ହୋଇଥାନ୍ତା । ବିବାହ କହିଲେ ଯଦି ଆମେ ନୂତନ ଜୀବନରେ ପ୍ରବେଶ କରିବାର ଏକ ପବିତ୍ର ଅନୁଷ୍ଠାନ ବୋଲି ବୁଝୁ, ତେବେ ବିବାହଯୋଗ୍ୟ ହେବା ପୂର୍ବରୁ ପ୍ରତ୍ୟେକ ବାଳିକାର ପୂର୍ଣ୍ଣ ବିକାଶ ହେବା ଉଚିତ, ନିଜର ଜୀବନର ସାଥୀ ବାଛି ନେବାର ସ୍ୱାଧୀନତା ତାକୁ ଦିଆଯିବା ଉଚିତ ଏବଂ ସେ ଦାମ୍ପତ୍ୟ ଜୀବନର ଦାୟିତ୍ୱ ବୁଝିବା ଉଚିତ । ଦୁଇଟି ପିଲାଙ୍କ ହାତ ଗଅଁଣ୍ଠେଇ ଦେଇ ତାକୁ ବିବାହ ବୋଲି କହିଲେ, ଆଉ ସ୍ୱାମୀ ମରିଗଲେ ସେଇ ପିଲାଟିକୁ ବିଧବା ବୋଲି କହି ମଣିଷ ସମାଜ ଓ ଭଗବାନଙ୍କ ବିରୁଦ୍ଧରେ ଆମେ ଗୁରୁତର ଅପରାଧ କରିବା ।

 

ହିନ୍ଦୁ ବିଧବା ସମାଜର ଏକ ଅମୂଲ୍ୟ ସମ୍ପଦ, ମୁଁ ଏହା ବିଶ୍ୱାସ କରେ । ମଣିଷସମାଜକୁ ସେ ହେଉଚି ହିନ୍ଦୁଧର୍ମର ଏକ ପବିତ୍ର ଦାନ । ରାମାବାଈ ରାଣାଡ଼େ ଏଇପରି ଜଣେ ଆଦର୍ଶ ବିଧବା ଥିଲେ, କିନ୍ତୁ ବାଳୁତ ବିଧବା ହିନ୍ଦୁଧର୍ମର କଳଙ୍କସ୍ୱରୂପ, ସମାଜରେ ରାମାବାଈଙ୍କ ପରି ବିଧବା ରହିଲେ ମଧ୍ୟ ଏଇ କଳଙ୍କ ଲିଭାଇ ହେବନାହିଁ ।

ୟଙ୍ଗ୍ ଇଣ୍ଡିଆ, ୧୯.୦୮.୪୬

Image

 

ପିଲାକନ୍ୟା ଓ ବାଳୁତ ବିଧବା

 

ମାନ୍ଦ୍ରାଜର ପାଚିଆପ୍‍ପା କଲେଜରେ ଭାଷଣ ଦେଇ ଗାନ୍ଧିଜୀ କହିଲେ–

 

ଛାତ୍ରମାନଙ୍କୁ ବାଳୁତ ବିଧବାମାନଙ୍କ ବିଷୟରେ କିଛି କହିବାକୁ ଜଣେ ତାମିଲ ବନ୍ଧୁ ମୋତେ କହିଚନ୍ତି । ମୁଁ ତାଙ୍କଠାରୁ ଶୁଣିଚି ଯେ, ଭାରତର ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ମାନ୍ଦ୍ରାଜରେ ବାଳୁତବିଧବାମାନେ ବେଶୀ ନିର୍ଯାତନା ସହ୍ୟ କରୁଚନ୍ତି । ଏକଥା କେତେଦୂର ସତ୍ୟ, ମୁଁ ଜାଣେ ନା, ଆପଣମାନେ ଏ ବିଷୟରେ ମୋଠାରୁ ନିଶ୍ଚୟ ଅଧିକ ଜାଣିଥିବେ ? ମୁଁ କେବଳ ଏତିକି କହୁଚି ଯେ, ନାରୀର ସେବାପାଇଁ ଆପଣମାନେ ନିଜକୁ ପ୍ରସ୍ତୁତ କରନ୍ତୁ । ଯଦି ନାରୀଜାତିର ମଙ୍ଗଳ କରିବାକୁ ଆପଣମାନଙ୍କର ଇଚ୍ଛା ଥାଏ, ତେବେ ମୁଁ ସେଇ ବିଷୟରେ କେତୋଟି କଥା କହିବି । ବୋଧହୁଏ ଆପଣମାନଙ୍କ ଭିତରୁ ଅନେକ ବିବାହ କରିନାହାନ୍ତି ଏବଂ ଅଧିକାଂଶ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଆସିଚନ୍ତି । ଜାଣିଶୁଣି ମୋତେ ଅଧିକାଂଶ ବୋଲି କହିବାକୁ ପଡ଼ୁଚି, କାରଣ ମୁଁ ଛାତ୍ରମାନଙ୍କୁ ଭଲକରି ଜାଣେ । ଯେଉଁ ଛାତ୍ର ନିଜର ଭଉଣୀକୁ କାମଚକ୍ଷୁରେ ଦେଖେ, ତାକୁ କଦାପି ବ୍ରହ୍ମଚାରୀ କୁହାଯାଇ ପାରିବ ନାହିଁ । ମୋର ଇଚ୍ଛା, ବିଧବା ଛଡ଼ା ଆପଣମାନେ ଅନ୍ୟ କୌଣସି ବାଳିକାକୁ ବିବାହ କରିବେ ନାହିଁ, ଏଇ ଶପଥ କରି ଏଠାରୁ ଯାନ୍ତୁ । ଏଇ ପ୍ରତିଜ୍ଞା କରନ୍ତୁ ଯେ, ବିଧବା କନ୍ୟା ନ ମିଳିଲେ ଆପଣମାନେ ଆଦୌ ବିବାହ କରିବେ ନାହିଁ । ଏଇ ଦୃଢ଼ ସଂକଳ୍ପଟିକୁ ସାଧାରଣ ଭାବରେ ଘୋଷଣା କରିଦିଅନ୍ତୁ । ବାପମା’ଙ୍କୁ ଓ ଭଉଣୀମାନଙ୍କୁ ସବୁକଥା ପରିଷ୍କାର କରି କହିଦିଅନ୍ତୁ । ମୁଁ ସେମାନଙ୍କୁ ବିଧବାକନ୍ୟା ବୋଲି କହୁଚି, କାରଣ ଦଶପନ୍ଦର ବର୍ଷ ବୟସର ବାଳିକାମାନଙ୍କୁ ଖାଲି ସ୍ୱାମୀ ମରିଯାଇଚି ବୋଲି ବିଧବା କହିହେବ ନାହିଁ ବିବାହବେଳେ ସେମାନଙ୍କର ମତାମତ କେହି ପଚାରି ନ ଥିଲେ, ବାହାଘର ପରେ ସ୍ୱାମୀ ସହିତ ରହିବାର ସୁଯୋଗ ସେମାନଙ୍କୁ ଦିଆଯାଇ ନଥିଲା ଏବଂ ସ୍ୱାମୀ ମରିଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ବିଧବା କରି ଦିଆଗଲା । ସେମାନଙ୍କୁ ବିଧବା କହିବା ଅର୍ଥ ଭାଷାର ଅପଳାପ କରିବା ଓ ଧର୍ମଦ୍ରୋହୀ ହେବା । ହିନ୍ଦୁ ଧର୍ମରେ ‘ବିଧବା’ ଶବ୍ଦର ଏକ ପବିତ୍ର ଅର୍ଥ ଅଛି । ସ୍ୱର୍ଗୀୟା ରାମାବାଈ ରାଣାଡ଼େଙ୍କ ପରି ଆଦର୍ଶ ବିଧବାମାନଙ୍କୁ ମୁଁ ପୂଜା କରେ । ସେ ଠିକ୍‍ଭାବରେ ବିଧବାର ବ୍ରତ ହୃଦୟଙ୍ଗମ କରିଥିଲେ । କିନ୍ତୁ ନଅ ବର୍ଷର ସୁକୁମାରୀ ବାଳିକା ସ୍ୱାମୀ କହିଲେ କଣ ବୁଝିବ ? ଅବଶ୍ୟ ଯଦି ଏ ପ୍ରଦେଶରେ ଏପରି ବାଳୁତ ବିଧବା ନ ଥାନ୍ତି, ତେବେ ଭଲ କଥା; କିନ୍ତୁ ଯଦି ମାନ୍ଦ୍ରାଜରେ ବାଳୁତ ବିଧବା ଥାନ୍ତି, ତେବେ ନିଜେ ବିଧବା-ବିବାହ କରି, ପ୍ରଦେଶରୁ ସେଇ କଳଙ୍କ ଦୂର କରିବାରେ ପବିତ୍ର କର୍ତ୍ତବ୍ୟ ଆପଣମାନଙ୍କର ରହିଚି । ଜାତିର ପାପର ଫଳ ତାକୁ ଅଙ୍ଗେ ଅଙ୍ଗେ ଭୋଗିବାକୁ ହେବ, ମୁଁ ଏ କଥାରେ ବିଶ୍ୱାସ କରେ–ଅବଶ୍ୟ ଏହାକୁ ଅନ୍ଧବିଶ୍ୱାସ କୁହାଯାଇ ପାରେ । ମୁଁ ଭାବୁଚି ଯେ, ଏଇ ସବୁ ପାପ ଫଳରେ ଆମେ ପରାଧୀନ ହୋଇ ରହିଚୁ । ହୁଏତ ଇଂଲଣ୍ଡର କମନ୍‍ସ ସଭାରୁ ଦେଶପାଇଁ ଅତି ଉତ୍ତମ ଶାସନ ଖସଡ଼ା ତିଆରି ହୋଇ ଆସିପାରେ, କିନ୍ତୁ ଶାସନ ଚଳାଇବା ପାଇଁ ଦେଶରେ ଯଦି ଯୋଗ୍ୟ ଲୋକ ନ ଥାନ୍ତି, ତେବେ ସେଥିରେ ଆମର କିଛି ଫଳ ହେବନାହିଁ । ଯେ ପର୍ଯ୍ୟନ୍ତ ଦେଶର ବିଧବାକୁ ଜୋର ଜବରଦସ୍ତି କରାଯାଇ ତା’ର ମୌଳିକ ଆବଶ୍ୟକତାରୁ ତାଙ୍କୁ ବଞ୍ଚିତ କରାଯାଉଚି, ସେ ପର୍ଯ୍ୟନ୍ତ ଆମେ ୩୦ କୋଟି ଲୋକଙ୍କର ଶାସନଦାୟିତ୍ୱ ମୁଣ୍ଡାଇ ପାରିବା କି, ସେ ପର୍ଯ୍ୟନ୍ତ ଆମକୁ ଆତ୍ମଶାସନ ସମର୍ଥ ମଣିଷ ବୋଲି କୁହାଯାଇ ପାରିବ କି ? ଅଧର୍ମ ଛଡ଼ା ଏହାକୁ କଣ କୁହାଯାଇପାରେ ? ହିନ୍ଦୁଧର୍ମର ପୂର୍ଣ୍ଣ ମର୍ମ ବୁଝି କେବଳ ମୁଁ ଏହା କହୁଚି । ପାଶ୍ଚାତ୍ୟ ଲୋକାଚାରରେ ଭାସିଯାଇ ମୁଁ ଏକଥାମାନ କହୁଚି ବୋଲି ଯେପରି ମୋତେ କେହି ଭୁଲ ନ ବୁଝନ୍ତି-। ଭାରତର ସଭ୍ୟତାଧାରା ମୋର ଶିରାଶିରାରେ ବହି ଚାଲିଚି । ଅବଶ୍ୟ ପାଶ୍ଚାତ୍ୟ ସଭ୍ୟତାରୁ ମୁଁ ଅନେକ ଜିନିଷ ଗ୍ରହଣ କରିଚି; କିନ୍ତୁ ଏଇଟି ପୁରା ଭାରତୀୟ । ହିନ୍ଦୁଧର୍ମରେ ଏପରି ବୈଧବ୍ୟ ଧର୍ମର ଆଦୌ ଉଲ୍ଲେଖ ନାହିଁ ।

 

ବାଳୁତ ବିଧବାମାନଙ୍କ ବିଷୟରେ ମୁଁ ଯାହାସବୁ କହିଚି, ପିଲାକନ୍ୟାଙ୍କ ପାଇଁ ମଧ୍ୟ ଠିକ୍ ସେଇସବୁ ଲାଗୁ କରାଯାଇପାରିବ । ଏଥିପାଇଁ ଆପଣମାନଙ୍କୁ ଇନ୍ଦ୍ରିୟସଂଯମ ଅବଲମ୍ୱନ କରିବାକୁ ହେବ, ୧୬ ବର୍ଷରୁ କମ୍ ବୟସର ବାଳିକାକୁ ବିବାହ ନ କରିବା ପାଇଁ ଆପଣମାନେ ଏଇଠୁ ସଂକଳ୍ପ କରି ଯା’ନ୍ତୁ । ମୁଁ କହୁଚି ବାଳିକାମାନଙ୍କର ବିବାହ ବୟସ ୨୦ ରଖାଯାଉ, କୋଡ଼ିଏ ବର୍ଷ ମଧ୍ୟ ଖୁବ୍ ଜଲଦି ହୋଇଯାଉଚି । ଆମ ଦେଶର ବାଳିକାମାନେ ଖୁବ୍ ଶୀଘ୍ର ବୟଃପ୍ରାପ୍ତା ହୋଇ ଯାଉଚନ୍ତି, ଏଥିଲାଗି ଜଳବାୟୁକୁ ଦୋଷ ନ ଦେଇ ଆମ ନିଜକୁ ଦୋଷୀ କରିବାକୁ ହେବ । କାରଣ ମୁଁ କୋଡ଼ିଏ ବର୍ଷ ବୟସରେ ଅନେକ ବାଳିକାଙ୍କୁ ଜାଣେ, ଯେଉଁମାନେ ଏ ପର୍ଯ୍ୟନ୍ତ ଶୁଦ୍ଧ ଓ ପବିତ୍ର ରହିପାରିଚନ୍ତି ଓ ସମସ୍ତ ପ୍ରଲୋଭନ ଏଡ଼ାଇ ଦେଇ ଆସିଚନ୍ତି । ଏଇ ଅସମୟୋଚିତ ବୟଃପ୍ରାପ୍ତି ପାଇଁ ଆମ୍ଭେମାନେ ଯେପରି ଆନନ୍ଦ ଅନୁଭବ ନ କରୁଁ । ବ୍ରାହ୍ମଣ ଛାତ୍ରମାନେ ମୋ ପାଖରେ ଆପତ୍ତି କରିଛନ୍ତି ଯେ, ସେମାନେ ଏ ନିୟମରେ ଚଳିପାରିବେ ନାହିଁ, କାରଣ ସମାଜରେ ୧୬ ବର୍ଷରୁ ବେଶୀ ବୟସର ବ୍ରାହ୍ମଣ କନ୍ୟା କଦାପି ମିଳିବେ ନାହିଁ । ବ୍ରାହ୍ମଣଘର ଝିଅମାନେ ସାଧାରଣତଃ ୧୨/୧୩ ବର୍ଷ ବୟସରେ ବାହା ହୋଇ ଚାଲିଯାଆନ୍ତି । ତେବେ ମୁଁ ବ୍ରାହ୍ମଣ ଯୁବକମାନଙ୍କୁ କହିବି–‘‘ନିଜକୁ ଯଦି ସଂଯତ କରି ନ ପାରୁଚ, ତେବେ ବ୍ରାହ୍ମଣ ଧର୍ମ ଛାଡ଼ିଦିଅ । ୧୬ ବର୍ଷର କୌଣସି ବାଳୁତବିଧବା ଦେଖି ବିବାହ କର । ଯଦି ବ୍ରାହ୍ମଣ କୁଳରେ ସେଇ ବୟସର ବିଧବା ନ ମିଳୁଚନ୍ତି, ତେବେ ଅନ୍ୟ ବର୍ଣ୍ଣର ବାଳିକା ବିବାହ କର । ୧୨ ବର୍ଷର ଗୋଟିଏ ପିଲାକନ୍ୟାକୁ ନିର୍ଯାତିତ ନ କରି ଯେ ବର୍ଣ୍ଣାନ୍ତର ବିବାହ କରିବ, ତାକୁ ନିଶ୍ଚୟ ଭଗବାନ ଆଶୀର୍ବାଦ କରିବେ । ହୃଦୟକୁ ନିର୍ମଳ ନ କଲେ, ଇନ୍ଦ୍ରିୟ ଲାଳସାକୁ ଜୟ କରି ନ ପାରିଲେ, ଆପଣମାନେ ଶିକ୍ଷିତ ବୋଲାଇ ପାରିବେ ନାହିଁ । ଏଇ ବିଦ୍ୟାଳୟକୁ ଆପଣ ମହାବିଦ୍ୟାପୀଠ ବୋଲି କହିଚନ୍ତି । ଏଇ ମହାବିଦ୍ୟାପୀଠରୁ ଏପରି ଛାତ୍ର ବାହାରିବା ଉଚିତ, ଯେଉଁମାନେକି ନିଜର ଚରିତ୍ରକୁ ଶୁଦ୍ଧ ଓ ନିର୍ମଳ କରି ପାରିବେ । ନିଜର ଚରିତ୍ର ଶୁଦ୍ଧ ରଖି ଆପଣ ଏଇ ଅନୁଷ୍ଠାନର ନାମ ସାର୍ଥକ କରନ୍ତୁ । ଚରିତ୍ର ଶୁଦ୍ଧି ନ ହେଲେ ଶିକ୍ଷାକୁ ଶିକ୍ଷା କୁହାଯାଇ ପାରିବ ନାହିଁ; ପ୍ରଥମେ ନିଜର ଚିତ୍ତଶୁଦ୍ଧି ନ କଲେ ଚରିତ୍ର ଗଠନ ସମ୍ଭବ ହୋଇ ପାରିବ ନାହିଁ । ବ୍ରାହ୍ମଣ ଧର୍ମ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ଅଛି । ମୁଁ ସବୁବେଳେ ବର୍ଣ୍ଣାଶ୍ରମ ଧର୍ମର ପକ୍ଷ ସମର୍ଥନ କରି ଆସିଚି । କିନ୍ତୁ ଯେଉଁ ବ୍ରାହ୍ମଣ ଧର୍ମରେ ଅସ୍ପୃଶ୍ୟତା, ବାଳୁତ ବିଧବା-ପାପ, ବାଲ୍ୟ ବିବାହକୁ ପ୍ରଶୟ ଦିଆଯିବ, ମୁଁ ତାକୁ କେବେହେଲେ ଗ୍ରହଣ କରି ପାରିବି ନାହିଁ । ଏହାକୁ କେବଳ ନକଲିମାର୍କା ବ୍ରାହ୍ମଣ ଧର୍ମ କୁହାଯାଇ ପାରିବ । ସେପରି ଧର୍ମରେ କାହାର ପ୍ରକୃତ ବ୍ରାହ୍ମଣର ଜ୍ଞାନ ନାହିଁ । ଶାସ୍ତ୍ର କଦାପି ତାକୁ ଅନୁମୋଦନ କରିବ ନାହିଁ, ଏହାକୁ କେବଳ ଏକ ଖାଣ୍ଟି ପଶୁଧର୍ମ ବୋଲି କୁହାଯାଇ ପାରେ । ପ୍ରକୃତ ବ୍ରାହ୍ମଣ ଧର୍ମରେ ଅନେକ ସାର ଜିନିଷ ଅଛି । ଏସବୁ କଥା ଆପଣମାନେ ଭଲକରି ଚିନ୍ତା କରନ୍ତୁ । ବକ୍ତୃତା ଦେବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କ ପ୍ରତି ମୁଁ ଠିକ୍ ନଜର ରଖିଚି । ପ୍ରାଣର ଉତ୍ସାହରେ ଏସବୁ କଥା କହି ଯାଉଥିଲା ବେଳେ କାହା ମୁହଁରେ ବେଖାତିରିର ହସ ଦେଖିଲେ ପ୍ରକୃତରେ ମୋ ମନରେ ଗଭୀର କଷ୍ଟ ହୁଏ । ଆପଣମାନଙ୍କ ସହିତ ମୁଁ ବୁଦ୍ଧି ଲଢ଼ିବାକୁ ଆସି ନାହିଁ, କେବଳ ଆପଣମାନଙ୍କ ହୃଦୟ ବିଗଳିତ କରିବା ମୋର ଉଦ୍ଦେଶ୍ୟ । ଆପଣମାନଙ୍କଠାରେ ଦେଶ ବହୁତ ଆଶା ରଖିଚି, ତେଣୁ ମୁଁ ଯାହା ସବୁ କହିଲି, ସେଗୁଡ଼ିକ ଆପଣ ଅତ୍ୟାବଶ୍ୟକ ମନେ କରି ନିଶ୍ଚୟ ମନେ ରଖିଥିବେ ।

ୟଙ୍ଗ୍ ଇଣ୍ଡିଆ, ୧୫.୦୯.୨୭

Image

 

ବାହାଘର ଉଠିଯାଉ !

 

ଜଣେ ପରିଚିତ ପ୍ରଶ୍ନପ୍ରେରକ ଗୋଟିଏ ପ୍ରଶ୍ନ ଉଠାଇଚନ୍ତି । ମୁଁ ଜାଣେ ଯେ ଚିଠିରେ ସେ ଯାହାସବୁ ଲେଖିଚନ୍ତି ସେସବୁ ତାଙ୍କର ନିଜ ମତ ନୁହେଁ । ତଥାପି କେବଳ ଆଲୋଚନା ଦୃଷ୍ଟିରୁ ସେଇ ବିଷୟରେ କିଛି ଲେଖୁଚି । ‘‘ସେ ପଚାରିଚନ୍ତି–ଆମ ସମାଜରେ ଯେଉଁ ନୈତିକତା ଅଛି, ତାହା ଅସ୍ୱାଭାବିକ ନୁହେଁ କି ? ସ୍ୱାଭାବିକ ହୋଇଥିଲେ ସବୁ କାଳରେ ସବୁ ଦେଶରେ ତ ଗୋଟିଏ ପ୍ରକାରର ନୈତିକ ବିଧାନ ଥା’ନ୍ତା, କିନ୍ତୁ ବସ୍ତୁତଃ ପ୍ରତ୍ୟେକ ଜାତି ଓ ଗୋଷ୍ଠିର ଭିନ୍ନ ଭିନ୍ନ ବିବାହ ନିୟମ ରହିଚି ଏବଂ ସବୁଠି ପଶୁବଳ ପ୍ରୟୋଗ କରାଯାଇ ଲୋକମାନଙ୍କ ଉପରେ ସେସବୁ ନିୟମକୁ ମଡ଼ାଇ ଦିଆଯାଇଚି । ପଶୁମାନଙ୍କ ମଧ୍ୟରେ ମଧ୍ୟ ଦେଖାଯାଏ ନାହିଁ, ଏପରି ଅନେକ ରୋଗ ମଣିଷ ସମାଜରେ ବ୍ୟାପିବାକୁ ଆରମ୍ଭ କଲାଣି । ଶିଶୁହତ୍ୟା, ଗର୍ଭନାଶ, ବାଲ୍ୟ ବିବାହ ଏସବୁ ପଶୁ ସଂସାରରେ ଅସମ୍ଭବ, କିନ୍ତୁ ମଣିଷ ସମାଜରେ ସେସବୁ କଳଙ୍କ ପରି ଲାଗି ରହିଚି । ଆମ ସମାଜ ବିବାହକୁ ଏକ ପବିତ୍ର ଅନୁଷ୍ଠାନ ବୋଲି କହୁଚି, ଅଥଚ ଏଇସବୁ ନୀତିବିଧାନରୁ ଯେ କେତେ ଜଣ ଅନିଷ୍ଟ ସୃଷ୍ଟି ହୋଇଚି, ତାହାର ଶେଷ ନାହିଁ । ଆଉ ଏକ ଅଭାଗିନୀ ହିନ୍ଦୁ ବିଧବା–ବର୍ତ୍ତମାନ ପ୍ରଚଳିତ ବିବାହ ବିଧାନ ତାର ଦୁର୍ଦ୍ଦଶାର ଏକମାତ୍ର କାରଣ ନୁହେଁ କି ? ମଣିଷ ଆଜି ସେଇ ପ୍ରକୃତି ଯୁଗକୁ ଫେରି ଯାଉ ଓ ପଶୁ ସମାଜରୁ ନୀତିଶିକ୍ଷା କରୁ ।

 

ମୁଁ ଜାଣେ ନା ପାଶ୍ଚାତ୍ୟ ଦେଶମାନଙ୍କରେ ଯେଉଁମାନେ ଅବୈଧ ପ୍ରଣୟର ପ୍ରଚାର କରନ୍ତି, ସେମାନେ ଉଲ୍ଲିଖିତ ଯୁକ୍ତିକୁ ସମର୍ଥନ କରିବେ କି ନାହିଁ । ହୁଏତ ସେମାନେ ଆହୁରି ଟାଣୁଆ ଯୁକ୍ତିସବୁ ବାଢ଼ି ପାରିବେ; କିନ୍ତୁ ମୁଁ ଭଲକରି ଜାଣେ ବିବାହ-ବନ୍ଧନକୁ ବର୍ବର ବୋଲି କହିବା ପାଶ୍ଚାତ୍ୟରୁ ମାଗି ଆଣିଥିବା ମନୋଭାବ ଛଡ଼ା ଆଉ କିଛି ନୁହେଁ । ତଥାପି ତର୍କର ବିଷୟବସ୍ତୁ ମଧ୍ୟ ଯଦି ସେଇ ପାଶ୍ଚାତ୍ୟରୁ ଉଧାର କରି ଅଣା ହୋଇଥାଏ, ତେବେ ତାର ଜବାବ ଦେବା ଖୁବ୍ ସହଜ-

 

ମଣିଷ ଓ ପଶୁର ତୁଳନା କରିବାକୁ ଯାଇ ଆମେ ମସ୍ତ ଭୁଲ କରି ପକାଉ ଏବଂ ଏଇ ଭ୍ରମାତ୍ମକ ତୁଳନାଦ୍ୱାରା ସମସ୍ତ ଯୁକ୍ତିଟି ମଧ୍ୟ ଭ୍ରମାତ୍ମକ ହୋଇ ପଡ଼େ । କାରଣ ନୈତିକ ପ୍ରବୃତ୍ତି ଓ ନୈତିକ ସଂଗଠନ ଦୃଷ୍ଟିରୁ ମଣିଷ ପଶୁଠାରୁ ଯଥେଷ୍ଟ ବଡ଼ । ମଣିଷ ସମାଜରେ ପ୍ରକୃତିର ନିୟମ ପ୍ରୟୋଗ କରିବା ଯାହା, ପଶୁ ସୃଷ୍ଟିରେ ସେଇ ନିୟମ ପ୍ରୟୋଗ କରିବା ତା’ଠାରୁ ଏକାବେଳକେ ଅଲଗା । ମଣିଷ ଭଲ ମନ୍ଦ ବିଚାରେ, ବିବେଚନା କରିପାରେ ଏବଂ ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରେ; କିନ୍ତୁ ପଶୁଠାରେ ଏସବୁ ଗୁଣର ଅଭାବ ରହିଚି । ପଶୁ ସ୍ୱାଧୀନ ଭାବରେ କିଛି କରି ପାରିବ ନାହିଁ, ପାପ ପୁଣ୍ୟ ଓ ଭଲ ମନ୍ଦ ବିଚାର କରିବାର ଶକ୍ତି ପଶୁଠାରେ ନାହିଁ; କିନ୍ତୁ ମଣିଷ ଭିତରେ ସ୍ୱାଧୀନ ଭାବରେ ଚିନ୍ତା କରିବାର କ୍ଷମତା ଥିବାରୁ ମଣିଷ ଏସବୁ କରିପାରେ । ଯେତେବେଳେ ସେ ନିଜର ସୁପ୍ରବୃତ୍ତି ଅନୁସାରେ କାର୍ଯ୍ୟକରେ, ସେତେବେଳେ ସେ ପଶୁଠାରୁ ଉଚ୍ଚତର ସ୍ତରକୁ ଉଠିଯାଏ ଏବଂ ଦୁଷ୍ପ୍ରବୃତ୍ତିର ଅଧୀନ ହୋଇ ରହିଲେ ପଶୁଠାରୁ ଅଧିକ ହୀନ ହୋଇପଡ଼େ । ଜଗତରେ ଆମେ ଯେଉଁମାନଙ୍କୁ ସବୁଠାରୁ ଅସଭ୍ୟ ଆଦିମ ଜାତିର ଲୋକ ବୋଲି କହୁ, ସେମାନଙ୍କର ମଧ୍ୟ କେତେକ ଯୌନସମ୍ୱନ୍ଧୀୟ ନୀତି ନିୟମ ରହିଚି । ଯଦି ଏଇ ନୀତି ନିୟମ ରହିବାଟାକୁହିଁ ବର୍ବରତା ବୋଲି କୁହାଯିବ, ତେବେ ‘ଯେଝା ଖୁସିକୁ ଯିଏ’ ଏଇ ନିୟମକୁ ସମାଜରେ ଚଳାଇବାକୁ ହେବ । କିନ୍ତୁ ଏଇ ବାଡ଼ ବତା ନ ଥିବା ଅବସ୍ଥା ସୃଷ୍ଟି କରାଗଲେ, ଦିନକ ଭିତରେ ସମାଜ ଅରାଜକ ହୋଇଯିବ । ପଶୁଠାରୁ ମଣିଷ ଅଧିକ ଭାବାତୁର, ତେଣୁ ତା’ଉପରୁ ସମସ୍ତ ପ୍ରକାର ନିୟମର ବାଧା ଉଠାଇ ନେଲେ, ତାର ଇନ୍ଦ୍ରିୟ ପ୍ରବୃତ୍ତି ପଘା ଛିଣ୍ଡାଇଲା ପରି ସମାଜରେ ଖେଦି ଯାଇ ନିଜକୁ ପରିତୃପ୍ତ କରିବାକୁ ଚେଷ୍ଟା କରିବ ଓ ମଣିଷ ସମାଜ ନଷ୍ଟ ଛିନ୍ନଛତ୍ର ହୋଇଯିବ-। କେବଳ ମଣିଷ ଆତ୍ମସଂଯମ ଓ ତ୍ୟାଗର ଅନୁଗମନ କରିପାରେ । ପଶୁ ପାଖରେ ତା ଅସମ୍ଭବ । ଏଇଥିପାଇଁ ମନୁଷ୍ୟ ପଶୁଠାରୁ ବଡ଼ ।

 

ବିବାହର ନିୟମଭଙ୍ଗ କରିବା ଦୋଷରୁ ଆଜି ସମାଜରେ କଦର୍ଯ୍ୟ ରୋଗମାନ ଦେଖା ଦେଇଚି । ବିବାହବିଧାନର ସମସ୍ତ ସୂତ୍ର ପାଳନ କରୁଥିବା କୌଣସି ଲୋକ ଯେ କେବେ ସେଇସବୁ ରୋଗରେ ପିଡ଼ିତ, ଏପରି ଗୋଟାଏ ଦୃଷ୍ଟାନ୍ତ ମୋତେ ଦେଖାଇପାରିବ କି ? ଶିଶୁହତ୍ୟା, ବାଲ୍ୟବିବାହ ଏସବୁ ରୋଗ କେବଳ ସେଇ ନିୟମ ଲଙ୍ଘନ କରିବାଦ୍ୱାରା ସମାଜରେ ପଶିପାରିଚି-। କାରଣ ନିୟମ କହୁଚି ଯେ, କେବଳ ବୟଃପ୍ରାପ୍ତି ପରେ ନିଜର ପସନ୍ଦ ଅନୁସାରେ ବିବାହ କରିପାରିବ-ସୁସ୍ୱାସ୍ଥ୍ୟ, ସଂଯମଶକ୍ତି ଓ କୁଳରକ୍ଷାର ପ୍ରବୃତ୍ତି ଏସବୁ ମଧ୍ୟ ବିବାହର ଗୋଟିଏ ଗୋଟିଏ ସର୍ତ୍ତ । ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ମନେକରି ଯେଉଁମାନେ ଏଇ ନିୟମସବୁ ପାଳନ କରନ୍ତି, ସେମାନେ ଚିରଜୀବନ ସୁଖୀ ହୋଇ ରହନ୍ତି । ପବିତ୍ର ବିବାହରେ କେବଳ ଶରୀରର ନୁହେଁ, ଆତ୍ମାର ମଧ୍ୟ ମିଳନ ହୋଇଥାଏ ଏବଂ ସ୍ୱାମୀ ବା ସ୍ତ୍ରୀ ଜଣେ କେହି ମରିଯିବା ପରେ ମଧ୍ୟ ବନ୍ଧନ ତୁଟିଯାଏ ନାହିଁ । ଯେଉଁ ବିବାହରେ ଆତ୍ମାର ମିଳନ ହୋଇଚି, ସେଠି ବିଧବା ବିବାହ ବା ଦ୍ୱିତୀୟ ସ୍ତ୍ରୀ ଗ୍ରହଣର ପ୍ରଶ୍ନ ଉଠାଇବା ଏକାବେଳକେ ଅସୁନ୍ଦର ଓ ଅବାନ୍ତର । କିନ୍ତୁ ଏଇସବୁ ନିୟମର ଲଙ୍ଘନ କରାଯାଇଥିଲେ କୌଣସି ବିବାହକୁ ବିବାହ ବୋଲି କୁହାଯାଇ ପାରିବ ନାହିଁ । ଆଜିକାଲି ଖୁବ୍ କମ ପବିତ୍ର ବିବାହ ଦେଖିବାକୁ ମିଳିବ, କିନ୍ତୁ ତା’ ବୋଲି ବିବାହ ବ୍ୟବସ୍ଥାକୁ ଦୋଷ ଦେଲେ ଚଳିବ ନାହିଁ-। ବର୍ତ୍ତମାନ ଚଳୁଥିବା ବିବାହପଦ୍ଧତିକୁ ବଦଳାଇବାକୁ ହେବ ।

 

ବିବାହ ଏକ ନୈତିକ ଧର୍ମବନ୍ଧନ, ଏକଥା ପତ୍ରପ୍ରେରକ ସ୍ୱୀକାର କରୁନାହାନ୍ତି । ତାଙ୍କ ମତରେ ଏହା କେବଳ ଏଇ ସାମାଜିକ ପ୍ରଥା ଏବଂ ଏଇ ପ୍ରଥା ଧର୍ମ ଓ ନୀତିର ବିରୋଧୀ; ତେଣୁ ବାହାଘର ଏକାବେଳକେ ଉଠିଯିବା ଉଚିତ । କିନ୍ତୁ ମୁଁ କହିଚି ଧର୍ମରକ୍ଷା ପାଇଁ ବିବାହ ଠିକ୍ ଏକ ଘେରୋଉ ବାଡ଼ ପରି, ବାଡ଼ ଭାଙ୍ଗିଦେଲେ ଧର୍ମ ମଧ୍ୟ ନଷ୍ଟ ହୋଇଯିବ । ସଂଯମ ଉପରେ ଧର୍ମର ମୂଳଦୂଆ ଠିଆ ହୋଇଚି ଏବଂ ବିବାହକୁ କେବଳ ସଂଯମ ଛଡ଼ା ଆଉ କିଛି କୁହାଯାଇ ନ ପାରେ । ଅସଂଯମ ମଣିଷ କେବେହେଲେ ଆତ୍ମୋପଲବ୍ଧି କରିପାରିବ ନାହିଁ । ଜଣେ ନାସ୍ତିକ ବା ଜଡ଼ବାଦୀ ମନରେ ସଂଯମର ଆବଶ୍ୟକତା ବିଷୟରେ ପ୍ରତ୍ୟୟ ଜନ୍ମାଇବା ବଡ଼ କଷ୍ଟ, ଏକଥା ମୁଁ ମାନୁଚି । କିନ୍ତୁ ଭଙ୍ଗୁର ଶରୀର ଓ ଅବିନଶ୍ୱର ଆତ୍ମା ବିଷୟରେ ଯାହାର ଠିକ୍ ଜ୍ଞାନ ଥିବ, ସେ ନିଶ୍ଚୟ ବୁଝିପାରିବ ଯେ ଆତ୍ମସଂଯମ ଓ ଆତ୍ମଶାସନ ବ୍ୟତୀତ କେହି ପରମଜ୍ଞାନ ଲାଭ କରିପାରିବ ନାହିଁ-। ମଣିଷ ଇଚ୍ଛା କଲେ ଶରୀରକୁ କେବଳ ଇନ୍ଦ୍ରିୟମାନଙ୍କର ଶିକାର ପଡ଼ିଆ କରି ରଖିପାରେ, ପୁଣି ସେଇ ମଣିଷ ଇଚ୍ଛା କଲେ ନିଜର ଶରୀରକୁ ଆତ୍ମଜ୍ଞାନ ଲାଭର ପବିତ୍ର ମନ୍ଦିର ଭାବରେ ବ୍ୟବହାର କରିପାରେ । ଶରୀରକୁ ଯଦି ଆତ୍ମଜ୍ଞାନର ପୂଜାପୀଠ ବୋଲି ବିଚାର କରାଯାଏ, ତେବେ ତା’ ଭିତରେ ଆଉ ଅସଂଯମର ସ୍ଥାନ ରହିପାରିବ ନାହିଁ । ଆତ୍ମା ନିଶ୍ଚୟ ପ୍ରତ୍ୟେକ ମୁହୂର୍ତ୍ତରେ ଦେହର ଲିପ୍ସାକୁ ନାଶ କରୁଥିବ ।

 

ବିବାହ ବନ୍ଧନକୁ ହୁଗୁଳା କରିଦେଲେ ନାରୀକୁ ନେଇ ଶେଷକୁ ସମାଜରେ ପଶାଖେଳ ଚାଲିବ ଏବଂ କେହି ଆତ୍ମସଂଯମ ପାଳନ କରିବେ ନାହିଁ । ପଶୁ ପରି ଆମେ ଯଦି ସମସ୍ତ ସଂଯମ ଭୁଲିଯାଉ, ତେବେ ଅଚିରେ ପୃଥିବୀରୁ ଆମର ସତ୍ତା ଲୁପ୍ତ ହୋଇଯିବ । ପତ୍ରପ୍ରେରକ ଯେଉଁସବୁ ଦୋଷ ତ୍ରୁଟିର ଅଭିଯୋଗ ଆଣିଚନ୍ତି, କେବଳ ବିବାହବିଧାନକୁ ଠିକ୍ ଭାବରେ ବୁଝି ସେଗୁଡ଼ିକ ପାଳନ କରିପାରିଲେ ସେସବୁ ଦୂର କରାଯାଇ ପାରିବ; କିନ୍ତୁ ବାହାଘର ଉଠାଇଦେଲେ କିଛି ଫଳ ହେବନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ ।

 

ମୁଁ ଜାଣେ ଯେ ଅନେକ ଗୋଷ୍ଠୀଭିତରେ ଖୁବ୍ ନିକଟସମ୍ପର୍କରେ ମଧ୍ୟ ବିବାହର ପ୍ରଚଳନ ଅଛି । ଅନେକ ଜାତିରେ ମଧ୍ୟ ଏହାର ପ୍ରଚଳନ ନାହିଁ । ଅନେକ ଜାତିରେ ଏକାଧିକ ସ୍ତ୍ରୀ ଗ୍ରହଣର ସ୍ୱାଧୀନତା ଅଛି । ଅନ୍ୟ କେତେକ ଜାତିରେ ନାହିଁ । ଅବଶ୍ୟ ସବୁଜାତିଙ୍କ ପାଇଁ ଗୋଟିଏ ରକମର ନୀତିବିଧାନ ରହୁ । ଏକଥା ସମସ୍ତେ ଚାହାନ୍ତି; କିନ୍ତୁ ଗୋଟିଏ ନୀତିସୂତ୍ର ନାହିଁ ବୋଲି ଯେ ସବୁପ୍ରକାର ନୀତିନିୟମକୁ ଏକାବେଳେକେ ଲୋପ କରି ଦିଆଯିବା ଉଚିତ, ଏହାକୁ କେବେ ହେଲେ ସୁଯୁକ୍ତି କୁହାଯାଇ ପାରିବ ନାହିଁ । ଆମେ ଯେତିକି ଯେତିକି ଆଗକୁ ଯିବା, ଆମର ପରସ୍ପରର ନୀତିବିଧାନମାନ ସେତେ ସେତେ ଏକ ହୋଇ ଯାଉଥିବ । ବର୍ତ୍ତମାନ ମଧ୍ୟ ପୃଥିବୀର ଯାଗାରେ ଏକ ସ୍ତ୍ରୀ ଗ୍ରହଣକୁ ଆଦର୍ଶ ବୋଲି ଧରାଯାଉଚି ଏବଂ କୌଣସି ଧର୍ମରେ ବହୁ ସ୍ତ୍ରୀ ବିବାହକୁ ନିୟମ କରି ରଖାଯାଇ ନାହିଁ । ଦେଶକାଳ ଅନୁସାରେ ଅବଶ୍ୟ କାର୍ଯ୍ୟକ୍ଷେତ୍ରରେ ବ୍ୟତିକ୍ରମ ଘଟିଚି; କିନ୍ତୁ ସେଇ ଆଦର୍ଶ ଏପର୍ଯ୍ୟନ୍ତ ମଧ୍ୟ ଆଦର୍ଶ ହୋଇ ରହିଚି ।

 

ବିଧବାବିବାହ ସମ୍ୱନ୍ଧରେ ମୋର ମତକୁ ଦୋହରାଇ ଲାଭ ନାହିଁ; କାରଣ ବାଳୁତ ବିଧବାମାନେ ପୁନର୍ବିବାହ କରନ୍ତୁ । ଏ କଥାକୁ ମୁଁ କେବଳ ଉଚିତ ବୋଲି କହୁନାହିଁ; ଅଧିକନ୍ତୁ ଯେଉଁମାନଙ୍କର ବିଧବା କନ୍ୟା ଅଛନ୍ତି ସେମାନଙ୍କୁ ବିବାହ ଦେଇଦେବା ବାପମା’ଙ୍କର କର୍ତ୍ତବ୍ୟ ବୋଲି ମୁଁ ଜୋର ଦେଇ କହୁଚି ।

ୟଙ୍ଗ୍ ଇଣ୍ଡିଆ, ୦୩.୦୬.୨୬

Image

 

ଖିଆଲୀ ଭାବନା

 

ଗୋଟିଏ ଚିଠି ଲେଖା ହୋଇଚି–‘‘ବାହାଘର ଉଠିଯାଉ’ ଲେଖାଟିରେ ଆପଣ ଗୋଟିଏ ଯାଗାରେ ଲେଖିଚନ୍ତି–ପବିତ୍ର ବିବାହରେ କେବଳ ଶରୀରର ନୁହେଁ, ଆତ୍ମାର ମିଳନ ମଧ୍ୟ ହୋଇଥାଏ । ସ୍ୱାମୀ ବା ସ୍ତ୍ରୀ ଜଣେ କେହି ମରିଯିବା ପରେ ମଧ୍ୟ ସେ ବନ୍ଧନ ତୁଟିଯାଏ ନାହିଁ । ଯେଉଁ ବିବାହରେ ଆତ୍ମାର ମିଳନ ହୋଇଚି, ସେଠି ବିଧବା ବିବାହ ବା ଦ୍ୱିତୀୟ ସ୍ତ୍ରୀଗ୍ରହଣର ପ୍ରଶ୍ନ ଉଠାଇବା ଏକାବେଳକେ ଅସୁନ୍ଦର ଓ ଅବାନ୍ତର ।’’

 

‘‘ଆଉ ଗୋଟିଏ ଯାଗାରେ ଆପଣ ପୁଣି କହିଚନ୍ତି–ବାଳୁତ ବିଧବାମାନେ ପୁନର୍ବିବାହ କରନ୍ତୁ ଏକଥାକୁ ମୁଁ କେବଳ ଉଚିତ ବୋଲି କହୁନାହିଁ, ଅଧିକନ୍ତୁ ଯେଉଁମାନଙ୍କର ବିଧବାକନ୍ୟା ଅଛନ୍ତି, ସେମାନଙ୍କୁ ବିବାହ ଦେଇଦେବା ବାପମା’ଙ୍କର କର୍ତ୍ତବ୍ୟ ବୋଲି ମୁଁ ଜୋର ଦେଇ କହୁଚି ।’’

 

ଏ ଦୁଇଟି କଥା ପରସ୍ପରର ବିରୋଧୀ ନୁହନ୍ତି କି ?

 

ଦୁଇଟି କଥାରେ ମୁଁ ଆଦୌ ବିରୋଧ ଦେଖି ପାରୁନାହିଁ । ଯେଉଁଠି ମୂର୍ଖ ପଥରହୃଦୟ ବାପମା’ମାନେ ଝିଅର କଲ୍ୟାଣ ପ୍ରତି ଦୃଷ୍ଟି ନ ଦେଇ ତାକୁ ନ ପଚାରି କନ୍ୟାକୁ ବିବାହ ଦେଇଦିଅନ୍ତି, ତାକୁ କଦାପି ବିବାହ କୁହାଯାଇ ପାରିବ ନାହିଁ । ଏହାକୁ କେବେହେଲେ ଧର୍ମବନ୍ଧନ ବୋଲି କୁହାଯିବ ନାହିଁ; ତେଣୁ ଏପରି କ୍ଷେତ୍ରରେ ଝିଅ ବିଧବା ହୋଇଗଲେ ତାର ପୁନର୍ବିବାହ ଦେଇଦେବା ବାପମା’ଙ୍କର କର୍ତ୍ତବ୍ୟ । ବସ୍ତୁତଃ ଏସବୁ ସ୍ଥଳରେ ‘ପୁନର୍ବିବାହ’ କହିଲେ ଠିକ୍ ଅର୍ଥ ବୁଝାଯାଉନାହିଁ । କାରଣ ପ୍ରଥମ ବିବାହକୁ ଯଥାର୍ଥ ବିବାହ କହିବା ଭୁଲ ହେବ ଏବଂ ସେଇ କଳ୍ପିତ ସ୍ୱାମୀ ମରିଗଲେ, ଝିଅକୁ ଆଉ ଗୋଟିଏ ଉପଯୁକ୍ତ ପାତ୍ର ଦେଖି ବିବାହ ଦେଇଦେବା ବାପମା’ଙ୍କ ପରମ କର୍ତ୍ତବ୍ୟ ।

ୟଙ୍ଗ୍ ଇଣ୍ଡିଆ, ୨୬.୦୯.୨୯

Image

 

ଜଣେ ବାଳବିଧବାର କାହାଣୀ

 

ବେଜଓ୍ୱାଡ଼ାରୁ ଏଲୋର ଯାଉଥିଲାବେଳେ ଶୁଣିଲି ଯେ, ଗୋଟିଏ ବାଳିକା ଟ ୧୪୦୦/- ମୂଲ୍ୟର ନିଜର ସମସ୍ତ ସୁନାରୂପା ଅଳଙ୍କାର ଦେଇ ମୋତେ ତା’ଘରକୁ ଯିବାକୁ ନିମନ୍ତ୍ରଣ କରି ଆସିଚି । ବାଳିକାଟି ଅଳ୍ପଦିନ ହେଲା ବିଧବା ହୋଇଥାଏ । ଆମର ପେଡ଼ାପାଡ଼ୁ ଯିବାର ଥାଏ, ସେଠାରୁ ବାଳିକାଟିର ଗାଁ ମୋଟେ ଦୁଇମାଇଲ ବାଟ । ତାର ଜାତିରେ ସମସ୍ତେ ପର୍ଦ୍ଦା ମାନି ଚଳନ୍ତି, ତେଣୁ ଅଳ୍ପଦିନ ହେଲା ବିଧବା ହୋଇଥିବା ବାଳିକା ପକ୍ଷରେ ସାଧାରଣ ସଭାରେ ଯୋଗଦେବାକୁ ଆସିବା କମ୍‌ ସାହସର କଥା ନ ଥିଲା । ତା’ର ଅଳଙ୍କାର ଗ୍ରହଣ କରିବାରେ ମୋର ବେଶୀ ମନ ନ ଥିଲା । ବାଳୁତବିଧବାଟି ଯେ ତାର ସକଳ ଅଳଙ୍କାର ଉତ୍ସର୍ଗ କରିଦେବାକୁ ଆସିଚି, ଏ କଥା ଶୁଣି ପ୍ରଥମେ ବିଶ୍ୱାସ କରି ପାରିଲିନାହିଁ । କିନ୍ତୁ ବାଳିକାଟିର ବୟସ ଅତି କମ୍‌ ଓ ସେ ଖୁବ୍‌ ନିକଟରେ ବିଧବା ହୋଇଚି, ଏଇ କଥାହିଁ ମୋତେ ତା’ଘରକୁ ଟାଣି ନେଇଗଲା । ସେଠାକୁ ଯାଇ ପ୍ରକୃତରେ ଖୁବ୍‌ ଖୁସି ଲାଗିଲା । ବାଳିକାଟିର ନାଁ ହେଉଚି ସତ୍ୟବତୀ ଦେବୀ । ବୟସ କୋଡ଼ିଏ ବର୍ଷରୁ କମ୍‌ । ତାର ସ୍ୱାମୀ ଜଣେ ଶିକ୍ଷିତ ଓ ଜାତୀୟବାଦୀ ଯୁବକ ଥିଲେ-। ସେ ଖୁବ୍‌ ଭଲ ତେଲୁଗୁ ଜାଣେ । ଦେଖିଲି ପିଲାଟିର ଖୁବ୍‌ ସାହସ ଅଛି । ତା’ର ବାପ ମା ବଞ୍ଚିଛନ୍ତି । ମୋର ମନେ ପଡ଼ୁଛି, ସେ ସବୁ ଗହଣାତକ ଆଣି ମୋ ହାତରେ ଭରିଦେଲା । ପ୍ରକୃତରେ ସେସବୁର ଦାମ ଟ୧୪୦୦/ - ହେବ । ତା’ସହିତ ଖଣ୍ଡେ ଚିଠିରେ ତାକୁ ମୋର ଆଶ୍ରମକୁ ନେଇଯିବାକୁ ଅନୁରୋଧ କରି ମଧ୍ୟ ଲେଖିଥିଲା । ସେତେବେଳେ ତାର ବାପମା’ ସେଇଠି ଥାନ୍ତି । ଖଦୀକାମ ପାଇଁ ଝିଅ ଯେ ଗହଣାତକ ଦାନ କରିଦେଉଛି, ଏଥିରେ ସେମାନଙ୍କର ପୂର୍ଣ୍ଣ ସମ୍ମତି ଥିଲା । ବାପମା’ଙ୍କୁ ମୁଁ କହିଲି–ଝିଅକୁ କବାଟକଣରେ କାହିଁକି ରଖିଚ, ଘରର ଅନ୍ୟ ଝିଅମାନଙ୍କ ପରି ସେ ଚଳିବ ନାହିଁ କାହିଁକି ?’’ ବାଳିକାଟିକୁ କହିଲି ଯେ, ବିଧବା ହୋଇ ଯାଇଚି ବୋଲି ଗହଣାଗାଣ୍ଠି ତକ ଦେଇଦେବାର କୌଣସି ଆବଶ୍ୟକ ନାହିଁ । କିନ୍ତୁ ସେ ଏକାବେଳେକେ ଅଟଳ । ଗହଣାଗୁଡ଼ିକ ଆଉ କୌଣସି କାମରେ ଲାଗିବ ବୋଲି ସେ ଭାବିପାରୁ ନ ଥିଲା । ବାପମା’ ରାଜି ହେଲେ ଝିଅଟିକୁ ଆଶ୍ରମକୁ ନେଇଯିବାରେ ମୋର କୌଣସି ଆପତ୍ତି ନ ଥିଲା ବୋଲି ତାକୁ କହିଲା । ବାପମା’ ଏଇକଥା ବିଚାର କରିବେ ବୋଲି କହିଚନ୍ତି ଏବଂ ମୋର ଗସ୍ତ ସରିଲାବେଳକୁ ମୋ’ସହିତ ପଠାଇଦେବେ ବୋଲି ଝିଅଟିକୁ ବୋଧ ଦେଇଚନ୍ତି । ବାପ ଖୁବ୍‌ ଜଗିଜଗି ଅଳ୍ପ କଥା କହୁଥିଲେ ମଧ୍ୟ ମୁଁ ଜାଣିପାରିଲି ଝିଅଟି ପ୍ରତି ତାଙ୍କର ଶ୍ରଦ୍ଧା ଥିଲା ଓ ସେ ସବୁବେଳେ ଝିଅର ଶୁଭକାମନା କରୁଥିଲେ । ବିଧବା ଝିଅଟିକୁ ସାନ୍ତ୍ୱନା ଦେବାକୁ ମୁଁ ଅଧିକ କିଛି କରିପାରିଲି ନାହିଁ, ସେଥିପାଇଁ ମୁଁ ଦୁଃଖିତ । ତା’ଠାରୁ ବିଦାୟ ନେଇ ଆସିଲା ବେଳକୁ ମନରେ ବଡ଼ ଦୁଃଖ ହେଲା ।

 

ପେଡ଼ାପାଡ଼ୁ ସଭାରେ ମୁଁ ଏଇ ବାଳିକାଟିର କଥା ବକ୍ତୃତାରେ କହିଥିଲି । ପର୍ଦ୍ଦାପ୍ରଥା ଦୂର କରି ବିଧବାମାନଙ୍କୁ ପୁନର୍ବିବାହ ଦେବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମୁଁ ସଭାରେ କହିଥିଲି । ଅଠର ବର୍ଷ ବୟସର ଜଣେ ଯୁବକର ସ୍ତ୍ରୀ ମରିଗଲେ ସେ ଦ୍ୱିତୀୟବାର ବିବାହ ହୋଇ ପାରୁଚି, ତେବେ ସେଇ ବୟସର ବିଧବା ସେ ଅଧିକାରରୁ ବଞ୍ଚିତ ହେବ କାହିଁକି ? ଅବଶ୍ୟ ସ୍ୱେଚ୍ଛାପ୍ରଣୋଦିତ ବୈଧବ୍ୟ ବ୍ରତ ହିନ୍ଦୁଧର୍ମରେ ଏକ ଗୌରବର ବିଷୟ, କିନ୍ତୁ ନିର୍ବୋଧପରି ବିଧବାକୁ ଜବରଦସ୍ତ ପୁନର୍ବିବାହରୁ ବଞ୍ଚିତ କରାଗଲେ ତାହା ହିନ୍ଦୁଧର୍ମରେ କଳଙ୍କପରି ଲାଗି ରହିବ-। ସମସ୍ତେ ମୋ କଥାକୁ ମନ ଦେଇ ଶୁଣିଥିଲେ । ସେଇ ବାଳିକାଟିର ବାପ ମଧ୍ୟ ସଭାରେ ଉପସ୍ଥିତ ଥାନ୍ତି । ମୁଁ ପଛରେ ଜାଣିଲି ଯେ, ନିଜର ଗହଣାସବୁ ଉତ୍ସର୍ଗ କରିଦେବାର ଧାରଣା ପ୍ରଥମେ ସେଇ ବାଳିକାଟିର ମନରେ ଜନ୍ମିଥିଲା ଏବଂ ଆଉଥରେ ବିବାହ କରିବାକୁ ତା’ର ମୋଟେ ଇଚ୍ଛା ନ ଥିଲା-। ଉଚ୍ଚଶିକ୍ଷା ପାଇ ଶେଷରେ ଦେଶର ସେବାରେ ଜୀବନ ଉତ୍ସର୍ଗ କରିବ ଏଇ ତା’ର ଜୀବନର ଲକ୍ଷ୍ୟ ବୋଲି ମୁଁ ଶୁଣିଲି । ଏହିପରି ମହାନ୍‌ ଲକ୍ଷ୍ୟ ରଖିଥିବା ହେତୁ ସତ୍ୟବାଦୀ ନିଶ୍ଚୟ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବ । ଏଇପରି ବିଧବାମାନେ ଇଚ୍ଛାକଲେ ପୁନର୍ବିବାହ କରିପାରିବେ, ହିନ୍ଦୁ ସମାଜ ସେମାନଙ୍କୁ ବାଟ ଛାଡ଼ିଦେବା ଉଚିତ । ସବୁଦିନ ଶହ ଶହ ହିନ୍ଦୁପରିବାରରେ ସତ୍ୟବତୀର ଦୃଷ୍ଟାନ୍ତ ପରି ଘଟଣାମାନ ଘଟିଯାଉଚି । କୌଣସି ବିଧବା ପୁନର୍ବିବାହ କରିବାକୁ ଇଚ୍ଛା କରୁଚି; ମାତ୍ର ଏକ ନିଷ୍ଠୁର ପ୍ରଥାକୁ ଭୟ କରି ନିଜର ଅଭିଳାଷ ତୃପ୍ତ କରିପାରୁନାହିଁ, ଯେତେଦିନଯାଏ ତାକୁ ଏଇପରି ଭାବରେ ଜବରଦସ୍ତି ଗୋଡ଼ହାତ ବାନ୍ଧି ରଖାଯାଇଥିବ ସେତେଦିନ ଯାଏ ଏଇ ହିନ୍ଦୁ ସମାଜ ଉପରେ ନିଶ୍ଚୟ ହିନ୍ଦୁବିଧବାର ଅଭିଶାପ ପଡ଼ୁଥିବ ।

ୟଙ୍ଗ୍ ଇଣ୍ଡିଆ, ୦୨.୦୫.୨୯

Image

 

ନାରୀକୁ ମୁକ୍ତି ଦିଅ

 

ମାନ୍ଦ୍ରାଜର ପ୍ରସିଦ୍ଧ ନାରୀକର୍ମୀ ଡା: ଏସ୍‌. ମୁଥୁଲକ୍ଷ୍ମୀ ରେଡ଼ି ଖଣ୍ଡେ ଲମ୍ବା ଚିଠି ପଠାଇଚନ୍ତି । ଆନ୍ଧ୍ରଦେଶରେ ଦେଇଥିବା ଗୋଟିଏ ବକ୍ତୃତା ବିଷୟରେ ଚିଠିଟି ଲେଖା ଯାଇଚି । ସେଇ ଚିଠିରୁ କେତେକ ଭଲ ଭଲ ଅଂଶ ମୁଁ ଉଦ୍ଧାର କରୁଚି : –

 

ବେଜଓ୍ୟାଡ଼ାରୁ ଗୁଣ୍ଟୁର ଯିବା ଭିତରେ ଆମ ଜାତିର ଦୈନନ୍ଦିନ ଜୀବନକୁ ଶୀଘ୍ର ପରିମାର୍ଜିତ କରି ଦେବାପାଇଁ ଆପଣ ଯାହା କହିଚନ୍ତି, ମୋତେ ସେସବୁ ଖୁବ୍‌ ଭଲ ଲାଗିଚି ।

 

‘‘ଜଣେ ଡାକ୍ତର ହିସାବରେ ମୁଁ କହିପାରେ ଯେ, ମୁଁ ଆପଣଙ୍କ ସହିତ ସଂପୂର୍ଣ୍ଣ ଏକମତ-। କିନ୍ତୁ ମୁଁ ଏଠି ଆଉ ଟିକିଏ କହିଦେବାକୁ ଚାହୁଁଚି ଯେ, କେବଳ ସ୍ତ୍ରୀଶିକ୍ଷା ଦ୍ୱାରା ସାମାଜିକ ସଂସ୍କାର, ସୁସ୍ୱାସ୍ଥ୍ୟ ଏବଂ ସୁସ୍ୱାସ୍ଥ୍ୟକର ଜୀବନ ସବୁ ସମ୍ଭବ ହୋଇ ପାରିବ ।

 

‘‘ବର୍ତ୍ତମାନ ସମାଜରେ ସ୍ତ୍ରୀର ଶିକ୍ଷାର ପରିସର ଖୁବ୍‌ ଛୋଟ- ତାର ଦେହମନର ପୂର୍ଣ୍ଣ ବିକାଶ ପାଇଁ ଓ ଆତ୍ମପ୍ରକାଶ ପାଇଁ ସମାଜରେ ଯଥେଷ୍ଟ ସୁଯୋଗ ଦିଆଯାଉ ନାହିଁ ।

 

‘‘ସମାଜିକ ରୀତିନୀତି ଓ ଲୋକାଚାରର ଗୁରୁବୋଝ ତଳେ ସେମାନଙ୍କର ମଣିଷପଣିଆକୁ ଚାପି ମାରି ଦିଆହେଉ ନାହିଁ କି ?

 

‘‘ନାରୀର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ମୂଳରେ ବାଲ୍ୟବିବାହର ପ୍ରଥା କୁଠାରାଘାତ କରୁନାହିଁ କି ?

 

‘‘ପିଲାଟି ଦିନରୁ ବିବାହ କରି ଓ ସନ୍ତାନ ପ୍ରସବ କରି ନାରୀ ନିର୍ମମ ନିର୍ଯ୍ୟାତନା ସହ୍ୟ କରୁଚି, କେହି ପୁଣି ବିଧବା ହେଉଚି, କାହାକୁ ସ୍ୱାମୀ ଘରୁ ବାହାର କରି ଦେଉଚି । ଏସବୁ ଦୁଃଖଯାତନାର ପ୍ରତିକାର ଅତି ଶୀଘ୍ର କରାଯିବା ଉଚିତ ନୁହେଁ କି ?

 

‘‘ଧର୍ମ ନାଁରେ କେତେ କେତେ ସୁକୁମାରୀ ବାଳିକାକୁ ପାପମୟ ପତିତ ଜୀବନଭିତରେ ଜଡ଼ାଇ ରଖାଯାଉଚି ଏବଂ ହିନ୍ଦୁ ସମାଜ ତାକୁ ସହ୍ୟ କରୁଚି ଓ ପ୍ରତିବିଧାନର କୌଣସି ଚେଷ୍ଟା କରୁନାହିଁ ।

 

‘‘ଆପଣ କଣ ଭାବୁନାହାନ୍ତି ଯେ, ସମାଜର ଏଇ ଉତ୍ପୀଡ଼ନ ଫଳରେ ଭାରତର ନାରୀଜାତି ତାର ସମସ୍ତ ସାହସ ଓ ଶକ୍ତି ହରାଇ ବସିଚି ? ସେ ଆଉ ସ୍ୱାଧୀନ ଭାବରେ ଭାବି ପାରୁନାହିଁ, କୌଣସି କାମରେ ଆଗଭର ହୋଇ ବାହାରି ପାରୁନାହିଁ । ପୁରାତନ ଯୁଗର ମୈତ୍ରେୟୀ, ଗାର୍ଗୀ ଓ ସାବିତ୍ରୀଙ୍କର କେତେ ଶକ୍ତି ଥିଲା ? ବର୍ତ୍ତମାନ ଯୁଗରେ ମଧ୍ୟ ବ୍ରାହ୍ମସମାଜ, ଆର୍ଯ୍ୟସମାଜ, ଧର୍ମ ସମାଜ ପ୍ରଭୃତି ପ୍ରଗତିଶୀଳ ଅନୁଷ୍ଠାନର ନାରୀମାନଙ୍କଠାରେ ଯଥେଷ୍ଟ ଶକ୍ତି ଓ ସାହସ ଦେଖିବାକୁ ମିଳିବ । ଉକ୍ତ ଅନୁଷ୍ଠାନମାନ ସମସ୍ତ ପ୍ରକାରରେ ଭିତ୍ତିହୀନ ରୀତିନୀତି ଓ ଲୋକାଚାର ବାଦଦେଇ ବିଶୁଦ୍ଧ ହିନ୍ଦୁ ଧର୍ମକୁ ଗ୍ରହଣ କରିଚନ୍ତି ।

 

‘‘ଏଇସବୁ ସାମାଜିକ କଳଙ୍କ ଦୂର କରିବା ପାଇଁ ଜାତୀୟ କଂଗ୍ରେସର ସଭ୍ୟମାନେ ଆଗକୁ ବାହାରି ପଡ଼ିବା ଉଚିତ ନୁହେଁ କି ? ଏଇସବୁ କୁସଂସ୍କାର ରହିବା ଫଳରେ ଆମ ଜାତି ଦୁର୍ବଳ ହୋଇଯାଇଚି ଓ ଆମର ଅଧଃପତନ ହୋଇଚି । ନାରୀକୁ ପୂର୍ଣ୍ଣ ବିକାଶର ସ୍ୱାଧୀନତା ଦେବା ଉଚିତ; ଅନ୍ତତଃ ପୁରୁଷମାନଙ୍କୁ ଏଇ କଥା ଶିକ୍ଷାଦେବା କଂଗ୍ରେସ ସଭ୍ୟମାନଙ୍କର କର୍ତ୍ତବ୍ୟ ନୁହେଁ କି-? ନାରୀକୁ ଆଜି ପୁରୁଷର ବାହୁଛାୟା ତଳୁ ମୁକ୍ତି ଦେବାକୁ ହେବ । କେବଳ ତାହାହିଁ ହେଲେ ତାର ସାମାଜିକ, ମାନସିକ, ନୈତିକ ଓ ଆଧ୍ୟାତ୍ମିକ ବିକାଶ ସମ୍ଭବ ହୋଇପାରିବ । ତଦ୍ଦ୍ୱାରା ସେମାନେ ସମସ୍ତଙ୍କୁ ଶକ୍ତି ଓ ବୁଦ୍ଧିମତ୍ତାର ଆଦର୍ଶ ଦେଖାଇପାରିବେ ଏବଂ ଗୃହିଣୀ ଓ ଜନନୀ ହିସାବରେ ଭାରତର ଭବିଷ୍ୟତ ଯୁଗନିର୍ମାତାମାନଙ୍କ ଉଚିତ ଶିକ୍ଷା, ପରିଚାଳନା ଦେଇପାରିବେ ଓ ସେମାନଙ୍କୁ ଆଦର୍ଶ ଦୈନନ୍ଦିନ ଅଭ୍ୟାସ, ଓ ଶୁଦ୍ଧ ଚରିତ୍ରଗଠନ ଶିଖାଇପାରିବେ ।

 

‘‘ଆମ ଦେଶର କବି ଓ ମୁନିୠଷିମାନେ ଏଇ କଥା କହିଯାଇଚନ୍ତି । ସ୍ୱାମୀ ବିବେକାନନ୍ଦଙ୍କର ଭାଷାରେ–‘‘ଯେଉଁ ଦେଶ ବା ଜାତି ନାରୀକୁ ସମ୍ମାନ ଦେଖାଇ ଶିଖିନାହିଁ, ସେ କେବେ ବଡ଼ ହୋଇନାହିଁ, କି ହୋଇ ପାରିବ ନାହିଁ । ତୁମେମାନେ ଏଇ ଶକ୍ତିମୟୀ ଜୀବନ୍ତ ପ୍ରତିମାର ଅପମାନ କରିଚ, ସେଥିପାଇଁ ଆଜି ତୁମ ଜାତିର ଅଧଃପତନ ହୋଇଚି । ନାରୀ ହେଉଚି ଜଗଜ୍ଜନନୀର ପ୍ରତିମୂର୍ତ୍ତି । ନାରୀର ଉନ୍ନତି ବିନା ଜାତିର ଉନ୍ନତି ଅସମ୍ଭବ ।

 

‘‘ତାମିଲ ଭାଷାର ପ୍ରଖ୍ୟାତ କବି ସ୍ୱର୍ଗୀୟ ସୁବ୍ରହ୍ମଣ୍ୟ ଭାରତୀ ମଧ୍ୟ ଠିକ୍ ସେଇକଥା କହିଚନ୍ତି-

 

‘‘ତେଣୁ ଆପଣ ଆପଣଙ୍କର ଗସ୍ତକାଳ ଭିତରେ ସ୍ୱାଧୀନତା ପାଇବାର ଏଇ ନିଶ୍ଚିତ ସାଧନ ବିଷୟରେ ଲୋକମାନଙ୍କ ଉପଦେଶ ଦେଇପାରିବେ କି ?’’

 

କଂଗ୍ରେସବାଲାମାନେ ଏ ଦାୟିତ୍ୱ ନିଅନ୍ତୁ, ଡା: ମୁଥୁଲକ୍ଷ୍ମୀ ଯଥାର୍ଥରେ ଏ ଦାବୀ କରିଚନ୍ତି-। ଅନେକ କଂଗ୍ରେସକର୍ମୀ ମଧ୍ୟ ବ୍ୟକ୍ତିଗତ ବା ସାମୂହିକ ଭାବରେ ଏ ଦିଗରେ ଅନେକ କାର୍ଯ୍ୟ କରୁଚନ୍ତି । ଉପରୁ ଦେଖିଲେ ଏଇ ପାପର ବୀଭତ୍ସତା ଠିକ୍ ବୁଝି ହେବ ନାହିଁ, କାରଣ ଅନେକ ତଳକୁ ଏହାର ଚେର ମାଡ଼ିଯାଉଚି । ଖାଲି ଯେ ସ୍ତ୍ରୀମାନଙ୍କୁ ଶିକ୍ଷା ଦିଆ ଯାଉନାହିଁ ବୋଲି ଏକଥା ହୋଇଚି ତା’ନୁହେଁ । ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ମୂଳରୁ ଦୋଷ ରହି ଯାଇଚି । ତାପରେ ଖାଲି ଏ ପ୍ରଥାଟିକୁ ସେ ପ୍ରଥାଟିକୁ ନିନ୍ଦା କରିଦେଲେ ଚଳିବ ନାହିଁ, କାରଣ ଆମ ସମାଜରେ ପୁରୁଣା ମଇଳାକୁ ଧରି ପଡ଼ି ରହିବାର ଏକ କଦର୍ଯ୍ୟ ରୋଗ ପଶି ଯାଇଚି, ଯାହା ଫଳରେ କି ଆମେ ସମାଜରେ କୌଣସି ପ୍ରକାରର ସଂସ୍କାର ଆଣିବାକୁ ଅକ୍ଷମ ହୋଇ ପଡ଼ିଚୁ । ଦୋଷ ଦେବାକୁ ହେଲେ କେବଳ ଭାରତର ମଧ୍ୟବିତ୍ତଶ୍ରେଣୀ ସହରର ବାସିନ୍ଦାମାନଙ୍କୁ ଦୋଷ ଦିଆଯାଇପାରେ; କିନ୍ତୁ ସେମାନେ ତ ଭାରତର କୋଟି କୋଟି ଲୋକଙ୍କର ମୋଟେ ଶତକରା ପନ୍ଦର । ଗାଁ ଗହଳରେ ଘର କରି ରହିଥିବା ସାଧାରଣ ଲୋକଙ୍କ ଭିତରେ ବାଲ୍ୟବିବାହ ନାହିଁ ବା ବିଧବା ବିବାହପାଇଁ କୌଣସି ଆଇନ କଟକଣା ରଖାଯାଇ ନାହିଁ । ଅବଶ୍ୟ ଅନ୍ୟାନ୍ୟ ଅନେକ ଦୋଷ ହେତୁ ସେମାନେ ମଧ୍ୟ ଅବନତ ହୋଇ ପଡ଼ି ରହିଚନ୍ତି । ପୁରୁଣା କଳଙ୍କକୁ ଘରସାର କରି ପଡ଼ିରହିବା ଦୋଷ ଦୁହିଙ୍କଠାରେ ରହିଚି । ତେଣୁ ପ୍ରଥମେ ଶିକ୍ଷାପ୍ରଣାଳୀ ବଦଳାଇବାକୁ ହେବ ଏବଂ ଲୋକଙ୍କ କଲ୍ୟାଣ କଲା ଭଳି ଏକ ନୂତନ ଶିକ୍ଷାପଦ୍ଧତି ବାହାର କରିବାକୁ ପଡ଼ିବ । ଯେଉଁ ଶିକ୍ଷାରେ ପିଲାଙ୍କପରି ବୟସ୍କ ଲୋକଙ୍କୁ ମଧ୍ୟ ପାଠ ପଢ଼ାଇବାର ଜୋର ଦିଆଯାଏ ନାହିଁ, ତାକୁ ଯଥାର୍ଥ ଶିକ୍ଷା କୁହାଯାଇ ନ ପାରେ । ମାତୃଭାଷାକୁ ତାର ଉଚିତ ସ୍ଥାନ ନ ଦିଆହେଲେ କୌଣସି ଶିକ୍ଷା ଆମର ଦୋଷ ଦୂର କରି ପାରିବ ନାହିଁ । ବର୍ତ୍ତମାନର ଶିକ୍ଷିତ ସମାଜ କେବଳ ଏଇକଥା କରି ପାରିବେ । ତେଣୁ କୌଣସି ପ୍ରକାରର ସମୂହ ସଂସ୍କାର କରିବା ପୂର୍ବରୁ ପ୍ରଥମେ ଏଇ ଶିକ୍ଷିତ ଶ୍ରେଣୀର ମନୋଭାବକୁ ବଦଳାଇବାକୁ ହେବ । ଏଇଠି ମୁଁ ଡା: ମୁଥୁଲକ୍ଷ୍ମୀଙ୍କୁ କହିବି ଯେ, ଭାରତରେ ବର୍ତ୍ତମାନ ଯେଉଁ ଅଳ୍ପସଂଖ୍ୟକ ଶିକ୍ଷିତା ନାରୀ ଅଛନ୍ତି, ସେମାନଙ୍କୁ ପାଶ୍ଚାତ୍ୟ ସଭ୍ୟତାର ଉଚ୍ଚ ପର୍ବତରୁ ଭାରତର ସମତଳ ଭୂଇଁକୁ ଓହ୍ଲାଇ ଆସିବାକୁ ପଡ଼ିବ । ପୁରୁଷମାନେ ନାରୀ ପ୍ରତି ଅବହେଳା ଦେଖାଇଚନ୍ତି, ତା ପ୍ରତି ଦୁର୍ବବ୍ୟବହାର କରିଛନ୍ତି, ସେମାନେ ଅବଶ୍ୟ ଏଥିପାଇଁ ଦୋଷୀ-। ସେମାନଙ୍କୁ ନିଶ୍ଚୟ ଏହାର ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ । କିନ୍ତୁ ଯେଉଁ ରମଣୀମାନେ ସବୁପ୍ରକାର ଅନ୍ଧବିଶ୍ୱାସ ଛାଡ଼ି ଦେଇଚନ୍ତି ଓ ସବୁ କଥା ବୁଝି ପାରିଚନ୍ତି, ସେଇମାନଙ୍କୁହିଁ ଏଇ ସଂସ୍କାର ସଂଗଠନ କରିବାକୁ ହେବ-। ସ୍ତ୍ରୀ ସ୍ୱାଧୀନତା, ଦେଶର ମୁକ୍ତି, ଅସ୍ପୃଶ୍ୟତାର ଦୂରୀକରଣ, ଜନସାଧାରଣଙ୍କର ଦାରିଦ୍ର୍ୟ ମୋଚନ, ଏସବୁ ସଂସ୍କାର ଆଣିବାର ଅସଲ କ୍ଷେତ୍ର ହେଉଚି ଗାଁ ଗହଳିରେ । ଗ୍ରାମ୍ୟ ଜୀବନକୁ ସୁସଂଗଠିତ ଓ ପରିମାର୍ଜିତ କରି ପାରିଲେ କେବଳ ଉକ୍ତ ସଂସ୍କାରମାନ ସମ୍ଭବ ହୋଇପାରିବ ।

ୟଙ୍ଗ୍‌ ଇଣ୍ଡିଆ, ୨୩.୦୫.୨୯

Image

 

ସମାଜର ପତିତା ଭଗିନୀମାନେ

 

ଆମ ସମାଜରେ ଅନେକ ଭଉଣୀଙ୍କୁ ନିଜର ଇଜ୍ଜତ୍‌ ବିକ୍ରୀ କରି ପେଟ ପୋଷିବାକୁ ପଡ଼େ । ଆନ୍ଧ୍ର ପ୍ରଦେଶର କାକିନାଡ଼ାରେ ଥିଲାବେଳେ ଏଇପରି କେତେଜଣ ଭଉଣୀଙ୍କ ପରିଚୟରେ ମୁଁ ଆସିଥିଲି । ପ୍ରାୟ ଛ’ଜଣଙ୍କ ସଙ୍ଗରେ ମୋର ଅଳ୍ପ ସମୟପାଇଁ କେତେକ କଥାବାର୍ତ୍ତା ହୋଇଥିଲା । ତା’ପରେ ବରିସାଲରେ ମଧ୍ୟ ଅଳ୍ପ ଆଉ କେତେଜଣଙ୍କ ସହିତ ଦେଖା ହୋଇଥିଲା । ଆଗରୁ ସମୟ ଠିକ୍‌ କରି ଶହେ ଜଣ ସରିକି ମୋତେ ସାକ୍ଷାତ କରିଥିଲେ । ସେମାନଙ୍କଠାରୁ ଆଗରୁ ଗୋଟିଏ ଚିଠି ପାଇଥିଲି । ସେମାନେ କଂଗ୍ରେସର ସଭ୍ୟ ହୋଇଚନ୍ତି, ତିଳକ ସ୍ୱରାଜ୍ୟ ପାଣ୍ଠିକୁ ଚାନ୍ଦା ଦେଇଚନ୍ତି । ସେମାନଙ୍କୁ କଂଗ୍ରେସ କମିଟିମାନଙ୍କରେ କୌଣସି ସ୍ଥାନ ଦିଆଯିବା ଉଚିତ ନୁହେଁ, ମୋର ଏଇ କଥାଟି କହିଥିବାର କାରଣ ସେମାନେ ବୁଝି ନ ପାରି ମୋ ସହିତ କଥାବାର୍ତ୍ତା କରିବାକୁ ଆସିଥିଲେ । କଣ କଲେ ସେମାନଙ୍କର ଭବିଷ୍ୟତରେ ମଙ୍ଗଳ ହେବ, ସେଥିପାଇଁ ସେମାନେ ମୋର ପରାମର୍ଶ ଲୋଡ଼ିଲେ । ଯେଉଁ ଭଦ୍ରଲୋକଟି ଚିଠିଟି ଧରି ମୋ’ପାଖକୁ ଆସିଥିଲେ, ଚିଠି ଦେଲାବେଳେ ତାଙ୍କୁ କିପରି ସଙ୍କୋଚ କରୁଥିବାପରି ମନେ ହେଲା । ମୁଁ ଏପରି ଚିଠି ପାଇ ଖୁସି ହେବି କି ଅପମାନିତ ବୋଧ କରିବି, ଏଇ ଦ୍ୱନ୍ଦ୍ୱରେ ସେ ପଡ଼ି ଯାଇଥିଲେ । ଏଇ ପତିତା ଭଉଣୀମାନଙ୍କର ଯତ୍‌କିଞ୍ଚିତ୍‌ ସେବା କରିବା ମୋର କର୍ତ୍ତବ୍ୟ, ଏଇ କଥା କହି ତାଙ୍କୁ ମୁଁ ବୋଧ ଦେଇଥିଲି ।

 

ସେଇ ଭଉଣୀମାନଙ୍କ ସହିତ ମୋର ଦୁଇଘଣ୍ଟା କଥାବାର୍ତ୍ତା ହୋଇଥିଲା, ତାହା କାଳକାଳକୁ ମୋ’ର ମନରେ ଥିବ । ସେମାନେ କହିଲେ ଯେ, ସେଠାକାର ମୋଟ ଲୋକସଂଖ୍ୟା ପ୍ରାୟ ୨୦,୦୦୦ ଭିତରୁ ସେମାନଙ୍କର ସଂଖ୍ୟା ୩୫୦ ରୁ ବେଶୀ । ସେମାନେ ବରିସାଲର କଳଙ୍କପରି, ଯେତେଶୀଘ୍ର ଏ କଳଙ୍କ ଲିଭିପାରେ ବରିସାଲ ପକ୍ଷରେ ତାହା ସେତେ ଗୌରବର ବିଷୟ ହେବ । କିନ୍ତୁ ମୋର ଆଶଙ୍କା, କେବଳ ଯେ ବରିସାଲରେ ଏକଥା ଅଛି ତା’ ନୁହେଁ, ସବୁ ସହର ପଛରେ ମଧ୍ୟ ଏଇ କଳଙ୍କ ଲାଗି ରହିଚି । ବରିସାଲର କେତେକ ଯୁବକ ଯେ ଏଇ ଭଉଣୀମାନଙ୍କର ସେବା କରିବାକୁ ବାହାରିଛନ୍ତି, ଏହା ଖୁବ୍‌ ଆନନ୍ଦର କଥା । ବରିସାଲରୁ ଏଇ କାଳିମା ଦୂର ହୋଇଯାଉ–ଏହାହିଁ ସମସ୍ତଙ୍କର କାମନା ।
 

ସମାଜରେ ଅନେକ କଳଙ୍କ ପୁରୁଷ ଭିଆଇଚି, କିନ୍ତୁ ନାରୀଜାତିର ଅପମାନ କରି ସେ ମନୁଷ୍ୟତ୍ୱର ନୀଚତମ ସ୍ତରକୁ ଚାଲିଯାଇଚି–ଏହାଠାରୁ ବଳି ଅଧିକ ନିଷ୍ଠୁରତା ଆଉ କଣ ଥାଇପାରେ ? ନାରୀ ଜାତିକୁ ମୁଁ କଦାପି ‘ଦୁର୍ବଳ ଜନ’ ବୋଲି କହିପାରିବି ନାହିଁ । ମୋ ମତରେ ନାରୀର ବର୍ଗ ହେଉଚି ପୁରୁଷବର୍ଗଠାରୁ ଅଧିକ ମହାନ୍‌ । କାରଣ ଆଜି ମଧ୍ୟ ନାରୀଜାତି ଭିତରେ ତ୍ୟାଗ, ନୀରବ କଷ୍ଟ ସହିଷ୍ଣୁତା, ବିଶ୍ୱାସ ଓ ବୁଦ୍ଧିମତ୍ତାର ପରିଚୟ ମିଳିପାରିବ । ଅନେକ ସମୟରେ ପୁରୁଷ ସ୍ତ୍ରୀଠାରୁ ଅଧିକ ଜାଣେ ବୋଲି ଅଭିମାନ କରେ, କିନ୍ତୁ ସ୍ତ୍ରୀ ଠାରେ ପୁରୁଷଠାରୁ ଅଧିକ ବିବେଚନାଶକ୍ତି ରହିଚି । ଶାସ୍ତ୍ରରେ ଯେ ପ୍ରଥମେ ସୀତା ଓ ରାଧା ରଖାଯାଇ ପରେ ରାମ ଓ କୃଷ୍ଣ ରଖାଯାଇଚି, ଏହା ପଛରେ ନିଶ୍ଚୟ ଏକ କାରଣ ଅଛି । ଏଇ ବଜାର ପ୍ରଣୟ ଆଜି ସବୁଆଡ଼େ ବ୍ୟାପିଗଲାଣି, ସଭ୍ୟ ଉଇରୋପରେ ସରକାର ଏହାକୁ ଆଇନ କରି ସ୍ୱୀକାର କରିଚି । ତଥାପି ଆମର ଯେପରି ଭ୍ରାନ୍ତ ଧାରଣା ନ ହୁଏ ଯେ, ଆଦିକାଳରୁ ଏହା ଆମର ସମାଜରେ ଚଳିଆସିଚି । ଭାରତରେ ଏକଥା କେବେ ଚଳୁଥିଲା ବୋଲି ଆମେ ଯେପରି ଏହାକୁ ସ୍ଥାୟୀ କରିବାର ଚେଷ୍ଟା ନ କରୁ । ଧର୍ମ ଅଧର୍ମର ବିଚାର ହୁଡ଼ିଲେ ନିଶ୍ଚୟ ଆମେ ରସାତଳକୁ ଖସିପଡ଼ିବା, ତେଣୁ ଅତୀତର କଳଙ୍କ ଦାଗସବୁ ନକଲ କରି ଆମେ କେବେ ହେଲେ ଆମର ଅଧୋପତନର କାରଣ ହେବା ନାହିଁ-। ଆମର ଇତିହାସରେ ଯାହାସବୁ ଉଚ୍ଚ ଓ ମହାନ୍‌ ସେଥିଲାଗି ଆମେ ନିଶ୍ଚୟ ନିଜକୁ ଗୌରାବାନ୍ୱିତ ମନେ କରିବା କିନ୍ତୁ ବାପ ଅଜାମାନଙ୍କର ଦୋଷ ଓ ଦୁର୍ବଳତାକୁ ଦୋହରାଇ ଆମେ ଆମ ଜାତିର ଅପମାନ କରିପାରିବା ନାହିଁ । ଭାରତର ଆତ୍ମସମ୍ମାନ ଅଛି ବୋଲି ଯଦି ଆମେ ଭାବୁଥାଉ, ତେବେ ନିଜର ଭଉଣୀ ମନେକରି ନାରୀର ଧର୍ମ ରକ୍ଷା କରିବା ପ୍ରତ୍ୟେକ ପୁରୁଷର କର୍ତ୍ତବ୍ୟ ନୁହେଁ କି ? ଯେଉଁଦିନ ଆମେ ଭାରତର ପ୍ରତ୍ୟେକ ଲୋକକୁ ନିଜର ଭାଇ ଓ ଭଉଣୀ ପରି ଦେଖିଶିଖିବା, କେବଳ ସେଇଦିନ ପ୍ରକୃତ ସ୍ୱରାଜ୍ୟ ଆସିବ ।

 

ମୁଁ ମଧ୍ୟ ଜଣେ ପୁରୁଷ, ଏଇକଥା ଭାବି ସେଇ ଭଉଣୀମାନଙ୍କ ଆଗରେ ମୋର ମୁଣ୍ଡ ତଳକୁ ନଇଁପଡ଼ିଲା । ତାଙ୍କ ଭିତରୁ କେତେକ ବୟସ୍କା ଥିଲେ, ଅଧିକାଂଶଙ୍କର ପ୍ରାୟ ୨୦ ରୁ ୩୦ ବର୍ଷ ଭିତରେ ଏବଂ ଦୁଇ ତିନିଜଣଙ୍କର ବୟସ ମଧ୍ୟ ବାରବର୍ଷରୁ କମ୍‌ ଥିଲା । ସେମାନଙ୍କ ଭିତରେ ଛଅଜଣ ବାଳିକା ଓ ଚାରିଜଣ ବାଳକ ଥିବାର ମଧ୍ୟ ଶୁଣିଲି । ବଡ଼ ଜଣକର ତାଙ୍କରି ଜାତି ଭିତରେ ଜଣକ ସହିତ ବିବାହ ହୋଇଯାଇଥିଲା । ଅନ୍ୟ କିଛି ଉପାୟ ନ ମିଳିଲେ ବାଳିକାଗୁଡ଼ିଙ୍କୁ ମଧ୍ୟ ସେଇ ବ୍ୟବସାୟ କରିବାକୁ ପଡ଼ିବ । ଏ ଦୁର୍ଭାଗ୍ୟରୁ ଆଉ ନିସ୍ତାର ନାହିଁ ବୋଲି ଯେ ସେଇ ଭଉଣୀମାନେ ଭାବି ନେଇଥିଲେ, ଏ କଥା ଶୁଣି ଦେହରେ ଛୁରୀ ଗଳିଗଲା ପରି ଲାଗିଲା । ସେମାନଙ୍କର ଯଥେଷ୍ଟ ବୁଦ୍ଧି ଓ ହିତାହିତ ଜ୍ଞାନ ଥିଲା । ସେମାନେ ଖୁବ୍‌ ଭଦ୍ରଭାବରେ କଥାବାର୍ତ୍ତା କରୁଥିଲେ, ଉତ୍ତରଗୁଡ଼ିକ ମଧ୍ୟ ଖୁବ୍‌ ପରିଷ୍କାର ଓ ପ୍ରାଞ୍ଜଳ ଥିଲା, ଏବଂ ସେଇ କେତେଘଣ୍ଟା ସେମାନେ ଯେପରି ସତ୍ୟାଗ୍ରହୀ ପରି ସଂକଳ୍ପ କରିନେଇଥିଲେ । କାହାର ସାହାଯ୍ୟ ପାଇଲେ ଏଇ ନୀଚ ବ୍ୟବସାୟ ଛାଡ଼ି ସୂତାକଟା ଓ ଲୁଗାବୁଣା ଦ୍ୱାରା ପେଟ ପୋଷିବାକୁ ଏଗାର ଜଣ ମୋ ଆଗରେ ଶପଥ କଲେ । ଅନ୍ୟମାନେ ମଧ୍ୟ ମୋତେ ଠକିବାକୁ ଚାହୁଁ ନଥିଲେ, ତେଣୁ ଭାବିକରି ପରେ କହିବେ ବୋଲି ସମୟ ନେଲେ ।

 

ଏଇଠି ବରିସାଲର ଲୋକମାନଙ୍କର ଯଥେଷ୍ଟ କର୍ତ୍ତବ୍ୟ କରିବାର ଅଛି । ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ହୁଅନ୍ତୁ, ଭାରତବର୍ଷର ପ୍ରତ୍ୟେକ ସୁସନ୍ତାନର ଏକାଠି ଅନେକ କାମ କରିବାର ଅଛି । ଯଦି ୨୦୦୦୦ ଲୋକଙ୍କ ଭିତରେ ୩୫୦ ଜଣ ଭଉଣୀ ଏପରି ଦୁର୍ଗତି ଭୋଗୁଚନ୍ତି, ତେବେ ସେଇ ଅନୁପାତରେ ସାରା ଭାରତରେ ସେମାନଙ୍କର ସଂଖ୍ୟା ୫,୨୫୦,୦୦୦ ହେବ । କିନ୍ତୁ ମୋର ବିଶ୍ୱାସ ଅଛି ଯେ, ଗାଁଗହଳରେ କୃଷିକାର୍ଯ୍ୟ କରି ବାସ କରୁଥିବା ଭାରତର ପାଞ୍ଚଭାଗରୁ ଚାରିଭାଗ ଲୋକଙ୍କୁ ଏ କଳଙ୍କ ସ୍ପର୍ଶ କରିପାରିନାହିଁ । ତେଣୁ ଅତି କମ୍‌ରେ ଭାରତର ୧୦,୫୦,୦୦୦ ଭଉଣୀ ନିଜର ଇଜ୍ଜତ୍‌ ବିକି ପେଟ ପୋଶୁଚନ୍ତି । ଏଇ ଅଭାଗିନୀ ଭଉଣୀମାନଙ୍କର ଦୁର୍ଦ୍ଦଶା ଦୂର କରିବା ପୂର୍ବରୁ ଦୁଇଟି ସର୍ତ୍ତ ପୂରଣ କରିବା ଦରକାର । ଆମେ ପୁରୁଷମାନେ ପ୍ରଥମେ ଆମର ଇନ୍ଦ୍ରିୟକୁ ସଂଯତ କରି ଶିଖିବା ଏବଂ ଯେପରି ଏଇ ଭଉଣୀମାନେ ନିଜ ନିଜର ପେଟ ପୋଷିପାରିବେ, ସେଥିପାଇଁ କାମର ବ୍ୟବସ୍ଥା କରିବା । ଭିତରେ ପବିତ୍ର ନ ହେଲେ ଓ ଆମେ ଇନ୍ଦ୍ରିୟଲାଳସାକୁ ସଂଯତ କରି ନ ପାରିଲେ, ଅସହଯୋଗ ଆନ୍ଦୋଳନରେ କିଛି ଫଳ ହେବ ନାହିଁ । କେବଳ ସୂତାକଟା ଓ ଲୁଗାବୁଣା ଏଇ ଭଉଣୀମାନଙ୍କୁ ସହଜରେ କାମ ଯୋଗାଇ ପାରିବ । ଏଇ ଭଉଣୀମାନଙ୍କର ବିବାହର ପ୍ରଶ୍ନ ତ ଆଦୌ ଉଠୁନାହିଁ, ଅନେକଙ୍କର ମଧ୍ୟ ବିବାହ କରିବାର ଇଚ୍ଛା ନାହିଁ ବୋଲି ସେମାନେ କହିଲେ । ତେଣୁ ସେମାନଙ୍କୁ ଭାରତର ପ୍ରକୃତ ସନ୍ନ୍ୟାସିନୀର ଦୀକ୍ଷା ନେବାକୁ ହେବ । ସେବା କରିବା ଛଡ଼ା, ସେମାନଙ୍କ ଜୀବନରେ ଅନ୍ୟ କୌଣସି କାମ ନାହିଁ, ସେମାନେ ମନଇଚ୍ଛା ସୂତାକାଟି ପାରିବେ ଓ ଲୁଗା ବୁଣିପାରିବେ । ୧,୦୫୦,୦୦୦ ଜଣ ଦିନକୁ ଆଠଘଣ୍ଟା କରି ଲୁଗା ବୁଣିଲେ, ସେମାନେ ଦରିଦ୍ରଭାରତ ପାଇଁ ଟ୧୦୫୦,୦୦୦/- ଉପାର୍ଜନ କରିପାରିବେ । ବର୍ତ୍ତମାନ ସେମାନେ ଦିନକୁ ଟ୨/- ରୋଜଗାର କରୁଚନ୍ତି ବୋଲି ଶୁଣିଲି । କିନ୍ତୁ ଏତକ ରୋଜଗାର କରିବାପାଇଁ ମଣିଷର କାମପ୍ରବୃତ୍ତିକୁ ସନ୍ତୁଷ୍ଟ କରିବା ଭଳି ନାନା ରକମର ସାମଗ୍ରୀ କିଣିବାପାଇଁ ପଡ଼ୁଥିଲା । କିନ୍ତୁ ସାଧାରଣ ଜୀବନକୁ ଫେରିଆସି ସୂତାକଟା ଓ ଲୁଗାବୁଣା କାମ କଲେ ଆଉ ଏସବୁ ଅପଖର୍ଚ୍ଚ ହେବ ନାହିଁ । ଏଇ କଦର୍ଯ୍ୟ ବୃତ୍ତି ନ ଛାଡ଼ିବା ଯାଏ ସେମାନଙ୍କୁ ଯେ କାହିଁକି କଂଗ୍ରେସ କମିଟିରେ ସ୍ଥାନ ଦିଆଯିବା ଉଚିତ ନୁହେଁ, ମୋର କଥା ନ ସରୁଣୁ ସେମାନେ ଭଲକରି ବୁଝିସାରିଥିଲେ । ଦେହ ଓ ମନକୁ ପବିତ୍ର ନ କରି କେହି ସ୍ୱରାଜ୍ୟସେବା କରିପାରିବ ନାହିଁ-

ୟଙ୍ଗ୍‌ ଇଣ୍ଡିଆ, ୧୫.୦୯.୨୧

Image

 

ଅଭାଗିନୀ ନାରୀ

 

ଦକ୍ଷିଣ-ଭାରତରେ ମୋତେ ଅନେକ ସମ୍ଭାଷଣ ପତ୍ର ମିଳିଥିଲା, କିନ୍ତୁ ଦେବଦାସୀମାନଙ୍କ ତରଫରୁ ଦିଆହୋଇଥିବା ପତ୍ରଟି ସବୁଠାରୁ ମର୍ମସ୍ପର୍ଶୀ ଥିଲା । ଦେବଦାସୀ ବେଶ୍ୟାର ଏକ ଲଘୁ ନାମାନ୍ତର ମାତ୍ର । ଏଇ ଦେବଦାସୀମାନଙ୍କର ଜାତିଭାଇମାନେ ସମ୍ଭାଷଣପତ୍ରଟି ଲେଖିଥିଲେ । ତାକୁ ମୋ ପାଖକୁ ନେଇକରି ଆସିଥିବା ପ୍ରତିନିଧିମାନଙ୍କଠାରୁ ବୁଝିଲି ଯେ, ତାଙ୍କ ଜାତି ଭିତରେ କେତେକ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଚି । ତଥାପି ସେମାନଙ୍କର ଅବସ୍ଥା ବେଶୀ କିଛି ସୁଧୁରି ପାରିନାହିଁ । ଏଇସବୁ ସୁଧାର କାର୍ଯ୍ୟ ପ୍ରତି ସାଧାରଣଙ୍କର ତୋତେ ସାହନୁଭୂତି ନାହିଁ ବୋଲି ସେମାନେ ମୋତେ କହିଲେ । କୋକନଡ଼ାରେ ପ୍ରଥମେ ଏଇ ଶୋଚନୀୟ କଥା ଶୁଣିବାକୁ ପାଇଲି । କିନ୍ତୁ ସେଠିକାର ସଭାରେ ଏ ବିଷୟରେ କିଛି କହି ନ ଥିଲି । ପୁଣି ବରିସାଲରେ ସେଇପରି ଅନେକ ଅଭାଗିନୀ ଭଉଣୀମାନଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା । ସେମାନଙ୍କୁ ଦେବଦାସୀ କହ ବା ଅନ୍ୟ ଯେକୌଣସି ନାଁ ଦେଇ କହ, ସେମାନଙ୍କର ସମସ୍ୟାରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ । ଏହା ଅତି ଲଜ୍ଜା ଓ ଦୁଃଖର ବିଷୟ । ବଡ଼ ଅପମାନର କଥା ଯେ ମଣିଷର କାମପିପାସା ମେଣ୍ଟାଇବା ପାଇଁ କେତେକ ସ୍ତ୍ରୀ ନିଜର ଇଜ୍ଜତ୍ ବିକିବାକୁ ବାଧ୍ୟ ହେଉଚନ୍ତି । ପୁରୁଷ ଏଇ ସମାଜର ଆଇନ୍ ତିଆରି କରିଚି, ‘ଦୁର୍ବଳଜନ’ ବୋଲି କହି ନାରୀର ଅଧଃପତନ ଘଟାଇଥିବାର ଦଣ୍ଡ ଦିନେ ତାକୁ ଭୋଗିବାକୁ ପଡ଼ିବ-। ପୁରୁଷର କବଳରୁ ମୁକ୍ତି ପାଇ ନାରୀ ଯେଉଁଦିନ ପୁରୁଷର ଏଇସବୁ ଆଇନ୍‍କାନୁନ୍ ଓ ସମାଜବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବ, ତା’ର ଅହିଂସା ସଂଗ୍ରାମର ଫଳ ନିଶ୍ଚୟ ଫଳିବ । ପୁରୁଷର ଅଶ୍ଳୀଳ ଜୀବନତୃପ୍ତି ସକାଶେ ହଜାର ହଜାର ଭଉଣୀ ଆଜି ଅପମାନିତ ହେଉଛନ୍ତି, ଏକଥା ପୁରୁଷ ଥରେ ଭାବିଶିଖୁ । ସବୁଠାରୁ ଦଣ୍ଡନୀୟ ବିଷୟ ହେଉଚି ଯେ ବିବାହିତ ପୁରୁଷମାନେ ପାପର ଆବର୍ତ୍ତପରି ଏଇସବୁ ବେଶ୍ୟାଘରକୁ ଯାନ୍ତି । ଏହାଦ୍ୱାରା ଦୁଇଆଡ଼ୁ ସେମାନେ ମହାପାପରେ ଭାଗୀ ହୁଅନ୍ତି । ନିଜର ବିବାହିତା ପତ୍ନୀପ୍ରତି ସେମାନେ ନିଜର ଧର୍ମ ହରାଇ ବସନ୍ତି ଏବଂ ନିଜ ମା’ପେଟର ଭଉଣୀମାନଙ୍କ ପରି ଯେଉଁ ନାରୀମାନଙ୍କର ସତୀତ୍ୱ ସେମାନେ ପ୍ରାଣଦେଇ ରକ୍ଷା କରୁଥାନ୍ତେ ସେଇମାନଙ୍କପ୍ରତି ପାପାଚରଣ କରନ୍ତି । ଏହାର ଭୟାବହ ପରିଣାମ ଯେ କଣ ହେବ, ଏକଥା ଯଦି ପୁରୁଷ ବୁଝିପାରନ୍ତା; ତେବେ ଭାରତରେ ଏପରି ପାପଲୀଳା ଦିନକପାଇଁ ସୁଦ୍ଧା ଚାଲିପାରନ୍ତା ନାହିଁ ।

 

ଯଦି ଆମ ଭିତରୁ ଅନେକ କୁଳୀନ ଭଦ୍ର ଯୁବକ ଏଇ ପାପକାର୍ଯ୍ୟ କରୁ ନଥାନ୍ତେ, ତେବେ ହୁଏତ ଏହାକୁ ଭୋକୀ ଲୋକ କଦଳୀ ଚୋବାଇବା ପରି ବା ଅଭାବଗ୍ରସ୍ତ ପିଲାଟିଏ କାହାର ପକେଟ କାଟିଲାଠାରୁ ଏକ ଗୁରୁତର ଅପରାଧ ସହିତ ସମାନ କରାଯାଇ ପାରନ୍ତା । ଧନ ଦୌଲତ ଚୋରି କରିବା ଏବଂ ନାରୀର ସତୀତ୍ୱ ଚୋରିକରିବା ଏ ଦୁଇଟି ଅପରାଧ ଭିତରୁ କିଏ ବେଶୀ ବୀଭତ୍ସ ଓ କ୍ଷତିକାରକ ? ଜଣେ ବଜାରବୁଲା ପିଲା ପକେଟ କାଟି ପଇସା ନେଉଚି, ଅନ୍ୟ ଚୋରଟି ଜଣକୁ ଖୁବ୍ ଖୁବ୍ ମଦପିଆଇ ତାହାଠାରୁ ସମସ୍ତ ସମ୍ପତ୍ତି ନିଜ ନାମରେ ଲେଖେଇ ନେଉଚି-କାହାର ଦୋଷ ବେଶୀ ଗୁରୁତର ? ନାନା ଗୋପନ ଓ ଅଶ୍ଳୀଳ ପ୍ରଲୋଭନ ଦେଖାଇ ପୁରୁଷ ପ୍ରଥମେ ନାରୀର ସତ୍‍ପ୍ରବୃତ୍ତିକୁ ନଷ୍ଟ କରେ ଏବଂ ତା ପରେ ପଥଭ୍ରଷ୍ଟା ନାରୀ ପୁରୁଷର ଅପକର୍ମ ପାଇଁ ନିଜକୁ ସମର୍ପଣ କରିଦିଏ । ଏକଥା କଣ ସତ ନୁହେଁ ? ଆଉ କଣ ‘ପାଞ୍ଜାମା’ ପରି କେତେକ ନାରୀ ଆଗରୁ ପଥଭ୍ରଷ୍ଟା ହୋଇ ଜନ୍ମ ହୋଇଥାନ୍ତି କି ? ବିବାହିତ ଅବିବାହିତ ପ୍ରତ୍ୟେକ ଯୁବକକୁ ମୁଁ ଏଇକଥା ଭଲକରି ଭାବିବାକୁ ଅନୁରୋଧ କରୁଚି । ଏହା ସମାଜରେ ନୀତିକୁ କୁଷ୍ଠରୋଗ ପରି କୋଢ଼ି କରି ପକାଉଚି । ଏହି ସମ୍ବନ୍ଧରେ ମୁଁ ଯେତେ କଥା ଜାଣିବାକୁ ପାଇଚି, ଏଠିସବୁ ଲେଖି ପାରୁନାହିଁ । ଭାବି ବସିଲେ ସବୁକଥା ବଳେ ଅନୁମାନ କରି ହେବ । ଯେଉଁ ଯୁବକ ଏପରି ପାପ କରିଚି, ସେ ଲଜ୍ଜିତ ହୋଇ ସେ ଅଭ୍ୟାସକୁ ଦୂରକୁ ଫିଙ୍ଗି ଦେଉ । ନିଜର ପରିପାର୍ଶ୍ୱର ନୈତିକ ଶୁଦ୍ଧି ବଜାୟ ରଖିବାପାଇଁ ପ୍ରତ୍ୟେକ ସଚ୍ଚରିତ୍ର ବ୍ୟକ୍ତି ଲାଗିପଡ଼ୁ । ମୁଁ ଜାଣେ ଏକଥା କରିବାଠାରୁ କହିବା ବଡ଼ ସହଜ । ଏହାକୁ ସହଜରେ କାର୍ଯ୍ୟକାରୀ କରି ହେବ ନାହିଁ । କିନ୍ତୁ ସବୁଠାରୁ ଏହାର ଅଧିକ ଆବଶ୍ୟକତା ରହିଚି । ସେଥିଲାଗି ପ୍ରତ୍ୟେକ ଚିନ୍ତାଶୀଳ ଲୋକର ଏଥିପାଇଁ କାର୍ଯ୍ୟ କରିବା ଉଚିତ । କେବଳ ଅଭିଜ୍ଞ ବ୍ୟକ୍ତିମାନେ ଏଇ ଅଭାଗିନୀ ଭଉଣୀମାନଙ୍କ ଭିତରେ କାମ କରିପାରିବେ । କିନ୍ତୁ ଯେଉଁମାନେ ଏଇ ବେଶ୍ୟା ଘରକୁ ଯାଇ ନିଜର ସମ୍ମାନ ନଷ୍ଟ କରନ୍ତି, କେବଳ ସେଇମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ କରିବାପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଚି ।

Young India, ୧୬.୦୪.୨୫

Image

 

ଭାରତର ନାରୀସମାଜ ପ୍ରତି

 

ବିଦେଶୀ ବସ୍ତ୍ର ବର୍ଜନ କରିବାକୁ ଆନ୍ଦୋଳନ ଚଳାଇଥିବା ବେଳେ ଗାନ୍ଧିଜୀ ଭାରତର ନାରୀସମାଜକୁ ନିମ୍ନଲିଖିତ ନିବେଦନ କରିଥିଲେ ।

 

ମୋର ଭଗିନୀମାନେ,

 

ଆସନ୍ତା ସେପ୍‍ଟେମ୍ୱର ୩୦ ତାରିଖଠାରୁ ସମ୍ପୂର୍ଣ୍ଣଭାବେ ବିଦେଶୀ ବସ୍ତ୍ର ବର୍ଜନ କରିବାକୁ ନିଖିଳ ଭାରତ କଂଗ୍ରେସ କମିଟି ସ୍ଥିର କରିଚି । ଏହା ଏକ ଗୁରୁତର ନିଷ୍ପତ୍ତି । ଲୋକମାନ୍ୟ ତିଳକଙ୍କର ସ୍ମୃତିରେ ବମ୍ୱେଠାରେ ଜୁଲାଇ ୩୧ ତାରିଖରେ ବିଦେଶୀ ଲୁଗା ପୋଡ଼ାହୋଇ ଏଇ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେଦିନ ମୁଁ ବହୁମୂଲ୍ୟ ଶାଢ଼ୀ ଓ ଅନ୍ୟାନ୍ୟ ପୋଷାକ ଗଦା ଗଦାକରି ନିଆଁ ଲଗାଇ ଦେବାକୁ ସୁଯୋଗ ପାଇଥିଲି । ଆଜିଯାଏ ତୁମେ ଏଗୁଡ଼ିକୁ ସୁନ୍ଦର ଓ ସୂକ୍ଷ୍ମବୋଲି ମନେକରି ଆସିଥିଲ । ମୁଁ ଭାବୁଚି ନିଜର ଦାମୀ ଶାଢ଼ୀମାନ ପୋଡ଼ିବାକୁ ଦେଇ ସେଦିନ ଭଉଣୀମାନେ ନିଜ ନିଜର କର୍ତ୍ତବ୍ୟ ସାଧନ କରିଥିଲେ । ପୋଡ଼ିଦେବା ଛଡ଼ା ଏହାକୁ ଅନ୍ୟ କୌଣସି କାମରେ ଲଗାଯାଇ ପାରି ନଥାନ୍ତା । ପ୍ଲେଗ୍ ଜୀବାଣୁ ଲାଗିଥିବା ଲୁଗାପଟାକୁ ପୋଡ଼ି ନ ପକାଇ କୌଣସି କାମରେ ଲଗାଯାଇ ପାରିବ କି ? ଦେଶର ରାଜନୈତିକ ପରିସ୍ଥିତିକୁ ଅଧିକ ସଙ୍କଟାପନ୍ନ ହେବାକୁ ନ ଦେବା ପାଇଁ ଏହି ଅସ୍ତ୍ରୋପଚାର ପ୍ରକୃତରେ ଆବଶ୍ୟକ ଥିଲା ।

 

ଗଲାବର୍ଷ ଭାରତର ନାରୀମାନେ ମାତୃଭୂମି ପାଇଁ ଚମତ୍କାର କାମସବୁ କରିଚନ୍ତି । କରୁଣାମୟୀ ଦେବୀର ପ୍ରତିମୂର୍ତ୍ତିପରି ତୁମେମାନେ ନୀରବରେ ନିଜର କାମ କରିଯାଇଚ, ନିଜର ସବୁ ଟଙ୍କାପଇସା ଓ ଗହଣାଗାଣ୍ଠି ଦେଶପାଇଁ ଦାନ କରିଚ, ଘରକୁ ଘର ଚାନ୍ଦା ମାଗି ବୁଲିଚ, ଅନେକ ମଧ୍ୟ ପିକେଟିଂ କରିଚନ୍ତି; ଆଗେ ଯେଉଁମାନେ ଦିନକୁ ଥର ଥର କରି ନାନାରଙ୍ଗର ବେଶ ବଦଳାଇ ପିନ୍ଧୁଥିଲେ, ସେମାନେ ସବୁ ଛାଡ଼ି କେବଳ ଧଳା ମୋଟା ଖଦଡ଼ ଲୁଗା ପିନ୍ଧୁଚନ୍ତି । ଏହାରିଦ୍ୱାରାହିଁ ନାରୀ ଅନ୍ତରର ପବିତ୍ରତା ଫୁଟି ବାହାରୁଚି । ଦେଶଲାଗି, ଖିଲାପତ ଲାଗି ଓ ପଞ୍ଜାବ ଲାଗି ତୁମେମାନେ ଏସବୁ କରିଚ ଏବଂ ନିଜର କଥା ଓ କାର୍ଯ୍ୟରେ ପୂର୍ଣ୍ଣ ନିଷ୍ଠା ଦେଖାଇ ପାରିଚ । ତୁମ ହୃଦୟରେ କାହାରି ପ୍ରତି କୌଣସି ରୋଷ ବା ଘୃଣା ନାହିଁ । ତେଣୁ ତୁମରି ତ୍ୟାଗହିଁ ଶ୍ରେଷ୍ଠ ତ୍ୟାଗ । ସାରା ଭାରତର ନାରୀମାନେ ଯେ ଏପରି ଆତ୍ମପ୍ରବୃତ୍ତ ଭାବରେ ଆନନ୍ଦରେ ଏଇ ଆନ୍ଦୋଳନରେ ଯୋଗ ଦେଲେ, ଏହା ଦେଖି ମୋ’ ଭିତରୁ ଯେପରି କିଏ କହି ଉଠୁଚି–‘ଭଗବାନ ଆମ ସମସ୍ତଙ୍କ ଭିତରେ ଅଛନ୍ତି ।’ ଭାରତର ଲକ୍ଷ ଲକ୍ଷ ରମଣୀ ଏଇ ସଂଗ୍ରାମରେ ଯୋଗ ଦେଇଚନ୍ତି; ଏଇ ଆନ୍ଦୋଳନ ଯେ କେବଳ ଏକ ଆତ୍ମପବିତ୍ରତାର ଆନ୍ଦୋଳନ, ଏହା କଣ ତାର ଯଥେଷ୍ଟ ପ୍ରମାଣ ନୁହେଁ କି ?

 

ତୁମେମାନେ ଅନେକ ଦେଇଚ, ସେଥିପାଇଁ ବର୍ତ୍ତମାନ ଆହୁରୀ ମଧ୍ୟ ଦେବାକୁ ପଡ଼ିବ । ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ ପୁରୁଷମାନେ ବେଶୀ ଚାନ୍ଦା ଦେଇଚନ୍ତି । କିନ୍ତୁ ସ୍ୱଦେଶୀ କାର୍ଯ୍ୟକ୍ରମରୁ ପୂର୍ଣ୍ଣ କରିବାକୁ ହେଲେ ତୁମ୍ଭମାନଙ୍କୁ ଆହୁରି ଅଧିକ ଦାନ କରିବାକୁ ହେବ । ନିଜର ସବୁତକ ବିଦେଶୀ ପୋଷାକ ଛାଡ଼ି ନ ଦେଲେ ବସ୍ତ୍ରବର୍ଜ୍ଜନ ସମ୍ଭବ ହୋଇ ପାରିବ ନାହିଁ । ସେ ପର୍ଯ୍ୟନ୍ତ ସେ ଆଡ଼କୁ ମନ ଧାଉଁଥିବ, ସେ ପର୍ଯ୍ୟନ୍ତ ତାକୁ ଏକାବେଳକେ ଛାଡ଼ି ହୋଇ ପାରିବ ନାହିଁ । ଭାରତରେ ଯେଉଁ ଲୁଗା ବୁଣା ହେବ, କେବଳ ସେଇ ଲୁଗା ଆମେ ବ୍ୟବହାର କରିବା । ଭଗବାନ ଯେଉଁ ସନ୍ତାନ ଦେଇଚନ୍ତି, ବାପ ମା’ଙ୍କୁ ସେଇଥିରେ ସନ୍ତୁଷ୍ଟ ରହିବାକୁ ପଡ଼ୁଚି । କୁତ୍ସିତ ପିଲା ଜନ୍ମ କଲେ ମା’ କଣ ତାକୁ କେବେ ଫୋପାଡ଼ି ଦେଇ ପାରିବ ? ଠିକ୍ ଏଇପରି ଭାବନା ରଖି ଦେଶର ସ୍ତ୍ରୀମାନେ କେବଳ ସ୍ୱଦେଶୀ ଜିନିଷ ବ୍ୟବହାର କରିବେ । କେବଳ ହାତକଟା ସୂତାର ତନ୍ତବୁଣା ଲୁଗାକୁ ସ୍ୱଦେଶୀ ଲୁଗା ବୋଲି ଗ୍ରହଣ କରିବାକୁ ହେବ । ପ୍ରଥମ ଅବସ୍ଥାରେ ମୋଟା ଖଦଡ଼ ଛଡ଼ା ଆଉ କିଛି ମିଳିବ ନାହିଁ । ନିଜର ରୁଚି ଅନୁସାରେ ତୁମେ ଖଦଡ଼କୁ ଅଧିକ ସୁନ୍ଦର କରି ବୁଣିପାର । କେତେମାସ ଲାଗି ଏଇ ମୋଟା ଖଦୀରେ ଚଳାଇ ନେଇ ପାରିଲେ, ଅଳ୍ପ ଦିନ ପରେ ସରୁ, ସୁନ୍ଦର ଓ ରଙ୍ଗିନ୍ ସ୍ୱଦେଶୀ ଲୁଗା ବୁଣା ହୋଇ ପାରିବ । ଅତୀତରେ ଭାରତର ଏଇ ବସ୍ତ୍ରଶିଳ୍ପ ସାରା ଦୁନିଆକୁ ଟପି ଯାଇଥିଲା । ଅନ୍ତତଃ ଛଅ ମାସ ପାଇଁ ମୋଟା ଖଦୀ ପିନ୍ଧ, ଦେଖିବ ଆଜି ଆମେ ଯାହାକୁ ସୁନ୍ଦର ବୋଲି କହୁଚୁ ତାହା କିପରି ଖାଲି ଗୋବର ଛଡ଼ା କିଛି ନୁହେଁ । ଉପରକୁ ସୁନ୍ଦର ଦେଖାଗଲେ ଜିନିଷର ପ୍ରକୃତ ସୌନ୍ଦର୍ଯ୍ୟ ଧରା ପଡ଼େ ନାହିଁ, ଭିତରର ସୌନ୍ଦର୍ଯ୍ୟ ଉପରେହିଁ ତା’ର ମୂଲ୍ୟ ନିରୂପିତ ହୁଏ । ପୃଥିବୀରେ ଦୁଇ ରକମର କଳା ଅଛି; ଗୋଟିଏ କଳା ଜୀବନ ନାଶ କରେ ଏବଂ ଅପରଟି ଜୀବନ ଦାନ କରେ । ୟୁରୋପ ବା ଜାପାନରୁ ଯେଉଁ ଫିନ୍ ଫିନ୍ ପୋଷାକ ଆସୁଚି, ତାହାରି ଦ୍ୱାରା ଆମ ଦେଶର ଲକ୍ଷ ଲକ୍ଷ ଭାଇ ଭଉଣୀ ଦାନା ନ ପାଇ ମରିଚନ୍ତି, ତାହାରି ଦ୍ୱାରା ଆମ ସମାଜର ହଜାର ହଜାର ଭଉଣୀ ରୂପ ବିକ୍ରୀ କରି ପେଟ ପୋଷୁଚନ୍ତି । କଳାକାରର ସୁଖ, ସନ୍ତୋଷ ଓ ପବିତ୍ରତା ବଢ଼ାଇପାରିଲେ କଳାକୁ ଯଥାର୍ଥ ବୋଲି କୁହାଯାଇ ପାରିବ ଏବଂ ଦେଶରେ ଏଇପରି ଏକ ପ୍ରାଣମୟ କଳାର ଅଭ୍ୟୁଦୟ କରିବାକୁ ହେଲେ, ସମସ୍ତଙ୍କୁ ବିଦେଶୀ ଲୁଗା ଛାଡ଼ି ଖଦଡ଼ ପିନ୍ଧିବାକୁ ପଡ଼ିବ ।

 

ସ୍ୱଦେଶୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଖାଲି ଯେ ଖଦଡ଼ ପିନ୍ଧିବାକୁ ପଡ଼ିବ, ତା’ ନୁହେଁ; ସମସ୍ତଙ୍କୁ ଫୁର୍ସତ ସମୟରେ ହାତରେ ସୂତା କାଟିବାକୁ ପଡ଼ିବ । ବାଳକ ଓ ମରଦମାନଙ୍କୁ ମଧ୍ୟ ମୁଁ ସୂତା କାଟିବାକୁ କହିଚି । ହଜାର ହଜାର ଲୋକ ରୋଜ ସୂତା କାଟିବାକୁ ଆରମ୍ଭ କରି ଦେଲେଣି । କିନ୍ତୁ ନାରୀମାନଙ୍କୁ ଏଇ ଦାୟିତ୍ୱଟି ଅଧିକ କରି ମୁଣ୍ଡାଇବାକୁ ହେବ । ଦୁଇଶହ ବର୍ଷ ପରେ ଏ ଦେଶର ମାଇପିମାନେ ସୂତା କାଟି ଦେଶକୁ ତଥା ବିଦେଶକୁ ଲୁଗା ଯୋଗାଉଥିଲେ । ମୋଟା ସୂତା କାଟିବା ସଙ୍ଗେ ସଙ୍ଗେ ସେମାନେ ଏପରି ସୂକ୍ଷ୍ମ ସୂତା କାଟି ପାରୁଥିଲେ, ଯାହା କି ସାରା ପୃଥିବୀରେ ପ୍ରସିଦ୍ଧ ହୋଇଥିଲା । ଆଜି ପର୍ଯ୍ୟନ୍ତ କଳରେ ମଧ୍ୟ ସେପରି ସୂକ୍ଷ୍ମ ସୂତା କଟା ହୋଇ ନାହିଁ । ତେଣୁ ଆସନ୍ତା ଦୁଇ ତିନି ମାସ ପାଇଁ ଦେଶକୁ ଖଦୀ ଯୋଗାଇବାକୁ ହେଲେ ତୁମ୍ଭମାନଙ୍କୁ ସୂତାକଟା କେନ୍ଦ୍ରମାନ ସ୍ଥାପନ କରିବାକୁ ହେବ । ସୂତାକଟା ପ୍ରତିଯୋଗିତାମାନ କରି ହାତକଟା ସୂତାରେ ବଜାର ଭରି ଦେବାକୁ ହେବ । ଏଥିପାଇଁ ଅନେକଙ୍କୁ ଅବଶ୍ୟ ସୂତାକଟା, ତୁଳାଭିଣା ଓ ଚରଖା ମରାମତି ବିଦ୍ୟାରେ ନିପୁଣ ହେବାକୁ ପଡ଼ିବ । ତୁମ ଉପରେ ଅନେକଗୁଡ଼ିଏ କାମ ରହିଲାଣି ଏବଂ ଅବିଶ୍ରାନ୍ତ ଭାବରେ ସେଥିରେ ଲାଗିଯିବାକୁ ହେବ । ସୂତା କଟାକୁ କେବଳ ରୋଜଗାରର ବେଉସା ବୋଲି ମନେ କରିବା ଭୁଲ ହେବ । ଏହାଦ୍ୱାରା ମଧ୍ୟବିତ୍ତ ପରିବାରମାନଙ୍କ ଉପାର୍ଜ୍ଜନ ବଢ଼ି ପାରିବ, ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଅତି ଖରାପ, ସେମାନଙ୍କୁ ନିଶ୍ଚୟ ପେଟ ପୋଷିବାର ପନ୍ଥା ଯୁଟିଯିବ । ପ୍ରତ୍ୟେକ ବିଧବା ଚରଖାକୁ ତା’ର ଆଦରର ସାଥୀ କରି ରଖିବା ଉଚିତ, କିନ୍ତୁ ତୁମ୍ଭମାନଙ୍କ ପାଇଁ ଏହା ଏକ କର୍ତ୍ତବ୍ୟ, ଏକ ଧର୍ମ । ଏ ଦେଶର ଧନୀ ଘର ସ୍ତ୍ରୀମାନେ ଯଦି କିଛି ସମୟପାଇଁ ପ୍ରତ୍ୟହ ସୂତା କାଟି ପାରିବେ, ତେବେ ଖଦୀ ଶସ୍ତା ହୋଇଯିବ ଏବଂ ଅତିଶୀଘ୍ର ସରୁ ହାତବୁଣା ଲୁଗା ମଧ୍ୟ ବୁଣା ହୋଇ ପାରିବ ।

 

ତୁମ୍ଭେମାନେହିଁ ଭାରତର ଆର୍ଥିକ ଓ ନୈତିକ ମୁକ୍ତି ଆଣି ପାରିବ । ତୁମ୍ଭେମାନେ ଭବିଷ୍ୟତ ବଂଶଧରର ଜନନୀ, ତେଣୁ ଭାରତର ଭବିଷ୍ୟତ ତୁମରି କୋଳରେ ରହିଚି । କେବଳ ତୁମେହିଁ ଇଚ୍ଛା କଲେ ସେ ସରଳ ଜୀବନ ଯାପନ କରି ଶିଖି ପାରିବ, ଧର୍ମଭୀରୁ ଓ ନିର୍ଭୀକ ହୋଇ ପାରିବ । ମାତ୍ର ତୁମେ ଅବହେଳା କଲେ ସେ ଦୁର୍ବଳ ହୋଇଯିବ, ଜୀବନର ବାଧା ବିଘ୍ନର ସମ୍ମୁଖୀନ ହୋଇ ପାରିବ ନାହିଁ; ପିଲାଟି ଦିନରୁ ବିଦେଶୀ ଚକ୍ ଚକ୍ ଚିଜ ବ୍ୟବହାର କରି ଶିଖିଲେ ସେ ଆଉ ଭବିଷ୍ୟତରେ ସେସବୁ ଛାଡ଼ିପାରିବ ନାହିଁ । ଏଇ କେତେଦିନ ଭିତରେ ଭାରତୀୟ ନାରୀର ଅସଲ ମୂଲ୍ୟ ଜଣାପଡ଼ିଯିବ । ତୁମମାନଙ୍କ ଉପରେ ଅତି ବିଶ୍ୱାସର ସହିତ ମୁଁ ଏଇ ଦାୟିତ୍ୱ ଦେଉଚି । ଏଇ ସରକାର ଭାରତକୁ ଚାରିଆଡ଼ୁ ଶୋଷଣ କରି ଆସିଚି, ତେଣୁ ତା’ ଉପରେ ଆଉ କାହାରି ଆସ୍ଥା ନାହିଁ । ତୁମମାନଙ୍କ ହାତରେ ଦେଶର ଭାଗ୍ୟ ଅଧିକ ନିରାପଦ ରହିପାରିବ । ପ୍ରତ୍ୟେକ ନାରୀସଭାରେ ଦେଶର ମୁକ୍ତିସଂଗ୍ରାମରେ ମୁଁ ତୁମର ଆଶୀର୍ବାଦ ଭିକ୍ଷା କରିଚି । ତୁମମାନଙ୍କର ଜୀବନ ପବିତ୍ର ସରଳ ଓ ଈଶ୍ୱରପରାୟଣ । ତୁମ ଆଶୀର୍ବାଦର ଫଳ ନିଶ୍ଚୟ ଫଳିବ ବୋଲି ମୁଁ ବିଶ୍ୱାସ କରି ଆସିଚି । ନିଜର ବିଦେଶୀ ବସ୍ତ୍ର ସବୁ ପରିତ୍ୟାଗ କରି, ଏବଂ ଅବସର ସମୟରେ ଦେଶପାଇଁ ସୂତା କାଟି ତୁମେମାନେ ନିଜର ଆଶୀର୍ବାଦର କାର୍ଯ୍ୟକାରିତାକୁ ପ୍ରମାଣ କରାଇ ପାରିବ-।

 

ଇତି

ତୁମମାନଙ୍କର ସେବକଭାଇ

ମୋ. କ. ଗାନ୍ଧୀ

ୟଙ୍ଗ୍ ଇଣ୍ଡିଆ, ୧୧.୦୮.୨୧

Image

 

ନାରୀ ସମାଜ ପ୍ରତି ଗାନ୍ଧିଜୀ

ନାରୀ କଣ କରିପାରିବ ?

 

କଲିକତାର ସ୍ତ୍ରୀମାନେ ଖଦଡ଼ ବିକିବାକୁ ଯାଇ ଭଦ୍ରଲୋକମାନଙ୍କୁ ବ୍ୟସ୍ତ କରି ପକାଇଚନ୍ତି । ଖବର କାଗଜରେ ତାର ଖବର ବାହାରିଚି ଯେ, ସେଇ ଦୋଷରେ ପୋଲିସ୍ ସେମାନଙ୍କୁ ଗିରଫ କରିନେଇଚି । ଏ ଦଳରେ କଂଗ୍ରେସ ସଭାପତିଙ୍କର (ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ) ସ୍ତ୍ରୀ, ବିଧବା ଭଉଣୀ ଓ ଝିଆରୀ ମଧ୍ୟ ଅଛନ୍ତି । ମୋର ଧାରଣା ଥିଲା ଯେ ଆନ୍ଦୋଳନ ଆରମ୍ଭ ହେଉ ହେଉ ନାରୀମାନଙ୍କୁ ବୋଧହୁଏ ଜେଲକୁ ଯିବାର ସମ୍ମାନ ଦିଆଯିବ ନାହିଁ । କାରଣ ସେମାନଙ୍କ ଉପରେ କୌଣସି ପ୍ରକାରର ଉଗ୍ର ଆଇନଅମାନ୍ୟର ଭାର ନ ଥିଲା । କିନ୍ତୁ ବଙ୍ଗସରକାର ବୋଧହୁଏ ପୁରୁଷ ଓ ସ୍ତ୍ରୀକୁ ସମାନ ବ୍ୟବହାର ଦେଖାଇବାକୁ ଖୁବ୍ ତତ୍ପର ଥିଲେ ଏବଂ ସେଥିଲାଗି ଜେଲକୁ ଧରିନେଇ କଲିକତାର ତିନିଜଣ ସ୍ତ୍ରୀ ଲୋକଙ୍କୁ ସମ୍ମାନିତ କଲେ । ସମସ୍ତ ଦେଶ ଏଇ ବିଜ୍ଞତାପାଇଁ ହର୍ଷ ପ୍ରକାଶ କରିବ ବୋଲି ମୁଁ ଆଶା କରୁଚି । ସ୍ୱରାଜ ହାସଲ କରିବାରେ ସ୍ତ୍ରୀ ପୁରୁଷ ସହିତ ନିଶ୍ଚୟ ସମାନ ଭାଗ ନେବ । ମୋର ତ ମନେ ହେଉଚି, ଏଇ ଅହିଂସା ଯୁଦ୍ଧରେ ପୁରୁଷ ସ୍ତ୍ରୀର ଅନେକ ପଛରେ ପଡ଼ିଯିବ । ପୁରୁଷଠାରୁ ନାରୀର ବେଶୀ ଧର୍ମନିଷ୍ଠା ରହିଚି । ନାରୀ ନୀରବ ଓ ଉଦାର ସହିଷ୍ଣୁତାର ପ୍ରତୀକ ସ୍ୱରୂପ । ଆଜି ଯେ ବଙ୍ଗସରକାର ନାରୀକୁ ପ୍ରତ୍ୟକ୍ଷ ଯୁଦ୍ଧକ୍ଷେତ୍ରକୁ ଟାଣି ନେଇଚନ୍ତି, ମୋର ଆଶା ସାରା ଭାରତର ନାରୀଜାତି ସୁସଂଗଠିତ ଭାବେ ତାହାର ଠିକ୍ ଜବାବ୍ ଦେବ । ଦେଶର ପୁରୁଷମାନଙ୍କୁ ଯେତେବେଳେ ଜେଲକୁ ଧରି ନିଆଯାଇଥାନ୍ତା, ସ୍ତ୍ରୀମାନେ ନିଶ୍ଚୟ ସେମାନଙ୍କର ସ୍ଥାନ ପୂରଣ କରିଥାନ୍ତେ; କିନ୍ତୁ ସରକାର ଯଦି ତାହାହିଁ ଇଚ୍ଛା କରନ୍ତି, ତେବେ ପୁରୁଷର ପାଖେ ପାଖେ ରହି ସ୍ତ୍ରୀ ଜେଲଯିବାର ସମସ୍ତ କଷ୍ଟ ବରଣ କରୁ । ଭଗବାନ ନିଶ୍ଚୟ ସେମାନଙ୍କର ସମ୍ମାନ ରକ୍ଷା କରିବେ । ଦ୍ରୌପଦୀଙ୍କର ବସ୍ତ୍ରହରଣ ବେଳେ ପଞ୍ଚପାଣ୍ଡବ ଯେତେବେଳେ ତାଙ୍କର ସମ୍ମାନ ରକ୍ଷା କରିପାରିଲେ ନାହିଁ, ଦୌପଦୀଙ୍କର ନିଜର ସତୀତ୍ୱ ବଳହିଁ ତାଙ୍କୁ ବଞ୍ଚାଇ ପାରିଥିଲା । ଆଜି ମଧ୍ୟ ଏଇ କଥା ସମ୍ଭବ ହୋଇପାରିବ । ଏପରି କି ଯାହାର ଶରୀରବଳ ସବୁଠାରୁ କମ୍, ସେ ସ୍ତ୍ରୀ ଭିତରେ ମଧ୍ୟ ନିଜର ସତୀତ୍ୱ ରକ୍ଷା କରିବାର ଶକ୍ତି ରହିଚି । ନାରୀର ସତୀତ୍ୱ ରକ୍ଷା କରିବା ଅବଶ୍ୟ ପୁରୁଷର ପବିତ୍ର କର୍ତ୍ତବ୍ୟ; କିନ୍ତୁ ତା ବୋଲି ପୁରୁଷ ପାଖରେ ନ ଥିଲେ ବା ନାରୀପ୍ରତି ତା’ର ଯଥାର୍ଥ କର୍ତ୍ତବ୍ୟ କରି ନ ପାରିଲେ ନାରୀ ଯେପରି ନିଜକୁ ଅସହାୟା ମନେ ନ କରେ । ଜୀବନ ବଳି ଦେବାର ସାହସ ଯାହାର ଅଛି, ସେ ପୁରୁଷ ହେଉ ବା ସ୍ତ୍ରୀ ହେଉ, ତାର ଆତ୍ମସମ୍ମାନ କେହି ନଷ୍ଟ କରିପାରିବ ନାହିଁ ।

 

ଭାରତର ନାରୀସମାଜକୁ ଅନୁରୋଧ, ଯେଉଁମାନେ ପ୍ରତ୍ୟକ୍ଷ ଆନ୍ଦୋଳନରେ ଯୋଗଦେବାକୁ ଚାହାନ୍ତି, ସେମାନଙ୍କର ନାମ ସଂଗ୍ରହ କରାଯାଉ । ସେମାନେ ମଧ୍ୟ ପଛକୁ ପଛ ପ୍ରସ୍ତୁତ ଅଛନ୍ତି–ଏଇ କଥା ବଙ୍ଗଳାର ଭଉଣୀମାନଙ୍କୁ ଜଣାଇ ଦିଆଯାଉ । ଏକଥା ସ୍ୱାଭାବିକ ଯେ, ଜେଲବରଣ କରି ଏତେ କଷ୍ଟ ସହିବାକୁ ବେଶୀ ସଂଖ୍ୟାରେ ସ୍ତ୍ରୀଲୋକ ବାହାରିବେ ନାହିଁ । କିନ୍ତୁ ପ୍ରଥମେ ପ୍ରଥମେ ଖୁବ୍ ଅଳ୍ପସଂଖ୍ୟକ ସ୍ତ୍ରୀଲୋକ ଏସବୁ ତ୍ୟାଗ କରିବାକୁ ବାହାରୁଚନ୍ତି ବୋଲି ଜାତିପକ୍ଷରେ ଲଜ୍ଜିତ ହେବାର କୌଣସି କାରଣ ନାହିଁ ।

ୟଙ୍ଗ୍ ଇଣ୍ଡିଆ, ୧୫.୧୨.୨୧

Image

 

ନାରୀହିଁ ସ୍ୱରାଜ୍ୟ ଆଣିବ

 

କଂଗ୍ରେସ କାର୍ଯ୍ୟକାରୀ କମିଟି ସୂତାକଟାକୁ ଆଇନଅମାନ୍ୟ ଆନ୍ଦୋଳନର ଏକ ପ୍ରଧାନ ସର୍ତ୍ତ ବୋଲି ଗ୍ରହଣ କରିଚି । ଏହାଦ୍ୱାରା ଭାରତବର୍ଷର ସ୍ତ୍ରୀସମାଜ ଏକ ପ୍ରଶସ୍ତ ସେବାକ୍ଷେତ୍ରର ସୁଯୋଗ ପାଇଚନ୍ତି । ଲବଣ ଆନ୍ଦୋଳନରେ ହଜାର ହଜାର ସ୍ତ୍ରୀଲୋକ ଘରକଣରୁ ପଦାକୁ ବାହାରି ଆସିଥିଲେ ଏବଂ ସେମାନେ ଯେ ପୁରୁଷର ସମକକ୍ଷ ହୋଇ ଦେଶର ସେବା କରିପାରନ୍ତି, ଏକଥା ପ୍ରମାଣ କରିଦେଇଥିଲେ । ଏହାଦ୍ୱାରା ଗାଁ ଗହଳର ମା’ଭଉଣୀମାନେ ଦେଶର ସମ୍ମାନାସ୍ପଦା ହୋଇପାରିଥିଲେ । ସାମ୍ରାଜ୍ୟବାଦୀ ଶାସନକବଳରୁ ମୁକ୍ତିପାଇବାର ଶାନ୍ତିପୂର୍ଣ୍ଣ ସଂଗ୍ରାମରେ ସୂତାକଟାକୁ ସବୁଠାରୁ ପ୍ରଧାନ ସ୍ଥାନ ଦିଆଯାଇଚି; ଏହାଦ୍ୱାରା ସ୍ତ୍ରୀମାନେ ସମାଜରେ ଏକ ବିଶିଷ୍ଟ ସ୍ଥାନ ପାଇପାରିଚନ୍ତି । କାରଣ ସୂତାକଟାପାଇଁ ପୁରୁଷମାନଙ୍କଠାରୁ ସେମାନେ ବେଶୀ କାମ କରିପାରିବେ ।

 

ଆଦିମକାଳରୁ ସମାଜରେ ସ୍ତ୍ରୀ ଓ ପୁରୁଷ ନିଜନିଜର କାମ ବାଣ୍ଟିନେଇ ଆସିଚନ୍ତି । ଆଗେ ଗୃହସ୍ଥ ଲୁଗା ବୁଣୁଥିଲା ଓ ଘରଣୀ ସୂତା କାଟୁଥିଲା । ଆଜିଯାଏ ମଧ୍ୟ ଏଇ ନୀତି ଚଳିଆସୁଚି-। ସାଧାରଣତଃ ମରଦ କ୍ୱଚିତ୍ ସୂତା କାଟେ । ୧୯୨୦-୨୧ ମସିହାରେ ପଞ୍ଜାବରେ ମରଦମାନଙ୍କୁ ମୁଁ ଯେତେବେଳେ ସୂତା କାଟିବାକୁ କହିଲି, ସେମାନେ କହିଲେ ଯେ, ସୂତା କାଟିବା ସାଧାରଣତଃ ମାଇପିମାନଙ୍କର କାମ ଓ ପୁରୁଷ ପକ୍ଷରେ ତାହା କରିବା ଗୋଟାଏ ଅସମ୍ମାନର କଥା-। ଅବଶ୍ୟ ମରଦମାନେ ଆଉ ଏବେ ସମ୍ମାନର ପ୍ରଶ୍ନ ଉଠାଉନାହାନ୍ତି । ବର୍ତ୍ତମାନ ତ ହଜାର ହଜାର ପୁରୁଷ କଟାଳୀ ଯଜ୍ଞାର୍ଥେ ସୂତା କାଟୁଚନ୍ତି । ପୁରୁଷମାନେ ସୂତାକଟାକୁ ଏକ ଜାତୀୟ କାର୍ଯ୍ୟକ୍ରମ ହିସାବରେ ଗ୍ରହଣ କରିବା ପରେ ଏହା ଗୋଟିଏ ବିଜ୍ଞାନରେ ପରିଣତ ହୋଇଚି ଏବଂ ସେଇଦିନଠାରୁ ଏଥିରେ ନୂଆ ନୂଆ ଉଦ୍ଭାବନମାନ ମଧ୍ୟ ହୋଇଚି । କିନ୍ତୁ ତଥାପି ଏ ପରୀକ୍ଷାରୁ ଦେଖାଯାଇଚି ଯେ, ସୂତାକଟାରେ ନାରୀର ଏକ ବୈଶିଷ୍ଟ୍ୟ ରହିଚି । ଏହି ବୈଶିଷ୍ଟ୍ୟର ନିଶ୍ଚୟ ଅନେକ କାରଣ ଅଛି । ସୂତାକଟା ସାଧାରଣତଃ ଧୀରଚିତ୍ତରେ ଓ ନୀରବରେ କରିବାକୁ ପଡ଼େ । ନାରୀ ହେଉଚି ତ୍ୟାଗ ଓ ଅହିଂସାର ପ୍ରତିମୂର୍ତ୍ତି । ତେଣୁ ତା’ର ପ୍ରତ୍ୟେକ କାର୍ଯ୍ୟକଳାପ ଧ୍ୱଂସମୁଖୀ ନ ହୋଇ ଶାନ୍ତିମୁଖୀ ହେବା ଉଚିତ । ଆଜି ଯେ ତାକୁ ହିଂସାଯୁଦ୍ଧରେ ଯୋଗଦେବାକୁ ମଧ୍ୟ ଟାଣି ନିଆଯାଉଚି, ଏହା ଆଧୁନିକ ସଭ୍ୟତାର ଏକ ବଡ଼ ଭୁଲ । ହିଂସା ସହିତ ନାରୀଚିତ୍ତ କଦାପି ଖାପ ଖାଇବ ନାହିଁ । ତା’ର ମୌଳିକ ପ୍ରକୃତିକୁ ଯେ ଏପରି ନାରଖାର କରିଦିଆଯାଉଚି, ସେ ନିଶ୍ଚୟ ଅଚିରେ ଏହା ବିରୁଦ୍ଧରେ ବିଦ୍ରୋହ କରିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଚି । ପୁରୁଷକୁ ମଧ୍ୟ ଦିନେ ଏଇ ଭୁଲପାଇଁ ପଶ୍ଚାତ୍ତାପ କରିବାକୁ ପଡ଼ିବ । ପୁରୁଷ ଓ ସ୍ତ୍ରୀ ସମାନ ହେବାର ଅର୍ଥ ନୁହେଁ ଯେ, ସେମାନଙ୍କର କାର୍ଯ୍ୟକ୍ଷେତ୍ର ମଧ୍ୟ ସମାନ ହୋଇଯିବ । ଅବଶ୍ୟ ଶିକାର କରିବା ବା ତୀର ମାରିବା ପାଇଁ ନାରୀକୁ ଆଇନରେ ମନା କରା ହୋଇନାହିଁ । କିନ୍ତୁ ଏସବୁ ପୁରୁଷର କାମ ଏବଂ ନାରୀର ପ୍ରବୃତ୍ତି ଏସବୁଥିରୁ ତାକୁ ଦୂରରେ ରଖିବାକୁ ଇଚ୍ଛା କରେ । ସେମାନେ ପରସ୍ପରର ଅନୁପୂରକ ହେବେ, ଏଥିପାଇଁ ସଂସାରରେ ପୁରୁଷ ଓ ସ୍ତ୍ରୀର ସୃଷ୍ଟି ହୋଇଚି । ସେମାନଙ୍କୁ ଯେମିତି ଅଲଗା ଅଲଗା ଗଢ଼ଣ ଦିଆଯାଇଚି; କାର୍ଯ୍ୟକ୍ଷେତ୍ର ମଧ୍ୟ ସେଇପରି ଭିନ୍ନ ଭିନ୍ନ କରି ରଖାଯାଇଚି ।

 

କିନ୍ତୁ ପୁରୁଷ ଓ ସ୍ତ୍ରୀର ସ୍ୱତନ୍ତ୍ର କାର୍ଯ୍ୟକଳାପଗୁଡ଼ିକର ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏକଥା ସତ ଯେ, ଭାରତରେ ଲକ୍ଷ ଲକ୍ଷ ସ୍ତ୍ରୀଲୋକ ସୂତାକଟାକୁ ନିଜର ସ୍ୱାଭାବିକ ଅବଲମ୍ୱନ କରିଆସିଚନ୍ତି । ତେଣୁ କାର୍ଯ୍ୟକାରୀ କମିଟିର ପ୍ରସ୍ତାବ ଦ୍ୱାରା ପୁରୁଷର ଦାୟିତ୍ୱ ସ୍ତ୍ରୀକୁ ଦିଆଯାଇଚି । ଭାରତର ନାରୀସମାଜ ଏହାଦ୍ୱାରା ନିଜର ଦକ୍ଷତାର ପରିଚୟ ଦେବାର ଏକ ପରମ ସୁଯୋଗ ପାଇଚନ୍ତି । ମୋର ଭବିଷ୍ୟତ ସୈନିକ ବାହିନୀରେ ଯଦି ପୁରୁଷଠାରୁ ସ୍ତ୍ରୀ ବେଶୀ ରହନ୍ତି, ତେବେ ମୁଁ ଖୁବ୍ ଖୁସି ହେବି । ତାହାହେଲେ ସଂଗ୍ରାମର ଡାକରା ଆସିଲେ, ମୁଁ ଅଧିକ ସହଜରେ ତା’ର ସମ୍ମୁଖୀନ ହୋଇପାରିବି । ପୁରୁଷର ସଂଖ୍ୟା ବେଶୀ ଥିଲେ ହୁଏତ ଏତେ ସହଜରେ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ପାରିବି ନାହିଁ; ପୁରୁଷ କାଳେ ହିଂସା କରି ପକାଇବ, ଏଥିପାଇଁ ମୋର ଯଥେଷ୍ଟ ଆଶଙ୍କା ରହିଚି । କିନ୍ତୁ ନାରୀମାନଙ୍କୁ ସୈନିକ କରି ପାଇଲେ ମୋର ଆଉ କୌଣସି ଆଶଙ୍କା ନ ଥିବ ।

ହରିଜନ, ୦୨.୧୨.୩୯

Image

 

୫୧- ନାରୀ ଓ ଚରଖା

 

ବିହାରରେ ଥରେ ଖଦୀ ସମ୍ୱନ୍ଧରେ ଭାଷଣ ଦେଉଥିବାବେଳେ ପୃଥିବୀର ଭିନ୍ନ ଭିନ୍ନ ଦେଶର ଜଣପିଛା ହାରାହାରି ଦୈନିକ ଆୟର ଏକ ହିସାବ ଫର୍ଦ୍ଦ ଦେଖାଇ ଗାନ୍ଧିଜୀ କହିଲେ–ଦେଖ, ଆମେରିକାର ଜଣପିଛା ଦୈନିକ ଆୟର ଘରେ କେଡ଼େ ବଡ଼ ନାଲି ମୋଟା ଲାଇନ୍ ପଡ଼ିଚି, ଆଜି ଭାରତବର୍ଷ ଘରେ କେଡ଼େ ଟିକିଏ ? ଆମେରିକାର ଜଣକର ଦିନକୁ ଆୟ ହେଉଚି ଟ ୧୪/- ରୁ ବେଶୀ କିନ୍ତୁ ଭାରତରେ ଛଅପଇସା । ଅନ୍ୟ ଦେଶର ଆୟ ମଧ୍ୟ ଦେଖ-ଇଂଲଣ୍ଡର ଟ ୭/-, ଫ୍ରାନ୍‌ସର ଟ ୬/-, ଜାପାନର ଟ ୫/- ଏବଂ ଭାରତର ଏଇ ଛଅପଇସା ମଧ୍ୟ ଆମର ହାରାହାରି ଆୟ । ଦରମା ପାଉଥିବା ମନ୍ତ୍ରୀ ଓ କାଉନ୍‌ସିଲ ସଭ୍ୟ ବାରିଷ୍ଟର ଓ କୋଟିପତିମାନଙ୍କର ଆୟ କଥା ଭାବିଲେ ଜାଣିପାରିବା ଯେ, ଦେଶର ଯେଉଁ ଲକ୍ଷ ଲକ୍ଷ ଗରିବ ଲୋକ ଅଛନ୍ତି, ସେମାନେ ଦିନକୁ ଆମ ଏଇ ଛଅପଇସା ମଧ୍ୟ ପାଇପାରନ୍ତି ନାହିଁ । ଆମ ଦେଶର ଲୋକଙ୍କର ଆୟ କିପରି ବଢ଼ିବ, ଏଥିପାଇଁ ଆପଣ କିଛି ଉପାୟ ଦେଖାଇପାରିବେ କି ? ଏଇ ପ୍ରଶ୍ନଟି ମୁଁ ସବୁଠାରେ ସମସ୍ତଙ୍କୁ ପଚାରି ଆସିଚି, କିନ୍ତୁ କେହି ମୋତେ କୌଣସି ଉତ୍ତର ଦେଇ ପାରିନାହାନ୍ତି । ମୁଁ ନିଜେ ଅନେକ ଭାବିଚି ଓ ଏଇ କେତେ ବର୍ଷ ହେଲା ଲୋକମାନଙ୍କର ଖୁବ୍‌ ନିକଟ ସମ୍ପର୍କରେ ଆସିପାରିଚି । ତା’ ଫଳରେ ମୁଁ ଏଇ ସତ୍ୟରେ ପହଞ୍ଚିଚି ଯେ, କେବଳ ଚରଖାଦ୍ୱାରା ଲୋକମାନଙ୍କର ଦୈନିକ ଉପାର୍ଜନ ବଢ଼ିପାରିବ ।’’

ତାପରେ ସେ ଖଦୀର ଉତ୍ପାଦନ ଓ ବିକ୍ରୀର ଫର୍ଦ୍ଦ ନେଇ ବିହାରରେ କିପରି ଖଦୀ ତିଆରି ଅତି ବେଗରେ ବଢ଼ିଚାଲିଚି, ମାତ୍ର ଯଥେଷ୍ଟ ବିକ୍ରୀ କିପରି ହୋଇପାରୁନାହିଁ ଏଇ କଥା ଲୋକମାନଙ୍କୁ ଦେଖାଇଥିଲେ ।

‘‘ଏଇ ଫର୍ଦ୍ଦରୁ ଜଣାପଡ଼ୁଚି ଯେ ବିହାରର ୩୦,୦୦୦ ଦରିଦ୍ର ସ୍ତ୍ରୀକଟାଳୀଙ୍କୁ ଟ୩୦,୦୦୦/- ମଜୁରୀରୂପେ ଦିଆଯାଇଚି । ମୋ ସହିତ ଦରଭଙ୍ଗା ଖଦୀକେନ୍ଦ୍ରକୁ ଆସ, ଦେଖିବ ସେଠାରେ ହିନ୍ଦୁ ଓ ମୁସଲମାନ ସ୍ତ୍ରୀଲୋକମାନେ ସୂତାକାଟି କି ସୁଖରେ ଅଛନ୍ତି ! ଆଉ ସେ ଅଧିକ ସ୍ତ୍ରୀଲୋକଙ୍କୁ କାମ ଦିଆଯାଇ ପାରୁନାହିଁ, ଏ ଦୋଷ ମୋର ନୁହେଁ, ତୁମମାନଙ୍କର । ସେମାନଙ୍କର ତିଆରି ଖଦଡ଼ଲୁଗା ତୁମେମାନେ ନ କିଣିଲେ ସେ କାମ ଚଳିବ କିପରି ? ତୁମେ ଗଜେ ଖଦଡ଼ ମଧ୍ୟ କିଣିଲେ ଏଇ ସ୍ତ୍ରୀଲୋକମାନେ କେତୋଟି ପଇସା ରୋଜଗାର କରିପାରିବେ । କେବଳ କେତୋଟି ପଇସା ! କିନ୍ତୁ ଯେଉଁଠି ଆଗରୁ ଗୋଟିଏ ସୁଦ୍ଧା ପଇସା ମିଳୁ ନଥିଲା, ସେଠି କେତୋଟି ପଇସା କିଛି କମ୍ କଥା ନୁହେଁ । ରାଜମହେନ୍ଦ୍ରୀ ଓ ବରିସାଲରେ ମୁଁ ଆମ ସମାଜର ପତିତା ଭଉଣୀମାନଙ୍କୁ ଦେଖିଥିଲି । ତାଙ୍କ ଭିତରୁ ବାଳିକାପିଲାଟିଏ ଆସି ମୋତେ କହିଲା–‘‘ଗାନ୍ଧୀ, ତୁମ ଚରଖାରେ ଆମର କି ଉପକାର ହେବ ? ଆମ ପାଖକୁ ଯେଉଁ ପୁରୁଷମାନେ ଆସନ୍ତି, ସେମାନେ ତ କେତେ ମିନିଟପାଇଁ ଆମକୁ ପାଞ୍ଚ ଦଶଟଙ୍କା ଦେଇଯାନ୍ତି ।’’ ମୁଁ କହିଲି–‘‘ହଁ, ଅବଶ୍ୟ ଚରଖା ଦ୍ୱାରା ତୁମେ ଏତେ ବେଶୀ ରୋଜଗାର କରିପାରିବ ନାହିଁ; କିନ୍ତୁ ତୁମେମାନେ ଯଦି ଏ ହୀନ ଜୀବନ ଛାଡ଼ିଦେଇ ପାରିବ, ତେବେ ମୁଁ ତୁମମାନଙ୍କର ସୂତାକଟା ଓ ଲୁଗାବୁଣା ଶିଖିବାର ବନ୍ଦୋବସ୍ତ କରିଦେଇ ପାରିବି । ତାହାଦ୍ୱାରା ତୁମେ ନିଜର ଚଳିବା ମୁତାବକ ବେଶ ଉପାର୍ଜନ କରିପାରିବ ।’’ ସେଇ ବାଳିକାଟିର କଥା ଶୁଣି ମୋର ହୃଦୟ ମନ୍ଥି ହୋଇଯାଉଥାଏ, ମୁଁ ଭାବୁଥାଏ ଭଗବାନ ମୋତେ କାହିଁକି ସ୍ତ୍ରୀଜନ୍ମ ନ ଦେଲେ ?

 

କିନ୍ତୁ ନାରୀଜନ୍ମ ନ ପାଇଲେ ନାହିଁ ପଛକେ, ମୁଁ ଇଚ୍ଛାକଲେ ନିଜକୁ ନାରୀ ଜୀବନର ସମାନ କରିପାରିବି । ଭାରତବର୍ଷରେ ଅନେକ ସ୍ତ୍ରୀଲୋକ ଦିନକୁ ଅଣାଟାଏ ବି ଉପାର୍ଜନ କରିପାରନ୍ତି ନାହିଁ । ସେଇ ନାରୀମାନଙ୍କ ପାଇଁ ଚରଖା ଓ ଭିକ୍ଷାଥାଳୀ ନେଇ ମୁଁ ଦେଶଯାକ ଦୁଆର ଦୁଆର ହୋଇ ବୁଲୁଚି ।

ୟଙ୍ଗ୍‌ ଇଣ୍ଡିଆ, ୧୦.୦୨.୨୭

Image

 

ପଚସ୍ତରୀ ବର୍ଷର ଯୁବତୀ

 

ଜଣେ ଇଂରେଜ ବନ୍ଧୁ ଲେଖିଚନ୍ତି–

 

‘ଜଣେ ୭୫ ବର୍ଷର କୃଷକ ରମଣୀର ଚିଠି ଓ ଫଟୋ ବିଷୟରେ ମୁଁ ଲେଖିବାକୁ ଯାଉଚି-। ସେ ରମଣୀ ସ୍ୱିଜରଲାଣ୍ଡର ଭିଲିନଭ୍‌ (Villeneuve) ପାର୍ବତ୍ୟ ଅଞ୍ଚଳରେ ରହନ୍ତି ଓ ନିୟମିତଭାବରେ ସୂତା କାଟନ୍ତି ଓ ଲୁଗା ବୁଣନ୍ତି । ମୋର ଏକ ଚିଠିର ଉତ୍ତରରେ ସେ ଲେଖିଚନ୍ତି–‘‘ଶୀତ ଆରମ୍ଭ ହୋଇଗଲାଣି, ଏ କେତେମାସ ଆମକୁ ବରଫ ଭିତରେ ବାସ କରିବାକୁ ପଡ଼ିବ । ତେଣୁ ଲୁଗା ବୁଣିବାକୁ ମୁଁ ଅନେକ ସମୟ ପାଇପାରିବି । ବର୍ତ୍ତମାନ ୫୯ ମିଟର୍‌ କରି ଦୁଇଟି ଥାନ ବୁଣିବାର ବରାଦ ପାଇଚି । ଏ ବୟସରେ (୭୫) ତ ଆଉ ବେଶୀ କାମ କରି ହେବ ନାହିଁ; ତେଣୁ ଏତକ ଶେଷ କରିବାକୁ ମୋତେ ଅନେକ ସମୟ ଲାଗିବ ।’’ ସେ ସ୍ତ୍ରୀଟି କେତେ ଶାନ୍ତି ଓ ସନ୍ତୋଷରେ ଜୀବନ କଟାଉ ନାହାନ୍ତି ? ପ୍ରତ୍ୟେକ କୃଷକକୁ ଏଇପରି ଶାନ୍ତି ଓ ସନ୍ତୋଷ ମିଳିବା ଉଚିତ । ଖରାଦିନେ ସେ ବିଲରେ କାମ କରିବାକୁ ଯା’ନ୍ତି । କିଛି ସମୟ ସୂତା କାଟନ୍ତି ଏବଂ ମଝିରେ ବଝିରେ ବର୍ଷାପାଗ ହେଲେ ଲୁଗା ବୁଣନ୍ତି । ଶୀତଦିନେ ଚାରିଆଡ଼େ ବରଫ ପଡ଼େ, ତେଣୁ ସାରାଦିନ ସେ କେବଳ ସୂତା କାଟନ୍ତି ଓ ଲୁଗା ବୁଣନ୍ତି । ଏଇ ହାତକାମ ନ ଥିଲେ ତାଙ୍କର ଅବସ୍ଥା ଶୋଚନୀୟ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଏଇ ପାର୍ବତ୍ୟ ଅଞ୍ଚଳରେ ସେ ବୋଧହୁଏ ସମସ୍ତଙ୍କଠାରୁ ବେଶୀ ସୁଖରେ ଅଛନ୍ତି । କାରଣ କେବଳ ସେଇଜଣକ ନିଜର କୁଟୀରଶିଳ୍ପ ବଞ୍ଚାଇ ରଖିପାରିଚନ୍ତି–ତାଙ୍କରି ଜୀବନ କେବଳ ସାର୍ଥକତାରେ କଟୁଚି । ଆପଣଙ୍କ ପାଖକୁ ତାଙ୍କର ଗୋଟିଏ ଫଟୋ ପଠାଉଚି–ସେଥିରେ ସେ ଖଣ୍ଡେ କାଠଗଡ଼ ଉପରେ ବସି ଛେଳିଟିକୁ ଗେଲ କରୁଚନ୍ତି । ଏଇ ଛବିଟିରୁ ଆପଣ ତାଙ୍କର ମୁଖରେ ପ୍ରସନ୍ନତା ଅନୁମାନ କରିପାରିବେ । ପାଖରେ ଠିଆ ହୋଇଥିବା ଯୁବତୀଟି ତାଙ୍କର ବୋହୂ ।’’

 

ସେ ସୁନ୍ଦର ଫଟୋଟିକୁ ମୁଁ ‘ୟଙ୍ଗ୍‌ ଇଣ୍ଡିଆ’ରେ ଛପାଇ ପାରୁନାହିଁ । କିନ୍ତୁ ପାଠକ ନିଜ ନିଜର କଳ୍ପନାଚକ୍ଷୁରେ ଛବିଟିକୁ ନିଶ୍ଚୟ ଦେଖି ପାରିବେ । ଚିଠିଟିରେ ସବୁଠାରୁ ବେଶୀ ଲକ୍ଷ୍ୟ କରିବା କଥା, ସୁଇଜରଲାଣ୍ଡ ପରି କଳକାରଖାନା ଦେଶରେ ମଧ୍ୟ ଅନେକ ଲୋକ ଏହି ଚରଖା ଓ ତନ୍ତରେ କାମ କରି ଶାନ୍ତି ପାଇ ପାରୁଛନ୍ତି । ଦିନେ ହୁଏତ ଏହି ଶିଳ୍ପ ସାରା ପୃଥିବୀବ୍ୟାପୀ ଚଳୁଥିଲା ଏବଂ ଏହି ବୃଦ୍ଧା ରମଣୀଟି ଚରଖା ଓ ତନ୍ତଦ୍ୱାରା ଜୀବିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ମନର ଶାନ୍ତି ପାଇ ପାରୁଚନ୍ତି, ୭୫ ବର୍ଷ ବୟସରେ ମଧ୍ୟ ସେ ଯୁବତୀ ପରି ସତେଜ ଅଛନ୍ତି । ଏଇଥିରୁ ଜଣା ପଡ଼ିବ, ଭାରତବର୍ଷରେ ଏଇ ଶିଳ୍ପର କେତେଦୂର ଆବଶ୍ୟକତା ରହିଚି । ଆମ ଦେଶରେ କେତେ ଜଣ ୭୫ ବର୍ଷ ଯାଏ ବଞ୍ଚି ରହନ୍ତି ? ୫୦ ବର୍ଷ ନ ହେଉଣୁ ଆମେ ବୁଢ଼ା ହୋଇଯାଉଁ । ଫୁର୍ସତ ସମୟରେ କୌଣସି କୁଟିର ଶିଳ୍ପ ଅବଲମ୍ବନ କରି ସେଥିରୁ ଶାନ୍ତି ପାଇବା ତ ପଛ କଥା, ଆଗ ପେଟକୁ ଗଣ୍ଡାଏ ଦାନା ଯୋଗାଡ଼ କରିବାକୁ ମଧ୍ୟ ଚରଖା ଓ ତନ୍ତର ପ୍ରୟୋଜନୀୟତା ରହିଛି-

 

ହୁଏତ କେହି ଉପହାସ କରି କହିବ–‘‘କୁଟିରଶିଳ୍ପରୁ ଯଦି ସ୍ୱିଜରଲାଣ୍ଡର ଜଣେ ବୁଢ଼ୀ ନିଜର ପେଟ ପୋଷିବା ସଙ୍ଗେ ସଙ୍ଗେ ଏତେଦୂର ସୁଖ ଓ ଶାନ୍ତି ପାଇ ପାରୁଚି, ତେବେ ସମସ୍ତେ ସେହି ବେଉଷା କରୁ ନାହାନ୍ତି କାହିଁକି ? କିଏ ତାଙ୍କୁ କରିବାପାଇଁ ମନା କରୁଚି ?’’ ଜଣେ ସ୍ୱାସ୍ଥ୍ୟବାନ୍‌ ଇଂରେଜ ଥରେ ୧୮୮୯ ବା ୧୮୯୦ ରେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କୁ ମଧ୍ୟ ଏଇପରି ପ୍ରଶ୍ନଟିଏ ପଚାରିଥିଲେ । ସେତେବେଳେ ସେ ଇଂରେଜମାନଙ୍କର ଏକ ସଭାରେ ବକ୍ତୃତା ଦେଉଥାନ୍ତି-। ପ୍ରଶ୍ନ ପଚାରିବା ଲୋକଟି ଜନ୍‌ବୁଲ କମ୍ପାନିର ଜଣେ କର୍ମଚାରୀ । ବଙ୍ଗଦେଶର ତତ୍କାଳୀନ ମୁକୁଟହୀନ ସମ୍ରାଟଙ୍କୁ ସେ ପଚାରିଲେ–‘‘ଆପଣ କହୁଚନ୍ତି ଯେ, ଭାରତବର୍ଷ ସ୍ୱାଧୀନତା ଚାହେ । କିନ୍ତୁ କିଏ ସେମାନଙ୍କୁ ସ୍ୱାଧୀନ ହେବାକୁ ମନା କରୁଚି ? ଇଂଲଣ୍ଡରେ ଏତେ କାରଖାନା ଅଛି; କିନ୍ତୁ ଯେତେବେଳେ ମଜୁରିଆମାନଙ୍କର ଦାବୀମାନ ପୂରଣ କରାଯାଉ ନାହିଁ, ସେତେବେଳେ ମୁଣ୍ଡ ଫଟାଫଟି ତ ଦୂରର କଥା, ଝରକାଟିଏ ଭାଙ୍ଗିଥିବାର ତ କେହି ଶୁଣି ନାହିଁ । ଏହାର କାରଣ କଣ ?’’ ମୋର ମନେ ପଡ଼ୁଚି ଏ ପ୍ରଶ୍ନର କୌଣସି ଉତ୍ତର ଦିଆଯାଇ ପାରି ନ ଥିଲା । ସଭା ଭିତରୁ ଖୁବ୍ ‘ହିଅର’ ‘ହିଅର୍‌’ ଚିତ୍କାର ହେଉଥାଏ । ଆଜି ମଧ୍ୟ ସେହି ପ୍ରଶ୍ନଟି ପୁଣି ପଚରା ଯାଇପାରେ । ଲୋକମାନେ ସ୍ୱାଧୀନତା ଚାହାନ୍ତି । କିନ୍ତୁ ଖାଲି ଉକ୍ତ ପ୍ରଶ୍ନଟି ପଚାରି ଦେଲେ କଣ ଲୋକଙ୍କୁ ସନ୍ତୋଷ ମିଳିଯିବ ? ହୁଏତ କିପରି ସ୍ୱାଧୀନତା ପାଇବାକୁ ହେବ, ସେ ବିଷୟରେ ଆମେ କିଛି ଜାଣି ନାହୁଁ ବା ହୁଏତ ଆମେ ସ୍ୱାଧୀନତାର ବାଟ ଜାଣିଛି, ଅଥଚ ସେହି ବାଟରେ ଯାଇ ପାରିବାର ଶକ୍ତି ଓ ଇଚ୍ଛା ହାସଲ କରିପାରି ନାହୁଁ । ତଥାପି ସ୍ୱାଧୀନତା ଦାବୀ କରିବାପାଇଁ ନ୍ୟାୟତଃ ଆମର ଯଥେଷ୍ଟ ଅଧିକାର ଅଛି । ତାହା ହାସଲ କରିବାରେ ଆମେ ସଫଳ ନ ହେଉ ପଛକେ, ଏହା ସ୍ୱାଧୀନତାର ପ୍ରଥମ ସୋପାନ ସ୍ୱରୂପ ।

 

ଦେଶର କୋଟି କୋଟି ଦରିଦ୍ର ଜନସାଧାରଣଙ୍କ ବିଷୟରେ ଉପହାସ କରୁଥିବା ଲୋକମାନେ ଗୋଟାଏ ବଡ଼ କଥା ଭୁଲି ଯାଉଚନ୍ତି । କାମ ବା ଭାତ ଦାବୀକରି ଚିତ୍କାର କରିବାର ପ୍ରବୃତ୍ତିବି ଆମ ଲୋକମାନଙ୍କ ଭିତରେ ନାହିଁ । ସେଥିଲାଗି ଇଂରେଜ ଐତିହାସିକଙ୍କର ଭାଷାରେ ଆମେ ସେମାନଙ୍କୁ ‘ମୂକ ଜନତା’ ବୋଲି କହି ଆସିଚୁ । ଆମ୍ଭେମାନେହିଁ ସେଇମାନଙ୍କର ମୁଖର ଭାଷା କହିବା । (ଏହି ‘ଆମ୍ଭେମାନେ’ ଭିତରେ ଉପହାସ କଲା ଲୋକମାନେ ମଧ୍ୟ ଅଛନ୍ତି ।) ସେଇ ନିର୍ବାକ୍‌ ଲୋକମାନଙ୍କୁ ଶିକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ । ସେମାନେ ଯେ ଏପରି ଦାରିଦ୍ର୍ୟ ଓ ଅଶିକ୍ଷା ଭିତରେ ଘାଣ୍ଟି ହେଉଚନ୍ତି, ଏଥିପାଇଁ କେବଳ ଆମେମାନେ ଦାୟୀ । ସେମାନଙ୍କର ପ୍ରକୃତରେ କଣ ଦରକାର, ସେତକ ସୁଦ୍ଧା ଜାଣି ପାରିବାର କ୍ଷମତା ସେମାନଙ୍କଠାରେ ନାହିଁ । ସେମାନେ ଗୋଟିଏ ଗୋଟିଏ ଜିଅନ୍ତା ମୁର୍ଦାର ।

 

ଅଛୁଆଁମାନେ ଇଚ୍ଛା କଲେ ଯେ ନିଜର ସ୍ୱାଧୀନତା ହାସଲ କରି ପାରିବେ, ଏଇ କଥା ସେମାନଙ୍କୁ କହିଦେବାର ସାହସ କାହାର ଅଛି ? ଭଗବାନ ଧୈର୍ଯ୍ୟ ସହିତ ସମସ୍ତ ଅନ୍ୟାୟ ସହ୍ୟ କରନ୍ତି । ମଝିରେ ମଝିରେ ସେ ଅନ୍ୟାୟ ବିରୁଦ୍ଧରେ ମଣିଷକୁ ସତର୍କ କରି ଦେଉଥାନ୍ତି । କିନ୍ତୁ ଶେଷରେ ଅତ୍ୟାଚାରୀର ଗାତ ତା’ର ନିଜର ହାତରେହିଁ ସେ ଖୋଳାନ୍ତି ।

 

ଇଂରେଜ ଭଦ୍ରଲୋକଟିର ଉପହାସବ୍ୟଞ୍ଜକ ପ୍ରଶ୍ନକୁ ତର୍କ ଦୃଷ୍ଟିରୁ ଠିକ୍‌ ବୋଲି ଧରିନେଲେ ମଧ୍ୟ, କୌଣସି ଇଂରେଜ ପକ୍ଷରେ ଏପରି ପ୍ରଶ୍ନ ପଚାରିବା ଶୋଭାପାଏ ନାହିଁ । କୌଣସି ଭରସା ନ ଥାଉ ପଛକେ, ଆମେ ନିଶ୍ଚୟ ସ୍ୱାଧୀନ ହେବାର ସ୍ୱାଭାବିକ ଇଚ୍ଛା ପ୍ରକାଶ କରି ପାରିବୁଁ-। ମଧ୍ୟବିତ୍ତ ଶ୍ରେଣୀର ସ୍ତ୍ରୀ ଓ ପୁରୁଷମାନଙ୍କର ମଧ୍ୟ ଗୋଟିଏ କଥା ମନେ ରଖିବା ଉଚିତ ଯେ, ଆମେ ମଧ୍ୟ କେବେ ହେଲେ ସାଧାରଣ ଲୋକଙ୍କର ଏଇ ପ୍ରଧାନତମ ଆବଶ୍ୟକତାକୁ ଏପରି ଉପହାସରେ ଉଡ଼ାଇ ଦେବା ନାହିଁ । ସେମାନେ ହୁଏ ତ ନିଜର ଅନ୍ତର ଭିତରେ ସେ ଆବଶ୍ୟକତାକୁ ଅନୁଭବ କରି ନ ପାରିଥାନ୍ତି । କିନ୍ତୁ ଆମ ଭିତରୁ ତ କେତେଜଣ ସେମାନଙ୍କପାଇଁ ଭାବୁଚନ୍ତି । କେବଳ ଯେ ସେଇ ମୂକଜନତାର ମୁଖପାତ୍ର ହୋଇ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ହେବ ତା’ ନୁହେ, ଅଧିକନ୍ତୁ ସୂତାକଟା ଅଭ୍ୟାସ କରି, ବିଦେଶୀ ବର୍ଜନ, କରି, ଖଦଡ଼ ଲୁଗା ବୁଣି ଓ ଜାତିର ପ୍ରତ୍ୟେକ ଅବସର ମୁହୂର୍ତ୍ତକୁ କାମରେ ଲଗାଇ ଆମକୁ ଲୋକଙ୍କ ସହିତ ଆଗକୁ ଚାଲିବାକୁ ପଡ଼ିବ । ସେଇଦିନ କେବଳ ଭାରତୀୟ ନାରୀ ପୁଣି ତା’ର ସରସତା ଫେରି ପାଇବ, ୭୫ ବର୍ଷ ବୟସରେ ମଧ୍ୟ ସ୍ୱିଜରଲାଣ୍ଡର ସେଇ ବୁଢ଼ୀଟି ପରି ସୁଖୀ ଓ ଈଶ୍ୱରପରାୟଣା ହୋଇ ପାରିବ ।

ୟଙ୍ଗ୍‌ ଇଣ୍ଡିଆ, ୧୨.୦୫.୨୭

Image

 

ଜଣେ ଭଉଣୀର ଅସୁବିଧା

 

ଜଣେ ଭଉଣୀ ଲେଖିଚି–

 

‘‘ବର୍ଷକ ପୂର୍ବରୁ ଆପଣ ଗୋଟିଏ ସଭାରେ କହିଥିଲେ ଯେ, ଆମ ସମସ୍ତଙ୍କୁ ଖଦଡ଼ ବ୍ୟବହାର କରିବାକୁ ହେବ । ସେଇଦିନଠାରୁ ମୁଁ ଖଦଡ଼ ପିନ୍ଧି ଆସିଚି । କିନ୍ତୁ ଆମର ଆର୍ଥିକ ଅବସ୍ଥା ବଡ଼ ଖରାପ । ମୋର ସ୍ୱାମୀ କହୁଚନ୍ତି ଯେ ଖଦଡ଼ର ଦାମ ଖୁବ୍‌ ବେଶୀ । ଆମ ମରାଠୀ ପରିବାରରେ ସାଧାରଣତଃ ନଅଗଜି ଶାଢ଼ୀ ପିନ୍ଧିବାକୁ ହୁଏ । ଛଅଗଜିଆ ଶାଢ଼ୀ ପିନ୍ଧିଲେ ଖରଚ ଅନେକ କମି ଯାଆନ୍ତା, କିନ୍ତୁ ଗୁରୁଜନମାନେ ମୋତେ ଏପରି କରିବାକୁ ଦେବେନାହିଁ । ମୁଁ ସେମାନଙ୍କୁ ଅନେକ ବୁଝାଇଚି ଯେ, ଶାଢ଼ୀର ଲମ୍ବାଚୌଡ଼ା ଆଦୌ ବଡ଼ କଥା ନୁହେଁ, ଖଦଡ଼ ପିନ୍ଧିବା ହେଉଚି ଅସଲ ବିଷୟ । କିନ୍ତୁ ସେମାନେ ମୋଟେ ବୁଝୁନାହାନ୍ତି । ସେମାନେ କହୁଚନ୍ତି ଯେ, ଏ ଯୁବତୀ ବୟସହେତୁ ଏପରି ଅଦ୍ଭୁତ ଖିଆଲ ସବୁ ମୋମୁଣ୍ଡରେ ଖେଳୁଚି । କିନ୍ତୁ ଆପଣ ଯଦି ଟିକିଏ ଲେଖିଦେଇ ପାରନ୍ତି ଯେ, ବାହାରର ସଜ୍ଜା ପ୍ରତି କୌଣସି ଦୃଷ୍ଟି ନ ରଖି ମଧ୍ୟ ଖଦୀ ବ୍ୟବହାର କରିବାକୁ ପଡ଼ିବ, ତେବେ ସେମାନଙ୍କର ମନ ବଦଳିଯିବ ବୋଲି ମୋର ଖୁବ୍ ଆଶା ରହିଚି ।’’

 

ଭଉଣୀଟି ପାଖକୁ ମୁଁ ଚିଠିର ଉତ୍ତର ପଠାଇ ଦେଇଚି । ହୁଏତ ଅନ୍ୟାନ୍ୟ ଅନେକ ଭଉଣୀ ଏଇପରି ଅସୁବିଧାରେ ପଡ଼ୁଥିବେ, ସେଥିପାଇଁ ଏଠି ସେ ବିଷୟରେ କିଛି କହିବା ଉଚିତ ମନେ କରୁଚି ।

 

ଚିଠିରୁ ଜଣାପଡ଼ୁଚି ଯେ, ଭଉଣୀଟିର ମନରେ ଯଥେଷ୍ଟ ଦେଶପ୍ରେମ ରହିଚି, କାରଣ ନିଜ ଇଚ୍ଛାରେ ପୁରୁଣା ରୁଚି ଓ ପୁରୁଣା ରୀତିନୀତି ଛାଡ଼ିଦେବାର କ୍ଷମତା ଖୁବ କମ୍ ଭଉଣୀଙ୍କର ଅଛି । ପୁରୁଣା ଢଙ୍ଗଢ଼ାଙ୍ଗ ସବୁ ଯେତେ କ୍ଷତିକାରକ ହେଲେ ମଧ୍ୟ ସେଗୁଡ଼ିକୁ ସାର କରି ରଖାଯା’ନ୍ତା, କୌଣସି ଖରଚ ଲାଗନ୍ତା ନାହିଁ ଏବଂ ଯଦି କୌଣସି ବିପଦ ସହିବାକୁ ନ ପଡ଼ି ସୁରୁଖୁରରେ ସ୍ୱରାଜ୍ୟ ଖସିପଡ଼ନ୍ତା, ତେବେ ସେଥିଲାଗି ନିଶ୍ଚୟ ଦଳ ଦଳ ଭାଇ ଭଉଣୀ ତିଆରି ହୋଇ ବାହାରି ଆସନ୍ତେ; କିନ୍ତୁ ସ୍ୱରାଜ୍ୟ କଣ ଏତେ ଶସ୍ତା ହୋଇଚି ? ସ୍ୱରାଜ୍ୟ ପାଇବାକୁ ହେଲେ ଯଥେଷ୍ଟ ଆତ୍ମତ୍ୟାଗ କରିବାକୁ ହେବ ଏବଂ ସବୁପ୍ରକାର ପ୍ରଦେଶଗତ ଭେଦଭାବ ଭୁଲିଯିବାକୁ ପଡ଼ିବ ।

 

ଏଇସବୁ ପ୍ରଦେଶଗତ ଭେଦଭାବ ସୃଷ୍ଟି କଲେ ତାହା ଯେ କେବଳ ସ୍ୱରାଜ୍ୟ ପାଇବାରେ ଅନ୍ତରାୟ ହେବ ତା’ ନୁହେଁ, ପ୍ରାଦେଶିକ ସ୍ୱତନ୍ତ୍ରତା ମଧ୍ୟ ଚିରଦିନ ଆକାଶକୁସୁମ ହୋଇ ରହିଥିବ । ଏଇ ସଂକୀର୍ଣ୍ଣ ମନୋଭାବ ପାଇଁ ପୁରୁଷଠାରୁ ନାରୀ ଅଧିକ ପରିମାଣରେ ଦାୟୀ । ଅବଶ୍ୟ ସବୁ କଥାରେ ନିଜର ପସନ୍ଦ ଓ ରୁଚି ରହିବା ଉଚିତ, କିନ୍ତୁ ସୀମା ଲଙ୍ଘନ କରିଗଲେ ନାନାପ୍ରକାର ଉପଭୋଗ ଓ ପ୍ରାଚୀନ ରୀତିନୀତିର ମନୋଭାବ ସୃଷ୍ଟିହୋଇ ଆମର ଜାତୀୟତା ଭାବକୁ ନଷ୍ଟ କରିଦେବ । ଦକ୍ଷିଣୀ ଶାଢ଼ୀ ପିନ୍ଧିଲେ ଖୁବ୍ ସୁନ୍ଦର ଦେଖାଯାଏ, କିନ୍ତୁ ସେଥିପାଇଁ ଯଦି ଜାତିର ହାନି ହୁଏ, ତେବେ ଯେ ସୌନ୍ଦର୍ଯ୍ୟ ଛାଡ଼ିଦେବାକୁ ପଡ଼ିବ । ଖଦୀର ବ୍ୟବହାରକୁ ଶସ୍ତା ଓ ସୁବିଧାଜନକ କରିବାକୁ ହେଲେ କେବଳ କଛୀ ବା ପଞ୍ଜାବୀ ପିନ୍ଧିବାକୁ ଢଙ୍ଗକୁ ସୁନ୍ଦର ବୋଲି ମନେ କରିବାକୁ ହେବ । ଦକ୍ଷିଣୀ, ଗୁଜୁରାଟୀ, କଛୀ, ବଙ୍ଗାଳୀ, ଏସବୁ ପ୍ରତ୍ୟେକ ଶାଢ଼ୀ ପିନ୍ଧିବାର ଗୋଟିଏ ଗୋଟିଏ ଢଙ୍ଗ ଏବଂ ପ୍ରତ୍ୟେକରେ ତା’ର ନିଜର ଜାତୀୟତା ରହିଚି । ତେଣୁ ଯେଉଁ ଢଙ୍ଗରେ ଶାଢ଼ୀ ପିନ୍ଧିଲେ କମ୍ ଲୁଗା ଲାଗିବ ଏବଂ ଏଣେ ମଧ୍ୟ ସୁନ୍ଦର ଦେଖାଯିବ, ସେଇ ଢଙ୍ଗକୁ ଗ୍ରହଣ କରିବା ଉଚିତ । କଛୀ ଶାଢ଼ୀରେ ଗୁଜୁରାଟୀ ଶାଢ଼ୀର ଅଧା ଖରଚ ହୁଏ; ଏଥିପାଇଁ ମୋଟେ ତିନିଗଜ ଲୁଗା ଲାଗେ, ବେଶୀ ଓଜନର ଲୁଗା ଘୋଷାରିବାକୁ ମଧ୍ୟ ପଡ଼େ ନାହିଁ, ପାଞ୍ଚି ଓ ବ୍ଲାଉଜ ଗୋଟିଏ ରଙ୍ଗର ହୋଇଥିଲେ ସବୁତକ ଗୋଟିଏ ପାଞ୍ଚି କି ଶାଢ଼ୀ, ହଠାତ୍ କେହି ଠିକ୍ କରି କହିପାରିବ ନାହିଁ । ପ୍ରଦେଶ ପ୍ରଦେଶ ଭିତରେ ରୁଚିର ଆଦାନ ପ୍ରଦାନ ଖୁବ୍ ଭଲ କଥା ।

 

ବଡ଼ ଲୋକମାନେ ହୁଏତ ନିଜ ପ୍ରଦେଶର ରୁଚି ବଜାୟ ରଖିପାରନ୍ତି । ବଙ୍ଗାଳୀ ଅତିଥିମାନଙ୍କୁ ସମ୍ୱର୍ଦ୍ଧନା କରିବାବେଳେ ଗୁଜରାଟୀ ଗୃହସ୍ଥ ଓ ଘରଣୀ ବଙ୍ଗାଳୀ ଢଙ୍ଗରେ ପୋଷାକ ପିନ୍ଦିଲେ ନିଶ୍ଚୟ ବେଶୀ ଭଦ୍ରତା ଓ ଜାତୀୟତା ପ୍ରକାଶ ପାଇବ । ଗୁଜରାଟୀ ଅତିଥି ଆସିଲେ ବଙ୍ଗାଳୀ ଗୃହସ୍ଥ ଓ ଘରଣୀ ମଧ୍ୟ ଗୁଜରାଟୀ ପୋଷାକ ପିନ୍ଧିଲେ ଭଲ ହେବ । କିନ୍ତୁ ଜାତିପ୍ରେମୀ ଧନୀ ଲୋକମାନେ କେବଳ ଏସବୁ କରିପାରିବେ । ଯେଉଁ ଢଙ୍ଗରେ ସବୁଠାରୁ କମ୍ ଖର୍ଚ୍ଚରେ ଓ ବେଶୀ ସୁବିଧାରେ ଖଦଡ଼ ପିନ୍ଧିହେବ, ମଧ୍ୟବିତ୍ତ ଓ ଗରିବ ଲୋକମାନେ ସେଇ ଢଙ୍ଗକୁ ଗ୍ରହଣ କରିବା ଉଚିତ । ସେମାନେ ମଧ୍ୟ ଯେପରି ଦରିଦ୍ରାଦପି ଦରିଦ୍ରର ପିନ୍ଧିବା ଢଙ୍ଗପ୍ରତି ନଜର ରଖନ୍ତି ।
 

ଆପଣାର ଛୋଟ ଟୁବଗଡ଼ିଆରେ ବୁଡ଼ି ରହିଲେ ତାକୁ ସ୍ୱଦେଶୀ କୁହାଯାଇ ପାରିବ ନାହିଁ, ନିଜର ଜଳଧାରକୁ ସମୁଦ୍ର ସାଥିରେ ମିଶାଇବାକୁ ହେବ । ସମୁଦ୍ର କହିଲେ ଏଠି ସମଗ୍ର ଜାତିକୁ ବୁଝାଉଚି । କେବଳ ନିଜକୁ ପବିତ୍ର ରଖିପାରିଲେ ଏହା ସମୁଦ୍ର ସହିତ ମିଳିତ ହୋଇପାରିବ-। ତେଣୁ ପ୍ରତ୍ୟେକ ପ୍ରକାରର ପବିତ୍ର ଓ ଉଚ୍ଚନୈତିକ ପ୍ରାଦେଶିକ ରୁଚିକୁ ସମସ୍ତ ଦେଶରେ ଚଳାଇବାକୁ ପଡ଼ିବ । ଏଇ କଥାଟି ଯେତେବେଳେ ସମସ୍ତେ ବୁଝିପାରିବେ, ସେତେବେଳେ ଆମର ଜାତୀୟତା ବିଶ୍ୱପ୍ରେମର ସ୍ତରକୁ ଉନ୍ନୀତ ହୋଇପାରିବ ।

 

ପୋଷାକ ବିଷୟରେ ଯାହା କହିଲି, ଭାଷା ଓ ଖାଦ୍ୟ ବିଷୟରେ ମଧ୍ୟ ସେଇକଥା ଲାଗୁ କରାଯାଇ ପାରିବ । ଆମର ସୁବିଧାମତେ ଅନ୍ୟ ପ୍ରଦେଶର ପୋଷାକ ପିନ୍ଧିବାର ଢଙ୍ଗ ଗ୍ରହଣ କରିବା ଭଳି, ଆମେ ଅନ୍ୟର ଭାଷା ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସେଇପରି ଗ୍ରହଣ କରିପାରିବା । କିନ୍ତୁ ଦୁଃଖର କଥା, ମାତୃଭାଷା ଓ ଅନ୍ୟାନ୍ୟ ପ୍ରାଦେଶିକ ଭାଷାର ଘୋର କ୍ଷତି କରାଯାଇ ଆମ ଦେଶରେ ଇଂରାଜୀ ଭାଷାକୁ ପ୍ରଥମ ସ୍ଥାନ ଦିଆଯିବାର ବୃଥା ଚେଷ୍ଟା କରାଯାଉଚି ଏବଂ ସେଇବାଟରେ ଆମର ସମସ୍ତ ଶକ୍ତି ବରବାଦ ହୋଇଯାଉଚି ।

ୟଙ୍ଗ୍ ଇଣ୍ଡିଆ, ୦୨.୦୨.୨୮

Image

 

ନାରୀଜାତି ଓ ଅସ୍ପୃଶ୍ୟତା

 

ହରିଜନ ଗସ୍ତ ସମୟରେ ବିଭିନ୍ନ ସ୍ଥାନର ନାରୀ ସଭାରେ ଗାନ୍ଧିଜୀ ଯାହାସବୁ କହିଥିଲେ, ସେଥିରୁ କେତେକ ଅଂଶ ନିମ୍ନରେ ଦିଆଯାଉଚି ।

 

ବିଳାସପୁର :–ଭଉଣୀମାନେ, ହରିଜନ ପାଣ୍ଠିକୁ ଯଥାଶକ୍ତି ସାହାଯ୍ୟ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଚି । ତୁମେମାନେ କିପରି ହରିଜନମାନଙ୍କର ସେବା କରିପାରିବ, ସେକଥା ମୋତେ ସମ୍ଭାଷଣ-ପତ୍ରରେ ପଚାରିଚ । ତାହାହେଲେ ପ୍ରଥମ କଥା ହେଉଚି ଯେ, ତୁମେମାନେ ନିଜ ମନଭିତରୁ ସବୁ ପ୍ରକାର ଛୁଆଁ ଅଛୁଆଁ ଭାବ ପୋଛି ପକାଅ ଏବଂ ନିଜର ପିଲାଙ୍କ ପରି ହରିଜନ ପିଲାଙ୍କର ସେବା କର । ନିଜର ଭାଇ ଭଉଣୀ ଏବଂ ସେଇ ଭାରତମାତାର ସନ୍ତାନବୋଲି ମନେକରି ତୁମେମାନେ ସେମାନଙ୍କୁ ଭଲ ପାଅ । ନାରୀକୁ ମୁଁ ସେବା ଓ ତ୍ୟାଗଧର୍ମର ଅବତାର ରୂପେ ପୂଜା କରିଆସିଚି । ନିସ୍ୱାର୍ଥ ସେବା କରିବା ତୁମର ପ୍ରକୃତିଗତ ଗୁଣ, ପୁରୁଷ କେବେ ଏଥିରେ ତୁମମାନଙ୍କୁ ବଳିଯାଇ ପାରିବ ନାହିଁ । କେଉଁଠି କାହାକୁ କଷ୍ଟ ସହୁଥିବାର ଦେଖିଲେ ସ୍ତ୍ରୀର କୋମଳ ପ୍ରାଣ ସଙ୍ଗେ ସଙ୍ଗେ ତରଳିଯାଏ । ଯଦି ହରିଜନମାନଙ୍କର ନିର୍ଯାତନା ଦେଖି ତୁମର ପ୍ରାଣ କାନ୍ଦୁଚି ଏବଂ ତୁମେ ଅସ୍ପୃଶ୍ୟତା ଓ ସବୁପ୍ରକାର ଉଚ୍ଚନୀଚ ଭାବ ଛାଡ଼ିଦେବାକୁ ଠିକ୍ କରୁଚ, ତେବେ ତାହାରିଦ୍ୱାରାହିଁ ହିନ୍ଦୁଧର୍ମ ପବିତ୍ର ହୋଇଯିବ ଏବଂ ହିନ୍ଦୁସମାଜର ଯଥେଷ୍ଟ ଆଧ୍ୟାତ୍ମିକ ଅଗ୍ରଗତି ହୋଇ ପାରିବ । ଏହାରିଦ୍ୱାରାହିଁ ଭାରତରେ ୩୫ କୋଟି ଲୋକଙ୍କର କଲ୍ୟାଣ ସାଧିତ ହୋଇପାରିବ । ପୃଥିବୀର ପାଞ୍ଚଭାଗରୁ ଭାଗେ ଲୋକ ଯେତେବେଳେ ନିଜକୁ ଏଇପରିଭାବରେ ନିର୍ମଳ ଓ ଶୁଦ୍ଧ କରିପାରିବେ, ତା’ର ପ୍ରଭାବ ନିଶ୍ଚୟ ସମସ୍ତ ଜଗତ ଉପରେ ପଡ଼ିବ । ଏଇ ଆନ୍ଦୋଳନ ପଛରେ ଅନେକ ମହାନ୍ ପରିଣାମ ସବୁ ପ୍ରଚ୍ଛନ୍ନ ରହିଚି । ଏହା ଆତ୍ମଶୁଦ୍ଧିର ଏକ ବିରାଟ ଆନ୍ଦୋଳନ । ପୃଥିବୀର ଇତିହାସରେ ଏହାଠାରୁ ବୋଧହୁଏ ବଡ଼ ଆନ୍ଦୋଳନ କେବେ ହୋଇନାହିଁ । ମୁଁ ଆଶା କରୁଚି ତୁମେମାନେ ଏଥିପାଇଁ ନିଜର କର୍ତ୍ତବ୍ୟ କରିବାରେ କଦାପି ପଛକୁ ହଟିବ ନାହିଁ ।

ହରିଜନ, ୦୮.୧୨.୩୩

 

ଦିଲ୍ଲୀ :–ଜଗତ୍‍କର୍ତ୍ତା ପରମେଶ୍ୱରଙ୍କର ଆଖିରେ କେହି ବଡ଼ ବା କେହି ଛୋଟ ନୁହେଁ । ମଣିଷକୁ ସେ ଯଦି ଛୋଟ ବଡ଼ କରି ଗଢ଼ିଥାନ୍ତେ, ତେବେ ତାହା ନିଶ୍ଚୟ ବାହାରକୁ ଜଣାପଡ଼ୁଥାନ୍ତା-। ହାତୀ ବଡ଼, ପିମ୍ପୁଡ଼ି ଛୋଟ, ଏକଥା ବାହାରୁ ଦେଖିଲେ ଜଣାପଡ଼ୁଚି । କିନ୍ତୁ ଭଗବାନ ମଣିଷକୁ ଏକ ଗଢ଼ଣ ଏବଂ ଏକ ପ୍ରବୃତ୍ତିମାନ ଦେଇଚନ୍ତି । ହରିଜନମାନେ ମଇଳା ସଫା କରୁଚନ୍ତି ବୋଲି ସେମାନଙ୍କୁ ଅଛୁଆଁ ବୋଲି କୁହାଯାଉଚି ? କୋଉ ମାଆ ନିଜ ପିଲାଙ୍କର ମଇଳା ନ ପୋଛିଚି ? ହରିଜନମାନେ ସମାଜର ସବୁଠାରୁ ବେଶୀ ସେବା କରନ୍ତି । ସେମାନଙ୍କୁ ଅଛୁଆଁ ଓ ଅଜାତିଆ କରି ରଖିଲେ ଘୋର ଅନ୍ୟାୟ ହେବ । ଦେଶର ଭଉଣୀମାନେ ଏଇ ପାପପ୍ରଥାକୁ ଭଲକରି ବୁଝନ୍ତୁ, ଏଇଥିପାଇଁ ମୁଁ ଦେଶଯାକ ବୁଲୁଚି । ଜଣେ ମଣିଷକୁ ନିଜଠାରୁ ଛୋଟ ମନେ କରିବା ଆଦୌ ଶୋଭନୀୟ ନୁହେଁ । ଆମେ ସମସ୍ତେ ଭିନ୍ନ ଭିନ୍ନ ନାମ ଦେଇ ଏକ ଭଗବାନଙ୍କ ପୂଜା କରୁଚୁ । ଏଇ ମୌଳିକ ଏକତ୍ୱ ବୁଝି ଆମକୁ ମନଭିତରୁ ଅସ୍ପୃଶ୍ୟତା ଓ ସମସ୍ତ ପ୍ରକାର ଉଚ୍ଚନୀଚ ଭାବ ଛାଡ଼ିଦେବାକୁ ପଡ଼ିବ ।

ହରିଜନ, ୨୨.୧୧.୩୩

 

ମାନ୍ଦ୍ରାଜ :–ଗୋଟିଏ କଥା କହିବାକୁ ମୁଁ ଏଠିକି ଆସିଚି । ସମାଜରେ ଜଣେ ବଡ଼, ଜଣେ ଛୋଟ, ଏକଥା ଏକାବେଳେକେ ଭୁଲିଯାଅ । ଜଣକୁ ଛୁଇଁଲେ ପାପ, ଆଉ ଜଣକୁ ଛୁଇଁଲେ ପାପ ନାହିଁ, ଏସବୁ ଭାବନା ମନରୁ ଦୂର କରିଦିଅ । ମୁଁ ଜାଣେ ତୁମେ ସମସ୍ତେ ଭଗବାନଙ୍କୁ ବିଶ୍ୱାସ କର-। ଭଗବାନ କଣ ଏଡ଼େ ନିଷ୍ଠୁର ଯେ, ସେ ପୁରୁଷ ପୁରୁଷ ଓ ସ୍ତ୍ରୀ ସ୍ତ୍ରୀ ଭିତରେ ଆଗରୁ ଉଚ୍ଚ ନୀଚ ଭାବ ରଖିଚନ୍ତି ? ଏଇ ଅଛୁଆଁ ମନୋଭାବ ହେଉଚି ହିନ୍ଦୁଧର୍ମର ସବୁଠାରୁ ବଡ଼ କଳଙ୍କ । ମୁଁ ଅନେକ ଥର ସଫା ସଫା କହିଚି ଯେ ଅସ୍ପୃଶ୍ୟତା ସ୍ଥାୟୀ ହୋଇ ରହିଲେ ହିନ୍ଦୁଧର୍ମର ସତ୍ତା ରହିବ ନାହିଁ । ଭଗବାନଙ୍କ ବିଷୟରେ ମଣିଷର ଭାଷାରେ କହିବାକୁ ଗଲେ, ଭଗବାନ ଏ ପାପକୁ ଖୁବ୍ ସମ୍ଭାଳି ରହିଚନ୍ତି । କିନ୍ତୁ ମୁଁ କହିଚି ଯେ ଭଗବାନ କେବେହେଲେ ସବୁଦିନ ଏସବୁ ସହି ରହିପାରିବେ ନାହିଁ । ଭାରତର ହିନ୍ଦୁସମାଜରେ ମଣିଷ ଯେଉଁ ନିଷ୍ଠୁର ଅତ୍ୟାଚାର କରୁଚି, ଭଗବାନ ଦିନେ ନା ଦିନେ ଏହାର ପ୍ରତିବିଧାନ କରିବେ ।

ହରିଜନ, ୨୯.୧୨.୩୩

 

ବାଙ୍ଗାଲୋର :–ଆମେ ଆଉ କେତେଜଣଙ୍କୁ ଆମଠାରୁ ଛୋଟ କରି ରଖିଚୁ, ତା’ର ଅର୍ଥ ଆମ ନିଜ ଭିତରେ ମଧ୍ୟ ପାପ ପୁରିରହିଛି । ଏଇ ପାପକୁ ପୋଛି ନ ପକାଇଲେ, ସେ ନିଶ୍ଚୟ ଦିନେ ଆମକୁ ଗ୍ରାସ କରିବ । ଏପରିକି ପ୍ରାୟଶ୍ଚିତ୍ତ କରିବାକୁ ମଧ୍ୟ ଜଣେ ହେଲେ ହିନ୍ଦୁ ବାକୀ ରହିବ ନାହିଁ । ମୋ ମତରେ ଏହାହିଁ ଆମଲାଗି ଉଚିତ ଶାସ୍ତି ହେବ । ସମସ୍ତଙ୍କୁ ଏଥିପାଇଁ ଚେତାଇ ଦେବାକୁ ମୁଁ ଭାରତବର୍ଷର ଏପାଖରୁ ସେପାଖ ଯାଏ କହିବୁଲୁଚି । ତେଣୁ ହରିଜନମାନଙ୍କ ସହିତ ନିଜର ଲହୁ ସମ୍ପର୍କୀୟ ଭାଇ ଭଉଣୀ ପରି ବ୍ୟବହାର କଲେ, ତୁମେମାନେ ନିଶ୍ଚୟ ଏକ ମହାନ୍ କର୍ତ୍ତବ୍ୟ ସାଧନ କରିବ ।

 

ଗାନ୍ଧିଜୀ କେତୋଟି ହରିଜନ ବସ୍ତି ଦେଖିବାକୁ ଯାଇଥିଲେ । ମହୀଶୂର ସହର ଏବଂ ଏସବୁ ବସ୍ତିର ତୁଳନା କରି ସେ ଖୁବ୍ ମନୋବେଦନା ପାଇଥିଲେ । ସେ କହିଥିଲେ :–

 

ଅନ୍ୟମାନେ ଆମ ସହିତ ଭଲ ବ୍ୟବହାର କରିବେ, ଏକଥା ହେଜି ଆମକୁ ମଧ୍ୟ ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରିବାକୁ ହେବ । ହରିଜନ ବସ୍ତିରେ ମୁଁ ଯେଉଁ ଅନ୍ଧାର ଗୁମ୍ଫାମାନ ଦେଖିଆସିଲି, ସେଠି କଦାପି ମଣିଷ ରହିପାରିବ ନାହିଁ । ବଞ୍ଚିବାର ଗୋଟାଏ ସୀମା ଅଛି, ଯାହା ତଳକୁ ଖସିଗଲେ ଆମକୁ ଆଉ ମଣିଷର ସମାନ କରାଯାଇ ପାରିବନାହିଁ । ମୁଁ ଯେଉଁ ଗୁମ୍ଫାମାନ ଦେଖିଲି, ସେଗୁଡ଼ିକ ସେ ଲଘୁତମ ସୀମାଠାରୁ ଆହୁରି ତଳେ । ମହୀଶୂର ଭଳି ସୁନ୍ଦର ସ୍ଥାନରେ ଏସବୁ କଳଙ୍କ ଯେତେଦୂର ଦୂର କରାଯାଇପାରେ ସେତେ ଭଲ । ମୁଁ ଶୁଣିଲି, ଏଇ ଅଭାଗା ହରିଜନମାନଙ୍କ ପାଇଁ ଭଲ ଘର ତିଆରି କରିଦେବାର ବ୍ୟବସ୍ଥା ହେଉଚି । କିନ୍ତୁ ଏସବୁ କରିବା ବେଳେ ସମୟଜ୍ଞାନ ରଖିବାକୁ ହେବ । ତୁମର ପାଗ ବନ୍ଧା ହେଉ ହେଉ ତେଣେ କଚେରୀ ଯେମିତି ବରଖାସ୍ତ ହୋଇ ନ ଯାଏ ।

ହରିଜନ, ୧୯.୦୧.୩୪

Image

 

ଘରକଣରୁ ବାହାରି ଆସ

 

ବଙ୍ଗଦେଶ, ବିହାର ଓ ଯୁକ୍ତପ୍ରଦେଶରେ ଗସ୍ତ କଲାବେଳେ ମୁଁ ଲକ୍ଷ୍ୟ କରିଚି ଯେ, ଅନ୍ୟ ପ୍ରଦେଶ ଅପେକ୍ଷା ସେଠାରେ ଖୁବ୍ କଡ଼ା ପର୍ଦ୍ଦାପ୍ରଥା ରହିଚି । ଥରେ ଦରଭଙ୍ଗାରେ ଗୋଟିଏ ସଭାରେ ମୁଁ ବକ୍ତୃତା ଦେଉଥାଏ, ସେତେବେଳକୁ ରାତି ଅନେକ ହୋଇଗଲାଣି, ସମସ୍ତେ ଚୁପ୍ ହୋଇ ଶୁଣୁଚନ୍ତି, ସଭାରେ ମଧ୍ୟ ବେଶୀ ଗହଳି ନାହିଁ । ମୋ ଆଗରେ କେବଳ ପୁରୁଷମାନେ ବସିଥାନ୍ତି । ପର୍ଦ୍ଦା ଆଢ଼ୁଆଳରେ ସ୍ତ୍ରୀମାନଙ୍କର ବସିବା ବ୍ୟବସ୍ଥା ହୋଇଥାଏ । ମୋତେ ସେ ଖବର କୁହା ନ ଗଲା ପର୍ଯ୍ୟନ୍ତ ମୁଁ ମୋଟେ ସେଆଡ଼କୁ ଦୃଷ୍ଟିପକାଇ ନଥିଲି । ଅରକ୍ଷିତ ଶିଶୁମାନଙ୍କ ପାଇଁ ଏକ ଆଶ୍ରମର ନିଅଁ ପକାଇବାକୁ ସେ ସଭାଟି ଅନୁଷ୍ଠିତ ହେଉଥାଏ, କିନ୍ତୁ ସ୍ତ୍ରୀମାନଙ୍କୁ ପର୍ଦ୍ଦା ଉଢ଼ୁଆଳରେ ବସିବାକୁ ସ୍ଥାନ ଦିଆ ଯାଇଥାଏ । ସେ ପର୍ଦ୍ଦା ଦେଖିବା ମାତ୍ରକେ ମନରେ ଖୁବ୍ ଦୁଃଖ ହେଲା । ତା’ ପଛରେ କେତେ ସ୍ତ୍ରୀଲୋକ ବସିଥାନ୍ତି ମୁଁ ଜାଣି ନ ଥାଏ । ମନେ ମନେ ବଡ଼ ଲଜ୍ଜିତ ହେଲି । ଗୋଟାଏ ବର୍ବର ପ୍ରଥାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖି ପୁରୁଷ ନାରୀ ପ୍ରତି କି ଅବିଚାର ନ କରୁଚି ? ହୁଏତ କୋଉ କାଳରେ, ତାର କଣ ଉପକାର ଥିଲା, କିନ୍ତୁ ଏ ଯୁଗରେ ତହିଁରୁ କୌଣସି ଲାଭ ହେଉନାହିଁ, ବଂର ଦେଶର ଅନେକ କ୍ଷତି ହେଉଚି । ଆମେ ଶହେ ବର୍ଷ ହେଲା ଯେତେ ପାଠଶାଠ ପଢ଼ିଲୁ ଆମ ଉପରେ ତାର କିଛି ପ୍ରଭାବ ପଡ଼ିନାହିଁ, କାରଣ ଶିକ୍ଷିତ ପରିବାରରେ ମଧ୍ୟ ଏଇ ଆଡ଼ଉଢ଼ୁଆଳର କଟକଣା ଚଳିଆସୁଚି । ଶିକ୍ଷିତ ଲୋକେ ଏ କଟକଣାରେ ଯେ ପ୍ରକୃତରେ ବିଶ୍ୱାସ କରନ୍ତି, ସେକଥା ମିଛ । ଅସଲ କଥା ହେଉଚି–ସାହାସର ସହିତ ଏଇ ଅନ୍ୟାୟ ପ୍ରଥାର ପ୍ରତିରୋଧ କରି ତାକୁ ମୂଳପୋଛ କରିଦେବାର ଦାୟିତ୍ୱ ସେମାନେ ନେବାକୁ ଚାହାନ୍ତିନାହିଁ । ହଜାର ହଜାର ସ୍ତ୍ରୀଲୋକ ଯୋଗ ଦେଇଥିବା ଶହ ଶହ ସଭାରେ ମୁଁ ବକ୍ତୃତା ଦେଇଚି । ସେ ସବୁ ସଭାରେ ଏତେ ଗଣ୍ଡଗୋଳ ଓ ପାଟି ହୁଏ ଯେ, ସ୍ତ୍ରୀଲୋକମାନଙ୍କୁ ଭଲକରି କିଛି କହିହୁଏ ନାହିଁ । ସେମାନେ ନିଜର ଘର ଓ ଦୁଆର ଚାରିପାଖରେ ପାଚେରୀ ଭିତରେ ବନ୍ଦ ରହିଥିବା ପର୍ଯ୍ୟନ୍ତ ଜାତିର କଦାପି ମଙ୍ଗଳ ହେବନାହିଁ । ହଠାତ୍ ସେମାନଙ୍କୁ ଗୋଟାଏ ବଡ଼ ଘରଭିତରେ ଏକାଠି ବସାଇ ବକ୍ତୃତା ଶୁଣିବାକୁ କୁହାଗଲେ ସେମାନେ ପ୍ରଥମେ ଏସବୁ ଦେଖି ଘାଉରେଇ ଯିବେ ଏବଂ ତା’ପରେ ସମସ୍ତେ ଶାନ୍ତ ହୋଇ ବସିବା ପରେ ମଧ୍ୟ ଦେଶର ହାଲଚାଲ ବିଷୟରେ ସେମାନଙ୍କର ଆଗ୍ରହ ଜନ୍ମାଇଲା ଭଳି କିଛି କହି ହେବ ନାହିଁ । ପଦାକୁ ବାହାରି ମୁକ୍ତଭାବରେ ନିଶ୍ୱାସ ମାରିବାର ସ୍ୱାଧୀନତା ତ ସେମାନଙ୍କୁ କେବେ ଦିଆଯାଇନାହିଁ, ସେମାନେ ଏସବୁ ଖବର ଜାଣିବେ କୁଆଡ଼ୁ ? ମୁଁ ଜାଣେ, କଥାଟା ଟିକିଏ ବଢ଼େଇ କରି କହିପକାଇଲ । ଆଜି ଯେଉଁ ଭଉଣୀମାନଙ୍କୁ କିଛି କହିବାର ସୁଯୋଗ ମୋତେ ମିଳିଛି, ସେମାନଙ୍କର ଉନ୍ନତ ଶିକ୍ଷାଦୀକ୍ଷା ଓ ସଂସ୍କୃତି ବିଷୟରେ ମୁଁ ଭଲକରି ଜାଣେ । ମୁଁ ଜାଣେ ଯେ ପୁରୁଷଙ୍କର ସମକକ୍ଷ ହୋଇ ପାରିବାର ଶକ୍ତି ସେମାନଙ୍କର ଅଛି; କିନ୍ତୁ ସେମାନେ ଆଜି ବାହାରକୁ ବାହାରିପାରିବାର ଟିକିଏ ସୁଯୋଗ ପାଉନାହାନ୍ତି । ଶିକ୍ଷିତ ସମାଜ ପକ୍ଷରେ ଏସବୁ କଥା ଆଦୌ ଶୋଭାପାଉନାହିଁ । ପ୍ରଶ୍ନ ହେଉଚି, ନାରୀମାନେ କାହିଁକି ଉନ୍ନତି କରିପାରିନାହାନ୍ତି ? ସେମାନଙ୍କୁ କାହିଁକି ପୁରୁଷମାନଙ୍କ ପରି ସମାନ ସ୍ୱାଧୀନତା ମିଳୁନାହିଁ ? ବାହାରକୁ ଯାଇ ବାହାରେ ମୁକ୍ତ ବାୟୁ ସେବନ କରିବାକୁ ସେମାନଙ୍କୁ କାହିଁକି ସୁବିଧା ମିଳିବ ନାହିଁ-?

 

ସତୀତ୍ୱ ଏପରି ଜିନିଷ ନୁହେଁ ଯେ, ଘରଭିତରେ ବନ୍ଦକରି ପାଗକଲେ ତାହାର ବିକାଶ ହୋଇପାରିବ । ପର୍ଦ୍ଦାର ବାଡ଼ ଦେଇ ଏହାର ରକ୍ଷା କରାଯାଇ ପାରିବ ନାହିଁ । ଅନ୍ତରଭିତରୁ କେବଳ ସତୀତ୍ୱର ବିକାଶ ହେବ ଏବଂ ସବୁପ୍ରକାର ପ୍ରଲୋଭନର ପ୍ରତିରୋଧ କରିବାଦ୍ୱାରାହିଁ ଏହାର ଅସଲ ରୂପ ଧରାପଡ଼ିବ । ସୀତାଙ୍କ ପରି ପ୍ରତ୍ୟେକ ସତୀକୁ ସବୁପ୍ରକାର ଲୋଭ ଏଡ଼ିଦେବାକୁ ପଡ଼ିବ ପୁରୁଷର କଟାକ୍ଷ ଆଗରେ ନିଜକୁ ସମ୍ଭାଳି ନ ପାରିଲେ ସତୀତ୍ୱର କୌଣସି ମୂଲ୍ୟ ରହିବ ନାହିଁ । ସ୍ତ୍ରୀ ଯେମିତି ପୁରୁଷକୁ ବିଶ୍ୱାସ କରିବାକୁ ବାଧ୍ୟ ହେଉଚି, ପୁରୁଷକୁ ମଧ୍ୟ ସେଇପରି ସ୍ତ୍ରୀକୁ ବିଶ୍ୱାସ କରିବାକୁ ହେବ । ଏଇଥିରୁ କେବଳ ପୁରୁଷର ପୌରୁଷ ଜଣାପଡ଼ିବ । ଆଉ ବେଶୀଦିନ ଆମେ ସମାଜର ଗୋଟାଏ ଅଙ୍ଗକୁ କୋଢ଼ି ରଖି ପାରିବାନାହିଁ । ସୀତାଙ୍କ ବ୍ୟତୀତ ରାମଚନ୍ଦ୍ରଙ୍କର କୌଣସି ସ୍ଥାନ ରହିବ ନାହିଁ । ଦ୍ରୌପଦୀଙ୍କ ଠାରୁ ନିଜ ଗୋଡ଼ରେ ଠିଆ ହୋଇପାରିବାର ଆଦର୍ଶ କିଏ ଅଧିକ ଦେଖାଇ ପାରିଚି ? ସୀତା ହେଉଚନ୍ତି ନମ୍ରତାର ଅବତାର, ତାଙ୍କର ଜୀବନ ଠିକ୍ ଗୋଟିଏ ସୁକୁମାର ଫୁଲ ପରି । କିନ୍ତୁ ଦ୍ରୌପଦୀଙ୍କର ଜୀବନ ବିଶାଳ ବୃକ୍ଷ । ଭୀମପରି ଶକ୍ତିଶାଳୀ ବୀର ମଧ୍ୟ ତାଙ୍କର ଇଚ୍ଛା ଶକ୍ତି ଆଗରେ ନଇଁ ପଡ଼ିଥିଲା । ଭୀମ ସିନା ଆଉ ସମସ୍ତଙ୍କ ପାଖରେ ଭୟଙ୍କର ଥିଲେ, କିନ୍ତୁ ଦ୍ରୌପଦୀଙ୍କ ଆଗରେ ସେ ମେଣ୍ଢାଛୁଆ ପରି ଚଳୁଥିଲେ-। ପାଣ୍ଡବମାନଙ୍କଠାରୁ କୌଣସି ସାହାଯ୍ୟକୁ ସେ ଅପେକ୍ଷା କରି ବସି ନଥିଲେ । ଭାରତର ନାରୀଜାତିର ମୁକ୍ତ ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରି ଆମେ ପୁରୁଷର ସ୍ୱାଧୀନ ଓ ମୁକ୍ତବିକାଶ ପଥରେ ମଧ୍ୟ ଅନ୍ତରାୟ ହୋଇ ଠିଆହେଉଚୁ । ସ୍ତ୍ରୀ ସମାଜ ଓ ଅଛୁଆଁଜାତି ପ୍ରତି ଆମେ ଯେଉଁ ଅନ୍ୟାୟ ଦେଖାଉଚୁ, ସେ ହଜାରଗୁଣ ବେଗରେ ଆମରି ମୁଣ୍ଡ ଉପରେ ଲେଉଟ ପଡ଼ୁଚି । ସେଥିଲାଗି ଆମେ ଦୁର୍ବଳ ହୋଇପଡ଼ିଚୁ । ଜୀବନର ଲକ୍ଷ୍ୟ ଠିକ୍ କରିପାରୁନାହୁଁ, ଦିନକୁ ଦିନ ଆମର ନଜର ଛୋଟ ହୋଇଯାଉଚି ଏବଂ ନିଜ ଉପରେ ଆମର ଆଉ ଭରସା ରହି ପାରୁନାହିଁ । ଏଇସବୁ ଦୋଷ ଦୂର କରିବାକୁ ହେଲେ ଟାଣ ହୋଇ ଲାଗିପଡ଼ି ଏଇ ପର୍ଦ୍ଦାପ୍ରଥା ଉଠାଇ ଦେବାକୁ ହେବ ।

ୟଙ୍ଗ୍ ଇଣ୍ଡିଆ, ୦୩.୦୨.୨୭

Image

 

ପର୍ଦ୍ଦାପ୍ରଥାର ଅଭିଶାପ

 

ବିହାରର ଅନେକ ବଡ଼ ବଡ଼ ଲୋକ ମିଶି ପର୍ଦ୍ଦାପ୍ରଥା ଉଠାଇଦେବା ପାଇଁ ଏକ ନିବେଦନ କରିଚନ୍ତି । ଏଇ ନିବେଦନପତ୍ରରେ ପଚାଶଜଣରୁ ଅଧିକ ଭଦ୍ରମହିଳା ମଧ୍ୟ ଦସ୍ତଖତ୍ କରିଚନ୍ତି । ଏଇଥିରୁ ଜଣାଯାଉଚି ଯେ, କାମଟିକୁ ଠିକ୍ ଭାବରେ ଚଳାଇପାରିଲେ ବିହାରରୁ ଏକାବେଳକେ ପର୍ଦ୍ଦା ଉଠିଯିବ । ସବୁଠାରୁ ଲକ୍ଷ୍ୟ କରିବା କଥା, ସେଥିରେ ଦସ୍ତଖତ କରିଥିବା ଭଦ୍ରମହିଳାମାନେ ସମସ୍ତେ ନୈଷ୍ଠିକ ହିନ୍ଦୁ ପରିବାରରୁ ଆସିଚନ୍ତି । ବିଲାତୀ ଶିକ୍ଷାର ପ୍ରଭାବ ମୋଟେ ସେମାନଙ୍କ ଉପରେ ପଡ଼ିନାହିଁ । ସେଇ ନିବେଦନ ପତ୍ରରେ ଲେଖାଅଛି–

 

‘‘ଆମର ଇଚ୍ଛା ଯେ, ଆମ ପ୍ରଦେଶର ଭଉଣୀମାନଙ୍କୁ ସବୁପ୍ରକାର ସ୍ୱାଧୀନତା ଦିଆଯାଇ, ସେମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଭାଗ ନେଇପାରନ୍ତୁ । କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମାନ୍ଦ୍ରାଜ ପ୍ରଦେଶରେ ଭଉଣୀମାନେ ଏଇ ସ୍ୱାଧୀନତା ଉପଭୋଗ କରୁଚନ୍ତି । ଇଉରୋପକୁ ନକଲ କରିବାର କୌଣସି ଚେଷ୍ଟା ନ କରି ପୂରାପୂରି ଭାରତୀୟ ରୀତିରେ ଭଉଣୀମାନଙ୍କୁ ମୁକ୍ତି ଦେବାକୁ ହେବ । କାରଣ ଘର କଣରୁ ପଦାକୁ ବାହାରି ଏକାବେଳେକେ ସାହାବାଣୀ ହୋଇ ଗଲେ ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହେବ; ଏକଥା ଆମେ ଅନୁଭବ କରିପାରୁଛୁ । ଭାରତୀୟ ଆଦର୍ଶରେ ଆମ ଦେଶର ନାରୀକୁ ଅନୁପ୍ରାଣିତ କରିବାକୁ ହେଲେ ପର୍ଦ୍ଦା ପ୍ରଥା ଉଠାଇ ଦେବାକୁ ପଡ଼ିବ । ଆମର ସାମାଜିକ ଜୀବନକୁ ସର୍ବାଙ୍ଗସୁନ୍ଦର କରିବାକୁ ହେଲେ, ନାରୀର ନୈତିକ ଶକ୍ତି ବଢ଼ାଇ ତାକୁ ଘରର ଆଦର୍ଶ ଗୃହିଣୀ ରୂପେ ଗଢ଼ିବାକୁ ହେଲେ ଏବଂ ସମାଜଗଠନରେ ସେମାନଙ୍କର ସାହାଯ୍ୟ ଓ ସାହଚର୍ଯ୍ୟ ପାଇବାକୁ ହେଲେ, ନାରୀକୁ ପର୍ଦ୍ଦାର ବନ୍ଧନରୁ ମୁକ୍ତ କରିବାକୁ ହେବ । ଘର କଣରେ ଲୁଚି ରହିଥିଲା ପର୍ଯ୍ୟନ୍ତ ନାରୀଜାତିର କୌଣସି ଉନ୍ନତି ହୋଇପାରିବ ନାହିଁ । ସମାଜର ଅଧେ ବଳକୁ ଆଜି କୃତ୍ରିମ ନିୟମରେ ବନ୍ଦୀ କରି ରଖାଯାଇଚି; ସେଇ ବନ୍ଧନ ବାଡ଼ ଥରେ ଖୋଲି ଦେଲେ ଏହା ଏପରି ଏକ ଅଦମ୍ୟ ଶକ୍ତି ଉତ୍ପନ୍ନ କରିବ, ଯାହାଦ୍ୱାରା କି ଆମ ପ୍ରଦେଶର ପ୍ରଭୂତ କଲ୍ୟାଣ ସାଧିତ ହୋଇପାରିବ ।’’

 

ପର୍ଦ୍ଦାପ୍ରଥାଦ୍ୱାରା ବିହାରର ଯେ କି କ୍ଷତି ହେଉଛି, ସେ କଥା ମୁଁ ଜାଣେ । ଏହାକୁ ଦୂରକରିବା ପାଇଁ ଆହୁରି ଆଗରୁ ଆନ୍ଦୋଳନ ଆରମ୍ଭ କରିବା ଉଚିତ ଥିଲା ।

 

ବଡ଼ କୌତୁକପୂର୍ଣ୍ଣଭାବରେ ଏଇ ଆନ୍ଦୋଳନଟି ଆରମ୍ଭ ହୋଇଛି । ବିହାରର ଜଣେ ଖଦୀକର୍ମୀ ବାବୁ ରାମନନ୍ଦନ ମିଶ୍ର ନିଜର ସ୍ତ୍ରୀଙ୍କୁ ପର୍ଦ୍ଦାର ବେଡ଼ୀରୁ ମୁକ୍ତ କରିବାକୁ ଭାବିଲେ । କିନ୍ତୁ ତାଙ୍କର ଆତ୍ମୀୟମାନେ ଝିଅଟିକୁ ଆଶ୍ରମକୁ (ସାବରମତୀ) ଯିବାକୁ ଛାଡ଼ିଲେ ନାହିଁ, ତେଣୁ ରାମନନ୍ଦନ ଆଶ୍ରମରୁ ଦୁଇଟି ଝିଅ ନେଇ ସ୍ତ୍ରୀଙ୍କ ପାଖରେ ରଖିଲେ । ସେମାନଙ୍କ ଭିତରୁ ମଗନଲାଲ ଗାନ୍ଧୀଙ୍କର ଝିଅ ରାଧାବେନଙ୍କ ଉପରେ ତାଙ୍କୁ ଶିକ୍ଷା ଦେବାର ଭାର ରହିଲା । ତାଙ୍କ ସଙ୍ଗରେ ସ୍ୱର୍ଗୀୟ ଦଳବାହାଦୂର ଗିରିଙ୍କର ଝିଅ ଦୁର୍ଗାଦେବୀ ମଧ୍ୟ ଯାଇଥିଲେ । ଶ୍ରୀଯୁକ୍ତ ମିଶ୍ରଙ୍କର ସ୍ତ୍ରୀଙ୍କ ମନରୁ ପର୍ଦ୍ଦାର କୁସଂସ୍କାର ଦୂର କରିବା ପାଇଁ ଆଶ୍ରମ ଝିଅମାନେ ଯେ ଚେଷ୍ଟା କରୁଥିଲେ, ଏକଥା ତାଙ୍କ ଘରଲୋକଙ୍କୁ ଭଲ ଲାଗିଲା ନାହିଁ । ଅବଶ୍ୟ ଆଶ୍ରମ ଝିଅମାନଙ୍କୁ ଅନେକ ଅସୁବିଧା ସହ୍ୟ କରିବାକୁ ପଡ଼ିଲା । ସେତିକିବେଳେ ମଗନଲାଲ ଗାନ୍ଧୀ ଝିଅକୁ ଦେଖିବାକୁ ସେଠିକି ଯାଇଥିଲେ ଓ ମିଶ୍ରଙ୍କ ସ୍ତ୍ରୀଙ୍କର ମନ ପରିବର୍ତ୍ତନ କରିବାର ଚେଷ୍ଟା ଜାରି ରଖିବାକୁ ଖୁବ୍ ଉତ୍ସାହ ଦେଇଆସିଲେ । ରାଧାବେନ୍ ଯେଉଁ ଗାଁରେ କାମ କରୁଥିଲେ, ସେ ସେଇଠି ରୋଗରେ ପଡ଼ିଲେ ଓ ପାଟଣାରେ ତାଙ୍କର ମୃତ୍ୟୁ ହେଲା । ଏଇ ଘଟଣା ପରେ ବିହାରର ବନ୍ଧୁମାନେ ପର୍ଦ୍ଦାପ୍ରଥା ଉଠାଇଦେବାକୁ ଅଣ୍ଟାଭିଡ଼ି ବାହାରିଲେ । ରାଧାବେନ୍ ଶେଷରେ ଶ୍ରୀମତୀ ମିଶ୍ରଙ୍କୁ ଆଶ୍ରମକୁ ନେଇଆସିଲେ । ଏହାଦ୍ୱାରା ଗୋଟିଏ ରୀତିମତ ଚାଞ୍ଚଲ୍ୟ ଖେଳିଯାଇଥିଲା ଓ ତାଙ୍କର ସ୍ୱାମୀ ଦୁଇଗୁଣ ଉତ୍ସାହରେ ଏଇ ଆନ୍ଦୋଳନରେ ଯୋଗଦେଲେ । ଏଇ ସଂଗ୍ରାମ ପଛରେ ଏଇପରି ଏକ ବ୍ୟକ୍ତିଗତ କାହାଣୀ ରହିଚି, ତେଣୁ ଜଣାଯାଉଛି ଏହା ଶେଷପର୍ଯ୍ୟନ୍ତ ଖୁବ୍ ଜୋରରେ ଚାଲିବ । ବିହାରର ପ୍ରଖ୍ୟାତ ସୈନିକ, ବହୁସଂଗ୍ରାମର ବିଜୟୀ ବୀର ବାବୁ ବ୍ରଜକିଶୋର ପ୍ରସାଦ ଏଇ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ତାଙ୍କର ନେତୃତ୍ୱରେ ଚାଲିଥିବା କୌଣସି ଆନ୍ଦୋନଳ ବିଫଳ ହୋଇଥିବାର ମୁଁ କେବେ ଶୁଣିନାହିଁ ।

 

ଆସନ୍ତା ଜୁଲାଇ ମାସ ୮ ତାରିଖଠାରୁ ଏଇ କଦର୍ଯ୍ୟ ସାମାଜିକ ରୀତି ବିରୁଦ୍ଧରେ ଶକ୍ତ ଆନ୍ଦୋନଳ ଚଳାଇବା ପାଇଁ ନିବେଦନ ପତ୍ରରେ ସ୍ଥିର କରାହୋଇଚି । ଏଇ କୁପ୍ରଥା ଫଳରେ ବିହାରର ଅଧେ ମଣିଷ ସମାଜର ସେବା କରିବାରୁ ବଞ୍ଚିତ ହୋଇ ରହୁଛନ୍ତି ଏବଂ ଟିକିଏ ଆଲୁଅ ଓ ପବନ ମଧ୍ୟ ପାଇ ପାରୁନାହାନ୍ତି । ଏଇସବୁ ସାମାଜିକ କୁସଂସ୍କାର ଯେ ଆମର ସ୍ୱରାଜ୍ୟ ପଥରେ ପାଚେରୀପରି ଠିଆହୋଇଅଛି, ଏଇକଥା ସମସ୍ତେ ହୃଦୟଙ୍ଗମ କରି ପାରିଲେ ଆମେ ସ୍ୱରାଜ୍ୟପାଇଁ ଅନେକ ଆଗେଇ ଯାଇପାରିବା । ଆଗ ସ୍ୱରାଜ୍ୟ ଆସୁ, ତା ପରେ ସମାଜସଂସ୍କାର ହେବ; ଏପରି ଗଲତଖିଆଲ ଯେ କରୁଛି, ସେ ସ୍ୱରାଜ୍ୟର ଠିକ୍ ଅର୍ଥ ବୁଝିପାରିନାହିଁ । ନାରୀଜାତିକୁ କୋଢ଼ି କରି ରଖି ଆମେ ନିଜକୁ ରକ୍ଷା କରିବା ନାହିଁ କି ଅନ୍ୟ ଜାତିମାନଙ୍କର ସମକକ୍ଷ ହୋଇ ଠିଆ ହୋଇ ପାରିବା ନାହିଁ ।

 

ବିହାରର ନେତାମାନେ ମନପ୍ରାଣ ଦେଇ ପର୍ଦ୍ଦାକୁ ଲୋପ କରିବାକୁ ଯାଉଛନ୍ତି, ଏଥିପାଇଁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । କର୍ମୀମାନଙ୍କର ପବିତ୍ରତା ଉପରେ ଏଇ ସଂଗ୍ରାମର ସଫଳତା ପୂର୍ଣ୍ଣମାତ୍ରାରେ ନିର୍ଭର କରୁଚି । ବିଶେଷକରି ନିବେଦନପତ୍ରରେ ଦସ୍ତଖସ୍ତ କରିଥିବା ଭଦ୍ରମହିଳାମାନଙ୍କର ଯଥେଷ୍ଟ ବେଶୀ ଦାୟିତ୍ୱ ରହିଚି । ପର୍ଦ୍ଦାର କଳଙ୍କରୁ ନିଜକୁ ମୁକ୍ତ କରି ଭାରତୀୟ ନାରୀତ୍ୱର ମୌଳିକ ମହତ୍ତ୍ୱ ରକ୍ଷା କରିପାରିଲେ ଏବଂ ବାଧାବିଘ୍ନର ସମ୍ମୁଖରେ ନିଜର ନିର୍ଭୀକ ସଂକଳ୍ପ ଦେଖାଇପାରିଲେ ସେମାନେ ନିଶ୍ଚୟ କୃତକାର୍ଯ୍ୟ ହୋଇପାରିବେ । ଏଇ ପର୍ଦ୍ଦାଆନ୍ଦୋଳନକୁ ଠିକ୍ ଭାବେ ଚଳାଇପାରିଲେ ଏହାରିଦ୍ୱାରାହିଁ ବିହାରର ଜନସାଧାରଣଙ୍କୁ ଯଥେଷ୍ଟ ଶିକ୍ଷା ଦିଆଯାଇ ପାରିବ ।

ୟଙ୍ଗ୍ ଇଣ୍ଡିଆ, ୨୮.୦୬.୨୮

Image

 

ବିହାରରେ ପର୍ଦ୍ଦାପ୍ରଥା

 

ଜଣେ ବିହାରୀ ବନ୍ଧୁ ଲେଖିଛନ୍ତି ଯେ, ଆଠ ତାରିଖଦିନ ବିହାରର ସବୁ ବଡ଼ ବଡ଼ ଜାଗାରେ ଖୁବ୍ ସଫଳତାର ସହିତ ପର୍ଦ୍ଦାପ୍ରଥାର ବିରୁଦ୍ଧ ପ୍ରଦର୍ଶନମାନ କରାଯାଇଥିଲା । ପାଟଣା ସଭା ବିଷୟରେ ‘ସର୍ଚ୍ଚଲାଇଟ’ କାଗଜରେ ନିମ୍ନୋକ୍ତ ବିବରଣ ବାହାରିଚି–

 

‘‘ପାଟଣାର ରାଧିକାସିଂହ ଇନ୍‍ଷ୍ଟିଚ୍ୟୁଟରେ ଜୁଲାଇ ଆଠ ତାରିଖ ରବିବାର ଦିନ ହୋଇଥିବା ସଭାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା । ଅନେକ ଭଦ୍ରବ୍ୟକ୍ତି ଏବଂ ଭଦ୍ରମହିଳାଙ୍କ ଦ୍ୱାରା ସଭା ପୂରିଯାଇଥିଲା । ଆଗରୁ ଭୀଷଣ ବର୍ଷା ହେଉଥିଲା; କିନ୍ତୁ ଭାଗ୍ୟକୁ ଠିକ୍ ସଭାବେଳକୁ ଭଲପାଗ ହୋଇଗଲା, ସେଥିପାଇଁ ଲୋକଙ୍କର ଆସିବାରେ କୌଣସି ଅସୁବିଧା ହେଲା ନାହିଁ । ହଲ୍‍ଟିର ଅଧେ ଯାଗା ଭଦ୍ରମହିଳାମାନଙ୍କ ଦ୍ୱାରା ପୂରିଗଲା । ସେମାନଙ୍କ ଭିତରୁ ବୋଧହୁଏ ବାରପଣ ଭଦ୍ରମହିଳା ସେଦିନଯାଏ ପର୍ଦ୍ଦାପ୍ରଥା ମାନି ଆସୁଥିଲେ ।’’

 

ସଭାରେ ଗୃହୀତ ହୋଇଥିବା ପ୍ରସ୍ତାବଟିର ତର୍ଜମା ଦେଉଚି :–

 

‘‘ପାଟଣାର ନରନାରୀମାନଙ୍କର ଏହି ସଭା ଘୋଷଣା କରୁଚି ଯେ, ଆମେ ଆଜିଠାରୁ ପର୍ଦ୍ଦାପ୍ରଥାକୁ ଏକାବେଳେ ଉଠାଇଦେଲୁଁ । ଏହାଦ୍ୱାରା ଦେଶର ଅଜସ୍ର ଅନିଷ୍ଟ ହୋଇ ଆସିଛି ଓ ହେଉଚି, ଦେଶର ନାରୀଜାତି ଏହାଦ୍ୱାରା ସବୁଠାରୁ ବେଶୀ କଷ୍ଟ ଭୋଗୁଚି । ପର୍ଦ୍ଦାପ୍ରଥା ମାନି ଚଳୁଥିବା ବିହାରର ସବୁ ଭଉଣୀଙ୍କୁ ଆମେ ନିବେଦନ କରୁଛୁ, ସେମାନେ ଯଥାଶୀଘ୍ର ଏଇ କୁପ୍ରଥାର ଲୋପ କରିଦିଅନ୍ତୁ ଓ ତାହାଦ୍ୱାରା ନିଜର ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି କରନ୍ତୁ ।

 

ପ୍ରଦେଶରେ ସ୍ତ୍ରୀଶିକ୍ଷା ଓ ପର୍ଦ୍ଦା-ବିରୋଧୀ ଆନ୍ଦୋଳନଲାଗି ତୁମୁଳ ପ୍ରଚାର ଚଳାଇବାପାଇଁ ସଭାସ୍ଥଳରେ ଏକ ଅସ୍ଥାୟୀ କମିଟି ତିଆରି ହୋଇଚି । ପ୍ରତ୍ୟେକ ସହର ଓ ଗାଁମାନଙ୍କରେ ମହିଳା ସମିତିମାନ ଗଠନ କରିବାକୁ ଏକ ତୃତୀୟ ପ୍ରସ୍ତାବ ଗୃହୀତ ହୋଇଚି । ନାରୀମାନଙ୍କୁ ‘ଆଦର୍ଶ ପତ୍ନୀ’, ‘ଶିକ୍ଷିତା ଜନନୀ’ ଓ ‘ସୁସେବିକା’ ହେବାପାଇଁ ଶିକ୍ଷାଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯାଗାରେ ମହିଳା ଆଶ୍ରମ ଖୋଲିବାକୁ ଆଉ ଗୋଟିଏ ପ୍ରସ୍ତାବ ମଧ୍ୟ କରାଯାଇଛି । ଏଇସବୁ କାମ ପାଇଁ ସଭାସ୍ଥଳରେ ଟ ୫୦୦୦/- ର ପ୍ରତିଶ୍ରୁତି ମିଳିଛି ଏବଂ ଅନେକ ଭଦ୍ରମହିଳା ମଧ୍ୟ ଟ ୨୫/- ରୁ ଟ ୨୫୦/- ପର୍ଯ୍ୟନ୍ତ ଦାନ କରିଚନ୍ତି । ଅନ୍ୟାନ୍ୟ ଅନେକ ଯାଗାରେ ମଧ୍ୟ ଏଇପରି ସଭା ହୋଇଥିବା ସଂବାଦ କାଗଜରେ ବାହାରିଚି । ଏ ଆନ୍ଦୋଳନକୁ ସଙ୍ଗଠିତ ଭାବେ ଓ ପୂର୍ଣ୍ଣପ୍ରାଣରେ ଚଳାଇପାରିଲେ ବିହାରରୁ ନିଶ୍ଚୟ ଅଚିରେ ପର୍ଦ୍ଦାପ୍ରଥା ଉଠିଯିବ-। ଏଇଠି ମନେ ରଖିବା ଉଚିତ ଯେ, ବିଲାତୀ ସମାଜକୁ ନକଲ କରାଯାଇ ଏସବୁ ଆନ୍ଦୋଳନ ହେଉ ନାହିଁ । ଏଇ ଦେଶରେହିଁ ଏହାର ଉତ୍ପତ୍ତି ହୋଇଛି । ଏହାର ନେତା ଓ ନାୟକମାନେ ସମସ୍ତେ ଦେଶର ସଂସ୍କୃତି ଓ ସମାଜକୁ ଭଲପାଆନ୍ତି, କିନ୍ତୁ ହିନ୍ଦୁ ସମାଜରେ ଯେଉଁସବୁ ଖରାପ କଥା ପ୍ରବେଶ କରିଯାଇଚି ସେ ଗୁଡ଼ିକ ଦୂରକରିବାକୁ ସେମାନେ ଆଗୁଆ ହୋଇ ବାହାରିଚନ୍ତି ।

 

ବାବୁ ବ୍ରଜକିଶୋର ପ୍ରସାଦ ଓ ବାବୁ ରାଜେନ୍ଦ୍ର ପ୍ରସାଦଙ୍କୁ (ଯେ କି ଲଣ୍ଡନରୁ ଏଇ ଆନ୍ଦୋଳନକୁ ଲକ୍ଷ୍ୟ କରୁଚନ୍ତି ଓ ସମର୍ଥନ କରୁଚନ୍ତି) ବିଲାତୀ ନକଲ କରିବାର ଦୋଷରେ କେବେହେଲେ ଦୋଷୀ କରି ହେବନାହିଁ । ସେମାନେ ନୈଷ୍ଠିକ ଭାବରେ ହିନ୍ଦୁଧର୍ମ ମାନନ୍ତି । ଭାରତର ସଂସ୍କୃତିକୁ ଭଲପାଆନ୍ତି । ସେମାନେ କଦାପି ପାଶ୍ଚାତ୍ୟ ସଭ୍ୟତାକୁ ଆଖିବୁଜି ନକଲ କରିବାକୁ ଯିବେ ନାହିଁ, କିନ୍ତୁ ତା’ର ଉପାଦେୟ ବସ୍ତୁଗୁଡ଼ିକ ନିଶ୍ଚୟ ଗ୍ରହଣ କରିବେ । ତେଣୁ ଯେଉଁମାନେ ଏଇ ଆନ୍ଦୋଳନ ବିଷୟରେ ନାନା ଆଗପଛ ବିଚାରୁଚନ୍ତି, ସେମାନେ ଯେପରି ଅନ୍ୟ କୌଣସି ପ୍ରକାର ଆଶଙ୍କା ନ ରଖନ୍ତି । ଏହି ଆନ୍ଦୋଳନ ଦ୍ୱାରା ଭାରତର ପବିତ୍ର ସଂସ୍କୃତି କେବେହେଲେ ନଷ୍ଟ ହୋଇଯିବ ନାହିଁ । ଭାରତୀୟ ନାରୀର ବିଶିଷ୍ଟ ମହତ୍ତ୍ୱ ଓ ସୌନ୍ଦର୍ଯ୍ୟକୁ ଏହା କଦାପି କ୍ଷୁଣ୍ଣ କରିବ ନାହିଁ ।

ୟଙ୍ଗ୍ ଇଣ୍ଡିଆ, ୨୬.୦୭.୨୮

Image

 

ତାମିଲ ଭଉଣୀମାନଙ୍କୁ ପଦେ

 

ତିରୁପତିରୁ ଜଣେ ବନ୍ଧୁ ଲେଖିଛନ୍ତି–‘‘ମାନ୍ଦ୍ରାଜରେ ଯେ ଅସହଯୋଗ ଆନ୍ଦୋଳନ ସଫଳ ହୋଇପାରୁନାହିଁ, ସ୍ତ୍ରୀମାନେ ହେଉଚନ୍ତି ତାର ସବୁଠାରୁ ବଡ଼ କାରଣ । ଅନେକ ସ୍ତ୍ରୀଲୋକ ଏହାର ବିରୁଦ୍ଧରେ ଯାଉଚନ୍ତି । ବ୍ରାହ୍ମଣ ଧନୀଘରର ସ୍ତ୍ରୀମାନେ ନାନାପ୍ରକାର ବିଲାତୀ କୁକାର୍ଯ୍ୟର ଫାନ୍ଦରେ ପଡ଼ି ଯାଇଚନ୍ତି । ଦିନକୁ ତିନିଥର କଫି ପିଇବେ, ଯେତେ ପିଉଥିବେ ନିଜକୁ ସେତେ ବାହାଦୂର ବୋଲି ମନେ କରୁଥିବେ । ପୋଷାକ ପତ୍ରରେ ମଧ୍ୟ ସେମାନେ କିଛି କମ୍ ନୁହନ୍ତି । ଆଗରୁ ଚଳିଆସୁଥିବା ଶସ୍ତା ପୋଷାକ ଛାଡ଼ି ସେମାନେ ଦାମିକା ବିଦେଶୀ ପୋଷାକ ପଛରେ ଧାଇଁଚନ୍ତି । ବ୍ରାହ୍ମଣ ଘରର ସ୍ତ୍ରୀମାନଙ୍କର ଗହଣା କଥା ଛାଡ଼ିଦିଅନ୍ତୁ । ବ୍ରାହ୍ମଣମାନଙ୍କ ଭିତରେ ଶ୍ରୀବୈଷ୍ଣବ ଘରର ସ୍ତ୍ରୀମାନେ ସବୁଠାରୁ ବେଶୀ ପାପା କରୁଚନ୍ତି । ପୁରୁଷ ଯେତେବେଳେ ପବିତ୍ର ଜୀବନ ଯାପନ କରିବାର ଚେଷ୍ଟା କରୁଚି, ସେତେବେଳେ ନାରୀ ତା’ର ମନଇଚ୍ଛା ସୌକ ଖରଚ କରି ଚାଲିଚି । ଦିଅଁଦେବତା ପୂଜିବାକୁ ମନ୍ଦିରକୁ ଗଲାବେଳେ ସାଦା ଶାଢ଼ୀ ପିନ୍ଧି ସେମାନେ କଦାପି ଯିବେ ନାହିଁ । ସବୁଠାରୁ ବେଶୀ ଦାମିକା ଗହଣାଗାଣ୍ଠି ଏବଂ ଭଲ ଶାଢ଼ୀ ନ ପିନ୍ଧିଲେ ସେମାନେ ମୋଟେ ଦେଉଳକୁ ଯିବେ ନାହିଁ । ଅନେକ ସ୍ତ୍ରୀ ଲୋକଙ୍କୁ ମୁଁ ଜାଣେ, ଯେଉଁମାନେ କି ଭଲଶାଢ଼ୀ ଓ ଦାମିକା ଗହଣାଗଣ୍ଠି ନାହିଁ ବୋଲି ମନ୍ଦିରକୁ ଯିବାକୁ ରାଜି ହୁଅନ୍ତି ନାହିଁ ।’’

 

ବନ୍ଧୁଜଣକ ଯାହା ଲେଖିଛନ୍ତି ସେକଥା ସତ ବୋଲି ମୁଁ ଭାବି ପାରୁନାହିଁ । ସେ ନିଜେ ଜଣେ ବୈଷ୍ଣବ ଓକିଲ ଓ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଚନ୍ତି । ଆଉ ତାମିଲ ଭଉଣୀମାନେ ଅନ୍ୟମାନଙ୍କଠାରୁ ଗହଣାଗଣ୍ଠି ପିନ୍ଧିବାକୁ ବେଶୀ ଭଲପାନ୍ତି ବୋଲି ମୁଁ ବିଶ୍ୱାସ କରିପାରୁନାହିଁ । କିନ୍ତୁ ତଥାପି ଏଇ ଚିଠି ପଢ଼ି ପ୍ରତ୍ୟେକ ତାମିଲ ଭଉଣୀ ସାବଧାନ ହୋଇଯିବା ଉଚିତ । ସେମାନଙ୍କୁ ଆଗକାଳର ସରଳ ଜୀବନକୁ ଫେରିଯିବାକୁ ପଡ଼ିବ । ଦାମିକା ପୋଷାକ ଛାଡ଼ି, ଅନ୍ତରର ପବିତ୍ରତାର ନିଦର୍ଶନ ସ୍ୱରୂପ ଯେଉଁମାନେ ଧଳା ଖଦଡ଼ ଶାଢ଼ୀ ପିନ୍ଧିବେ, ଭଗବାନ ନିଶ୍ଚୟ ସେମାନଙ୍କୁ ଆଶୀର୍ବାଦ କରିବେ । ମନ୍ଦିର ତ ଗୋଟାଏ ଯାତ୍ରାଘର ନୁହେଁ; ନମ୍ର ଓ ସରଳ ସ୍ୱଭାବରୁ କେବଳ ପ୍ରକୃତ ଭକ୍ତିର ପରିଚୟ ମିଳେ । ଏଇ ଦୋଷଟି ଯେପରି ସମାଜରୁ ଦୂର କରାଯାଇ ପାରିବ, ସେଥିପାଇଁ ମାନ୍ଦ୍ରାଜର ସ୍ତ୍ରୀଜାତି ଭିତରେ ଜୋରସାର ପ୍ରଚାର ଚଳାଇବାକୁ ହେବ ।

ୟଙ୍ଗ୍ ଇଣ୍ଡିଆ, ୨୫.୦୮.୨୧

Image

 

ଆଉରି ପଦେ

 

ଦକ୍ଷିଣ ଭାରତରୁ ଜଣେ ଓକିଲ ଏଇ ଚିଠିଟି ଲେଖିଚନ୍ତି : –

 

‘‘ଅନ୍ୟ ପ୍ରଦେଶମାନଙ୍କ ପରି ତାମିଲନାଡ଼ୁରେ ବେଶୀ ଲୋକ ଖଦୀ ବ୍ୟବହାର କରୁନାହାନ୍ତି । ତାର ବଡ଼ କାରଣ ହେଉଚି ଯେ, ସ୍ତ୍ରୀମାନଙ୍କର ଖଦଡ଼ ପିନ୍ଧିବାରେ ଆଗ୍ରହ ନାହିଁ । ଏଇ କାରଣରୁ ମଧ୍ୟ ପ୍ରଦେଶରେ ଚରଖାର ଅଧିକ ପ୍ରସାର ହୋଇପାରୁନାହିଁ । ଏଠି ବିବାହିତା ସ୍ତ୍ରୀମାନେ ବେରଙ୍ଗୀ ପୋଷାକ ପିନ୍ଧି ପାରୁନାହାନ୍ତି । ରଙ୍ଗିନ୍ ଶାଢ଼ୀ ହେଲେ ସେମାନେ ହୁଏ ତ ପିନ୍ଧିପାରନ୍ତେ । ଆଗେ ସମସ୍ତେ କେବଳ ସୂତା କପଡ଼ା ପିନ୍ଧୁଥିଲେ । କିନ୍ତୁ ବର୍ତ୍ତମାନ ଖୁବ୍ ଗରିବ ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ସୂତା କପଡ଼ା ଛାଡ଼ି ରେଶମ ବ୍ୟବହାର କଲେଣି । ପ୍ରଥମେ ମାୟାଭରମ୍ ପାଖରେ ଥିବା କୋରାନାଡ଼ୁରେ ରେଶମ ଶାଢ଼ୀ ବୁଣାଯାଉଥିଲା, ତାପରେ କାଞ୍ଜୀଭରମରେ ମଧ୍ୟ ବୁଣାଗଲା । ଏସବୁକୁ ଦେଶୀ ରଙ୍ଗରେ ରଙ୍ଗ କରାଯାଏ । ଦାମ୍ ଟ ୧୦/- ରୁ ଟ ୩୦/- । ଆଗେ ସେସବୁ କୌଣସି ବିଶେଷ ଉତ୍ସବରେ ପିନ୍ଧାଯାଉଥିଲା । କିନ୍ତୁ ତାପରେ ବାଙ୍ଗାଲୋରର ରେଶମୀ ଶାଢ଼ୀରେ ବଜାର ଭରିଗଲା । ଏସବୁ ଜର୍ମାନୀ ବା ବିଲାତୀ ରଙ୍ଗରେ ରଙ୍ଗ କରାହେଉଚି । ଦାମ୍ ପ୍ରାୟ ଟ ୫୦/- । ଏହାଦ୍ୱାରା ଗରିବ ବ୍ରାହ୍ମଣ ଗୃହସ୍ଥର ବଡ଼ ଅସୁବିଧା ହେଉଚି, କାରଣ ତାର ପରିବାରରେ ସବୁଦିନ ରେଶମ କପଡ଼ା ଚଳି ଆସୁଥିଲା । ସବୁଦିନେ ବ୍ୟବହାର କରିବାପାଇଁ ଗୋଟିଏ ପରିବାରର ଅନେକ ଶାଢ଼ୀ ଦରକାର । ବାହାଘରରେ ଯୌତୁକ ଶାଢ଼ୀଟିଏ କିଣିବାପାଇଁ ଅନ୍ତତଃ ଟ ୧୦୦/- ଲାଗୁଚି । ବାହାଘରରେ ଏଥିପାଇଁ ଅନେକ କୁଟୁମ୍ୱ ଉଚ୍ଛନ୍ନ ହୋଇଯାଉଚନ୍ତି । ଏବେ ପୁଣି ଏଇ ବଦ୍‍ପ୍ରଥା ବ୍ରାହ୍ମଣମାନଙ୍କଠାରୁ ଅନ୍ୟ ଜାତିକୁ ମଧ୍ୟ ଡେଇଁଲାଣି ।

 

‘‘ଖର୍ଚ୍ଚକଥା ଛାଡ଼ି ସହଜ ଓ ସୁବିଧା କଥା ଦେଖାଯାଉ । ସିଲ୍କ ଶାଢ଼ୀର ଓଜନ ଖୁବ୍ ବେଶୀ ଏବଂ ୟାକୁ ପିନ୍ଧି ରୋଷେଇବାସ ଓ ଅନ୍ୟାନ୍ୟ କାମ କରିବା ବଡ଼ କଠିନ । ମାସେ ଦୁଇମାସ ବାଦ୍ ଦେଲେ ବର୍ଷସାରା ଏଠାରେ ଅତ୍ୟନ୍ତ ଗରମ ହୁଏ । ତାପରେ ଲୋକଙ୍କର ଗୋଟାଏ ଖରାପ ଅଭ୍ୟାସ ଅଛି ଯେ, ସେମାନେ ଦାମିକା ଶାଢ଼ୀକୁ ଖୁବ୍ ବେଶୀ ଧୁଅନ୍ତି ନାହିଁ । କାରଣ ତଦ୍ଦ୍ୱାରା ରଙ୍ଗ ବୋହିଯିବାର ଓ ଲୋଚାକୋଚା ହୋଇଯିବାର ଭୟ ଥାଏ । ସେ ଶାଢ଼ୀରୁ ଝାଳର ଯେଉଁ ଦୁର୍ଗନ୍ଧ ବାହାରେ ସେ କଥା ମୁଁ କଣ କହିବି ?

 

‘‘ଆପଣ ଯଦି ଚେଷ୍ଟାକରି ଲୋକମାନଙ୍କୁ ଅଳ୍ପଖର୍ଚ୍ଚୀ, ସରଳ କରିପାରିବେ ଓ ଅଧିକ ଆରାମପ୍ରଦ ପୋଷାକ ପିନ୍ଧାଇ ଶିଖାଇ ପାରିବେ, ତେବେ ସର୍ବସ୍ୱାନ୍ତ ହେବାକୁ ବସିଥିବା ଅନେକ ଗୃହସ୍ଥ ନିଶ୍ଚୟ ଆପଣଙ୍କ ପ୍ରତି କୃତଜ୍ଞ ରହିବେ ।

ୟଙ୍ଗ୍ ଇଣ୍ଡିଆ, ୨୫.୦୮.୨୧

Image

 

ସିଂହଳର ନାରୀ ସଭାରେ

 

କଲମ୍ୱୋର ଗୋଟିଏ ନାରୀସଭାକୁ ଅନେକ ବଡ଼ଘରର ସ୍ତ୍ରୀଲୋକ ନାନା ବେଶଭୂଷା ପିନ୍ଧି ଆସିଥାନ୍ତି । ଭାରତର ନିରନ୍ନ ଜନସାଧାରଣଙ୍କ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରି ଗାନ୍ଧିଜୀ କହିଲେ–

 

‘‘ମହେନ୍ଦ୍ର ଯେଉଁ ଯୁଗରେ ସିଂହଳ ଆସିଥିଲେ, ସେତେବେଳେ ଭାରତରେ କାହାର ପେଟ ଅପୂରା ରହୁ ନ ଥିଲା । ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ସେମାନେ ଅତି ଉନ୍ନତ ଥିଲେ । ଭାରତରେ ସେତେବେଳେ ସ୍ୱର୍ଣ୍ଣଯୁଗର ସମୟ ଥିଲା ଓ ଆପଣମାନେ ମଧ୍ୟ ସେଇ ଯୁଗର ଗୌରବରେ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ । କିନ୍ତୁ ଆଜି ଭାରତବାସୀ ନିତି ଭୋକଉପାସରେ ମରୁଚି ଏବଂ ସେଇମାନଙ୍କର ଦୂତ ହୋଇ ଭିକାରୀ ସାଜି ମୁଁ ଏଠାକୁ ଆସିଚି । ଆପଣମାନେ ଯଦି ପ୍ରକୃତରେ ସେମାନଙ୍କୁ ପଡ଼ୋଶୀ ଭାଇବୋଲି ଜ୍ଞାନକରି ଗର୍ବ ଅନୁଭବ କରୁଚନ୍ତି, ତେବେ କେବଳ ଟଙ୍କାପଇସା ଦେଲେ ଚଳିବ ନାହିଁ; ଅନ୍ୟ ଯାଗାମାନଙ୍କରେ ଭଉଣୀମାନେ ଯେପରି ନିଜନିଜର ଅଳଙ୍କାର ସବୁ ଉତ୍ସର୍ଗ କରିଦେଇଚନ୍ତି, ଆପଣମାନଙ୍କ ମଧ୍ୟ ସେଇପରି ନିଜର ସମସ୍ତ ସୁନାରୂପା ବେଶଭୂଷଣ ମୋତେ ଦେବାକୁ ହେବ । କୌଣସି ଭଉଣୀ ଦେହରେ ସୁନାରୂପା ଅଳଙ୍କାରର ମଣ୍ଡନ ହୋଇଥିବାର ଦେଖିଲେ, ସେଇ ଅଳଙ୍କାରଗୁଡ଼ିକ ଉପରେ ମୋର ଆଗ ଲୋଭ ହୁଏ । ଏ ଅଳଙ୍କାର ମାଗିବା ପଛରେ ମଧ୍ୟ ଆଉ ଗୋଟିଏ ମହତ ଉଦ୍ଦେଶ୍ୟ ରହିଚି, ଏହାଦ୍ୱାରା ଭଉଣୀମାନେ ଆଉ ସୁନାରୂପା ଗହଣା ପିନ୍ଧିବାକୁ ରଙ୍କସକ ହେବେ ନାହିଁ । ଅନ୍ୟ ସ୍ଥାନମାନଙ୍କ ପରି ଏଠି ମଧ୍ୟ ଆଉ ଗୋଟିଏ କଥା କହିବାର ସୁଯୋଗ ନେଉଚି; ଆପଣମାନେ କହନ୍ତୁ, କାହିଁକି ଆପଣମାନେ ବେଶଭୂଷା ଲଗାଇବାକୁ ଏତେ ଭଲ ପାନ୍ତି ? ପୁରୁଷ ତ ଏଥିପାଇଁ ଏତେ ସକସକ ହୁଏ ନାହିଁ ? ଅନେକ ମହିଳାବନ୍ଧୁ ମୋତେ କହିଚନ୍ତି ଯେ, ପୁରୁଷକୁ ଖୁସି କରିବାକୁ ସ୍ତ୍ରୀ ନିଜକୁ ସଜାଏ । ଏଇଠି ଗୋଟିଏ କଥା କହି ରଖୁଚି, ଜଗତରେ କିଛି ବଡ଼ କାମ କରିବାକୁ ଇଚ୍ଛା କରୁଥିଲେ, ପୁରୁଷପାଇଁ ଦେହ ସଜାଇବାର ନିର୍ବୋଧତା ଛାଡ଼ିଦେବାକୁ ହେବ । ପୁରୁଷ କେବେହେଲେ ନାରୀକୁ ନିଜର ଖେଳପିତୁଳା କରି ରଖିପାରିବ ନାହିଁ । ମୁଁ ଯଦି ଜଣେ ସ୍ତ୍ରୀ ହୋଇଥାନ୍ତି, ତେବେ ନିଶ୍ଚୟ ଏହା ବିରୁଦ୍ଧରେ ବିଦ୍ରୋହ କରନ୍ତି । ନାରୀର ବିଶ୍ୱାସର ପାତ୍ର ହେବାକୁ ମୁଁ ସ୍ତ୍ରୀର ମନପରି ନିଜ ମନକୁ ତିଆରି କରି ନେଇଚି । ମୋର ନିଜର ସ୍ତ୍ରୀ ସହିତ ଭଲ ବ୍ୟବହାର ନ କଲା ପର୍ଯ୍ୟନ୍ତ ମୁଁ ତାର ମନ ନେଇ ପାରି ନ ଥିଲି । ସେଥିପାଇଁ ସ୍ୱାମୀ ହିସାବରେ ମୋର ସମସ୍ତ ଅଯଥା କର୍ତ୍ତୃତ୍ୱ ଛାଡ଼ିଦେଇ ମୁଁ ତାକୁ ତା’ର ସମସ୍ତ ସ୍ୱାଧୀନତା ଦେଇଥିଲି । ବର୍ତ୍ତମାନ ଦେଖ, ସେ ମଧ୍ୟ ଠିକ୍ ମୋରିପରି ସରଳଜୀବନ ଯାପନ କରୁଚି । ତା ବେକରେ ହାର ନାହିଁ କି ଦେହରେ ଗହଣା ନାହିଁ । ଆପଣମାନେ ତା’ରି ପରି ହୁଅନ୍ତୁ । ନିଜର ଖିଆଲ ବା ସୌକ ଉପରେ ଯାଆନ୍ତୁ ନାହିଁ, ସ୍ୱାମୀର ଦାସୀ ହୋଇ ପଡ଼ିରହନ୍ତୁ ନାହିଁ । ଏସବୁ ଗହଣାଗଣ୍ଠି, ଅତର ବା ଲଭେଣ୍ଡର ପାଣି ସବୁ ଛାଡ଼ିଦିଅନ୍ତୁ । ଅନ୍ତରର ସୁଗନ୍ଧ କେବଳ ସବୁଠାରୁ ବେଶୀ ବାସ ଚହଟାଇ ପାରିବ ଏବଂ ସେତିକିବେଳେ ଆପଣମାନେ ପୁରୁଷକୁ ବଶ ନ କରି, ସମସ୍ତ ମନୁଷ୍ୟଜାତିକୁ ବଶ କରିପାରିବେ । ଏଇ ଅଧିକାର ନେଇ ଆପଣମାନେ ସଂସାରକୁ ଆସିଚନ୍ତି । ପୁରୁଷ ନାରୀ ପେଟରୁ ଜନ୍ମ ହୋଇଚି, ସେ ନାରୀଠାରୁ ଅଲଗା ନୁହେଁ । ଆପଣମାନେ ନିଜର କାର୍ଯ୍ୟକ୍ଷେତ୍ରକୁ ଆସି ଜଗତରେ ପୁଣି ସେଇ ବାଣୀ ପ୍ରଚାର କରନ୍ତୁ ।

 

ତାପରେ ସୀତା କିପରି ନିଜର ସତୀତ୍ୱ ରକ୍ଷାକରିଥିଲେ, ଦକ୍ଷିଣଆଫ୍ରିକାରେ ଶ୍ରୀମତୀ ସ୍ଳେଶିନ୍ କିପରି ନିଜର ପବିତ୍ର ଓ ନିର୍ଭୀକ ଚରିତ୍ର ବଳରେ ହଜାର ହଜାର ଲୋକଙ୍କର, ଏପରିକି ଭୟଙ୍କର ପଠାଣ ଓ ଡକେଇତମାନଙ୍କର ମଧ୍ୟ ଶ୍ରଦ୍ଧା ପାଇପାରିଥିଲେ, ଗାନ୍ଧିଜୀ ସେସବୁ କଥାର ଉଲ୍ଲେଖ କଲେ । ନାରୀର ପ୍ରକୃତ ସମ୍ମାନ କଣ, ଶେଷରେ ଏଇ କଥା କହି ସେଦିନର ବକ୍ତୃତା ଶେଷ କଲେ-

 

‘‘ବାଗାନମାନଙ୍କରେ କାମକରୁଥିବା ଭଉଣୀମାନଙ୍କର ଦୁର୍ଦ୍ଦଶା କଥା ଆପଣମାନେ କେବେ ମନରେ ଭାବିଚନ୍ତି ? ସେମାନଙ୍କୁ ନିଜର ଭଉଣୀ ବୋଲି ମନେକରି ତାଙ୍କ ବସ୍ତିକୁ ଯାଇ ସେମାନଙ୍କର ସେବା କରିବାକୁ ହେବ । ନିଜର ବୁଦ୍ଧି ଓ ସ୍ୱାସ୍ଥ୍ୟରକ୍ଷା ଜ୍ଞାନ ଖରଚକରି ସେମାନଙ୍କର ଅବସ୍ଥାକୁ ଉନ୍ନତ କରିବାକୁ ହେବ । ସେମାନଙ୍କର ସେବାକରି କେବଳ ଆପଣମାନେ ନିଜକୁ ସମ୍ମାନିତ ମନେକରନ୍ତୁ । ଏଇ ପାଖରେ କଣ ସେବାକରିବା ପାଇଁ କ୍ଷେତ୍ର ନାହିଁ ? ଏଠି ଅନେକ ଗୁଣ୍ଡା, ମଦୁଆ ଲୋକ ଅଛନ୍ତି, ସେମାନେ ସମାଜର ଗୋଟିଏ ଗୋଟିଏ ଆତଙ୍କ । ସାହସ ଓ ଦମ୍ଭ ଧରି ସେମାନଙ୍କୁ ବୁଝାଇ ସେମାନଙ୍କୁ ଭଲ ମଣିଷ କରନ୍ତୁ । ‘ମୁକ୍ତିସେନା’ର (Salvation Army girls) ଅନେକ ବାଳିକା ଜୁଆଡ଼ୀ, ଚୋର ଓ ମଦୁଆଙ୍କ ଘରକୁ ଯାଇ ସେମାନଙ୍କର ଗୋଡ଼ତଳେ ପଡ଼ି ସେମାନଙ୍କୁ ଠିକ୍ ବାଟକୁ ଆଣିପାରିଥିଲେ । ଅଳଙ୍କାର ଅପେକ୍ଷା ଏହିସବୁ ସେବା କାର୍ଯ୍ୟ ଦ୍ୱାରା ଆପଣମାନଙ୍କର ଦେହ ଅଧିକ ଶୋଭା ପାଇବ । ତେଣୁ ଆପଣମାନେ ଯେଉଁ ପଇସାତକ ବଞ୍ଚାଇରଖି ଦରିଦ୍ରମାନଙ୍କ ପାଇଁ ଦାନ କରିବେ, ମୁଁ ସେସବୁର ମାର୍‍ଫତଦାର ହୋଇ ରହିବି । ତରତରରେ ଗୋଳେଇ ମିଶେଇ ଯାହାସବୁ ମୁଁ କହିଲି, ସେସବୁ ଆପଣମାନେ ଚିରଦିନ ମନେ ରଖିବେ ବୋଲି ମୋର ଆଶା ।’’

‘ସିଂହଳରେ ଗାନ୍ଧିଜୀ’-୧୮ ପୃଷ୍ଠା

Image

 

ନାରୀର ସମ୍ମାନ

 

ଆଜି ମହାତ୍ମାଗାନ୍ଧୀ ତାଙ୍କ ସାନ୍ଧ୍ୟପ୍ରାର୍ଥନା ସମାଗମରେ ଭାଷଣଦେଇ କହିଲେ ଯେ ସ୍ତ୍ରୀମାନଙ୍କୁ ଜବରଦସ୍ତି ହରଣ କରି ନିଆଯାଉଚି ଓ ଅନିଚ୍ଛା ସତ୍ତ୍ୱେ ଅନ୍ୟ ଧର୍ମରେ ଦୀକ୍ଷିତ କରି ଦିଆଯାଉଚି । ହତ୍ୟାକାଣ୍ଡ ଅପେକ୍ଷା ଏଇ ସମ୍ୱାଦ ତାଙ୍କୁ ଅଧିକ ବ୍ୟଥା ଦେଇଚି । ସ୍ତ୍ରୀଲୋକମାନଙ୍କ ପାଖରେ ସାଧାରଣତଃ କିଛି ଅସ୍ତ୍ରଶସ୍ତ୍ର ନଥାଏ । ଅବଶ୍ୟ ଝାନ୍‍ସୀ ରାଣୀଙ୍କର ଗୋଟିଏ ତରବାରୀ ଥିଲା, କିନ୍ତୁ ସମସ୍ତେ କଣ ରାଣୀ ହୋଇ ପାରିବେ ? ସୀତାଙ୍କର ଦୃଷ୍ଟାନ୍ତ ଦେଇ ସେ କହିଲେ ‘‘ରାବଣର ସମସ୍ତ ଦୈହିକ ଶକ୍ତି ସୀତାଦେବୀଙ୍କ ଅପବିତ୍ର କରି ପାରି ନଥିଲା ।’ ଅତ୍ୟାଚାରୀ ଗୋଟିଏ କେଶ ସୁଦ୍ଧା ସ୍ପର୍ଶ କରିବା ପୂର୍ବରୁ କିପରି ମରିବାକୁ ହୁଏ, ତାହା ପ୍ରତ୍ୟେକ ସ୍ତ୍ରୀଲୋକକୁ ଶିଖିବାକୁ ହେବ ।

ଏ.ପି.

ନୂଆଦିଲ୍ଲୀ, ୧୭.୧୦.୪୬

Image

 

ବର୍ମାଦେଶର ନାରୀମାନଙ୍କୁ

 

ବର୍ମାର ମୌଲମିନଠାରେ ଗୋଟିଏ ସଭାରେ ଗାନ୍ଧିଜୀ ଭାଷଣ ଦେଇଥିଲେ । ସୁଖୀ ଓ ଆତ୍ମ-ନିର୍ଭରଶୀଳ ହେବାକୁ ହେଲେ ସୂତା କାଟିବାକୁ ହେବ, ଲୋକମାନଙ୍କୁ ସେ ଏଇ ଉପଦେଶ ଦେଇଥିଲେ । ଶେଷରେ ନାରୀମାନଙ୍କୁ ସମ୍ବୋଧନ କରି ସେ କହିଲେ–

 

‘‘ତୁମେମାନେ ଏଠାରେ ଖୁବ୍ ସ୍ୱାଧୀନତା ପାଇବ, ପୃଥିବୀରେ ଏଯୁଗରେ ଏପରି ସ୍ୱାଧୀନତା କୌଣସି ଦେଶର ନାରୀ ପାଇପାରି ନାହିଁ । ନିଜର ପରିଶ୍ରମଶକ୍ତି ଓ କାରିଗରୀ ପାଇଁ ସବୁଆଡ଼େ ତୁମମାନଙ୍କର ନାଁ ଅଛି । ଏଠି ମଧ୍ୟ ଖୁବ୍ ଜୋର ସଂଗଠନ ରହିଚି । ବିଦେଶୀ ଚକ୍ ଚକ୍ ଜିନିଷ ପିନ୍ଧିବାର ଲୋଭ ଛାଡ଼ିଦିଅ, ସରଳ ଜୀବନ ଯାପନ କରିବାର ବ୍ରତ ନିଅ, ଦେଖିବ ତୁମର ଜୀବନରେ ଏକ ତୁମୁଳ ପରିବର୍ତ୍ତନ ହୋଇଯିବ ।

 

ଧୂଆଁ ଖାଇବାର ଭୟଙ୍କର ବଦଭ୍ୟାସ ବିଷୟରେ କିଛି କହିବାକୁ ମୋର ସାହସ ହେଉନାହିଁ । କିନ୍ତୁ ମୁଁ ଜାଣେ ଯେ, ବର୍ମାର ପ୍ରତ୍ୟେକ ପୁରୁଷ ଓ ପ୍ରତ୍ୟେକ ସ୍ତ୍ରୀଙ୍କର ଏଇ ଖରାପ ଅଭ୍ୟାସ ଅଛି । ବର୍ମାଦେଶର ସୁନ୍ଦରୀ ସ୍ତ୍ରୀମାନେ ଚୁରୁଟ ଓ ସିଗାରେଟ ଟାଣି ନିଜର ଓଠକୁ କୁତ୍ସିତ କରି ପକାଉଚନ୍ତି, ଏକଥା ଦେଖି ଆମ ଭାରତୀୟମାନଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ପୃଥିବୀର ସବୁଦେଶରେ ଏଇ ବଦଭ୍ୟାସ ଚଳୁଚି, ତେଣୁ ଏହା ବିରୁଦ୍ଧରେ କିଛି କହିବା ପ୍ରକୃତରେ ବଡ଼ କଷ୍ଟକର । ତୁମେମାନେ ଟଲ୍‍ଷ୍ଟୟଙ୍କର ନାମ ଶୁଣିଥିବ, ମୁଁ ତାଙ୍କରି ଉକ୍ତିରୁ ଗୋଟିଏ ଦୃଷ୍ଟାନ୍ତ ଦେଉଚି । ସେ ନିଜେ ଖୁବ୍ ଧୂଆଁ ଟାଣୁଥିଲେ; ନିଜର ଅଙ୍ଗେ ଲିଭାଇଥିବା ଅନୁଭୂତିରୁ ସେ କହିଚନ୍ତି ଯେ, ଧୂଆଁ ଖାଇଲେ ମଣିଷର ବୁଦ୍ଧି ନଷ୍ଟ ହୋଇଯାଏ । ଧୂଆଁ ଖାଇ ନିଶାଖୋରମାନେ ଯେ କେତେ ଜଘନ୍ୟ ପାପସବୁ କରିଚନ୍ତି । ସେ ତା’ର ଅନେକ ଉଦାହରଣ ଦେଇଚନ୍ତି । ତାଙ୍କର ଗୋଟିଏ ଗପରେ ସେ ଦେଖାଇଚନ୍ତି ଯେ ମଦଖାଇବା ପରେ ନୁହେଁ, ମାତ୍ର ଧୂଆଁ ଟାଣିବା ପରେ ଜଣେ ନୃଶଂସ ବ୍ୟକ୍ତି ଆଉ ଜଣକୁ ହତ୍ୟା କରିଚି । ଆଜି ଏଇ ବଦଭ୍ୟାସ ଦିନକୁ ଦିନ ବଢ଼ିବାରେ ଲାଗିଚି, ଅନେକ ବଡ଼ ବଡ଼ ଲୋକମଧ୍ୟ ସିଗାରେଟ ଖାଉଚନ୍ତି, ତଥାପି ଅନେକ ଲୋକ ଏଇ ବଦଭ୍ୟାସକୁ ଘୃଣା କରନ୍ତି । ଏପରିକି ୟୁରୋପର ଅନେକ ବିଖ୍ୟାତ ଲୋକ ଓ ନୀତିବାଦୀ ମଧ୍ୟ ଧୂଆଁ ଟଣାର ତୀବ୍ର ବିରୋଧ କରୁଚନ୍ତି ।

ୟଙ୍ଗ୍ ଇଣ୍ଡିଆ, ୧୧.୦୪.୨୯

Image

 

ନାରୀମାନଙ୍କୁ ପଦେ ସହଜ କଥା

 

ହରିଜନ ଗସ୍ତବେଳେ ବନାରସ ନାରୀସଭାରେ ଗାନ୍ଧିଜୀ ତାଙ୍କର ଶେଷ ଭାଷଣ ଦେଇଥିଲେ । ମୋଟାମୋଟି ହରିଜନ ସମସ୍ୟା ବିଷୟରେ ନିଜର ମତ ପ୍ରକାଶ କରି ସେ କହିଲେ–

 

‘‘କଣ ଖାଇବ, କଣ ପିଇବ, ସମାଜରେ କିଏ ବଡ଼, କିଏ ଛୋଟ, କେବଳ ଏହି କେତୋଟି କଥାକୁ ଆଜିକାଲି ଆମେ ଧର୍ମ ବୋଲି ଗ୍ରହଣ କରୁଚୁ । ପ୍ରକୃତରେ ଏହା ବଡ଼ ଦୁର୍ଭାଗ୍ୟର କଥା । ଏହାଠାରୁ ବଳି ଅଧିକ ମୂର୍ଖତା ଆଉ କଣ ହୋଇପାରେ ? ଉଚ୍ଚକୁଳରେ ଜନ୍ମ ହୋଇଚି ଓ କେତୋଟି ବାହ୍ୟ ଆଚାରପଦ୍ଧତି ପାଳନ କରୁଚି ବୋଲି ଜଣକୁ କଦାପି ଆଉଜଣକ ଠାରୁ ବଡ଼ କରିହେବନାହିଁ । କେବଳ ଚରିତ୍ରଦ୍ୱାରାହିଁ ମଣିଷର ବଡ଼ପଣିଆ ପ୍ରକାଶ ପାଏ । ଭଗବାନ ଆଗରୁ କାହାକୁ ବଡ଼ ସାନ କରି ଜନ୍ମ ଦେଇ ନାହାନ୍ତି, ଯେଉଁ ଶାସ୍ତ୍ରରେ ଛୋଟକୁଳରେ ଜନ୍ମହୋଇଥିବା କାରଣରୁ ଜଣକୁ ଛୋଟ ବା ଅଛୁଆଁ କରି ରଖାଯାଏ, ଆମେ ସେପରି ଶାସ୍ତ୍ରକୁ ମାନି ପାରିବା ନାହିଁ । ତଦ୍ଦ୍ୱାରା କେବଳ ଭଗବାନ ଓ ଭଗବାନ–ରୂପ ସତ୍ୟର ଅବମାନନା କରାଯିବ-। ଭଗବାନ ହେଉଚନ୍ତି ସତ୍ୟ ଓ ନ୍ୟାୟର ପ୍ରତୀକ । ଆମ ଧର୍ମରେ ଯେ ପାଞ୍ଚଭାଗରୁ ଭାଗେ ଲୋକଙ୍କୁ ଅଛୁଆଁ କରି ରଖାଯାଇଚି, ଭଗବାନ କେବେହେଲେ ଏ କଥାକୁ ସମର୍ଥନ କରିବେ ନାହିଁ । ଏଇସବୁ ଅଦ୍ଭୁତ ଧାରଣା ମନରୁ ପୋଛି ପକାଇବାକୁ ହେବ । ଯେ ମଇଳାଭିତରେ ମ୍ଳେଚ୍ଛହୋଇ ରହିବ, ତାକୁ ଅଛୁଆଁ କରି ରଖାଯିବା ଉଚିତ । କିନ୍ତୁ ସବୁ ମଇଳା ଆବର୍ଜନା ଦୂରକରି ଦେଇ ପାରିଲେ ଆମେ ଆଉ ଅଛୁଆ ହୋଇ ରହିପାରିବା ନାହିଁ । ଏବଂ କୌଣସି ନିର୍ଦ୍ଦିଷ୍ଟ କାମ କରୁଥିବା ହେତୁ ଚିରଦିନ ହେତୁ ଚିରଦିନ ପାଇଁ କଦାପି ମଣିଷକୁ ଅଛୁଆଁ କରି ରଖାଯାଇ ପାରିବନାହିଁ ।

 

କମ୍ ହେଉ ବେଶୀ ହେଉ, ଆମେ ସମସ୍ତେ ପାପ କରୁଚୁ । ଗୀତା, ଭାଗବତ ଓ ତୁଳସୀ ରାମାୟଣ ଆଦି ଆମର ସବୁ ଧର୍ମଶାସ୍ତ୍ରରେ କୁହାଯାଇଚି, ଯିଏ ଭଗବାନଙ୍କର ଆଶ୍ରୟ ନେବ, ତାଙ୍କରି ନାମ ଜପ କରିବ, ସେସବୁ ପାପରୁ ପରିତ୍ରାଣ ପାଇବ । ଏଇ ନିୟମ ସବୁ ମଣିଷଙ୍କ ପାଇଁ ଲାଗୁ କରାଯାଇଚି ।

 

ଆଉ ଗୋଟିଏ କଥାରୁ ବିଚାର କରି ଦେଖ । ମଣିଷ ହେଉ, ପଶୁ ପକ୍ଷୀ ଯାହା ହେଉ, ପ୍ରତ୍ୟେକ ଜୀବନର କିଛି ନା କିଛି ନିଶାଣ ରହିଚି । ସେଇ ନିଶାଣ ଦେଖି ଆମେ କୁକୁର ଓ ଗୋରୁଭିତରୁ ମଣିଷକୁ ଚିହ୍ନଟ କରିପାରିବା । କିନ୍ତୁ ଅଛୁଆଁମାନଙ୍କର କି ନିଶାଣ ଅଛି ଯେ, ସେମାନଙ୍କୁ ଅଛୁଆଁ ବୋଲି କୁହାଯିବ ? ସେମାନେ ମଧ୍ୟ ଆମରି ପରି ମଣିଷ । କୁକୁର ବିଲେଇକୁ ଛୁଇଁଲେ ଆମେ ଛୁଆଁ ହେଉନାହିଁ । ତେବେ ଗୋଟାଏ ଜାତିପ୍ରତି କାହିଁକି ଏପରି ଅନ୍ୟାୟ କରାଯାଉଥିବ ? ଏହାକୁ ଧର୍ମ କହିଲେ ଆମେ ବଡ଼ ଭୁଲ କରିବା, ଏହା ହେଉଚି ସବୁଠାରୁ ବଡ଼ ଅଧର୍ମ । ଭିତରେ ସେପରି ପାପ ଯଦି ଆଜିଯାଏ ସାଇତିରଖିଚ, ମୋର ଅନୁରୋଧ, ସେସବୁ ଏକାବେଳକେ ଦୂର କରିଦିଅ ।

 

ହରିଜନମାନଙ୍କୁ ଆପଣାର କରି, ସେମାନଙ୍କ ପଡ଼ାକୁ ଯାଇ, ନିଜ ପିଲାପରି ହରିଜନ ପିଲାଙ୍କର ଆଦର ଯତ୍ନ କରି, ଏଇ ପାପର ପ୍ରାୟଶ୍ଚିତ୍ତ କରାଯାଇ ପାରିବ । ସେମାନଙ୍କର ହିତଚିନ୍ତା କରିବା, ସେମାନେ ପେଟପୂରା ଖାଇବାକୁ ପା’ନ୍ତି କି ନାହିଁ, ପିଇବାକୁ ଭଲପାଣି ପାଆନ୍ତି କି ନାହିଁ, ଭଲକରି ଆଲୁଅ ଓ ପବନ ପାଇବାର ସୁବିଧା ସେମାନଙ୍କର ଅଛି କି ନାହିଁ, ଏଇସବୁ ବିଚାର କରିବା ଆମର କର୍ତ୍ତବ୍ୟ । ତାପରେ ଆଉଗୋଟିଏ ବାଟ ହେଉଚି ଖଦୀ । ସମସ୍ତେ ସୂତାକାଟି ଖଦଡ଼ ପିନ୍ଧିବାର ଶପଥ ନେଇ ଯାଆନ୍ତୁ । ଖଦୀ କେବଳ ହଜାର ହଜାର ହରିଜନମାନଙ୍କର ପେଟକୁ ଦାନା ଯୋଗାଇ ପାରିବ । ସୂତ୍ରଯଜ୍ଞଦ୍ୱାରା ତୁମେ ସେମାନଙ୍କ ସହିତ ଏକ ସୂତ୍ରରେ ବନ୍ଧାହୋଇ ପାରିବ; ତୁମେମାନେ ପିନ୍ଧୁଥିବା ପ୍ରତ୍ୟେକ ଗଜ ଖଦୀ ନିଶ୍ଚୟ ସେମାନଙ୍କର ଉପାର୍ଜନ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଶେଷ ଉପାୟ ହେଉଚି, ହରିଜନ ପାଣ୍ଠିକୁ ସାହାଯ୍ୟ, କାରଣ କେବଳ ହରିଜନମାନଙ୍କର ଦୁର୍ଦ୍ଦଶା ଓ ଦୁରବସ୍ଥା ଦୂର କରିବାକୁ ଏଇ ପାଣ୍ଠି ତିଆରି କରାଯାଇଚି ।

ହରିଜନ, ୩୧.୦୮.୩୪

Image

 

ପ୍ରଶ୍ନପେଡ଼ୀ

ପୁରୁଷ ଓ ସ୍ତ୍ରୀ

 

ପ୍ରଶ୍ନ :–ପୁରୁଷ ଓ ସ୍ତ୍ରୀ ସତ୍ୟାଗ୍ରହୀମାନଙ୍କର ଅବାଧ ମିଳାମିଶା ଓ ଏକାସାଙ୍ଗରେ କାମ କରିବାକୁ ପସନ୍ଦ କରନ୍ତି କି ? ବା ସେମାନଙ୍କର ଭିନ୍ନ କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଅଲଗା ଅଲଗା ସଂଗଠନ କରାଯାଉ ବୋଲି ଆପଣଙ୍କର ମତ ? ମୋର ଆଶଙ୍କା ଯେ ପ୍ରଥମ କଥାଟି ହେଲେ; ନାନା ବିଶୃଙ୍ଖଳା ପହଞ୍ଚିବ ଓ କୌଣସି ଦୁଷ୍କର୍ମ ଘଟିବାର ମଧ୍ୟ ଭୟ ରହିବ । ଆପଣ ଯଦି ମୋ କଥାରେ ଏକମତ, ତେବେ ଏଇ ଦୋଷଟି ଦୂର କରିବାପାଇଁ ଆପଣ କି କି ଉପାୟ ବତାଇବେ ?

 

ଉତ୍ତର :–ମୁଁ ଚାହେଁ, ସ୍ତ୍ରୀ ଓ ପୁରୁଷ ସତ୍ୟାଗ୍ରହୀଙ୍କର ଅଲଗା ଅଲଗା ଦଳ ଗଢ଼ାଯାଉ । ସ୍ତ୍ରୀ ସତ୍ୟାଗ୍ରହୀଙ୍କର ସ୍ତ୍ରୀମାନଙ୍କ ଭିତରେ ଅନେକ ବେଶୀ କାମ କରିବାର ଅଛି । ଆମ ଦେଶର ନାରୀଜାତିକୁ ଚିରଦିନ ଅବହେଳା କରାଯାଇଚି, ସେମାନଙ୍କ ଭିତରେ କାମ କରିବାପାଇଁ ଶହ ଶହ ନିଷ୍ଠାପର ଓ ଶିକ୍ଷିତା ନାରୀକର୍ମୀ ଦରକାର । ନୀତି ଦୃଷ୍ଟିରୁ ମଧ୍ୟ ସ୍ତ୍ରୀ ପୁରୁଷଙ୍କର ଅଲଗା ଦଳ ରହିବା ଉଚିତ ବୋଲି ମୋର ବିଶ୍ୱାସ । କିନ୍ତୁ ସେଥିଲାଗି ମୁଁ କୌଣସି ଧରାବନ୍ଧା ନିୟମ ରଖିବା ଉଚିତ ମନେ କରୁନାହିଁ । କେବଳ ବିବେକହିଁ ନାରୀ ଓ ପୁରୁଷର ସମ୍ପର୍କ ଠିକ୍‌ କରିବ । ଦୁଇ ଶ୍ରେଣୀ ଭିତରେ କୌଣସି ପ୍ରତିବନ୍ଧକର ବାଡ଼ ବସାଇଦେବା ଅନୁଚିତ । ସ୍ୱାଭାବିକ ଓ ସ୍ୱତଃପ୍ରଣୋଦିତ ଭାବରେ ସେମାନେ ପରସ୍ପର ସହିତ ବ୍ୟବହାର କଲେ ସବୁଠାରୁ ଭଲ ହେବ ।

ହରିଜନ, ୦୧.୦୬.୪୦

 

ନାରୀ ହେଉଚି ସବଳ ଜନ

 

ପ୍ରଶ୍ନ :–ପ୍ରତିରୋଧ ନ କରିବାକୁ ସବଳ ପାଖରେ ଆତ୍ମସମର୍ପଣ ବୋଲି କୁହାଯାଇପାରିବ କି ?

 

ଉତ୍ତର :–ନିଷ୍କ୍ରିୟ ପ୍ରତିରୋଧ ହେଉଚି ଦୁର୍ବଳର ଅସ୍ତ୍ର, କିନ୍ତୁ ମୁଁ ଯେଉଁ ପ୍ରତିରୋଧର ନୂତନ କଳ୍ପନା କରିଚି, ସେ ହେଉଚି ସବଳର ଅସ୍ତ୍ର । ଏଥିପାଇଁ ମୋତେ ଗୋଟିଏ ନୂଆ ଶବ୍ଦ ତିଆରି କରିବାକୁ ପଡ଼ିଚି । କିନ୍ତୁ ସବଳର ଅସ୍ତ୍ର ହେଲେ ମଧ୍ୟ, ଦୁର୍ବଳ ଶରୀର, ବୃଦ୍ଧ ଏବଂ ନିର୍ଭୀକ ବାଳକମାନେ ମଧ୍ୟ ତାହା ପ୍ରୟୋଗ କରିପାରିବେ, ଏହି ହେଉଚି ଅସ୍ତ୍ରଟିର ଚମତ୍କାର ବିଶେଷତ୍ୱ । କେବଳ କଷ୍ଟସହି ପ୍ରତିରୋଧ କରିବାର ବିଧି ସତ୍ୟାଗ୍ରହରେ ରହିଚି, ତେଣୁ ନାରୀ ଅଧିକ ସହଜରେ ଏହାକୁ ଗ୍ରହଣ କରିପାରିବ । କଷ୍ଟ ସହିବାରେ ନାରୀ କିପରି ପୁରୁଷଠାରୁ ବଳିଯାଇଚି, ଗଲାବର୍ଷ ଅନେକ ସ୍ଥାନରେ ଏହାର ପ୍ରମାଣ ମିଳିଚି । ପୁରୁଷ ଓ ସ୍ତ୍ରୀ ଉଭୟେ ଏଇ ଆନ୍ଦୋଳନରେ ଅତି ସୁନ୍ଦର ଭାବରେ ଯୋଗଦେଇ ପାରିଚନ୍ତି । କଷ୍ଟ ସହ୍ୟ କରିବାର ଆଦର୍ଶ ଦେଶସାରା ବ୍ୟାପିଗଲା ଏବଂ ସେମାନେ ଆତ୍ମତ୍ୟାଗର ଅଦ୍ଭୁତ ନିଦର୍ଶନମାନ ଦେଖାଇ ପାରିଲେ । ଯଦି ଆଜି ୟୁରୋପର ସ୍ତ୍ରୀ ଓ ପିଲାମାନେ ବିଶ୍ୱ-ପ୍ରେମର ଭାବରେ ଉଦ୍‌ବୁଦ୍ଧ ହୋଇ ପାରିବେ, ତେବେ ସେମାନେ ନିଶ୍ଚୟ ପୁରୁଷକୁ ବିସ୍ମିତ କରିଦେଇ ପାରିବେ ଏବଂ ଅଚିରେ ଇଉରୋପରୁ ସମସ୍ତ ସମରଲୀଳା ଲୁପ୍ତ ହୋଇଯିବ । ଅସଲ କଥା ହେଉଚି ସ୍ତ୍ରୀ, ପିଲା ଓ ଅନ୍ୟମାନଙ୍କ ଭିତରେ ଏକ ଆତ୍ମା ରହିଚି, ସମସ୍ତଙ୍କ ଭିତରେ ସମାନ ଗୁଣସବୁ ପ୍ରଚ୍ଛନ୍ନ ରହିଚି । ସତ୍ୟର ଅଶେଷ ଶକ୍ତିକୁ କାମରେ ଲଗାଇପାରିବା ହେଉଚି ସବୁଠାରୁ ବଡ଼ କଥା ।

‘India’s Case for Swaraj’ 400

 

ନାରୀର ଅର୍ଥନୈତିକ ସ୍ୱାଧୀନତା

 

ପ୍ରଶ୍ନ :–ଆଇନତଃ ସମ୍ପତ୍ତି ଉପରେ ବିବାହିତ ସ୍ତ୍ରୀର ଯେଉଁ ସ୍ୱତ୍ୱ ରହିଚି, ସେଥିରେ କିଛି ପରିବର୍ତ୍ତନ କରାଯାଉ ବୋଲି ଅନେକ କହୁଚନ୍ତି । ନାରୀକୁ ଅର୍ଥନୈତିକ ସ୍ୱାଧୀନତା ଦିଆଗଲେ ସେମାନେ ନୀତିଭ୍ରଷ୍ଟା ହୋଇଯିବେ ଓ ଗାର୍ହସ୍ଥ୍ୟ ଜୀବନ ନଷ୍ଟ ହୋଇଯିବ ବୋଲି ସେମାନେ କାରଣ ଦେଖାଉଚନ୍ତି । ଏ ବିଷୟରେ ଆପଣଙ୍କର ମତ କ’ଣ ?

 

ଉତ୍ତର :–ମୁଁ ଓଲଟ ପ୍ରଶ୍ନ ପଚାରିବି–‘‘ସମାଜରେ ସବୁ ରକମର ସ୍ୱାଧୀନତା ଓ ସମ୍ପତ୍ତି ଭୋଗ କରିବାର ଅଧିକାର ପାଇଥିବାରୁ ପୁରୁଷ କଣ ନୀତିଭ୍ରଷ୍ଟ ହୋଇ ଯାଇ ନାହିଁକି ?’’ ଯଦି ଉତ୍ତରରେ ‘ହଁ’ କୁହାଯାଏ, ତେବେ ସ୍ତ୍ରୀମାନଙ୍କୁ ମଧ୍ୟ ଏଇ ସ୍ୱାଧୀନତା ଦିଆଯାଉ । ପୁରୁଷପରି ସ୍ତ୍ରୀକୁ ସମ୍ପତ୍ତି, ସ୍ୱତ୍ୱ ଓ ଅନ୍ୟାନ୍ୟ ସ୍ୱାଧୀନତା ଦିଆଗଲେ ବଳେ ଜଣା ପଡ଼ିବ ଯେ, ସେଇସବୁ ସ୍ୱାଧୀନତା ଦିଆ ଯାଇଚି ବୋଲି ସମାଜରେ କୌଣସି ପାପ ବା କୌଣସି ପୁଣ୍ୟ ହେଉନାହିଁ । ଜଣକୁ ସମ୍ବଳହୀନ କରି ତା’ର ନୈତିକ ଚରିତ୍ରକୁ ଗଢ଼ିବାକୁ ଚେଷ୍ଟା କରାଗଲେ ତାହା ବେଶୀ ଦିନ ସ୍ଥାୟୀ ହୋଇ ପାରିବ ନାହିଁ । ଅନ୍ତରର ପବିତ୍ରତା ଉପରେହିଁ ସମସ୍ତ ପ୍ରକାରର ନୈତିକତା ନିର୍ଭର କରେ ।

ହରିଜନ, ୦୮.୦୬.୪୦

 

ସମାଜରେ ନାରୀର ସ୍ଥାନ

 

ପ୍ରଶ୍ନ :–ଭାରତର ସ୍ତ୍ରୀମାନଙ୍କ ଭିତରେ ନାଗରୀକ ଓ ରାଜନୈତିକ ଚେତନା ଆସିଥିବାରୁ ତାର ଗୋଟାଏ ବଡ଼ ଖରାପ ଫଳ ହୋଇଚି । ସେମାନଙ୍କର ଗାର୍ହସ୍ଥ୍ୟ ଓ ସାମାଜିକ ଜୀବନରେ ଏକ ସଂଘର୍ଷ ଆସି ପହଞ୍ଚିଛି । ସ୍ତ୍ରୀ ଯଦି ଦେଶକାମ କରିବ, ଏଣେ ପିଲାଙ୍କର ଲାଳନ ପାଳନ ଓ ଘରକାମରେ ଅବହେଳା ହେବାର ଖୁବ୍‌ ଆଶଙ୍କା ରହିଚି । ଆପଣ ଏଥିପାଇଁ କି ଉପାୟ ବତାଇବେ-?

 

ଉତ୍ତର :–ଘରକାମ କରିବାରେ ସ୍ତ୍ରୀର କଦାପି ବେଶି ସମୟ ଯାଏ ନାହିଁ । ପୁରୁଷର ସମ୍ଭୋଗ ଲିପ୍‌ସା ଓ ନିଜର ବ୍ୟସନ ଇଚ୍ଛା ତୃପ୍ତି କରିବାରେ ତାକୁ ଅନେକ ସମୟ ଦେବାକୁ ପଡ଼େ । ମୋ ମତରେ ସ୍ତ୍ରୀ’କୁ ଏପରି ଦାସୀ କରିଥିବା ପର୍ଯ୍ୟନ୍ତ ଆମେ ବର୍ବର ହୋଇ ରହିଥିବା । ସ୍ତ୍ରୀକୁ ରୋଷେଇଶାଳରେ ବନ୍ଦକରି ରଖିବା ଅର୍ଥ ଆମର ସଭ୍ୟତାର ଗ୍ଳାନି କରିବା । ବର୍ତ୍ତମାନ ସମୟ ଆସିଚି, ସ୍ତ୍ରୀକୁ ଆଜି ଏସବୁ ଧନ୍ଦାରୁ ମୁକ୍ତି ଦେବାକୁ ହେବ । ଘରକାମରେ ସ୍ତ୍ରୀର ଯେପରି ସମସ୍ତ ସମୟ ନଷ୍ଟ ହୋଇ ନଯାଏ ।

 

ପ୍ରଶ୍ନ :–ଭୋଟବେଳେ ଆପଣଙ୍କର କଂଗ୍ରେସବାଲାମାନେ ଆମଠାରୁ ସବୁ ରକମର କାମ ଆଦାୟ କଲେ । କିନ୍ତୁ ସେମାନଙ୍କର ନିଜର ସ୍ତ୍ରୀ ଓ ଝିଅମାନଙ୍କୁ ଆମ ସାଥୀରେ ସାଧାରଣ କାର୍ଯ୍ୟ ଲାଗି ଛାଡ଼ି ଦେବାକୁ ଆମେ ଯେତେବେଳେ କହିଲୁଁ, ସେମାନେ କେତେ ରକମର ବାହାନା ଦେଖେଇଲେ । ସେମାନେ ନିଜର ଘରଣୀକୁ ଦାଣ୍ଡକୁ ବାହାର କରିବାକୁ ଏକାବେଳେକେ ଅମଙ୍ଗ । ଆପଣଙ୍କ ମତରେ ଏଥିପାଇଁ କ’ଣ କରାଯାଇ ପାରିବ ?

 

ଉତ୍ତର :–ଯେତେଜଣ ଏପରି କହିଚନ୍ତି, ସେମାନଙ୍କର ନାଁ ତାଲିକା କରି ମୋ ପାଖକୁ ପଠାଇ ଦିଅ, ମୁଁ ତାକୁ ‘ହରିଜନ’ରେ ବାହାର କରିବି ।

ହରିଜନ, ୦୮.୦୬.୪୦

 

ବିଧବାର ଅସୁବିଧା

 

ପ୍ରଶ୍ନ :–ମୁଁ ଜଣେ ବଙ୍ଗାଳି ବ୍ରାହ୍ମଣ ଘରର ବିଧବା । ୨୪ ବର୍ଷ ତଳେ ମୋର ସ୍ୱାମୀ ମରିଗଲେ । ସେଇ ଦିନଠାରୁ ମୁଁ ଖାଦ୍ୟ ବିଷୟରେ ଅନେକ କଠୋର ନିୟମମାନ ମାନି ଆସିଚି । ଘରେ ମୋର ଅଲଗା ରୋଷେଇଶାଳ ଓ ବାସନ କୁସନ ଅଛି । ମୁଁ ଆପଣଙ୍କର ସତ୍ୟ ଓ ଅହିଂସାର ଆଦର୍ଶରେ ବିଶ୍ୱାସ କରେ । ୧୯୩୦ ରୁ ମୁଁ ଖଦଡ଼ ପିନ୍ଧି ଆସୁଚି ଓ ନିୟମିତ ରୂପେ ସୂତା କାଟୁଚି । ଆମର ‘ମହିଳା ସମାଜ’ ଢାକାର ଏକ ହରିଜନ ଗାଁରେ ହରିଜନ ସ୍କୁଲଟିଏ ଖୋଲିଚନ୍ତି । ମୁଁ ସେଠିକି ଯାଏ ଓ ହରିଜନମାନଙ୍କ ସହିତ ମିଳାମିଶା କରେ । ମୁସଲମାନ ଭଉଣୀମାନଙ୍କ ପ୍ରତି ମୋର ସମାନ ଶ୍ରଦ୍ଧା ରହିଚି ଓ ସେମାନଙ୍କ ପାଖରେ ମୁଁ କିଛି ବାରଣ ରଖେ ନାହିଁ । କିନ୍ତୁ ହରିଜନ ବା ଅନ୍ୟାନ୍ୟ ଅବ୍ରାହ୍ମଣମାନଙ୍କ ସହିତ ଏକତ୍ର ଖାଇବା ଆଜିଯାଏ ମୋତେ ଆରଉ ନାହିଁ । ମୋ’ପରି ନୈଷ୍ଠିକ ବିଧବାମାନେ ସକ୍ରୀୟ ଓ ନିଷ୍କ୍ରୀୟ, ଉଭୟ ପ୍ରକାରର ସତ୍ୟାଗ୍ରହରେ ଯୋଗ ଦେଇ ପାରିବେ କି ?

 

ଉତ୍ତର :–କଂଗ୍ରେସର ନିୟମାବଳୀ ଅନୁସାରେ ସତ୍ୟାଗ୍ରହୀ ହେବାର ପୂର୍ଣ୍ଣ ଅଧିକାର ତୁମର ଅଛି । ତୁମେ ଇଚ୍ଛା କଲେ ଏ ଅଧିକାର ଦାବୀ କରିପାରିବ । କିନ୍ତୁ ତୁମେ ଯେତେବେଳେ ମୋର ପରାମର୍ଶ ଲୋଡ଼ିବ, ମୁଁ କହିବି ତୁମର ସତ୍ୟାଗ୍ରହୀ ହେବା ଅନୁଚିତ । ମୁଁ ଜାଣେ ବଙ୍ଗାଳି ଘରର ବିଧବାମାନେ କେଡ଼େ ନିଷ୍ଠାରେ ସାମାଜିକ ପ୍ରଥା ଓ ଲୋକାଚାର ମାନି ଚଳନ୍ତି । କିନ୍ତୁ ଯେଉଁ ବିଧବାମାନେ ଅହିଂସା ମାର୍ଗରେ ଯାଇ ଦେଶର ସେବାରେ ନିଜକୁ ସମର୍ପି ଦେଇଛନ୍ତି, ସେମାନେ ସମସ୍ତଙ୍କ ସାଙ୍ଗରେ ଏକ ପଂକ୍ତିରେ ଭୋଜନ କରି ପାରନ୍ତି । ଅପର ଜଣକ ପାଖରେ ବସି ଭୋଜନ କଲେ ଆଧ୍ୟାତ୍ମିକ ବିକାଶରେ ବାଧା ପହଞ୍ଚେ ବୋଲି ମୁଁ ବିଶ୍ୱାସ କରେ ନାହିଁ । ନିଜର ମନ ଉପରେ ସବୁକଥା ନିର୍ଭର କରୁଚି । ଜଣେ ବିଧବା ଯଦି ସେବାର ମନୋଭାବ ରଖି ପ୍ରତ୍ୟେକ କାମ କରି ପାରିଲା, ତେବେ ତାହା ଖୁବ୍‌ ଭଲ କଥା । ଯେତେ ଟିକିନିଖି କରି ଖାଇବା ଓ ଅନ୍ୟସବୁ ସାମାଜିକ ନିୟମ ମାନି ଚଳୁଥାଉ ନା କାହିଁକି, ଅନ୍ତରରେ ମଇଳା ରହିଥିଲେ ବିଧବାକୁ ପ୍ରକୃତ ବିଧବା ବୋଲି କୁହାଯାଇ ପାରିବ ନାହିଁ । ସମାଜର ବାହାର ଆଚାର ତଳେ ଅନେକ କପଟୀ ଲୋକ ମଧ୍ୟ ଧର୍ମ ଆଚରଣ କରୁଥିବାର ଛଳନା କରନ୍ତି, ଏକଥା ସମସ୍ତେ ଜାଣନ୍ତି । ତେଣୁ ଏକା ଧାଡ଼ିରେ ଖାଇବା ପ୍ରଭୃତିକୁ ଆଧ୍ୟାତ୍ମିକ ଓ ଜାତୀୟ ବିକାଶର ଅନ୍ତରାୟ ବୋଲି ବିଚାର କରିବା ଠିକ୍‌ ନୁହେଁ । ଏସବୁ ଛାଡ଼ି ପ୍ରଥମେ ନିଜର ଅନ୍ତରକୁ ଶୁଦ୍ଧ ଓ ନିର୍ମଳ କର । ଏହିପରି ଆତ୍ମ ସନ୍ତୁଷ୍ଟ ଲୋକଙ୍କୁ ମୁଁ ‘ସତ୍ୟାଗ୍ରହ ଦଳ’ରେ ନେବାକୁ ଚାହେଁ ନାହିଁ । ଯେଉଁମାନେ ବିବେକ ବୁଦ୍ଧି ଖଟାଇ ହୃଦୟର ସହିତ ଏଇପରି ଜୀବନପଥ ବାଛି ନେଇଚନ୍ତି, ସେଇମାନେ କେବଳ ସତ୍ୟାଗ୍ରହୀ ହୋଇପାରିବେ ।

ହରିଜନ, ୧୫.୦୬.୪୦

Image